ପରିବାର ପାଇଁ ତେଜରାତି ଓ ଅନ୍ୟାନ୍ୟ ଘରକରଣା ସାମଗ୍ରୀ କିଣିବା କାମଟି ମୁଖ୍ୟତଃ ପୁରୁଷମାନଙ୍କର ବୋଲି ନିକଟରେ ଗୋଟିଏ ସର୍ବେକ୍ଷଣରୁ ଜଣାପଡ଼ିଛି। ଅବଶ୍ୟ ସର୍ବେକ୍ଷଣଟି ପୁଣି ଆବିଷ୍କାର କରିଛି ଯେ ପତିଦେବ ବ୍ୟାଗ ଧରି ଚାଉଳ ଡାଲି ଇତ୍ୟାଦି ବଜାରରୁ ଆଣନ୍ତି ସତ, ହେଲେ ସେ କ’ଣ ଆଣିବେ ତା’ର ତାଲିକା ପ୍ରସ୍ତୁତ କରିଥାନ୍ତି ତାଙ୍କ ଘରଣୀ। ଏଭଳି ସର୍ବେକ୍ଷଣଗୁଡ଼ିିକ ଆଜିକାଲି ନିତିଦିନିଆ ଘଟଣାରେ ପରିଣତ ହେଲାଣି। ନାମୀଦାମୀ ଏମ.ବି.ଏ. ଅନୁଷ୍ଠାନଗୁଡିକରୁ ନିଷ୍କୃତ ଉର୍ବର ମସ୍ତିଷ୍କମାନେ ସଚରାଚର ଏମିତି ନିଷ୍କର୍ଷ ସବୁ ବାହାର କରିବାରେ ବ୍ୟସ୍ତ। ଅତି ଅପାଠୁଆ ଲୋକ ବି ଯେଉଁ କଥା ନିଜର ଆଖି ଖୋଲା ରଖି ସାଧାରଣ ଜ୍ଞାନରୁ ଜାଣିଥାଏ, ଏହି ବିଶାରଦମାନେ ସେସବୁକୁ ପରୀକ୍ଷଣ, ନିରୀକ୍ଷଣ ଓ ସର୍ବେକ୍ଷଣ ଦ୍ୱାରା ବୈଜ୍ଞାନିକ ସତ୍ୟତାର ମୋହର ଦେଇଥା’ନ୍ତି ।

Advertisment

ନିଷ୍କର୍ଷଟିର ତାତ୍ପର୍ଯ୍ୟ ଯାହା ହେଉ ନା କାହିଁକି, ଏହା କିନ୍ତୁ ପତି-ପତ୍ନୀ ସମ୍ପର୍କର ରୋଚକ ବିଷୟ ଭିତରକୁ ଦୃଷ୍ଟି ଆକର୍ଷଣ କରୁଛି। ଦାମ୍ପତ୍ୟ ଜୀବନର ତିକ୍ତ-ମଧୁର ସମ୍ପର୍କର ନିକିତି ତଉଲରେ ସ୍ୱାମୀ ନା ସ୍ତ୍ରୀ କିଏ ଭାରୀ!, ସେ ନେଇ କଳ୍ପନାଜଳ୍ପନା, ବ୍ୟଙ୍ଗ କୌତୁକର ଧାରା ଅନେକ କାଳରୁ ଗଡ଼ିଆସିଛି। ସ୍ୱାମୀ-ସ୍ତ୍ରୀ ସମ୍ପର୍କଟି ଏତେ ମଜାଦାର ହୋଇ ନ ଥିଲେ ଆଜିର ସାମାଜିକ ଗଣମାଧ୍ୟମର ବାର୍ତ୍ତାଳାପଗୁଡ଼ିକ ସତରେ କେତେ ରଙ୍ଗହୀନ ଲାଗନ୍ତା କହିଲେ! ଆଜିର ବିଭାଜନକାରୀ ରାଜନୈତିକ ବିତର୍କଗୁଡ଼ିକରେ ଭାଗ ନେଇ ମର୍ମାହତ ହୋଇ ପଡ଼ିଥିବା ସଦସ୍ୟଟିର ମନକୁ ଚନ୍ଦନର ଲେପ ଭଳି ଶୀତଳତା ପ୍ରଦାନ କରେ ଦାମ୍ପତ୍ୟ ସମ୍ପର୍କର କିଛି ମଜା କଥା। ପୁଣି ସାହିତ୍ୟକୁ ଅସଲ ରସ ଯୋଗାଇ ଥାଏ ଏହି ଜଟିଳ ସମ୍ପର୍କ। ଫକୀର ମୋହନଙ୍କ ଶ୍ରୀମତୀ ସମାର୍ଜନୀ କୁହନ୍ତୁ କି ମହାପାତ୍ର ନୀଳମଣିଙ୍କର ସୈରିନ୍ଧ୍ରୀ ଦେବୀ କୁହନ୍ତୁ (ଯାହାଙ୍କ ଆଗରେ ପତି ବୁଦ୍ଧନାଥଙ୍କୁ ‘ନିଲ୍‌ ଡାଉନ୍‌’ ହୋଇ ଶାନ୍ତି ପ୍ରାର୍ଥନା କରିବାକୁ ପଡୁଥିଲା), ସେମିତି ଚରିତ୍ରମାନେ ବୈବାହିକ ସମ୍ପର୍କକୁ ଜମାରୁ ଗତାନୁଗତିକ ଓ ନିରସ ହେବାକୁ ଦିଅନ୍ତି ନାହିଁ।

ପୁରୁଷର ସମସ୍ତ ବାହ୍ୟ ଗୁରୁତ୍ୱ ଓ ପ୍ରାଧାନ୍ୟକୁ ତୁଚ୍ଛ କରି ପକାଏ ସ୍ତ୍ରୀ ସମ୍ମୁଖରେ ତା’ର ଅସହାୟ ରୂପ। ଏବେ ବି କିଛି ସ୍ୱାମୀ ଅଛନ୍ତି ଯେଉଁମାନେ ମରହଟ୍ଟୀ ଭାବନାର ବଶବର୍ତ୍ତୀ ହୋଇ ସ୍ତ୍ରୀଙ୍କ ପାଖରେ ନିଜର ଅସଲି ଅସହାୟତାକୁ ପ୍ରକାଶ କରିବାକୁ ଚାହାନ୍ତି ନାହିଁ। କିନ୍ତୁ, ନିରାଟ ସତ୍ୟକୁ ଲୁଚାଇବା ଯେ ବୁଦ୍ଧିମାନର କାମ ନୁହେଁ, ଏ କଥା ଅନେକେ ଉପଲବ୍‌ଧି କରି ସାରିଛନ୍ତି; ଯେମିତି ମୋର ଜଣେ ବନ୍ଧୁ ତାଙ୍କର ଡ୍ରଇଂରୁମ୍‌ରେ ଗୋଟିଏ ଆକର୍ଷଣୀୟ ଫଳକ ଝୁଲାଇଥିଲେ, ଯେଉଁଥିରେ ବଡ଼ ହରଫରେ ଲେଖା ଥିଲା , ‘ମୁଁ ଏ ଘରର ସର୍ବେସର୍ବା’, ଆଉ ତା’ ତଳକୁ ନିହାତି ଛୋଟ ଅକ୍ଷରରେ ଲେଖା ଥିଲା, ‘ଏହା ଘୋଷଣା କରିବା ପାଇଁ ମୁଁ ମୋ’ ସ୍ତ୍ରୀଙ୍କ ଅନୁମତି ପ୍ରାପ୍ତ।’ ମୋର ଆଉ ଜଣେ ବନ୍ଧୁ ତାଙ୍କ ଦାମ୍ପତ୍ୟ ଜୀବନରେ ବିରାଜମାନ କରୁଥିବା ଅବିରତ ଶାନ୍ତିର ରହସ୍ୟ ବିଷୟରେ ଟିପ୍ପଣୀ ଦେବାକୁ ଯାଇ କହିଥିଲେ ଯେ ସବୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ସେ ନିଷ୍ପତ୍ତି