ସବୁବେଳେ ବିଖ୍ୟାତ ସାବ୍ୟସ୍ତ ହେବା ସାଙ୍ଗକୁ ବେଳେବେଳେ ବିବାଦୀୟ ଲାଗିଥିବା ଲେଖକ ସଲ୍‌ମାନ୍‌ ରଶଦିଙ୍କୁ ନ୍ୟୁୟର୍କ ମହାନଗରୀରେ ଛୁରାମାଡ଼ ପୁଣିଥରେ କଲମ ଓ ଖଣ୍ତା ଭିତରର ସମସ୍ୟା ଜର୍ଜରିତ ସମ୍ପର୍କଟିକୁ ଲୋକଇଲାକାକୁ ଆଣିବା ସହିତ କହିଦେଉଛି ଯେ ଖଣ୍ତା ବା ଛୁରୀ ବା ବନ୍ଧୁକ କେବେ ବି କଲମର ଜାଗା ନେଇପାରେନି କିମ୍ବା ସେଭଳି ହି˚ସାତ୍ମକ ହତିଆର ବାଟ ଦେଇ ସଭ୍ୟ ସମାଜ ସୁଲଭ ଚିନ୍ତା ତଥା କଥୋପକଥନ କରିହୁଏନି। ଆକ୍ରମଣ ଅଭିଯୁକ୍ତ ହାଦି ମତାର ନିଜକୁ ନିର୍ଦ୍ଦୋଷ ଜଣେଇବା ସାଙ୍ଗକୁ କହିଛନ୍ତି- ‘‘ଆଶ୍ଚର୍ଯ୍ୟ ଲାଗୁଛି ରଶଦି କେମିତି ବର୍ତ୍ତିଗଲେ। ସେ ବ୍ୟକ୍ତି ଜଣଙ୍କୁ ମୁଁ ଭଲ ପାଇପାରେନି। ସିଏ ଆମ ବିଶ୍ବାସ ଉପରେ ଆକ୍ରମଣ କରିଛନ୍ତି।

Advertisment

ହଁ, ତାଙ୍କ ରଚିତ ସେ ବିତର୍କିତ ବହିଟିର ମାତ୍ର ଦୁଇଟି ପୃଷ୍ଠା ମୁଁ ଆଡ଼େଇଛି।’’ କିଛିବର୍ଷ ତଳେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ମଞ୍ଚକୁୁ ସହବକ୍ତା ଭାବେ ରଶଦି ଆସୁଥିବା ଶୁଣି ବିଶିଷ୍ଟ ରାଜନେତା ଓ କ୍ରୀଡ଼ାବିତ୍‌ ଇମ୍ରାନ୍‌ ଖାଁ ସେଠାକୁ ନିଜେ ଆସିବା କାର୍ଯ୍ୟକ୍ରମକୁ ବାତିଲ କରିଦେଇଥିଲେ। ସିଏ ଏବେ କହିଛନ୍ତି- ପୁସ୍ତକ ବିରୋଧରେ କ୍ରୋଧ ବୁଝି ହେଉଛି, କିନ୍ତୁ ତା’ର ଲେଖକ ରଶଦିଙ୍କ ଉପରେ ସା˚ପ୍ରତିକ ମରଣାତ୍ମକ ଆକ୍ରମଣ ଆଦୌ ଯଥାର୍ଥ ନୁହେଁ। ରଶଦିଙ୍କୁ ବାକ୍‌ ସ୍ବାଧୀନତାର ପ୍ରଖର-ପ୍ରଗାଢ଼ ପ୍ରବକ୍ତା ଓ ପ୍ରୟୋଗକର୍ତ୍ତୀ ଭାବେ ଚିତ୍ରଣ କରି ଏବ˚ ତାଙ୍କ ଆଶୁ ଆରୋଗ୍ୟ କାମନା କରି ଶହ ଶହ ସ˚ଖ୍ୟାରେ ସ୍ରଷ୍ଟା, ଶିଳ୍ପୀ ଓ କର୍ମୀ ନ୍ୟୁୟର୍କ ପବ୍ଲିକ ପାଠାଗାରର ପାହାଚ ଉପରେ ସମବେତ ହେବାବେଳେ ଘୋଷଣା କଲେ- ଆମେ ସଭିଏଁ ସଲ୍‌ମାନ୍‌ ରଶଦିଙ୍କ ସହ ଅଛୁ। ପୁଣି ରଶଦିଙ୍କ ପ୍ରତି ଐକ୍ୟ ପ୍ରକଟ କରିଥିବାରୁ ହାରି ପଟର‌୍‌ର ଲେଖିକାଙ୍କୁ ଟ୍ବିଟ୍‌ ଧମକ ଆସିଲାଣି- ଆଗକୁ ଆପଣଙ୍କ ପାଳି!

