‘ଆଦି ପୁରୁଷ’ ନାମକ ଚଳଚିତ୍ର ମୁକ୍ତିଲାଭ କଲା ପରେ ଏହାର ସଂଳାପକୁ ନେଇ ବିବାଦ ଓ ଅସନ୍ତୋଷ ପ୍ରକାଶ ପାଇଲା। ଏହା ପ୍ରସିଦ୍ଧ ଭାରତୀୟ ମହାକାବ୍ୟ ରାମାୟଣ ଉପରେ ଆଧାରିତ ଗୋଟିଏ ସିନେମା। ରାମାୟଣ କଥାବସ୍ତୁ ଉପରେ ଆଧାରିତ ‘ଲଙ୍କା ଦହନ’ ନାମକ ପ୍ରଥମ ଭାରତୀୟ ସିନେମା(ନିର୍ବାକ୍‌)ଟି ୧୯୧୭ ମସିହାରେ ମୁକ୍ତିଲାଭ କରିଥିଲା, ଯାହା ପରେ ଏଭଳି ଅନେକ ସିନେମା ଉଭୟ ହିନ୍ଦୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ନିର୍ମିତ ହୋଇ ପ୍ରଚୁର ଲୋକପ୍ରିୟତା ମଧ୍ୟ ଲାଭ କରିଛି।

Advertisment

ବିଶ୍ବାସ କରାଯାଏ ଯେ ମୂଳ ସଂସ୍କୃତ ରାମାୟଣର ରଚନା କାଳ ହେଉଛି ଖ୍ରୀଷ୍ଟପୂର୍ବ ୮୦୦। ମହର୍ଷି ବାଲ୍ମିକୀ ୨୪,୦୦୦ ଶ୍ଳୋକକୁ ନେଇ ଏହାର ରଚନା କରିଥିଲେ। ପରେ ରଚିତ ହୋଇଥିବା ରାମାୟଣଗୁଡ଼ିକ ମଧ୍ୟରେ ସର୍ବାଧିକ ଲୋକପ୍ରିୟ ହେଉଛି ତୁଳସୀ ଦାସଙ୍କ ହିନ୍ଦୀ ରାମାୟଣ (୧୫୦୦ ଖ୍ରୀଷ୍ଟାବ୍ଦ)। ତେବେ, ଅନେକ ରାମାୟଣରେ ମୂଳ କାହାଣୀ ମୋଟାମୋଟି ସମାନ ଥିଲେ ମଧ୍ୟ ବିଭିନ୍ନ ରଚୟିତା ସେମାନଙ୍କ ଦୃଷ୍ଟିକୋଣ ଅନୁସାରେ ଭିନ୍ନ ଭିନ୍ନ ରୂପେ କେତେକ ମୁଖ୍ୟ ଚରିତ୍ରଙ୍କୁ ଚିତ୍ରଣ କରିଥାଆନ୍ତି। ସେମିତି ଆଉ ଏକ ମହାନ ଭାରତୀୟ ମହାକାବ୍ୟ ହେଉଛି ବେଦବ୍ୟାସ ରଚିତ ସଂସ୍କୃତ ମହାଭାରତ, ଯହିଁରେ ୧,୦୦,୦୦୦ଟି ଶ୍ଳୋକ ରହିଛି। ଅନବଦ୍ୟ କଳ୍ପନାର କାବ୍ୟ ରୂପ ମହାଭାରତର କାହାଣୀକୁ ସର୍ବୋତ୍କୃଷ୍ଟ ବୋଲି କୁହାଯାଇଥାଏ। ଆ‌କାର ଦୃଷ୍ଟିରୁ ମଧ୍ୟ ଏହା ବୃହତ୍ତମ।

