କେମିତି ଅଭିଜ୍ଞ ଶିକ୍ଷକ ମଧ୍ୟ ଶ୍ରେଣୀକୁ ଯିବା ପୂର୍ବରୁ ଦୀର୍ଘ ପ୍ରସ୍ତୁତି କରିଥାନ୍ତି, ତା’ର କେତୋଟି ଉଦାହରଣ କିଛି ମାସ ତଳେ ପ୍ରକାଶିତ ଏକ ଲେଖାରେ ରଖିଥିଲି। ତାକୁ ପଢ଼ି ଜଣେ ପାଠକ ଏହି ଅଳ୍ପ ଦିନ ତଳେ ମୋ ସହ ଯୋଗାଯୋଗ କଲେ। ସାଧାରଣତଃ ସମ୍ବାଦପତ୍ରରେ ପ୍ରକାଶିତ ଲେଖାମାନ ସ୍ବଳ୍ପାୟୁ। ତେଣୁ, ଏକ ପୁରୁଣା ଲେଖାକୁ ନେଇ ପାଠକଙ୍କ ସଦ୍ୟ ମତାମତ ମୋତେ ବିଷୟଟିକୁ ସଂପ୍ରସାରିତ କରିବାକୁ ଆଗ୍ରହୀ କଲା।
ସେ ବୃତ୍ତିରେ ଜଣେ ଶିକ୍ଷକ; ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ରସାୟନ ଶାସ୍ତ୍ର ପଢ଼ାନ୍ତି। ତାଙ୍କ କହିବା କଥା, ପ୍ରତିଦିନ ସେ ପର ଦିନ ପାଇଁ ପାଠ ପ୍ରସ୍ତୁତି କରନ୍ତି। ତାଙ୍କ ଅବସାଦର କାରଣ ହେଲା: ଏଥିପାଇଁ ସେ ଘରେ ପତ୍ନୀଙ୍କର ଝିଙ୍ଗାସ ଶୁଣନ୍ତି ଯେ ସେଥି ଯୋଗୁଁ ଘର କାମ ଅବହେଳିତ ହେଉଛି। ସହକର୍ମୀମାନେ ମଧ୍ୟ ଅନେକ ସମୟରେ ପରୋକ୍ଷରେ ବା ପ୍ରତ୍ୟକ୍ଷରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦିଅନ୍ତି। ତା’ ସହିତ ଆଉ ଯାହା ଘଟେ ତାହା ହେଲା, ସେ ନିଜେ ଯେତିକି ଯାହା ପ୍ରସ୍ତୁତ ହୋଇଥାନ୍ତି, ତାହା କ୍ଲାସ୍‌ରେ ପରଷି ସାରିଲା ପରେ ଲାଗେ ଯେମିତି ଅଧା ରହିଗଲା; ପୂର୍ଣ୍ଣ ସନ୍ତୋଷ ମିଳେନା। ଏହି ଆଧାରରେ ସେ ଧରି ନେଇଥିଲେ ଯେ ତାଙ୍କ ବିଦ୍ୟା ବା ବୁଦ୍ଧି ବୋଧହୁଏ ଊଣା ଶ୍ରେଣୀୟ! ଏହା ତାଙ୍କ ଆତ୍ମବିଶ୍ବାସରେ ହାନି ଘଟାଇଥିଲା। ଲେଖାଟି ପଢ଼ି ଏବେ ସେ ଖୁସି ଯେ ଅଭିଜ୍ଞ ଶିକ୍ଷକମାନେ ମଧ୍ୟ ଏହି ରକମର ଦୀର୍ଘ ପ୍ରସ୍ତୁତି କରିଥାନ୍ତି। କେବଳ ଶିକ୍ଷକ କାହିଁକି, ସୃଜନଶୀଳ ଲେଖକ ବା ଅଭିନେତା ମଧ୍ୟ ଲେଖିବା ଓ ମଞ୍ଚ ପ୍ରବେଶ କରିବା ପୂର୍ବରୁ ଦୀର୍ଘ ପ୍ରସ୍ତୁତି କରିଥାନ୍ତି।

Advertisment

ଲେଖାଟି ପଢ଼ିବା ପରେ ତାଙ୍କ ଆଖପାଖରେ ଏଭଳି ଉଦାହରଣମାନ ରହିଥିବା କଥା ସେ ଅନୁଭବ କଲେ। ଆଗରୁ ତାହା ହୃଦୟଙ୍ଗମ କରିଥିଲେ ହୁଏ’ତ କୌଣସି ଲେଖକଙ୍କୁ ସେ ପଚାରିଥାନ୍ତେ ଗପ କି ଉପନ୍ୟାସଟିଏ ‘ଫାଇନାଲ’ କରିବା ଆଗରୁ ପାଣ୍ତୁଲିପିର ସେ କେତେ ଥର ‘ଡ୍ରାଫ୍‌ଟ’ କରିଥିଲେ; ହୁଏତ ତହିଁରୁ ସେ ପ୍ରସ୍ତୁତିର ଶ୍ରମ ବିଷୟରେ ଜାଣି ଥାଆନ୍ତେ, ଯାହା ତାଙ୍କୁ ମଧ୍ୟ ପ୍ରେରଣା ଦେଇ ଥାଆନ୍ତା!

