The old is dying and the new cannot be born.
Antonio Gramsci
ବିଂଶ ଶତାବ୍ଦୀର ଅଷ୍ଟମ ଦଶକରେ (୧୯୮୪) ଜ୍ୟା ଫ୍ରାଁସୋଆ ଲ୍ୟୋତା ଜ୍ଞାନକ୍ଷେତ୍ରରେ ଯେଉଁ ନୂଆ ସମ୍ଭାବନାର ସଂକେତ ଦେଇଥିଲେ ତାହା ‘ଉତ୍ତରାଧୁନିକତା’ (ପୋଷ୍ଟମର୍ଡର୍ନ) ନାମକ ଏକ ତତ୍ତ୍ବକୁ ଜନ୍ମ ଦେଲା। ଏ ତତ୍ତ୍ବ ୟୁେରାପୀୟଙ୍କ ନିଜ କ୍ଷେତ୍ରରେ ନିଜର ସମାଲୋଚନା ଥିଲା। ଅର୍ଥାତ୍ ଜ୍ଞାନ କହିଲେ ‘ଏନ୍ଲାଇଟେନ୍ମେଣ୍ଟ’ ବୋଲି ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ସେମାନେ ଯାହା ବୁଝି ଆସିଥିଲେ ତାହା ବିଭ୍ରାନ୍ତିକର ବୋଲି ଏକ ବୌଦ୍ଧିକ ବିଚାରକୁ ସେମାନେ ଗୁରୁତ୍ବର ସହିତ ଗ୍ରହଣ କରି ନେଇଥିଲେ। କିନ୍ତୁ ବିପଦ ଥିଲା ଏହି ଯେ ‘ଏନ୍ଲାଇଟେନ୍ମେଣ୍ଟ’ ବା ଜ୍ଞାନୋଦୟର ତତ୍ତ୍ବକୁ ଅସ୍ବୀକାର କରିବାର ଅର୍ଥ ଥିଲା ବିଜ୍ଞାନ ଓ ପୁଞ୍ଜିବାଦର ବୁଝାମଣା ବା ଗଣ୍ଠି ବନ୍ଧନର ଶକ୍ତିରେ ଶିଳ୍ପଭିତ୍ତିକ ବିକାଶକୁ ଅସ୍ବୀକାର କରିବା।
୧୯୯୦ ସୁଦ୍ଧା ଉତ୍ତର ବା ପୋଷ୍ଟ ଶବ୍ଦଟି ବହୁ ପ୍ରସାରିତ ହୋଇଗଲା ଓ ପ୍ରାୟ ସବୁ କ୍ଷେତ୍ରରେ ‘ପୋଷ୍ଟ’ ବା ‘ଉତ୍ତର’ର ବ୍ୟବହାର ସାଧାରଣ ହୋଇଗଲା। ଏହି ପ୍ରକ୍ରିୟାରେ ବିଂଶ ଶତାବ୍ଦୀ ଶେଷ ହେଲା ବେଳକୁ ‘ୟୁରୋପୀୟ’ଙ୍କ ଜ୍ଞାନୋଦୟର ତତ୍ତ୍ବକୁ ତାଙ୍କରି ବିଚାରକମାନେ ପ୍ରାୟ ଅସିଦ୍ଧ ଘୋଷିତ କରିଦେଲେ। ଏହିଭଳି ଗୋଟେ ସମୟରେ ମୁଁ ଆନ୍ତର୍ଜାତିକ ଶ୍ରମ ସଂସ୍ଥା (ଆଇ.ଏଲ୍.ଓ.)ର ଜଣେ ବିଶେଷଜ୍ଞ ଭାବରେ ବ୍ୟାଙ୍କକ୍ରେ ‘ଏସୀୟ ଶ୍ରମ ପ୍ରଶାସନ ପ୍ରକଳ୍ପ’ରେ କାର୍ଯ୍ୟ କରୁଥିଲି। ମୋର ଗୋଟିଏ ଦାୟିତ୍ବ ଥିଲା ଶିଳ୍ପ କ୍ଷେତ୍ରରେ ମାଲିକ-ଶ୍ରମିକ ବିବାଦର ସମାଧାନ ପାଇଁ ଗୋଟିଏ ନୂଆ ମାର୍ଗର ଖସଡ଼ା ପ୍ରସ୍ତୁତ କରିବା। ନୂଆ ମାର୍ଗଟି ଥିଲା ଏହି ଯେ ମାଲିକ ଓ ଶ୍ରମିକ ପରସ୍ପରର ପରାମର୍ଶ ଓ ସହମତିରେ ଗୋଟିଏ ‘ସ୍ବୈଚ୍ଛିକ ବ୍ୟବହାରିକ ନୀତିଧାରା’ (ଭଲ୍ୟୁଣ୍ଟାରି କୋଡ୍ ଅଫ୍ ପ୍ରାକ୍ଟିସ୍) ପ୍ରସ୍ତୁତ କରିବେ ଓ ତା’ର ଉଲ୍ଲଂଘନ ହେବାକୁ ଦେବେ ନାହିଁ। ଶିଳ୍ପ କ୍ଷେତ୍ରରେ ଶ୍ରମିକକୁ ଏଭଳି ନିର୍ଣ୍ଣାୟକ ସହଭାଗିତାର ଭୂମିକା ପ୍ରଦାନ କରିବାର ତତ୍ତ୍ବ ଥିଲା ଉତ୍ତର ଉଦାରବାଦର ଏକ ପ୍ରେୟାଗ। ଏ ନୂଆ ତତ୍ତ୍ବ ‘େସ୍ବୖଚ୍ଛିକତା’ (ଭଲ୍ୟୁଣ୍ଟାରିଜମ୍) ପ୍ରକୃତରେ ଥିଲା ଉତ୍ତର ଶିଳ୍ପବାଦ (ପୋଷ୍ଟ ଇଣ୍ଡଷ୍ଟ୍ରିଆଲିଜମ୍)ର ଗୋଟିଏ ବିଚାର। ଏ କଳ୍ପନା ପାଶ୍ଚାତ୍ୟ ଶିଳ୍ପ ବିକାଶରେ ପ୍ରବେଶ କରିସାରିଥିଲା ଯେ ଶିଳ୍ପ କେବଳ ଲାଭ ପାଇଁ ଉତ୍ପାଦନ ନୁହେଁ, ଶିଳ୍ପ ଏକ ସମ୍ବେଦନଶୀଳ ମାନବୀୟ କର୍ମ ବ୍ୟବସ୍ଥା। ପୁଞ୍ଜିବାଦୀ ସଭ୍ୟତାରେ ମାନବୀୟ ଅନ୍ତଃକରଣରେ ‘ତର୍କ’, ‘ତଥ୍ୟ’, ‘ପ୍ରମାଣ’ ଓ ‘ଧନ’ର ଧାରଣା ଏ ଭିତରେ ବଦଳିବା ଆରମ୍ଭ କରିଥିଲା।
ବିଂଶ ଶତାବ୍ଦୀର ସମାପ୍ତି ସହିତ ଗୋଟିଏ ବଡ଼ ସଂଘାତ ଆସିଲା ୟୁରୋପୀୟଙ୍କ ଧର୍ମ-ଦର୍ଶନରେ। ଆମେରିକାରେ ଥିଲା ବେଳେ ୟେଲ୍ ବିଶ୍ବବିଦ୍ୟାଳୟର କେତେକ ନବଚିନ୍ତନ ସହିତ ମୋର ସାମାନ୍ୟ ପରିଚୟ ଥିଲା। କିନ୍ତୁ ମୋତେ ଜଣାନଥିଲା ଯେ ‘ୟେଲ୍ ସ୍କୁଲ୍ ଅଫ୍ ଡିଭିନିଟି’ (ୟେଲ୍ ଐଶ୍ବର୍ଯ୍ୟ ବିଦ୍ୟାଳୟ) ଭଳି ଗୋଟିଏ ବିଶେଷ ଶୈକ୍ଷଣିକ ଅନୁଷ୍ଠାନ ଯେ ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଥିଲା ଓ ସେଥିରେ ଧର୍ମକୁ ନେଇ ନବଚିନ୍ତନର ଗୋଟିଏ ବଡ଼ ଦିଗ ଖୋଲୁଥିଲା। ଧର୍ମୀୟ ନବଚିନ୍ତନର ମର୍ମ ଥିଲା ଖ୍ରୀଷ୍ଟିଆନ୍ ଧର୍ମର ପୁନର୍ବିବେଚନ। ଏକବିଂଶ ଶତାବ୍ଦୀର ପ୍ରଥମ ଦଶକ ସୁଦ୍ଧା ଐଶ୍ବର୍ଯ୍ୟ ବିଦ୍ୟାଳୟର ଗୋଟିଏ ନୂଆ ଧାରାର ପ୍ରବର୍ତ୍ତନକୁ ନେଇ ପାଠ ପ୍ରାଞ୍ଜଳ ହୋଇସାରିଥିଲା। ୟେଲ୍ର ନବଚିନ୍ତକମାନେ ଖ୍ରୀଷ୍ଟିଆନ୍ଙ୍କ ଧର୍ମଗ୍ରନ୍ଥ ‘ବାଇବେଲ୍’କୁ ରୂଢ଼ିମୁକ୍ତ କରି ଖ୍ରୀଷ୍ଟଧର୍ମକୁ ସେହି ଧର୍ମାବଲମ୍ବୀଙ୍କ ଜୀବନ ସହିତ ଯୋଡ଼ିବାର