ଚଳିତ ଶତାବ୍ଦୀରେ ଭାରତୀୟ କଳା, ସ˚ସ୍କୃତି ଓ ଐତିହ୍ୟ ସ˚ରକ୍ଷଣ ନ୍ୟାସ ବା ‘ଇନ୍‌ଟାକ୍‌’ କଟକରେ ତିନିଟି ସ˚ଗ୍ରହାଳୟ ସ୍ଥାପନ କରିଛି। ଏ ପ୍ରବନ୍ଧର ଉଦ୍ଦେଶ୍ୟ ହେଲା ସରକାରଙ୍କ ପାଖେ ଏକ ପ୍ରସ୍ତାବ ଉପସ୍ଥାପନ କରିବା ଯାହାର ସାରା˚ଶ ହେଲା: କଟକକୁ ଏକ ସ˚ଗ୍ରହାଳୟ ନଗରୀ ବା ‘ସିଟି ଅଫ୍‌ ମ୍ୟୁଜିୟମ୍‌’ର ରୂପ ଦିଆଯାଉ, ଯାହା ପାଇଁ ଏହି ୧୦୦୦ ବର୍ଷ ପୁରାତନ ନଗରୀରେ ପ୍ରଚୁର ସମ୍ଭାବନା ଅଛି।

Advertisment

ପ୍ରଥମେ ଗଠନ ହୋଇଥିବା ତିନିଟିି ସ˚ଗ୍ରହାଳୟ ଉପରେ ଆଲୋଚନା କରିବା। ଏ ସ˚ଗ୍ରହାଳୟମାନଙ୍କ ବିଶେଷତ୍ବ ହେଲା, ଗୋଟିଏ ସୁଦ୍ଧା ନୂତନ ଅଟ୍ଟାଳିକା ନିର୍ମିତ ହୋଇ ନାହିଁ। ତିନିଟି ସ˚ଗ୍ରହାଳୟ ଏ ଐତିହାସିକ ନଗରୀର ଗୃହ ଓ ଅଟ୍ଟାଳିକାମାନଙ୍କୁ ସ˚ରକ୍ଷଣ କରି ସେଠାରେ ସ୍ଥାପନ କରାଯାଇଛି, ଯାହା ଫଳରେ ସ˚ଗ୍ରହାଳୟର ପୂର୍ଣ୍ଣାଙ୍ଗ ବଜେଟ୍‌ ପ୍ରାୟ ୪୦ରୁ ୫୦ ପ୍ରତିଶତ କମିଯାଇଛି। ପ୍ରଥମଟି ହେଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନରେ ଏକ ସ୍ମାରକୀ ନିର୍ମାଣ। ଏ ପୁରୁଣା ଅଟ୍ଟାଳିକା ସ˚ରକ୍ଷଣ ଅପେକ୍ଷାରେ ଥିଲା। ନେତାଜୀଙ୍କ ପିତା କଟକରେ ଓକିଲାତି ଜୀବନ ଆରମ୍ଭ କରି ଜଣେ ସଫଳ ଆଇନଜୀବୀ ରୂପେ ଖ୍ୟାତି ଲାଭ କରିଥିଲେ। ରହିବା ପାଇଁ ଏକ ବିରାଟ ଅଟ୍ଟାଳିକା ନିର୍ମାଣ କଲେ। ନେତାଜୀ ସେଠାରେ ଜନ୍ମଲାଭ କରି ଶୈଶବ ଓ କିଶୋର ଅବସ୍ଥା କଟାଇଥିଲେ। ତା’ପରେ ତାଙ୍କ ପିତା ଜାନକୀନାଥ କଲିକତା ଯାଇ ଓକିଲାତି କଲେ। ଶତାବ୍ଦୀର ପ୍ରାରମ୍ଭରେ ସରକାର ସ୍ଥିର କଲେ ଯେ ଏହି ବାସଗୃହକୁ ସମୁଚିତ ସ˚ରକ୍ଷଣ କରି ନେତାଜୀଙ୍କ ସ୍ମାରକୀ ଗଢ଼ାଯିବ। ଏ କାମ ଇନ୍‌ଟାକ୍‌ ଉପରେ ନ୍ୟସ୍ତ ହେଲା ଓ ୨୦୦୨/୨୦୦୩ରେ ସମାପ୍ତ ହେଲା। ଏ ସ˚ଗ୍ରହାଳୟରେ ନେତାଜୀଙ୍କ ଜୀବନର ବିଭିନ୍ନ ପର୍ଯ୍ୟାୟମାନଙ୍କ ଉଲ୍ଲେଖନୀୟ ଘଟଣାମାନ ସ୍ଥାନ ପାଇଛି।

