ରାଜକୁମାର ଥରେ ବନ୍ଧୁମାନଙ୍କ ସହିତ ବୁଲିବାକୁ ଯାଇଥିଲେ। ବୁଲୁ ବୁଲୁ ସେମାନେ ଏମିତି ଏକ ନିକାଞ୍ଚନ ସ୍ଥାନକୁ ଆସିଗଲେ। ସେତେବେଳକୁ ରାଜକୁମାରଙ୍କ ତଣ୍ଟି ଶୋଷରେ ଫାଟି ପଡୁଥାଏ। ସେମାନେ ବିକଳ ହୋଇ ପାଣି ଖୋଜିଲା ବେଳକୁ ଦିଶିଲା ଗୋଟିଏ କୁଡ଼ିଆ। କୁଡ଼ିଆରେ ଜଣେ ସାଧୁ ଥିଲେ।
ରାଜକୁମାର ସେଠାରେ ପହଞ୍ଚି ଘୋଡ଼ା ପିଠି ଉପରୁ ଚିତ୍କାର କଲେ- ଘରେ କିଏ ଅଛ, ଏଠି ମୋତେ ପାଣି ଦେଇ ଯାଅ। ମୁଁ ତୁମ ରାଜ୍ୟର ରାଜକୁମାର।
କୁଡ଼ିଆ ଭିତରୁ ସାଧୁ ବାହାରି ଆସି ନମ୍ର ଭାବେ କହିଲେ- ମୁଁ ସମସ୍ତଙ୍କୁ ପାଣି ଦେବି, କିନ୍ତୁ ମିଥ୍ୟାବାଦୀକୁ ନୁହେଁ।
ଉଦ୍ଧତ ରାଜକୁମାର କିଛି ବୁଝି ନ ପାରି କହିଲେ- ମୁଁ ମିଥ୍ୟାବାଦୀ? ମୁଁ ଚାହିଁଲେ ବାପାଙ୍କୁ କହି ତୁମକୁ ଦଣ୍ତ ଦେଇପାରିବି। ମୋ ପୋଷାକ, ମୋ ଘୋଡ଼ା ଓ ମୋର ପରିଚାରକମାନଙ୍କୁ ଦେଖି ପାରୁନାହଁ?
ସାଧୁ କହିଲେ- ତୁମେ ଯାହା ସବୁ କହିଗଲ ତାହା କ’ଣ ତୁମେ ରାଜକୁମାର ହୋଇଥିବାର ପ୍ରମାଣ? ଯାହା ପାଖରେ ଅର୍ଥ ଥିବ, ସମ୍ବଳ ଥିବ, ସେ ଏ ସବୁ କରିପାରିବ। ଯାହା ତୁମକୁ ରାଜ ବଂଶଜର ପରିଚୟ ଦିଅନ୍ତା, ତାହା ହେଉଛି ତୁମର ମାର୍ଜିତ ଆଚରଣ। କିନ୍ତୁ ତୁମ ଆଚରଣରୁ ତୁମ କୁଳଶୀଳର ପ୍ରମାଣ ମିଳୁନାହିଁ।
ରାଜକୁମାର ସାଧୁଙ୍କ କଥାର ମର୍ମ ବୁଝି ପାରି ଲଜ୍ଜିତ ହେଲେ ଓ ସାଧୁଙ୍କୁ କ୍ଷମା ମାଗିଲେ। ସାଧୁ ଆନନ୍ଦରେ ସମସ୍ତଙ୍କୁ ପାଣି ପିଆଇଲେ।