ପ୍ରୟାସ କରିଥିଲେ। ତାଙ୍କ ଦୃଷ୍ଟିରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନେ ନିଜ ଧର୍ମର ଶାସ୍ତ୍ରୀୟତା ଭିତରେ ହିଁ ଧର୍ମକୁ ପାଇବେ, ବାଇବେଲ୍ର ପାଠରେ ହିଁ ଧର୍ମର ମହତ୍ତ୍ବ। ଅର୍ଥାତ୍ ଖ୍ରୀଷ୍ଟଧର୍ମ ବ୍ୟକ୍ତି, ଇତିହାସ, କି˚ବଦନ୍ତୀୟ ଅନୁଷ୍ଠାନମାନଙ୍କରେ ନ ରହି ବାଇବେଲ୍ର ନେଗେଟିଭ୍ ବା ବ୍ୟାଖ୍ୟାନରେ ହିଁ ଉପଲବ୍ଧ ହେବ। ଖ୍ରୀଷ୍ଟଧର୍ମ ସେହି ଧର୍ମାବଲମ୍ବୀଙ୍କ ପାଇଁ ଏକ ସଂସ୍କୃତି ଓ ଜୀବନଧାରା, ଅନ୍ୟ ଧର୍ମମାନଙ୍କ ସହିତ ତୁଳନା କରି ଅନ୍ୟ କୌଣସି ଧର୍ମର ଅବଦମନ ବା ଅତିକ୍ରମଣ ଏହାର ଉଦ୍ଦେଶ୍ୟ ନୁହେଁ। ଉତ୍ତରାଧୁନିକତାର ପରିକଳ୍ପନା ୧୯୮୪ରେ ହେଲା ବେଳେ ଅନ୍ୟତ୍ର ଲିନ୍ବେକ୍ ନାମକ ଜଣେ ଦାର୍ଶନିକ-ଲେଖକଙ୍କ ପରିକଳ୍ପନାରେ ପୋଷ୍ଟ ଲିବେରାଲ୍ ରିଲିଜିଅନ୍ (ଉତ୍ତର-ଉଦାରବାଦୀ ଧର୍ମ) ଆସିଥିଲା, କିନ୍ତୁ ତା’ର ପୂର୍ଣ୍ଣ ବ୍ୟାଖ୍ୟାନ ୟେଲ୍ ଐଶ୍ବର୍ଯ୍ୟ ବିଦ୍ୟାଳୟ ଦ୍ବାରା ବିଧିବଦ୍ଧ ଭାବରେ ପ୍ରସାରିତ ବୌଦ୍ଧିକ ବିଚାରରେ ହିଁ ମିଳିଲା।
ଶ୍ରମର କ୍ଷେତ୍ରରେ ମାନବୀୟ ସହାବସ୍ଥାନର ସୂକ୍ଷ୍ମ ପରିକଳ୍ପନା ଭଳି ଏବେ ଏକବିଂଶ ଶତାବ୍ଦୀର ପ୍ରଥମ ପାଦ ସରିଲା ବେଳକୁ ଧର୍ମରେ ମାନବୀୟ ସହାବସ୍ଥାନର ରୂପକ ବି ମିଳିଗଲା। ଅନ୍ୟ ଭାବରେ କହିଲେ ଶ୍ରମ ଓ ଧର୍ମ ମାର୍ଗ ଦେଇ ବସ୍ତୁବାଦୀ ମଣିଷର ଅନ୍ତଃକରଣରେ ତଥ୍ୟ, ପ୍ରମାଣ, ତର୍କ ଓ ଧନ ବା ପୁଞ୍ଜିକୁ ନେଇ ଥିବା ବଦ୍ଧମୂଳ ଧାରଣା ପାଣି ଫାଟିବାକୁ ଆରମ୍ଭ କଲା ଓ ‘ଉତ୍ତର ଉଦାରବାଦ’ର ତତ୍ତ୍ବ ଏକ ନୂଆ ସମାଜ ଗଠନର ପ୍ରତିଶ୍ରୁତି ନେଇ ବିଚାରମଞ୍ଚରେ ପ୍ରତିଷ୍ଠିତ ହେଲା।
