ସାମାଜିକ ଗଣମାଧ୍ୟମ ସଂସ୍ଥା ‘ମେଟା’ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ସପ୍ତାହରେ ଏହା ଉନ୍ମୋଚନ କରିଥିବା ‘ଥ୍ରେଡ୍‌ସ’ ଆପ୍‌ରେ ମାତ୍ର ଏକ ଘଣ୍ଟାରେ ଏକ ନିୟୁତ ବା ୧୦ ଲକ୍ଷ ବ୍ୟବହାରକାରୀ ପଞ୍ଜିକୃତ ହୋଇଥିଲେ। ଟ୍ବିଟର୍‌’ର ବିକଳ୍ପ ରୂପେ ଆସିଥିବା ‘ଥ୍ରେଡ୍‌ସ’ ‘ଏକ ନିୟୁତ’ ପଂଜୀକରଣର ମାଇଲ୍‌ ଖୁଣ୍ଟକୁ ଅତିକ୍ରମ କରିଥିବା ଦ୍ରୁତତମ ଆପ୍‌ର ମାନ୍ୟତା ଲାଭ କରିଛି। ଏହା ପୂର୍ବରୁ କୃତ୍ରିମ ମେଧା ଟୁଲ୍ ‘ଚାଟ୍‌ଜିପିଟି’ ଏହି ମାନ୍ୟତାର ଅଧିକାରୀ ହୋଇଥିଲା।

Advertisment

ଗତ ବର୍ଷ ନଭେମ୍ବରରେ ମୁକ୍ତି ଲାଭ କରିବା ପରେ ଚାଟ୍‌ଜିପିଟି ୧୦ ଲକ୍ଷ ବ୍ୟବହାରକାରୀଙ୍କୁ ଆକୃଷ୍ଟ କରିବା ଲାଗି ପାଞ୍ଚ ଦିନ ସମୟ ନେଇଥିଲା। ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ମଞ୍ଚ ‘ଇନ୍‌ଷ୍ଟାଗ୍ରାମ୍‌’ରେ ୧୦ ଲକ୍ଷ ପଞ୍ଜିକୃତ ବ୍ୟବହାରକାରୀ ହେବା ଲାଗି ଅଢ଼େଇ ମାସ ସମୟ ଲାଗିଥିଲା। ସଂଗୀତ ଷ୍ଟ୍ରିମିଂ ସେବା ପ୍ରଦାନ କରୁଥିବା ‘ସ୍ପୋଟିଫାଇ’ କମ୍ପାନି ଏଥି ପାଇଁ ପାଞ୍ଚ ମାସ ଓ କ୍ଲାଉଡ୍‌ ଷ୍ଟୋରେଜ୍‌ ସେବା ଯୋଗାଉଥିବା ‘ଡ୍ରପ୍‌ବକ୍ସ’ କମ୍ପାନି ଏଥିପାଇଁ ସାତ ମାସ ସମୟ ନେଇଥିଲେ। ୧୦ ଲକ୍ଷ ବ୍ୟବହାରକାରୀଙ୍କୁ ଏକାଠି ପାଇବା ଲାଗି ଊଣେଇଶ ବର୍ଷ ତଳେ ପ୍ରତିଷ୍ଠିତ ସାମାଜିକ ଗଣମାଧ୍ୟମ ମଞ୍ଚ ‘ଫେସ୍‌ବୁକ୍’କୁ ପ୍ରାୟ ୧୦ ମାସ ସମୟ ଲାଗିଥିଲା। ୨୦୦୬ରେ ଆସିଥିବା ‘ଟ୍ବିଟର୍‌’ ଏହି ମାଇଲ୍‌ ଖୁଣ୍ଟ ଅତିକ୍ରମ କରିବା ଲାଗି ଦୀର୍ଘ ୨ ବର୍ଷର ସମୟ ନେଇଥିଲା। ମନୋରଂଜନ ପାଇଁ ସିନେମା ଓ ଧାରାବାହିକ ଆଦିର ଷ୍ଟ୍ରିମିଂ ସେବା ଯୋଗାଇ ଆସୁଥିବା ‘ନେଟ୍‌ଫ୍ଲିକ୍‌ସ’ ସଂସ୍ଥା ୧୯୯୯ରେ ସେବା ଆରମ୍ଭ କରିଥିଲେ ହେଁ ପ୍ରାୟ ସାଢ଼େ ତିନି ବର୍ଷ ପରେ ଯାଇ ୧୦ ଲକ୍ଷ ବ୍ୟବହାରକାରୀ ହାସଲ କରିପାରିଥିଲା।

ଏସବୁରୁ ସ୍ପଷ୍ଟ ଯେ ଅଧିକରୁ ଅଧିକ ଲୋକଙ୍କ ପାଖରେ ଇଣ୍ଟର୍‌ନେଟ୍‌ ସେବା ପହଞ୍ଚିବା ଯୋଗୁଁ ନୂଆ ଅନ୍‌ଲାଇନ୍‌ ସେବା ପ୍ରଦାନକାରୀ ସଂସ୍ଥାମାନେ ଖୁବ୍ କମ୍ ସମୟରେ ୧୦ ଲକ୍ଷ ବ୍ୟବହାରକାରୀଙ୍କ ମାଇଲ୍‌ଖୁଣ୍ଟ ଅତିକ୍ରମ କରିବାରେ ଲାଗିଛନ୍ତି।