ଭାବି ଦେଖନ୍ତୁ ତ, ମନୁଷ୍ୟ ତା’ ଜୀବନର କେତେ କାଳ ଧାଡ଼ିରେ ଛିଡ଼ାହୋଇ ବିତାଇଥାଏ? ହିସାବ ଅନାବଶ୍ୟକ। ପ୍ରତି ମୁହୂର୍ତ୍ତରେ ଆମେ କୌଣସି ନା କୌଣସି ଏକ ଅଦୃଶ୍ୟ ଧାଡ଼ିରେ ଛିଡ଼ାହୋଇ ନିଜର ପାଳିକୁ ଅପେକ୍ଷା କରିଛେ। ଜୀବନକୁ ସୁନ୍ଦର ଓ ଶୃଙ୍ଖଳିତ କରିବାରେ ଧାଡ଼ିର ଅବଦାନ ଅନେକ। ସଂସାରର ସମସ୍ତ ପ୍ରାଣୀ ନିଜ ନିଜ ଧାଡ଼ିର ନିର୍ଦ୍ଧାରିତ ନିୟମ ଅନୁସାରେ ଆଗକୁ ବଢ଼ିଥାନ୍ତି। ଧାଡ଼ିରୁ ଅଲଗା ହୋଇଗଲେ ଲକ୍ଷ୍ୟସ୍ଥଳ ଅପହଞ୍ଚ ରହିଯାଏ। ମନୁଷ୍ୟକୁ ଆମେ ତିନିଟି ଶ୍ରେଣୀରେ ବିଭକ୍ତ କରିପାରିବା। ଯେଉଁମାନେ ସ୍ବଇଚ୍ଛାରେ ଧାଡ଼ି ବାନ୍ଧିଥାନ୍ତି ଓ ପିମ୍ପୁଡ଼ି ପରି ଧାଡ଼ିରେ ଠିଆହୋଇ ଆଗକୁ ବଢ଼ନ୍ତି। ଆଉ କିଛି ଲୋକ ଧାଡ଼ିରେ ତ ରହନ୍ତିନି, ମାତ୍ର ବୁଝାଇ ଶୁଝାଇ ସେମାନଙ୍କୁ ଧାଡ଼ିରେ ରଖାଯାଇପାରେ। ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ଧାଡ଼ି ଭାଙ୍ଗି ଆଗକୁ ମାଡ଼ିଯିବା ପସନ୍ଦ କରନ୍ତି ଏବଂ ତାହାକୁ ନିଜର ପୁରୁଷାର୍ଥ ବିବେଚନା କରନ୍ତି।
ଏହି ତୃତୀୟ ଶ୍ରେଣୀର ବ୍ୟକ୍ତିମାନଙ୍କ ଯୋଗୁଁ ଧାଡ଼ି ଗତିଶୀଳ ହୋଇପାରେ ନାହିଁ। ଆଖି ମଳିମଳି ସକାଳୁ ଉଠୁଉଠୁ ଜୀବନ ଆମର ଧାଡ଼ିରେ ଲାଗିଯାଏ। କ୍ଷୀର ଆଣିବାକୁ ଧାଡ଼ି, ଡାକ୍ତରଙ୍କ ପାଖରେ ଧାଡ଼ି, ଟିକଟ କାଟିବାପାଇଁ ଧାଡ଼ି, ଏଟିଏମ୍ ନିକଟରେ ଧାଡ଼ି, ତେଜରାତି ଦୋକାନରେ ଧାଡ଼ି ଓ ଶ୍ମଶାନରେ ମଧ୍ୟ ଲଗାଇବାକୁ ପଡ଼େ ଧାଡ଼ି। ଧାଡ଼ିରେ ରହିଥିଲେ ମଧ୍ୟ ଧାଡ଼ିବାନ୍ଧି ଆଗକୁ ବଢ଼ିବା ଆମର ପସନ୍ଦ ନୁହେଁ। ଆମେ ଚାହିଁଥାଉ ଆଗ ଯାଇ କାଉଣ୍ଟର ପାଖରେ ପହଞ୍ଚିଯିବୁ। “ଅପନା କାମ୍ ବନତା, ଭାଡ୍ ମୈଁ ଯାଏ ଜନତା”। ଯେତେ ସବୁ କୌଶଳ ଓ ଫନ୍ଦିଫିକର ଆମର କେବଳ ଧାଡ଼ିରେ ନରହିବା ପାଇଁ। ନିଜର ନଥିଟି ତଳେ ରହିଯାଇଥିଲେ ଆମେ କଳେ, କୌଶଳେ ତାକୁ ନଥି ବିଡ଼ାର ଉପରକୁ ନେଇଆସୁ। ଧାଡ଼ି କାହିଁକି ଏତେ ଅସୁଖକର? ଧାଡ଼ିରେ ରହିବା ଅର୍ଥ ଜାତି, ଧର୍ମ ଓ ପଦ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଜ୍ଞାନ କରିବା, ବିନା ପକ୍ଷପାତିତାରେ ଲକ୍ଷ୍ୟ ସ୍ଥଳ ଆଡ଼କୁ ଗତି କରିବା, ସମସ୍ତେ ସମାନ ଭାବରେ ଅନୁଗୃହୀତ ହେବା ଓ ଜୀବନକୁ ବ୍ୟବସ୍ଥିତ ବୋଲି ବିଚାର କରିବା। ଧାଡ଼ିରେ ରହିବାର ଅର୍ଥ ଅନ୍ୟର ଅଧିକାରକୁ ସ୍ବୀକୃତି ଦେବା। ମୋ ପୂର୍ବରୁ ଯିଏ ଆସିଛି ତା’ କଥା ପ୍ରଥମେ ବୁଝାଯିବା ଉଚିତ, ଏ କଥାଟି ତା’ ପଛରେ ଛିଡ଼ା ହୋଇ ମାନିନେବା। ଏସବୁ ମନୁଷ୍ୟର ପସନ୍ଦ ନୁହେଁ; ତେଣୁ ଧାଡ଼ିରେ ରହିବା ମଧ୍ୟ ତା’ର ପସନ୍ଦ ନୁହେଁ।
ନିର୍ବଳ ବ୍ୟକ୍ତିଟି ଧାଡ଼ିରେ ରହିବାକୁ ବାଧ୍ୟ ହେବାବେଳେ ପ୍ରଭାବଶାଳୀ ବାହୁବଳୀମାନେ ଯେଉଁଠି ଛିଡ଼ା ହୋଇଯାଆନ୍ତି ଧାଡ଼ି ସେହିଠାରୁ ହିଁ ଆରମ୍ଭ ହୁଏ। ସଂପୂର୍ଣ୍ଣ ଜୀବନ କାଳ ଆମେ କେବଳ ଧାଡ଼ି ଭାଙ୍ଗି ଆଗକୁ ମାଡ଼ିଯିବାର ପ୍ରଚେଷ୍ଟାରେ ରହିଥାଉ। ମାତ୍ର କୌଣସି ଅଦୃଶ୍ୟ ଶକ୍ତି ଯେମିତି ଆମକୁ ବାରମ୍ବାର ଟାଣିନେଇ ଧାଡ଼ିରେ ଛିଡ଼ା କରାଇ ଦେଉଥାଏ। କାଉଣ୍ଟର ପାଖରେ ପହଞ୍ଚି କେହି କେହି ଅନୁଭବ କରନ୍ତି ଯେ ଭୁଲ୍ ଧାଡ଼ିରେ ଛିଡ଼ା ହୋଇଛନ୍ତି। ନିଜକୁ ଧିକ୍କାର କରି ପୁଣି ପଛକୁ ଫେରିବାକୁ ପଡ଼େ। ଧାଡ଼ିବନ୍ଧା ଜୀବନରେ ଭେଦଭାବ ନଥାଏ। ଉଚ୍ଚ ପିଣ୍ଡାରେ ବସିଥିବା ଧନବାନ ହେଉ କି ମାଟି ଉପରେ ପାଦ ଥାପିଥିବା ନିର୍ଦ୍ଧନ ହେଉ, ଧାଡ଼ିରେ ରହିଲେ ସମସ୍ତେ ଏକାକାର। ଧାଡ଼ିରେ ଥିବା ସମୟରେ କେବଳ ଏ ଉଭୟଙ୍କ ମଧ୍ୟରେ କିଛି ଦୁଃଖସୁଖର ଆଦାନପ୍ରଦାନ ହୋଇପାରିବା ସମ୍ଭବ। ଜୀବନରେ ଆପଣ ନିଜ ପଛରେ ଥିବା ସେଇ ବ୍ୟକ୍ତିଟିକୁ ଗୁରୁତ୍ୱ ଦିଅନ୍ତିନି ସିନା, ଧାଡ଼ିରେ ଆପଣଙ୍କ ପଛ ବ୍ୟକ୍ତିଟି ହିଁ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଥରେ ଧାଡ଼ିରୁ ବାହାରି ଗଲେ ପଛରେ ଥିବା ବ୍ୟକ୍ତି ନ ଚାହିଁବା ପର୍ଯ୍ୟନ୍ତ ଆପଣ ଆଉ ନିଜ ସ୍ଥାନକୁ ଫେରି ପାରିବେନି। ଯେତେ ଶୀଘ୍ର ଆପଣ ଆସିଥାନ୍ତୁ ପଛେ, ଧାଡ଼ିରେ ନ ରହି ବସିରହିଲେ ଆପଣଙ୍କ ପାଳି କେବେ ବି ପଡ଼େ ନାହିଁ। ମିଲଟନ୍ କହିନଥିଲେ, “ଦେ ଅଲସୋ ସର୍ଭ ହୁ ଷ୍ଟାଣ୍ଡ ଏଣ୍ଡ୍ ୱେଟ୍”? ଧାଡ଼ିରେ ରହିଲେ ନିଜର ଅଭୀଷ୍ଟ ସମସ୍ତେ ପାଆନ୍ତି, ନହେଲେ ନାହିଁ। ଧାଡ଼ିର ଶେଷ ଲୋକଟି ଚାଲିଯିବା ପରେ ଧାଡ଼ି ସରିଯାଏନି। ଅଳ୍ପ କିଛି ସମୟର ବିରାମ ପରେ ପୁଣି ଥରେ ଲମ୍ବିଯାଏ ଧାଡ଼ି। ଧାଡ଼ି ହିଁ ତ ଜୀବନ, ତା’ର ଅନ୍ତ କାହିଁ? ଶେଷରେ ଆସେ ଜରିମାନା ଭରିବାର ଧାଡ଼ି। କାଉଣ୍ଟର ପାଖରେ ପହଞ୍ଚି ମନୁଷ୍ୟ ଜରିମାନା ପୈଠ କରି ଅତୃପ୍ତ ଓ ଭଗ୍ନ ହୃଦୟ ନେଇ ଧାଡ଼ିରୁ ବାହାରି ଚାଲିଯାଏ ଓ ତା’ପରେ ଜଳିଯାଇଥିବା ସମୟକୁ ପାଉଁଶ ଭିତରେ ସାରା ଜୀବନ ଅଣ୍ଡାଳି ହୁଏ।
ଅକ୍ଷର ସହିତ ଅକ୍ଷର ମିଶି ଧାଡ଼ି ବାନ୍ଧିଲେ ଶବ୍ଦଟିଏ ସୃଷ୍ଟି ହୁଏ। ଶବ୍ଦମାନେ ମିଶି ଧାଡ଼ି ବାନ୍ଧିଲେ ହୁଏ ଗୋଟିଏ ପଦ ଓ ପଦମାନଙ୍କ ଧାଡ଼ିରୁ ସୃଷ୍ଟି ହୋଇଯାଏ ଏକ ମହାକାବ୍ୟ। ଜୀବନକୁ ଧାଡ଼ିରେ ରଖି ମହାକାବ୍ୟଟିଏ ହୋଇପାରିଲେ ହିଁ ସାର୍ଥକତା ମିଳେ। ଶବ୍ଦର ଧାଡ଼ି ଯଦି ପୂର୍ଣ୍ଣଚ୍ଛେଦ ପାଖରେ ଅଟକି ରହିବ ଅଥବା ପ୍ରଶ୍ନଚିହ୍ନ ପାଖରେ ନିରୁଦ୍ଦିଷ୍ଟ ହେବ, ଅସଂପୂର୍ଣ୍ଣ ରହିଯିବ ଜୀବନର ମହାକାବ୍ୟ। ମନୁଷ୍ୟ ଏକଥା ବୁଝିପାରେନି। ଅଟକି ରହେ। ନିରୁଦ୍ଦିଷ୍ଟ ହୋଇ ଧାଡ଼ିରୁ ଅଲଗା ହୋଇଯାଏ। ଗୋଟିଏ ସରଳ ସତ୍ୟକୁ ଅଣଦେଖା କରେ। ବିଭ୍ରାନ୍ତିରେ ରହି ଭାବେ, ଧାଡ଼ିଟି ତା’ର ଆଗକୁ ବଢୁନି। ଧାଡ଼ି ବଦଳାଇ ଦେଇ ପାଖ ଧାଡ଼ିରେ ମିଶିଯାଏ। ହୁଏ କ’ଣ? ପୂର୍ବର ଧାଡ଼ି ଏଥର ଗତିଶୀଳ ହେବାପରି ଲାଗେ ଓ ନୂତନ ଧାଡ଼ିଟି ତା’ର ସ୍ଥିର ହୋଇଯାଏ। ଧାଡ଼ି ପରେ ଧାଡ଼ି ବଦଳାଇ ଅନନ୍ତକାଳ ପର୍ଯ୍ୟନ୍ତ ସେ ସିନା ଆଗକୁ ବଢୁଥାଏ, ସମୟ ତା’ର ଗୋଟିଏ ବିନ୍ଦୁରେ ସ୍ଥିର ରହିଯାଏ। କାଉଣ୍ଟର ତା’ ପାଇଁ ହୁଏ ଅପହଞ୍ଚ। ‘ୱକ୍ତ୍’ କବିତାରେ ଏଇ କଥା କୁହନ୍ତି କବି ଜାଭେଦ୍ ଅଖତର୍: “କତାର୍-ଅନ୍ଦର୍-କତାର୍, ଅପନି ଜଗହ୍ ଖଡି ହୁଁ, ୟେ ୱକ୍ତ୍ ଶାକିତ୍ ହୋ ଔର ହମ୍ ହି ଗୁଜର୍ ରହା ହୁଁ”। ଧାଡ଼ିରୁ ଅଲଗା ହୁଅନ୍ତୁନି, ଜୀବନର ଲକ୍ଷ୍ୟ ବାଟବଣା ହୋଇଯିବ।
[email protected]