ଊନବିଂଶ ଶତାବ୍ଦୀର ପ୍ରଖ୍ୟାତ ଫରାସୀ ଅର୍ଥନୀତିଜ୍ଞ ପିଏର୍ ଜୋସେଫ୍ ପ୍ରୁଡୋଁ ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ଦି ଫିଲୋସଫି ଅଫ୍ ପଭର୍ଟି’ (‘ଦାରିଦ୍ର୍ୟର ଦର୍ଶନ ତତ୍ତ୍ବ’)ରେ ଲେଖିଥିଲେ: ‘‘ମନୁଷ୍ୟର ପରିଶ୍ରମ ଈଶ୍ବରଙ୍କ କାର୍ଯ୍ୟକୁ ଆଗେଇ ନେଇଥାଏ, କାରଣ ଈଶ୍ବର ଜୀବଜଗତକୁ ସୃଷ୍ଟି କରିବା ବେଳେ ନ୍ୟାୟର ଚିରନ୍ତନ ନିୟମମାନଙ୍କର କେବଳ ବାହ୍ୟ ପ୍ରୟୋଗ ହାସଲ କରିପାରିଥାନ୍ତି।’’ ଏହାର ଅର୍ଥ ଚିରନ୍ତନ ନ୍ୟାୟ ଅନୁସାରେ ପୃଥିବୀରେ ମନୁଷ୍ୟ ସମାଜରେ ଦାରିଦ୍ର୍ୟର ଚିହ୍ନବର୍ଣ୍ଣ ରହିବା ଉଚିତ ନୁହେଁ, କିନ୍ତୁ ଈଶ୍ବରଙ୍କ କାର୍ଯ୍ୟ କେବଳ ବାହ୍ୟ ପ୍ରୟୋଗରେ ସୀମିତ ରହିଯାଇଥିବାରୁ ଏଠାରେ ସମାଜର କେତେକ ଅଂଶରେ ଦାରିଦ୍ର୍ୟର ଉପସ୍ଥିତି ଦେଖିବାକୁ ମିଳିଥାଏ ଏବଂ ନିଜର ଉଦ୍ୟମ ବଳରେ ଦାରିଦ୍ର୍ୟକୁ ସମ୍ପୂର୍ଣ୍ଣ ରୂପେ ବିତାଡ଼ିତ କରି ଈଶ୍ବରଙ୍କର ସେଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ହେଉଛି ମନୁଷ୍ୟର ଦାୟିତ୍ବ।
ସଭ୍ୟତାର ଆରମ୍ଭ ପରଠାରୁ ମନୁଷ୍ୟ ତା’ର ସେଇ ଦାୟିତ୍ବ ନିର୍ବାହ କରିବାକୁ ଚେଷ୍ଟା କରି ଚାଲିଥିଲେ ହେଁ ଏପର୍ଯ୍ୟନ୍ତ ପୂର୍ଣ୍ଣ ସଫଳତା ତା’ପାଇଁ ମରୀଚିକା ସଦୃଶ ହୋଇ ଆସିଛି। ଏହି ପରିପ୍ରେକ୍ଷୀରେ ଭାରତରେ ଦୀର୍ଘକାଳ ଧରି ଚାଲି ଆସିଥିବା ଦାରିଦ୍ର୍ୟ ଦୂରୀକରଣ ଉଦ୍ୟମର ଯେଉଁ ସଦ୍ୟତମ ଫଳାଫଳ ଏବେ ପ୍ରକାଶ ପାଇଛି, ତାହା ଦେଖିଲେ ମନେ ହୁଏ ଈଶ୍ବରଙ୍କ ଅଧୁରା କାର୍ଯ୍ୟ ପୂର୍ଣ୍ଣ କରିବା ଦିଗରେ ଭାରତ ଯେଉଁଭଳି ଅଗ୍ରସର ହେବାରେ ଲାଗିଛି, ତାହା ନିଶ୍ଚିତ ରୂପେ ପ୍ରୁଡୋଁଙ୍କ ଈଶ୍ବରଙ୍କର ସନ୍ତୋଷ ବିଧାନ କରୁଥିବ। ଅଳ୍ପଦିନ ତଳେ ଜାତିସଂଘ ସଂସ୍ଥା ‘ୟୁଏନ୍ଡିପି’ ପୃଥିବୀରେ ବହୁମୁଖୀ ଦାରିଦ୍ର୍ୟ ସମ୍ବନ୍ଧରେ ଯେଉଁ ରିପୋର୍ଟ ପ୍ରକାଶ କରିଥିଲା, ତାହା ଅନୁସାରେ ୨୦୦୫ରୁ ୨୦୨୧ ମଧ୍ୟରେ ଭାରତରେ ୪୧.୫ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟ କବଳରୁ ମୁକ୍ତିଲାଭ କରିଥିଲେ। ଏବେ ଜୁଲାଇ ୧୭ରେ ଭାରତର ‘ନୀତି ଆୟୋଗ’ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ ୨୦୧୫ରେ ଭାରତରେ ବହୁମୁଖୀ ଦାରିଦ୍ର୍ୟ ପ୍ରପୀଡ଼ିତଙ୍କ ଅନୁପାତ ଭାରତର ମୋଟ ଜନସଂଖ୍ୟାର ୨୫ ଶତାଂଶ ଥିବା ବେଳେ ୨୦୨୧ରେ ତାହା ୧୫ ଶତାଂଶକୁ ହ୍ରାସ ପାଇଥିଲା।
