ନିର୍ମଳ ରୋଷେଇ ଇନ୍ଧନ ଭାବେ ରନ୍ଧନ ଗ୍ୟାସ ବ୍ୟବହାରକୁ ଉତ୍ସାହିତ କରାଯାଉଥିବା ବେଳେ ଦୁଇଟି ପ୍ରଶ୍ନ ଉଠିଥାଏ ଯେ ଦେଶରେ ପ୍ରତ୍ୟେକ ପରିବାରକୁ, ବିଶେଷ କରି ଗରିବ ପରିବାରକୁ ଗ୍ୟାସ ସିଲିଣ୍ଡର ମିଳି ପାରିଛି କି? ଏବଂ ଦ୍ବିତୀୟ ପ୍ରଶ୍ନଟି ହେଲା, ଯେଉଁମାନଙ୍କ ପାଖରେ ଗ୍ୟାସ ସଂଯୋଗ ଅଛି, ସେମାନେ ଆବଶ୍ୟକ ସ୍ଥଳେ ସିଲିଣ୍ଡର ‘ରିଫିଲିଂ’ କରିପାରୁଛନ୍ତି କି? ପ୍ରଥମ ପ୍ରଶ୍ନ ସରକାରଙ୍କ ଯୋଜନାର ସଫଳତା ବା ବିଫଳତା ଉପରେ ନିର୍ଭରଶୀଳ ଥିବା ବେଳେ ଦ୍ବିତୀୟ ପ୍ରଶ୍ନର ଉତ୍ତରରେ ଗ୍ୟାସ ଦର ଏବଂ ସେହି କାରଣରୁ ସିଲିଣ୍ଡର ‘ରି-ଫିଲ୍’ କରିବାର ସାମର୍ଥ୍ୟ ବିଷୟ ବିଚାର ପରିସରକୁ ଆସେ।
‘ନେସନାଲ ସାମ୍ପଲ ସର୍ଭେ’ର ରିପୋର୍ଟ ଅନୁସାରେ ସହରାଞ୍ଚଳରେ ୯୨% ପରିବାର ଗ୍ୟାସ ସିଲିଣ୍ଡର ବ୍ୟବହାର କରନ୍ତି, ଯେତେବେଳେ କି ଗ୍ରାମାଞ୍ଚଳରେ ଏହା ୪୮ପ୍ରତିଶତ। ମ୍ରାମାଞ୍ଚଳରେ ୪୪% ପରିବାର କାଠ ଜାଳେଣି ଏବଂ ୮% ଗୋବର ଘସି ତଥା କିରୋସିନି ଭଳି ଜାଳେଣି ବ୍ୟବହାର କରିଥା’ନ୍ତି। ସରକାରଙ୍କର ‘ପେଟ୍ରୋଲିଅମ ପ୍ଲାନିଂ ଏଣ୍ଡ ଆନାଲିସିସ ସେଲ’ର ତଥ୍ୟ ଅନୁସାରେ ଗୁଜରାଟ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ନାଗାଲାଣ୍ଡ ଆଦି ରାଜ୍ୟରେ କାଠ ଜାଳେଣିର ଅଧିକ ଉପଳବ୍ଧତା ହେତୁ 50%ରୁ ଅଧିକ ପରିବାର ଗ୍ୟାସ ସିଲିଣ୍ଡର ବ୍ୟବହାର କରନ୍ତି ନାହିଁ। ତେବେ, କାଠ ଜାଳେଣି ବ୍ୟବହାର ହେତୁ ଭାରତୀୟ ମହିଳାମାନେ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ‘ୱାର୍ଲଡ ହେଲଥ ଅର୍ଗାନାଇଜେସନ’ ବା ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ର ବାରମ୍ବାର ତାଗିଦା ହେତୁ ଭାରତ ସରକାର ‘ଉଜ୍ଜ୍ବଳା’ ଭଳି ଯୋଜନା ମାଧ୍ୟମରେ ୨୦୧୪ ସୁଦ୍ଧା ଦେଶରେ ୧୪କୋଟି ପରିବାରକୁ ରୋଷେଇ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଇଥିଲା ବେଳେ ୨୦୨୩ ମାର୍ଚ୍ଚ ବେଳକୁ ପ୍ରାୟ ୩୨.୫ କୋଟି ପରିବାରକୁ ତାହା ଯୋଗାାଇ ପାରିଛନ୍ତି ବୋଲି ଜଣାପଡ଼ିଛି।
