ଆମ ଗଣତନ୍ତ୍ରର ବିଡ଼ମ୍ବନା

ମଞ୍ଜ କଥା - ଭବାନୀ ଶଙ୍କର ତ୍ରିପାଠୀ

ଦୁନିଆର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶରେ ଆମେ ୭୫ ବର୍ଷ ଧରି ଅଛନ୍ତି। ପଞ୍ଚାୟତ ଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଠିକ୍ ସମୟରେ ନିର୍ବାଚନ ହେଉଛି। ପଡ଼ୋଶୀ ପାକିସ୍ତାନ ଭଳି ଏଠାରେ ଶାସନ କ୍ଷମତା ହସ୍ତାନ୍ତର ବିଭେଦ ବା କ୍ଷମତା ହଡ଼ପ ବିବାଦ ପ୍ରାୟ ନାହିଁ। ସୁତରାଂ, ନିୟମାନୁବର୍ତ୍ତିତା ଓ ସ୍ଥିରତା ଥିବା ସତ୍ତ୍ବେ ଆମ ଗଣତନ୍ତ୍ରକୁ ଏକ ଦୃଢ଼ ଗଣତନ୍ତ୍ରର ଉତ୍କୃଷ୍ଟ ମଡେଲ ବୋଲି କୁହାଯାଇପାରିବ କି?

ଓଡ଼ିଶାରେ ଅଷ୍ଟମ ଦଶକରୁ ସ୍ଥିର ସରକାର ରହିଛି। ତେଇଶ ବର୍ଷ ଧରି ବିଜେଡି ଶାସନ ଚଳାଉଛି। ସେହିପରି କେନ୍ଦ୍ରରେ ୯ ବର୍ଷ ଧରି ବିଜେପି ନେତୃତ୍ବାଧୀନ ସରକାର କ୍ଷମତାରେ ଅଛି। ଉଭୟ ଦଳ ପ୍ରତି ଥର ରେକର୍ଡ ସଂଖ୍ୟକ ଆସନ ଜିତୁଛନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ମୁଖିଆ ଦ୍ବୟଙ୍କୁ ରାଷ୍ଟ୍ରନାୟକ ଭାବେ ଚିତ୍ରଣ କରାଯାଉଛି। ହେଲେ ଏଠି ଯେଉଁ ମୌଳିକ ପ୍ରଶ୍ନଟି ଉଠୁଛି, ତାହା ହେଲା- ସୁଦୃଢ଼ ଗଣତାନ୍ତ୍ରିକ ଶାସନ ଭଳି ପ୍ରତୀୟମାନ ହେଉଥିବା ଏକ ଶାସନ ବ୍ୟବସ୍ଥାରେ ଜଣେ ସାଧାରଣ ନାଗରିକର ସ୍ଥିତି କେଉଁଭଳି?