ଏଇଠି ‘ଉତ୍ତର ଉଦାରବାଦ’କୁ ସମକାଳୀନ ବିଶ୍ବ ରାଜନୀତିର ପରିପ୍ରେକ୍ଷୀରେ ଦେଖିବା ପ୍ରାସଙ୍ଗିକ ହେବ। ପ୍ରଥମ କଥା ଉତ୍ତର ଉଦାରବାଦ ସମାଜକୁ ଅର୍ଥନୀତିର ବନ୍ଧନରୁ ମୁକ୍ତ କରି ଏକ ରାଜନୈତିକ ଦର୍ଶନରେ ପରଣିତ କଲା ଓ ୟାର ଆଧାର ଶିଳା ହୋଇ ରହିଲେ ‘ଶ୍ରମ’ ଓ ‘ଧର୍ମ’। ମାନବର ଶ୍ରମ ଓ ତା’ର ଆସ୍ଥା ଠାରୁ ବଡ଼ ନୁହେଁ ଅର୍ଥନୀତିଜ୍ଞଙ୍କ ଅର୍ଥନୀତି। ରାଜନୀତି କିନ୍ତୁ ଏକ ଅଲଗା ବ୍ୟାପାର। ରାଜନୀତି ହିଁ ଏକବିଂଶ ଶତାବ୍ଦୀ ସୁଦ୍ଧା ବସ୍ତୁବାଦୀ ସଂସାରର ମାନବୀକରଣର ଏକମାତ୍ର ମାଧ୍ୟମ ହୋଇ ବିକଶିତ ହୋଇସାରିଥିଲା। ବସ୍ତୁକୁ ଅତିକ୍ରମ କରି ମଣିଷର ଯୌଥ ଜୀବନ ବା ସାମାଜିକ ଜୀବନକୁ ସ୍ପର୍ଶ କରିପାରେ କେବଳ ରାଜନୀତି। ଏବେ ଭାରତର ବିଶ୍ବ ନେତୃତ୍ବକୁ ନେଇ ଯେଉଁମାନେ ସନ୍ଦିଗ୍ଧ ଓ ଯେଉଁମାନେ ସତ୍ତାଧାରୀ ରାଜନୈତିକ ଦଳର ବିଶ୍ବ-ବ୍ୟାଖ୍ୟାନକୁ ହେୟ ଦୃଷ୍ଟିରେ ଦେଖୁଚନ୍ତି, ସେମାନେ ଜାଣିବା ଉଚିତ ଯେ ବିଶ୍ବରେ ଉତ୍ତର ଉଦାରବାଦୀ ବିଚାରର ଧାରା ପ୍ରବର୍ତ୍ତକ କେବଳ ‘ଭାରତ’ ହିଁ ହୋଇପାରେ। ୟାର ଗୋଟିଏ ବଡ଼ କାରଣ ଭାରତୀୟ ସଭ୍ୟତାରେ ଉଭୟ ଶ୍ରମ ଓ ଧର୍ମର ମହତ୍ତ୍ବ। ବୈଦିକ ସନାତନ ଧର୍ମର ନିୟନ୍ତ୍ରଣ ବ୍ରାହ୍ମଣ୍ୟ ବେଦାଧିକାର ଦ୍ବାରା ପଥଚ୍ୟୁତ ହେଲା ସିନା, ଶ୍ରମ ପରିତ୍ୟାଗ କରି ଧର୍ମପାଠ ଦ୍ବାରା ସଂସାରର ମଙ୍ଗଳ କାମନା ଏକ ନୂଆ ସମ୍ଭାବନା ଜାଗ୍ରତ ହେଲା।
ବ୍ରାହ୍ମଣମାନେ ପାଠରେ ଲିପ୍ତ ରହି ଯେଉଁ ବିରାଟ ଶ୍ରମକ୍ଷେତ୍ର ସାଧାରଣ ମଣିଷକୁ ଛାଡ଼ି ଦେଲେ, ତାହା ହେଲା ସାମାଜିକ କର୍ମ ବିଭାଜନ ଓ ସହାବସ୍ଥାନର ସୂତ୍ର। ଅନ୍ୟ ଭାବରେ କହିଲେ ବ୍ୟକ୍ତିର ଲୋଭ, ଧନ ଏକାଠି କରିବାର ପ୍ରବୃତ୍ତି, ତର୍କ ପ୍ରବଣତା ଓ ପ୍ରମାଣ-ସିଦ୍ଧିର ଅନ୍ବେଷଣ ଅର୍ଥହୀନ ହୋଇଗଲା। ଆସ୍ଥା ଓ ଶ୍ରମ ଲୋକ ସମ୍ପ୍ରଦାୟର ଏକସୂତ୍ରବଦ୍ଧତାର କାରଣ ହେଲେ। ଭାରତୀୟ ରାଜନୀତିର ବର୍ତ୍ତମାନର ପରିଦୃଶ୍ୟ ଏହି ବିନ୍ଦୁରେ ଠିଆ ହୋଇ ଦେଖାଯାଇପାରେ। ବିଶ୍ବ ରାଜନୀତିରେ ଶ୍ରମ ଓ ଧର୍ମରୁ ବାହାରିଥିବା ମାନବୀକରଣର ଉତ୍ତର ଉଦାରବାଦୀ ସୂତ୍ର, ବହୁ କାଳରୁ ଭାରତୀୟ ସଭ୍ୟତାର ପାଠରେ ବିଦ୍ୟମାନ। ସୃଷ୍ଟି, ସ୍ଥିତି ଓ ବିଲୟର ପରିକଳ୍ପନା ଶାସ୍ତ୍ର ଓ ପୁରାଣମାନଙ୍କରେ ବିକଶିତ ହୋଇଥିଲା ଓ ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶକ ସମାପ୍ତ ହେଲାବେଳକୁ ଭାରତୀୟମାନଙ୍କ ଭିତରେ ସମସ୍ତ ଆଧୁନିକୀକରଣ ସତ୍ତ୍ବେ ଶାସ୍ତ୍ରପାଠରୁ ବାହାରିଥିବା ଧର୍ମଧାରଣା ହିଁ ସର୍ବ ଧର୍ମ ସମନ୍ବୟ ଓ ଧର୍ମ ନିରପେକ୍ଷତାର ରାଷ୍ଟ୍ରନୀତିର ବାହକ ହୋଇ ବିଶ୍ବ ସମକ୍ଷରେ ବିଦ୍ୟମାନ।
ଭାରତରେ ସଂଖ୍ୟାବହୁଳ ସନାତନୀ ହିନ୍ଦୁ ନା କେବେ ଧର୍ମକୁ ଅସ୍ତ୍ର କରି ସାମ୍ରାଜ୍ୟବାଦର ପରିକଳ୍ପନା କରିଚନ୍ତି ନା ତାଙ୍କ ନିଜ ଧର୍ମର ଶାସ୍ତ୍ର ଓ ପୁରାଣ ବାହାରେ ନିଜ ଧର୍ମ ଧାରଣା ପାଇଁ ପ୍ରମାଣ ଖୋଜିଚନ୍ତି। ଉତ୍ତର ଉଦାରବାଦୀ ଦର୍ଶନରେ ଏହାହିଁ ସବୁଠୁ ବଡ଼ କଥା ଓ ଏହା ଭାରତୀୟଙ୍କ ଧର୍ମୀୟତାର ମୁଖ୍ୟ ଉପସ୍ଥାପନା। ବର୍ତ୍ତମାନର ବିଶ୍ବ-ପରିଚାଳନା ପାଇଁ ଯେଉଁ ନେତୃତ୍ବ ଆବଶ୍ୟକ, ତାହା ଉତ୍ତର ଉଦାରବାଦୀ ସୂତ୍ରରେ ଭାରତର ସମନ୍ବୟୀ ଧର୍ମ ଧାରାରେ ବିଦ୍ୟମାନ। ଭାରତୀୟ ସଭ୍ୟତାରେ ଶ୍ରମିକ-ମାଲିକ ଦ୍ବନ୍ଦ୍ବ ଶିଳ୍ପ ସଭ୍ୟତାର ଶ୍ରମିକ-ମାଲିକ ବା ପୁଞ୍ଜି ଓ ଶ୍ରମର ଦ୍ବନ୍ଦ୍ବ ଭଳି ନ ଥିଲା। କୃଷିଭିତ୍ତିକ ସଭ୍ୟତାର ଅନ୍ତଃସ୍ରୋତ ଥିଲା ଗୋଟିଏ ଧର୍ମାଶ୍ରିତ ମାନବୀୟ ବ୍ୟବସ୍ଥା। ସେବିତକୁ ପିତୃ ସ୍ଥାନରେ ଓ ସେବକକୁ ସନ୍ତାନ ସ୍ଥାନରେ ରଖି ଭୂମ୍ୟଧିକାରୀ ଓ କୃଷକଙ୍କ ଭିତରର ଦ୍ବନ୍ଦ୍ବ ସମାହିତ ହେଉଥିଲା। ବିଦେଶୀଙ୍କ ଭାରତ ଅଧିକାର ପର୍ଯ୍ୟନ୍ତ କୃଷି ଓ ଧର୍ମ ମିଶି ଗୋଟିଏ ଶାଳୀନ ସଂସ୍କୃତିର ନିର୍ମାଣ କରିଥିଲେ। ସେ ସଂସ୍କୃତିର ଅବେଶଷ ଜାତୀୟ ସ୍ମୃତି ଭାବରେ ଏବେ ମଧ୍ୟ ଭାରତୀୟଙ୍କ ଭିତରେ ଉପସ୍ଥିତ।
