‘ନେସନାଲ୍‌ ଷ୍ଟାଟିଷ୍ଟିକାଲ୍‌ ଅଫିସ୍‌’ (‘ଏନ୍‌ଏସ୍‌ଓ’) ଦ୍ବାରା ପ୍ରକାଶିତ ସବିଶେଷ ସୂଚନା ଅନୁସାରେ ଜୁନ୍‌ ମାସରେ ମଧ୍ୟ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର (ସିପିଆଇ) ପୁନରାୟ ନିରାପଦ ବିବେଚିତ ସ୍ତରରେ ରହିଥିଲା। ନିର୍ଦ୍ଧାରିତ ନିୟମ ଅନୁସାରେ ବାର୍ଷିକ ମୁଦ୍ରାସ୍ଫୀତି ହାରର ସର୍ବୋଚ୍ଚ ସହନ ସୀମା ୬ ଶତାଂଶ ହୋଇଥିବା ବେଳେ ଜୁନ୍‌ରେ ଏହି ହାର ଥିଲା ୪.୮୧ ଶତାଂଶ। ଏହା ଉଭୟ ସରକାର ଓ ରିଜର୍ଭ ବ୍ୟାଙ୍କ୍‌ ପାଇଁ ଆଶ୍ବସ୍ତିର କାରଣ ହେବା ଉଚିତ। କିନ୍ତୁ ଏହି ପରିସଂଖ୍ୟାନ ପଛରେ ଲୁଚି ରହିଥିବା କେତେକ କାରଣ ସେମାନଙ୍କ ପାଇଁ ଅାଶ୍ବସ୍ତି ସ୍ଥାନରେ ଅସ୍ବସ୍ତି ସୃଷ୍ଟି କରୁଥିବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଥମ କଥା ହେଲା, ଜୁନ୍‌ ମାସର ଏହି ମୁଦ୍ରାସ୍ଫୀତି ହାର ନିରାପଦ ବଳୟ (୨ ଶତାଂଶ-୬ ଶତାଂଶ) ମଧ୍ୟରେ ରହିଥିଲେ ହେଁ ମଇ ମାସର ୪.୩ ଶତାଂଶ ହାର ତୁଳନାରେ ଏହା ଅଧିକ ହୋଇଛି, ଅର୍ଥାତ୍‌ ପୂର୍ବ ମାସରେ ମୁଦ୍ରାସ୍ଫୀତି ହାରରେ ଘଟିଥିବା ନିମ୍ନଗତିରେ ପରିବର୍ତ୍ତନ ଘଟି ପୁଣି ଊର୍ଦ୍ଧ୍ବଗତି ଦେଖା ଦେଇଛି। କଳ୍ପନାଜଳ୍ପନା ପ୍ରକାଶ ପାଇଲାଣି ଯେ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ (ସୁଧ ହାର) ବୃଦ୍ଧିରେ ଯେଉଁ ବିରତି ନେଇଥିଲା, ମୁଦ୍ରାସ୍ଫୀତିର ପ୍ରତ୍ୟାବର୍ତ୍ତନ ଆଶଙ୍କାରେ ସେଥିରେ ଅନ୍ତ ଘଟାଇ ପୁଣି ପୂର୍ବର ବୃଦ୍ଧି ଧାରା ଅନୁସରଣ କରିପାରେ।

Advertisment

କିନ୍ତୁ ଯେଉଁ ଦ୍ବିତୀୟ କାରଣଟି ହେଉଛି ଅଧିକ ଚିନ୍ତାଜନକ, ତାହା ହେଲା ଏହି ଖାଉଟି ମୁଦ୍ରାସ୍ଫୀତିର ଅଂଶ ବିଶେଷ ହୋଇଥିବା ଖାଦ୍ୟଦ୍ରବ୍ୟ ମୁଦ୍ରାସ୍ଫୀତିର ଆଚରଣ। ପୂର୍ବ ମାସରେ ଏହି ସ୍ପର୍ଶକାତର ଦ୍ରବ୍ୟ‌ରେ ମୁଦ୍ରାସ୍ଫୀତି ହାର ୨.୯୬ ଶତାଂଶ ଥିବା ବେଳେ, ଜୁନ୍‌ରେ ତାହା ବୃଦ୍ଧି ପାଇ ହୋଇଛି ୪.