ଅନେକଙ୍କୁ ଏହା ଚକିତ କରିବାର ସମ୍ଭାବନା ଥିବା ସତ୍ତ୍ବେ ଆହୁରି ଅନେକ ଆଦୌ ବିସ୍ମିତ ହୋଇ ନ ପାରନ୍ତି ଯେ ବନ୍ଧୁର, ଜଳକ୍ଳିଷ୍ଟ, ଖଣିଜ ସ˚ପଦ ଶୂନ୍ୟ, ଶତ୍ରୁ ପରିବେଷ୍ଟିତ, ମୁହୁର୍ମୁହୁଃ ଯୁଦ୍ଧ ତଥା ଅହରହ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଜର୍ଜର, ଆକାରଗତ କ୍ଷୁଦ୍ରତା ଏବ˚ ମାନବ ସମ୍ବଳର ସ୍ବଳ୍ପତା ସତ୍ତ୍ବେ ଇସ୍ରାଏଲ୍‌ ବର୍ତ୍ତମାନ ପୃଥିବୀର ମୁଷ୍ଟିମେୟ ସର୍ବାଧିକ ଧନୀ ରାଷ୍ଟ୍ରଗୁଡ଼ିକ ମଧୢରେ ଅନ୍ୟତମ (ସିଙ୍ଗାପୁର ଏବ˚ କାତାର ପରେ ଏସିଆରେ ତୃତୀୟ)। ଏହି ରାଷ୍ଟ୍ରର ବାର୍ଷିକ ମୁଣ୍ତ ପିଛା ଆୟ ହେଉଛି ୫୮ ହଜାର ଆମେରିକୀୟ ଡଲାର‌୍‌, ଯାହା ତା’ର ପଡ଼ୋଶୀ ଖଣିଜ ତୈଳରେ ସମୃଦ୍ଧ ଓ ଅତ୍ୟନ୍ତ ଧନୀ ରୂପେ ଖ୍ୟାତ ସାଉଦି ଆରବର ପ୍ରାୟ ଦୁଇ ଗୁଣ; ଯଦିଓ ଏକ ବିଡ଼ମ୍ବିତ ବାସ୍ତବତା ହେଲା ମଧୢ-ପ୍ରାଚ୍ୟର ଏକ ଅ˚ଶ ହୋଇଥିଲେ ସୁଦ୍ଧା ଈଶ୍ବର ତା’ର ଭୂମି ତଳେ ଏଭଳି ନଗଣ୍ୟ ପରିମାଣର ଖଣିଜ ତୈଳ ରଖିଛନ୍ତି ଯେ ତାହାର ବ୍ୟାବସାୟିକ ଉପଯୋଗ ଏ ଯାବତ୍‌ କରାଯାଇନାହିଁ! ତେବେ, ଏଭଳି ସ୍ଥିତିରେ ଇସ୍ରାଏଲ୍‌ର ସାମର୍ଥ୍ୟ ଅତିକ୍ରମୀ ସଫଳତା ଯେଉଁମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରି ନ ଥାଏ, ସେମାନେ ଅବଶ୍ୟ ଅତୁଲ୍ୟ ଇହୁଦୀ ବୁଦ୍ଧି ଓ ବୁଦ୍ଧିମତ୍ତା ସହିତ ପରିଚିତ, ଯାହା ଅସମ୍ଭବକୁ ସମ୍ଭବ କରାଇପାରେ। ସେହି ଦୃଷ୍ଟିରୁ ଇସ୍ରାଏଲ୍‌ ସ˚ପ୍ରତି ଏକ ‘କେସ୍‌ ଷ୍ଟଡି’ ରୂପେ ଅନୁଶୀଳନଯୋଗ୍ୟ ହୋଇ ପଡ଼ିଛି।

Advertisment

ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲ୍‌ର ବର୍ତ୍ତମାନ ବାର୍ଷିକ ମୁଣ୍ତ ପିଛା ଆୟ ପ୍ରାୟ ସମସ୍ତ ଖଣିଜ ତୈଳ ସମୃଦ୍ଧ ଆରବ ରାଷ୍ଟ୍ର ଏବ˚ ଧନୀ ୟୁରୋପୀୟ ରାଷ୍ଟ୍ରଙ୍କ ଠାରୁ ଅଧିକ; ଏହାର ଟେଲିଆଭିଭ୍‌ ସହର ହେଉଛି କାଲିଫର୍ନିଆ ପରେ ପୃଥିବୀର ଦ୍ବିତୀୟ ବୃହତ୍ତମ ‘ସିଲିକନ୍‌ ଭ୍ୟାଲି’; ଏହାର ଅର୍ଥନୀତିର ଆକାର ପ୍ରାୟ ୫୦୦ ବିଲିଅନ ଡଲାର; କିନ୍ତୁ ଏହି ରାଷ୍ଟ୍ରର ଭୌଗୋଳିକ ଆୟତନ କେରଳ ଠାରୁ କ୍ଷୁଦ୍ର ଏବ˚ ଲୋକ ସ˚ଖ୍ୟା ଏକ କୋଟିରୁ ମଧୢ କମ୍‌। ପ୍ରକାଶ ଥାଉ କି ୧୯୪୮ ମସିହାରେ ସ୍ବାଧୀନ ଇସ୍ରାଏଲ୍‌ ରାଷ୍ଟ୍ରର ଜନ୍ମ ମାତ୍ରକେ ତାହା ଜର୍ଡାନ, ସିରିଆ, ଇଜିପ୍‌ଟ, ସାଉଦି ଆରବ ଏବ˚ ଳେବାନନ୍‌ ଭଳି ପାଞ୍ଚଟି ଆରବ ପ୍ରତିବେଶୀ ରାଷ୍ଟ୍ରଙ୍କ ଦ୍ବାରା ଆକ୍ରମଣ ଓ ତଜ୍ଜନିତ ଯୁଦ୍ଧର ପ୍ରତ୍ୟକ୍ଷ କରିଥିଲା ଏବ˚ ଆରବ ଆତଙ୍କବାଦୀଙ୍କ ଅନ୍ତର୍ଘାତର ବାରମ୍ବାର ଶିକାର ହୋଇ ନବମ ଦଶକ ପର୍ଯ୍ୟନ୍ତ ଏକ ଅତ୍ୟୁଚ୍ଚ ମୁଦ୍ରାସ୍ଫୀତି (୪୦୦ ପ୍ରତିଶତରୁ ଅଧିକ) ସହିତ ଅସ୍ଥିର ଆର୍ଥିକ ସ୍ଥିତିର ଶରବ୍ୟ ହୋଇଥିଲା। କିନ୍ତୁ ଅବଲୀଳା କ୍ରମେ ଇସ୍ରାଏଲୀମାନଙ୍କ ଅତୁଲ୍ୟ ଇହୁଦୀ ବୁଦ୍ଧିମତ୍ତା ସେହି ସମସ୍ତ ବାଧାବିଘ୍ନକୁ ପରାହତ କରିବାରେ ସହାୟକ ହୋଇଥିଲା।

ଏହି ଅତୁଳନୀୟ ବୁଦ୍ଧିମତ୍ତାର ଏକ ଚମତ୍କାର ଉଦାହରଣ ପରିଦୃଷ୍ଟ ହୋଇଥିଲା ୧୯୪୮ ମସିହା ଯୁଦ୍ଧରେ, ଯହିଁରେ ନୂତନ ରାଷ୍ଟ୍ର ଇସ୍ରାଏଲ୍‌ ଖୁବ୍‌ ଶୀଘ୍ର ଗୁଳିଗୋଳା-ଶୂନ୍ୟ ହୋଇଯିବା ପରେ କୌଣସି ଉପାୟ ନ ପାଇ ଜଣେ ଇସ୍ରାଏଲୀ ସୈନିକଙ୍କ ମଗଜ (ଇହୁଦୀ) ପ୍ରସୂତ ‘ବଟଲ୍‌ ସେଲ୍‌’ ଓ ‘ଡେଭିଡ୍‌ସ ଗନ୍‌’ ପରିଶେଷରେ ଇସ୍ରାଏଲ୍‌କୁ ଚମକପ୍ରଦ ବିଜୟ ଆଣି ଦେଇଥିଲା। ପ୍ରକୃତରେ ଏହି ‘ବଟଲ୍‌ ସେଲ୍‌’ଗୁଡ଼ିକ ଥିଲେ ସୋଡ଼ାପାଣି ଭରା କାଚ ବୋତଲ, ଯାହା କମାଣ ଦ୍ବାରା ନିକ୍ଷେପିତ ହେବା କ୍ଷଣି ଏକ ତୀବ୍ର ହ୍ବିସଲ ଆଵାଜ ସହିତ ଗତି କରି ଭୂପତିତ ହେବା ମାତ୍ରକେ ପ୍ରଚଣ୍ତ ଶବ୍ଦ କରି ଫାଟୁଥିଲେ ଏବ˚ ‘ଡେଭିଡ୍‌ସ ଗନ୍‌’ଗୁଡ଼ିକ ଦକ୍ଷତା ଦୃଷ୍ଟିରୁ ଅର୍ବାଚୀନ ସ୍ତରୀୟ ହୋଇଥିବା ସତ୍ତ୍ବେ ତହିଁରୁ ଫୁଟୁଥିବା ଗୁଳି ହୃତ୍‌କ˚ପ ସୃଷ୍ଟିକାରୀ ଶବ୍ଦ ଜାତ କରୁଥିଲା। ସୁତରା˚, ଛାତିରୁ ଅତଡ଼ା ଖସାଇ ଦେଉଥିବା ଭଳି ବିକଟାଳ ଶବ୍ଦରେ ତ୍ରସ୍ତ ଏବ˚ କି˚କର୍ତ୍ତବ୍ୟବିମୂଢ଼ ଆରବ ସୈନିକମାନେ ସେମାନଙ୍କ ଦ୍ବାରା ଅଧିକୃତ ଇସ୍ରାଏଲୀ ଅଞ୍ଚଳରୁ ଅଗତ୍ୟା ପଛଘୁଞ୍ଚା ଦେଇଥିଲେ। କେବଳ ସେତିକି ନୁହେଁ, ଜେରୁଜେଲମ, ଗୋଲାନ ହାଇଟ୍‌ସ ଏବ˚ ଗାଜା ଅଞ୍ଚଳର ସାଧାରଣ ନାଗରିକ ମଧ୍ୟ ଭୀତତ୍ରସ୍ତ ହୋଇ ଭିଟାମାଟି ଛାଡ଼ି ପଳାୟନ କରିଥିଲେ। ଏହି ଇହୁଦୀ ବୁଦ୍ଧି ଅତି ସାଧାରଣରୁ ଅସାଧାରଣ ସ୍ତର ପର୍ଯ୍ୟନ୍ତ (ପୃଥିବୀର ସମସ୍ତ ନୋବେଲ ବିଜେତାଙ୍କ ମଧ୍ୟରେ ଇହୁଦୀଙ୍କ ହାର ହେଉଛି ୨୨.୪ ପ୍ରତିଶତ) ବିଭିନ୍ନ କ୍ଷେତ୍ରରେ ଇସ୍ରାଏଲକୁ ସଫଳତା ପ୍ରଦାନ କରିଛି।

ଉଲ୍ଲେଖଯୋଗ୍ୟ ଯେ ଉତ୍କଟ ପ୍ରତିକୂଳତା ଅତିକ୍ରମ କରିବା ଲାଗି ଇସ୍ରାଏଲର ପ୍ରାୟ ସମସ୍ତ ସରକାର ଯେଉଁ ପୁରୋଦୃଷ୍ଟି ପ୍ରଦର୍ଶନ କରି ଆସିଛନ୍ତି, ତହିଁରେ ସର୍ବାଧିକ ଗୁରୁତ୍ବ ଲାଭ କରିଥିବା ଦୁଇଟି ବିଷୟ ହେଉଛନ୍ତି ଶିକ୍ଷା ଓ ଉଚ୍ଚାଙ୍ଗ ଗବେଷଣା ଏବ˚ ନିରନ୍ତର ଯୁଦ୍ଧ ପ୍ରସ୍ତୁତି। ସୈନିକ ରୂପେ ପ୍ରଶିକ୍ଷିତ ହେବା ଏବ˚ କିଛି କାଳ ସକାଶେ ସୈନ୍ୟ ବାହିନୀରେ କାର୍ଯ୍ୟ କରିବା ପ୍ରତ୍ୟେକ ଇସ୍ରାଏଲୀ ଲାଗି ବାଧୢତାମୂଳକ ଏବ˚ ସେଠାକାର ଶିକ୍ଷା ପଦ୍ଧତି କେବଳ ଆଧୁନିକ ନୁହେଁ, ବ୍ୟାବହାରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ସମର୍ଥ। ଉଦାହରଣ ସ୍ବରୂପ ଭାରତୀୟ ଇ˚ଜିନିଅରି˚ ଛାତ୍ରମାନେ ପ୍ରାୟତଃ ‘ଟେକ୍‌ନୋ ଶ୍ରମିକ’ ଭାବେ କାର୍ଯ୍ୟରତ ରହି ଗବେଷଣା ଓ ଉଦ୍ଭାବନର ସମସ୍ତ ସମ୍ଭାବନାକୁ ଶୂନ୍ୟ ପ୍ରାୟ କରି ଦେଇଥିବା ବେଳେ ଇସ୍ରାଏଲୀ ଇ˚ଜିନିଅରି˚ ଛାତ୍ରମାନେ ଉଚ୍ଚ ଗୁଣବତ୍ତା ସ˚ପନ୍ନ ଉଦ୍ଭାବନମାନ କରିବାରେ ପ୍ରବୃତ୍ତ, ଯାହା ସେହି ଦେଶର ବିକାଶରେ ନିୟୋଜିତ ହୋଇପାରୁଛି।

ଭାରତୀୟ ଇ˚ଜିନିଅରମାନେ ହୁଏତ ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ’ ବିଷୟରେ ଅତି ଉଚ୍ଚ ସ୍ତରର ପ୍ରୋଜେକ୍‌ଟ ରିପୋର୍ଟ ପ୍ରସ୍ତୁତ କରି ପାରନ୍ତି, ଯାହାର ପ୍ରାୟୋଗିକ ବ୍ୟବହାରର ସମ୍ଭାବନା ଅତ୍ୟନ୍ତ କ୍ଷୀଣ; କିନ୍ତୁ ଇସ୍ରାଏଲୀ ଇ˚ଜିନିଅରମାନେ ଏଭଳି ପ୍ରୋଜେକ୍‌ଟ ରିପୋର୍ଟମାନ ପ୍ରସ୍ତୁତ କରନ୍ତି, ଯାହା କୃଷି ବା ଚିକିତ୍ସା ଅଥବା ଟ୍ରାଫିକ୍‌ ବ୍ୟବସ୍ଥା ଇତ୍ୟାଦି ଭଳି ବିଭିନ୍ନ କ୍ଷେତ୍ରରେ ମୋଡ଼ ସୃଷ୍ଟିକାରୀ ପରିବର୍ତ୍ତନ ଆଣିବା ସହିତ ରାଷ୍ଟ୍ର ହିତରେ ଆସିଥାନ୍ତି; ଯେମିତି କି ସିମସିଆ ବ୍ଲାସ ନାମକ ଇ˚ଜିନିଅରଙ୍କ ଦ୍ବାରା ଉଦ୍ଭାବିତ ଅତ୍ୟନ୍ତ ପ୍ରସିଦ୍ଧ ‘ଡ୍ରିପ୍‌ ଇରିଗେସନ୍‌’ ବା