ନବକୃଷ୍ଣ ଚୌଧୁରୀ ଥିଲେ ଓଡ଼ିଶାର ସାମ୍ୟବାଦୀ ଆନ୍ଦୋଳନର ଭଗୀରଥ। ସେ ତାଙ୍କ ତରିକୁନ୍ଦ ଫାର୍ମ୍ରେ ରହୁଥିଲା ବେଳେ ପାଖ କଣ୍ଟାପଡ଼ା ଗାଁର ଗୁରୁଚରଣ ମହାନ୍ତି ସେତେବେଳକୁ ଇଂଲଣ୍ଡରୁ ଫେରିଥାନ୍ତି। ସେ ଇଂଲଣ୍ଡରେ ଥିଲା ବେଳେ ପ୍ରଗତିଶୀଳ ରାଜନୀତିରେ ଓ ବ୍ରିଟିସ ଶ୍ରମିକ ଦଳରେ ମିଶିଥିଲେ। ସେ ହିଁ ନବ ବାବୁଙ୍କୁ ସାମ୍ୟବାଦୀ ଚିନ୍ତାଧାରା ଦିଗରେ ଆକୃଷ୍ଟ କରାଇଥିଲେ। ସେ ବହୁ ବାର ନବ ବାବୁଙ୍କ ପାଖକୁ ଆସୁଥିଲେ। ତାଙ୍କ ସହିତ ନବ ବାବୁଙ୍କର ବେଶ୍ ମେଳ ଥିଲା। ଦୁର୍ଭାଗ୍ୟକୁ ସେ ଅଳ୍ପ କାଳ ପରେ ଯକ୍ଷ୍ମା ରୋଗରେ ଦେହ ତ୍ୟାଗ କରିଥିଲେ।
ଲୁଣମରା ଆନ୍ଦୋଳନ ସମୟରେ ନବ ବାବୁ ସେଥିରେ ଯୋଗ ଦେଇ ନ ଥିଲେ। କିନ୍ତୁ ବାଲେଶ୍ୱରର ଶ୍ରୀଜଙ୍ଗ ଠାରେ ୧୯୩୦ ମସିହା, ଜୁଲାଇ ମାସରେ ଟିକସ ବନ୍ଦ ଆନ୍ଦୋଳନ କରି ପ୍ରାୟ ୪ ମାସ ଜେଲ୍ ଯାଇ ନଭେମ୍ବର ୮ରେ ଖଲାସ ହୋଇଥିଲେ। ଏହା ପରେ ୧୯୩୨ ମସିହାରେ ଗାନ୍ଧୀ ଇରଉଇନ (ବଡ଼ଲାଟ) ଚୁକ୍ତି ଅକାମୀ ହେବାରୁ ସେ କଟକ ଠାରେ ଜେଲ୍ ଯାଇଥିଲେ ଓ ସେଠାରୁ ହଜାରିବାଗ ଜେଲକୁ ବଦଳି ହୋଇଥିଲେ। ସେ ଜେଲରେ ଥିଲାବେଳେ ସେହି ବର୍ଷ ସମତାଳରେ ମିନୁ ମାସାନୀ, ୟୁସୁଫ୍ ମେହେର ଅଲ୍ଲୀ, ଅଶୋକ ମେହେଟ୍ଟା, ଜୟପ୍ରକାଶ ନାରାୟଣ ଆଦି ବଡ଼ ବଡ଼ ନେତା ଏବଂ ସୁରେନ୍ଦ୍ର ଦ୍ୱିବେଦୀ, ମନମୋହନ ଚୌଧୁରୀ, ରବୀନ୍ଦ୍ର ମୋହନ ଦାସ, ଗୌରଚନ୍ଦ୍ର ଦାସ, ଗୌରାଙ୍ଗ ଚରଣ ଦାସ ଆଦିଙ୍କୁ ଅହିଂସା ଓ ଅସହଯୋଗ କଥାଟା ମନକୁ ପାଉ ନ ଥାଏ। ସେମାନେ କିଛି ଟାଣୁଆ କାର୍ଯ୍ୟକ୍ରମ କଥା ଚିନ୍ତା କରୁଥାନ୍ତି; ଯଦିଓ ଦେଶର ମୁକ୍ତି ଦିଗରେ ଗାନ୍ଧୀଜୀଙ୍କ ନେତୃତ୍ୱକୁ ଅସ୍ୱୀକାର କରି ହେଉ ନ ଥାଏ।