ନିଅନ୍ତି, ଏଇ ଯେମିତି ଭାରତ ଆଣବିକ ପରୀକ୍ଷଣ କରିବା ଉଚିତ କି ନାହିଁ ବା ଆମେ ୟୁକ୍ରେନ ଯୁଦ୍ଧକୁ ବିରୋଧ କରିବା କି ନାହିଁ ଇତ୍ୟାଦି। ଆଉ ସବୁ ଛୋଟ ଛୋଟ ନିଷ୍ପତ୍ତି, ଯେମିତି କି ଆମେ କେଉଁ ଗାଡ଼ି କିଣିବା, ଛୁଟିରେ ବୁଲିବାକୁ କେଉଁଠିକୁ ଯିବା, ପିଲାମାନେ କେଉଁ ସ୍କୁଲରେ ନାମ ଲେଖାଇବେ ଇତ୍ୟାଦି ତାଙ୍କର ସ୍ତ୍ରୀଙ୍କର ଇଲାକା। ବନ୍ଧୁ କହିଥିଲେ, ‘ଆମେ କେହି ଅନ୍ୟର ଇଲାକାରେ ଅନୁପ୍ରବେଶ କରୁନାହିଁ, ତେଣୁ ସବୁ ଠିକ ଠାକ ଚାଲିଛି।’

ଅବଶ୍ୟ ଦାମ୍ପତ୍ୟ ଜୀବନରେ ଏମିତି ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିରଳ ତଥା ଅସ୍ୱାଭାବିକ ଓ ଏହା ବେଳେବେଳେ ଅବାଞ୍ଛନୀୟ ପରିସ୍ଥିତି ସୃଷ୍ଟି କରିଥାଏ। ନିକଟରେ ଜଣେ ମହିଳା ବିବାହ ବିଚ୍ଛେଦ ପାଇଁ ବିଚାରାଳୟର ଦ୍ୱାରସ୍ଥ ହୋଇଥିଲେ ଏହି କାରଣରୁ ଯେ ତାଙ୍କ ସ୍ୱାମୀ କୌଣସି ପ୍ରତିବାଦ ବା କଳହ ନ କରି ତାଙ୍କର ସବୁ କଥା ମାନି ଯାଉଛନ୍ତି! ଏମିତି ଅଯାଚିତ ନିରୁପଦ୍ରବ ତାଙ୍କ ବୈବାହିକ ଜୀବନକୁ ଦୁର୍ବିଷହ କରିପକାଇଛି। ବୈବାହିକ ଜୀବନରେ କଳହ ଓ ଆବଶ୍ୟକ ସ୍ଥଳେ କଠୋର ନିଷ୍ପତ୍ତି (ପେଟେଣ୍ଟ ମେଡ଼ିସିନ କହିପାରନ୍ତି) ଯେ ନିହାତି ଫଳପ୍ରଦ, ତାହାର ପ୍ରମାଣ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ଦ୍ୱାରା ସ୍ୱାମୀ ମହାପ୍ରଭୁ ଜଗନ୍ନାଥଙ୍କର ରଥ ଭଙ୍ଗା ଘଟଣାରୁ ମିଳି ସାରିଛି। ସାବଧାନ ଲୋକେ ଏଇଥି ପାଇଁ ବୋଧେ ମୂଳରୁ ଘରର ଚାବି ପେନ୍ଥାଟିଏ କ୍ଷମତାର ପ୍ରତୀକ ହିସାବରେ ଘରଣୀଙ୍କୁ ସମର୍ପି ଦେଇ ଶାନ୍ତିରେ ନିଃଶ୍ୱାସ ନିଅନ୍ତି।