ୟାର ରାଜନୈତିକ ବ୍ୟବହାର ସ୍ବାଧୀନତା ପରେ ହୋଇ ପାରିନଥିଲା କାରଣ ‘ଭାରତୀୟଙ୍କ ଭାରତ’ର ଅନୁମାନ ନ ଥିଲା। ଯଦିଓ ଭାରତୀୟମାନଙ୍କ ସଂକଳ୍ପ ଦ୍ବାରା ନୂଆ ଭାରତର ନିର୍ମାଣ ହେଲା, ଭାରତୀୟମାନେ ନିଜର ଅସ୍ତିତ୍ବ ସ୍ଥାପନା ପାଇଁ ପୁଞ୍ଜିବାଦର ଛାୟାରେ ପ୍ରସାରିତ ତଥାକଥିତ ଉଦାରବାଦୀ ରାଜନୈତିକ ବିଚାରଧାରା ଭିତରେ ନିଜକୁ ଖୋଜି ପାଇଲେ ନାହିଁ। ସୁଖର କଥା ଏବେ ଭାରତୀୟଙ୍କ ଭାରତର କଳ୍ପନା ଏକ ରାଜନୈତିକ ଆଦର୍ଶ ହୋଇ ଠିଆ ହୋଇଚି। ବସ୍ତୁତଃ ଏହା ହିଁ ରାଷ୍ଟ୍ରବାଦୀ ଭାରତର ଶକ୍ତି। ଆମେରିକା ଓ ୟୁରୋପୀୟ ଦେଶମାନେ ସମାଜବାଦୀ ସରକାର ଗଢ଼ନ୍ତୁ କି ପୁଞ୍ଜିବାଦୀ ସରକାର, ସେମାନେ ସମସ୍ତେ ରାଷ୍ଟ୍ରବାଦୀ, କିନ୍ତୁ ତାହା ସ୍ବୀକାର କରନ୍ତି ନାହିଁ। ନାଜି ଜର୍ମାନୀ ଓ ଫାସି ଇଟାଲିର ରାଷ୍ଟ୍ରବାଦ ସ୍ମରଣ କରି ସେମାନେ ରାଷ୍ଟ୍ରବାଦକୁ ଏକ ଅପଶବ୍ଦରେ ପରିଣତ କଲା ବେଳେ ଦେଖନ୍ତି ନାହିଁ ସେମାନେ କିଭଳି ନିଜ ଦେଶର ସାମର୍ଥ୍ୟ, ପରଂପରା ଓ ଲୋକସତ୍ତାକୁ ଅର୍ଥ ଦେବାକୁ ଯାଇ ରାଷ୍ଟ୍ରବାଦୀ କର୍ମକାଣ୍ଡରେ ନିଜକୁ ନିୟୋଜିତ କରିଚନ୍ତି।
୧୯୮୪ରୁ ୨୦୨୨, ଏହି ଅଠତିରିଶ ବର୍ଷ ଭିତରେ ବିଶ୍ବରେ ଯେଉଁ ତିନିଟି ପ୍ରୟୋଗକୁ ପୁଞ୍ଜିବାଦୀ, ବସ୍ତୁବାଦୀ ରାଷ୍ଟ୍ରମାନେ ତତ୍ତ୍ବରେ ପରିଣତ କରିଚନ୍ତି, ସେଗୁଡ଼ିକ ହେଲେ ବଜାର ତନ୍ତ୍ର, ବିଶ୍ବୀକରଣ ଓ ବ୍ୟକ୍ତିତନ୍ତ୍ର। ଏ ସମସ୍ତେ ଅଲଗା ନାମରେ ସେହି ଗୋଟିଏ ସିଦ୍ଧାନ୍ତର ପ୍ରତିଷ୍ଠା କରନ୍ତି, ଯାହାକୁ ୟୁେରା-ଆମେରିକାନ୍ ସମ୍ପ୍ରଦାୟ ସପ୍ତଦଶ ଶତାବ୍ଦୀ ପର ଠାରୁ, କରି ଆସୁଚନ୍ତି। ସେ ସିଦ୍ଧାନ୍ତ ଏହି ଯେ ଅର୍ଥନୀତି ହିଁ ମାନବ ସଭ୍ୟତାର ନିର୍ମାତା ଓ ବାହକ। ଉଦାରବାଦ ଓ ନବ୍ୟ ଉଦାରବାଦରେ ଏହାର ପୁଷ୍ଟୀକରଣ ପାଇଁ ସେମାନେ ପ୍ରଚୁର େବୗଦ୍ଧିକ ଉଦ୍ୟମ କରିଚନ୍ତି ଓ ସମସ୍ତ ବିଶ୍ବର ସବୁ ଦେଶକୁ ବିତ୍ତୀୟ ନିୟନ୍ତ୍ରଣ ମାଧ୍ୟମରେ ତାଙ୍କ ଗୁଳାରେ ପକେଇଚନ୍ତି। ଉତ୍ତର ଉଦାରବାଦ ୟାର ପ୍ରତ୍ୟାଖ୍ୟାନ।