ହଜାରିବାଗ ଜେଲ୍ରୁ ଖଲାସ ହେବା ପରେ ନବ ବାବୁଙ୍କ ଜୀବନର ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା। ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଓକିଲ, ଛୋଟ ଜମିଦାର, ଡାକ୍ତର ଓ ବଡ଼ ଚାଷୀଙ୍କ ମଧ୍ୟରେ ସୀମିତ ଥିଲା। ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ସେମାନଙ୍କ କାର୍ଯ୍ୟକ୍ରମ ମଧ୍ୟରେ ନ ଥିଲା। ଓଡ଼ିଶାର ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ହାତକୁ ନେବା ଏବଂ ସେମାନଙ୍କୁ କଂଗ୍ରେସ ଦଳ ସହିିତ ସଂଶ୍ଲିଷ୍ଟ କରିବା ଲାଗି ପ୍ରଥମ ଉଦ୍ୟମ ହୁଏ ତାଙ୍କ ତରିକୁନ୍ଦ ଚାଷ ଘରେ।
ସେଠାରେ ପ୍ରଥମେ ଏକ ଅନୁଶୀଳନ ଶିବିର ଆରମ୍ଭ ହୁଏ ଏବଂ କଂଗ୍ରେସ ସଂଗଠନ ମଧ୍ୟରେ ଏକ ସାମ୍ୟବାଦୀ ଶାଖା ଗଠନ ପାଇଁ ନିଷ୍ପତ୍ତି ନିଆଯାଏ। ୧୯୩୩ ଫେବ୍ରୁଆରି ମାସରେ ଏହି ଉଦ୍ଦେଶ୍ୟରେ ଯେଉଁ ଐତିହାସିକ ବୈଠକ ଡକା ଯାଇଥିଲା, ତହିଁରେ ଯୋଗ ଦେଇଥିଲେ ଗୌରଚନ୍ଦ୍ର ଦାସ, ଗୌରାଙ୍ଗ ଦାସ, ସୁଧୀର ଘୋଷ, ଡାକ୍ତର ନୃପେନ ସେନ, ମନମୋହନ ଚୌଧୁରୀ ଓ ସୁରେନ୍ଦ୍ରନାଥ ଦ୍ୱିବେଦୀ। ହରେକୃଷ୍ଣ ମହତାବଙ୍କୁ ସେହି ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। ସେ ନ ଆସି କରୁଣାକର ପାଣିଗ୍ରାହୀ ଆଦି କେତେ ଜଣଙ୍କୁ ଦର୍ଶକ ଭାବରେ ପଠାଇଥିଲେ। ସେହି ରାତିର ଗୋପନ ଆଲୋଚନା ପରେ ‘ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘ’ ନାମକ ଏକ ସଂଗଠନ ଗାଢ଼ାଗଲା। ଏହା ପରେ ପରେ ରବି ଘୋଷ, ପ୍ରାଣନାଥ ପଟ୍ଟନାୟକ, ମୋହନ ଦାସ, ଭଗବତୀ ପାଣିଗ୍ରାହୀ, ଦିବାକର ପଟ୍ଟନାୟକ ଓ ଗତିକୃଷ୍ଣ ସ୍ୱାଇଁ ଏବଂ ଲୋକନାଥ ରାୟ ଆଦି ଏହି ସଂଗଠନରେ ଯୋଗ ଦେଇଥିଲେ। ଅବଶ୍ୟ କିଛି ଲୋକ କିଛି ଦିନ ପରେ ଆଉ ଏଥିରେ ମିଶିଲେ ନାହିଁ। ସେହି ସଂଗଠନର ବୈଠକରେ ସ୍ଥିର ହେଲା ସାମ୍ୟବାଦର ବାର୍ତ୍ତାବହ ଭାବରେ ସାରଥୀ ନାମକ ଏକ ପତ୍ରିକା ବାହାରିବ। ମାଳତୀ ଦେବୀଙ୍କ ଅଳଙ୍କାର ବିକ୍ରି ହୋଇ ସେହି ପତ୍ରିକା କିଛି ଦିନ ଚାଲିଲା। ମାର୍କ୍ସଙ୍କ ବିଖ୍ୟାତ ଆହ୍ୱାନ ‘ଦୁନିଆ ଶ୍ରମିକ ଏକ ହୁଅ’ ଏହାର ମଲାଟରେ ଛପା ହୋଇଥିଲା।