ଦରିଦ୍ର ପରିବାରଗୁଡ଼ିକୁ ବିନା ଡିପୋଜିଟ ବା ଟଙ୍କା ଜମାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଥିବାରୁ ସିଲିଣ୍ଡର ପିଛା ଡିପୋଜିଟ ମୂଲ୍ୟ ୧,୬୦୦ଟଙ୍କା ହିସାବରେ ସରକାର ଗତ ୯ ବର୍ଷରେ ପ୍ରାୟ ୧୫,୨୦୦କୋଟି ଟଙ୍କା ପାଇନାହାନ୍ତି। ଉଲ୍ଲେଖ ଥାଉକି ‘ଉଜ୍ଜ୍ବଳା’ ଯୋଜନାରେ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ୨୦୦ ଟଙ୍କା ଲେଖାଏଁ ସବସିଡିର ବ୍ୟବସ୍ଥା ରହିଛି: ଅର୍ଥାତ ଏ ଯାବତ୍ ଗ୍ରାମାଞ୍ଚଳରେ ନୂଆ ସଂଯୋଗ ପାଇଁ ମାଗଣାରେ ସିଲିଣ୍ଡର ଯୋଗାଇ ଦେବାରେ ଅତି କମରେ ପ୍ରାୟ ୧୮,୦୦୦କୋଟି ଟଙ୍କାର ସରକାରୀ ବ୍ୟୟ ହୋଇଛି। ତେଣୁ ଏଭଳି ଉଦ୍ୟମ ଲାଗି ସରକାର ସାଧୁବାଦ ପାଇବାର ହକ୍ଦାର। କିନ୍ତୁ କଥା ହେଲା, ସିଲିଣ୍ଡର ପାଇଲା ପରେ ସେମାନେ ଖାଲି ସିଲିଣ୍ଡରକୁ ବଦଳାଇ ପୂରା ସିଲିଣ୍ଡର କିଣିବାରେ ସମର୍ଥ ହେଉଛନ୍ତି ତ? ଏଭଳି ପ୍ରଶ୍ନର କାରଣ ହେଉଛି ଦେଶରେ କ୍ରମାଗତ ଭାବେ ହୋଇ ଚାଲିଥିବା ଗ୍ୟାସ ଦର ବୃଦ୍ଧି। ତେଣୁ ଏ ବିଷୟରେ କିଛି ତଥ୍ୟକୁ ନେଇ ବିଶେଷ ଆଲୋଚନା କରାଯାଉ।
ରାଜ୍ୟସଭା ପ୍ରଶ୍ନୋତ୍ତର ସଂଖ୍ୟା ୨୦୫୭ରୁ ଜଣାଯାଏ ଯେ ୨୦୧୬-୧୭ରେ ଗୋଟିଏ ପରିବାର ବର୍ଷକୁ ହାରାହାରି ୪ ଥର ସିଲିଣ୍ଡର ରି-ଫିଲ କରିପାରୁଥିଲା ଯାହାକି ୨୦୧୭-୧୮ରେ ୩.୪ ଥର,୨୦୧୮-୧୯ ଏବଂ ୨୦୧୯-୨୦ରେ ୩ ଥର ସେଭଳି କରି ପାରୁଥିଲେ। ଉଲ୍ଲେଖ ଥାଉ କି, କୋଭିଡ୍ ମହାମାରୀ ସମୟରେ ସରକାରଙ୍କ ତରଫରୁ ୩ଟି ସିଲିଣ୍ଡର ପର୍ଯ୍ୟନ୍ତ ମାଗଣା ‘ରି-ଫିଲ୍’ର ବ୍ୟବସ୍ଥା ହୋଇଥିବାରୁ ୨୦୨୦-୨୧ରେ ଏଥିରେ ବୃଦ୍ଧି ଘଟି ଏହି ହାର ୪.୫ରେ ପହଞ୍ଚିଥିଲା ଯାହା ୨୦୨୧-୨୨ରେ ପୁନର୍ବାର ୩.୬୬କୁ କମି ଆସିଲା।