ଏଠାରେ ସୂଚନାଯୋଗ୍ୟ ଯେ ଦାରିଦ୍ର୍ୟର ପାରମ୍ପରିକ ପରିମାପ ପରିବାରର ଆୟ ବ୍ୟୟ ଭିତ୍ତିରେ କରାଯାଉଥିବା ବେଳେ ଭାରତରେ ୧୨ଟି ବିଭିନ୍ନ ସୂଚକ ବ୍ୟବହାର କରାଯାଇ ବହୁମୁଖୀ ଦାରିଦ୍ର୍ୟର ଆକଳନ କରାଯାଇଥାଏ। ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନଧାରଣର ମାନ ସହିତ ସମ୍ପୃକ୍ତ ଏହି ସୂଚକଗୁଡ଼ିକରେ ପୁଷ୍ଟି ଠାରୁ ବ୍ୟାଙ୍କ୍ ଆକାଉଣ୍ଟ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ଥା’ନ୍ତି। ଏହି ରିପୋର୍ଟ ପ୍ରସ୍ତୁତ କରିବା ନିମିତ୍ତ ‘ନୀତି ଆୟୋଗ’ ବ୍ୟବହାର କରିଥିବା ତଥ୍ୟମାନ ସଂଗୃହୀତ ହୋଇଛି ୨୦୧୯ରୁ ୨୦୨୧ ମଧ୍ୟରେ କରାଯାଇଥିବା ଦେଶବ୍ୟାପୀ ‘ନେସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ’ (‘ଏନ୍ଏଫ୍ଏଚ୍ଏସ୍’)ର ପଞ୍ଚମ ରାଉଣ୍ଡରୁ ଉପଲବ୍ଧ ସୂଚନାମାନଙ୍କରୁ।
ଏହି ରିପୋର୍ଟ ଅନୁସାରେ ଦେଶବ୍ୟାପୀ ଗ୍ରାମାଞ୍ଚଳ ଦାରିଦ୍ର୍ୟରେ ଚମକପ୍ରଦ ହ୍ରାସ ଘଟିଛି। ୨୦୧୫ରେ ଗ୍ରାମାଞ୍ଚଳରେ ବହୁମୁଖୀ ଦାରିଦ୍ର୍ୟ ଭୋଗୁଥିବା ଲୋକମାନଙ୍କ ଅନୁପାତ ଲୋକସଂଖ୍ୟାର ପ୍ରାୟ ୩୩ ଶତାଂଶ ଥିବା ବେଳେ ୨୦୨୧ରେ ସେଥିରେ ହ୍ରାସ ଘଟି ହୋଇଥିଲା ପ୍ରାୟ ୧୯ ଶତାଂଶ। ଏହା ତୁଳନାରେ ସହରାଞ୍ଚଳରେ ଏହି ସମୟ କାଳରେ ବହୁମୁଖୀ ଦାରିଦ୍ର୍ୟରେ ଘଟିଥିବା ହ୍ରାସ ଏପରି ଉଲ୍ଲେଖନୀୟ ମନେ ହୁଏ ନାହିଁ। ସହରୀ ଦାରିଦ୍ର୍ୟ ଅନୁପାତ ୮.୬ ଶତାଂଶରୁ ହ୍ରାସ ପାଇ ହୋଇଛି ୫.୩ ଶତାଂଶ। କିନ୍ତୁ ମନେ ରଖିବାକୁ ହେବ ଯେ ଉଭୟ ପତନ ହାରରେ ବିଶେଷ ତଫାତ୍ ନାହିଁ। ତେବେ ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ବର୍ତ୍ତମାନ ଦେଶରେ ଦାରିଦ୍ର୍ୟ ଦୂରୀକରଣର ଏ ଯେଉଁ ଉତ୍ସାହଜନକ ଚିତ୍ର ଉପଲବ୍ଧ ହୋଇଛି, ତାହା ଅଙ୍କିତ ହୋଇଛି ମୁଖ୍ୟତଃ ଦେଶର ଗ୍ରାମାଞ୍ଚଳରେ। ‘ନୀତି ଆୟୋଗ’ର ଏହି ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ସମୟରେ ଅନ୍ୟାନ୍ୟ ସୂତ୍ରରୁ ପ୍ରକାଶ ପାଇଥିବା ସୂଚନା ମାନଙ୍କରୁ ଏକ ଧାରଣା ପ୍ରସାର ଲାଭ କରିଥିଲା ଯେ ଦେଶର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଅନୁପାତରେ ଇତି ମଧ୍ୟରେ ବୃଦ୍ଧି ଘଟି ଚାଲିଛି। ଏଥିପାଇଁ ଯେଉଁ କାରଣମାନଙ୍କୁ ଦାୟୀ କରାଯାଉଥିଲା, ତାହା ହେଲା ୨୦୧୮ରୁ ୨୦୨୦ ମଧ୍ୟରେ ଅର୍ଥନୀତି ସମ୍ମୁଖୀନ ହୋଇଥିବା ମାନ୍ଦା ଅବସ୍ଥା ଓ କୋଭିଡ୍-୧୯ ପାଣ୍ଡେମିକ୍ର ଦାରୁଣ ଆଘାତ। ‘ନୀତି ଆୟୋଗ’ର ରିପୋର୍ଟ ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ସ୍ଥିତି ସମ୍ବନ୍ଧରେ ପ୍ରଦାନ କରିଥିବା ତଥ୍ୟଭିତ୍ତିକ ଚିତ୍ର ତେଣୁ ନିଶ୍ଚିତ ରୂପେ ଆଶ୍ବସ୍ତି ସୃଷ୍ଟି କରିଥାଏ।
ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନ ମାତ୍ର ଦୁଇଟି ଏପରି ରାଜ୍ୟ ଅଛନ୍ତି, ଯେଉଁଠି ଗ୍ରାମୀଣ ଦାରିଦ୍ର୍ୟ ଅନୁପାତ ତଥାପି ୩୦ ଶତାଂଶରୁ ଅଧିକ ରହିଛି: ବିହାର ଓ ଝାଡ଼ଖଣ୍ଡ, ଯେଉଁମାନେ ପୂର୍ବେ ଥିଲେ ଗୋଟିଏ ରାଜ୍ୟ। ପାରମ୍ପରିକ ଦରିଦ୍ର ରାଜ୍ୟ ରୂପେ ପରିଚିତ ଅନ୍ୟ ରାଜ୍ୟମାନେ ଏବେ ଗ୍ରାମୀଣ ଦାରିଦ୍ର୍ୟକୁ ସେଇ ୩୦ ଶତାଂଶ ସୀମା ତଳକୁ ଖସାଇ ଦେବାରେ ସଫଳ ହୋଇଛନ୍ତି। ଉଦାହରଣ ସ୍ବରୂପ, ମଧ୍ୟପ୍ରଦେଶେର ଏହି ଦାରିଦ୍ର୍ୟ ହାର ୩୦ ଶତାଂଶରୁ କମ୍ ହୋଇଥିବା ବେଳେ ଓଡ଼ିଶା, ଛତିଶଗଡ଼ ଓ ରାଜସ୍ଥାନରେ ଏହା ୨୦ ଶତାଂଶରୁ କମ୍ ହୋଇଛି।
ଏଥିରେ ସନ୍ଦେହ ନାହିଁ ଯେ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ମିଳିଥିବା ଏହି ସଫଳତା ହେଉଛି ବିଭିନ୍ନ କାର୍ଯ୍ୟକ୍ରମମାନ ମାଧ୍ୟମରେ କେନ୍ଦ୍ର ସରକାର ଅର୍ଥନୈତିକ ଦୁର୍ବଳ ଶ୍ରେଣୀକୁ ଯୋଗାଇ ଥିବା ବିଭିନ୍ନ ଜନମଙ୍ଗଳକାରୀ ସୁବିଧାମାନଙ୍କର ଅବଦାନ। ପୁଷ୍ଟି, ପରିମଳ, ଗୃହନିର୍ମାଣ ଆଦି ଭଳି ପ୍ରମୁଖ କାର୍ଯ୍ୟକ୍ରମମାନ ପାଇଁ ସମ୍ବଳ ଯୋଗାଣରେ ନିୟମିତ ଭାବରେ ଘଟିଚାଲିଥିବା ବୃଦ୍ଧି ସହିତ ତାଳ ଦେଇ ବର୍ତ୍ତମାନ ଅନୁସୃତ ହେଉଥିବା ପ୍ରତ୍ୟକ୍ଷ ରାଶି ହସ୍ତାନ୍ତର (ଡିବିଟି) ପଦ୍ଧତି ଯୋଗୁଁ ତାହା ବାଟମାରଣା ନ ହୋଇ ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ପହଞ୍ଚିବାର ସମ୍ଭାବନାରେ ଚମକପ୍ରଦ ଉନ୍ନତି ଘଟିଛି। ଏହା ଅନିବାର୍ଯ୍ୟ ଭାବରେ ଦାରିଦ୍ର୍ୟରେ ହ୍ରାସ ଘଟାଇଛି।
