ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ କର୍ତ୍ତୃକ ପ୍ରକାଶିତ ମାସିକ ବୁଲେଟିନ୍ ବହନ କରିଥିବା ଏକ ଆଲେଖ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କର ପ୍ରସ୍ତାବିତ ଘରୋଇକରଣରେ ମନ୍ଥରତା ଅବଲମ୍ବନ କରାଯିବା ସପକ୍ଷରେ ଯୁକ୍ତି ଉପସ୍ଥାପିତ ହୋଇ ଏକ ଗୁଞ୍ଜରଣ ସୃଷ୍ଟି କରିଥିଲା। ୨୦୨୧-୨୨ର ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ (‘ପିଏସ୍ବି’)ର ଘରୋଇକରଣ ହେବାକୁ ଯାଉଛି ବୋଲି କରିଥିବା ଘୋଷଣା ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ୍ ବୁଲେଟିନ୍ରେ ପ୍ରଦତ୍ତ ଏହି ମନ୍ତବ୍ୟ ନିଶ୍ଚିତ ରୂପେ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ।
ସୀତାରମଣଙ୍କ ଉପରୋକ୍ତ ଘୋଷଣା ପରେ ଦେଶରେ ଥିବା ‘ପିଏସ୍ବି’ମାନଙ୍କର ଅବିଳମ୍ବେ ଘରୋଇକରଣ କରାଯିବା ଉଚିତ ବୋଲି କେତେକ ମହଲରେ ଏକ ଜନମତ ସୃଷ୍ଟି ହୋଇ ବିସ୍ତାର ଲାଭ କରି ଚାଲିବା ଦେଖାଯାଇଛି। ଯେଉଁମାନେ ଏହି ଘରୋଇକରଣ ପାଇଁ ଆହ୍ବାନ ଦେଉଛନ୍ତି, ସେମାନଙ୍କର ଯୁକ୍ତି ହେଲା କେତେକ ନିର୍ଦ୍ଦିଷ୍ଟ ମାପକାଠି ଅନୁସାରେ ଘରୋଇ ବ୍ୟାଙ୍କ୍ମାନଙ୍କ ତୁଳନାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କର ଉପଲବ୍ଧି ନିକୃଷ୍ଟତର ହୋଇ ଆସିଛି: ସେମାନଙ୍କ ଦ୍ବାରା ପ୍ରଦତ୍ତ ଋଣ ବା ‘ଆସେଟ୍’ ସବୁର ଗୁଣାତ୍ମକମାନ; ଅ˚ଶଧନ ବା ‘ଇକ୍ବିଟି’ରୁ ଉପଲବ୍ଧ ଆୟ ବା ‘ରିଟର୍ନ’; ଲାଭ ବା ‘ଡିଭିଡେଣ୍ତ’ ବଣ୍ଟନ ଏବ˚ ବଜାରରେ ଘଟୁଥିବା ବ୍ୟାଙ୍କ୍ର ମୂଲ୍ୟାୟନ ବା ‘ମାର୍କେଟ୍ କ୍ୟାପିଟାଲାଇଜେସନ୍’ ଇତ୍ୟାଦି।
ଏକ ଉଦାହରଣ ସ୍ବରୂପ ଶେଷୋକ୍ତ ମାପକାଠିର ପ୍ରୟୋଗରୁ ଏଇଭଳି ଏକ ଚିତ୍ର ଉପଲବ୍ଧ ହୋଇଥାଏ: ବଜାର ଦ୍ବାରା କରାଯାଇଥିବା ମୂଲ୍ୟାୟନ ଅନୁସାରେ ଦେଶର ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କର ମିଳିତ ମୂଲ୍ୟ ୭ ଲକ୍ଷ କୋଟି ଟଙ୍କାରୁ କମ୍ ହୋଇଥିବା ବେଳେ, କେବଳ ଗୋଟିଏ ଘରୋଇ ବ୍ୟାଙ୍କ୍, ‘ଏଚ୍ଡିଏଫ୍ସି’ ବ୍ୟାଙ୍କ୍ର ମୂଲ୍ୟ ହେଉଛି ୭ ଲକ୍ଷ କୋଟି ଟଙ୍କାରୁ ଅଧିକ। ଦେଶର ସମସ୍ତ ଘରୋଇ ବ୍ୟାଙ୍କ୍ମାନଙ୍କର ମିଳିତ ବଜାର ମୂଲ୍ୟ ହେଉଛି ୨୧ ଲକ୍ଷ କୋଟି ଟଙ୍କାରୁ ଅଧିକ। ଗୋଟିଏ ବାକ୍ୟରେ କହିଲେ, ଘରୋଇ ବ୍ୟାଙ୍କ୍ମାନେ ଅଧିକ ସଫଳତାର ସହିତ ସେମାନଙ୍କର ବ୍ୟବସାୟ ପରିଚାଳନା କରି ସେଗୁଡ଼ିକୁ ଅଧିକ ଲାଭଜନକ କରିଥିବା ହେତୁ ସେମାନଙ୍କର ବଜାର