ଏହି ସମ୍ବାଦପତ୍ରର ଲୋକପ୍ରିୟ ରବିବାସରୀୟ ସ୍ତମ୍ଭ ‘ରାଜଧାନୀ ରାଜନୀତି’ (୯ ଜୁଲାଇ)ରେ ସ୍ଥାନ ପାଇଥିବା ଟମାଟୋ ଦରବୃଦ୍ଧି ସମ୍ବନ୍ଧୀୟ ଚର୍ଚ୍ଚା ଦୁଇଟି ଗୁରୁତ୍ବପୂର୍ଣ୍ଣ ଅନ୍ତର୍ଦୃଷ୍ଟି ବହନ କରିଥିବା ଦେଖାଯାଏ। ଗୋଟିଏ ହେଉଛି ଶ୍ରୀ ନାରଦ ପାଠକ ପାଠିକାମାନଙ୍କୁ ଦେଇଥିବା ଆହ୍ବାନ: ସେମାନେ କଷ୍ଟ କରି ଗତବର୍ଷର ଏଇ ସମୟର ଖବର କାଗଜ ଖୋଜନ୍ତୁ; ସେଥିରେ ଟମାଟୋ ଦରକୁ କେନ୍ଦ୍ର କରି ସମାନ ପ୍ରକାର ଖବରର ଭିଡ଼ ଦେଖିବାକୁ ପାଇବେ। ଦ୍ବିତୀୟଟି ହେଉଛି ଟମାଟୋ ଦରରେ ନିୟମିତ ଭାବରେ ଦେଖାଯାଉଥିବା ଉଚ୍ଛୃଙ୍ଖଳ ଉଠାପକାକୁ ସଂଯତ କରିବା ପାଇଁ ନଟବର ଖୁଣ୍ଟିଆ ରାଜ୍ୟ ସରକାରଙ୍କୁ ଖୁଣ୍ଟା ଦେଇ ପ୍ରଦାନ କରିଥିବା ପରାମର୍ଶ: ଅଧିକ ସଂଖ୍ୟାରେ ଶୀତଳ ଭଣ୍ଡାରମାନ ସ୍ଥାପନ କରାଯାଉ।
ଶ୍ରୀ ନାରଦଙ୍କ ମନ୍ତବ୍ୟର ମର୍ମ ହେଲା ଏହା ଯେ କୌଣସି କାରଣରୁ ପ୍ରତି ବର୍ଷ ଜୁଲାଇ-ଅଗଷ୍ଟରେ ବଜାରରେ ଟମାଟୋ ଦରରେ ନିଆଁ ଲାଗିଥାଏ; ତେଣୁ ତାହାକୁ ଆଧାର କରି ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଗଲାଣି ବୋଲି ଛାନିଆ ହୋଇଯିବା ହେଉଛି ଏକ ସଂକୁଚିତ ଦୃଷ୍ଟିର ଲକ୍ଷଣ। ଏଥିପାଇଁ ଅବଶ୍ୟ ଖାଉଟିମାନଙ୍କୁ ଦୋଷ ଦେଇ ହେବ ନାହିଁ, କାରଣ ଆଜି ଯାହା ଦୃଶ୍ୟମାନ, ତାହା ଆମର ମତାମତକୁ ଅଧିକ ପ୍ରଭାବିତ କରିଥାଏ, ଅନାଗତ ଆସନ୍ତା କାଲି କ’ଣ ଘଟିପାରେ ତାହା ଆମକୁ ସେଭଳି ପ୍ରଭାବିତ କରି ନ ଥାଏ। ଶ୍ରୀ ନାରଦ ଇଙ୍ଗିତ କରିଥିବା ଭଳି ବର୍ଷର ଅନ୍ୟ ସମୟରେ ଟମାଟୋ ଦରରେ ଏପରି ଅସ୍ବାଭାବିକ ବୃଦ୍ଧି ଘଟିନଥାଏ, କିନ୍ତୁ ତାହା ବର୍ତ୍ତମାନ ଆମକୁ କିଛି ସାନ୍ତ୍ବନା ଦେଇନଥାଏ।