ଦେଶରେ ଦାରିଦ୍ର୍ୟରେ ଘଟିଥିବା ଏହି ପ୍ରଭାବଶାଳୀ ପତନ ଏକ ନୂତନ ସମ୍ଭାବନା ମଧ୍ୟ ସୃଷ୍ଟି କରିଛି। ସମାଜଶାସ୍ତ୍ରର ‘କ୍ରିଟିକାଲ୍ ମାସ୍’ ନିୟମ ଅନୁସାରେ ଦାରିଦ୍ର୍ୟରେ ଏହି ହ୍ରାସ ଯଦି ଏକ ‘କ୍ରିଟିକାଲ୍ ମାସ୍’ ହାସଲ କରିଥାଏ, ଅର୍ଥାତ୍ ଏକ ନିର୍ଣ୍ଣାୟକ ସ୍ତରରେ ପହଞ୍ଚିଥାଏ, ତେବେ ଏହା ଲୋକମାନଙ୍କର ଅର୍ଥନୈତିକ ଆଚରଣରେ ଏକ ସ୍ବାଗତଯୋଗ୍ୟ ପରିବର୍ତ୍ତନ ଘଟାଇବ: ସେମାନେ ଦାରିଦ୍ର୍ୟକୁ ଆଉ ଏକ ଅନିବାର୍ଯ୍ୟ ବିଧି ନିର୍ଦ୍ଦିଷ୍ଟ ଅବସ୍ଥା ରୂପେ ବିଚାର କରି ତାହାକୁ ମୁଣ୍ଡପାତି ସହି ନ ଯାଇ ନିଜର ସୁପ୍ତ ଉଦ୍ଯୋଗକୁ ଜାଗ୍ରତ କରି ତା’ଉପରେ ବିଜୟ ହାସଲ କରିବାକୁ ଉଦ୍ୟମ କରିବେ, ଯାହା ସେମାନଙ୍କର ନୂତନ ଅଭ୍ୟାସରେ ପରିଣତ ହେବ। କେବଳ ସେତିକି ନୁହେଁ, ଦରିଦ୍ରମାନଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିବା ପରେ ଅବଶିଷ୍ଟ ଦରିଦ୍ରମାନଙ୍କୁ ଦାରିଦ୍ର୍ୟ କବଳରୁ ଉଦ୍ଧାର କରିବା ସରକାରଙ୍କ ପାଇଁ ଅଧିକ ସହଜ ହେବ। ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମମାନ ଯେତେବେଳେ ଅଳ୍ପସଂଖ୍ୟକ ଲୋକମାନଙ୍କ ପ୍ରତି ଉଦ୍ଦିଷ୍ଟ ହେବ, ସେତେବେଳେ ସେଗୁଡ଼ିକର ଅଧିକ ଫଳପ୍ରଦ ପରିଚାଳନା ପ୍ରଶାସନ ପାଇଁ ସହଜସାଧ୍ୟ ହେବ।
ତେବେ ଦାରିଦ୍ର୍ୟ ଦୂରୀକରଣରେ ଏପରି ସଫଳତା ହାସଲ କରିଥିବା ସରକାରଙ୍କର ଏହି ବଣ୍ଟନ ଭିତ୍ତିକ ଉଦ୍ୟମର ଏକ ଚିନ୍ତାଜନକ ଦିଗ ମଧ୍ୟ ରହିଛି। ଏହା ଯଦି ହିତାଧିକାରୀମାନଙ୍କୁ ଅଭ୍ୟାସଗତ ଭାବରେ ସର୍ବଦା ସରକାରଙ୍କ ଉପରେ ନିର୍ଭରଶୀଳ କରିଦିଏ, ତା’ହେଲେ ଦାରିଦ୍ର୍ୟରୁ ମୁକ୍ତି ଦୀର୍ଘସ୍ଥାୟୀ ହେବ ନାହିଁ। ଏକ ସୁପରିଚିତ ଆପ୍ତବାକ୍ୟକୁ ଅନୁସରଣ କରି ସରକାର ତେଣୁ ଲୋକମାନଙ୍କୁ କେବଳ ମାଛ ନ ବାଣ୍ଟି, ସେମାନଙ୍କୁ ମାଛ ଧରିବା କୌଶଳ ମଧ୍ୟ ଶିଖାଇବା ଆବଶ୍ୟକ। ତା’ହେଲେ ଯାଇ ଈଶ୍ବରଙ୍କ ଅଧୁରା କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯାଇପାରିବ।