ଗାନ୍ଧୀଙ୍କ ପ୍ରତି ଏତେ ବିଦ୍ବେଷ କାହିଁକି?

ଡା. ବିଶ୍ବଜିତ

ଗାନ୍ଧୀଜୀଙ୍କ ମୃତ୍ୟୁକୁ ପଞ୍ଚସ୍ତରି ବର୍ଷ ହେଲାଣି। ଜୀବିତ ଥିବାବେଳେ ତାଙ୍କ କାର୍ଯ୍ୟ କିଛି ଗୋଷ୍ଠୀର ରାସ୍ତାରେ ଏମିତି କଣ୍ଟା ସାଜିଲା ଯେ, ବହୁବାର ଚେଷ୍ଟା କରି ତାଙ୍କୁ ହତ୍ୟା କରାଗଲା। ସ୍ବାଧୀନତା ସଂଗ୍ରାମ ଓ ସମାଜ ପରିବର୍ତ୍ତନ କାମରେ ତାଙ୍କର ଅନେକ ପ୍ରତିଦ୍ବନ୍ଦ୍ବୀ ଥିଲେ। ହେଲେ ସେମାନଙ୍କ ମଧ୍ୟରୁ କେହି ଜଣେ ତାଙ୍କୁ ମାରିବାର ପ୍ରୟାସ କରିନଥିଲେ। ଭଗତ ସିଂହ, ନେତାଜୀ ସୁଭାଷ, ବାବା ସାହେବ ଆମ୍ବେଦକରଙ୍କର ଗାନ୍ଧୀଙ୍କ ସହ ମତଭେଦ ଥିଲା। ତେବେ ସେମାନେ ତାଙ୍କୁ ବା ତାଙ୍କ ଆନ୍ଦୋଳନର କ୍ଷତି କରିବା କେବେ ଦେଖାଯାଇ ନାହିଁ। ହେଲେ ତାଙ୍କୁ ସେହିମାନେ ମାରିଲେ, ଯେଉଁମାନେ ସ୍ବାଧୀନତା ଆନ୍ଦୋଳନରେ ନା ତାଙ୍କ ପ୍ରତିଦ୍ବନ୍ଦ୍ବୀ ଥିଲେ, ନା ସମାଜ ପରିବର୍ତ୍ତନ କାମରେ ସେମାନଙ୍କର ବିଶ୍ବାସ ଥିଲା। ଏବେ ସତେ ଯେମିତି ଗାନ୍ଧୀ ଓ ତାହାଙ୍କ ବିଚାର ତଥା ସଂଗଠନ ଉପରେ ବିପଦ ପଡ଼ିଛି। ଏହାର ସଦ୍ୟତମ ଦୃଷ୍ଟାନ୍ତ ହେଲା ଗାନ୍ଧୀଜୀଙ୍କ ବିଚାରକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ସମର୍ପିତ ସର୍ବସେବା ସଂଘର ଚଉଦ ଏକର ଜମିକୁ ଜୋରଜବରଦସ୍ତ ଅକ୍ତିଆର କରିବା ଲାଗି ସରକାରୀୀ ପ୍ରଚେଷ୍ଟା।

ଉଲ୍ଲେଖଯୋଗ୍ୟ ଯେ ଗାନ୍ଧୀଜୀଙ୍କ ଆଧ୍ୟାତ୍ମିକ ଉତ୍ତରାଧିକାରୀ ସନ୍ଥ ବିନୋବା ବିହାର ଗସ୍ତରେ ଯାଉଥିବା ସମୟରେ ବାରାଣସୀଠାରେ ଗଙ୍ଗା ନଦୀର ଉପନଦୀ ବାରୁଣା କୂଳରେ ଏକ ବୃକ୍ଷଲତା ପରିବେଷ୍ଟିତ ସ୍ଥାନକୁ ଦେଖି ଅଭିଭୂତ ହୋଇପଡ଼ିଲେ। ଗୌତମ ବୁଦ୍ଧ ବି ଏହି ମାର୍ଗ ଦେଇ ସାରନାଥ ଗସ୍ତ କରିଥିଲେ। ତତ୍କାଳୀନ ରେଳମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଏକଥା ଜାଣିବା ପରେ ଅବ୍ୟବହୃତ ଭାବରେ ପଡ଼ିଥିବା ରେଳ ବିଭାଗର ଏହି ସମ୍ପତ୍ତିକୁ ସର୍ବୋଦୟ ବିଚାରର ପ୍ରମୁଖ ସଂସ୍ଥା ସର୍ବ ସେବା ସଂଘ ନାମରେ କରାଇବାର ବନ୍ଦୋବସ୍ତ କରିଥିଲେ।