ଭାରତ ଜନ୍ମିତ ୭୫ ବର୍ଷ ବୟସ୍କ ରଶଦି ଆହତ ହୋଇନଥିଲେ ବୋଧହୁଏ ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପରେ ନିଜର ସ୍ବାଧୀନ, ଶକ୍ତିଶାଳୀ ଓ ଚିତ୍ତାକର୍ଷକ ମତ ରଖିସାରନ୍ତେଣି। ସିଏ ବି ଜଣେ ମଧୢରାତ୍ରିର ସନ୍ତାନ ଯାହାଙ୍କର ଜନ୍ମ ହୋଇଥିଲା ୧୯୪୭ ମସିହା ଜୁନ୍‌ ମାସରେ ବମ୍ବେଠାରେ। ସର୍ବଦା ସିଏ ନିଜକୁ ଜଣେ ବମ୍ବେ ବାଳକ କହି ସେହି ପରିଚୟ ପାଇଁ ଗର୍ବ ଓ ଗୌରବ ଅନୁଭବ କରନ୍ତି। ଲଣ୍ତନ ଓ ନ୍ୟୁୟର୍କ ଛଡ଼ା ବମ୍ବେ ତାଙ୍କର ଏକ ଅତି ପସନ୍ଦର ସହର। ପୁଣି ତାଙ୍କର ଅନେକ ଲେଖାର ସାରସ୍ବତ ବିଶ୍ବର ପ୍ରାଣକେନ୍ଦ୍ର ଭାରତବର୍ଷ। ଅବଶ୍ୟ ଅନ୍ୟ କେତେକ ଦେଶ ସମେତ ଭାରତରେ ବିତର୍କିତ ପୁସ୍ତକ ‘ଦି ସଟାନିକ୍‌ ଭର୍ସେସ୍‌’କୁ ନିଷିଦ୍ଧ କରାଯାଇଥିଲା।

ବହିଟି ପାଇଁ ରଶଦିଙ୍କ ବିରୋଧରେ ମୃତ୍ୟୁଦଣ୍ତ ହୁକୁମନାମା କରାଯାଇଥିଲା। ପରବର୍ତ୍ତୀ ସମୟରେ ଇ˚ଲଣ୍ତରେ ନିରାପତ୍ତା ବଳୟ ଭିତରେ ଭୂମିଗତ ହେବାକୁ ପଡ଼ିଥିଲା ରଶଦିଙ୍କୁ, ଏକପ୍ରକାରର ନିର୍ବାସନର ଓ ଆତ୍ମଗୋପନର ଜୀବନ ବଞ୍ଚିବାକୁ ପଡ଼ିଥିଲା ତାଙ୍କୁ। ସେ ପର୍ଯ୍ୟାୟରେ ତାଙ୍କୁ କେହି କେହି ପରାମର୍ଶ ଦେଇଥିଲେ ନିଜ ନାଁ ବଦଳେଇ ଦିଅନ୍ତୁ। ଅସ୍ତ୍ରୋପଚାର କରି ଚେହେରା ପରିବର୍ତ୍ତନ କରିଦିଅନ୍ତୁ। ତାଙ୍କ ଉତ୍ତର ଥିଲା- ତାହା ମରିବାଠାରୁ ଆହୁରି ମାରାତ୍ମକ, ଭୟଙ୍କର। ଜଣେ ଲେଖକ ଆଉ କାହାର ଜୀବନର ମୁଖା ପିନ୍ଧି ବ˚ଚିପାରେନି। ସିଏ ନିଜର ସ୍ବାଧୀନ ଜୀବନ ବଞ୍ଚିବାକୁ ଚାହେଁ, ସ୍ବାଧୀନ ଅଭିବ୍ୟକ୍ତି ପୋଷଣ କରିବାକୁ ଚାହେଁ। ଯେ ପର୍ଯ୍ୟନ୍ତ ଜଣେ ମରିନାହିଁ ସେ ପର୍ଯ୍ୟନ୍ତ ସେଇ ଲେଖକକୁ ନିଜ ଲେଖା ଅବ୍ୟାହତ ରଖି ବଞ୍ଚିବାକୁ ପଡ଼ିବ।