ସୁତରାଂ, ଏହା ସ୍ପଷ୍ଟ ଯେ ବର୍ଷକୁ ବର୍ଷ ପରିବାରରେ କ୍ରମାନ୍ବୟରେ ରି-ଫିଲ ସଂଖ୍ୟା କମିବାରେ ଲାଗିଛି ଯାହାର ମୁଖ୍ୟ କାରଣ ହେଲା ଗ୍ୟାସ ଦର ବୃଦ୍ଧି ଏବଂ ସବସିଡି କାଟ। ସରକାରଙ୍କ ତଥ୍ୟ ଅନୁସାରେ, ୨୦୧୬-୧୭ରେ ୧୧୧.୫୪କୋଟି ସିଲିଣ୍ଡର ରି-ଫିଲ ହୋଇଥିଲା ଯାହା ବାବଦରେ ଖାଉଟିମାନେ ‘ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର” ଜରିଆରେ ୧୨,୦୫୨ କୋଟି ଟଙ୍କା ତାଙ୍କ ବ୍ୟାଙ୍କ ଖାତାରେ ସବସିଡି ଆକାରରେ ପାଇଥିଲେ। ୨୦୧୭-୧୮ରେ ୧୨୦.୮୫ କୋଟି ସିଲିଣ୍ଡର ‘ରି-ଫିଲ’ ହୋଇଥିଲା ଏବଂ ଖାଉଟିମାନେ ୨୦,୮୮୦ କୋଟି ଟଙ୍କାର ସବସିଡି ପାଇଥିଲେ। ସେହିପରି ୨୦୧୮-୧୯ରେ ୧୩୨.୬୩କୋଟି ସିଲିଣ୍ଡର ‘ରି-ଫିଲ’ ହୋଇଥିଲା ଏବଂ ଖାଉଟିମାନେ ୩୧,୪୪୭ କୋଟି ଟଙ୍କାର ସବସିଡି ବ୍ୟାଙ୍କ ଖାତାରେ ଜମା ଆକାରରେ ପାଇଥିଲେ। ୨୦୧୯-୨୦ରେ ୧୪୩.୯୨ କୋଟି ସିଲିଣ୍ଡର ରି-ଫିଲ ହୋଇଥିଲା ଏବଂ ଖାଉଟିମାନେ ୨୨,୬୩୫ କୋଟି ଟଙ୍କାର ସବସିଡି ପାଇଥିଲେ।
କିନ୍ତୁ ୨୦୨୦-୨୧ରେ ୧୫୬.୭୬କୋଟି ସିଲିଣ୍ଡର ରି-ଫିଲ ହୋଇଥିଲା ବେଳେ ଖାଉଟି ମାନେ ମାତ୍ର ୩,୫୫୯କୋଟି ଟଙ୍କାର ସବସିଡି ପାଇଥିଲେ। ସେହିପରି, ୨୦୨୧-୨୨ରେ ୧୪୦.୯୩ କୋଟି ସିଲିଣ୍ଡର ରି-ଫିଲ ହୋଇଥିଲା ବେଳେ ଖାଉଟିମାନେ ମାତ୍ର ୪,୦୬୪ କୋଟି ଟଙ୍କାର ସବସିଡି ପାଇଲେ। ତେଣୁ, ୨୦୧୯-୨୦ରେ ୨୨,୬୩୫କୋଟି ଟଙ୍କାର ସବସିଡି ୨୦୨୦-୨୧ରେ ସିଧାସଳଖ ୩,୫୫୮ କୋଟିକୁ କମିଯିବା ବିଷୟ ପ୍ରଣିଧାନଯୋଗ୍ୟ। ଏହା ଦ୍ବାରା ସରକାର ପାଖାପାଖି ୧୯,୦୦୦ ଟଙ୍କାର ସଞ୍ଚୟ କଲେ, କିନ୍ତୁ ସାଧାରଣ ଲୋକେ ଗ୍ୟାସ ବ୍ୟବହାର କରିବାରୁ ନିରୁତ୍ସାହିତ ହେଲେ। ତେବେ, ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ ଏହି ଟଙ୍କାରୁ ପ୍ରାୟ ୧୮,୦୦୦ କୋଟି ଟଙ୍କା ନୂଆ ଦରିଦ୍ର ପରିବାରକୁ ମାଗଣା ସିଲିଣ୍ଡର ଏବଂ ମାଗଣା ପ୍ରଥମ ରି-ଫିଲ ବ୍ୟବସ୍ଥାରେ ଉପଯୋଗ କରାଯାଇଛି, ଯଦ୍ଦ୍ବାରା ଗ୍ରାମାଞ୍ଚଳର ଗରିବ ପରିବାର ଉପକୃତ ହୋଇଛନ୍ତି। ତେବେ ଏହା ମଧ୍ୟ ସତ ଯେ ବାର୍ଷିକ ଗ୍ୟାସ ସିଲିଣ୍ଡର ବ୍ୟବହାରରେ କିଭଳି ବୃଦ୍ଧି ଘଟିବ ତାହା ସରକାର ଚାହାନ୍ତି। ସେଥିପାଇଁ ପେଟ୍ରୋଲିଅମ ମନ୍ତ୍ରାଳୟର ମାସିକିଆ କ୍ୟାବିନେଟ ବୈଠକରେ ସ୍ଥିର କରାଯାଇଛି ଯେ ପରିବାର ପିଛା ବର୍ଷକୁ ହାରାହାରି ୬.୫ ଥର ଗ୍ୟାସ ସିଲିଣ୍ଡର ରି-ଫିଲ ସମ୍ଭବ କରାଇବା ଲାଗି ସବସିଡି ଉପରେ ପୁନର୍ବିଚାର କରାଯିବ, ଯାହା ଉପଭୋକ୍ତା ଅନୁକୂଳ ହେବ ବୋଲି ଆଶା।
ତେବେ ମୂଳ ପ୍ରଶ୍ନ ହେଲା, କେନ୍ଦ୍ର ସରକାର ସିଲିଣ୍ଡର ଦାମ କମ କରିପାରନ୍ତେ ନାହିଁ କି? ଉଲ୍ଲେଖ ଥାଉ କି, ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ଖଣିଜ ତୈଳ ଓ ଗ୍ୟାସର କ୍ରୟ ଦର ବଢ଼େ, ଭାରତୀୟ ବଜାରରେ ମଧ୍ୟ ଗ୍ୟାସ ଦର ବୃଦ୍ଧି ପାଏ। ଖଈିଜ ତୈଳ ପାଇଁ ଭାରତ ମୁଖ୍ୟତଃ ‘ସାଉଦି ଆରାମକୋ’ ଭଳି ବିଶ୍ୱର ସବୁଠାରୁ ବଡ଼ ତେଲ କମ୍ପାନି ଉପରେ ନିର୍ଭରଶୀଳ। ବିଶ୍ୱ ବଜାରର ଚାହିଦାକୁ ଲକ୍ଷ୍ୟ କରି ‘ସାଉଦି ଆରାମକୋ’ କମ୍ପାନି ଦୈନନ୍ଦିନ ତେଲ ଦର ନିର୍ଦ୍ଧାରଣ କରିଥାଏ; ଯାହା ବିଗତ କିଛି ବର୍ଷ ହେଲାଣି ଅତି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଅନ୍ୟ ପକ୍ଷରେ, ସରକାରୀ ତଥ୍ୟ ଅନୁସାରେ ସାଉଦି ଆରବରୁ ଭାରତକୁ ତେଲ ବା ଗ୍ୟାସ ଆସିବା ପାଇଁ ଯେଉଁ ଖର୍ଚ୍ଚ ଲାଗେ ତାହା ୨୦୨୦ ଏପ୍ରିଲରେ ଗୋଟିଏ ଟନ୍ ପିଛା ୨୩୬ ଡଲାର ଥିଲା ବେଳେ୨୦୨୨-୨୩ରେ ୯୫୨ ଡଲାରକୁ ବୃଦ୍ଧି ପାଇଲାଣି। ତେଣୁ ରୋଷେଇ ଗ୍ୟାସର ଦର ବୃଦ୍ଧି ପାଇବା ସ୍ୱାଭାବିକ। ତେଣୁ ଏଭଳି ସ୍ଥଳେ ଗ୍ରାହକଙ୍କ ସୁବିଧା ଲାଗି ସରକାର ସବସିଡି ଦେଲେ ଅଧିକ ବ୍ୟୟ କରି ରାଜକୋଷ ଉପରେ ବୋଝ ସୃଷ୍ଟି କରିବେ।