ଯଦି ଟମାଟୋ ଦରର ଦୀର୍ଘକାଳୀନ ବୃଦ୍ଧି ସମ୍ପର୍କିତ ପରିସଂଖ୍ୟାନ ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ତାହା ଏହି ଇଙ୍ଗିତର ସତ୍ୟତା ପ୍ରମାଣିତ କରିଥାଏ। ୨୦୧୫ ଜାନୁଆରିରୁ ୨୦୨୩ ମଇ (ମଝିରେ କୋଭିଡ୍ ଆକ୍ରାନ୍ତ ଦେଢ଼ ବର୍ଷ ପାଇଁ ପରିସଂଖ୍ୟାନ ସଂଗ୍ରହ କରାଯାଇ ପାରିନଥିଲା) ମଧ୍ୟରେ ଟମାଟୋ ଦରରେ ଘଟିଥିବା ହାରାହାରି ବାର୍ଷିକ ବୃଦ୍ଧି ହାର ଥିଲା ୧୧.୫ ଶତାଂଶ ମାତ୍ର। ଜନସାଧାରଣଙ୍କ ପାଇଁ କିନ୍ତୁ ଏଭଳି ହାରାହାରି ବାର୍ଷିକ ଦରବୃଦ୍ଧି ହାର କୌଣସି ବାସ୍ତବ ଅର୍ଥ ବହନ କରି ନଥାଏ, କାରଣ ଆମେମାନେ ସର୍ବଦା ଏକ ତାତ୍କାଳିକ ଦୁର୍ବଳତା ଦ୍ବାରା ପ୍ରଭାବିତ ହୋଇଥାଉ। ଆମେ ଆଜିର ଦରକୁ ବର୍ଷେ ତଳର ଦର ସହିତ ତୁଳନା କରିନଥାଉ, ଆମେ ଆଜିର ଦରକୁ ଏହା ପୂର୍ବ ଥର ଯେଉଁ ଦରରେ ସେଇ ଦ୍ରବ୍ୟ କ୍ରୟ କରିଥିଲୁ, ସେଇ ଦର ସହିତ ତୁଳନା କରିଥାଉ, ଅର୍ଥାତ୍ ହୁଏତ ସପ୍ତାହକ ତଳର କିମ୍ବା ମାସକ ତଳର ଦର ସହିତ।
ଖୁଣ୍ଟିଆ କହିଥିବା ଭଳି ଦୁଇମାସ ତଳେ ଯେତେବେଳେ ଟମାଟୋ ଯାହାକୁ ଯେତେ ମିଳୁଥିଲା, ସେତେବେଳର ଟମାଟୋ ଦର ତୁଳନାରେ ବର୍ତ୍ତମାନର ଟମାଟୋ ଦର ବହୁଗୁଣ ହୋଇଯାଇଛି। ଏହି ମାସିକ ବୃଦ୍ଧି ହାର ସ୍ବାଭାବିକ ଭାବରେ ଉପରୋକ୍ତ ବାର୍ଷିକ ହାରାହାରି ବୃଦ୍ଧି ହାର ଠାରୁ ବହୁଗୁଣ ଅଧିକ ହୋଇଥାଏ। ଭବିଷ୍ୟତରେ ପୁଣି ଯେତେବେଳେ ଟମାଟୋ ଦରରେ ହ୍ରାସ ଘଟିବାକୁ ଲାଗିବ, ଦୀର୍ଘ କାଳୀନ ହାରାହାରି ଦରବୃଦ୍ଧି ହାର ପୁଣି ପୂର୍ବୋକ୍ତ ନୀଚା ହାର ଦିଗରେ ଆକର୍ଷିତ ହେବ। ମାସିକ ଦର ବୃଦ୍ଧି ଅର୍ଥାତ୍ ସ୍ବଳ୍ପକାଳୀନ ଦରବୃଦ୍ଧି ଓ ଦୀର୍ଘକାଳୀନ ହାରାହାରି ଦରବୃଦ୍ଧି ମଧ୍ୟରେ ତଫାତ୍ କିପରି ବିଶାଳ ହୋଇପାରେ, ତାହା ନିମ୍ନୋକ୍ତ ପରିସଂଖ୍ୟାନ ଦ୍ବାରା ପ୍ରମାଣିତ ହୋଇଥାଏ: ୨୦୧୪ରୁ ବର୍ତ୍ତମାନ ମଧ୍ୟରେ ଟମାଟୋ ଦରରେ ଘଟିଥିବା ସର୍ବୋଚ୍ଚ ମାସିକ ବୃଦ୍ଧି ହାର ହେଉଛି ୧୩୮ ଶତାଂଶ, ଯାହା ଉପରୋକ୍ତ ଦୀର୍ଘକାଳୀନ ବାର୍ଷିକ ହାରାହାରି ବୃଦ୍ଧି ହାରର ଦଶଗୁଣରୁ ମଧ୍ୟ ଅଧିକ।