୧୯୩୩, ମଇ ପହିଲାରେ ସେହି ଉଦ୍ଦେଶ୍ୟରେ କିଛି ଶ୍ରମିକଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରିବା କଥା। ସାରଥୀ ପତ୍ରିକା ଛପା ହେଉଥିବା ଛାପା କଳର ଦୁଇ ଜଣ ଶ୍ରମିକ ଓ ୧୦ରୁ ୧୨ ଜଣ ସୋସାଲିଷ୍ଟ ଲୋକ ସେଦିନ ଓଡ଼ିଶାରେ ପ୍ରଥମ କରି ମଇ ଦିବସ ପାଳନ କଲେ। ଉକ୍ତ ୧୪ ଜଣ ପ୍ଲାକାର୍ଡ଼ ଧରି ‘ଦୁନିଆର ଶ୍ରମିକ ଏକ ହୁଅ’ ଧ୍ୱନି ଦେଇ କଟକ ସହରର ମୁଖ୍ୟ ରାସ୍ତାରେ ଶୋଭାଯାତ୍ରା କଲେ। ନବ ବାବୁ ସେହି ଶୋଭାଯାତ୍ରାର ଆଗେ ଆଗେ ଯାଉଥାନ୍ତି। ଗୌରୀଶଙ୍କର ପାର୍କରେ ଏକ ସଭା କରି ସେ ମଇ ପହିଲାର ତାତ୍ପର୍ଯ୍ୟ ବୁଝାଇଲେ। ସେ ପର୍ଯ୍ୟନ୍ତ ଶୋଭାଯାତ୍ରାଗୁଡ଼ିକରେ ମହାତ୍ମା ଗାନ୍ଧୀ କି ଜୟ, ଭାରତ ମାତା କି ଜୟ ଭଳି ଧ୍ୱନି ଶୁଣିବାକୁ ମିଳୁଥିଲା। ଏଣୁ ‘ଦୁନିଆର ଶ୍ରମିକ ଏକ ହୁଅ ଧ୍ୱନି ଥିଲା କଟକ ପାଇଁ ସମ୍ପୂର୍ଣ୍ଣ ଅଭିନବ। ସେହି ବେଳରେ ହିଁ ସର୍ବ ଭାରତୀୟ ସ୍ତରରେ କଂଗ୍ରେସ ସୋସାଲିଷ୍ଟ ପାର୍ଟି ଗଢ଼ା ହୋଇଥିଲା। ଅବଶ୍ୟ ଅଳ୍ପ ସମୟ ପରେ ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘକୁ ସର୍ବ ଭାରତୀୟ କଂଗ୍ରେସ ସୋସାଲିଷ୍ଟ ପାର୍ଟିରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସେତେବେଳକୁ ନବ ବାବୁ କଂଗ୍ରେସର କାର୍ଯ୍ୟ ଧାରାରେ ଅସ୍ଥିର ହୋଇ ପଡ଼ିଥିଲେ ଓ କିଛି ଲଢୁଆ କାର୍ଯ୍ୟକ୍ରମ ଲାଗି ଚିନ୍ତା କରୁଥିଲେ। ୧୯୩୩, ସେପ୍ଟେମ୍ବର ୮ ଓ ୯ ତାରିଖରେ ସେ ଜବାହାରଲାଲ ନେହରୁଙ୍କୁ ଏହି ମର୍ମରେ ଦୁଇଟି ଚିଠି ଲେଖିଥିଲେ। ଜବାହାରଲାଲ ବି ତାଙ୍କ ଚିଠିର ଉତ୍ତର ଦେଇଥିଲେ।
