ପରିଚୟ ପ୍ରସଙ୍ଗ

ସ˚ପ୍ରତି ମଣିପୁର ଯେଉଁଭଳି ଭାବେ ଭାରତୀୟଙ୍କ ଚର୍ଚ୍ଚାର କେନ୍ଦ୍ରକୁ ଧସେଇ ପଶିଛି; ସମ୍ଭବତଃ ପୂର୍ବରୁ କେବେ ହେଲେ ସେଭଳି ଦେଖିବାକୁ ମିଳି ନ ଥିଲା; ଯଦିଓ ବିଡ଼ମ୍ବନାଟି ହେଉଛି ଏକ ଅତ୍ୟନ୍ତ ମର୍ମ-ବିଦାରକ କାରଣରୁ ଏହା ସମ୍ଭବ ହୋଇଛି! ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଏଭଳି କାହିଁକି? ଗଲା ମଇ ୩ ତାରିଖରୁ ଏକ ଗୃହଯୁଦ୍ଧ-ତୁଲ୍ୟ ବିଭୀଷିକା ପ୍ରତ୍ୟକ୍ଷ କରି ଆସୁଥିବା ମଣିପୁରର ଅକଥନୀୟ କଷଣ କାହିଁକି ଭାରତର ସାମୂହିକ ଚେତନାକୁ ସ୍ପର୍ଶ କରିପାରି ନ ଥିଲା? ଏହାର ଉତ୍ତରରେ ଅନେକ ବିଶେଷଜ୍ଞ ଏକ କାରଣ ସ୍ବରୂପ ଭାରତର ରାଜଧାନୀ ତଥା କ୍ଷମତାର ନାଭିକେନ୍ଦ୍ର ଦିଲ୍ଲୀ ଠାରୁ ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକର ଭୌଗୋଳିକ ଦୂରତ୍ବ ବିଷୟ ଉଲ୍ଲେଖ କରି ଥାଆନ୍ତି! ତେବେ, ଏହି ମର୍ମରେ ଆଉ ଗୋଟିଏ ପ୍ରଶ୍ନ ଉଠିପାରେ ଯେ ତାମିଲନାଡୁର ରାଜଧାନୀ ଚେନ୍ନାଇ ଏବ˚ ମଣିପୁରର ରାଜଧାନୀ ଇ˚ଫାଲ ଠାରୁ ଦିଲ୍ଲୀର ଦୂରତା ପ୍ରାୟ ସମାନ ନୁହେଁ କି? ତେବେ ଇ˚ଫାଲ କାହିଁକି ଭାରତର ରାଜନୈତିକ ହୃଦ୍‌ସ୍ଥଳରେ ଚେନ୍ନାଇ ସଦୃଶ କ˚ପନ ସୃଷ୍ଟି କରି ପାରି ନ ଥାଏ? ତେଣୁ ଟିକିଏ ଗହୀରେଇ ଦେଖିଲେ ଆଉ ଏକ ପ୍ରକାର ଦୂରତ୍ବ ମଧୢ ଦୃଷ୍ଟିଗୋଚର ହୋଇଥାଏ, ଯାହା ଏ ଯାବତ୍‌ ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକୁ ଭାରତୀୟ ମୁଖ୍ୟ ଭୂଖଣ୍ତ(ମେନ୍‌ଲ୍ୟାଣ୍ତ୍‌)ରେ ଏକ ପ୍ରକାର ଅପରିଚିତ କରି ରଖିଛି!