ଲେଖକୀୟ ସ୍ବାଧୀନତା ନେଇ କାଳେ କାଳେ ଅନେକ ମହତ୍ତ୍ବପୂର୍ଣ୍ଣ ପ୍ରଶ୍ନମାନ ଉଠିଛି, ଏବେ ବି ଉଠୁଛି। ଏଇ ଯେମିତି ସ୍ବାଧୀନ ଅଭିବ୍ୟକ୍ତିର ଅଧିକାରରୁ ଜଣେ ବ୍ୟକ୍ତିଙ୍କୁ, ବିଶେଷ କରି ସାରସ୍ବତ ସ୍ରଷ୍ଟାଙ୍କୁ ବଞ୍ଚିତ କରାଯାଇପାରିବ କି? ବାକ୍‌ ସ୍ବାଧୀନତାର ସୀମା କହିଲେ କିଛି ଥାଏ କି? ଏବ˚, ଯଦି ଥାଏ, ତେବେ ସେ ସୀମାରେଖା ଟାଣିବ କିଏ? ସେ ସୀମାରେଖାଟି ସ୍ବାଧୀନତାକୁ ସ˚କୁଚିତ କରିଦେବନି ତ? ବାକ୍‌ ସ୍ବାଧୀନତା ବିମର୍ଶରେ କେତେ ବେଶି ଅତି ବେଶି, ଲକ୍ଷ୍ମଣରେଖା ପାଖାପାଖି? ଲେଖକୀୟ ସ୍ବାଧୀନତା ବ୍ୟକ୍ତି ସ୍ବାଧୀନତାଠାରୁ ଅଲଗା କି? ଯେତେବେଳେ ଲେଖକୀୟ ବାକ୍‌ ସ୍ବାଧୀନତା ଓ ଏକ ସମ୍ପ୍ରଦାୟର ପବିତ୍ର ସମ୍ବେଦନଶୀଳତା ଆଉ ଗଭୀର ଆସ୍ଥା ଭିତରେ ବିବାଦ ଉପୁଜେ ସେତେବେଳେ ସମାଧାନର ସୂତ୍ରଟି କ’ଣ? ଏକଥା ନିଶ୍ଚୟ ସ୍ପଷ୍ଟ ଯେ ସେ ସୂତ୍ର ନିର୍ଦ୍ଧାରଣ କେବେ ବି ଅସ୍ତ୍ରଶସ୍ତ୍ର ଓ ହି˚ସା ଦ୍ବାରା କରାଯାଇପାରିବ ନାହିଁ। କାରଣ ସ୍ବାଧୀନତାର ଏକ ପ୍ରଭାବଶାଳୀ ଅର୍ଥ ହେଲା ଦେହ ଓ ମନ ଉପରେ ଜଣକର ଅଖଣ୍ତ ମାଲିକାନା ତଥା ସାର୍ବଭୌମତ୍ବ। ସ୍ବାଧୀନତା ଖାଲି ସୁବିଧା ସୁଯୋଗର ଉପସ୍ଥିତି ନୁହେଁ; ତାହା ଅଧିକନ୍ତୁ ବାଧାବିଘ୍ନର ଅନୁପସ୍ଥିତି। ଜଣେ ଯାହା ହେବାକୁ, କରିବାକୁ ଓ କହିବାକୁ ଚାହୁଁଥାଏ ସେସବୁ ସକାରାତ୍ମକ ଅଭିଳାଷ ସିଏ ଚରିତାର୍ଥ କରିପାରିଲେ ସ୍ବାଧୀନତା ଉପଭୋଗ କରିପାରିଲେ ହିଁ ସ୍ବାଧୀନତା ଉପଭୋଗ କରୁଛନ୍ତି ବୋଲି ସାଧାରଣତଃ କୁହାଯାଏ।