ସେହିପରି କଟକର ଜୋବ୍ରା ଅଞ୍ଚଳରେ ମହାନଦୀ କୂଳରେ ଥିଲା ବୃହତ୍‌ ଅଟ୍ଟାଳିକା ଯାହା ତତ୍କାଳୀନ ବ୍ରିଟିଶ୍‌ ସରକାରଙ୍କ ଜଳସେଚନ ବିଭାଗରେ ଜଳପଥରେ ଗମନାଗମନ ପାଇଁ ବ୍ୟବହୃତ ହେଉଥିବା ବୋଟ୍‌, ଷ୍ଟିମର, ଡଙ୍ଗାମାନଙ୍କ ରକ୍ଷଣାବେକ୍ଷଣ ଓ ନିର୍ମାଣ ପାଇଁ ଉଦ୍ଦିଷ୍ଟ ଥିଲା। ଏ କର୍ମଶାଳାର ଇତିହାସ ଓଡ଼ିଶାର ଏକ ଦୁଃଖଦ ସମୟର ବାର୍ତ୍ତା ବହନ କରିଥାଏ। ତାହା ଥିଲା ୧୮୬୫/୬୬ରେ ଘଟିଥିବା ନଅଙ୍କ ଦୁର୍ଭିକ୍ଷ। ଏହା ତତ୍କାଳୀନ ଓଡ଼ିଶାର ୩୦ ଲକ୍ଷ ଜନସ˚ଖ୍ୟାର ଏକ-ତୃତୀୟା˚ଶ ବା ଦଶ ଲକ୍ଷ ଲୋକଙ୍କ ଜୀବନ ନେଇଥିଲା। ପଡ଼ୋଶୀ ବଙ୍ଗଳା ଓ ବର୍ମାରେ ଚାଉଳର ଅଭାବ ନଥିବା ସତ୍ତ୍ବେ ଜଳପଥରେ ଗମନାଗମନ ସୁବିଧା ନଥିବାରୁ ଖାଦ୍ୟଶସ୍ୟ ଅଣାଯାଇ ପାରି ନଥିଲା ଯାହା ଫଳରେ ଲକ୍ଷ ଲକ୍ଷ ଲୋକ କ୍ଷୁଧାର ତାଡ଼ନାରେ ପ୍ରାଣ ହରାଇଥିଲେ। ସେତେବେଳେ ଓଡ଼ିଶା ଡିଭିଜନ୍‌ର କମିସନର ଥିଲେ ଟି. ଇ. ରେଭେନ୍‌ସା, ଯାହାଙ୍କ କାର୍ଯ୍ୟକଳାପ ବ୍ରିଟିଶ୍‌ ସରକାର ଗଠନ କରିଥିବା ଏକ କମିସନ୍‌ଙ୍କ ପରିସରଭୁକ୍ତ ହୋଇଥିଲା।

ବ୍ରିଟିଶ୍‌ ସରକାର ଓଡ଼ିଶାକୁ ୧୮୦୩ ମସିହାରେ ଅଧିକାର କଲାପରେ କୌଣସି ବିକାଶମୂଳକ କାର୍ଯ୍ୟ ହାତକୁ ନେଇ ନଥିଲେ। ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ କ୍ଷେତ୍ରରେ ଓଡ଼ିଶା ଅତି ଅବହେଳିତ ଅବସ୍ଥାରେ ଥିଲା। ଏସବୁ ଲକ୍ଷ୍ୟ କରି ଇ˚ଲଣ୍ତରେ ଗଣମାଧ୍ୟମ ଏ ଦୁର୍ଭିକ୍ଷ ମନୁଷ୍ୟକୃତ କହି ସରକାରଙ୍କୁ କଠୋର ସମାଲୋଚନା କରିଥିଲେ ଓ ରୟାଲ୍‌ କମିସନ୍‌ ବଙ୍ଗଳାର ଗଭର୍ନର, ରେଭିନ୍ୟୁ ବୋର୍ଡ ଓ ଓଡ଼ିଶା କମିସନରଙ୍କୁ ଦାୟୀ କଲେ। ଏ ଦୁର୍ଭିକ୍ଷ ପରେ ସରକାର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ କଲେ। ଜଳସେଚନ ଓ ଗମନାଗମନ ପାଇଁ କେନାଲ ଖନନ ହେଲା ଓ ୧୮୬୮ରେ ଜଳପଥରେ ହେଉଥିବା ବିଭିନ୍ନ ଯାନମାନଙ୍କ ମରାମତି ଓ ରକ୍ଷଣାବେକ୍ଷଣା ପାଇଁ ଜୋବ୍ରା କାରଖାନା ନିର୍ମିତ ହେଲା। କାଳକ୍ରମେ ସ୍ଥଳପଥର ବିକାଶ ହେବା ପରେ ଜଳପଥର ଚାହିଦା କମିଗଲା ଓ କର୍ମଶାଳା ପରିତ୍ୟକ୍ତ ଅବସ୍ଥାକୁ ଆସିଲା।

୨୦୦୭ରେ ଇନ୍‌ଟାକ୍‌ର ପ୍ରଚେଷ୍ଟାରେ ଏହାର ସଦୁପଯୋଗ ଉପରେ ଆଲୋଚନା ଆରମ୍ଭ ହେଲା ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଓଡ଼ିଶାର ଗୌରବମୟ ଐତିହ୍ୟର ଏକ ପ୍ରସିଦ୍ଧ କ୍ଷେତ୍ର ରୂପେ ନୌବାଣିଜ୍ୟ ଆଧାରରେ ଏକ ସ˚ଗ୍ରହାଳୟ ସ୍ଥାପନ ପାଇଁ ଅନୁମୋଦନ କଲେ। ୨୦୦୮ରେ ୧୨ କୋଟି ଟଙ୍କାର ଏ ପ୍ରକଳ୍ପ ଆରମ୍ଭ ହୋଇ ୨୦୧୨ରେ ସମାପ୍ତ ହେଲା। ସ˚ରକ୍ଷଣ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଡକ୍ଟର ଏ. ପି. ଅଗ୍ରଵାଲଙ୍କ ତତ୍ତ୍ବାବଧାନରେ ଏ ପ୍ରକଳ୍ପ ଆଗେଇ ଚାଲିଲା। ବାସ୍ତବ କ୍ଷେତ୍ରରେ ଏ ସ˚ଗ୍ରହାଳୟ ନିର୍ମାତାର ପୂର୍ଣ୍ଣ ଦାୟିତ୍ବରେ ଥିଲେ ଭୁବନେଶ୍ବର ସ˚ରକ୍ଷଣ କ୍ଷେତ୍ରର ନିର୍ଦ୍ଦେଶିକା ମଲ୍ଲିକା ମିତ୍ର, ଯାହାଙ୍କ କର୍ତ୍ତବ୍ୟନିଷ୍ଠା ଅତି ପ୍ରଶ˚ସନୀୟ ଥିଲା। ମୁଖ୍ୟମନ୍ତ୍ରୀ ଏ ସ˚ଗ୍ରହାଳୟ ଗଠନରେ ବ୍ୟକ୍ତିଗତ ଭାବେ ଆଗ୍ରହ ପ୍ରକାଶ କରୁଥିଲେ ଓ ଏକାଧିକ ଥର ଜୋବ୍ରା ପରିଦର୍ଶନ କରି କାର୍ଯ୍ୟର ତଦାରଖ କରୁଥିଲେ। ଜୋବ୍ରାର ସେହି ପୁରାତନ ଜରାଜୀର୍ଣ୍ଣ ଗୃହର ଉପଯୁକ୍ତ ସ˚ରକ୍ଷଣ ଏକ କଷ୍ଟକର ବ୍ୟାପାର ଥିଲା। ସ˚ରକ୍ଷଣ ପରେ ଓଡ଼ିଶାର ନୌବାଣିଜ୍ୟ ଐତିହ୍ୟକୁ ପ୍ରତିଫଳନ କରୁଥିବା ଭିନ୍ନ ସାମଗ୍ରୀ ଓ ବିଷୟବସ୍ତୁ ସ˚ଗ୍ରହ କରାଗଲା ଓ ସ˚ଗ୍ରହାଳୟରେ ଯୋଡ଼େଇ, ଗ୍ରାଫ୍‌, ଡାଓରାମା, ଲିଖିତ ବର୍ଣ୍ଣନା, ପ୍ରତିଛବି ଓ ଚିତ୍ର ମାଧ୍ୟରେ ସ୍ଥାନିତ କରାଗଲା।