ବର୍ଷ ତେରଟା ପରେ ଭାଷା ଭିତ୍ତିରେ ଆମ ରାଜ୍ୟ ଗଠନକୁ ୧୦୦ ବର୍ଷ ପୂରିବ। ଦେଶ ସ୍ବାଧୀନତାକୁ ୭୫ ବର୍ଷ ବିତିଲାଣି। ଆଉ କେତେ ପାଦ ଆଗକୁ ଗଲେ ନାଗରିକଟିଏ କହିପାରିବ ଯେ, ସେ ବିକଶିତ ଦେଶ ବା ରାଜ୍ୟର ଜଣେ ନାଗରିକ; ଧାର୍ମିକ, ସାମାଜିକ, ଅର୍ଥନୈତିକ, ଶିକ୍ଷା ଓ ଅଭିବ୍ୟକ୍ତିଗତ ଅଧିକାର ହାସଲ କ୍ଷେତ୍ରରେ ତା’ର ଉପଲବ୍‌ଧି ଅନ୍ୟ ଦେଶ ଏବଂ ରାଜ୍ୟ ଠାରୁ ଉନ୍ନତ ଓ ସ୍ବତନ୍ତ୍ର?
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ଶାସନର ସ୍ବତ୍ବାଧିକାରୀମାନେ ସବୁ କଥାକୁ ରାଜନୀତି ଓ ଭୋଟ ବ୍ୟାଙ୍କ ନିକିତିରେ ତଉଲୁଛନ୍ତି। ପ୍ରତାରଣାକୁ ଢାଙ୍କିବା ଲାଗି ଉଦ୍ୟମରେ ଅନେକ ପ୍ରଲୋଭନ ଦେଖାଇବାର ସମୟ ଏବେ ଆସିଛି। ତେଣୁ, ସମାନ୍ତରାଳ ଭାବେ ଉପରେ ପଚରାଯାଇଥିବା ତିନିଟି ପ୍ରଶ୍ନକୁ ଆଧାର କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟର ଅନାସକ୍ତ ଅନୁଧ୍ୟାନ ବା ଆଲୋଚନା ମଧ୍ୟ ଜରୁରୀ।
ଭାରତ ଏକ ବୃହତ୍‌ ଦେଶ, ଯାହା ବିବିଧତାରେ ପରିପୂର୍ଣ୍ଣ। ସ୍ବାଧୀନତା ସମୟରେ ଦେଶ ବା ରାଜ୍ୟମାନେ ଆର୍ଥିକ ଦୃଷ୍ଟିରୁ ଆଦୌ ସଶକ୍ତ ନଥିଲେ। ଓଡ଼ିଶାରେ ଆଞ୍ଚଳିକ ବୈଷମ୍ୟ ଉତ୍କଟ ଥିଲା। ଦାରିଦ୍ର୍ୟ, ନିରକ୍ଷରତା, ବେକାରି ତଥା ଜନକଲ୍ୟାଣର ଅଭାବ ଜଳ ଜଳ ପରିଦୃଷ୍ଟ ହେଉଥିଲା। ମାତ୍ର ଭାଷା, ସାହିତ୍ୟ, ସଂସ୍କୃତି, କଳା ଆଦି କ୍ଷେତ୍ରରେ ଓଡ଼ିଶାର କୀର୍ତ୍ତି ବିଶ୍ବ ଦରବାର ଯାଏ ଲମ୍ବିଥିଲା।

ସାତ ଦଶନ୍ଧି ପରେ ଆଜି ଯାହା ସ୍ପଷ୍ଟ ଦେଖାଯାଉଛି, ତାହା ହେଲା- ଭାଷା, ସାହିତ୍ୟ, ସଂସ୍କୃତି ଓ ପ୍ରକୃତିର ଚିତ୍ରକୁ କଦାକାର କରିବାର ଅପଚେଷ୍ଟା ହୋଇଛି। ମଣିଷର ଦୈନନ୍ଦିନ ଆବଶ୍ୟକତାକୁ ହାତ ପାହାନ୍ତାରେ ପହଞ୍ଚାଇବା ଲାଗି ଆବଶ୍ୟକ ଉପକ୍ରମ ଛଡ଼ା ସରକାରମାନେ ବିଶେଷ ପରିବର୍ତ୍ତନ କରିପାରିନାହାନ୍ତି। ମନେ ହୁଏ ଯେ ଯଦି ସାଧାରଣ ବ୍ୟକ୍ତିର ଭୋଟ ଅଧିକାର ନଥାନ୍ତା, ତେବେ ସେ ବି ସମାଜର ଅନ୍ୟ ସବୁ ପ୍ରାଣୀ, ଗଛ, ଲତା, ପାହାଡ଼, ପର୍ବତ, ପ୍ରକୃତି ଭଳି ଖୁବ୍ ଅବହେଳିତ ହୋଇ ରହିଥାନ୍ତା ଏବଂ ଅବିଚାରିତ ଦୋହନର ଶିକାର ମଧ୍ୟ ହେଉ ଥାଆନ୍ତା।