ଜଣେ ସ୍ରଷ୍ଟାଙ୍କୁୁ ଚୁପ୍‌ କରେଇବାର ଅନ୍ୟତମ ପନ୍ଥା ହେଲା ତାଙ୍କୁ ଉଗ୍ର ଓ ତୀବ୍ର ଧମକ ଦେବା- ଯେମିତି ଜୀବନ ନେଇଯିବାର ଧମକ। ଫଳରେ ଲେଖକ ବା ଲେଖିକା ଜଣକ ଏବ˚ ତାଙ୍କର ସତୀର୍ଥମାନେ ଭୟ କିମ୍ବା କ୍ରୋଧ କିମ୍ବା ଉଭୟର ବଶବର୍ତ୍ତୀ ହୋଇଯାଇ ନିଜର ସ୍ବାଭାବିକ, ନିରବଚ୍ଛିନ୍ନ ଲେଖାଲେଖି ପ୍ରକ୍ରିୟାରୁ ନିବୃତ୍ତ ହୋଇ ଯାଇପାରନ୍ତି। ଗୋପନବାସ ପୂର୍ବରୁ ରଶଦି ପାଞ୍ଚଟି ପୁସ୍ତକ ଲେଖିଥିଲେ। ତା’ଭିତରେ ବି ଥିଲା ‘ମିଡ୍‌ନାଇଟସ୍‌ ଚିଲ୍‌ଡ୍ରେନ୍‌’ ଯାହା ତାଙ୍କୁ ଆଣି ଦେଇଥିଲା ବୁକ୍‌ର ପୁରସ୍କାର। ୧୯୮୯ ପରେ ସେ ଏ ଯାବତ୍‌ ଉପନ୍ୟାସ, ଗଳ୍ପ, ଆଲୋଚନା, ପ୍ରବନ୍ଧ ଓ ସ୍ମୃତିଲିପି ପ୍ରକରଣରୁ ପ୍ରାୟ ପନ୍ଦରଟି ବହି ଲେଖିସାରିଲେଣି ଯେଉଁସବୁ ଅନ୍ତର୍ଭୁକ୍ତ କେତୋଟି ପ୍ରସିଦ୍ଧ କୃତି ହେଲା- ‘ଦି ମୁରସ୍‌ ଲାଷ୍ଟ ସାଏ’, ‘ଦି ଗ୍ରାଉଣ୍ତ ବିନିଥ୍‌ ହର‌୍‌ ଫିଟ୍‌’, ‘ଫ୍ୟୁରି’, ‘ସାଲିମାର‌୍‌ ଦି କ୍ଲାଉନ୍‌’, ‘ହାରୁନ୍‌ ଆଣ୍ତ ଦି ସି ଅଫ୍‌ ଷ୍ଟୋରିଜ୍‌’, ‘ଇମାଜିନାରୀ ହୋମ୍‌ଲ୍ୟାଣ୍ତସ୍‌’, ‘ଷ୍ଟେପ୍‌ ଏକ୍ରସ୍‌ ଦି ଲାଇନ୍‌’, ‘ଯୋସେଫ୍‌ ଆଣ୍ଟନ୍‌’ ଏବ˚ ‘ଲାଙ୍ଗୁଏଜ୍‌ସ୍‌ ଅଫ୍‌ ଟ୍ରୁଥ୍‌’। ‘ଯୋସେଫ ଆଣ୍ଟନ୍‌’ ପୁସ୍ତକଟି ହେଉଛି ଆତ୍ମଜୀବନୀମୂଳକ ସ୍ମୃତିଲିପି ଏବ˚ ପୁସ୍ତକଟିର ଶୀର୍ଷକ ଚୟନରେ ନିହିତ ରହିଛି ଦୁଇ ପ୍ରଖ୍ୟାତ ଲେଖକ ଯୋସେଫ୍‌ କନ୍‌ରାଡ୍‌ ଓ ଆଣ୍ଟନ୍‌ ଚେକଭ୍‌ଙ୍କ ନାଁ। ସେ ଦୁଇ ପ୍ରଖ୍ୟାତ ଲେଖକଙ୍କ ଲେଖାରୁ ଶିଖିହୁଏ କେମିତି ଅନ୍ଧକାର, ନିର୍ଜନବାସ ଓ ବିଷାଦକାଳକୁ ମୁକାବିଲା ଆଉ ଅତିକ୍ରମ କରିହେବ।