କହିବା ଅନାବଶ୍ୟକ ଯେ ଆଙ୍ଗିକ ଗଢ଼ଣ ବା ଚେହେରା, ପାର˚ପରିକ ବେଶଭୂଷା, ଚାଲିଚଳଣି, ସ˚ସ୍କୃତି ଓ ପର˚ପରା ଇତ୍ୟାଦି ଦୃଷ୍ଟିରୁ ଜନଜାତି ବହୁଳ ଭାରତର ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକ ଅବଶିଷ୍ଟ ଭାରତ ଠାରୁ ଭିନ୍ନ; ଯେଉଁ କାରଣରୁ ଏହି ଅଞ୍ଚଳର ଅଧିବାସୀମାନେ ଆପଣା ରାଷ୍ଟ୍ରରେ ମଧୢ ଅନେକତ୍ର ଚୀନ ଦେଶଜ ବୋଲି ବିଡ଼ମ୍ବିତ ଭ୍ରାନ୍ତି ଏବ˚ ତଜ୍ଜନିତ ତାଚ୍ଛଲ୍ୟ, ବିଦ୍ରୂପ, କଟାକ୍ଷ ଏପରିକି ସ୍ଥଳ ବିଶେଷରେ ଶାରୀରିକ ଯାତନାର ମଧୢ ଶରବ୍ୟ ହୁଅନ୍ତି। ସୁତରା˚, ନିଜ ଦେଶରେ ଅପରିଚିତ ବହିରାଗତ ଭଳି ବ୍ୟବହାର ସେମାନଙ୍କୁ ମୁହ୍ୟମାନ କରିଥାଏ, ଯଦିଓ ସେମାନେ ମଧୢ ନିଜ ନିଜ ଆଞ୍ଚଳିକ ତଥା ଗୋଷ୍ଠୀଗତ ସ˚ସ୍କୃତି ଓ ପର˚ପରା ଆଦିର ସ୍ବାତନ୍ତ୍ର୍ୟ ବଳବତ୍ତର ରଖିବା ନେଇ ଅତ୍ୟନ୍ତ ସମ୍ବେଦନଶୀଳ। ସୁତରା˚, ଏଥିରେ ବିସ୍ମୟର ବିଶେଷ ଅବକାଶ ନାହିଁ ଯେ ସ୍ବାଧୀନତା ପରବର୍ତ୍ତୀ କାଳରୁ ହିଁ ଏହି ସବୁ ରାଜ୍ୟଗୁଡ଼ିକରେ ଗୋଷ୍ଠୀ ଏବ˚ ସା˚ସ୍କୃତିକ ପରିଚୟ-କୈନ୍ଦ୍ରିକ ସଶସ୍ତ୍ର ସ˚ଘର୍ଷ ଏବ˚ ବିଦ୍ରୋହମାନ ଘଟିବାରେ ଲାଗିଥିଲା, ଯହିଁରେ ସ୍ଥାନୀୟତା, ସା˚ସ୍କୃତିକ ସ୍ବାତନ୍ତ୍ର୍ୟ ଓ ଆଧିପତ୍ୟ ଏବ˚ ବହିରାଗତଙ୍କୁ ଅସ୍ବୀକାର ଭଳି ପ୍ରସଙ୍ଗମାନ ପ୍ରମୁଖତା ଲାଭ କରିଥିଲା। ଯଦିଓ, ବିଭିନ୍ନ କେନ୍ଦ୍ର ସରକାରଗୁଡ଼ିକ ସହିତ କେତେକ ଚୁକ୍ତି ସ˚ପାଦିତ ହେବା ପରେ ଗଲା କେଇ ବର୍ଷ ଧରି ହି˚ସାର ଅଗ୍ନି ମୋଟାମୋଟି ପ୍ରଶମିତ ହୋଇ ରହିଛି; ତେବେ ପାଉଁଶ ଗର୍ଭସ୍ଥ ନିଆଁ ଝୁଲ ଭଳି ସମୟେ ସମୟେ ତାହା ଜଳି ଉଠି ଦାବାନଳ ମଧୢ ସୃଷ୍ଟି କରିଥାଏ, ଯେମିତି ସ˚ପ୍ରତି ମଣିପୁରରେ ଘଟଛି; ଯେଉଁଠି