ବ୍ରିଟିସ ଶାସନ ସମୟରୁ ଦାରିଦ୍ର୍ୟ ଏକ ପ୍ରମୁଖ ଆହ୍ବାନ ହୋଇ ରହିଛି। ଗଣତନ୍ତ୍ରର ଉପଲବ୍‌ଧି ମାପିବା କ୍ଷେତ୍ରରେ ଏହାକୁ ପ୍ରଥମ ମାପକାଠି ଭାବେ ବ୍ୟବହାର କରାଯାଉ। ସରକାରମାନେ ଚତୁରତାର ସହିତ ବିପିଏଲ୍ (ଦାରିଦ୍ର୍ୟ ସୀମାରେଖା ତଳେ) ଶବ୍ଦଟିକୁ ଉଠାଇ ଦେଇଛନ୍ତି। ହେଲେ ଆଜି ବି ରାଜ୍ୟର ୭୦ ପ୍ରତିଶତ ଲୋକ ଟଙ୍କିକିଆ ଚାଉଳ ଉପରେ ନିର୍ଭର କରନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ରାଜ୍ୟର ୩ କୋଟିରୁ ଅଧିକ ବ୍ୟକ୍ତିଙ୍କ ପାଖରେ ଟଙ୍କିକିଆ ଚାଉଳ ପହଞ୍ଚୁଛି। ଏମାନଙ୍କୁ ଚାଉଳ ଦେବା ବନ୍ଦ କରିଦେବା ଅର୍ଥ ଅନାହାର ମୃତ୍ୟୁ ଅଭିଯୋଗର କଳଙ୍କର ଟିପା ପୁଣି ମଥାରେ ଲାଗିପାରେ।
ଏହି କଥାଟି ଜୋର ଦେଇ କହିବାର କାରଣ ହେଲା, ଗତ ଦଶ ବର୍ଷ ଭିତରେ କେହି ବି ନିଜକୁ ସ୍ବଚ୍ଛଳ ବୋଲି ଦାବି କରି ଯୋଜନାରୁ ଆପେ ଓହରି ଆସିନାହାନ୍ତି। ସରକାର ମଧ୍ୟ ଦାରିଦ୍ର୍ୟରୁ ସ୍ବଚ୍ଛଳ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ତାଲିକା ପ୍ରସ୍ତୁତ କରି ଯୋଜନାରୁ କାହାକୁ ବାଦ୍ ଦେଇନାହାନ୍ତି। ଅତଏବ ବୁଝିନେବାକୁ ହେବ ଯେ ଲୋକଙ୍କ ଆର୍ଥିକ ସ୍ଥିତିରେ ଆଦୌ ଉନ୍ନତି ଘଟୁନାହିଁ।

ଖାଦ୍ୟ ଭଳି ବସ୍ତ୍ର ଓ ବାସଗୃହ ଆଉ ଗୋଟିଏ ଗୋଟିଏ ଉଦାହରଣ। ସରକାର ବିଦ୍ୟାଳୟରେ ମାଗଣା ପୋଷାକ ଦେବାର ଅର୍ଥ ହେଲା ସରକାର ସ୍ବୀକାର କରୁଛନ୍ତି ଯେ ସବୁ ପିଲା ନିଜ ପରିବାରର ଅର୍ଜିତ ଟଙ୍କାରେ ଦି’ ହଳ ଭଲ ପୋଷାକ ପିନ୍ଧିବା ଭଳି ସ୍ଥିତିକୁ ଏଯାଏ ଆସିନାହାନ୍ତି। ଅନ୍ୟ ପକ୍ଷରେ ‘ପ୍ରଧାନମନ୍ତ୍ରୀ ଆବାସ’ ଓ ‘ମୋ କୁଡ଼ିଆ’ ଯୋଜନାରେ ଘର ପାଇବା ପାଇଁ ପ୍ରତିଯୋଗିତା ଦର୍ଶାଉଛି ଯେ ଲୋକେ ନିଜ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଆର୍ଥିକ ଦୃଷ୍ଟିରୁ ସମର୍ଥ ହୋଇନାହାନ୍ତି। ସୁତରାଂ ଆମ ସରକାର ଦାବି କରୁଥିବା ସଶକ୍ତ ଅର୍ଥନୀତିର କେଉଁମାନେ ହିତାଧିକାରୀ ତାହା ନିରୀକ୍ଷଣ କରାଯିବା ଜରୁରୀ ନୁହେଁ କି?

ଚିନ୍ତାର ବିଷୟ ହେଲା, ନବମ ଦଶକରୁ ଅଣ-ଖାଦ୍ୟ ସାମଗ୍ରୀକୁ ଦାରିଦ୍ର୍ୟର ପରିଭାଷାରେ ଅନ୍ତର୍ଭୁକ୍ତ କରାଯାଇଛି। ତିନି ଦଶନ୍ଧି ପରେ ମଧ୍ୟ ଏସବୁ ମଧ୍ୟରୁ କୌଣସି ଗୋଟିଏ କ୍ଷେତ୍ରରେ ଆମେ ସମ୍ମାନଜନକ ସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରିନାହୁଁ। ଓଲଟା ଧନୀ ଓ ଗରିବଙ୍କ ମଧ୍ୟରେ ଦୂରତା ବଢ଼ିଛି। ପର୍ଯ୍ୟାପ୍ତ କାମ ନାହିଁ ବୋଲି ଘରର ଭେଣ୍ଡାପୁଅ ଯେବେ ଦାଦନକୁ ବାଛି ନେଉଛି, ଏହା ସ୍ବତଃ ବୟାନ କରୁଛି ଯେ ନିଯୁକ୍ତି ସୁଯୋଗ ସୃଷ୍ଟିରେ ଆମ ସରକାର ଅକ୍ଷମ।