ଲୋକନାୟକ ଜୟପ୍ରକାଶ ନାରାୟଣ ସମାଜବାଦୀ ଆନ୍ଦୋଳନ ଛାଡ଼ି ସର୍ବୋଦୟରେ ଯୋଗଦେବା ପରେ ଦେଶସ୍ତରରେ ସେ ଏହି ସ୍ଥାନରୁ ହିଁ ଅନେକ କାର୍ଯ୍ୟକ୍ରମ ଚଳାଉଥିଲେ। ସର୍ବ ସେବା ସଂଘ ପ୍ରକାଶନ ଦେଶର ପ୍ରମୁଖ ରେଳଷ୍ଟେସନସ୍ଥିତ ସର୍ବୋଦୟ ପୁସ୍ତକ ଭଣ୍ଡାର ମାଧ୍ୟମରେ ଗାନ୍ଧୀ ବିନୋବା ସାହିତ୍ୟ ଦେଶ ବ୍ୟାପୀ ଏଠାରୁ ହିଁ ସଞ୍ଚାଳିତ ହେଉଛି।

ଗାନ୍ଧୀଜୀଙ୍କ ଶାନ୍ତି ଓ ଅହିଂସା ବିଚାର ଆଧାରରେ ସମାଜକୁ ପରିଚାଳନା କରିବା ନିମନ୍ତେ ବାରାଣସୀସ୍ଥିତ ଏହି ସ୍ଥାନରେ ଆରମ୍ଭ ହୋଇଥିଲା ଶାନ୍ତି ସେନା ମଣ୍ଡଳ। ଆରମ୍ଭରେ ଶାନ୍ତି ସେନାର ମହାନାୟକ ଭାବରେ ଜୟପ୍ରକାଶଙ୍କୁ ନିଯୁକ୍ତ କରାଯାଇଥିଲା ଓ ନାରାୟଣ ଦେଶାଇ ସଂଯୋଜକ ନିଯୁକ୍ତ ହେଲେ।

ବୃହତ୍‌ ନାଗା ଅଞ୍ଚଳ ଗଠନ କରିବା ଲକ୍ଷ୍ୟରେ ଉତ୍ତର ପୂର୍ବ ଭାରତ ଓ ମିଆଁମାର ପର୍ଯ୍ୟନ୍ତ ଯେଉଁ ଦଶନ୍ଧି ବ୍ୟାପୀ ଗୃହଯୁଦ୍ଧ ଚାଲିଥିଲା, ତାହାକୁ ବନ୍ଦ କରିବା ଲକ୍ଷ୍ୟରେ ଜୟପ୍ରକାଶ, ନବକୃଷ୍ଣ ଚୌଧୁରୀ, ବିପି ଚାଲିହା, ମାଇକେଲ ସ୍କଟ ଆଦି ଶାନ୍ତିସେନାମାନଙ୍କୁ ଧରି ଯେଉଁ ‘ନାଗା ଶାନ୍ତି ମିଶନ’ ଗଢ଼ି ଶାନ୍ତି ସଦ୍‌ଭାବନା କାର୍ଯ୍ୟ ଚଳାଇଥିଲେ, ତଦ୍ଦ୍ବାରା ଭାରତ ସରକାରଙ୍କ ସହ ନାଗା ନେତାମାନେ ସନ୍ଧି ସ୍ଥାପନ କରିଥିଲେ। ଭାରତ ଚୀନ ଯୁଦ୍ଧ ଓ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ କାଳରେ ଏହି ଶାନ୍ତି ସୈନିକମାନେ ଯୁଦ୍ଧ କ୍ଷେତ୍ରରେ ଅନେକ ଅଭୂତପୂର୍ବ କାର୍ଯ୍ୟମାନ କରିଥିଲେ। ଆଜି ବି ଆସାମ, ଦିଲ୍ଲୀ, କନ୍ଧମାଳ, ଭଦ୍ରକ ସାମ୍ପ୍ରଦାୟିକ ଦଙ୍ଗା କାଳରେ ଶାନ୍ତି ସୈନିକମାନେ ଶାନ୍ତି କାର୍ଯ୍ୟ କରି ଭାଇଚାରା ରକ୍ଷା କାର୍ଯ୍ୟରେ ଲାଗିରହିଛନ୍ତି।