ମୂଲ୍ୟାୟନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ତୁଳନାରେ ଉଚ୍ଚତର ହୋଇଥାଏ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ ଉପରୋକ୍ତ ମାପକାଠିମାନ ସୂଚାଉଥିବା ଇଲାକାମାନଙ୍କରେ ଅଧିକ ଉତ୍ତମ ପ୍ରଦର୍ଶନ କରିବା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନେ ସବୁମନ୍ତେ ଉଦ୍ୟମ କରିବା ଉଚିତ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କଠାରେ ବ୍ୟବସାୟ ବୁଦ୍ଧିର ଅଭାବ ଅଛି ଓ କେବଳ ଘରୋଇ ବ୍ୟାଙ୍କ୍ମାନଙ୍କୁ ଲାଭ ଅର୍ଜନ କରିବା କୌଶଳ ଜଣା ଅଛି। ଅତୀତରେ ଘରୋଇ କ୍ଷେତ୍ରରେ ଥିବା ବ୍ୟାଙ୍କ୍ମାନ କେବଳ ଲାଭ ଅର୍ଜନରେ ନିଜର ସମସ୍ତ ଧୢାନ ନିବେଶ କରିଥିବା କାରଣରୁ ହିଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ବ୍ୟାଙ୍କ୍ମାନଙ୍କର ଜାତୀୟକରଣ କରି ଦେଶରେ ବ୍ୟାଙ୍କ୍ ବ୍ୟବସାୟକୁ ଓଲଟପାଲଟ କରିଦେଇଥିଲେ। ସେ ପୁରାତନ ଯୁକ୍ତିର ଆଉ ଚର୍ବିତ ଚର୍ବଣ ନ କରି ଏତିକି କହିଲେ ଯଥେଷ୍ଟ ହେବ ଯେ ଶ୍ରୀମତୀ ଗାନ୍ଧୀଙ୍କର ଏହି ପଦକ୍ଷେପ କେବଳ ଲାଭ ଅର୍ଜନକୁ ଅତିକ୍ରମ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କ ଉପରେ ଏକ ସମ୍ପୂର୍ଣ୍ଣ ନୂତନ ସାମାଜିକ ଦାୟିତ୍ବବୋଧ ମଧୢ ଲଦି ଦେଇଥିଲା, ଯେଉଁ ବୋଝ ଘରୋଇ ବ୍ୟାଙ୍କ୍ମାନଙ୍କୁ ବହନ କରିବାକୁ ପଡ଼ିନଥାଏ। ଏଥିରେ ତେଣୁ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ଗତ ବିତ୍ତ ବର୍ଷରେ ଦେଶରେ ସର୍ବବୃହତ୍ ୧୨ଟି ଘରୋଇ ବ୍ୟାଙ୍କ୍ମାନଙ୍କର ଅର୍ଜିତ ଲାଭର ପରିମାଣ ପ୍ରାୟ ୯୬,୦୦୦ କୋଟି ଟଙ୍କା ହୋଇଥିବା ବେଳେ, ତାହା ଥିଲା ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନେ ଅର୍ଜନ କରିଥିବା ମିଳିତ ଲାଭର ଦେଢ଼ ଗୁଣରୁ ଅଧିକ।
କିନ୍ତୁ ଏହି ଲାଭ ଅର୍ଜନ ପରିସ˚ଖ୍ୟାନ ବିଗତ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନେ ଲାଭକ୍ଷତିର ପରିସୀମା ଅତିକ୍ରମ କରି ରାଷ୍ଟ୍ର ନିର୍ମାଣ ଉଦ୍ୟମରେ ନିୟୋଜିତ କରିଥିବା ସେମାନଙ୍କର ସମ୍ବଳ ଓ ଶକ୍ତିର ପ୍ରତିନିଧିତ୍ବ କରିନଥାଏ। ଏ ସମ୍ବନ୍ଧରେ ଏକ ସମ୍ୟକ୍ ଧାରଣା ହାସଲ କରିବା ପାଇଁ ବେଶୀ ପଛକୁ ନ ଯାଇ ଆମେ ନିକଟ ଅତୀତର କେତେକ ଘଟଣା ଉପରେ ନଜର ପକାଇଲେ ଯଥେଷ୍ଟ ହେବ। ଆଜିକୁ ଠିକ୍ ଆଠ ବର୍ଷ ତଳେ ୨୦୧୪ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆରମ୍ଭ କରିଥିବା ‘ଜନ ଧନ ଯୋଜନା’ ଅଧୀନରେ ଏଯାବତ୍ ପ୍ରାୟ ୪୪ କୋଟିରୁ ଅଧିକ ସ˚ଖ୍ୟକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି, ଯାହାର ପ୍ରାୟ ୫୫ ଶତା˚ଶ ହେଉଛି ମହିଳାମାନଙ୍କ ନାମରେ। ମହିଳା ସଶକ୍ତୀକରଣ ଦିଗରେ ଏହା ଏକ ବୃହତ୍ ପଦକ୍ଷେପ ରୂପେ ବିବେଚିତ ହୋଇଥାଏ। ଏହି ଆକାଉଣ୍ଟମାନଙ୍କରେ ପ୍ରାୟ ୧.୩ ଲକ୍ଷ କୋଟି ଟଙ୍କାର ବାଲାନ୍ସ ସୃଷ୍ଟି ହୋଇପାରିଛି।
ସରକାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନା ଅନ୍ତର୍ଗତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥା (‘ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍’) ସାବଲୀଳ ଭାବରେ କାର୍ଯ୍ୟ କରିବା ସମ୍ଭବ ହୋଇପାରିଛି ମୁଖ୍ୟତଃ ଏହି ଜନ ଧନ ଆକାଉଣ୍ଟମାନଙ୍କର ଉପସ୍ଥିତି ଯୋଗୁଁ। ଏଥିଯୋଗୁଁ ପ୍ରକୃତ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ପ୍ରାପ୍ୟ ବିନା ବାଟମାରଣାରେ ସିଧାସଳଖ ତତ୍କ୍ଷଣାତ୍ ସେମାନଙ୍କ ପାଖରେ ପହଞ୍ଚି ଯାଇପାରୁଛି ଓ ଏ ବାବଦରେ ସରକାରଙ୍କର ଯୋଜନା ପରିଚାଳନା ଖର୍ଚ୍ଚ ସର୍ବନିମ୍ନ ସ୍ତରରେ ରହିବା ସମ୍ଭବ ହେଉଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଦେଶରେ ସମସ୍ତ ଜନ ଧନ ଆକାଉଣ୍ଟମାନଙ୍କର ପ୍ରାୟ ୯୮ ଶତା˚ଶ ଖୋଲାଯାଇଛି ରାଷ୍ଟ୍ରାୟତ୍ତ ବ୍ୟାଙ୍କମାନଙ୍କରେ। ସୂଚାଇବା ଅନାବଶ୍ୟକ, ଏହି ଆକାଉଣ୍ଟଗୁଡ଼ିକର ପରିଚାଳନା ଖର୍ଚ୍ଚ ବ୍ୟାଙ୍କ୍କୁ ବହନ କରିବାକୁ ପଡୁଥିଲେ ହେଁ, ଏଥିରୁ ବ୍ୟାଙ୍କ୍ ଲାଭ ଅର୍ଜନ କରିବାର ପ୍ରାୟ କୌଣସି ସମ୍ଭାବନା ନ ଥାଏ।
୨୦୧୬ରେ ନରେନ୍ଦ୍ର ମୋଦୀ ଯେତେବେଳେ ବିମୁଦ୍ରୀକରଣ ଘୋଷଣା କରି ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରି ପକାଇଲେ, ସେତେବେଳେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କର କର୍ମଚାରୀମାନେ ହିଁ ରାତି ଦିନ ଲାଗିପଡ଼ି ଅଧୈର୍ଯ୍ୟ ଗ୍ରାହକମାନଙ୍କର ସମସ୍ତ ଅଳିଅର୍ଦ୍ଦଳି ସମ୍ଭାଳି ଥିଲେ। ଏହି ପ୍ରକ୍ରିୟାରେ କେତେକ ବ୍ୟାଙ୍କ୍ କର୍ମଚାରୀ ମଧୢ ସହିଦ ହୋଇଯାଇଥିଲେ। ସେହିପରି କୋଭିଡ୍-୧୯ ଆତଙ୍କ ବ୍ୟାପିଥିବା ସମୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନେ ଖୋଲା ରହି ଗ୍ରାହକ ସେବା ଅବ୍ୟାହତ ରଖିବାକୁ ଚେଷ୍ଟା କରିଥିଲେ; ଯାହାର ପରିଣତି ସ୍ବରୂପ କେତେକ କର୍ମଚାରୀ କୋଭିଡ୍ର ଶିକାର ହୋଇ ପ୍ରାଣ ମଧୢ ହରାଇଥିଲେ।