କଂଗ୍ରେସ ସୋସାଲିଷ୍ଟ ପାର୍ଟି ଗଠିତ ହେବା ପରେ କଂଗ୍ରେସ ଦଳ ମଧ୍ୟରେ ଏଥି ପ୍ରତି ବିରୋଧ ଭାବ ଦେଖା ଦେଇଥିଲା। କିନ୍ତୁ ଜବାହାରଲାଲ ନେହେରୁଙ୍କ ସମର୍ଥନ ଯୋଗୁଁ ଏ ଦିଗରେ ବିଶେଷ ଅସୁବିଧା ହୋଇ ନ ଥିଲା। ବିହାର ଓ ଉତ୍ତରପ୍ରଦେଶରୁ ଏବଂ ବମ୍ବେରୁ ବହୁ ବିଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଏଥିରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଆଚାର୍ଯ୍ୟ ନରେନ୍ଦ୍ର ଦେବ ଓ ଗଙ୍ଗା ଶରଣ ସିଂହଙ୍କ ଭଳି ଉଲ୍ଲେଖଯୋଗ୍ୟ ନେତା।
୧୯୩୪, ଅକ୍ଟୋବର ୨୧ ଓ ୨୨ରେ ବମ୍ବେର ୱର୍ଲି ଠାରେ ସର୍ବ ଭାରତୀୟ କଂଗ୍ରେସ ସୋସାଲିଷ୍ଟ ପାର୍ଟି ବସିଥିଲା। ସେହି ଉଦ୍ଦେଶ୍ୟରେ ନବକୃଷ୍ଣ ଚୌଧୁରୀଙ୍କ ବାଖରାବାଦ ଘରେ ଏକ ସମ୍ମିଳନୀ ବସି ଉତ୍କଳ କଂଗ୍ରେସ ସାମ୍ୟବାଦୀ କର୍ମୀ ସଂଘକୁ ସର୍ବ ଭାରତୀୟ କଂଗ୍ରେସ ସୋସାଲିଷ୍ଟ ପାର୍ଟିରେ ମିଶାଇ ଦେବାକୁ ସ୍ଥିର କରାଗଲା। ସେହି ପ୍ରଥମ ଅଧିବେଶନରେ ପ୍ରାଣନାଥ ପଟ୍ଟନାୟକ କଂଗ୍ରେସ ସୋସାଲିଷ୍ଟ ପାର୍ଟି ଓଡ଼ିଶା ଶାଖାର ପ୍ରଥମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ପର ବର୍ଷ ଭଗବତୀ ପାଣିଗ୍ରାହୀ ତାହାର ସଂପାଦକ ହେଲେ। ୱର୍ଲି ସମ୍ମିଳନୀରୁ ଫେରି କଂଗ୍ରେସ ସୋସାଲିଷ୍ଟମାନେ ନିଜର କାର୍ଯ୍ୟକ୍ରମ ଭାବରେ ଚାଷୀ ଆନ୍ଦୋଳନ ଆରମ୍ଭ କଲେ। କାରଣ ସେତେବେଳକୁ ଓଡ଼ିଶାରେ ଶ୍ରମିକ ଶ୍ରେଣୀ ନ ଥାଏ ଓ ମୂଲିଆମାନଙ୍କୁ ସଂଗଠିତ କରିବାର ପରିସ୍ଥିତି ବି ନ ଥାଏ। ଏଣୁ ସେମାନେ ଜମିଦାରମାନଙ୍କ ଶୋଷଣ ଓ ଅତ୍ୟାଚାର ଏବଂ ଚାଷୀଙ୍କ ସମସ୍ୟାକୁ ନେଇ କିଛି କିଛି କାର୍ଯ୍ୟକ୍ରମ ଆରମ୍ଭ କଲେ।
