ଉନ୍ମାଦ ଓ ବିଷାଦର ଚକ୍ର

ଗହନ ମନର କଥା - ସଂଗୀତା ରଥ

ଏହି ବର୍ଷ ଜାନୁଆରି ୨୯ ତାରିଖ ଦିନ ଜଣେ ପୁଲିସ୍ ଏ.ଏସ୍.ଆଇ. ଗୋପାଳ ଦାସ ଡ୍ୟୁଟିରେ ଥିବା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ସର୍ବ ସମକ୍ଷରେ ଗୁଳି କରି ହତ୍ୟା କଲେ। ଏହା ରାଜ୍ୟରେ ଚହଳ ସୃଷ୍ଟି କଲା। ଏତିକି ବେଳେ ଖବର ବାହାରିଲା ଯେ ଗୋପାଳ ଦାସ ‘ବାଇପୋଲାର୍‌ ଡିସ୍‌ଅର୍ଡର’ରେ ଆକ୍ରାନ୍ତ ହୋଇ ପୂର୍ବରୁ ଚିକିତ୍ସିତ ହେଉଥିଲେ। ଅବଶ୍ୟ, ପରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସୂଚନା ଦେଇଥିଲେ ଯେ ସେ ମାନସିକ ସ୍ତରରେ ସୁସ୍ଥ। ତେବେ ସେ ଯାହା ହୋଇଥାଉ ନା କାହିଁକି ଏହି ଘଟଣା ପରେ ସାଧାରଣ ଲୋକଙ୍କ ଭିତରେ ‘ବାଇପୋଲାର ଡିସ୍‌ଅର୍ଡର’ ବିଷୟରେ ଜାଣିବା‌ ଲାଗି ଜିଜ୍ଞାସା ଜନ୍ମିଛି, ଯାହାର ଉତ୍ତର ଦେବା ଏହି ଆଲେଖ୍ୟର ଉଦ୍ଦେଶ୍ୟ।
‘ବାଇପୋଲାର ଡିସ୍ଅର୍ଡର’କୁ ‘ଉନ୍ମାଦ-ବିଷାଦ ରୋଗ’ ବା ‘ଭାବଜନିତ ବିକୃତି’ (ମାନିକ୍ ଡିପ୍ରେସିଭ୍ ସାଇକୋସିସ୍‌ ବା ମୁଡ୍‌ ଡିସ୍‌ଅର୍ଡର୍) ବୋଲି ମଧ୍ୟ କୁହାଯାଏ। ଏହା ଏକ ଆବେଗିକ ବିକୃତି ଯେଉଁଥିରେ ଉନ୍ମାଦ ଓ ବିଷାଦ କ୍ରମାନ୍ୱୟରେ ଦେଖାଯାଏ। ବ୍ୟକ୍ତି କିଛି ସମୟ ଅତ୍ୟନ୍ତ ଉଲ୍ଲସିତ ଏବଂ କିଛି ସମୟ ଅତ୍ୟଧିକ ବିଷାଦଗ୍ରସ୍ତ ଅବସ୍ଥାରେ ରହୁଥିବାରୁ ଏବଂ ବ୍ୟକ୍ତିର ଆବେଗ ଦୁଇଟି ଧ୍ରୁବ ବା ପ୍ରାନ୍ତ ବା ଇଂରେଜୀ ଭାଷାରେ ‘ପୋଲ୍‌’ ମଧ୍ୟରେ ଏପଟ ସେପଟ ହେଉଥିବାରୁ ଏହାକୁ ‘ଦ୍ୱିପ୍ରାନ୍ତୀୟ ବିକୃତି’ ବୋଲି ମଧ୍ୟ କୁହାଯାଏ। ଏଭଳି ସ୍ଥଳେ ଉନ୍ମାଦ ବା ବିଷାଦ ଅବସ୍ଥା ଛଅ ମାସ ପର୍ଯ୍ୟନ୍ତ ରହିପାରେ ବା ଅଳ୍ପ ଦିନ ବ୍ୟବଧାନରେ ପଟ ପରିବର୍ତ୍ତନ କରିପାରେ। ତେବେ, ଅଳ୍ପ କେତେକ କ୍ଷେତ୍ରରେ ଏକ ସମୟରେ ଉଭୟ ଉନ୍ମାଦ ଓ ବିଷାଦ ଅବସ୍ଥା ମଧ୍ୟ ଦେଖାଯାଇଥାଏ। କେତେକ ବ୍ୟକ୍ତିଙ୍କ ଠାରେ କେବଳ ଉଲ୍ଲାସ ବା କେବଳ ବିଷାଦ ଅବସ୍ଥା ଦେଖା ଦେଇପାରେ, ଯାହାର ଚକ୍ରାକାର ପରିବର୍ତ୍ତନ ହୋଇ ନ ଥାଏ। ଏପରି ବ୍ୟକ୍ତିଙ୍କୁ ‘ଏକ-ପ୍ରାନ୍ତୀୟ ବିକୃତି’ (ୟୁନିପୋଲାର୍ ଆଫେକ୍ଟିଭ୍ ଡିସ୍‌ଅର୍ଡର୍‌)ରେ ପୀଡ଼ିତ ବୋଲି କୁହାଯାଇଥାଏ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆକଳନ ଅନୁଯାୟୀ ୨୦୧୯ ମସିହା ସୁଦ୍ଧା ବିଶ୍ୱରେ ଚାଳିଶ ନିୟୁତ ବ୍ୟକ୍ତି ଏହି ବିକୃତିରେ ଆକ୍ରାନ୍ତ। ଭାରତରେ ପ୍ରତି ଦେଢ଼ ଶହ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଏଥିରେ ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଇଛି। ତେବେ, ସଚେତନତାର ଅଭାବରୁ ୭୦%ରୁ ଅଧିକ ବ୍ୟକ୍ତି ଏଥିରେ ଆକ୍ରାନ୍ତ ବୋଲି ଜଣା ପଡ଼ି ନ ଥାଏ।

ଉନ୍ମାଦନା ଅବସ୍ଥାରେ ବ୍ୟକ୍ତି ଅତ୍ୟନ୍ତ ଉତ୍‌ଫୁଲ୍ଲିତ ହୋଇ ରହେ; ଅଫୁରନ୍ତ ଶକ୍ତି ଓ ଆନନ୍ଦ ଉଲ୍ଲାସରେ ମନ ଭରିଯାଏ ଏବଂ କଥାବାର୍ତ୍ତାରେ ଏକରକମର ଚିତ୍ତ ଚାଞ୍ଚଲ୍ୟ ପରିଦୃଷ୍ଟ ହୋଇଥାଏ। ସେ ବହୁ ଲୋକଙ୍କ ସହିତ କଥାବାର୍ତ୍ତା କରିବାକୁ ଭଲ ପାଏ, ଅତ୍ୟଧିକ ଖର୍ଚ୍ଚ କରେ, ବହୁ ଯୋଜନା ପ୍ରସ୍ତୁତ କରେ। ଅନେକ ଭାବନା ଏକା ସାଙ୍ଗରେ ଆସୁଥିବାରୁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ବା କାର୍ଯ୍ୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିପାରେ ନାହିଁ। ଗୋଟିଏ କାର୍ଯ୍ୟ ସଂପୂର୍ଣ୍ଣ ହେବା ପୂର୍ବରୁ ଆଉ ଗୋଟିଏ କାର୍ଯ୍ୟ କରିବାକୁ ଆରମ୍ଭ କରେ। ରାତି ଦିନ ଶୁଏ ନାହିଁ। ଦିନକୁ ଦୁଇ ଘଣ୍ଟା ଶୋଇଲେ ମଧ୍ୟ କ୍ଳାନ୍ତି ଅନୁଭବ କରେ ନାହିଁ। ଭଲ ଖାଦ୍ୟ ଓ ଉତ୍ତମ ପୋଷାକ ପାଇଁ ସେ ମନ ବଳାଏ। ମଦ୍ୟ ପାନ କରିବା ବା ଯୌନ ଲିପ୍‌ସା ଚରିତାର୍ଥ କରିବାର ଇଚ୍ଛା ତା’ ମନରେ ପ୍ରବଳ ହୋଇଥାଏ। ଏଭଳି ଚିତ୍ତ ତାରଲ୍ୟ ଓ ଚାଞ୍ଚଲ୍ୟ କାରଣରୁ ସେ ନିବିଷ୍ଟ ପର୍ଯ୍ୟବେକ୍ଷଣ କରିବାର ସାମର୍ଥ୍ୟ ହରାଏ। ତରବରିଆ ନିଷ୍ପତ୍ତି ନେବା ସହିତ ଭବିଷ୍ୟତ ନେଇ ଅବାସ୍ତବ ଭାବରେ ଆଶାବାଦୀ ହୋଇଥାଏ। ଏହି ସମୟରେ ସେ ବହୁ ବିପଦପୂର୍ଣ୍ଣ କାର୍ଯ୍ୟରେ ଲିପ୍ତ ରହିପାରେ ଏବଂ ସେଥିରେ କେହି ବାଧା ସୃଷ୍ଟି କଲେ ସେ ହିଂସ୍ର ହୋଇ ଉଠେ। କେତେକ ବ୍ୟକ୍ତି ଭ୍ରମ (ହାଲ୍ୟୁସିନେସନ୍) ଓ ଭ୍ରାନ୍ତି (ଡିଲ୍ୟୁଜନ୍)ର ଶିକାର ହୋଇ ନିଜକୁ ରାଧା, କୃଷ୍ଣ ବା ବିଶିଷ୍ଟ ବୈଜ୍ଞାନିକ ବା ସେଭଳି କିଛି ବୋଲି ଭାବି ବସନ୍ତି। ଅନବରତ କଥା କହିବା, ଅଶ୍ଳୀଳ ଶବ୍ଦ ବ୍ୟବହାର କରିବା, ବଡ଼ ପାଟିରେ ଗପିବା, ନାଚି ନାଚି ଆସିବା, ଅଯଥା ଯୁକ୍ତିତର୍କ କରିବା ଆଦି ଲକ୍ଷଣ ଏମାନଙ୍କ ଠାରେ ଦେଖାଯାଏ। ତାକୁ ଏହି ସବୁ ଅସ୍ବାଭାବିକତା ବିଷୟରେ କହିଲେ ସେ ରାଗି ଉଠେ; କାରଣ ଏଭଳି ଅସ୍ବାଭାବିକତାକୁ ସେ ଉପଲବ୍‌ଧି କରି ନ ଥାଏ।

ବିଷାଦ ଅବସ୍ଥାରେ ରୋଗୀ ଉଲ୍ଲସିତ ଅବସ୍ଥାର ବିପରୀତ ଲକ୍ଷଣ ମାନ ଦେଖାଏ, ଯାହା ତା’ର ମୁଖମଣ୍ଡଳ, ଚାଲିଚଳଣ, କଥାବାର୍ତ୍ତାରୁ ଜାଣିହୁଏ। ରୋଗୀ କ୍ଳାନ୍ତଶ୍ରାନ୍ତ ଓ ମ୍ରିୟମାଣ ହୋଇ ରହେ। ତାହାର ଶକ୍ତି ହ୍ରାସ ପାଇଥିବା ପରି ସେ ଅନୁଭବ କରେ। କୌଣସି କାର୍ଯ୍ୟ କରିବା ପାଇଁ ତା’ର ଆଗ୍ରହ କି ଉତ୍ସାହ ଓ ଉତ୍ତେଜନା ଆସି ନଥାଏ। ଛୋଟ ଛୋଟ କଥାରେ ସେ କାନ୍ଦିଥାଏ। ନିଦ୍ରା ଯିବାରେ ସେ ଅସୁବିଧା ଭୋଗ କରିବା ସହିତ ଖାଦ୍ୟ ଗ୍ରହଣ ଓ ଯୌନ କାର୍ଯ୍ୟକାଳାପରେ ତା’ର ଆଦୌ ଆଗ୍ରହ ପ୍ରକାଶ ପାଏ ନାହିଁ। ସେ ନିଃସଙ୍ଗ ରହିବାକୁ ଭଲ ପାଏ। ସେ ସ୍ପଷ୍ଟ ଭାବରେ ଚିନ୍ତା କରିପାରେ ନାହିଁ ଏବଂ ତା’ ଏକାଗ୍ରତାରେ ଅଭାବ ଦେଖା ଦିଏ। ନକାରାତ୍ମକ ଭାବନା ଏବଂ ଜୀବନ ଅର୍ଥହୀନ ବୋଲି ଏକ ଧାରଣା ତା’ ମନରେ ଜମାଟ ବାନ୍ଧେ। କେବେକେବେ ସେ ଭ୍ରାନ୍ତ ଧାରଣା ପୋଷଣ କରିଥାଏ ଯେ ଲୋକେ ତା’ ବିରୋଧରେ ଚକ୍ରାନ୍ତ କରୁଛନ୍ତି। ଏହି ସମୟରେ ଅଧିକାଂଶ ଲୋକଙ୍କ ମନରେ ଆତ୍ମହତ୍ୟା କରିବାର ବିଚାର ଆସିଥାଏ ଏବଂ ୧୫ରୁ ୨୦ ପ୍ରତିଶତ ବ୍ୟକ୍ତି ଏଭଳି ସ୍ଥିତିରେ ଆତ୍ମହତ୍ୟା କରି ପକାନ୍ତି ମଧ୍ୟ!

ଇତିହାସରୁ ଜଣାପଡ଼େ ଯେ ବହୁ ବିଖ୍ୟାତ ବ୍ୟକ୍ତି ଦ୍ୱି-ପ୍ରାନ୍ତୀୟ ବିକୃତିରେ ପୀଡ଼ିତ ଥିଲେ। ନୋବେଲ୍ ଏବଂ ପୁଲିଜର୍‌ ପୁରସ୍କାର ବିଜେତା ପ୍ରସିଦ୍ଧ ଆମେରିକୀୟ ଔପନ୍ୟାସିକ ଆର୍ନେଷ୍ଟ ହେମିଂୱେ ଏହାର ଏକ ବଡ଼ ଉଦାହରଣ। ତାଙ୍କର ବାପା, ଭାଇ, ଭଉଣୀ ଏବଂ ତାଙ୍କର ଖ୍ୟାତନାମା ସୁପର ମଡେଲ ଏବଂ ଅଭିନେତ୍ରୀ ନାତୁଣୀ ମାର୍ଗିସ୍କ ହେମିଂୱେ ଭଳି ପରିବାରର ସାତ ଜଣ ସଦସ୍ୟ ଏହି ରୋଗରେ ପୀଡ଼ିତ ଥିଲେ। ୧୯୬୧ ମସିହାରେ ମୁଣ୍ଡରେ ଗୁଳି ଫୁଟାଇ ମାତ୍ର ଏକଷଠି ବର୍ଷ ବୟସରେ ଅର୍ନେଷ୍ଟ ହେମିଂୱେ ଆତ୍ମହତ୍ୟା କରିଥିଲେ। ଏହି ରୋଗରେ ପୀଡ଼ିତ ତାଙ୍କ ପରିବାରର ସଦସ୍ୟମାନେ ମଧ୍ୟ ଭିନ୍ନ ଭିନ୍ନ ସମୟରେ ଆତ୍ମହତ୍ୟା କରିଥିଲେ। ବିଂଶ ଶତାବ୍ଦୀର ଅତ୍ୟନ୍ତ ପ୍ରଭାବଶାଳୀ ରାଜନେତା, ୧୯୫୩ ମସିହାରେ ନୋବେଲ ପୁରସ୍କାର ବିଜୟୀ, ୪୩ଟି ପୁସ୍ତକର ରଚୟିତା ଇଂଲାଣ୍ଡର ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲ ମଧ୍ୟ ଏହି ବିକୃତିର ଶିକାର ଥିଲେ ବୋଲି ବିଶ୍ୱାସ କରାଯାଏ। ତାଙ୍କୁ ଚିକିତ୍ସା କରୁଥିବା ଚିକିତ୍ସକ ଲର୍ନ ମୋରାନ୍‌ଙ୍କ ତାଙ୍କ ଡାଏରିରେ ଳେଖିଛନ୍ତି ଯେ ଚର୍ଚ୍ଚିଲ୍ ନିଜର ବିଷାଦାବସ୍ଥାକୁ ‘ବ୍ଲାକ୍‌ଡଗ୍’ ବୋଲି ଅଭିହିତ କରିଥିଲେ।