ଟମାଟୋ ଅଧିକାଂଶ ରୋଷେଇ ଘରେ ଏକ ନିତ୍ୟ ବ୍ୟବହାର୍ଯ୍ୟ ପରିବା ହୋଇଥିବାରୁ, ଯେତେବେଳେ ସାମୟିକ ଭାବରେ ଏହାର ବଜାର ଦରରେ ଏଭଳି ବୃଦ୍ଧି ଘଟେ, ଯେମିତି ବର୍ତ୍ତମାନ ଘଟିଛି, ସେତେବେଳେ ନିମ୍ନ ଆୟବର୍ଗର ପରିବାରମାନଙ୍କ ପାଇଁ ଏହା ବିଶେଷ କଷ୍ଟଦାୟକ ହୋଇଥାଏ। କିନ୍ତୁ ଏ ଚିତ୍ରର ବିପରୀତ ପାର୍ଶ୍ବରେ ଥିବା ଟମାଟୋ ଉତ୍ପାଦନକାରୀ ଚାଷୀମାନଙ୍କ ପାଇଁ ଏହାର ଫଳାଫଳ ଠିକ୍ ବିପରୀତ ହୋଇଥାଏ। ଦରବୃଦ୍ଧି ସେମାନଙ୍କ ପାଇଁ ଲାଭଜନକ ହୋଇଥିବା ବେେଳ ଦରହ୍ରାସ ସେମାନଙ୍କ ପାଇଁ ଏଭଳି କ୍ଷତିକାରକ ହୋଇଥାଏ ଯେ ସେ ସମୟରେ ସେମାନେ କିଆରିରେ ଗୋରୁ ପୂରାଇ ଦେବା କିମ୍ବା ଅମଳ ହୋଇଥିବା ଟମାଟୋକୁ ରାସ୍ତାରେ ଫିଙ୍ଗି ଦେବା ଖବର ନିୟମିତ ଭାବରେ ପ୍ରକାଶ ପାଇବା ଦେଖାଯାଇଥାଏ।
ଟମାଟୋ ଦରରେ ଦେଖାଯାଉଥିବା ଏହି ଅସ୍ଥିରତାକୁ ଯଦି ଦୂର କରାଯାଇ ପାରନ୍ତା ବା ସୀମିତ କରାଯାଇ ପାରନ୍ତା, ତା’ହେଲେ ତାହା ଉଭୟ ଖାଉଟି ଏବଂ ଚାଷୀମାନଙ୍କ ପାଇଁ ମଙ୍ଗଳପ୍ରଦ ହୁଅନ୍ତା। ଏହାର ଉପାୟ କ’ଣ? ଏହାର ଉପାୟ ଆବିଷ୍କାର କରିବାରେ ଅର୍ଥଶାସ୍ତ୍ରର ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିବା ଏହି ମୌଳିକ ନିୟମ ସହାୟକ ହୋଇଥାଏ: ବଜାରରେ କୌଣସି ଏକ ଦ୍ରବ୍ୟର ଦର ତା’ର ଚାହିଦା ଓ ଯୋଗାଣ ମଧ୍ୟରେ ଚାଲିଥିବା ଅନବରତ କସରତ ମାଧ୍ୟମରେ ନିର୍ଣ୍ଣୟ ହୋଇଥାଏ। ମହାନ୍ ଅର୍ଥନୀତିଜ୍ଞ ମାର୍ଶାଲ୍ ଏ ଦୁଇ ଶକ୍ତିକୁ ଏକ କଇଁଚିର ଦୁଇ ବ୍ଲେଡ୍ ରୂପେ ବର୍ଣ୍ଣନା କରିଥିଲେ। ଟମାଟୋ ଭଳି ଏକ ଅତ୍ୟାବଶ୍ୟକ ଖାଦ୍ୟ ଦ୍ରବ୍ୟର ଚାହିଦା ହେଉଛି ଜଣାଶୁଣା ଭାବରେ ସ୍ଥିର ଶ୍ରେଣୀର (ଟମାଟୋ ଶସ୍ତା ହୋଇଗଲେ କେହି ଝୁଡ଼ି ଝୁଡ଼ି ଟମାଟୋ କିଣି ପକାଇ ନ ଥାଏ କି ମହର୍ଗ ହେଲେ ଟମାଟୋ କିଣିବା ବନ୍ଦ କରି ଦେଇନଥାଏ)। ଅର୍ଥାତ୍ ଟମାଟୋ ପାଇଁ କଇଁଚିର ଚାହିଦା ପଟ ବ୍ଲେଡ୍ଟି ସ୍ଥିର ଥାଏ। ତେଣୁ ଟମାଟୋର ଯୋଗାଣରେ ହ୍ରାସ ବୃଦ୍ଧି ହିଁ ଏହାର ଦରକୁ ପ୍ରଭାବିତ କରିଥାଏ। ଅତିରିକ୍ତ ଯୋଗାଣ ଯୋଗୁଁ ଦର ଖସି ଯାଏ ଓ ଯୋଗାଣ ଅଭାବ ଯୋଗୁଁ ଦର ବୃଦ୍ଧି ପାଇଥାଏ। ଯଦି ଯୋଗାଣରେ ସ୍ଥିରତା ଅଣା ଯାଇପାରନ୍ତା, ଟମାଟୋର ଦରରେ ଅପେକ୍ଷାକୃତ ସ୍ଥିରତା ହାସଲ କରାଯାଇ ପାରନ୍ତା। ଏହା କେବଳ ସମ୍ଭବ ହୋଇପାରିବ ନଟବର ଖୁଣ୍ଟିଆ ସୂଚାଇଥିବା ଭଳି ଯଥେଷ୍ଟ ସଂଖ୍ୟକ ଶୀତଳ ଭଣ୍ଡାର ସ୍ଥାପନ ଦ୍ବାରା।
ଉଲ୍ଲେଖଯୋଗ୍ୟ ୨୦୨୦ ଠାରୁ ଅନ୍ୟାନ୍ୟ କେତେକ କୃଷିଜାତ ଦ୍ରବ୍ୟମାନଙ୍କ ସହିତ ଟମାଟୋ ମହଜୁଦର ସର୍ବୋଚ୍ଚ ସୀମାକୁ ଉଚ୍ଛେଦ କରି ଦିଆଯାଇଛି। ପ୍ରଚୁର ଅମଳ ସମୟରେ ଚାଷୀମାନେ ବଜାରକୁ ନ ଆଣି ଟମାଟୋକୁ ଶୀତଳ ଭଣ୍ଡାରରେ ମହଜୁଦ ରଖିଲେ ଟମାଟୋ ଦରରେ ଅତିରିକ୍ତ ସ୍ଖଳନ ଘଟିବ ନାହିଁ; ସେଇଭଳି ପରବର୍ତ୍ତୀ ସମୟରେ ଶୀତଳ ଭଣ୍ଡାରରୁ ବାହାର କରି ଟମାଟୋକୁ ବଜାରକୁ ଆଣିଲେ ଯୋଗାଣ ଅବ୍ୟାହତ ରହିବା ହେତୁ ଟମାଟୋ ଦରରେ ଅତିରିକ୍ତ ବୃଦ୍ଧି ଘଟିବ ନାହିଁ, କିନ୍ତୁ ଚାଷୀ ପାଇଁ ଲାଭପ୍ରଦ ହେବ। ଅତଏବ ଖୁଣ୍ଟିଆଙ୍କ ଉପଦେଶ କାର୍ଯ୍ୟକାରୀ ହେଲେ ଉଭୟ ଖାଉଟି ଓ ଚାଷୀଙ୍କ ଚିନ୍ତା ଦୂର ହୁଅନ୍ତା; କିନ୍ତୁ ଶ୍ରୀ ନାରଦ ସୂଚାଇ ଥିବା ଭଳି ଏଇ ଋତୁରେ ଗଣମାଧ୍ୟମ ଟମାଟୋକୁ ବ୍ୟବହାର କରି କିଛି ସୁସ୍ବାଦୁ ସୁପ୍ ପ୍ରସ୍ତୁତ କରି ପରଷିବା ସୁଯୋଗରୁ ବଞ୍ଚିତ ହୁଅନ୍ତା।