ଏକ ସମ୍ବାଦ ପ୍ରକାଶ ପାଇଛି ମୁଖ୍ୟମନ୍ତ୍ରୀ ଚାରି ଥର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର ପାଇଁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି, ରାଜ୍ୟର ଆଠ ଲକ୍ଷ କେନ୍ଦୁପତ୍ର ତୋଳାଳି, ବନ୍ଧେଇ କର୍ମଚାରୀ ଏବ˚ ଋତୁକାଳୀନ କର୍ମଚାରୀ- ଏଥିରେ ଉପକୃତ ହେବେ। କେନ୍ଦୁପତ୍ର କର୍ମଚାରୀ ସ˚ଘ ଏହାକୁ ସ୍ବାଗତ କରିଛି। ସ˚ଘର ସଭାପତି ମଧ୍ୟ କହିଛନ୍ତି ୨୦୧୯ ମସିହା ନିର୍ବାଚନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରତିଶ୍ରୁତି ଦେଇଥିଲେ ଯେ କେନ୍ଦୁପତ୍ର ଉପରୁ ଜିଏସ୍ଟି ଛାଡ଼ କରାଯିବ। ଅର୍ଥାତ୍, କେନ୍ଦ୍ର ସରକାର ଏବ˚ ରାଜ୍ୟ ସରକାର କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର କରିବାକୁ ଚାହାଁନ୍ତି, କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହୃତ ହେଲେ କିପରି କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ଉପକୃତ ହେବେ ଏବ˚ କାହାର ଲାଭ ହେବ?
କେନ୍ଦୁପତ୍ରରୁ ବିଡ଼ି ତିଆରି ହୁଏ। କେତୋଟି ବିଳାସପୂର୍ଣ୍ଣ ଓ ସ୍ବାସ୍ଥ୍ୟ ପ୍ରତି ହାନିକାରଣ ଦ୍ରବ୍ୟ ଉପରେ ୨୮% ଜିଏସ୍ଟି ଆଦାୟ ହୁଏ। ମୋଟରକାର, ବିଡ଼ି, ଏୟାରକଣ୍ତିସନର, ପାନମସଲା, ମୃଦୁ ପାନୀୟ ଇତ୍ୟାଦି ଉପରୁ ୨୮% ଜିଏସ୍ଟି ଆଦାୟ ହୁଏ। ବିଳାସପୂର୍ଣ୍ଣ ସାମଗ୍ରୀ ଯଥା ମୋଟରକାର ଏବ˚ ସ୍ବାସ୍ଥ୍ୟ ପ୍ରତି ହାନିକାରକ ଦ୍ରବ୍ୟ ସିଗାରେଟ୍, ମୃଦୁ ପାନୀୟ, ପାନମସଲା ଆଦି ଦ୍ରବ୍ୟ ଉପରୁ ୨୮% ଜିଏସ୍ଟି ବ୍ୟତୀତ ‘ସେସ୍’ ମଧ୍ୟ ଆଦାୟ ହୁଏ। ସ˚ଗୃହୀତ ‘ସେସ୍’ରୁ ରାଜ୍ୟମାନଙ୍କୁ ଜିଏସ୍ଟି ପ୍ରଚଳନ ହେତୁ ରାଜସ୍ବ ହାନି ପାଇଁ କ୍ଷତିପୂରଣ ଦିଆଯାଏ।
ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଜିଏସ୍ଟି ପ୍ରଚଳନର ପାଞ୍ଚ ବର୍ଷ ପର୍ଯ୍ୟନ୍ତ କ୍ଷତିପୂରଣ ଦିଆଯାଇଛି। ପାଞ୍ଚ ବର୍ଷ ପରେ ରାଜ୍ୟମାନଙ୍କୁ କ୍ଷତିପୂରଣ ଦିଆଯାଉନାହିଁ। କିନ୍ତୁ କରୋନା କାରଣରୁ ଆର୍ଥିକ ବିପର୍ଯ୍ୟୟ ପାଇଁ ଆଶାନୁରୂପକ ଜିଏସ୍ଟି ଏବ˚ ‘ସେସ୍’ ଆଦାୟ ହୋଇପାରି ନଥିଲା। ରାଜ୍ୟମାନଙ୍କୁ କ୍ଷତିପୂରଣ ଦେବାକୁ କେନ୍ଦ୍ର ଋଣ କରିଥିଲା। ସେହି ଋଣ ଶୁଝିବାକୁ ଏବେ ମଧ୍ୟ ‘ସେସ୍’ ଆଦାୟ ହେଉଛି। ବିଡ଼ି ଉପରୁ ୨୮% ଜିଏସ୍ଟି ଆଦାୟ ହୁଏ, କିନ୍ତୁ ‘ସେସ୍’ ଲାଗେ ନାହିଁ। ବିଡ଼ି, ସିଗାରେଟ୍, ପାନମସଲା ଆଦି ଦ୍ରବ୍ୟ ଉପରେ ଅଧିକ କର, ୨୮% ଲାଗୁ କରିବାର ଉଦ୍ଦେଶ୍ୟ, ଏହିସବୁ ଦ୍ରବ୍ୟର ସେବନ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ। ଅଧିକ ଟିକସ ଲାଗିଲେ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ଏବ˚ ଉପଭୋକ୍ତା ଅଧିକ ବ୍ୟୟକରି ଏହି ସବୁ ଦ୍ରବ୍ୟ ସେବନ କରିବାକୁ କୁଣ୍ଠାବୋଧ କରିବ।
ଓଡ଼ିଶାରେ ଜଙ୍ଗଲ ବିଭାଗ ଆଦିବାସୀଙ୍କ ମାଧ୍ୟମରେ କେନ୍ଦୁପତ୍ର ସ˚ଗ୍ରହ କରେ। କେନ୍ଦୁପତ୍ର ତୋଳାଳିଙ୍କୁ ଜଙ୍ଗଲ ବିଭାଗ ମଜୁରି ଦିଏ। ସ˚ଗୃହୀତ କେନ୍ଦୁପତ୍ରକୁ ଓଡ଼ିଶା ବନ ନିଗମ (ଓଏଫ୍ଡିସି) ବିଡ଼ି ନିର୍ମାତାଙ୍କୁ ବିକ୍ରି କରେ। ନିଗମ କ୍ରେତାଙ୍କଠାରୁ ୧୮% ହାରରେ ଜିଏସ୍ଟି ଆଦାୟ କରି ସରକାରଙ୍କୁ ପୈଠ କରେ। ନିଗମ ଟିକସ ନିଜ ତହବିଲରୁ ଦିଏ ନାହିଁ, କ୍ରେତାଙ୍କ ଠାରୁ ଆଦାୟ କରି ଦିଏ। ଯଦି କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହୃତ ହେବ ତେବେ ତୋଳାଳି କିମ୍ବା ବିଡ଼ି ବନ୍ଧେଇ କର୍ମଚାରୀ କିପରି ଲାଭବାନ ହେବେ? ଯେହେତୁ ଟିକସ କ୍ରେତା କିମ୍ବା ବିଡ଼ି ନିର୍ମାତାଙ୍କ ଠାରୁ ଆଦାୟ ହୁଏ, ତୋଳାଳିଙ୍କ ଠାରୁ ନୁହେଁ କିମ୍ବା ନିଗମ ନିଜ ତହବିଲରୁ ଦିଏ ନାହିଁ, କେନ୍ଦୁପତ୍ର ଉପରେ ଜିଏସ୍ଟି ଥିଲେ ବା ଉଠିଗଲେ, ତୋଳାଳି ବା ନିଗମ ଲାଭବାନ ହେବନି କିମ୍ବା କ୍ଷତି ସହିବନି।