ଉତ୍ତର ଉଦାରବାଦୀ ଚିନ୍ତକମାନେ ବିଶ୍ବାସ କରନ୍ତି ଯେ (୧) ମାନବୀୟ ମୂଲ୍ୟ ବଜାର-ନିୟନ୍ତ୍ରିତ ନୁହେଁ, (୨) ପୁଞ୍ଜି ମାନବାତ୍ମାର ନିର୍ଣ୍ଣାୟକ ନୁହେଁ, (୩) ବିଶ୍ବୀକରଣ ଏକ ମିଥ୍ୟା, (୪) ବ୍ୟକ୍ତିର ଅଧିକାର ସାମାଜିକ ସହଭାଗିତା ଠାରୁ ବଡ଼ ନୁହେଁ, (୫) ନିଜ ନିଜ ଦେଶମାନଙ୍କରେ ଲୋକେ ଏକ ବିରାଟ ବିନିମୟୀ ସମ୍ପର୍କରେ ବାନ୍ଧି ହେବେ, (୬) ରାଷ୍ଟ୍ରୀୟ ସମ୍ପଦର ବିକାଶରେ ମାନବଶକ୍ତି ନିର୍ଣ୍ଣାୟକ ହେବ, (୭) ବସ୍ତୁର ଊର୍ଦ୍ଧ୍ବରେ ମାନବୀୟ ସମ୍ବେଦନା ରହିବ, (୮) ବିଶ୍ବ ଶିଳ୍ପର ବା ପୁଞ୍ଜି ଜମା କରିବାର ବନ୍ଦ କୋଠରି ନୁହେଁ କି ଫାକ୍ଟ୍ରି ନୁହେଁ, (୯) ବିଶ୍ବ ଏକ ମୁକ୍ତ ମଞ୍ଚ ଯାହା ଉପରେ ସବୁ ବିଶ୍ବବାସୀଙ୍କର ସମାନ ଅଧିକାର। ଏହି ଚିନ୍ତାଧାରାର ପରିଣତି ହେଲା ଏହି ଯେ (୧) ଅର୍ଥନୀତି ଦ୍ବାରା କବଳିତ ରାଜନୀତି, ନିଜକୁ ମୁକ୍ତ କରି ମାନବ ଜୀବନ ସହିତ ଯୋଡ଼ି ହେଇଗଲା, (୨) ରାଜନୀତି ସତ୍ତାଧିକାରର କ୍ରୀଡ଼ାଭୂମି ନ ହୋଇ ଏକ ସଂସ୍କୃତିରେ ପରିଣତ ହେଲା, (୩) ଏ ସଂସ୍କୃତିରେ ମାନବୀୟ କର୍ତ୍ତବ୍ୟ ଓ ଅଧିକାର ସହିତ ସଭ୍ୟତା ଓ ପଂରପରାକୁ ସ୍ମରଣ କରିବାରେ ବାଧା ରହିଲା ନାହିଁ, (୪) ତର୍କ ପ୍ରତିଷ୍ଠିତ ସତ୍ୟ ଓ ପ୍ରମାଣ ସିଦ୍ଧି ସ୍ଥାନରେ ଆସିଗଲା ମାନବୀୟ କଳ୍ପନା, ସୌନ୍ଦର୍ଯ୍ୟବୋଧ ଓ ଆବେଗ, (୫) ମଣିଷର ଅସ୍ତିତ୍ବ ଚିନ୍ତାପ୍ରସୂତ ନୁହେଁ (ଆଇ ଥିଙ୍କ୍ ଦେଆର ଫର୍ ଆଇ ଆମ୍/ରେନେ ଡେକାଟେ), (୬) ଜ୍ଞାନୋଦୟ ଏକ ମିଥ୍ୟା, (୭) ବହୁମୁଖୀ ରାଷ୍ଟ୍ର ପରିଚାଳିତ ବିକାଶ, ଗଣତନ୍ତ୍ରରେ ବିଭିନ୍ନ ମାର୍ଗରେ ହେବ, (୮) କୌଣସି ବାହୁବଳୀ ବା ବିତ୍ତବଳୀ ବିଶ୍ବକୁ ହାତ ମୁଠାରେ ରଖିପାରିବ ନାହିଁ।