ସ˚ଖ୍ୟା ଗରିଷ୍ଠ ‘ମୈତେଇ’ମାନଙ୍କ ଦ୍ବାରା ସ˚ଖ୍ୟା ଲଘୁ ‘କୁକି’ ଜନଜାତି ଗୋଷ୍ଠୀର ସଦସ୍ୟମାନେ ‘ଅନୁପ୍ରବେଶକାରୀ’ (ମିଆଁମାର), ‘ଅଫିମ ଚାଷୀ’, ‘ନିଶା ଚାଲାଣକାରୀ’; ଏପରି କି ‘ଆତଙ୍କବାଦୀ’ ରୂପେ ବର୍ଣ୍ଣିତ ହୋଇଥାଆନ୍ତି। ଯେଉଁ ତିକ୍ତତା ଏବେ ସେଠାରେ ତୀବ୍ର ହି˚ସାର କାରଣ ହୋଇଛି। ସେହି ଦୃଷ୍ଟିରୁ ବିଚାର କଲେ ‘ପରିଚୟ’ ବା ‘ଆଇଡେଣ୍ଟଟି’ ପ୍ରତିଷ୍ଠାର ଉଦ୍ୟମ ଉତ୍ତର-ପୂର୍ବାଞ୍ଚଳ ଭାରତୀୟ ରାଜ୍ୟଗୁଡ଼ିକୁ ଅନେକ ସମୟରେ ଆଭ୍ୟନ୍ତରୀଣ ସ˚ଘର୍ଷରେ ଜର୍ଜରିତ କରି ରଖୁଥିବା ବେଳେ ଅବଶିଷ୍ଟ ଭାରତ ଦ୍ବାରା ସେମାନେ ପ୍ରାୟ ବିଦେଶୀ ତୁଲ୍ୟ ବିବେଚିତ ହେଉଥିବାରୁ ସେମାନଙ୍କ ଦୁର୍ଦଶା ଦୃଷ୍ଟିର କେନ୍ଦ୍ରକୁ ଆସିବା ସହଜସାଧୢ ହୋଇ ନ ଥାଏ।

ଏହା ଏକ ଦାରୁଣ ବାସ୍ତବତା ଯେ ମଣିପୁରର ହି˚ସା ଉଭୟ ‘କୁକି’ ଏବ˚ ‘ମୈତେଇ’ ଗୋଷ୍ଠୀ ସକାଶେ ଅବର୍ଣ୍ଣନୀୟ କ୍ଷତି ପହଞ୍ଚାଇଛି; ଯେଉଁଠି ମହିଳାମାନଙ୍କ ଯୌନ ଉତ୍ପୀଡ଼ନକୁ ଉଭୟ ଗୋଷ୍ଠୀ ଅପର ଗୋଷ୍ଠୀ ଉପରେ ପ୍ରତିଶୋଧର ଅସ୍ତ୍ର ଭଳି ବ୍ୟବହାର କରିଛନ୍ତି; ଯେମିତି କୌଣସି ଯୁଦ୍ଧ ସମୟରେ ସାମରିକ ବାହିନୀଗୁଡ଼ିକ ଭୟର ବାତାବରଣ ସୃଷ୍ଟି କରିଥାଆନ୍ତି। ଭାରତର ଅଶାନ୍ତ ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକରେ ଦୀର୍ଘ କାଳ ଧରି ଅବସ୍ଥାପିତ ହୋଇ ଆସିଥିବା ଭାରତୀୟ ସାମରିକ ବାହିନୀ ଦ୍ବାରା ଏଭଳି ଅପକର୍ମ ହେଉଥିବାର ଅଭିଯୋଗମାନ ମଧୢ ନିରନ୍ତର ଶୁଣିବାକୁ ମିଳିଥାଏ। ତେବେ, ବିଡ଼ମ୍ବନା ହେଲା ସ˚ପ୍ରତି ମଣିପୁରରେ ସେହି ଉପାୟକୁ ସାଧାରଣ ଜନତା ଦାଉ ସାଧିବା ଲାଗି ବ୍ୟବହାର କରିବାରେ ଲାଗିଛନ୍ତି; ଏବ˚ ଦୁଇ ଗୋଷ୍ଠୀ ମଧୢରେ ପାରସ୍ପରିକ ଘୃଣା