ବିଡ଼ି ନିର୍ମାତା ବିଡ଼ି ବିକ୍ରି ଉପରେ ୨୮% ଜିଏସ୍ଟି ଆଦାୟ କରେ। ଜିଏସ୍ଟି ନୀତି ଅନୁସାରେ କଞ୍ଚାମାଲ କ୍ରୟ ଉପରେ ପୈଠ କରର ଫେରସ୍ତ ବା ଇନ୍ପୁଟ୍ ଟାକ୍ସ କ୍ରେଡିଟ୍ ମିଳେ। ଯଦି ୧୦୦୦ ଟଙ୍କା ମୂଲ୍ୟର ବିଡ଼ି ବିକ୍ରି ଉପରେ ନିର୍ମାତା ୨୮% ହାରରେ ୨୮୦ ଟଙ୍କା ଜିଏସ୍ଟି ଆଦାୟ କରିଥାଏ ଏବ˚ ୧୮% ହାରରେ କେନ୍ଦୁପତ୍ର ଉପରେ ୧୮୦ ଟଙ୍କା ଟିକସ ଦେଇଥାଏ, ତେବେ ନିର୍ମାତା ୧୮୦ ଟଙ୍କା ବିୟୋଗ କରି ସରକାରଙ୍କୁ ୧୦୦ ଟଙ୍କା ପୈଠ କରେ। ନିର୍ମାତା ନିଜ ଆୟରୁ ଜିଏସ୍ଟି ଦିଏ ନାହିଁ, ଉପଭୋକ୍ତାଙ୍କ ଠାରୁ ଆଦାୟ କରି ଜିଏସ୍ଟି ଭରେ। ବିଡ଼ି ଉପରେ ୨୮% ଜିଏସ୍ଟି ରଖାଯାଇ ଯଦି କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର କରାଯାଏ, ତେବେ ବିଡ଼ିର ଦର ମଧ୍ୟ କମିବ ନାହିଁ। ଯେହେତୁ ବିଡ଼ି ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ, ବିଡ଼ି ଉପରେ ଅଧିକ ଟିକସ ବସାଇ, ବିଡ଼ିର ମୂଲ୍ୟ ବୃଦ୍ଧି କରାଇ, ବିଡ଼ି ସେବନକୁ ନିରୁତ୍ସାହିତ କରିବା ଜିଏସ୍ଟି ପରିଷଦର ଉଦ୍ଦେଶ୍ୟ ଥିଲା। କୌଣସି ଦ୍ରବ୍ୟ ବା ସେବା ଉପରେ ଜିଏସ୍ଟି ବୃଦ୍ଧି ହେଲେ, କର ଭାର ଉପଭୋକ୍ତା ଉପରେ ପଡ଼େ, କ୍ରେତା ବା ବିକ୍ରେତାଙ୍କର କିଛି କ୍ଷତି ହୁଏ ନାହିଁ।
ଜିଏସ୍ଟି ପ୍ରଚଳନର ଅନ୍ୟତମ ଉଦ୍ଦେଶ୍ୟ ଥିଲା କର ପ୍ରଶାସନରେ ସ୍ବଚ୍ଛତା ଆଣିବା। ଜିଏସ୍ଟି ବ୍ୟବସ୍ଥାରେ କ୍ରୟ ମୂଲ୍ୟ ଉପରେ ପୈଠ କରର ଫେରସ୍ତ ବା ଇନ୍ପୁଟ୍ ଟାକ୍ସ କ୍ରେଡିଟ୍ ପାଇବାକୁ ହେଲେ, ଇନ୍ଭଏସ୍ ବା ବିଲ୍ କାଟିବା ଜରୁରୀ। ଉପରୋକ୍ତ ଉଦାହରଣରେ ୧୮୦ ଟଙ୍କା କେଡିଟ୍ ପାଇବାକୁ ହେଲେ ବିକ୍ରେତା ବିଲ୍ କାଟିବ ଏବ˚ କ୍ରେତା ତାକୁ ପାଖରେ ରଖିବ। କ୍ରେତା ଓ ବିକ୍ରେତାଙ୍କର ଇନ୍ଭଏସ୍ ମେଳ ଖାଉଥିଲେ ଇନ୍ପୁଟ୍ ଟାକ୍ସ କ୍ରେଡିଟ୍ ମିଳିବ। ଏହି ଇନ୍ପୁଟ୍ ଟାକ୍ସ କ୍ରେଡିଟ୍ ବ୍ୟବସ୍ଥା ହେତୁ ବ୍ୟବସାୟରେ ଠକେଇ କମିଛି ଏବ˚ ଜିଏସ୍ଟି ଆଦାୟରେ ଅଭିବୃଦ୍ଧି ଘଟୁଛି। କେନ୍ଦୁପତ୍ର ଉପରେ ଜିଏସ୍ଟି ଛାଡ଼ କଲେ, କ୍ରେତା ଓ ବିକ୍ରେତାଙ୍କର ଇନ୍ଭଏସ୍ ଏବ˚ ଦେୟ କରର ମେଳ କରାଯାଇପାରିବ ନାହିଁ। ଠକେଇ ବଢ଼ିବ। କେନ୍ଦୁପତ୍ର ଉପରୁ ଜିଏସ୍ଟି ପ୍ରତ୍ୟାହାର କଲେ କାହାର ଲାଭ ହେବନି, ବର˚ ରାଜସ୍ବ ହାନି ଘଟିବ।
ମୋ: ୯୪୩୭୫୭୮୭୩୩