ବିହାରରେ ଏବେ ଦେଖାଦେଇଥିବା ଜେଡି-ୟୁ ଝଡ଼ ଦେଇ ବିଜେପି ତା’ର ରାଜନୈତିକ ଜାହାଜକୁ କେମିତି ଅତିକ୍ରମ କରାଉଛି, ତାହା ଲକ୍ଷ୍ୟ କରିବାଟା ବେଶ ରୋଚକ ହୋଇପଡ଼ିଛି। ବିଜେପି ଦଳ ୨୦୨୪ରେ ୪୦ରୁ ୩୫ଟି ଲୋକସଭା ଆସନ ଜିତିବ ବୋଲି ଯଦିଓ ଦଳର ଜାତୀୟ କୋର୍‌ କମିଟି କହି ଚାଲିଛନ୍ତି, ତେବେ ‘ଦେଖିଚାଲ, ଆମେ ହିଁ ରାଜ କରିବୁ’ ବୋଲି ନୀତୀଶ ଓ ତେଜସ୍ବୀଙ୍କ ପରାକ୍ରମୀ ଚିତ୍କାରକୁ ଦେଖିବାର ଅଛି। ନୀତୀଶଙ୍କ ବିନା କେବଳ ମୋଦୀ ମଙ୍ଗ ଧରିଥିବା ବିଜେପିର ଜାହାଜ ସାଙ୍ଗରେ ବିହାର ଦରିଆ କି ପ୍ରକାର ମାଙ୍କଡ଼ ଖେଳ ଖେଳିବ, ତାହା କହିବା କଷ୍ଟକର।

Advertisment

ଶେଷ ଥର ପାଇଁ ୨୦୧୪ରେ ଏକାକୀ ମୋଦୀଙ୍କ ନେତୃତ୍ବ ବିଜେପିକୁ ୨୨ ଆସନ ଜିତାଇଥିଲେ। ଏଥର ଏକା ଏକା ତାହା ଦୋହରାଇବା କାଠିକର ପାଠ। ଲଗାତାର ଦୁଇଟି ପାଳି ପରେ ତାଙ୍କ ଲୋକପ୍ରିୟତାରେ ଆସିଥିବା ଭଟ୍ଟା ଦଳ ପାଇଁ ୩୫ ଆସନ ଆଣିବ ବୋଲି ଚିନ୍ତା କରି ହେଉନାହିଁ।

ଏ କଥା ମଧ୍ୟ ଆମକୁ ଭୁଲିଯିବା ଠିକ୍‌ ହେବନି କି ୨୦୧୪ର ସେଇ ୨୨ ଆସନର ଶ୍ରେୟ କେବଳ ମୋଦୀଙ୍କୁ ଦେଇହେବନି। କାରଣ ତାଙ୍କ ସହ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ନେତା ରାମ ବିଳାସ ପାଶଵାନ ଓ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ନେତା ଉପେନ୍ଦ୍ର କୁଶଵାହ ମଧ୍ୟ ଥିଲେ। ମୋଦୀଙ୍କର ଏହି ୨୨ ପଦକରେ ସେମାନେ ଦଳିତ ଓ କୁଶଵାହମାନଙ୍କ ଭୂମିକାର ପୁଟ ଯୋଡ଼ିଥିଲେ।