୧୯୩୪ରୁ ୧୯୩୬; ଏହି ତିନି ବର୍ଷ ମଧ୍ୟରେ ଓଡ଼ିଶାର କଟକ, ପୁରୀ ଓ ବାଲେଶ୍ୱର ଜିଲ୍ଲାରେ କୃଷକ ଆନ୍ଦୋଳନ ବେଶ ଆଗେଇଲା। ଏହା ଛଡ଼ା ଗଞ୍ଜାମ ଜିଲ୍ଲାରେ ବିଶ୍ୱନାଥ ଦାସ, ଉମାଚରଣ ପଟ୍ଟନାୟକ, ଦିବାକର ପଟ୍ଟନାୟକ ଓ ବିଶେଷ ଭାବରେ ବନମାଳୀ ମହାରଣା ଏବଂ ଗୋବିନ୍ଦ ପ୍ରଧାନ ଆଦିଙ୍କ ନେତୃତ୍ୱରେ ରୟତ ଆନ୍ଦୋଳନ ହୋଇଥିଲା। ନବକୃଷ୍ଣ ଚୌଧୁରୀ ସେ ସବୁ ସହିତ ସହଯୋଗ କରୁଥିଲେ ଓ ସଭାସମିତିରେ ଯୋଗ ଦେଉଥିଲେ। ତାଙ୍କରି ସଂସ୍ପର୍ଶରେ ଆସି ବନମାଳୀ ମହାରଣା ଓ ଗୋବିନ୍ଦ ପ୍ରଧାନ କଂଗ୍ରେସ ସୋସାଲିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ। ଏହି ସମୟରେ ନବ ବାବୁ ନିଜେ ନ ଯାଇ ମାଳତୀ ଦେବୀ, ସୁରେନ୍ଦ୍ର ଦ୍ୱିବେଦୀ ଓ ଗୌରାଙ୍ଗ ଚରଣ ଦାସଙ୍କୁ ସେ ଅଞ୍ଚଳକୁ ପଠାଉଥିଲେ।
ଓଡ଼ିଶା କୃଷକମାନଙ୍କ ପ୍ରଥମ ସମ୍ମିଳନୀ ୧୯୩୫ ଜୁନ ୧୦ ତାରିଖରେ କଟକ ଟାଉନ ହଲ୍ରେ ହୋଇଥିଲା। ସେଥିରେ ସଭାପତିତ୍ୱ କରିଥିଲେ ଗୋଦାବରୀଶ ମିଶ୍ର। ସେହି ବର୍ଷ ଅଗଷ୍ଟ ୧୦ ତାରିଖରେ ଓଡ଼ିଶା କୃଷକଙ୍କ ଆନୁଷ୍ଠାନିକ ସଂଗଠନ ‘କୃଷକ ସଂଘ’ ଗଠିତ ହୋଇଥିଲା। ତାହାର ପ୍ରଥମ ସଭାପତି ଥିଲେ ହରେକୃଷ୍ଣ ମହତାବ ଓ ଯୁଗ୍ମ ସମ୍ପାଦକ ହେଲେ ସୁରେନ୍ଦ୍ରନାଥ ଦ୍ୱିବେଦୀ ଓ ମାଳତୀ ଦେବୀ। ଏହି ଚାଷୀ ଆନ୍ଦୋଳନରେ ପ୍ରଥମାବସ୍ଥାରେ ଚାଷୀ ନ ଥିଲେ, ଥିଲେ ଛୋଟ ଛୋଟ ଜମିଦାର ଓ ବଡ଼ ବଡ଼ ଚାଷୀ ଘରର ଯୁବକଯୁବତୀମାନେ। ୧୯୩୮ ମସିହାରେ ଜେନାପୁର ଚାଷୀ ସମ୍ମିଳନୀ ଥିଲା ଐତିହାସିକ। ଏହି ସମ୍ମିଳନୀରେ ଢେଙ୍କାନାଳରୁ ପ୍ରାୟ ଦଶ ହଜାର ଲୋକ ଯୋଗ ଦେଇଥିଲେ ଓ ଏଇଠୁ ହୁଏ ଗଡ଼ଜାତ ଆନ୍ଦୋଳନର ଅୟମାରମ୍ଭ। ଚାଷୀ ଆନ୍ଦୋଳନର ସଫଳତା ଯୋଗୁଁ ୧୯୩୭ରେ ପ୍ରଥମ ନିର୍ବାଚନରେ ଓଡ଼ିଶା କଂଗ୍ରେସ ଦଳ ୩୭ଟି ସାଧାରଣ ସ୍ଥାନରୁ ୩୬ ସ୍ଥାନରେ ବିଜୟ ଲାଭ କରିଥିଲା। ନିର୍ବାଚନରେ ନବକୃଷ୍ଣ ଚୌଧୁରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲେ ବି ସେ ବିଶ୍ୱନାଥ ଦାସଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ନ ହୋଇ ସମାଜବାଦୀ ଦଳ ତରଫରୁ ନିତ୍ୟାନନ୍ଦ କାନୁନଗୋଙ୍କୁ ମନ୍ତ୍ରୀ ହେବା ପାଇଁ ସୁପାରିସ କରିଥିଲେ।
