ମନୁଷ୍ୟ ଜୀବନର ବିକାଶକୁ ସହଜରେ ବୁଝିବା ଲାଗି ତାକୁ ସୋପାନରେ ବିଭକ୍ତ କରାଯାଇଥାଏ; ଯେମିତି କି ଶୈଶବ, ବାଲ୍ୟ, କୈଶୋର, ଯୌବନ ଇତ୍ୟାଦି। ଏହି ସୋପାନଗୁଡ଼ିକର ଏକ ସୀମାରେଖା ନେଇ ଏକ ମୋଟାମୋଟି ଧାରଣା ରହିଥିଲେ ସୁଦ୍ଧା କିଶୋରର ସୀମାରେଖା ପରିପ୍ରେକ୍ଷୀରେ ଏବେ କେତେକ ଅସ୍ପଷ୍ଟତା ଦେଖାଯିବାରେ ଲାଗିଛି। ଏହା ଯୋଗୁଁ ଏହି ସନ୍ଧି କାଳରେ ଅନେକ ପିଲା ଚାପଗ୍ରସ୍ତ ମଧ୍ୟ ହେଉଛନ୍ତି।
ପୂର୍ବରୁ ଅବସ୍ଥା ଭିନ୍ନ ଥିଲା। ପ୍ରାୟ ୧୮ ବର୍ଷ ବୟସ ବେଳକୁ ସାଧାରଣ ଶିକ୍ଷା ସମାପ୍ତ କରି ଚାକିରି ବା ଜୀବିକା ଅନ୍ୱେଷଣ ଆରମ୍ଭ ହେଉଥିଲା। ଅନେକ ପୁରୁଷ ଏବଂ ନାରୀ ଏହି ବୟସରେ ବିବାହ ସଂପନ୍ନ କରି ନିଜ ନିଜର ପାରିବାରିକ ଜୀବନ ଆରମ୍ଭ କରି ଦେଉଥିଲେ। ସୁତରାଂ ସେହି ବୟସରୁ ଯୌବନ ଆରମ୍ଭ ହୋଇଯାଉଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ଭିନ୍ନ। ଏହି ବୟସରେ ପିଲାମାନଙ୍କ ଭିତରେ ଶିିକ୍ଷା ଓ ତାଲିମ ପ୍ରାପ୍ତିର ଅଭୀପ୍‌ସା ରହୁଛି ଏବଂ ଭଲ ଚାକିରି ପାଇଁ ଉଦ୍ୟମ ହେଉଛି। ଏପରି ଉଦ୍ୟମ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟତଃ ଅବ୍ୟାହତ ରହୁଛି। ସୁତରାଂ, କେତେକ ମନୋବିଜ୍ଞାନୀ ଏହି ବୟସକୁ ଯୌବନ ପର୍ଯ୍ୟାୟଭୁକ୍ତ ନ କରି ବିଳମ୍ବିତ କୈଶୋର ବୋଲି କହୁଛନ୍ତି। ଆଉ କେତେକ ମନୋବିଜ୍ଞାନୀ ଏହାକୁ ପ୍ରକାଶ-ଉନ୍ମୁଖୀ ଯୌବନ ବୋଲି ମଧ୍ୟ କହୁଛନ୍ତି।