ଏଭଳି ତୀବ୍ର ହୋଇଛି ଯେ ଏଥିରେ ଉଭୟ ଗୋଷ୍ଠୀର ମହିଳାଙ୍କ ପ୍ରତ୍ୟକ୍ଷ ସମର୍ଥନ ରହିଥିବା ମଧୢ ଦେଖିବାକୁ ମିଳିଥାଏ। ନିଜ ନିଜ ଗୋଷ୍ଠୀର ପୁରୁଷମାନେ ସେମାନଙ୍କ ଅଭୀଷ୍ଟ ନିରଙ୍କୁଶ ଭାବେ ଚରିତାର୍ଥ କରନ୍ତୁ ବୋଲି ଉଭୟ ଗୋଷ୍ଠୀର ମହିଳା ସଡ଼କ ଅବରୋଧ କରି ସୁରକ୍ଷା ବାହିନୀର ପଥ ଓଗାଳିବା ଭଳି ସମ୍ବାଦମାନ ବିଭିନ୍ନ ଗଣମାଧୢମରେ ପ୍ରକାଶିତ ହୋଇଛି। ସୁତରା˚, ଏହା ଏଭଳି ଏକ ସ୍ଥିତି, ଯହିଁରେ ମହିଳାମାନଙ୍କ ଲିଙ୍ଗଗତ ପରିଚୟ ବିଲୁପ୍ତ ହୋଇଛି; ବରଂ ସେମାନଙ୍କ ଗୋଷ୍ଠୀଗତ ପରିଚୟ ଅଧିକ ପ୍ରାଂଜଳ ହୋଇ ଉଭୟ ଗୋଷ୍ଠୀର ମହିଳାଙ୍କୁ ପରସ୍ପରର ନିପୀଡ଼ନରେ ଉତ୍‌ପ୍ରେରକରେ ପରିଣତ କରିଛି!

ମଣିପୁର ପ୍ରସଙ୍ଗ ଉପରେ ଗଭୀର ଦୃଷ୍ଟିପାତ କଲେ ‘ପରିଚୟ’ ବିଭ୍ରାଟର ଆଉ ଏକ ଦୃଷ୍ଟାନ୍ତ ମଧୢ ମିଳିଥାଏ। ମଣିପୁର ଭୋଗୁଥିବା ନିଦାରୁଣ ମାନବ ଟ୍ରାଜେଡି ପରିପ୍ରେକ୍ଷୀରେ ଏ ପର୍ଯ୍ୟନ୍ତ ସଘନ ନିରବତା ଅବଲମ୍ବନ କରିଥିବା ପ୍ରଧାନମନ୍ତ୍ରୀ ସେହି ଅତ୍ୟନ୍ତ ଲୋମହର୍ଷଣକାରୀ ଭିିଡିଓର ଆତ୍ମପ୍ରକାଶ ପରେ ଯେଉଁ କ୍ଷୁଦ୍ର ମନ୍ତବ୍ୟ ପ୍ରଦାନ କରିଥିଲେ, ତହିଁରେ ମଣିପୁର ସହିତ କ˚ଗ୍ରେସ ଶାସିତ ରାଜସ୍ଥାନ ଏବ˚ ଛତିଶଗଡ଼ର ମଧୢ ଉଲ୍ଲେଖ କରିଥିଲେ, ଯାହାକୁ କେନ୍ଦ୍ର ମନ୍ତ୍ରୀମଣ୍ତଳର ଅନେକ ସଦସ୍ୟ ଏକ ପ୍ରକାର ‘ଘୋଷା’ରେ ପରିଣତ କରି ସାରିଲେଣି। କହିବା ନିଷ୍ପ୍ରୟୋଜନ ଯେ ମଣିପୁରରେ ଦୃଶ୍ୟମାନ ହେଉଥିବା ଜଘନ୍ୟ ପରିସ୍ଥିତି କୌଣସି ଦୃଷ୍ଟିରୁ ରାଜସ୍ଥାନ ବା ଛତିଶଗଡ଼ ରାଜ୍ୟର ସ୍ଥିତି ସହିତ ତୁଳନୀୟ ନୁହେଁ। ତେଣୁ ମଣିପୁର ସ˚ଦର୍ଭରେ ତୁଚ୍ଛ ରାଜନୈତିକ ଘୂର୍ଣ୍ଣିଝଡ଼ରେ ବ୍ୟାପୃତ କେନ୍ଦ୍ରର ବରିଷ୍ଠ ମନ୍ତ୍ରୀମାନଙ୍କୁ ରାଷ୍ଟ୍ର