ଏହା ଅବଶ୍ୟ ସତ ଯେ ବ୍ୟାଙ୍କ୍ ବ୍ୟବସାୟ କ୍ଷେତ୍ରରେ ଘରୋଇ ବ୍ୟାଙ୍କ୍ମାନଙ୍କର ପ୍ରବେଶ ଏହି କ୍ଷେତ୍ରରେ କାର୍ଯ୍ୟଦକ୍ଷତା, ଗ୍ରାହକ ଅନୁକୂଳ ମାନସିକତା, ସେବା ପ୍ରଦାନର ଗତିବେଗ ଆଦିରେ ଯେଉଁଭଳି ଚମକପ୍ରଦ ଉନ୍ନତି ସାଧନ କରିଛି, ସେଇଭଳି ବ୍ୟବସାୟ ପରିଚାଳନାରେ ମଧୢ ଆଧୁନିକ ଡିଜିଟାଲ୍ ଟେକ୍ନୋଲୋଜିର ବୈପ୍ଳବାତ୍ମକ ପ୍ରୟୋଗ ଘଟାଇଛି। ଏଭଳି ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନେ ମଧୢ ଚୁପ୍ ହୋଇ ନ ବସି ନିଜର ବ୍ୟବସାୟ ପରିଚାଳନାରେ ଆବଶ୍ୟକ ସ˚ସ୍କାରମାନ କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି, ଯାହା ବର୍ତ୍ତମାନ ଗ୍ରାହକମାନଙ୍କର ସନ୍ତୋଷ ବିଧାନରେ ଉନ୍ନତି ଆଣିବା ସଙ୍ଗେ ସଙ୍ଗେ ନିଜ ପାଇଁ ଲାଭ ଅର୍ଜନ କରିବାକୁ ମଧୢ ଆରମ୍ଭ କଲାଣି। ଏହାର ଏକ ପ୍ରମାଣ ସ୍ବରୂପ ୨୦୨୨ ମାର୍ଚ୍ଚରେ ଦେଶର କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ କ୍ଷତି ବହନ କରିବା ଦେଖାଯାଇନଥିଲା।
ଏହା ସର୍ବଜନବିଦିତ ଯେ ଅନେକ ସମୟରେ ରାଜନୈତିକ ଚାପ ଯୋଗୁଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନେ ସନ୍ଦିଗ୍ଧ ଗ୍ରାହକମାନଙ୍କୁ ଋଣ ପ୍ରଦାନ କରି କ୍ଷତିରେ ପଡ଼ିଥାନ୍ତି (ଯେମିତି ବିଜୟ ମାଲ୍ୟା ଘଟଣା), ଯାହାକୁ ଶେଷରେ କରଦାତାଙ୍କ ଅର୍ଥ ଦ୍ବାରା ଭରଣା କରିବାକୁ ପଡ଼ିଥାଏ। ସରକାର ଓ ନେତାମାନେ ଯଦି ଏଥିରୁ ନିବୃତ୍ତ ରହିବେ, ତେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନେ ମଧୢ ସେମାନଙ୍କର ସାମାଜିକ ଦାୟିତ୍ବ ନିର୍ବାହ କରିବା ସହିତ ଉତ୍ତମ ସ୍ବାସ୍ଥ୍ୟର ଅଧିକାରୀ ହୋଇପାରିବେ। ଆମ ଭଳି ଦେଶରେ ଘରୋଇ ବ୍ୟାଙ୍କ୍ମାନେ କେବେ ହେଲେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ମାନଙ୍କର ସ୍ଥାନ ନେଇପାରିବେ ନାହିଁ। ଅପରପକ୍ଷେ ଏଠାରେ ଉଭୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ଓ ଘରୋଇ ବ୍ୟାଙ୍କ୍ମାନେ ନିଜ ନିଜର ଆଦର୍ଶ ଅନୁସରଣ କରି ସୁସ୍ଥ ବ୍ୟବସାୟ କରିବା ପାଇଁ ଯଥେଷ୍ଟ ସ୍ଥାନ ଓ ସୁଯୋଗ ରହିଛି। ସରକାର ତେଣୁ ଘରୋଇକରଣ ପରିବର୍ତ୍ତେ ଉଭୟଙ୍କର ସୁସ୍ଥ ସହାବସ୍ଥାନ ନିଶ୍ଚିତ କରିବା ଅଧିକ ଶ୍ରେୟସ୍କର ହେବ ବୋଲି ମନେ ହୋଇଥାଏ। ଏବେ ମଧୢ ‘ରାଷ୍ଟ୍ରହିତ’ ସାଧନରେ ‘ରାଷ୍ଟ୍ରାୟତ୍ତ’ ବ୍ୟାଙ୍କ୍ମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।