ମହାତ୍ମାଙ୍କ ବିଚାରକୁ ବଞ୍ଚାଇ ରଖିବା ପାଇଁ ଏହି ପରିସରରେ ‘ଗାନ୍ଧୀ ବିଦ୍ୟା ସଂସ୍ଥାନ’ ନାମରେ ଏକ ବିଶ୍ବସ୍ତରୀୟ ସମାଜ ବିଜ୍ଞାନ କେନ୍ଦ୍ର ଆରମ୍ଭ ହେଲା। ଏହି ସଂସ୍ଥାନରେ ପୃଥିବୀ ବିଖ୍ୟାତ ସମାଜ ବିଜ୍ଞାନୀ ଆଇଭାନ ଇଲିଚ ଦୀର୍ଘ ବର୍ଷ ଗବେଷଣା କଲେ। ସେହିପରି ବିଶ୍ବପ୍ରସିଦ୍ଧ ସମାଜ ବିଜ୍ଞାନୀ ସୁମାକର ଏହିଠାରେ ଥିବା ବେଳେ ତାଙ୍କ ପ୍ରସିଦ୍ଧ ପୁସ୍ତକ “ସ୍ମଲ୍‌ ଇଜ୍‌ ବିଉଟିଫୁଲ” ରଚନା କରିଥିଲେ। ସ୍ବିିଡେନର ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା କେନ୍ଦ୍ର ଏହି ସଂସ୍ଥାନ ସହ କାର୍ଯ୍ୟ କରୁଥିଲା। ଏହି ସଂସ୍ଥାନକୁ ଗତ ମଇ ମାସରେ ଜୋର ଜବରଦସ୍ତ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଇନ୍ଦିରା ଗାନ୍ଧୀ କଳାକେନ୍ଦ୍ରକୁ ହସ୍ତାନ୍ତରିତ କରାଯାଇଛି।

ସର୍ବସେବା ସଂଘ ପକ୍ଷରୁ ଚଉଦ ଏକର ଜମି ଉତ୍ତର ରେଲୱେ ଠାରୁ କିଣାଯାଇଥିଲା। ବର୍ତ୍ତମାନ ରେଳ ବିଭାଗ ଏହି ଜମି ଖରିଦକୁ ଅବୈଧ କହିବା ସହ ନ୍ୟାୟାଳୟରେ ମାମଲା ଚାଲିଥିବା ବେଳେ ରେଳ ବିଭାଗ ଏହି ସମ୍ପତ୍ତିକୁ ଦଖଲ କରିବା ପାଇଁ ପରିସରସ୍ଥ ଘରଗୁଡ଼ିକୁ ଭାଙ୍ଗିଦେବା ଉଦ୍ୟମ ନ୍ୟାୟ ବ୍ୟବସ୍ଥା ପ୍ରତି ଅପମାନ ନୁହେଁ କି? ସର୍ବସେବା ସଂଘର ଏହି କେନ୍ଦ୍ରକୁ ତତ୍କାଳୀନ ରେଳମନ୍ତ୍ରୀ ବାବୁ ଜଗଜୀବନ ରାମ ଶୁଭ ଦେଇଥିବା ବେଳେ ଓ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଉଦ୍‌ଘାଟନ କରିଥିଲେ। ତେବେ ସୁପ୍ରିମକୋର୍ଟର ନିର୍ଦେଶ ଅନୁସାରେ ତଳ କୋର୍ଟକୁ ଘର ନଭାଙ୍ଗିବା ପାଇଁ ଅପିଲ କରାଯାଇଥିବା ସତ୍ତ୍ୱେ ଗତ ଜୁଲାଇ ୨୨ ତାରିଖ ସକାଳୁ ଉତ୍ତରପ୍ରଦେଶ ଓ ରେଳବାଇ ପୁଲିସ ଏହି ଐତିହାସିକ ପୀଠକୁ ଧ୍ବଂସ କରିବାକୁ ଲାଗିପିଡ଼ିଛନ୍ତି। ଚଳିତ ବର୍ଷ ଭାରତ ସରକାର ଗୀତା ପ୍ରେସକୁ ଗାନ୍ଧୀ ଶାନ୍ତି ପୁରସ୍କାର ଦେଉଥିବା ବେଳେ ସର୍ବ ସେବା ସଂଘ ପ୍ରକାଶନର ପାଞ୍ଚ ଲକ୍ଷ ପୁସ୍ତକକୁ ବାହାରେ ଫିଙ୍ଗି ଦିଆଯାଇଛି। ପରିସରରେ ଥିବା ମ୍ୟୁଜିୟମ, ଅଫିସ, ଶିକ୍ଷା କେନ୍ଦ୍ର, ଯୁବ ତାଲିମ କେନ୍ଦ୍ର, ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଓ କର୍ମୀ ନିବାସ ଜୋର ଜବରଦସ୍ତ ଖାଲି କରାହୋଇଛି। ବାରାଣସୀ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ କ୍ଷେତ୍ର। ତାଙ୍କର ବିନା ପରାମର୍ଶରେ ଏହା ହେବା ଅସମ୍ଭବ। ରେଳମନ୍ତ୍ରୀଙ୍କ ଅଗୋଚରରେ ବି ଏହା ହେଉନଥିବ। ବାରାଣସୀରେ ଗାନ୍ଧୀ ବିଚାରର ସଂସ୍ଥା ପ୍ରତି ଏତେ ବିଦ୍ବେଷକୁ ଦେଖିଲେ ମନ ଦୁଃଖରେ ଭରିଉଠେ।
ମୋ: ୯୪୩୭୨୧୮୭୧୭

ସମ୍ବନ୍ଧିତ ଖବର