ଉତ୍ତମ ବିଚାର। ଉତ୍କୃଷ୍ଟ ବିଚାର। ଉତ୍ତପ୍ତ ପୃଥିବୀ ପାଇଁ ଏ ଶୀତଳ ଉପଚାର ସ୍ବାଗତଯୋଗ୍ୟ। କିନ୍ତୁ ଏଥିରେ ଥିବା ପ୍ରତିଶ୍ରୁତିଗୁଡ଼ିକୁ କର୍ମକ୍ଷମ କରିବ କିଏ? ଇଂଲାଣ୍ଡରେ ଜନ୍ ଗ୍ରେ ଓ ମିଲିବାଙ୍କ୍ ଉତ୍ତରବାଦୀ ପ୍ରବକ୍ତା ଭାବେ ପ୍ରବଳ ପ୍ରତିରୋଧର ସମ୍ମୁଖୀନ। ଆମେରିକାରେ ୟେଲ୍ ସ୍କୁଲ୍ ଅଫ୍ ଡିଭିନିଟିରେ ଧର୍ମକୁ ନେଇ ବୌଦ୍ଧିକ ସଂଘର୍ଷ ଆରମ୍ଭ ହୋଇଯାଇଚି। ପୁଞ୍ଜିବାଦ ଗାଦି ଛାଡ଼ିବାକୁ ନାରାଜ, ଆମ ପାଖରେ ତାକୁ ବିତାଡ଼ିତ କରିବାର ସାମର୍ଥ୍ୟ ନାହିଁ, କାରଣ ନୂଆ ସମାଜର ଗଠନ ଏବେ ବି ଶକ୍ତି ଆହରଣ କରିନାହିଁ। ଗ୍ରାମ୍ଚି ଦୁଇ ମେରୁ ମଧ୍ୟରେ ବିରତିର ଗୋଧୂଳି ଲଗ୍ନ କଥା କହିଥିଲେ। ପୁଞ୍ଜିବାଦର ସାମ୍ନା କରିବା ପାଇଁ ଉତ୍ତର ଉଦାରବାଦର ସମରସଜ୍ଜା ଅଦ୍ୟାବଧି ପ୍ରସ୍ତୁତ ହୋଇନାହିଁ। ଭାରତ ଭଳି ଏକ ବିଶାଳ ଦେଶ, ବିଶ୍ବର ବୃହତ୍ତମ ଗଣତନ୍ତ୍ର ଓ ଏକ ରାଷ୍ଟ୍ରବାଦୀ ସରକାର ଉତ୍ତର ଉଦାରବାଦୀ ସଂରଚନାକୁ ସମାଜ, ରାଜନୀତି ଓ ବିକାଶର ଭାଷାରେ ରୂପାନ୍ତରିତ କରିପାରିବେ କି? ଦୁଇବର୍ଷ ତଳେ ପ୍ରକାଶିତ ଏକ ବିଚାରଗ୍ରନ୍ଥ (ଉତ୍ତର ଉଦାରବାଦର ଭବିଷ୍ୟତ)ରେ ଆଦ୍ରିଆନ୍ ପାବ୍ଷ୍ଟ କହିଲେ ଯେ ‘ଟେକ୍ନୋଲୋଜି’ ଓ ‘ପ୍ରୋଗ୍ରେସିଭିଜ୍ମ୍’ର ମିଳନ ଥିଲା ମାନବ ସମାଜ ପାଇଁ ଗୋଟେ ବିଫଳ ଅର୍କେଷ୍ଟ୍ରା (ଫ୍ୟୁଜନ୍), କିନ୍ତୁ ନୂଆ ସମାଜର ନୂଆ ତତ୍ତ୍ବକୁ ଜନ୍ମ ଦେବା ପାଇଁ ବିଶ୍ବ ଏବେ ବି ପ୍ରସ୍ତୁତ ନୁହଁ। ଭାରତର ନେତୃତ୍ବ ଏହା ସମ୍ଭବ କରାଇପାରେ, କିନ୍ତୁ ଭାରତକୁ ଏଥିପାଇଁ ନିଜର ସଭ୍ୟତାରୁ ବିପୁଳ ଉପାଦାନ ଆଣି ଏକାଠି କରିବାକୁ ହେବ ଓ ବିଶ୍ବର ନିୟନ୍ତ୍ରକ ଅପଶକ୍ତି ମାନଙ୍କ ଭିତରେ ପ୍ରବେଶ କରି ତାଙ୍କୁ ପରାଭୂତ କରିବାକୁ ହେବ। ଭାରତ ୟାକୁ ‘ଉତ୍ତର ଉଦାରବାଦ’ ବୋଲି ନ କହି ଗୋଟେ, ନୂଆ ନାମ ଦେବ, ଯେଉଁଥିରେ ମଣିଷ ସମାଜକୁ ସଭ୍ୟ ହେବାର ଆହ୍ବାନ ରହିବ। ଇଏ ମାନବବାଦର ପରବର୍ତ୍ତୀ ଶିଖର, ‘ସଭ୍ୟତାବାଦ’। ପୁଞ୍ଜି ଓ ସାମ୍ରାଜ୍ୟବାଦ ୟାର ଉତ୍ସ ନୁହନ୍ତି। ସନାତନ ଚିରନ୍ତନ ଜୀବନମୂଲ୍ୟ, ଗଣତନ୍ତ୍ର, ଯୌଥ ଜୀବନ, ଶ୍ରମ ଓ ମାନବଧର୍ମ ୟାର ଉତ୍ସ।
ମୋ:୯୪୩୭୦୩୯୮୫୮