କ୍ବାଣ୍ଟମ୍‌ ମେକାନିକ୍‌ସର ମୂଳମନ୍ତ୍ର ରୂପେ ବିବେଚିତ ଇଲେକ୍‌ଟ୍ରନ୍‌ମାନଙ୍କର ଆଚରଣରେ ପ୍ରଦର୍ଶିତ ଅନିଶ୍ଚିତତାକୁ ଗ୍ରହଣ କରିବା ପାଇଁ କୁଣ୍ଠିତ ଆଇନ୍‌ଷ୍ଟାଇନ୍‌ ଏ ସମ୍ପର୍କରେ ପ୍ରଦାନ କରିଥିବା ମନ୍ତବ୍ୟ ଏକ କିଂବଦନ୍ତିରେ ପରିଣତ ହୋଇଛି: ‘‘ଈଶ୍ବର ପଶା ଖେଳନ୍ତି ନାହିଁ।’’ ଉଲ୍ଲେଖ ନି‌ଷ୍ପ୍ରୟୋଜନ, ପଶା କାଠି ଗଡ଼ାଇବା ବେଳେ ଖେଳାଳିକୁ ଜଣା ନ ଥାଏ କ’ଣ ଦାନ ପଡ଼ିବାକୁ ଯାଉଛି। ଆଇନ୍‌ଷ୍ଟାଇନ୍‌ ବିଶ୍ବାସ କରୁଥିଲେ ଯେ ଈଶ୍ବର ସୃଷ୍ଟି କରିଥିବା ବିଜ୍ଞାନର କୌଣସି ନିୟମ ଏଭଳି ଅନିଶ୍ଚିତ ହୋଇପାରିବ ନାହିଁ। ତେବେ, ଅନିଶ୍ଚିତତାକୁ ଭଲ ପାଉନଥିବା ଈଶ୍ବର ସିନା ପଶା ଖେଳନ୍ତି ନାହିଁ, ସେ ସୃଷ୍ଟି କରିଥିବା ତଥାକଥିତ ଶ୍ରେଷ୍ଠତମ ପ୍ରାଣୀ ମନୁଷ୍ୟ ପାଇଁ କିନ୍ତୁ ସଭ୍ୟତାର ଆରମ୍ଭ ସମୟରୁ ସେଇ ଅନିଶ୍ଚିତତା ଏକ ଶକ୍ତିଶାଳୀ ନିଶାର ରୂପ ନେଇ ତାକୁ ତାସ, ପଶା ଠାରୁ ଘୋଡ଼ା ଦୌଡ଼ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଜୁଆ ଖେଳରେ ପ୍ରମତ୍ତ କରି ଆସିଛି। ଯେଉଁ ଜୁଆଖେଳ ଅତୀତରେ ପାଣ୍ଡବମାନଙ୍କୁ ସର୍ବସ୍ବାନ୍ତ କରିଥିଲା ଓ ଦ୍ରୌପଦୀଙ୍କୁ ବିବସ୍ତ୍ର କରିଥିଲା, ସେଇ ଜୁଆ ଖେଳ ଏବେ ବି ମଦ ବା ଅଫିମ ଭଳି ଅସଂଖ୍ୟ ଜୁଆଡ଼ିଙ୍କର ଅଶେଷ କ୍ଷତିସାଧନ କରି ଚାଲିଛି।