ପୁଣି ମହାନ୍‌ ଲେଖକ ଗାର୍ସିଆ ମାର‌୍‌କ୍ବେଜ୍‌ ଓ ଗୁଣ୍ଟର‌୍‌ ଗ୍ରାସ୍‌ଙ୍କ ଭଳି ରଶଦିଙ୍କ କେତେକ ଲେଖାରେ କୁହୁକ ବାସ୍ତବବାଦ ବା ‘ମ୍ୟାଜିକ୍‌ ରିଅଲିଜିମ’ର ଗାଢ଼ ଛିଟା ବୋଳି ହୋଇଥାଏ ଏବ˚ ସେ ଧରଣର ଧାରାରୁ ଇତିହାସ ଓ କାହାଣୀକୁ ପରସ୍ପରଠାରୁ ପୃଥକ୍‌ କରିବା କାଠିକର ପାଠ, କାହିଁକି ନା ସେଥିରେ ବାସ୍ତବ କୁହୁକସମ ଓ କୁହୁକ ବାସ୍ତବପ୍ରାୟ। ପୁଣି କେତେକଙ୍କ ସାରସ୍ବତ କଳ୍ପନା ଓ ସୃଷ୍ଟି ବଳରେ ଏମିତି ଜଗତ ସମ୍ଭବ କରାଯାଇଥାଏ ଯେଉଁଠି ପଶୁପକ୍ଷୀ କଥା କହିପାରନ୍ତି, ମଣିଷ ଉଡ଼ିପାରେ, ଭୂତପ୍ରେତ ଟହଲ ମାରିପାରନ୍ତି, ନିର୍ଜୀବ ବସ୍ତୁ ଜୀବନ୍ୟାସ ପାଆନ୍ତି ଓ ମୃତଲୋକେ ଠିଆହୋଇ ହସୁଥାନ୍ତି। କେମିତି ଜାଣିବ ସେଭଳି ଲେଖା ଭୁଲ୍‌ କି ଠିକ୍‌? ଗୋପନବାସ କାଳରେ ରଶଦିଙ୍କୁ ଏମିତିଆ ବଖୁରିକିଆ ଘରେ ରହିବାକୁ ପଡ଼ିଥିଲା ଯାହାର ଝରକା ସିଏ ଖୋଲି ପାରିନଥିଲେ। କାଳେ କିଏ ଦେଖି ନେବ, ଚିହ୍ନିଦେବ। ସୁରକ୍ଷାବଳ ଘେରରେ ଓ ଅସ୍ତ୍ରଶସ୍ତ୍ର ଖଚିତ ଜାଗୁଆରରେ ଲଣ୍ତନର ଗହଳି ଇଲାକାରେ ଗଲାବେଳେ ତାଙ୍କୁ ମୁହଁ ଢାଙ୍କିବାକୁ ପଡ଼ିଥିଲା ଡେଲି ଟେଲିଗ୍ରାଫ ପୃଷ୍ଠା ଭିତରେ। ବାରମ୍ବାର ମନେ ପଡୁଥିଲା ତାଙ୍କର ବିଶ୍ବବିଶ୍ରୁତ ଚଳଚ୍ଚିତ୍ର ନିର୍ଦ୍ଦେଶକ-ନିର୍ମାତା ଲୁଇ ବୁନୁଏଲ୍‌ଙ୍କ ଛବି ‘ଦି ଏକ୍‌ସଟର୍ମିନେଟି˚ ଆ˚ଜେଲ’ ଯାହାଥିଲା ଗୋଟିଏ କୋଠରିରୁ ବାହାରି ପାରୁନଥିବା ଉଚ୍ଚମଧୢବିତ୍ତ ଲୋକଙ୍କ ବାବଦରେ।