୪୯ ଶତାଂଶ। ପୁଣି ଯଦି ନିର୍ଦ୍ଦିଷ୍ଟ ଖାଦ୍ୟ ଦ୍ରବ୍ୟମାନଙ୍କରେ ଘଟିଥିବା ଦରବୃଦ୍ଧି ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ତାହା ଆହୁରି ଦୁଶ୍ଚିନ୍ତା ବଢ଼ାଇ ଦିଏ। କାରଣ ଜନସାଧାରଣଙ୍କର ମୁଖ୍ୟ ଆହାର ଖାଦ୍ୟଶସ୍ୟରେ ଦରବୃଦ୍ଧି ହିଁ ଏହି ଖାଦ୍ୟ ମୁଦ୍ରାସ୍ଫୀତିକୁ ଅଧିକ ପ୍ରଭାବିତ କରିଛି। ଉଭୟ ଦୁଇ ମୁଖ୍ୟ ଖାଦ୍ୟଶସ୍ୟ ଚାଉଳ ଓ ଗହମରେ ମୁଦ୍ରାସ୍ଫୀତି ହାର ୧୨ ଶତାଂଶ ହୋଇଥିବା ବେଳେ ସମଗ୍ର ଖାଦ୍ୟଶସ୍ୟ ପାଇଁ ତାହା ହୋଇଛି ୧୩ ଶତାଂଶ। ମୁଖ୍ୟ ଡାଲି ହରଡ଼ରେ ମୁଦ୍ରାସ୍ଫୀତିରେ ବର୍ଦ୍ଧିଷ୍ଣୁ ଧାରା ଅବ୍ୟାହତ ରହି ହୋଇଛି ୨୭ ଶତାଂଶ। ଅପର ପକ୍ଷେ ପରିବାପତ୍ର ଦରରେ ଅତ୍ୟଧିକ ବୃଦ୍ଧି ଗଣମାଧ୍ୟମର ଶିରୋନାମା ମଣ୍ଡନ କରିବା ଦେଖାଯାଉଥିଲେ ହେଁ, ତାହା ଜୁନ୍‌ର ପରିସଂଖ୍ୟାନକୁ ପ୍ରଭାବିତ କରିନାହିଁ, ବରଂ ସେଥିରେ ମୁଦ୍ରାସ୍ଫୀତି ହୋଇଛି ଏକ ଋଣାତ୍ମକ (-) ୦.୯ ଶତାଂଶ। ଜୁଲାଇର ପରିସଂଖ୍ୟାନ ପରିବା ମୁଦ୍ରାସ୍ଫୀତି ଦ୍ବାରା ନିଶ୍ଚିତ ରୂପେ ପ୍ରଭାବିତ ହେବ। ତେବେ ପରିବା ଦରରେ ହ୍ରାସ ବୃଦ୍ଧି ମୁଖ୍ୟତଃ ଋତୁକାଳୀନ ହୋଇଥିବାରୁ ତାହା ସରକାର ଓ ରିଜର୍ଭ ବ୍ୟାଙ୍କ୍‌କୁ ଯେତିକି ଚିନ୍ତିତ କରୁନଥିବ, ଖାଦ୍ୟଶସ୍ୟରେ ମୁଦ୍ରାସ୍ଫୀତି ତା’ଠାରୁ ବହୁ ଅଧିକ ବିବ୍ରତ କରୁଥିବ। ବିଗତ ଏକ ବର୍ଷରୁ ଅଧିକ କାଳ ଧରି ଗହମରେ ମୁଦ୍ରାସ୍ଫୀତି ହାର ଦୁଇ ଅଙ୍କ ବିଶିଷ୍ଟ ହୋଇ ରହିଲାଣି।

‘ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା’ (‘ପିଡିିଏସ୍‌’) ମାଧ୍ୟମରେ ବଜାରର ଯୋଗାଣ ପାର୍ଶ୍ବରେ ହସ୍ତକ୍ଷେପ କରି ସରକାର ଗହମ ଦର ବୃଦ୍ଧିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ଚଳିତ ଅମଳ ଋତୁରେ ତଥା ଗତ ବର୍ଷ ମଧ୍ୟ ଯେତିକି ଗହମ ସଂଗ୍ରହ କରାଯାଇ ପାରିଛି, ତାହା ଦ୍ବାରା ‘ପିଡିଏସ୍‌’ ଆବଶ୍ୟକତା ପୂରଣ କରିବା କଷ୍ଟକର ହୋଇପାରେ। ସରକାର ଏ ବର୍ଷ ୩୪ ନିୟୁତ ଟନ୍‌ ଗହମ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିଲେ ହେଁ କେବଳ ୨୬ ନିୟୁତ ଟନ୍‌ ସଂଗ୍ରହ କରାଯାଇ ପାରିଛି। ଏହା ଯଥେଷ୍ଟ ପରିମାଣରେ ଗହମ ଉତ୍ପାଦିତ ନ ହେବା ଆଶଙ୍କାକୁ ଦୃଢ଼ୀଭୂତ କରୁଛି। ଚାଉଳ ପରିସ୍ଥିତି ମଧ୍ୟ ଚିନ୍ତାମୁକ୍ତ ବୋଲି କୁହାଯାଇ ପାରିବ ନାହିଁ। ସରକାରଙ୍କ ଗୋଦାମରେ ଅବଶ୍ୟ ଯଥେଷ୍ଟ ଚାଉଳ ମହଜୁଦ ଅଛି, କିନ୍ତୁ ମୌସୁମୀର ବର୍ତ୍ତମାନର ଆଚରଣ ଏ ବର୍ଷର ଉତ୍ପାଦନ ନେଇ ଆଶଙ୍କା ସୃଷ୍ଟି କରୁଛି।

ଏ ଯାବତ୍‌ ହାରାହାରି ମୌସୁମୀ ବୃଷ୍ଟିପାତ ସ୍ବାଭାବିକ ବା ନର୍ମାଲ୍‌ ଠାରୁ ଅଧିକ ହେବା ଦେଖାଯାଇଛି; କିନ୍ତୁ ଏହାର ଆଞ୍ଚଳିକ ବଣ୍ଟନ ସୁଷମ ନୁହେଁ। ଏହି ଉଚ୍ଚ ହାରାହାରି ମୂଲ୍ୟ ପଛରେ ନିହିତ ଥିବା ମୁଖ୍ୟ କାରଣ ହେଲା ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ହୋଇଥିବା ୬୨ ଶତାଂଶ ଅତିରିକ୍ତ (ନର୍ମାଲ୍‌ ଠାରୁ ଯେତିକି ଅଧିକ) ବୃଷ୍ଟିପାତ। ଏହି ଅଞ୍ଚଳରେ ଘଟିଥିବା ଅତି ବୃଷ୍ଟି ଦେଶର ଅନ୍ୟ ଅଞ୍ଚଳରେ ଦେଖାଯାଇଥିବା ନିଅଣ୍ଟିଆ ବୃଷ୍ଟିପାତର ପ୍ରଭାବକୁ ହଟାଇ ଦେଇ ହାରାହାରିକୁ ଉଠାଇ ଦେଇଛି। ଉଦାହରଣ ସ୍ବରୂପ ଦାକ୍ଷିଣାତ୍ୟରେ ବୃଷ୍ଟିପାତରେ ୨୩ ଶତାଂଶ ନିଅଣ୍ଟ ଦେଖାଯାଇଥିବା ବେଳେ ପୂର୍ବ ଭାରତରେ ଏହି ନିଅଣ୍ଟ ହୋଇଛି ୧୯ ଶତାଂଶ। ଏଠାରେ ବିଡ଼ମ୍ବନା ହେଲା ଏହା ଯେ ଉତ୍ତର-ପଶ୍ଚିମ ଭାରତରେ ଜଳସେଚନ ବ୍ୟବସ୍ଥା ପ୍ରାୟ ଅଧିକାଂଶ ଅଞ୍ଚଳରେ ଉପଲବ୍‌ଧ ଥିବାରୁ ଏଠାରେ ନିଅଣ୍ଟିଆ ବୃଷ୍ଟିପାତ ଯୋଗୁଁ ଧାନ ଉତ୍ପାଦନ ବାଧାପ୍ରାପ୍ତ ‌ହୁଏ ନାହିଁ; କିନ୍ତୁ ଅତିବୃଷ୍ଟି ଓ ତଜ୍ଜନିତ ବନ୍ୟା ସେଥିରେ କ୍ଷତି ଘଟାଇ ପାରେ। ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଥାଏ ଦକ୍ଷିଣ ଓ ପୂର୍ବ ଭାରତରେ।