ଶିକ୍ଷା ଗୋଟିଏ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ଓଡ଼ିଶାରେ ସାକ୍ଷରତା ହାର ଶତ ପ୍ରତିଶତ ହେବା ଏକ ସ୍ବପ୍ନ ହୋଇ ରହିଛି। ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ମାଗଣା ପଢ଼ାବହି, ଜୋତା ଆଦି ଦିଆଯିବା ପରେ ମଧ୍ୟ ବିଦ୍ୟାଳୟରେ ଉପସ୍ଥାନ ଚିନ୍ତାଜନକ ସ୍ଥିତିରେ ଅଛି। ଡ୍ରପ୍ ଆଉଟ୍ ହାର ଉଦ୍‌ବେଗ ସୃଷ୍ଟି କରୁଛି। ତଥାପି ସରକାର ଆଖିବୁଜା ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ସଂଖ୍ୟା ବଢ଼ାଉଛନ୍ତି, ଏସବୁରେ ଆସନ ସଂଖ୍ୟା ବି! ପିଲାମାନେ ଅଧିକ ପ୍ରତିଶତ ନମ୍ବର ପଛରେ ଦୌଡ଼ି କିଛି ପରିମାଣରେ ସଫଳ ହୋଇଛନ୍ତି ସତ। ମାତ୍ର ଶିକ୍ଷାର ଅସଲ ସଂଜ୍ଞା ଇତିମଧ୍ୟରେ ବାଟ ହୁଡ଼ିଗଲାଣି। କେବଳ ସେତିକି ନୁହେଁ, ସରକାରୀ ଶିକ୍ଷାର ସ୍ତର ଏଭଳି ନିମ୍ନ ମାନର ଯେ ସ୍ନାତକ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଯେ ନିଶ୍ଚିତ ଭାବେ ନିଯୁକ୍ତିଯୋଗ୍ୟ ‌ହୋଇପାରିବେ, ସେ ଗ୍ୟାରେଣ୍ଟି ନାହିଁ ଏବଂ ନିଯୁକ୍ତି ଯୋଗ୍ୟଙ୍କ ଲାଗି ରାଜ୍ୟରେ ସମୁଚିତ ସୁଯୋଗ ସୃଷ୍ଟି ହୋଇ ପାରିନାହିଁ।

ଭାଷା, ସଂସ୍କୃତି କଥା ନ କହିବା ଭଲ। ରାଜଧାନୀରେ ସଂସ୍କୃତି ବିଶ୍ବବିଦ୍ୟାଳୟ ଏବଂ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ପ୍ରତି ସରକାରୀ ଆନ୍ତରିକତା ସର୍ବଦା ପ୍ରଶ୍ନର ଘେରରେ ରହି ଆସିଛି। ଶାସନ, ନ୍ୟାୟିକ ବ୍ୟବସ୍ଥାରେ ଓଡ଼ିଆ ଭାଷା ଏଯାଏ ପ୍ରାଥମିକତା ପାଇପାରିଲା ନାହିଁ। ଓଡ଼ିଆ ଭାଷା ନିଯୁକ୍ତିର ସାମର୍ଥ୍ୟ ରଖେନି। ସେପଟେ ଶ୍ରୀଜଗନ୍ନାଥ କ୍ଷେତ୍ରରେ ଐତିହାସିକ ମୁକସାକ୍ଷୀଗୁଡ଼ିକୁ ସମସ୍ତଙ୍କ ଆଖି ଆଗରେ ଦଳିଚକଟି ଦିଆଯାଇ ବିକାଶର ନୂଆ ବାଖ୍ୟାନ ସୃଷ୍ଟି କରାଗଲା। ଏଭଳି ଉଦ୍ୟମକୁ ନିରବ ସମର୍ଥନ ମିଳିବା ପରେ ସଂସ୍କୃତି ଓ ଅସ୍ମିତା ସଂପର୍କରେ ବେଶୀ ଚର୍ଚ୍ଚା ନ କରିବା ଭଲ।

ମହିଳାଙ୍କ ସମୃଦ୍ଧି ବିନା ସମାଜରେ ପରିବର୍ତ୍ତନ ଅସମ୍ଭବ। ଓଡ଼ିଶା ସରକାର ଏକଥା ବୁଝିଛନ୍ତି। ପଞ୍ଚାୟତ ସ୍ତରରେ ୫୦ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷଣ କରିଥିବା ମୁଖ୍ୟମନ୍ତ୍ରୀ ସଂସଦରେ ଏହି ହାର ୩୩ ପ୍ରତିଶତ କରିବା ଲାଗି ଦାବି ଜଣାଇଛନ୍ତି। ହେଲେ ଏ କ୍ଷେତ୍ରରେ ସଫଳତାର ଶ୍ରେୟ ନେଉଥିବା ରାଜ୍ୟ ସରକାରଙ୍କ ବିରୋଧରେ ଲିଙ୍ଗଗତ ଅସାମାନତାକୁ ଦୂର ନ କରିପାରିବାର ଅଭିଯୋଗ ରହିଛି। ନିର୍ବାଚିତ ମହିଳା ପ୍ରତିନିଧିଙ୍କ ସହିତ ତାଙ୍କ ସ୍ବାମୀ ଲୋକସେବା ଭବନକୁ ଆସୁଛନ୍ତି। ଅଧିକାଂଶ ପଞ୍ଚାୟତରେ ସ୍ତ୍ରୀ ଜାଗାରେ ସ୍ବାମୀ ରାଜଦଣ୍ଡ ଧରିଛନ୍ତି। ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମିବା ସରକାରଙ୍କୁ ବିଶେଷ ଆନ୍ଦୋଳିତ କରୁନାହିଁ। ମାତୃ ମୃତ୍ୟୁ ହାର, ନାରୀ ନିର୍ଯାତନା, ଯୌନ ଉତ୍ପୀଡ଼ନ ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ ବିବ୍ରତ କଲାଭଳି। ଆଚମ୍ବିତ କରୁଥିବା ଭଳି କଥାଟି ହେଲା, ସରକାର ଏଯାଏ ନିଶ୍ଚିତ କରିପାରିଲେ ନାହିଁ ଯେ ଗର୍ଭସ୍ଥ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ରହିବ ଏବଂ ନିଶ୍ଚିତ ଦୁନିଆ ଦେଖିବ। ସ୍ବୟଂ ସହାୟକ ଗୋଷ୍ଠୀ ରୋଜଗାରର ରାସ୍ତା ହୋଇପାରେ, କିନ୍ତୁ ତାହା ସବୁ ଅଭିଯୋଗର ଉତ୍ତର ଆଦୌ ନୁହେଁ।

ଅନ୍ୟପକ୍ଷରେ ଜାତିବାଦ, ସାମ୍ପ୍ରଦାୟିକତା, ଧାର୍ମିକ ମୌଳବାଦ ଆଦି ପ୍ରସଙ୍ଗ ଏେବ ଶାସନର ଶିଡ଼ି ପାଲଟିଛି। ଗାନ୍ଧୀଜୀ ଏକଦା ଅସ୍ପୃଶ୍ୟତା ବିରୋଧରେ ସ୍ବର ଉତ୍ତୋଳନ କରି ସାରା ଭାରତରେ ଜାଗରଣ ସୃଷ୍ଟି କରିଥିଲେ। ବିଶ୍ବର କୋଣ ଅନୁକୋଣକୁ ଏହା ବ୍ୟାପିଥିଲା। ଏବେ କିନ୍ତୁ ଧର୍ମ ଓ ଜାତି ପ୍ରସଙ୍ଗକୁ ଧରି ରାଜନୈତିକ ବିକାଶର ଏମିତି ମଡେଲ୍ ପ୍ରସ୍ତୁତ କରାଯାଉଛି ଯେ ସମାଜ ଭିନ୍ନ ଏକ ଅସ୍ପୃଶ୍ୟତାକୁ ପ୍ରତ୍ୟକ୍ଷ କରୁଛି। ଜାତି କାର୍ଡ ସାମାଜିକ ବିଭାଜନର କାରଣ ସାଜୁଛି।