ତେବେ ବିଶ୍ୱର ସର୍ବାଧିକ ପରିଚିତ ମହାକାବ୍ୟ ହେଉଛି ଗ୍ରୀକ୍‌ କବି ହୋମରଙ୍କ ରଚିତ ‘ଇଲିଆଡ୍’ ଓ ‘ଓଡେସି’। ଟ୍ରୟର ଯୁବକ ପାରିସ ଦ୍ବାରା ସୁନ୍ଦରୀ ରାଣୀ ହେଲେନଙ୍କ ଅପହରଣ ଏବଂ ତା’ ପରେ ହେଲେନଙ୍କ ସ୍ବା‌ମୀ ଆର୍ଗୋସର ରାଜା ଆଗାମେନନଙ୍କ ନେତୃତ୍ବରେ ଯୁଦ୍ଧ ଓ ତହିଁରେ ଟ୍ରୟର ପତନର କାହାଣୀ ହେଉଛି ‘ଇଲିଆଡ୍‌’। ଏହାର କିଞ୍ଚିତ ସାଦୃଶ୍ୟ ରାମାୟଣ ସହିତ ରହିଛି। ଏହି ଯୁଦ୍ଧ ପରେ ଗ୍ରୀକ୍‌ ବାହିନୀର ମୁଖ୍ୟ ସେନାପତି ଇଥାକାର ରାଜା ଓଡେଅସଙ୍କର ସ୍ୱଦେଶ ବାହୁଡ଼ାର କାହାଣୀ ହେଉଛି ମହାକାବ୍ୟ ‘ଓଡେସି।’ ବିଶ୍ବାସ କରାଯାଏ ଯେ ଏହା ଖ୍ରୀଷ୍ଟପୂର୍ବ ୧୮୦୦ରୁ ୧୬୦୦ ମଧ୍ୟରେ ରଚିତ ହୋଇଥିଲା ଏବଂ ଏହାର ରଚୟିତା ମହାକବି ହୋମର ଥିଲେ ଦୃଷ୍ଟିହୀନ।

ଟ୍ରୟର ପତନ ପରେ କିଛି ସୈନିକ ଭୂମଧ୍ୟସାଗରରେ ନୌକା ଯୋଗେ ଆଫ୍ରିକା ଉପକୂଳ ଦେଇ ଇଟାଲିରେ ପହଞ୍ଚିଥିଲେ। ସେମାନଙ୍କ ବଂଶଜଙ୍କ କାହାଣୀକୁ ନେଇ ରଚିତ ହୋଇଥିଲା ଆଉ ଏକ ମହାକାବ୍ୟ, ଯାହାର ନାମ ଥିଲା ‘ଏନିଡ୍‌’ ଏବଂ ରଚୟିତା ଥିଲେ ମହାକବି ଭର୍ଜିଲ। ପ୍ରାୟ ଦଶ ହଜାର (୯୮୯୬) ଧାଡ଼ି ବିଶିଷ୍ଟ ଏହି ମହାକାବ୍ୟ ଖ୍ରୀଷ୍ଟପୂର୍ବ ୧୫୦୦ରେ ଆତ୍ମପ୍ରକାଶ କରିଥିଲା। ୟୁରୋଗୀୟ ମହାକାବ୍ୟ ବା ପୁରାଣ ମଧ୍ୟରେ ଇଂଲାଣ୍ଡର ‘କିଙ୍ଗ ଆର୍ଥର’ ଓ ‘ବିଉଲ୍‌ଫ’ ଅନ୍ୟତମ। ରାଜା ଆର୍ଥରଙ୍କ ଗାଥା ସପ୍ତଦଶ ଶତାବ୍ଦୀରେ ଆତ୍ମପ୍ରକାଶ କରିଥିଲା। ଜର୍ମାନ୍ ବଂଶଜ ବିଉଲ୍‌ଫ ଇଂଲାଣ୍ଡକୁ ନିଜର ବାସଭୂମି ଭାବରେ ଗ୍ରହଣ କରି ନେଇଥିଲେ। ତାଙ୍କ କିଂବଦନ୍ତୀୟ ବୀରତ୍ବର କାହାଣୀକୁ ନେଇ ‘ବିଉଲ୍‌ଫ’ ରଚିତ ହୋଇଥିଲା।