Advertisment

ତେବେ ସେ ଯାହା ହେଉ ନା କାହିଁକି, ଏହା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସନ୍ଧି କାଳ; କୈଶୋର ସରି ଆସୁଥିବ ଏବଂ ଯୌବନ ଆରମ୍ଭ ହେବ ହେବ ହେଉଥିବ। କିନ୍ତୁ ଆରମ୍ଭ ହେଉ ନ ଥିବ। ଏହି ସନ୍ଧି ସମୟକୁ ଜୀବନର ଏକ ଘଡ଼ିସନ୍ଧି ବେଳା ଏବଂ ଅନେକଙ୍କ ଦ୍ବାରା ଏକ ସଂକଟ କାଳ ରୂପେ ବିବେଚିତ ହୋଇଥାଏ। ପୂର୍ବେ ସାଧାରଣତଃ ଅଳ୍ପ ବୟସରେ ବାହାଘର ହେଉଥିଲା। ଉଚ୍ଚ ଶିକ୍ଷା ଲାଭ କରୁଥିବା ଲୋକଙ୍କ ସଂଖ୍ୟା ସୀମିତ ଥିଲା। ଅଧିକାଂଶ ପୁରୁଷ ଜୀବିକା ଓ ବୃତ୍ତି ଧାରଣ କରି ଏବଂ ଅଧିକାଂଶ ନାରୀ ବିବାହ କରି ଏକ ଦାୟତ୍ବସଂପନ୍ନ ଜୀବନଯାପନ ଆରମ୍ଭ କରୁଥିଲେ। ସୁତରାଂ, କୈଶୋରର ସମାପ୍ତି ଘଟିବା ସହିତ ଏକା ଥରକେ ଯୁବାବସ୍ଥା ଆରମ୍ଭ ହୋଇଯାଉଥିଲା। ଏବେ ଯେମିତି ‌‌କୈଶୋରର ସମାପ୍ତି ଏବଂ ଯୁବାବସ୍ଥାର ପ୍ରାରମ୍ଭ ମଝିରେ ଏକ ‘ଗୋଧୂଳି’ ସମୟ ରହୁଛି, ସେଭଳି ରହୁ ନ ଥିଲା।

ତେବେ, ଏ ସୋପାନରେ ପିଲାମାନେ କିପରି ଅନୁଭବ କରୁଛନ୍ତି? ଏହା ଏବେ ଏକ କୌତୂହଳପୂର୍ଣ୍ଣ ପ୍ରଶ୍ନ ରୂପେ ଉଭା ହୋଇଛି। ଏହି ବୟସ ବର୍ଗର ପିଲାଙ୍କ ଠାରେ କୈଶୋର ସୁଲଭ ଗୁଣ ନା ଯୁବ ସୁଲଭ ଆଚରଣ ପ୍ରକାଶ ପାଉଛି, ସେ ସମ୍ବନ୍ଧରେ ହୋଇଥିବା ସର୍ବେକ୍ଷଣରୁ ମିଶ୍ର ଉତ୍ତର ମିଳିଥାଏ। କେତେକ କ୍ଷେତ୍ରରେ ସେମାନେ କୈଶୋରସୁଲଭ ହାଲୁକାପଣ ଦର୍ଶାଉଥିବା ବେଳେ କେତେକ କ୍ଷେତ୍ରରେ ସେମାନେ ଯୁବ ସୁଲଭ ଦାୟତ୍ବବୋଧ ଦର୍ଶାଇ ଥାଆନ୍ତି। ଉଦାହରଣ ସ୍ବରୂପ ବର୍ତ୍ତମାନ ଜଣେ ପଚିଶ ବର୍ଷ ବୟସର ଯୁବକ ବିବାହକୁ ନେଇ ଆଦୌ ଚିନ୍ତିତ ନୁହେଁ, ବରଂ ସେ ବିବାହ ଭଳି ଦାୟିତ୍ବ ବହନ କରିବାକୁ ଆଉ କିଛି ବର୍ଷ ମାଗିପାରେ। କିନ୍ତୁ ଚାକିରି ସକାଶେ ବା କ୍ୟାରିଅର ତିଆରି ଦିଗରେ ସେ ଅତ୍ୟନ୍ତ ଧ୍ୟାନଶୀଳ ଓ ଦାୟିତ୍ବବାନ ହୋଇପାରେ। ଏହାର ତାତ୍ପର୍ଯ୍ୟ ସେମାନଙ୍କ ଠାରେ କୈଶୋରର ସଂପୂର୍ଣ୍ଣ ପରିସମାପ୍ତି ଘଟିନାହିଁ କି ଯୁବାବସ୍ଥାର ପ୍ରାରମ୍ଭ ମଧ୍ୟ ସ୍ପଷ୍ଟ ହୋଇନାହିଁ।

