୨୦୬ ଜଣ ସାମ୍ବାଦିକଙ୍କୁ ନେଇ ‘ଲୋକନୀତି-ସିଏସ୍‌ଡିଏସ୍‌’ ସଂସ୍ଥା ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣ ରିପୋର୍ଟ ନିକଟରେ ପ୍ରକାଶ ପାଇଛି। ‘ମିଡିଆ ଇନ୍ ଇଣ୍ଡିଆ: ଟ୍ରେଣ୍ଡ୍‌ସ ଆଣ୍ଡ୍ ପାଟର୍ନସ୍‌’ ଶୀର୍ଷକ ଏହି ରିପୋର୍ଟରେ ଦେଶର ସାମ୍ବାଦିକମାନେ ସମ୍ମୁଖୀନ ହେଉଥିବା ସମସ୍ୟାମାନଙ୍କର ଏକ ଚିନ୍ତାଜନକ ଚିତ୍ର ଉପସ୍ଥାପନ କରାଯାଇଛି। ଏହା ଅନୁସାରେ ଦେଶର ତିନି-ଚତୁର୍ଥାଂଶ ସାମ୍ବାଦିକ ବିଶ୍ବାସ କରନ୍ତି ଯେ ବର୍ତ୍ତମାନର ପରିବେଶରେ ଠିକ୍ ଢଙ୍ଗରେ ନିଜ କାମ କରିବାରେ ଟିଭି ସାମ୍ବାଦିକଙ୍କୁ କମ୍ ସ୍ବାଧୀନତା ମିଳୁଛି। ୫୫% ସମ୍ବାଦପତ୍ର ସାମ୍ବାଦିକ ଏବଂ ୩୬% ଅନ୍‌ଲାଇନ୍ ଖବର ସାମ୍ବାଦିକ ନିଜ ସ୍ବାଧୀନତା ସଂକୁଚିତ ହୋଇଥିବାର ଅନୁଭବ କରନ୍ତି। ୭୩% ସାମ୍ବାଦିକ ବିଶ୍ବାସ କରନ୍ତି ଯେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରିଥାନ୍ତି।

Advertisment

ଗଣମାଧ୍ୟମର ସର୍ବାଧିକ ସମର୍ଥନ ପାଉଥିବା ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି, ଯାହାକୁ ସେମାନଙ୍କ ସଂସ୍ଥାର ମାଲିକମାନେ ସମର୍ଥନ କରନ୍ତି ବୋଲି ୮୨% ସାମ୍ବାଦିକ ପ୍ରକାଶ କରିଛନ୍ତି। ତିନି-ଚତୁର୍ଥାଂଶ କାର୍ଯ୍ୟରତ ସାମ୍ବାଦିକ ନିଜ ଚାକିରି ହରାଇବାର ଭୟରେ ଅଛନ୍ତି। ସେଥିମଧ୍ୟରୁ ୧୬% ସାମ୍ବାଦିକ ସେମାନଙ୍କ ରାଜନୈତିକ ଆଦର୍ଶ ଯୋଗୁଁ ଅତୀତରେ ଚାକିରି ହରାଇଥିବା ବେଳେ ଅର୍ଦ୍ଧାଧିକ ସାମ୍ବାଦିକ ନିଜ ରାଜନୈତିକ ବିଚାର ପାଇଁ ଚାକିରି ହରାଇବାର ଆଶଙ୍କାରେ ଅଛନ୍ତି। ସେହିପରି ପ୍ରତି ଦଶ ଜଣରୁ ସାତ ଜଣ ସାମ୍ବାଦିକ ଅନୁଭବ କରନ୍ତି ଯେ କାମ ଯୋଗୁଁ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଛି ଏବଂ ପ୍ରତି ଚାରି ଜଣରୁ ତିନି ଜଣ ସାମ୍ବାଦିକ ଅନୁଭବ କରନ୍ତି ଯେ ଦାୟିତ୍ବ ନିର୍ବାହ ଦାୟରେ ସେମାନଙ୍କ ଶାରୀରିକ ସ୍ବାସ୍ଥ୍ୟରେ ଅବନତି ଘଟିଛି। ପୁରୁଷଙ୍କ ତୁଳନାରେ ମହିଳା ସାମ୍ବାଦିକମାନଙ୍କ ସ୍ବାସ୍ଥ୍ୟ ଉପରେ କାମ ଅଧିକ ନକରାତ୍ମକ ପ୍ରଭାବ ପକାଉଛି।