ତେଣୁ ପ୍ରଶ୍ନ ହେଲା କ’ଣ କରାଯିବ? ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ସତ୍ତ୍ୱେ ଜନତା ଶସ୍ତାରେ ଗ୍ୟାସ ସିଲିଣ୍ଡର ଚାହିଁବା ଯେ ଏକ ସ୍ୱାଭାବିକ କଥା, ତାହା ସରକାର ଦୃଦୟଙ୍ଗମ କରିବା ଆବଶ୍ୟକ। ତେଣୁ ୟା’କୁ ନେଇ ନୂଆ ନୀତି ପ୍ରସ୍ତୁତ କରାଯିବା ଉଚିତ: ଯେମିତି କି ଯେଉଁ ରାଜ୍ୟମାନଙ୍କରେ ୨୦୦-୨୫୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଯୋଗାଇ ଦିଆଯାଉଛି ସେଇ ରାଜ୍ୟମାନଙ୍କରେ ରୋଷେଇ ଗ୍ୟାସ ସବସିଡି ନେଇ ପୁନଃ ବିଚାର କରାଯାଉ। ସହରାଞ୍ଚଳରେ ବିଜୁଳି ମାଗଣା ମିଳୁଥିବାରୁ ଯେଉଁ ପରିବାର ‘ଇଣ୍ଡକ୍ସନ ହିଟର’ ବ୍ୟବହାର କରିପାରୁଛନ୍ତି, ସେଠି ଗ୍ୟାସ ସବସିଡିର ଆବଶ୍ୟକତା ନାହିଁ ବୋଲି କୁହାଯାଇପାରେ। ସେହିଭଳି ୧୭ ଜୁଲାଇ ୨୦୨୩ର ‘ନୀତି’ ଆୟୋଗର ରିପୋର୍ଟ ଅନୁସାରେ ଗତ ପାଞ୍ଚ ବର୍ଷରେ ୧୩.୫ କୋଟି ଭାରତୀୟ ‘ମଲ୍ଟିଡାଇମେନ୍ସନାଲ ଗରିବି’ ବା ‘ବହୁପ୍ରସ୍ଥୀ ଦାରିଦ୍ର୍ୟ’ ସୀମାରେଖାରୁ ବାହାରି ପାରିଛନ୍ତି। ଗ୍ରାମାଞ୍ଚଳରେ ଏଭଳି ଦାରିଦ୍ର୍ୟ ୩୨.୫୯% ରୁ ଖସି ୧୪.୯୬% ରେ ପହଞ୍ଚି ପାରିଛି। ସୁତରାଂ, ଯେଉଁମାନେ ଦାରିଦ୍ର୍ୟ ସୀମାରେଖାକୁ ପଛରେ ପକାଇ ଉଚ୍ଚତର ସୋପାନକୁ ଉଠି ଗଲେଣି, ସେମାନଙ୍କୁ ସିଲିଣ୍ଡର ପିଛା ୨୦୦-୩୦୦ ଟଙ୍କାର ସବସିଡି ଦିଆଯିବା କଣ ନିହାତି ଜରୁରୀ?
ତେଣୁ ମୋଟ ଉପରେ ଏହା ନୀତି ନିର୍ଦ୍ଧାରଣର ସୂକ୍ଷ୍ମତା ଉପରେ ନିର୍ଭର କରେ। ଯେଉଁମାନଙ୍କୁ ସବସିଡି କାଟ ବାଧିବ ନାହିଁ, ସେମାନଙ୍କୁ ଚିହ୍ନଟ କରି ସେହି ବ୍ୟବସ୍ଥାରୁ ବାହାର କରାଯିବା ଉଚିତ। ସେହି ସବସିଡି ଅର୍ଥରେ ନୂଆ ଦରିଦ୍ର ଉପଭୋକ୍ତାଙ୍କୁ ଗ୍ୟାସ ସୁବିଧା ଯୋଗାଇ ଦିଆଯିବା ଦରକାର। ପୁଣି ବଡ଼ କଥା ହେଲା, ଗ୍ୟାସ ଲାଗି ଭାରତ କିଭଳି ଅସହାୟ ଭାବେ ପର-ନିର୍ଭରଶୀଳ ତାହା ହୃଦୟଙ୍ଗମ କରି ସଚେତନ ନାଗରିକମାନେ ଦରକାର ନ ହେଲେ ସ୍ବତଃପ୍ରବୃତ୍ତ ଭାବେ ଗ୍ୟାସ ସବସିଡି ବ୍ୟବସ୍ଥାରୁ ଦୂରେଇ ଯିବା ଆବଶ୍ୟକ।
ମୋ: ୯୭୯୧୧୨୧୦୬୮