ମଝିରେ ମଝିରେ ୨୧ ଦିନ ଭିତରେ ସିଏ ୧୮ଟି ଖଟ ବଦଳେଇଥିଲେ। ସେ ଭଳି ଜୀବନ ଥିଲା ଲମ୍ବା ଛୁଟିରେ ଥିବା ଜଣେ ମୃତପ୍ରାୟ ମଣିଷର ଜୀବନ। ତଥାପି ସେ ଲେଖା ବନ୍ଦ କରୁନଥାନ୍ତି। ଗୋଟିଏ ପର୍ଯ୍ୟାୟରେ ତାଙ୍କୁ ଯେଉଁ ସୁରକ୍ଷା ମିଳିଥିଲା ତାହା ଥିଲା ୟାସେର‌୍‌ ଅରାଫତ୍‌ଙ୍କୁ ମିଳୁଥିବା ସୁରକ୍ଷା ଶ୍ରେଣୀର। ଏକଦା ନ୍ୟୁୟର୍କର ଚଉଦ ମହଲାସ୍ଥିତ ଏକ ସୁଟ୍‌ରେ ସିଏ ରହୁଥାନ୍ତି। ତାଙ୍କୁ ଜଗିଥାନ୍ତି ୨୧ ଜଣ ଅଙ୍ଗରକ୍ଷକ। ସେଠି ଆସି ପହଞ୍ଚିଗଲେ ଆମେରିକୀୟ ଲେଖକ ବାକ୍‌ ସ୍ବାଧୀନତାର ପ୍ରଚଣ୍ତ ପ୍ରବକ୍ତା ଓ ବିଟ୍‌ ପ୍ରଜନ୍ମର ଅନ୍ୟତମ ଉଦ୍‌ଗାତା ଆଲେନ୍‌ ଜିନ୍‌ସ୍‌ବର୍ଗ। ପହଞ୍ଚୁ ପହଞ୍ଚୁ ସିଏ ରଶଦିଙ୍କୁ କହିଲେ- ଜୋତା ଖୋଲି ତଳେ ବସନ୍ତୁ। ମୁଁ କେତେକ ଧୢାନ, ବ୍ୟାୟାମ ଓ ଆସନ ଶିଖାଇବି। କାମରେ ଲାଗିବ। ସେଠି ଥାଆନ୍ତି ତାଙ୍କର ଏବେକାର ଲିଟରାରି ଏଜେଣ୍ଟ ଆଣ୍ତ୍ୟୁ ଉଇଲି ଯାହାଙ୍କୁ ରଶଦି ଜିନ୍‌ସବର୍ଗଙ୍କ ପରାମର୍ଶ ପାଳନ କରିବାକୁ ମଧୢ ଅନୁରୋଧ କଲେ। ରଶଦି ବ୍ୟାୟାମ କଲେ। ଧୢାନ ମଗ୍ନ ରହିଲେ କିଛି ସମୟ। ସେତେବେଳେ ତାଙ୍କ ମନକୁ ଆସିଥିଲା ଏଇଭଳି ଭାବନା: ଜନ୍ମ ଦୃଷ୍ଟିରୁ ଦେଖିଲେ ମୁଁ ଜଣେ ଭାରତୀୟ ଯାହାଙ୍କୁ ଜଣେ ଆମେରିକୀୟଙ୍କ ତରଫରୁ କୁହାଯାଉଛି ଗୋଡ଼କୁ ଗୋଡ଼ ଛନ୍ଦି ବୌଦ୍ଧଧର୍ମ ଆଧାରିତ କେତେକ କସରତ କରିବା ପାଇଁ, ତାହା ପୁଣି ଏକ ବନ୍ଦ ଶୀତତାପ ନିୟନ୍ତ୍ରିତ ବ୍ୟୟବହୁଳ ପ୍ରକୋଷ୍ଠରେ ବନ୍ଧୁକଧାରୀ ସୁରକ୍ଷାକର୍ମୀଙ୍କ ଗହଣରେ। ସାରସ୍ବତ ଜୀବନ ବ˚ଚୁଥିବା ଓ ସେ ଜୀବନକୁ ଜିହ୍ବା ତଥା କଲମର ଅତିମୁକ୍ତ ସାଧାରଣତନ୍ତ୍ର ଭାବୁଥିବା ଜଣେ ଲେଖକର ଜୀବନ ଭଳି ଆଉ କିଛି ନ ଥାଇପାରେ- ତାହା ଯେତେ କରୁଣ ଓ ଦାରୁଣ ହୋଇଥାଉ ପଛେ?