Advertisment

ଇତି ମଧ୍ୟରେ କିନ୍ତୁ ଏକ ନୂତନ କିସମର ଜୁଆ ଖେଳର ଆବିର୍ଭାବ ଘଟିଛି, ଯାହାର ନାମ ହେଉଛି- ଅନ୍‌ଲାଇନ୍‌ ଗେମିଙ୍ଗ୍‌’, ଯାହା ହେଉଛି ଆଧୁନିକ ସୂଚନା ଜ୍ଞାନକୌଶଳର ଅସୁମାରି ଅବଦାନମାନ ମଧ୍ୟରୁ ଅନ୍ୟତମ ଏକ ଅବାଞ୍ଛିତ ଅବଦାନ (ଏକ ବିଡ଼ମ୍ବନା‌ ଭଳି ସୂଚନା ଜ୍ଞାନକୌଶଳର ଆବିର୍ଭାବରେ କ୍ବାଣ୍ଟମ୍‌ ମେକାନିକ୍‌ସର ଏକ ବିଶେଷ ଅବଦାନ ରହିଛି।) ଅର୍ଥଶାସ୍ତ୍ରରେ ମଦ, ସିଗାରେଟ୍‌ ଆଦିକୁ ଯେଉଁଭଳି ‘ସିନ୍‌ ଗୁଡ୍‌ସ’ ବା ‘ପାପଦ୍ରବ୍ୟ’ ରୂପେ ବିଚାର କରାଯାଇଥାଏ, ‘ଅନ୍‌ଲାଇନ୍‌ ଗେମିଙ୍ଗ୍‌’କୁ ସେଇଭଳି ଏକ ପାପ ସେବା ରୂପେ ବିଚାର କରାଯିବା ହେଉଛି ସମ୍ପୂର୍ଣ୍ଣ ରୂପେ ଯଥାର୍ଥ। ପ୍ରାୟ ସମସ୍ତ ସଭ୍ୟ ଦେଶମାନଙ୍କରେ ଦେଶବାସୀଙ୍କର ମଙ୍ଗଳସାଧନ ନିମିତ୍ତ ପ୍ରତିଶ୍ରୁତିବଦ୍ଧ ସରକାର ଏ ସମସ୍ତ ‘ପାପଦ୍ରବ୍ୟ’ମାନଙ୍କର ବ୍ୟବହାରରେ ଅଙ୍କୁଶ ଲଗାଇବା ପାଇଁ ସେଗୁଡ଼ିକ ପ୍ରତି ଉଚ୍ଚ ହାରରେ ଟିକସ ଲାଗୁ କରିଥା’ନ୍ତି। ଅବଶ୍ୟ ଏ ସମସ୍ତ ଦ୍ରବ୍ୟର ବ୍ୟବହାରକାରୀମାନେ ଓ ଉତ୍ପାଦନ ତଥା ଯୋଗାଣକାରୀମାନେ ଏଭଳି ଟିକସ ନୀତି ପ୍ରତି ସର୍ବଦା ବିମୁଖ ଥା’ନ୍ତି। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଏବେ ଭାରତରେ ପରୋକ୍ଷ ଟିକସ ବ୍ୟବସ୍ଥାର ସର୍ବୋଚ୍ଚ ନିୟନ୍ତ୍ରକ ‘ଜିଏସ୍‌ଟି କାଉନ୍‌ସିଲ୍‌’ ଅନ୍‌ଲାଇନ୍‌ ଗେମିଙ୍ଗ୍‌ ପ୍ରତି ଏଠାରେ ୨୮ ପ୍ରତିଶତ ହାରରେ ‘ଜିଏସ୍‌ଟି’ ଲାଗୁ କରାଯିବା ପାଇଁ ଯେଉଁ ନିଷ୍ପତ୍ତି ନେଇଛି, ତା’ପ୍ରତି ଉଭୟ ସେଇ ଅନ୍‌ଲାଇନ୍‌ ଜୁଆ ଖେଳାଳି ଓ ଏହି ଜୁଆ ଖେଳ ସଂଗଠନକାରୀ ଶିଳ୍ପ ତରଫରୁ ଘୋର ବିରୋଧ ପ୍ରକାଶ ପାଇବାରେ ଲାଗିଛି।

ଏଥିରେ କେହି ଦ୍ବିମତ ହେବେ ନାହିଁ ଯେ ଯେଉଁମାନେ ପୋକର୍‌, ରୁଲେଟ୍‌ ଆଦି ଭଳି ଅନ୍‌ଲାଇନ ଗେମ୍‌ରେ ପଇସା ବାଜି ଲଗାଇ ଅଂଶଗ୍ରହଣ କରିଥାନ୍ତି, ତାହା ସେମାନଙ୍କ ପାଇଁ ଅବିଳମ୍ବେ ମଦ ଗଞ୍ଜେଇ ଠାରୁ ମଧ୍ୟ ଆହୁରି ଅଧିକ ଶକ୍ତିଶାଳୀ ନିଶାରେ ପରିଣତ ହୋଇ ଯାଇଥାଏ। ଏହି ଅଭ୍ୟାସ ବିଶେଷତଃ ନିମ୍ନ ଆୟବର୍ଗର ଖେଳାଳିମାନଙ୍କର ପରିବାରର ଅର୍ଥନୀତି ପାଇଁ କ୍ଷତିକାରକ ହୋଇଥିବା ବେଳେ ଯଥେଷ୍ଟ ରୋଜଗାର ନ ଥିବା ଯୁବପିଢ଼ିକୁ ବିପଥଗାମୀ କରିପାରେ। ଯଦି ଏକ ଉଚ୍ଚ ଟିକସ ହାର ଏଭଳି ଖେଳାଳିମାନଙ୍କୁ ସଂଯମ ଆଚରଣ କରିବାକୁ ବାଧ୍ୟ କରେ, ତେବେ ତାହା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ। ଅପରପକ୍ଷେ, ଉଚ୍ଚ ଆୟ ଅର୍ଜନକାରୀ ଖେଳାଳିମାନଙ୍କ ପାଇଁ ଏହି ଟିକସ କୌଣସି ଗୁରୁତ୍ବ ବହନ କରିନଥାଏ; ଏଣୁ ସେମାନେ ଏହାକୁ ବିରୋଧ କରିବାର କୌଣସି ଯଥାର୍ଥତା ନାହିଁ।

ଅନ୍‌ଲାଇନ୍‌ ଗେମିଙ୍ଗ୍‌ ବସ୍ତୁତଃ ହେଉଛି ଅନ୍ୟ ଯେ କୌଣସି ମନୋରଞ୍ଜନକାରୀ କାର୍ଯ୍ୟ ଭଳି ଏକ ମନୋରଞ୍ଜନଧର୍ମୀ କାର୍ଯ୍ୟ, ଯେଉଁଥିରେ ମଧ୍ୟ ପଇସା ବାଜି ଲଗାଯିବା ଦେଖାଯାଇଥାଏ। ଯେଉଁ ସ୍ଥଳରେ ପଇସା ବାଜି ଲଗାଯାଇନଥାଏ, ସେପରି ସ୍ଥଳେ କମ୍‌ ହାରରେ ଟିକସ ଲାଗୁ ହେବ ବୋଲି ମଧ୍ୟ ସରକାର ସ୍ପଷ୍ଟୀକରଣ ପ୍ରଦାନ କରିଛନ୍ତି। ଏଥି ପୂର୍ବରୁ ଏଥିରୁ ଅର୍ଜିତ ଲାଭ ପ୍ରତି ୩୦ ଶତାଂଶ ହାରରେ ଟିକସ ଲାଗୁ ହେଉଥିଲା ଏବଂ ମୋଟ ଆୟ ବା ‘ଗ୍ରସ୍‌ ଗେମିଙ୍ଗ୍‌ ରେଭିନିଉ’ (‘ଜିଜିଆର୍‌’) ପ୍ରତି ୧୮ ଶତାଂଶ ହାରରେ ଟିକସ ଲାଗୁ ହେଉଥିଲା। ବର୍ତ୍ତମାନ କିନ୍ତୁ ଯେଉଁ ପରିମାଣର ଅର୍ଥ ‌ଖେଳରେ ଲାଗିବ, ତା’ ଉପରୁ ୨୮ ଶତାଂଶ ହାରରେ ‘ଜିଏସ୍‌ଟି’ ଆଦାୟ କରାହେବ।

ଏହା ମଧ୍ୟ ଅନ୍ୟ ମନୋରଞ୍ଜନକାରୀ କାର୍ଯ୍ୟମାନଙ୍କ ପ୍ରତି ପ୍ରଯୁଜ୍ୟ। ଉଦାହରଣ ସ୍ବରୂପ ଘରୋଇ ଉଦ୍ୟୋଗମାନଙ୍କ ଦ୍ବାରା ଆୟୋଜିତ ‘ଆଇପିଏଲ୍‌’ କ୍ରିକେଟ୍‌ ଖେଳ ପ୍ରତିଯୋଗିତାର ଟିକେଟ୍‌ ଉପରେ ମଧ୍ୟ ୨୮ ଶତାଂଶ ହାରରେ ଜିଏସ୍‌ଟି ଆଦାୟ ହୋଇଥାଏ। ଏହି ଟିକସ ‘ଆଇପିଏଲ୍‌’ର ଆଶାତୀତ ଲୋ‌କପ୍ରିୟତାରେ ସାମାନ୍ୟତମ ଆଞ୍ଚ ଆଣି ପାରି ନାହିଁ। କ୍ରିକେଟ୍‌ ପ୍ରେମୀମାନେ ଅକୁଣ୍ଠିତ ଚିତ୍ତରେ ଟିକେଟ୍‌ କ୍ରୟ କରି ଷ୍ଟାଡ଼ିଅମ୍‌ରେ ପ୍ରବେଶ କରୁଛନ୍ତି। ଅନ୍‌ଲା‌ଇନ୍‌ ଗେମିଙ୍ଗ୍‌ ଉପରେ ବର୍ଦ୍ଧିତ ‘ଜିଏସ୍‌ଟି’ ଲାଗୁ ହେବାକୁ ବିରୋଧ କରୁଥିବା କେତେକ କହିଥାନ୍ତି ଯେ ଏହା ଏକ ଜୁଆ ଖେଳ ନୁହେଁ, ଏହା ହେଉଛି ଏକ କୌଶଳଭିତ୍ତିକ ଖେଳ। ଯଦି ସେମାନଙ୍କର ଏହି ଯୁକ୍ତିକୁ ଗ୍ରହଣ କରାଯାଏ, ତା’ହେଲେ ଏହା ମଧ୍ୟ ‘ଆଇପିଏଲ୍‌’ ପ୍ରତି ଲାଗୁ ହେବ ବୋଲି ସ୍ବୀକାର କରିବାକୁ ହେବ। ଯଦି ତାହା ହୁଏ, ତେବେ ‘ଆଇପିଏଲ୍‌’ ଉପରୁ ଏହି ଟିକସକୁ ମଧ୍ୟ ପ୍ରତ୍ୟ‌ାହାର କରିବାକୁ‌ ହେବ।