ଏବେ କୁଶଵାହ ମୋଦୀଙ୍କ ସହ ନ ରହି ନୀତୀଶଙ୍କୁ ସମର୍ଥନ କରୁଛନ୍ତି। ତାଙ୍କ ଦଳ ଜେଡି-ୟୁରେ ବିଲୀନ ହୋଇଯାଇଛି। ରାମ ବିଳାସ ପାଶଵାନଙ୍କ ମୃତ୍ୟୁ ପରେ ଏଲ୍‌ଜେପିରେ ମଧ୍ୟ ବିଭାଜନ ଘଟିଛି। ତାଙ୍କ ଭାଇ ପଶୁପତି ପରଶଙ୍କ ଦ୍ବାରା ଗୋଟିଏ ଗୋଷ୍ଠୀ ପରିଚାଳିତ ହେଉଥିବା ବେଳେ ଅନ୍ୟ ଗୋଷ୍ଠୀର ନେତୃତ୍ବ ତାଙ୍କ ପୁଅ ଚିରାଗ ପାଶଵାନ ନେଇଛନ୍ତି। ୨୦୨୪ରେ ବିଜେପି ଯଦି ଗୋଟିଏ ଗୋଷ୍ଠୀ ସହ ହାତ ମିଳାଏ, ଅନ୍ୟ ଗୋଷ୍ଠୀଟି ବିରୋଧରେ ଯିବ। ତେଣୁ ରାମ ବିଳାସଙ୍କ ଦ୍ବାରା ଗଢ଼ାଯାଇଥିବା ଦଳିତ ଭୋଟ ବ୍ୟାଙ୍କ ଏପରି ଭାଗ ଭାଗ ହୋଇଯିବ। ୨୦୧୪ରେ ପାଇଥିବା ସମଗ୍ର ଦଳିତ ଭୋଟ ଏଥର ମିଳିବ ବୋଲି ମୋଦୀ ଆଶା କରିବେନି। ସୁତରାଂ କୁଶଵାହ ଓ କ୍ଷୟପ୍ରାପ୍ତ ଦଳିତ ଭୋଟ ବିନା ସେ କେମିତି ୩୫ ଆସନ ଜିତିବେ?

ଅପରପକ୍ଷେ, ଏକ ଭୟଙ୍କର ମେଣ୍ଟ ବି ହୋଇପାରେ। ବିଭିନ୍ନ ନିର୍ବାଚନକ୍ଷେତ୍ରରେ ତାହାର ଭୋଟ ବିଜେପି ଠାରୁ ଯଥେଷ୍ଟ ଅଧିକ ରହିପାରେ। ସମ୍ପ୍ରତି ସେଭଳି ୧୭ଟି ନିର୍ବାଚନମଣ୍ଡଳୀ ରହିଛି, ଯେଉଁଠି ଜେଡି-ୟୁ, ଆର୍‌ଜେଡି, କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌), ସିପିଆଇ(ଏମ୍‌ଏଲ୍‌) ଓ ହିନ୍ଦୁସ୍ଥାନୀ ଆଵାମ୍‌ ମୋର୍ଚ୍ଚା-ସେକ୍ୟୁଲାର (ହାମ୍‌ସ)ଙ୍କୁ ନେଇ ଜାରି ରହିଥିବା ମେଣ୍ଟର ଭୋଟ ୨୦୧୪ରେ ବିଜେପି ଭୋଟ ଠାରୁ ଲକ୍ଷେ ଅଧିକ ଥିଲା। ଅନ୍ୟ ୫ଟି ନିର୍ବାଚନୀ କ୍ଷେତ୍ରରେ ୬୦,୦୦୦ରୁ ଲକ୍ଷେ ଭିତରେ ବ୍ୟବଧାନ ରହିଥିଲା। ସେହିପରି ଆଉ ୬ଟି ନିର୍ବାଚନୀ କ୍ଷେତ୍ରରେ ବ୍ୟବଧାନ ୩୦,୦୦୦ରୁ ୬୦,୦୦୦ ଭିତରେ ଥିଲା।