ପ୍ରାୟ ସବୁ ଦେଶର କିଛି ନା କିଛି ପୌରାଣିକ କାହାଣୀ ରହିଛି, ତେବେ ସେ ସବୁକୁ ନେଇ ମହାନ ମହାକାବ୍ୟର ସୃଷ୍ଟିର ଉଦାହରଣ ବିରଳ। ଚୀନର ପୁରାଣ ‘ସାଙ୍ଗ ସଙ୍ଗ’ (ଖ୍ରୀଷ୍ଟପୂର୍ବ ୧୩୬୦-୧୧୦୦) ଏବଂ ‘ଝୋଉ’ (ଖ୍ରୀଷ୍ଟପୂର୍ବ ୧୧୦୦-୨୫୦) ହେଉଛି ସେଠାକାର ରାଜବଂଶଗୁଡ଼ିକର ଇତିହାସ। ଆଫ୍ରିକା ମହାଦେଶର ଜନଜାତି ସମାଜରେ ଅନେକ ପୌରାଣିକ କାହାଣୀ ଓ କିଂବଦନ୍ତି ରହିଛି। ତିବ୍ବତର ରାଜା ଗେସରଙ୍କ ଗାଥା ହେଉଛି ଏକ ମହାକାବ୍ୟ, ଯାହା ମହାଭାରତ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ। ଫିଲପାଇନ୍‌ସର ‘ଡାରାଗେନ୍‌’ ହେଉଛି ରାମାୟଣର ଏକ ରୂପାନ୍ତର, ଯାହା ମଧ୍ୟ ସେଠାକାର ଲୋକପ୍ରିୟ ପୌରାଣିକ ଗାଥା।
ପ୍ରତ୍ନତାତ୍ତ୍ବିକ ବିଶ୍ଳେଷଣ ଅନୁସାରେ ସର୍ବପ୍ରାଚୀନ ପୁରାଣର ମାନ୍ୟତା ପାଇଛି ମେସୋପଟାମିଁଆ ସଭ୍ୟତାର ରାଜା ଗିଲମେଶଙ୍କୁ କେନ୍ଦ୍ର କରି ଗଢ଼ି ଊଠିଥିବା କାହାଣୀ। ବାରଟି ଭାଗରେ ବିଭକ୍ତ କାବ୍ୟ ରୂପରେ ଏହି ପୁରାଣଟି ପୋଡାମାଟିରେ ତିଆରି ଟାଇଲ ଉପରେ ଲେଖା। ପ୍ରାୟ ୧୫, ୦୦୦ ଭଙ୍ଗା ଅଂଶକୁ ଏକାଠି କରି ୧୮୫୦ ମସିହା ବେଳକୁ ଏହାକୁ ଉଦ୍ଧାର କରିବା ସମ୍ଭବ ହୋଇଥିଲା।

ପ୍ରାଚୀନ କାଳର ପୁରାଣଗୁଡ଼ିକ ଏ ଯାବତ୍‌ ବଞ୍ଚି ରହିବା ଏବଂ କ୍ରମାଗତ ଭାବେ ଲୋକପ୍ରିୟ ରହି ସେମାନଙ୍କ ଆବେଦନ ନ ହରାଇବା ହେଉଛି ଏହି ରଚନାଗୁଡ଼ିକର କାଳଜୟୀ ଉପାଦାନର ଉଦାହରଣ, ଯାହା ଏଗୁଡ଼ିକୁ ଅନ୍ୟାନ୍ୟ ରଚନା ଠାରୁ ପୃଥକ୍‌ କରିଥାଏ। କେବଳ ସେତିକି ନୁହେଁ ଏହି ପୁରାଣଗକୁଡ଼ିକ ହେଉଛନ୍ତି ବିଭିନ୍ନ ପ୍ରାଚୀନ ସଭ୍ୟତାର ସାଂସ୍କୃତିକ ଅସ୍ତିତ୍ବର ମୂଳ ଭିତ୍ତି।
ମୋ : ୯୯୩୭୮୬୩୫୨୮