ବୁନ୍ଦା ଜଳସେଚନ ପଦ୍ଧତି, ଯାହା ଜଳକ୍ଳିଷ୍ଟ ଇସ୍ରାଏଲକୁ ଶସ୍ୟ ଶ୍ୟାମଳା କରିବା ସହିତ ପୃଥିବୀର ବିଭିନ୍ନ ମରୁ ଅଞ୍ଚଳକୁ ପଲ୍ଲବିତ କରିବାରେ ସହାୟକ ହୋଇଛି; ପ୍ରାକୃତିକ ସ˚ପଦ ଭାବେ ଇସ୍ରାଏଲ୍‌ର ଭାଗ୍ୟରେ ପଡ଼ିଥିବା ମରୁ ସାଗରକୁ ଅନେକ ରାଷ୍ଟ୍ର ଈଶ୍ବରଙ୍କ ଦ୍ବାରା ହୋଇଥିବା ଜଳ ଅପଚୟର ଦୃଷ୍ଟାନ୍ତ ରୂପେ ଦେଖୁଥିବା ବେଳେ ଇସ୍ରାଏଲୀ ଇ˚ଜିନିଅର ତାହାକୁ ନିଜ ରାଷ୍ଟ୍ର ସକାଶେ ମଧୁର ଜଳର ଉତ୍ସରେ ପରିଣତ କରି ପାରିଛନ୍ତି।

ଏଭଳି ଅନେକ ଉଦାହରଣ ରହିଛି, ଯହିଁରେ ପ୍ରଯୁକ୍ତିର ସ୍ତରକୁ ଅଚିନ୍ତନୀୟ ଉଚ୍ଚତାକୁ ନିଆଯାଇ ପାରିଛି। ଜନସ˚ଖ୍ୟାର ସ୍ବଳ୍ପତା ଦୃଷ୍ଟିରୁ ନିଜ ଦେଶରେ ଏକ ଆଭ୍ୟନ୍ତରୀଣ ବଜାରର ସମ୍ଭାବନା ନେଇ ସନ୍ଦିହାନ ଇସ୍ରାଏଲ୍‌ ରପ୍ତାନିକୁ ମୁଖ୍ୟ ଉପଜୀବ୍ୟ କରିଥିବା ବେଳେ ସ୍ବଦେଶ ନିର୍ମିତ ଅତ୍ୟୁଚ୍ଚ ମାନଯୁକ୍ତ ବୈଜ୍ଞାନିକ ଯନ୍ତ୍ରପାତିମାନ ରପ୍ତାନିର ପ୍ରମୁଖ ସାଧନ ହୋଇଛନ୍ତି, ଯହିଁରେ ଯୁଦ୍ଧାସ୍ତ୍ର ଠାରୁ ଆରମ୍ଭ କରି ‘ସାଇବର ସିକ୍ୟୁରିଟି’ରେ ବ୍ୟବହୃତ ଅତି ସୂକ୍ଷ୍ମ ଯନ୍ତ୍ରପାତି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ଏଠାରେ ପ୍ରକାଶ ଥାଉ କି ଇସ୍ରାଏଲ୍‌ ତା’ର ଉଚ୍ଚାଙ୍ଗ ଗବେଷଣା ଲାଗି ବ୍ୟୟ କରୁଥିବା ଅର୍ଥରାଶିର ହାର ପୃଥିବୀରେ ସର୍ବାଧିକ; ଅର୍ଥାତ୍‌ ଜି.ଡି.ପି.ର ପ୍ରାୟ ପ୍ରାୟ ୫.୮ ପ୍ରତିଶତ; ପ୍ରସଙ୍ଗ କ୍ରମେ ଭାରତରେ ଏହାର ହାର ହେଉଛି ଜି.ଡି.ପି.ର ୦.୭ ପ୍ରତିଶତ ମାତ୍ର।