ତାଙ୍କ ଠାରେ ‘ବାଇ‌େପାଲାର୍‌ ଡିସଅର୍ଡର’ର ଶାସ୍ତ୍ରୀୟ ଲକ୍ଷଣମାନ ଦେଖିବାକୁ ମିଳିଥିଲା। ବିଂଶ ଶତାବ୍ଦୀର ପ୍ରସିଦ୍ଧ ନାରୀବାଦୀ ଇଂରେଜୀ ଔପନ୍ୟାସିକା ଭର୍ଜିନିଆ ଉଲ୍‌ଫ ଏହି ବିକୃତିରେ ପୀଡ଼ିତ ଥିଲେ। ତାଙ୍କର ମନୋଦଶାର ଘନ ଘନ ପରିବର୍ତ୍ତନ ହେଉଥିଲା। ୧୯୪୧ ମସିହାରେ ଅତିଶୟ ବିଷାଦଗ୍ରସ୍ତ ହୋଇ ସେ ପାଣିରେ ବୁଡ଼ି ଆତ୍ମହତ୍ୟା କରିଥିଲେ। ସେତେବେ‌ଳକୁ ତାଙ୍କର ବୟସ ଥିଲା ମାତ୍ର ମାତ୍ର ଅଣଷଠି ବର୍ଷ। ଡି.ଜେ. ହର୍ଷମାନ୍ ଏବଂ ମାନସିକ ରୋଗ ଚିକିତ୍ସକ ଜେ. ଲିବଙ୍କ ଦ୍ୱାରା ଲିଖିତ ପ୍ରସିଦ୍ଧ ପୁସ୍ତକ ‘ଦି କି ଟୁ ଜିନିଅସ୍, ମାନିକ୍ ଡିପ୍ରେସନ୍ ଆଣ୍ଡ ଦି କ୍ରିଏଟିଭ ଲାଇଫ୍’ (୧୯୮୮)ରେ ବିଶ୍ୱପ୍ରସିଦ୍ଧ ବୈଜ୍ଞାନିକ ଆଇଜାକ୍ ନିଉଟନ୍, ବିଶ୍ୱବିଖ୍ୟାତ ଇଂରେଜ ଲେଖକ ଚାର୍ଲସ ଡିକେନ୍‌ସ, ଜର୍ମାନ ସଂଗୀତକାର ଓ ପିଆନୋ ବାଦକ ବିଥୋଭେନ୍ ଏବଂ ଡଚ୍ ଚିତ୍ରକର ଭିନ୍‌ସେଣ୍ଟ ଭାନ୍‌ ଗଗ୍‌ଙ୍କ ଭଳି ବିଶିଷ୍ଟ ବ୍ୟକ୍ତିମାନେ ଦ୍ୱି-ପ୍ରାନ୍ତୀୟ ବିକୃତିର ଶିକାର ଥିଲେ। କିନ୍ତୁ, ତା’ ସତ୍ତ୍ୱେ ସେମାନେ କିପରି ନିଜର ଅସାଧାରଣ ପ୍ରତିଭାର ପରିପ୍ରକାଶ କରି ପାରିଥିଲେ, ତାହା ପୁସ୍ତକରେ ବର୍ଣ୍ଣିତ ହୋଇଅଛି। ବ୍ରିଟିସ ମନୋଚିକିତ୍ସକ ଆନ୍ଥୋନୀ ଷ୍ଟରଙ୍କର ପୁସ୍ତକ ‘ଡାଇନାମିକ୍‌ସ ଅଫ୍ କ୍ରିଏସନ’ (୧୯୭୭)ରେ ନିଉଟନ୍‌ଙ୍କ ମାନସିକ ସମସ୍ୟା ସମ୍ବନ୍ଧରେ ବହୁ ଆଲୋଚନା କରାଯାଇଛି। ଏମାନଙ୍କ ବ୍ୟତୀତ ଆମେରିକାର ରାଜନୀତିଜ୍ଞ ପାଟ୍ରିକ୍ ଜେ. କେନେଡି, ଗାୟିକା ବ୍ରିଟ୍‌ନି ସ୍ପିଅରସ୍, ଭାରତୀୟ ଗାୟକ ୟୋ ୟୋ ହନି ସିଂହ, ଟେଲିଭିଜନ ଅଭିନେତ୍ରୀ ଶ୍ୟାମା ସିକଦାର, ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମଧ୍ୟ ଏହି ଦ୍ୱି-ପ୍ରାନ୍ତୀୟ ବିକୃତିରେ ପୀଡ଼ିତ ଥିଲେ। କୁହାଯାଏ ‘ୱାର ଆଣ୍ଡ୍ ପିସ୍’ ପୁସ୍ତକର ରଚୟିତା କାଳଜୟୀ ରୁଷ ଲେଖକ ଲିଓ ଟଲଷ୍ଟୟ, ଆମେରିକାର ରାଷ୍ଟ୍ରପତି ଆବ୍ରାହାମ୍ ଲିଙ୍କନ୍ ଏକ-ପ୍ରାନ୍ତୀୟ ବିକୃତିରେ ପୀଡ଼ିତ ଥିଲେ ଏବଂ ସମୟ ସମୟରେ ଅତ୍ୟଧିକ ବିଷାଦଗ୍ରସ୍ତ ହୋଇ ପଡୁଥିଲେ। ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋଣ ଏବଂ ମନୀଷା କୋଇରାଲା ମଧ୍ୟ ଅତିଶୟ ବିଷାଦଗ୍ରସ୍ତ ହେବା ପରେ କିପରି ଏହି ଅବସ୍ଥାରୁ ମୁକ୍ତି ପାଇଥିଲେ ତା’ର ଖୋଲାଖୋଲି ଆଲୋଚନା କରି ଏ ସଂପର୍କରେ ସଚେତନତା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି।

ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ମାନସିକ ସମସ୍ୟା ଅଧିକ ଲୋକଲୋଚନକୁ ଆସେ। ସାଧାରଣ ଲୋକମାନେ ବହୁଳ ଭାବରେ ଏପରି ମାନସିକ ସମସ୍ୟାର ସମ୍ମୁଖୀନ ହେଉଥିଲେ ମଧ୍ୟ ସଚେତନତାର ଅଭାବରୁ ପରିବାରର ସଦସ୍ୟମାନେ ରୋଗର ଲକ୍ଷଣକୁ ଧରି ପାରନ୍ତି ନାହିଁ। ଅଧିକାଂଶ ଆତ୍ମହତ୍ୟା କରୁଥିବା ବ୍ୟକ୍ତି ଅବସାଦଗ୍ରସ୍ତ ଥାଆନ୍ତି। ଦୀର୍ଘକାଳୀନ ମାନସିକ ଅବସାଦ ଆତ୍ମହତ୍ୟାର ପ୍ରମୁଖ କାରଣ ହୋଇଥିବା ବେଳେ ଆତ୍ମହତ୍ୟା କରିବା ପୂର୍ବରୁ ଅବସାଦଗ୍ରସ୍ତ ବ୍ୟକ୍ତି ଆତ୍ମହତ୍ୟା କରିବା ନେଇ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସୂଚନା ମାନ ଦେଇଥାଏ।

ଏହା ସତ୍ତ୍ୱେ ପରିବାରର ସଦସ୍ୟ ମାନେ ବା ନିକଟବର୍ତ୍ତୀ ଲୋକେ ଏହାକୁ ବୁଝି ନପାରି କୌଣସି ନିର୍ଦ୍ଦିଷ୍ଟ ଘଟଣା ସହିତ ଆତ୍ମହତ୍ୟାକୁ ଯୋଡ଼ନ୍ତି ବା ଏହା ଏକ ହତ୍ୟାକାଣ୍ଡ ହୋଇପା‌େର ବୋଲି ସନ୍ଦେହ ମଧ୍ୟ ପ୍ରକଟ କରନ୍ତି।
ଏହି ବିକୃତି ମୁଖ୍ୟତଃ ବଂଶଗତ ବା ଜିନ୍‌ଗତ ହୋଇଥାଏ। ଆନୁବଂଶିକ ହୋଇଥିବା କାରଣରୁ ପରିବାରର କୌଣସି ସଦସ୍ୟଙ୍କର ଏପରି ମାନସିକ ସମସ୍ୟା ଥିଲେ ଅନ୍ୟ ସଦସ୍ୟମାନଙ୍କର ଏଥିରେ ପୀଡ଼ିତ ହେବାର ସମ୍ଭାବନା ଅଧିକ ରହିଥାଏ। କୌଣସି ବ୍ୟକ୍ତି ଭୟଙ୍କର ଚାପର ସମ୍ମୁଖୀନ ହେଲେ ବା ଅତିଶୟ ଦୁଃଖପୂର୍ଣ୍ଣ ଘଟଣାର ସାମନା କଲେ ଅଥବା ନିଶା ଦ୍ରବ୍ୟ ସେବନ କଲେ କିମ୍ବା ଥାଇରଏଡ୍ ଗ୍ରନ୍ଥିର ସ୍ରାବରେ ହ୍ରାସ ଘଟିଲେ ଏହି ମାନସିକ ସମସ୍ୟା ପରିଲକ୍ଷିତ ହେବାର ସମ୍ଭାବନା ବଢ଼ିଯାଏ। ତା’ ଛଡ଼ା ମସ୍ତିଷ୍କରେ କୌଣସି ପରିବର୍ତ୍ତନ ବା ଦୁର୍ଘଟଣା କାରଣରୁ ମସ୍ତିଷ୍କ ଆଘାତ ପାଇଲେ ମଧ୍ୟ ଏଭଳି ବିକୃତି ଦେଖା ଯାଇପାରେ। ଡୋପାମାଇନ୍, ସେରୋଟୋନିନ୍ ଏବଂ ଏପିନେଫ୍ରାଇନ୍ ପରି ସ୍ନାୟୁ-ସଂଚାରକ (ନ୍ୟୁରୋ ଟ୍ରାନ୍‌ସମିଟର୍) ଗୁଡ଼ିକର ମାତ୍ରା କମିଗଲେ ମାନସିକ ଅବସାଦ ଦେଖାଯାଏ। ଏଭଳି ଅତିଶୟ ଅବସାଦ ବା ଉନ୍ମାଦର ଲକ୍ଷଣ ଦେଖାଗଲେ ତୁରନ୍ତ ମନୋଚିକିତ୍ସକଙ୍କର ସାହାଯ୍ୟ ନେବା ଦରକାର। ଏହାର ଉନ୍ନତ ଚିକିତ୍ସା‌ ଏବେ ଉପଲବ୍‌ଧ।

ତେବେ, ଏହି ବିକୃତି ଜୀବନ ସାରା ରହୁଥିବାରୁ ଲକ୍ଷଣଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ପାଇଁ ସବୁ ବେଳେ ଚିକିତ୍ସାରେ ରହିବାକୁ ପଡ଼େ। ଉପଯୁକ୍ତ ଚିକିତ୍ସା ଲାଭ କଲେ ଜଣେ ବ୍ୟକ୍ତି ଏକ ସ୍ୱାଭାବିକ, ସୁନ୍ଦର ଓ ଅର୍ଥପୂର୍ଣ୍ଣ ଜୀବନ ନିର୍ବାହ କରିପାରିବ।
ମୋ: ୯୪୩୭୫୭୭୨୧୧

ସମ୍ବନ୍ଧିତ ଖବର