ନୌବାଣିଜ୍ୟ ପରମ୍ପରାର ବିଭିନ୍ନ ଦିଗ ଯଥା ପର୍ବପର୍ବାଣି, ନୌକା ନିର୍ମାଣ, ଯାତ୍ରାରମ୍ଭ, ପ୍ରତ୍ୟାବର୍ତ୍ତନ ବିଭିନ୍ନ ମାଧ୍ୟମରେ ପ୍ରତିଫଳିତ ହେଲା। ବୋଇତ ବନ୍ଦାଣ, ଖୁଦୁରୁକୁଣୀ ଓଷା, ତଅପୋଇ କାହାଣୀ ଆଦି ରୂପାୟନ ହେଲା। ଓଡ଼ିଶାରେ ବ୍ୟବହୃତ ହେଉଥିବା ବିଭିନ୍ନ ନୌଯାନ ଓ ସେମାନଙ୍କ ନିର୍ମାଣଶୈଳୀ ମଧ୍ୟ ସ୍ଥାନ ପାଇଲା। ଏକ ବଡ଼ ହଲ୍‌ରେ ବ୍ରିଟିଶ୍‌ ଅମଳର ପୁରୁଣା ମେସିନ ଓ ଅନ୍ୟାନ୍ୟ ଯନ୍ତ୍ରାଦି ରଖାଯାଇଛି। ସୁଖର ବିଷୟ ଯେ ଏ ସ˚ଗ୍ରହାଳୟକୁ ବହୁତ ଦର୍ଶକ ଆସୁଛନ୍ତି। ଏହା ଭାରତରେ ନୌବାଣିଜ୍ୟ ସ˚ଗ୍ରହାଳୟ କ୍ଷେତ୍ରରେ ଏକ ମାଇଲ୍‌ ଖୁଣ୍ଟ।

କଟକରେ ସ˚ଗ୍ରହାଳୟ ପ୍ରସାରଣର ଆଉ ଏକ ଐତିହାସିକ ପଦକ୍ଷେପ ହେଲା ୨୦୨୩ ଫେବ୍ରୁଆରିରେ ଓଡ଼ିଶାର ଉଚ୍ଚ ନ୍ୟାୟାଳୟଙ୍କ ସ˚ଗ୍ରହାଳୟ ଉଦ୍‌ଘାଟନ। ଏହାକୁ କୁହାଯାଉଛି ‘ମ୍ୟୁଜିୟମ୍‌ ଅଫ୍‌ ଜଷ୍ଟିସ୍‌’ ବା ନ୍ୟାୟ ସ˚ଗ୍ରହାଳୟ। ଏ ପ୍ରକଳ୍ପକୁ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ତତ୍ତ୍ବାବଧାନରେ ଇନ୍‌ଟାକ୍‌ ରେକର୍ଡ ସମୟରେ ସମାପ୍ତ କରିଛି। ଏ ପ୍ରକଳ୍ପ ଦୁଇ ଭାଗରେ ବିଭକ୍ତ। ପ୍ରଥମ ଭାଗ ହେଲା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କ ବାରବାଟୀ ଦୁର୍ଗ ମଧ୍ୟରେ ଥିବା ପୁରାତନ ୧୨୦ ବର୍ଷର ବାସଗୃହର ସ˚ରକ୍ଷଣ ଓ ଦ୍ବିତୀୟ ଭାଗ ହେଲା ସେଠାରେ ପୁରାତନ ଯୁଗଠାରୁ ଏପର୍ଯ୍ୟନ୍ତ ପ୍ରଚଳିତ ବିଚାର ଓ ନ୍ୟାୟ ପ୍ରଦାନର ବିଭିନ୍ନ ଦିଗକୁ ନେଇ ସ˚ଗ୍ରହାଳୟ ସ୍ଥାପନ। ଇନ୍‌ଟାକ୍‌ ପ୍ରକଳ୍ପମାନଙ୍କ ମଧ୍ୟରୁ ଏହା ଥିଲା ଅତି ଜଟିଳ। ଏ ପ୍ରକଳ୍ପର ପ୍ରଧାନ ସୂତ୍ରଧର ଥିଲେ ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମୁରଲୀଧରନ। ସ˚ଗ୍ରହାଳୟର ବିଷୟବସ୍ତୁ ଚୟନର ମୁଖ୍ୟ ଥିଲେ ଜଷ୍ଟିସ୍‌ ଶଶୀକାନ୍ତ ମିଶ୍ର ଓ ଏହାକୁ ରୂପାୟିତ କରିଥିଲେ ଇନ୍‌ଟାକ୍‌ ସ˚ରକ୍ଷଣ ନିର୍ଦ୍ଦେଶିକା ମଲ୍ଲିକା ମିତ୍ର।