ଏହି ମନ୍ତ୍ରୀମଣ୍ଡଳରେ ଚାଷୀଙ୍କ ଉଦ୍ଦେଶ୍ୟରେ କେତେକ ଆଇନ ପ୍ରଣୀତ ହୋଇଥିଲା। କିନ୍ତୁ ଏହି ମନ୍ତ୍ରୀମଣ୍ଡଳ ଅଧିକ ଦିନ ରହିଲା ନାହିଁ। ଦ୍ୱିତୀୟ ମହାସମରରେ ଇଂରେଜ ସରକାର ଭାରତବାସୀଙ୍କ ମତ ନ ନେଇ ଯୁଦ୍ଧରେ ପଶିଥିବାରୁ ଭାରତର ସବୁ ରାଜ୍ୟର କଂଗ୍ରେସ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଥିଲେ। ଏହା ସତ୍ତ୍ୱେ କଂଗ୍ରେସ ନେତାମାନେ ଇଂରେଜ ସରକାର ବିରୋଧରେ ସଭା ସମିତି ଜରିଆରେ ଦଳର ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଗଡ଼ଜାତ ଆନ୍ଦୋଳନ ଚଳାଇ ଥିଲେ। ଏହିସବୁ ଆନ୍ଦୋଳନରେ, ବିଶେଷ ଭାବରେ ୧୯୪୨ ଅଗଷ୍ଟ ଆନ୍ଦୋଳନରେ କଂଗ୍ରେସ ସୋସାଲିଷ୍ଟମାନେ ଲଢୁଆ ଥିଲେ। ଇତିମଧ୍ୟରେ ପ୍ରାଣନାଥ ପଟ୍ଟନାୟକ, ଭଗବତୀ ପାଣିଗ୍ରାହୀ ଆଦି ସାମ୍ୟବାଦୀମାନେ କଂଗ୍ରେସ ଦଳ ମଧ୍ୟରେ ଥାଇ କମ୍ୟୁନିଷ୍ଟ ଦଳର ଗୁପ୍ତ ଗୋଷ୍ଠୀ ଗିଢ଼ିଥାନ୍ତି। ଦ୍ୱିତୀୟ ମହାସମର ଶେଷ ବେଳକୁ ସେମାନେ ବିଧିବଦ୍ଧ ଭାବରେ କଂଗ୍ରେସ ଦଳରୁ ଅଲଗା ହୋଇ ଯାଇଥିଲେ। ୧୯୩୯ରେ ଗୃହ ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ କାନୁନଗୋ ଗୁପ୍ତ ପୁଲିସଙ୍କ ଠାରୁ ଏହି ଖବର ପାଇଥିଲେ। ନବ ବାବୁ ଏଥିରେ ଅତ୍ୟନ୍ତ ମର୍ମାହତ ହୋଇ ସୋସାଲିଷ୍ଟ ଆନ୍ଦୋଳନ ପ୍ରତି ଆଗ୍ରହ ହରାଇଥିଲେ। ତଥାପି ତାଙ୍କରି ସୁପାରିସରେ, କଂଗ୍ରେସ ସୋସାଲିଷ୍ଟ ଦଳର କର୍ମୀମାନଙ୍କୁ ନେଇ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସ ସୋସାଲିଷ୍ଟ ଦଳ ପୁନର୍ଗଠିତ ହେଲା।