ଶାସନ କରିବା ଲାଗି ସା˚ବିଧାନିକ ଶପଥାଧୀନ ଉଚ୍ଚ କ୍ଷମତାପ୍ରାପ୍ତ ବ୍ୟକ୍ତି ରୂପେ ବିଚାର କରାଯିବା ଉଚିତ ନା ଅତି ସାଧାରଣ ଦଳୀୟ ନେତା ରୂପେ ବିବେଚନା କରାଯିବା ଉଚିତ? କାରଣ ସେମାନେ ରାଷ୍ଟ୍ରର ସ୍ବାର୍ଥ ତୁଳନାରେ ନିର୍ବାଚନରେ ବିଜୟ ଲାଭ କରିବାକୁ ସମ୍ଭବତଃ ଅଧିକ ମହତ୍ତ୍ବପୂର୍ଣ୍ଣ ବୋଲି ବିଚାର କରନ୍ତି! ଏହା ହିଁ ହେଉଛି ସେହି ‘ପରିଚୟ ବିଭ୍ରାଟ’ର ନିଦର୍ଶନ ଯେଉଁଠାରେ ବରିଷ୍ଠ ମନ୍ତ୍ରୀଗଣ ଏକ ସ୍ପର୍ଶକାତର ଘଟଣାରେ ଅଗତ୍ୟା ନିଜର ପ୍ରକୃତ ପରିଚୟ ପଦାରେ ପକାଇ ଦେଇଛନ୍ତି।

ସୁତରା˚, ମଣିପୁର ଭଳି ଏକ ଅତ୍ୟନ୍ତ ବିସ୍ଫୋରକ ପରିସ୍ଥିତି ପରିପ୍ରେକ୍ଷୀରେ ସମସ୍ୟାର ଯଥାଶୀଘ୍ର ସମାଧାନ ସକାଶେ କେବଳ ତିନିଟି ଆଶା ପୋଷଶ କରାଯାଇପାରେ। ପ୍ରଥମଟି ହେଲା, ଏହି ଘଟଣା ଦ୍ବାରା ଆଲୋଡ଼ିତ ଅବଶିଷ୍ଟ ଭାରତ ଦୃଷ୍ଟିରେ ଏଣିକି ଉତ୍ତର-ପୂର୍ବୀୟ ଭାରତ ଆଉ ‘ଅପରିଚିତ’ ହୋଇ ନ ରହୁ; ଉତ୍ତର ପୂର୍ବୀୟ ରାଜ୍ୟଗୁଡ଼ିକ ଏହି ପରିଚୟ ସ˚କଟରୁ ତ୍ରାହି ପାଆନ୍ତୁ। ଦ୍ବିତୀୟରେ, ଉତ୍ତର-ପୂର୍ବୀୟ ରାଜ୍ୟଗୁଡ଼ିକରେ ବସବାସ କରୁଥିବା ବିଭିନ୍ନ ଗୋଷ୍ଠୀ ମଧୢରେ, ଦୃଢ଼ ପରିଚୟଗତ ଅସ୍ମିତା ସତ୍ତ୍ବେ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଲାଗି ମାର୍ଗ ଉନ୍ମୋଚିତ ହେଉ; ଯାହା କେବଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ହିଁ ସମ୍ଭବ ହୋଇିପାରିବ; ବିଭାଜନର ରାଜନୀତି ଏକାଧିକ ମଣିପୁର ସୃଷ୍ଟି ନ କରୁ। ତୃତୀୟରେ, ଶାସନ କ୍ଷମତାରେ ଥିବା ବିଶିଷ୍ଟ ବ୍ୟକ୍ତିମାନେ ଇତର ‘ପରିଚୟ ବିଭ୍ରାଟ’ର ଶିକାର ନ ହୋଇ ରାଜନେତାରୁ ରାଷ୍ଟ୍ରନେତାକୁ ଉନ୍ନୀତ ହୁଅନ୍ତୁ।

ସମ୍ବନ୍ଧିତ ଖବର