ଏହା ସତ ଯେ ପ୍ରାଚୀନ କାଳରୁ ଅନୁସୂଚିତ ଜାତି (ଏସ୍‌ସି), ଅନୁସୂଚିତ ଜନଜାତି (ଏସ୍‌ଟି) ଏବଂ ପଛୁଆ ଶ୍ରେଣୀଗୁଡ଼ିକ ସାମାଜିକ-ଅର୍ଥନୈତିକ କ୍ଷତି ସହିଆସୁଛନ୍ତି। ହେଲେ ଏମାନଙ୍କୁ ନିର୍ବାଚନର ଗୋଟି କରି ନେତାମାନେ ଯେଉଁ ପଶା ଖେଳୁଛନ୍ତି, ସମାଜ ଅବକ୍ଷୟମୁଖୀ ହେବା ପଛର ଅନେକ କାରଣ ମଧ୍ୟରୁ ତାହା ଗୋଟିଏ ଗୋଟିଏ ବଡ଼ କାରଣ ବୋଲି କୁହାଯାଇପାରେ।

ଏସବୁ ବ୍ୟତୀତ ଯେଉଁ କଥାଟି ଆଜି ବେଶୀ ବିଚଳିତ କରେ, ତାହା ହେଲା- ସାଧାରଣ ଜୀବନରେ ଦୁର୍ନୀତି। ସ୍ୱାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ, ଶିଳ୍ପ, କୃଷି, ପରିବହନ, ପୁଲିସ, ଏପରିକି ଧାର୍ମିକ ଅନୁଷ୍ଠାନ, ଆଧ୍ୟାତ୍ମିକ କ୍ଷେତ୍ରକୁ ଏହା ଛୁଇଁ ସାରିଲାଣି। ଅର୍ଥାତ୍ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ଆମ ସମାଜର ସମସ୍ତ ଅଙ୍ଗକୁ ପ୍ରଭାବିତ କରିଛି। ରାଜନେତା, ଅମଲାତନ୍ତ୍ର ଓ କର୍ପୋରେଟ୍ ଜଗତ କେହି ଏହାଠାରୁ ଦୂରରେ ନାହାନ୍ତି। ସର୍ବୋପରି ଭୋଟରଙ୍କୁ ଲାଞ୍ଚ କଥାଟି କହିବାକୁ ଆଉ କେହି ସଙ୍କୋଚ ବି କରୁନାହାନ୍ତି।

ପୃଥିବୀର ବହୁ ବିଦ୍ବାନ କହିଛନ୍ତି ଯେ ଯେବେ ଶାସ୍ତ୍ର ଉପରେ ସମାଜ ଆଲୋଚନା କରିପାରେନାହିଁ, ସେବେ ଶସ୍ତ୍ର ଉଠେ। କିନ୍ତୁ ବିଡ଼ମ୍ବନା ହେଲା ବିଶ୍ବବିଦ୍ୟାଳୟଠାରୁ ଆରମ୍ଭ କରି ବିତର୍କର ମନ୍ଦିରମାନଙ୍କରେ ପ୍ରତିବାଦର ସ୍ବର ବଦଳରେ ବିରାଜମାନ କରୁଛି ଶଙ୍କାଗ୍ରସ୍ତ ନିରବତା। ଗଣତନ୍ତ୍ରର ବୟସ ଯେତିକି ବଢୁଛି, ଆମ ଶାସନ ବ୍ୟବସ୍ଥାର ମୁଣ୍ଡିଆଳମାନଙ୍କ ମଧ୍ୟରେ ବୌଦ୍ଧିକ ଦେବାଳିଆପଣ ଓ ଚିନ୍ତନ-ଦାରିଦ୍ର୍ୟ ସେତିକି ଘୋଟିଆସୁଛି। ଏବଂ ଏକ ହତାଶାଜନକ ସତ୍ୟ ହେଲା ଠିକ୍ ଏମିତି ସମୟରେ ବୁଦ୍ଧିଜୀବୀ, ସାଧାରଣ ସେବୀ, ଚିନ୍ତାନାୟକ, ଯୁବ ଛାତ୍ର ନେତାମାନେ ମୌନ ବାବା ସାଜିଛନ୍ତି।
ମୋ: ୯୯୩୭୪୭୪୨୭୪

ସମ୍ବନ୍ଧିତ ଖବର