ସ୍ୱାଧୀନତା ପ୍ରାପ୍ତି ବେଳକୁ ରାଜା, ମହାରାଜା ଓ ନବାବମାନଙ୍କୁ ହାତପାଣ୍ଠି ଦେବାକୁ ସୋସାଲିଷ୍ଟମାନେ ବିରୋଧ କରୁଥିଲେ। ଏହା ପରେ ଜମିଦାରି ଉଚ୍ଛେଦ ବେଳକୁ, ଭାରତୀୟ ସଂବିଧାନର ବିଧାନକୁ ବିଚାରକୁ ନେଇ ଜମିଦାରମାନଙ୍କୁ କ୍ଷତିପୂରଣ ଦିଆଗଲା। ଯେଉଁ ସୋସାଲିଷ୍ଟମାନେ ସ୍ୱାଧୀନତା ପାଇବା ପରେ ଦେଶର ମୌଳିକ ପରିବର୍ତ୍ତନ ହେବ ବୋଲି ଆଶା କରିଥିଲେ, ତାହାର ଆଭାସ ଦେଖାଗଲା ନାହିଁ। ଏଣୁ ସେମାନେ କଂଗ୍ରେସ ଦଳରୁ ଅଲଗା ହେବା ଲାଗି ସ୍ଥିର କରିଥିଲେ। ଓଡ଼ିଶା କଂଗ୍ରେସ ସୋସାଲିଷ୍ଟମାନେ ଆଶା କରୁଥିଲେ ନବ ବାବୁ ତାଙ୍କ ସହିତ ରହିବେ। କଂଗ୍ରେସ ଦଳର କାର୍ଯ୍ୟାଳୟ ସ୍ୱରାଜ୍ୟ ଆଶ୍ରମରେ ଦିନେ କଂଗ୍ରେସ ସୋସାଲିଷ୍ଟମାନେ ଏ ଦିଗରେ ବିଚାର କରୁଥିବା ବେଳେ ନବ ବାବୁଙ୍କର ସେମାନଙ୍କ ଉପରେ ଦୃଷ୍ଟି ପଡ଼ିଲା। ସେ ସେମାନଙ୍କ ପାଖକୁ ଯାଇ କହିଥିଲେ ଯେ ତାଙ୍କ ଦଳରେ ଯୋଗ ଦେଇ ରହିପାରିବେ ନାହିଁ।
ଏହି କଥା କହି ସେ କାନ୍ଦି ପକାଇଥିଲେ ଓ ଉପସ୍ଥିତ ସମାଜବାଦୀମାନେ ମଧ୍ୟ କାନ୍ଦି ଥିଲେ। କମ୍ୟୁନିଷ୍ଟ ଓ ସୋସାଲିଷ୍ଟ ଅଲଗା ହେବା ପରେ ଭାରତ ବର୍ଷରେ ସାମ୍ୟବାଦୀ ଆନ୍ଦୋଳନର ମେରୁଦଣ୍ଡ ଭାଙ୍ଗି ପଡ଼ିଥିଲା ବୋଲି ତାଙ୍କର ହୃଦବୋଧ ହୋଇଥିଲା। ତଥାପି ନବ ସ୍ୱାଧୀନତାପ୍ରାପ୍ତ ଭାରତବର୍ଷ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାମ ବାକି ଥିଲା ବୋଲି ସେ କଂଗ୍ରେସ ଦଳରେ ରହିଲେ। କିନ୍ତୁ ୧୦ ବର୍ଷ ମଧ୍ୟରେ ଓଡ଼ିଶା ଓ ଅନ୍ୟାନ୍ୟ ରାଜ୍ୟରେ କଂଗ୍ରେସ ଦଳର ଦକ୍ଷିଣ ପନ୍ଥୀଙ୍କ କାର୍ଯ୍ୟକଳାପରେ ସେ ସମ୍ପୂର୍ଣ୍ଣ ନିରାଶ ହୋଇଥିଲେ। ସେ ଅନିଚ୍ଛା ପ୍ରକାଶ ନ କରିଥିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ କେହି ହଟାଇ ପାରିନଥାନ୍ତେ। ସେ ଖାଲି କଂଗ୍ରେସ ଦଳରୁ ଇସ୍ତଫା ଦେଲେନାହିଁ, ଦଳୀୟ ରାଜନୀତିରୁ ବିଦାୟ ନେଲେ। ତାହା ସତ୍ତ୍ୱେ ସେ ଚଳଚଞ୍ଚଳ ଥିବା ପର୍ଯ୍ୟନ୍ତ ସବୁ ଗଣତାନ୍ତ୍ରିକ ଆନ୍ଦୋଳନରେ ନେତୃତ୍ୱ ଦେଉଥିଲେ ଓ ଜୀବନର ଶେଷ ପର୍ଯ୍ୟନ୍ତ ରାଜନୀତିରେ ଥିଲେ।
ମୋ : ୯୯୩୮୮୯୩୪୪୫