ବାକ୍‌ ସ୍ବାଧୀନତାକୁ ସମ୍ମାନ ଜଣାଉଥିବା ପ୍ରାୟ ସଭିଏଁ ସେ ଧରଣର ସ୍ବାଧୀନତା ସପକ୍ଷରେ ଯୁକ୍ତି ବାଢ଼ିଥିବା ଦୁଇ ଜଣଙ୍କ କଥା ଅନେକ ସମୟରେ ଉଲ୍ଲେଖ କରିଥାନ୍ତି। ସେଇ ଦୁଇଜଣ ହେଲ- ଜନ ଷ୍ଟୁଆର୍ଟ ମିଲ୍‌ ଓ ଭଲ୍‌ଟେୟାର‌୍‌। ରଶଦି ମଧୢ ମିଲ୍‌ ଓ ଭଲ୍‌ଟେୟାର‌୍‌ଙ୍କୁ ଟାଣୁଆ ଆଧାର ଭାବେ ଗ୍ରହଣ କରନ୍ତି। ପ୍ରସିଦ୍ଧ ବ୍ରିଟିସ୍‌ ଚିନ୍ତକ ଓ ରଚନାକାର ମିଲ୍‌ ଥରେ କହିଥିଲେ- ନିର୍ଦ୍ଦିଷ୍ଟ ମତକୁ ଚାପିଦେବା ମାନେ ଏବେକାର ଓ ଆଗାମୀ ପ୍ରଜନ୍ମକୁ ମିଶେଇ ସାରା ମଣିଷ ଜାତିକୁ ସତ୍ୟ ଓ ତଥ୍ୟ ଅଧିକାରରୁ ବଞ୍ଚିତ କରିବା। ତା’ଦ୍ବାରା ଅଧିକ ଅନିଷ୍ଟ ହୁଏ ସେଇମାନଙ୍କର ଯେଉଁମାନେ ସେଭଳି ମତ ସହ ଏକମତ ନୁହଁନ୍ତି। ଯଦି ସେ ମତ ଠିକ୍‌ ପ୍ରମାଣିତ ହୁଏ ତେବେ ଭିନ୍ନ ମତାବଲମ୍ବୀମାନେ ସତ୍ୟ ସହ ଯୋଡ଼ା ତ୍ରୁଟି ଦର୍ଶେଇବାକୁ ସୁଯୋଗ ପାଆନ୍ତିନି। ସେଇଭଳି ଯଦି ସେ ମତ ଭୁଲ୍‌ ସାବ୍ୟସ୍ତ ହୁଏ ତେବେ ଦ୍ବିମତ ପୋଷଣକାରୀଙ୍କ ପାଇଁ ବିରୋଧ ଦେଇ ସତ୍ୟର ଏକ ସ୍ପଷ୍ଟତର ଓ ଅଧିକ ଜୀବନ୍ତ ଚିତ୍ର ତୋଳିବା ବା ଆଙ୍କିବା ପାଇଁ ଅବସର ସମ୍ଭବ ହୁଏନି। ଏକଥା କାହାକୁ ଅଛପା ନୁହେଁ ଯେ କ୍ଲାସିକ ଓ ନିଷିଦ୍ଧ ପୁସ୍ତକମାନଙ୍କ ଭିତରେ ଅନ୍ୟତମ ସାଦୃଶ୍ୟ ଏଇଆ- ହୁଏତ ସେଗୁଡ଼ିକୁ ଅନେକ ପଢ଼ିନଥାନ୍ତି।