ପୂର୍ବରୁ କୁହାଯାଇଥିବା ଭଳି ଅନ୍‌ଲାଇନ୍‌ ଗେମିଙ୍ଗ୍‌ ଯେ ହେଉଛି ଏକ ‘ପାପ ଦ୍ରବ୍ୟ’, ଏଥିରେ ‌େକୗଣସି ସନ୍ଦେହର ଅବକାଶ ନାହିଁ, ଠିକ୍‌ ଯେମିତି ହେଉଛି ‘କ୍ୟାସିନୋ’ (ବିଧିବଦ୍ଧ ଜୁଆ ଆଡ଼ା) କିମ୍ବା ଘୋଡ଼ା ଦୌଡ଼। ଏଣୁ ସେ ସମସ୍ତ ‘ପାପ ଦ୍ରବ୍ୟ’ ଭିତ୍ତିକ ବ୍ୟବସାୟ ପ୍ରତି ଯେଉଁ ହାରରେ ଟିକସ ଲାଗୁ ହୋଇଥାଏ, ଅନ୍‌ଲାଇନ୍‌ ଗେମିଙ୍ଗ୍‌ ପ୍ରତି ମଧ୍ୟ ସେଇ ହ‌ାରରେ ଟିକସ ଲାଗୁ ହେବା ହେଉଛି ଯୁକ୍ତିଯୁକ୍ତ। ଅବଶ୍ୟ ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ପାପକୁ ପ୍ରଶ୍ରୟ ନ ଦେବା ସରକାରଙ୍କ ତହବିଲ ପାଇଁ ମଧ୍ୟ ଲାଭଜନକ ସାବ୍ୟସ୍ତ ହେବ; ସରକାର ଏହି ସୂତ୍ରରୁ ବାର୍ଷିକ ପ୍ରାୟ ୨୦,୦୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବେ ବୋଲି ଅନୁମାନ କରାଯାଉଛି।

ଏ ପର୍ଯ୍ୟନ୍ତ ଦୃଷ୍ଟି ଆଢୁଆଳରେ ରହି ଲାଭ ଅର୍ଜନ କରି ଚାଲିଥିବା ଅନ୍‌ଲାଇନ୍‌ ଗେମିଙ୍ଗ୍‌ ସଂସ୍ଥାମାନେ କିନ୍ତୁ ସ୍ବାଭାବିକ ଭାବରେ ଅଭିଯୋଗ କରୁଛନ୍ତି ଯେ ଟିକସ ଯୋଗୁଁ ବ୍ୟବସାୟ ମାନ୍ଦା ହୋଇଗଲେ ସେମାନେ ଭିତ୍ତିଭୂମି ସୃଷ୍ଟି କରିବାରେ ଯେଉଁ ବିପୁଳ ପୁଞ୍ଜି ନିବେଶ କରିଛନ୍ତି, ତାହା ନଷ୍ଟରେ ଯିବ ଓ ଏ କ୍ଷେତ୍ର ପ୍ରତି ଆଉ ବିଦେଶୀ ପୁଞ୍ଜି ନିବେଶକମାନେ ଆକର୍ଷିତ ହେବେ ନାହିଁ। ସେମାନଙ୍କର ଏଭଳି ଆଶଙ୍କା କିନ୍ତୁ ଅମୂଳକ ମନେହୁଏ। କାରଣ, ଇତିହାସ ସାରା ସର୍ବଦା ଦେଖାଯାଇଛି ଯେ ଟିକସ ଅର୍ଥନୀତିଜ୍ଞମାନଙ୍କ ସକଳ ଚେଷ୍ଟା ସତ୍ତ୍ବେ ମନୁଷ୍ୟ ନାମକ କରଦାତା-ପ୍ରାଣୀ ପାଇଁ ପାପର ଆକର୍ଷଣ ସର୍ବଦା ଏପରି ଦୁର୍ବାର, ଅପ୍ରତିହତ ହୋଇଥାଏ ଯେ କର ହାରରେ ବୃଦ୍ଧି ଦ୍ବାରା ତା’ର ସମ୍ପୃକ୍ତ ଆଚରଣରେ ପରିବର୍ତ୍ତନ ଘଟାଇବା ଆଶା କେବଳ ଆଶାରେ ହିଁ ରହିଯାଇଥାଏ।