ଗୋଟିଏ ଅଞ୍ଚଳରେ ଥରେ ବର୍ଷା ହେଲା ନାହିଁ। ଚାଷ ଜମି ପଡ଼ିଆ ପଡ଼ିଲା। ସେଠାକାର ଗାଁ ଲୋକେ କିନ୍ତୁ ଡରିଲେ ନାହିଁ। ସେମାନେ ଥିଲେ ଈଶ୍ବର ବିଶ୍ବାସୀ ଏବଂ ମନକୁ ମନ କହିଲେ ଯେ ଭଗବାନଙ୍କୁ ପ୍ରାର୍ଥନା କଲେ ସେ ବର୍ଷା କରାଇବେ। ତେଣୁ ସେମାନେ ହୋମ ଯଜ୍ଞ ଆଦି କଲେ। ମନ୍ଦିରରେ ଉତ୍ସବ ଆଦିର ଆୟୋଜନ କଲେ। କିନ୍ତୁ ବର୍ଷା ନ ହେବା ସତ୍ତ୍ବେ ଜଣେ ଚାଷୀ ଏ ସବୁଥିରେ ମନ ନ ଦେଇ ଚାଷ ଜମିକୁ ଗଲା। ଆଖପାଖରୁ ପାଣିର ବ୍ୟବସ୍ଥା କରି ଯାହିତାହି ହେଉ ପଛକେ ଚାଷର ବ୍ୟବସ୍ଥା କଲା। ସେଥିଲାଗି ହାଡ଼ଭଙ୍ଗା ପରିଶ୍ରମ କଲା। ଦିନ ଯାକର ପରିଶ୍ରମ ପରେ ସେ କେବଳ ଶୋଇ ଯାଉଥିଲା, ଏମିତି ନିଜେ କରୁଥିବା ସଂଜ ପ୍ରାର୍ଥନା କରିବାକୁ ଭୁଲି ଯାଉଥିଲା।

Advertisment

ଚାରି ମାସ ଗଲା। ଗାଁ ଯାକର ସବୁ ଜମି ପଡ଼ିଆ ପଡ଼ିଥିବା ବେଳେ ସେଇ ଚାଷୀର ଚକଡ଼ାରେ ଫସଲ ହେଲା। ଗାଁ ଲୋକେ ବର୍ଷାକୁ ଅପେକ୍ଷା କରି ନିରାଶ ହେଲେ।
ସେମାନେ ଜଣେ ସାଧୁଙ୍କୁ ପଚାରିଲେ- ଆମେ ଈଶ୍ବରଙ୍କୁ ଏତେ ପ୍ରାର୍ଥନା କରିବା ସତ୍ତ୍ବେ ଆମର ମନୋବାଞ୍ଛା ପୂରଣ ହେଲା ନାହିଁ କାହିଁକି?
ସାଧୁ କହିଲେ- ତୁମେମାନେ କି ପ୍ରାର୍ଥନା କଲ? କେବଳ ପ୍ରଭୁଙ୍କ ନାମ ନେଉଥିଲ ଯାହା! ତୁମେମାନେ ବୃତ୍ତିରେ ଚାଷୀ। ଥରେ ହେଲେ ଚାଷ କରିବାକୁ ଉଦ୍ୟମ କଲ କି? ଉଦ୍‌ଯୋଗ ମଧ୍ୟ ହେଉଛି ଗୋଟିଏ ପ୍ରକାର ପ୍ରାର୍ଥନା। ତୁମ ଭିତରେ ଉଦ୍‌ଯୋଗୀ ଚାଷୀ କେବଳ ମାତ୍ର ଜଣେ ଯାହାର ପ୍ରାର୍ଥନା ପ୍ରଭୁ ଶୁଣିଲେ। ପ୍ରଭୁ ପ୍ରାର୍ଥନା ଶୁଣନ୍ତି, କିନ୍ତୁ ପ୍ରାର୍ଥନା ବୋଲି ତୁମେ ଯାହା ବୁଝିଛ ସେଭଳି ପ୍ରାର୍ଥନା ନୁହେଁ। ପ୍ରଭୁ ସର୍ବଦା ଉଦ୍‌ଯୋଗୀ ପଛରେ ଛିଡ଼ା ହୋଇଥାଆନ୍ତି ଏବଂ ତାକୁ ଟିକିଏ ଆଗକୁ ‌େଠଲି ଦିଅନ୍ତି ଏବଂ ସେ ସଫଳକାମ ହୋଇଯାଏ।