ଏ ପ୍ରକଳ୍ପନର ଅନ୍ୟ ଏକ ଅ˚ଶ ଥିଲା ବିଚାର ବିଭାଗର ପୁରୁଣା ନଥି, ଦଲିଲ, ପୁସ୍ତକ ଓ ରେକର୍ଡମାନଙ୍କ ସ˚ରକ୍ଷଣ। ମଲ୍ଲିକା ମିତ୍ରଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଉତ୍ସର୍ଗୀକୃତ ମାନସିକତା ଏ ପ୍ରକଳ୍ପକୁ ମୁଖ୍ୟ ବିଚାରପତି ଧାର୍ଯ୍ୟ କରିଥିବା ସମୟ ଭିତରେ ସମାପ୍ତ କରିବାକୁ ସହାୟକ ହୋଇଥିଲା। ସ˚ଗ୍ରହାଳୟ ପାଇଁ ହାଇକୋର୍ଟ ଗଢ଼ିଥିବା କମିଟିରେ ବିଚାରପତିମାନଙ୍କ ଛଡ଼ା ବୁଦ୍ଧିଜୀବୀମାନେ ମଧ୍ୟ ରହିଲେ। ସେମାନେ ଥିଲେ ଐତିହାସିକ ନିହାର ରଞ୍ଜନ ପଟ୍ଟନାୟକ, ନିବେଦିତା ମହାନ୍ତି, ଅବସରପ୍ରାପ୍ତ ଆଇ.ଏ.ଏସ୍‌. ସ˚ଜୀବ ଚନ୍ଦ୍ର ହୋତା, ଅବସରପ୍ରାପ୍ତ ଆଇ.ପି.ଏସ୍‌. ବିପିନ ବିହାରୀ ମିଶ୍ର ଓ ରାଜ୍ୟ ସ˚ସ୍କୃତି ବିଭାଗର ଉପନିର୍ଦ୍ଦେଶକ ସୁକୁସ୍ମିତା ମନ୍ତ୍ରୀ ଓ ରାଜ୍ୟ ଆଦିବାସୀ ସ˚ଗ୍ରହାଳୟର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଏ. ବି. ଓତା। ବିଚାରପତି ଜଷ୍ଟିସ୍‌ ଶଶୀକାନ୍ତ ମିଶ୍ର ସ˚ରକ୍ଷଣ ଓ ସ˚ଗ୍ରହାଳୟ ପାଇଁ ବିଷୟବସ୍ତୁ ଚୟନ ଦିଗରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ତାଙ୍କୁ ସାହାଯ୍ୟ କରୁଥିଲେ ରେଜିଷ୍ଟ୍ରାର ଅଭିଳାଶ ସେନାପତି ଓ ସ˚ରକ୍ଷଣ ବିଶାରଦ ଲଲାଟେନ୍ଦୁ ଦାସ ମହାପାତ୍ର। ସ˚ଗ୍ରହାଳୟ ପାଇଁ ବିଷୟବସ୍ତୁ ଚୟନ ଏକ ଜଟିଳ ଓ ଦୁରୂହ ବ୍ୟାପାର ଥିଲା। ଏହା ସମ୍ଭବ ହୋଇପାରିଲା ଜଷ୍ଟିସ୍‌ ଶଶୀକାନ୍ତ ମିଶ୍ରଙ୍କ ଧୈର୍ଯ୍ୟ, ନିଷ୍ଠା ଓ ଇ˚ରେଜୀରେ ଯାହା କୁହାଯାଏ ‘ଟିମ୍‌ ଵାର୍କ’ ଯୋଗୁଁ। ଫେବ୍ରୁଆରି ୨୫ ତାରିଖରେ ଉଦ୍‌ଘାଟିତ ଏ ସ˚ଗ୍ରହାଳୟ ବର୍ତ୍ତମାନ ଏକ ଆକର୍ଷଣୀୟ ସ୍ଥଳ ହୋଇପାରିଛି। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମୁରଲୀଧରନଙ୍କ ଏ ମାନସ ସନ୍ତାନ ପରିସରରେ ସ୍ଥାନିତ ବସ୍ତୁ କେବଳ ପାରମ୍ପରିକ ଶୈଳୀରେ ରଖାଯାଇ ନାହିଁ, ଆଧୁନିକ ବୈଷୟିକ କୌଶଳ ଯଥା ଡିଜିଟାଲ୍‌ ଟେକ୍‌ନୋଲଜିର ମଧ୍ୟ ପ୍ରୟୋଗ ହୋଇଛି।