ଦେଶର ଏହି ଅଞ୍ଚଳରେ ଧାନ ହେଉଛି ମୁଖ୍ୟ ଫସଲ କିନ୍ତୁ ଏଠାରେ ଜଳସେଚନ ବିକଶିତ ହୋଇ ନ ଥିବାରୁ ଧାନ ଚାଷ ମୁଖ୍ୟତଃ ବର୍ଷା ଜଳ ଉପରେ ନିର୍ଭର କରିଥାଏ। ପ୍ରକାଶିତ ସୂଚନା ଅନୁସାରେ ବୃଷ୍ଟି ଅଭାବରୁ ଜୁଲାଇ ୧୦ ସୁଦ୍ଧା ଗତବର୍ଷ ତୁଳନାରେ ଧାନ ବପନ ୧୩ ଶତାଂଶ କମ୍‌ ହୋଇଥିବା ଜଣାପଡ଼ିଛି। ଅବଶ୍ୟ ଆଗାମୀ ଦିନରେ ଏହି ବ୍ୟବଧାନ ପୂରଣ ହୋଇଯାଇପାରେ; କିନ୍ତୁ ଯଦି ‘ଏଲ୍‌ନିନୋ’ ପ୍ରଭାବ ଯୋଗୁଁ ଆଶଙ୍କା କରାଯାଉଥିବା ଭଳି ଏବର୍ଷ ବୃଷ୍ଟିହୀନତା ଦେଖାଦିଏ, ତାହା ଧାନ ଅମଳରେ କ୍ଷତି ଘଟାଇବ। ସେଇ ଭଳି ହରଡ଼ ଚାଷରେ ସଂକୋଚନ ୧୦ ଶତାଂଶ, ତୈଳ ବୀଜରେ ୧୦ ଶତାଂଶ ଓ ସୋୟାବିନ୍‌ରେ ୧୪ ଶତାଂଶ ହୋଇଥିବା ପ୍ରକାଶ ପାଇଛି। ଏହି କାରଣରୁ ଆଗାମୀ ସମୟରେ ଖାଦ୍ୟଶସ୍ୟରେ ମୁଦ୍ରାସ୍ଫୀତି ଉଚ୍ଚା ରହିବାର ଦୃଢ଼ ସମ୍ଭାବନା ଦେଖାଯାଉଛି। ଖାଦ୍ୟଶସ୍ୟ ଦର ଉଚ୍ଚା ହେଲେ ତାହା ଅନ୍ୟାନ୍ୟ ଖାଦ୍ୟଦ୍ରବ୍ୟ ଦରକୁ ପ୍ରଭାବିତ କରିଥାଏ। ଉଦାହରଣ ସ୍ବରୂପ ଏଥିଯୋଗୁଁ ଗୋ-ଖାଦ୍ୟ କିମ୍ବା କୁକୁଡ଼ାଦାନା ଦରରେ ବୃଦ୍ଧି ଘଟିବା ହେତୁ ଦୁଧ ଓ ଅଣ୍ଡା ଦରରେ ବୃଦ୍ଧି ଘଟିଥାଏ।

ଉଲ୍ଲେଖଯୋଗ୍ୟ ଜୁନ୍‌ରେ ଦୁଧରେ ମୁଦ୍ରାସ୍ଫୀତି ହାର ଥିଲା ୯ ଶତାଂଶ। ଦେଶରେ ଖାଉଟି ମୁଦ୍ରାସ୍ଫୀତି ନିୟନ୍ତ୍ରଣ ମଧ୍ୟରେ ରହିଲେ ମଧ୍ୟ ଯଦି ଖାଦ୍ୟ ମୁଦ୍ରାସ୍ଫୀତି ଉଚ୍ଚା ରହେ, ତା’ହେଲେ ‘ପିଡିଏସ୍‌’ ମାଧ୍ୟମରେ ବଣ୍ଟନ ଅବ୍ୟାହତ ରଖି ସରକାରଙ୍କୁ ନିମ୍ନ ଆୟ ବର୍ଗର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବାକୁ ହେବ। ତେବେ ଖାଦ୍ୟ ନିରାପତ୍ତା କେବଳ ଏତିକିରେ ସୀମିତ ନୁହେଁ, ନିମ୍ନ ଆୟବର୍ଗ ଯେପରି ସନ୍ତୁଳିତ ଆହାର କ୍ରୟ କରିବାକୁ ସକ୍ଷମ ହେବେ, ସେଥିପାଇଁ ସରକାରଙ୍କୁ ସେମାନଙ୍କ ପାଇଁ ଅଣ-କୃଷି ନିଯୁକ୍ତି ଓ ଆୟ ଅର୍ଜନ ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ପଡ଼ିବ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସରକାର ଏଥିପ୍ରତି ଅବହେଳା ପ୍ରଦର୍ଶନ କରିପାରିବେ ନାହିଁ। ତେଣୁ ମୌସୁମୀ ଏଥର କି ମୁଦ୍ରା ପରିଗ୍ରହଣ କରିବାକୁ ଯାଉଛି, ତାହା ହିଁ ମୁଦ୍ରାସ୍ଫୀତିର ଗତିକୁ ମୋଡ଼ ଦେବ ଓ ନୀତି ନିର୍ଦ୍ଧାରକମାନଙ୍କୁ ଉତ୍କଣ୍ଠିତ କରି ରଖିବ।