ବାକ୍‌ ସ୍ବାଧୀନତା ସମ୍ବନ୍ଧରେ ବିଖ୍ୟାତ ଫରାସୀ ଦାର୍ଶନିକ ଓ ଲେଖକ ଭଲ୍‌ଟେୟାର‌୍‌ଙ୍କ ବହୁ ଉଦ୍ଧୃତ ବକ୍ତବ୍ୟଟି ହେଲା- ମୁଁ ଜଣକ ମତ ସହ ଏକମତ ହୋଇ ନ ପାରେ; କିନ୍ତୁ ମୁଁ ମୋ ସାରା ଜୀବନ ସେଭଳି ଦ୍ବିମତର ପ୍ରତିରକ୍ଷା ନିମନ୍ତେ ବ୍ରତୀ ହେବି। ବାକ୍‌ ସ୍ବାଧୀନତା ପାଇଁ ମାରାତ୍ମକ ଭାଗ୍ୟ ଭୋଗିଥିବା ଦୁଇ ଜଣଙ୍କ ନାଁ ଉଦାହରଣ ଭାବେ ରଖିଥିଲେ ମିଲ୍‌- ସକ୍ରେଟିସ୍‌ ଓ ଯୀଶୁଖ୍ରୀଷ୍ଟ। ସେଥିରେ ଗାଲିଲିଓଙ୍କ ନାଁ ଯୋଡ଼ିଥିଲେ ରଶଦି।

ଆସନ୍ତା ବର୍ଷ ପ୍ରଥମ ଭାଗରେ ପ୍ରକାଶ ପାଇବାକୁ ଥିବା ରଶଦିଙ୍କର ଏକ ଉପନ୍ୟାସ ନାଁ ‘ଭିକ୍‌ଟ୍ରି ସିଟି’ ଯାହାର ମୂଳ ଲେଖା ସିଏ ସାରିଦେଇ ପ୍ରକାଶକଙ୍କୁ ହସ୍ତାନ୍ତର କରିଥିଲେ ଆଲୋଚ୍ୟ ଆକ୍ରମଣ ଆଗରୁ। ସେଥିରେ ସିଏ ଠାଏ କହିଛନ୍ତି- ‘ଏବେ ମୁଁ ଆଉ କିଛି ନୁହେଁ। ଯାହା ରହିଯାଇଛି ଓ ରହିଗଲା ତାହା ଶବ୍ଦର ସହର। କେବଳ ଶବ୍ଦ ହିଁ, ଶବ୍ଦମାନେ ହିଁ ଜିଣନ୍ତି; ବିଜୟୀ ହୁଅନ୍ତି।’ ଏଇ ଦୁଇ ତିନିଟି ବାକ୍ୟରେ ଗର୍ଭିତ କରାଯାଇଛି ସାରସ୍ବତ ସ୍ବାଧୀନତାର ସୀମାରେଖା କଥା। ଶବ୍ଦର ଉତ୍ତର ଶସ୍ତ୍ରରେ ନୁହେଁ, ଶବ୍ଦରେ ହିଁ ଦେଇହୁଏ; ପ୍ରାରମ୍ଭିକ ଶବ୍ଦର ସମ୍ଭାବନା ଓ ସୀମା ସୂଚେଇ ହୁଏ। ଅନେକ ଶବ୍ଦର ସ˚ଳାପରୁ ତ କାଳଜୟୀ ଗ୍ରନ୍ଥମାନଙ୍କର ସର୍ଜନା ଓ ଜନ୍ମ। ଆଉ ସେସବୁ ଗ୍ରନ୍ଥ ଏମିତିଆ କଳା ଓ କଳ୍ପନାର କଲମ ପ୍ରସୂତ ଯେ ସେ କଲମ ଆଗରେ ଅନେକ ଖଣ୍ତା ଖଣ୍ତ ଖଣ୍ତ ହୋଇ ସମୟ ଗର୍ଭରେ ବିଲୀନ ହୋଇଯାଇ ଶବ୍ଦ ଅମର ହୋଇଥିବାରୁ ତା’ର ଜୀବନଯାତ୍ରା ଅନାହତ ଓ ଅବ୍ୟାହତ ରହେ।
ମୋ:୯୪୩୭୩୦୭୦୭୯