ଉପରୋକ୍ତ ଆଲୋଚନାରୁ ଜଣାପଡ଼େ ଓଡ଼ିଶାର ସର୍ବପୁରାତନ ନଗରୀରେ କ୍ଷେତ୍ର ଓ ଅନୁଷ୍ଠାନ ଭିତ୍ତିକ ସ˚ଗ୍ରହାଳୟ ସ୍ଥାପନର ପ୍ରଚୁର ସମ୍ଭାବନା ଅଛି। ତିନିଟି ଅନୁଷ୍ଠାନମାନଙ୍କ ଉଦାହରଣ ଦେବି। ତାହା ହେଲା ପୁଲିସ, ରାଜସ୍ବ ପରିଷଦ ଓ ରେଭେନ୍‌ସା କଲେଜ ଯାହା ବର୍ତ୍ତମାନ ଏକ ବିଶ୍ବବିଦ୍ୟାଳୟ। ବାସ୍ତବରେ ୧୯୯୬ ମସିହାରେ ପୁଲିସ ବିଭାଗରେ ଏହାର ହୀରକ ଜୁବିଲି ପାଳନ ଅବସରରେ ଏକ ସ˚ଗ୍ରହାଳୟ ସ୍ଥାପନ କରାଯାଇଥିଲା। ସେତେବେଳେ ମୁଁ ମହାନିର୍ଦ୍ଦେଶକ ଥିଲି ଓ ତତ୍କାଳୀନ ଆଇ.ଜି. ପ୍ରଶାସନ ବିପିନ ବିହାରୀ ମିଶ୍ରଙ୍କ ତତ୍ତ୍ବାବଧାନରେ ଏହାର ପରିକଳ୍ପନା କରାଯାଇଥିଲା। କିନ୍ତୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସ˚ପ୍ରସାରଣ ହୋଇପାରିଲା ନାହିଁ। ଏ ବିଭାଗରେ ଦର୍ଶକମାନଙ୍କ ପାଇଁ ଅତି ପୁରାତନ ଓ ଆକର୍ଷଣୀୟ ଉପାଦାନମାନ ଅଛି। ପୁଲିସ ପାରା କଥା ତ ପାଠକମାନେ ଜାଣିଥିବେ। ୧୯୫୫/୫୬ରେ ବୁର୍ଲାରୁ ପଣ୍ତିତ ନେହରୁଙ୍କ ବାର୍ତ୍ତା ବହନ କରି ପୁଲିସ ପାରା କିପରି ନେହରୁ କଟକ ପହଞ୍ଚିବା ଆଗରୁ ପହଞ୍ଚିଥିଲା ଓ ନେହରୁ ତାଙ୍କ ବାର୍ତ୍ତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ତାହା ମଧ୍ୟ ଜଣା।

ସେପରି ରାଜସ୍ବ ପରିଷଦ ଓଡ଼ିଶା ଇତିହାସରେ ଏକ ଅମୂଲ୍ୟ ଗ୍ରନ୍ଥାଗାର। ବିଶେଷତଃ ୧୮୦୩ ମସିହାରେ ବ୍ରିଟିଶ୍‌ ସରକାର ଓଡ଼ିଶା ଦଖଲ କଲା ପରେ ତ୍ରିଖଣ୍ତିତ ଓଡ଼ିଶାର ଚରମ ଦୁର୍ଦ୍ଦଶା, ନଅଙ୍କ ଦୁର୍ଭିକ୍ଷ, ଚେତନା ଓ ଚିନ୍ତନର ଯୁଗ ଆରମ୍ଭ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ, ସ୍ବାଧୀନତା ଲାଭ, ଜମିଦାରୀ ଉଚ୍ଛେଦ, ଜମିଜମା ସରଳୀକରଣ, ପ୍ରଶାସନିକ ବ୍ୟବସ୍ଥା, ଗଡ଼ଜାତମାନଙ୍କ ଅବସ୍ଥିତି ଓ ସର୍ବୋପରି କଟକ କଲେକ୍ଟରେଟ୍‌ରେ ଥିବା ତଥ୍ୟମାନ ଅତି ସାରଗର୍ଭକ ଓ ଆକର୍ଷଣୀୟ ହେବ।