୨୦୧୪ ଫଳାଫଳ ଅନୁସାରେ ବିଜେପି ପୂର୍ବ ବିହାରରେ ଦୁର୍ବଳ ବା ସୁଭେଦ୍ୟ ଜଣାପଡୁଛି। ପୂର୍ବ ବିହାରର ୧୨ରୁ ୧୧ଟି ନିର୍ବାଚନମଣ୍ଡଳୀ (ସୁପୌଲ, ଆରାରିଆ, କିଷନଗଞ୍ଜ, କଟିହାର, ପୂର୍ଣ୍ଣିଆ, ମାଧେପୁରା, ବେଗୁସରାଇ, ଖଗରିଆ, ଭାଗଲପୁର, ବାଙ୍କା ଓ ଜମୁ)ରେ ବିଜେପି ଓ ସହଯୋଗୀ ଦଳର ଭୋଟ ମହାମେଣ୍ଟର ଭୋଟ ଠାରୁ ଲକ୍ଷେ ପଛରେ। ଯଦି ମୁଙ୍ଗେରକୁ ଅନ୍ତର୍ଭୁକ୍ତ କରାଯାଏ, ଯୋଉଠି ବିଜେପି ୭୪,୦୦୦ ଭୋଟ ପଛରେ ଥିଲା, ତା’ହେଲେ ପୂର୍ବ ବିହାରରେ ବିଜେପି କିମ୍ବା ତାହାର ସହଯୋଗୀ ଦଳର ସତ୍ତା ରହିବନି।

ଉତ୍ତର ବିହାରରେ ୪ଟି ନିର୍ବାଚନମଣ୍ଡଳୀ (ସମସ୍ତିପୁର, ଉଜୈରପୁର, ମହାରାଜଗଞ୍ଜ ଓ ଝାଞ୍ଜରପୁର)ରେ ମହାମେଣ୍ଟ ଲକ୍ଷେ ଭୋଟ ଆଗରେ ଥିଲା। ସେହିପରି ଏହି ମହାମେଣ୍ଟ ଦରଭଙ୍ଗା ଓ ସରନରେ ମଧ୍ୟ ୬୦,୦୦୦ରୁ ଲକ୍ଷେ ଭୋଟ ଏବଂ ଅନ୍ୟ ୪ଟି ସଂସଦୀୟ କ୍ଷେତ୍ର (ପଶ୍ଚିମ ଚମ୍ପାରଣ, ବୈଶାଳୀ, ସିଵାନ ଓ ମଧୁବନୀ)ରେ ୩୦,୦୦୦ରୁ ୬୦,୦୦୦ ଭୋଟ ଆଗରେ ରହିଥିଲା। ସମସ୍ତଙ୍କୁ ମିଶାଇଲେ ଉତ୍ତର ବିହାରର ୧୭ଟି ନିର୍ବାଚନୀକ୍ଷେତ୍ରରୁ ୧୦ଟିରେ, ଅର୍ଥାତ୍‌ ଦୁଇ ତୃତୀୟାଂଶ ଆସନରେ ବିଜେପି ପଛରେ ରହିଛି।

ଉତ୍ତର ବିହାରର କେବଳ ୭ଟି ସଂସଦୀୟ କ୍ଷେତ୍ରରେ ବିଜେପି ବା ତାହାର ସହଯୋଗୀ ଦଳ ଜିତିଥିଲା। ସେଥି ମଧ୍ୟରୁ ୩ଟି ନିର୍ବାଚନୀକ୍ଷେତ୍ର (ଗୋପାଳଗଞ୍ଜ, ହାଜିପୁର ଓ ମୁଜାଫରପୁର)ରେ ବିଜେପି ଓ ସହଯୋଗୀ, ମିଳିତ ମେଣ୍ଟ ଠାରୁ ଲକ୍ଷେରୁ ଅଧିକ ଭୋଟ ହାତେଇଥିଲେ। ଅନ୍ୟ ୩ଟି ଆସନ (ପୂର୍ବ ଚମ୍ପାରଣ, ଶିବହର ଓ ସୀତାମାଢ଼ି)ରେ ମହାମେଣ୍ଟ ଠାରୁ ୫୦,୦୦୦ରୁ ଅଧିକ ଭୋଟ ଓ ବାଲ୍ମିକୀ ନଗର ସଂସଦୀୟ କ୍ଷେତ୍ରରେ ୨୩,୦୦୦ରୁ ଅଧିକ ଭୋଟରେ ଆଗେଇଥିଲେ।