ବଙ୍ଗଳା ଲେଖିକା ଆଶାପୂର୍ଣ୍ଣା ଦେବୀ (୧୯୦୯-୧୯୯୫)ଙ୍କ ରଚନା ସମଗ୍ର ଦଶ ଖଣ୍ତରେ ପ୍ରକାଶିତ। ଉପନ୍ୟାସ ‘ପ୍ରଥମ ପ୍ରତିଶ୍ରୁତି’ ପାଇଁ ସେ ୧୯୭୬ରେ ‘ଜ୍ଞାନପୀଠ’ ପୁରସ୍କାର ଲାଭ କରିଥିଲେ। ଏତେ ପୋଖତ ହେଲା ପରେ ବି ଗୋଟାଏ ଲେଖାରେ ସେ ଲେଖିଥିଲେ, ‘ମୁଁ ଯାହା ଦେଖିଲି, ତାହା କ’ଣ ସବୁତକ ଲେଖି ପାରିଲି?’ ବୋଧହୁଏ ପ୍ରତ୍ୟେକ ସାର୍ଥକ ସ୍ରଷ୍ଟା ମନରେ ଏହା ହେଉଛି ଏକ ମାର୍ମିକ ଆତ୍ମଦାହ! ସକଳ ପ୍ରୟାସ ସତ୍ତ୍ବେ ମଧ୍ୟ ସେ ନିଜ ଅନୁଭବକୁ ଅବିକଳ ରୂପ ଦେଇ ପାରେନା। ଏହି କାରଣରୁ ସୃଷ୍ଟିଶୀଳ ବ୍ୟକ୍ତି; ସେ ଲେଖକ ହୁଅନ୍ତୁ କି ଚିତ୍ରକର ଅବା ଅଭିନେତା କିମ୍ବା ଶିକ୍ଷକ, ସର୍ବଦା ନିଜ ଅଭିବ୍ୟକ୍ତି ନେଇ ସଂପୂର୍ଣ୍ଣ ସନ୍ତୁଷ୍ଟ ହୋଇ ପାରନ୍ତି ନାହିଁ; ତେଣୁ ପ୍ରସ୍ତୁତିକୁ ଅଧିକରୁ ଅଧିକ ନିଦା ଓ ଦୋରସ୍ତ କରିବାର ପ୍ରୟାସ କରନ୍ତି; ତଥାପି ସବୁ କିଛି ଦେଇ ପାରିଥିବାର ସନ୍ତୋ‌ଷ ମିଳେନା ଓ ଲାଗେ କେଉଁଠି କେମିତି କିଛି ଅପୂର୍ଣ୍ଣ ରହିଗଲା। ତେଣୁ, ପ୍ରସ୍ତୁତି ଓ ପୂର୍ଣ୍ଣ ପରଷିବାର ପ୍ରକ୍ରିୟା ଚାଲୁ ରହେ; ଏବଂ ତାଙ୍କ ଅପୂର୍ଣ୍ଣତା ତାଙ୍କୁ ଅହଂକାରମୁକ୍ତ ଓ ବିନମ୍ର କରେ।

ଖୁସି ଲାଗିଲା ଯେ ଶିକ୍ଷକ ବନ୍ଧୁ ନିଜ ପାଠ୍ୟ ପ୍ରସ୍ତୁତିକୁ ନେଇ ଆଉ ଲଜ୍ଜିତ ନ ଥିଲେ; ସହକର୍ମୀମାନଙ୍କ ମନ୍ତବ୍ୟ ଆଉ ତାଙ୍କୁ କଟାକ୍ଷ ଭଳି ମନେ ହେଉ ନ ଥିଲା। ଅନେକ ସମୟରେ ଆତ୍ମବିଶ୍ବାସରେ ହାନି ଜଣେ ବ୍ୟକ୍ତିଙ୍କୁ ‘ମିଛ’ ଶତ୍ରୁର ଘେରା ମଧ୍ୟରେ ଠିଆ କରିଦିଏ!

ଜଣେ ଶିକ୍ଷକ ଭାବରେ ମୁଁ କହିବି କ୍ଲାସ୍‌ ପାଇଁ ନିରନ୍ତର ପ୍ରସ୍ତୁତି ଏବ˚ ନିୟମିତ କ୍ଲାସ୍‌ ନେବା ଉଭୟ ସମାନ ଭାବେ ମହତ୍ତ୍ବପୂର୍ଣ୍ଣ। ଏହା ଶିକ୍ଷକ ମନରେ ପିଲା ପ୍ରତି ଥିବା ଆଦରକୁ ଦର୍ଶାଏ। ନିୟମିତ ମଞ୍ଚ ଅଭିନୟ ବେଳେ ଅଭିନେତା ତା’ର ନିୟମିତ ଅଭ୍ୟାସର ଆପ୍ରାଣ ପ୍ରଦର୍ଶନ ସକାଶେ ସତତ ଚେଷ୍ଟିତ ଥିବା ଭଳି ଜଣେ ଶିକ୍ଷକ ତା’ର କାର୍ଯ୍ୟଟିକୁ ସଂପା‌ଦନ କରିବା ଉଚିତ। ଏଭଳି କରୁଥିବା ଶିକ୍ଷକ ଯଦି ଦୈବାତ୍‌ କୌଣସି ବିଶେଷ ପରିସ୍ଥିତି ଯୋଗୁଁ ଆବଶ୍ୟକ ଭାବେ ପ୍ରସ୍ତୁତ ନ ହୋଇ କ୍ଲାସ୍‌କୁ ଚାଲି ଆସନ୍ତି, ପିଲାମାନେ ତାଙ୍କ ଏହି ବିଚ୍ୟୁତିକୁ ମଧ୍ୟ ସାଦରେ ଗ୍ରହଣ କରି ନିଅନ୍ତି। ଜଣେ ନିଷ୍ଠାପର ଶିକ୍ଷକ ପାଇଁ ଏକ କ’ଣ ଏକ ବଡ଼ ଉପଲବ୍‌ଧି ନୁହେଁ?
[email protected]