ପୁରୁଷ ଓ ସ୍ତ୍ରୀ; ଏହି ଦୁଇ ଜାତି ଭିତରେ ବୁଝାମଣା ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଅଗଣିତ ପରୀକ୍ଷା ନିରୀକ୍ଷା ହୋଇ ସାରିଥିଲେ ସୁଦ୍ଧା ବିଷୟଟି ଆଜି ଯାଏ ରହସ୍ୟର ଧୂସର ଆବରଣ ଭିତରୁ ବାହାରି ପାରିନାହିଁ। ବିଶେଷଜ୍ଞମାନଙ୍କ ମତରେ ପୁରୁଷ ଓ ସ୍ତ୍ରୀ ଦୁଇ ଜଣ ନାମକୁ ମାତ୍ର ସମାନ ମନୁଷ୍ୟ ପ୍ରଜାତିର, ହେଲେ ସମାନେ ସମ୍ପୂର୍ଣ୍ଣ ଅଲଗା ଅଲଗା ପ୍ରାଣୀ। ଜନ୍ ଗ୍ରେ ନାମକ ଜଣେ ଲେଖକ ତ କହି ପକାଇଲେ ଯେ ପୁରୁଷମାନେ ମଙ୍ଗଳ ଓ ମହିଳାମାନେ ଶୁକ୍ର ଗ୍ରହରୁ ଆସିଛନ୍ତି। ଦୁଇଟି ଅଲଗା ଗ୍ରହରୁ ଆସିଥିବାରୁ ସେମାନଙ୍କର ମନସ୍ତତ୍ତ୍ୱ ଏତେ ଭିନ୍ନ। ଗ୍ରେଙ୍କର ତତ୍ତ୍ୱଟି ପାଠକମାନଙ୍କ ମନକୁ ଏତେ ଛୁଇଁଛି ଯେ ୧୯୯୨ ମସିହାରେ ତାଙ୍କ ରଚିତ ‘ମେନ୍‌ ଆର୍‌ ଫ୍ରମ୍ ମାର୍ସ‌୍, ୱିମେନ୍‌ ଆର୍‌ ଫ୍ରମ୍ ଭେନସ୍‌’ ପୁସ୍ତକକୁ ଦେଢ଼ କୋଟି ପାଠକ କିଣିସାରିଲେଣି।

ଏହି ବିଖ୍ୟାତ ସାରଗର୍ଭକ ପୁସ୍ତକ ହେଉ କି ଜିନିଷ କିଣା ସମ୍ବନ୍ଧୀୟ ପୂର୍ବୋକ୍ତ ସର୍ବେକ୍ଷଣ ହେଉ; ଏ ସବୁ ଗବେଷଣା ପ୍ରସୂତ, ତେଣୁ ତତ୍ତ୍ୱ ଭିତ୍ତିକ। ହେଲେ, ପତ୍ନୀର ଜିନଷ କିଣିବା ବେଳର ଅତ୍ୟାଗ୍ରହକୁ ଅଙ୍ଗେ ନିଭାଇଥିବା ପୁରୁଷଟିଏ ନିଜ ଅଭିଜ୍ଞତା ଠାରୁ କଣ ଏହି ନିଷ୍କର୍ଷଗୁଡ଼ିକୁ କେବେ ଅଧିକ ଗୁରୁତ୍ବ ଦେବ? ରାଧୁ ମିଶ୍ର ଲିଖିତ ‘ପତ୍ନୀ ଚରିତ’ ଗଳ୍ପରେ ମ୍ୟାଚିଂ-ରୋଗଗ୍ରସ୍ତ ସ୍ତ୍ରୀଙ୍କର ପ୍ରତି ଶାଢ଼ି ପାଇଁ ମ୍ୟାଚିଂ ରଙ୍ଗରେ ଡଜନେ ହେଲମେଟ୍‌ କିଣିବାର ତାଡ଼ନା ଭୋଗୁଥିବା ସ୍ୱାମୀଟି ଭଳି ପତିମାନଙ୍କ ପାଖରେ ଏହି ମନସ୍ତାତ୍ତ୍ୱିକ ସିଦ୍ଧାନ୍ତ ସବୁ ଅର୍ଥହୀନ।
ମୋ: ୯୪୩୭୦୮୯୬୫୫