ତୃତୀୟରେ ଓଡ଼ିଶାର ସର୍ବପୁରାତନ କଲେଜ ରେଭେନ୍‌ସା ଯାହାର ଇତିହାସ ହେଲା ଆଧୁନିକ ଓଡ଼ିଶାର ଇତିହାସ। ୧୮୬୯ରେ ରେଭେନ୍‌ସା କଲେଜିଏଟ୍‌ ସ୍କୁଲ୍‌ରେ ତତ୍କାଳୀନ ଏଫ୍‌.ଏ ଶ୍ରେଣୀ ଆରମ୍ଭ ହୋଇ ଏ କଲେଜ ନବ ଓଡ଼ିଶାର ଜାଗରଣ, ସ୍ବତନ୍ତ୍ର ପ୍ରଦେଶ ଗଠନ, ସ୍ବାଧୀନତା ସ˚ଗ୍ରାମର ପୀଠ ଥିଲା। ଏଠାରୁ ଆରମ୍ଭ ହେଲା ଓଡ଼ିଶା ବିଧାନସଭା, ରାଜ୍ୟ ସ˚ଗ୍ରହାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ। ସ˚ଗ୍ରହାଳୟରେ ଏସବୁ ଐତିହାସିକ ଘଟଣାମାନଙ୍କ ପ୍ରତିଫଳନ ପୂର୍ବତନ ଓ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ହୃଦୟରେ ରୋମାଞ୍ଚ ସୃଷ୍ଟି କରିବ।

ଆଉ ଏକ ଅନୁଷ୍ଠାନ ହେଲା କଟକ ଜେଲ୍‌, ଯାହାର ଇତିହାସ ଏକ ସ˚ଗ୍ରହାଳୟରେ ସ୍ଥାନିତ କରିବା ଉପଯୋଗୀ। ବର୍ତ୍ତମାନ ସରକାର ବିଭିନ୍ନ ପ୍ରକଳ୍ପ ପାଇଁ ଶହ ଶହ କୋଟିର ଅନୁଦାନ ଘୋଷଣା କରୁଛନ୍ତି। ଏସବୁ ପ୍ରକଳ୍ପ ପାଇଁ ଶହ ଶହ କୋଟି ଅର୍ଥର ଆବଶ୍ୟକତା ନାହିଁ। ଯେଉଁଠାରେ ପୁରାତନ ଅଟ୍ଟାଳିକା ଅଛି ତାକୁ ସ˚ରକ୍ଷଣ କରି ସ˚ଗ୍ରହାଳୟ ସ୍ଥାପନ କରାଯିବ। ଉପର ଲିଖିତ ୩/୪ଟି ସ˚ଗ୍ରହାଳୟ ପାଇଁ ୧୦୦ କୋଟି ଅର୍ଥ ଯଥେଷ୍ଟ। ସରକାର ଏକ ନୀତିଗତ ନିଷ୍ପତ୍ତି ନିଅନ୍ତୁ। କଟକର ହୃତ ଗୌରବ ଫେରାଇ ଆଣିବାରେ ଏସବୁ ସ˚ଗ୍ରହାଳୟ ଏକ ମୁଖ୍ୟ ଭୂମିକା ନିର୍ବାହ କରିବ। କଟକବାସୀ ଜାଗ୍ରତ ହୋଇ ଦାବି କରନ୍ତୁ। ଅନୁଷ୍ଠାନମାନଙ୍କ ମୁଖ୍ୟଙ୍କ ଭୂମିକା ଉପରେ ସବୁ ନିର୍ଭର କରେ। ସେମାନେ ମଧ୍ୟ ଚଳଚଞ୍ଚଳ ହୁଅନ୍ତୁ।
[email protected]