ଏମାନଙ୍କର ସବୁଠାରୁ ସ୍ପଷ୍ଟ ସଂକଟଟି ହେଉଛି ଆତ୍ମପରିଚିତିର ସଂକଟ। ପ୍ରକୃତରେ ଆତ୍ମପରିଚିତିର ଅନ୍ୱେଷଣ କିଶୋର ପ୍ରାରମ୍ଭରୁ ହିଁ ଆରମ୍ଭ ହୋଇଥାଏ। କିନ୍ତୁ ପୂର୍ବରୁ ଏହା ଯେଉଁ ସମୟ ଖଣ୍ଡ ମଧ୍ୟରେ ସମାପ୍ତ ହୋଇଯାଉଥିଲା ଏବଂ ଜଣେ ବ୍ୟକ୍ତି ସେ ନେଇ ବିଶେଷ ବିଚଳିତ ହେଉ ନ ଥିଲା, ଏବେ ସେହି ସମୟସୀମା ପ୍ରଲମ୍ବିତ ହୋଇଛି। ଏବେ ଅନେକ ପିଲା ଆତ୍ମ ପରିଚିତି ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଅନ୍ବେଷଣରେ ଅନେକ ସମୟ ଲଗାଇ ଦେଉଛନ୍ତି। ଉଦାହରଣ ସ୍ବରୂପ ଅତ୍ୟନ୍ତ ମେଧାବୀ ଛାତ୍ର ବା ଛାତ୍ରୀ ଆଇ.ଆଇ.ଟି.ରୁ ପଢ଼ି ପାସ୍ କରିବା ପରେ ବି ଆତ୍ମ-ପରିଚିତି ନେଇ ସ୍ପଷ୍ଟ ହୋଇପାରୁନାହିଁ। ସେ ଶିକ୍ଷା ସମାପ୍ତ କରିବା ପରେ ସମସ୍ତଙ୍କୁ ଚକିତ କରି ହୁଏ’ତ ଜଣେ ସଂଗୀତକାର ରୂପେ ବୃତ୍ତି ନିର୍ବାହ କରିବାକୁ ବାହାରି ପଡୁଛି। ସୁତରାଂ, ତା’ର ଆଇ.ଆଇ.ଟି. ଶିକ୍ଷା ବା ତା’ ପରବର୍ତ୍ତୀ କିଛି କାଳର ଚାକିରି ପରେ ମଧ୍ୟ ସେ କୈଶୋରରେ ରହିଛି ବୋଲି ବୁଝିବାକୁ ହେବ ଏବଂ ସଂଗୀତକାର ହେବା ପରେ ଯାଇ ତା’ର ଯୁବାବସ୍ଥା ଆସିଲା ବୋଲି କୁହାଯିବ।

ସାଂପ୍ରତିକ ସ୍ଥିତିରେ କୈଶୋର ଏବଂ ଯୌବନ ମଧ୍ୟବର୍ତ୍ତୀ ଏହି ପ୍ରଲମ୍ବିତ ସନ୍ଧି କାଳ ହିଁ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ପରିଣତ ହୋଇଛି; ଏହି ସମୟରେ ନିଆଯାଉଥିବା ନିଷ୍ପତ୍ତି କେତେବେଳେ ସେମାନଙ୍କୁ ହତାଶା ମଧ୍ୟକୁ ନିକ୍ଷେପ କରୁଛି ତ କେତେବେଳେ ସେମାନଙ୍କୁ ଅତ୍ୟନ୍ତ ସଫଳ କରାଉଛି। ଏହା ସେମାନଙ୍କୁ ଅଧିକ ଚାପଗ୍ରସ୍ତ ମଧ୍ୟ କରୁଛି। ପୂର୍ବ ଭଳି କୈ‌େଶାରର ସୋପାନରୁ ସିଧା ଯୌବନର ସୋପାନକୁ ଚଢ଼ିଯିବାର ସମୟ ଏବେ ଆଉ ନାହିଁ।
ମୋ: ୯୪୩୭୧୨୧୨୭୯