ଇହୁଦୀ ବୁଦ୍ଧିମତ୍ତା କିଭଳି ଏକ ଅସାଧାରଣ କ୍ଷେତ୍ରରେ ଚମକ ସୃଷ୍ଟି କରି ତାହାକୁ ବିକ୍ରୟଯୋଗ୍ୟ ଏବ˚ ଏକ ପ୍ରଭାବଶାଳୀ ଆୟୁଧରେ ପରିଣତ କରି ପାରିଛି; ତାହାର ଦୃଷ୍ଟାନ୍ତ ହେଉଛି ଇସ୍ରାଏଲୀ କି˚ବଦନ୍ତୀୟ ଗୁଇନ୍ଦା ସ˚ସ୍ଥା ‘ମୋସାଦ୍‌।’ ‘ମୋସାଦ’ ଏଜେଣ୍ଟମାନଙ୍କର ଅବିଶ୍ବାସ୍ୟ ବିଚକ୍ଷଣତା ଓ କି˚ବଦନ୍ତିସୁଲଭ ସାମର୍ଥ୍ୟର ଦୃଷ୍ଟାନ୍ତ ଅନେକ; ଯେମିତି କି ଏଲି କୋହେନ, ଯିଏ ଶତ୍ରୁ ରାଷ୍ଟ୍ର ସିରିଆରେ ଗୁପ୍ତଚର ମିସନରେ ଥିବା ବେଳେ ସେଠାକାର ଶାସକଙ୍କ ଏଭଳି ବିଶ୍ବାସଭାଜନ ହୋଇଥିଲେ ଯେ ତାଙ୍କୁ ସିରିଆର ଉପ ପ୍ରତିରକ୍ଷା ମନ୍ତ୍ରୀ ପଦ ମଧୢ ଅର୍ପଣ କରାଯାଇଥିଲା। ସେମିତି ଅସରାଫ ମାଵାନ, ଯିଏ ଶତ୍ରୁ ରାଷ୍ଟ୍ର ଇଜିପ୍‌ଟରେ ଗୁପ୍ତଚରଗିରି କରୁ କରୁ ସେଠାକାର ରାଷ୍ଟ୍ରପତି ଗାମେଲ ଆବଦେଲ ନାସେରଙ୍କ ଜ୍ବାଇଁ ହୋଇଯାଇଥିଲେ। ଏଭଳି ସ୍ଥଳେ ଇସ୍ରାଏଲ୍‌ କାହିଁକି ଓ କିଭଳି ଆରବ ରାଷ୍ଟ୍ରଗୁଡ଼ିକ ସକାଶେ ଅପରାଜେୟ ହୋଇ ରହିଗଲା, ତାହା ସହଜରେ ବୁଝି ହୁଏ। ଏବେ ସେହି ‘ମୋସାଦ୍‌’ ଅନେକ ରାଷ୍ଟ୍ରକୁ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସେବା ପ୍ରଦାନ କରୁଛି, ଯାହା ଇସ୍ରାଏଲ୍‌କୁ ଏକ ବିରଳ ରଣନୈତିକ ଗୁରୁତ୍ବ ମଧୢ ପ୍ରଦାନ କଲାଣି। ସୁତରା˚, ଯଥାର୍ଥ ଦୂରଦୃଷ୍ଟି ଏବ˚ ସୂକ୍ଷ୍ମ ବୁଦ୍ଧି କିଭଳି ଶୂନ୍ୟରୁ ସ˚ପଦ ସୃଷ୍ଟି କରିପାରେ, ଇସ୍ରାଏଲ୍‌ ତାହାର ଏକ ଉଦାହରଣ। ସେହି ଦୃଷ୍ଟିରୁ ଇସ୍ରାଏଲ୍‌କୁ ଏକ ୟୁନିଭର୍ସିଟି ରୂପେ ଦେଖାଯାଇପାରେ, ଯାହାର ଶିକ୍ଷାନବୀସ ହେଲେ ଅନେକ ରାଷ୍ଟ୍ର ବିକାଶ କ୍ଷେତ୍ରରେ ଉଚିତ ଦିଗଦର୍ଶନ ଲାଭ କରିପାରିବେ।