ଦକ୍ଷିଣ ବିହାରର ୧୧ଟି ସଂସଦୀୟ କ୍ଷେତ୍ରରୁ ୮ଟିରେ ବା ଦୁଇ-ତୃତୀୟାଂଶ ଆସନରେ ବିଜେପି ମିଳିତ ବିରୋଧୀଙ୍କ ଠାରୁ ପଛରେ ରହିଥିଲା। ପାଟଳୀପୁତ୍ର ଓ ନାଳନ୍ଦା ସଂସଦୀୟ କ୍ଷେତ୍ରରେ ଲକ୍ଷେରୁ ଅଧିକ ଭୋଟରେ, ଜେହାନାବାଦ ଓ ଔରଙ୍ଗାବାଦରେ ୬୦,୦୦୦ରୁ ଲକ୍ଷେ ଭିତରେ, ସସରାମ ଓ ଆରାରେ ୩୦,୦୦୦ରୁ ୬୦,୦୦୦ ଭିତରେ, ନଵାଦାରେ ୨୮,୦୦୦ ଏବଂ ଗୟାରେ ୨୩,୦୦୦ ଭୋଟରେ ବିଜେପି ପଛେଇଥିଲା।

ଦକ୍ଷିଣ ବିହାରର ଅନ୍ୟ ତିନିଟି ନିର୍ବାଚନୀ କ୍ଷେତ୍ରରେ ବିଜେପି ଓ ତା’ର ସହଯୋଗୀ ଆଗରେ ରହିଥିଲେ। ପାଟନା ସାହିବରେ ୧,୭୪,୦୦୦ ଅଧିକ ଭୋଟ ସହ ତାହା ସେମାନଙ୍କର ଶ୍ରେଷ୍ଠ ଫଳାଫଳ ଥିଲା। କାରାକାଟରେ ୨୯,୦୦୦ ଭୋଟରେ ଓ ବକ୍ସରରେ ୨,୩୦୦ ଭୋଟରେ ସେମାନେ ଆଗୁଆ ଥିଲେ।

୨୦୧୪ରେ ମହାମେଣ୍ଟ ବିରୋଧରେ ପୂର୍ବ ବିହାରର କୌଣସି ଆସନରେ ଆଦୌ ଆଗରେ ନଥାଇ ଏବଂ କେବଳ ଉତ୍ତର ବିହାରରେ ୭ଟି ଓ ଦକ୍ଷିଣ ବିହାରରେ ୩ଟି ଆସନରେ ଆଗରେ ଥିବା ବିଜେପି ଓ ସହଯୋଗୀ କ’ଣ ୨୦୨୪ରେ ୩୫ ଆସନ ଜିତିବା ନେଇ ଆଶାବାଦୀ ହୋଇପାରିବେ?

ଅପରପକ୍ଷେ, ଏଠି ଅନ୍ୟ ତିନିଟି ପ୍ରସଙ୍ଗକୁ ବିଚାରକୁ ନିଆଯାଇନାହିଁ। ପ୍ରଥମତଃ, ମୋଦୀଙ୍କ ଦୁଇ ପାଳି ଶେଷରେ ମତଦାତା ତାଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ କରିବେ। ବିଶେଷ କରି ସେମାନଙ୍କ ଜୀବନକୁ ପ୍ରଭାବିତ କରିଥିବା ଦରବୃଦ୍ଧି, ବେକାରି ଓ ଦୁର୍ବଳ ରୋଜଗାର ଆଦି ପ୍ରସଙ୍ଗ ମୋଦୀଙ୍କ ପାଇଁ ସକାରାତ୍ମକ ବାର୍ତ୍ତା ଆଣିନାହିଁ ଯାହା ତାଙ୍କ ପ୍ରତି ସମର୍ଥନରେ ହ୍ରାସ ଘଟାଇବ। ରାଜ୍ୟରେ ଦାରିଦ୍ର୍ୟ ଶୀର୍ଷରେ ପହଞ୍ଚିଛି ଏବଂ ଅଟା, ଡାଲି, ମସଲା ଓ ରୋଷେଇ ଗ୍ୟାସ ପରି ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସମ୍ପର୍କରେ ସାଧାରଣ ଜନତା ଆଲୋଚନା କରୁଛନ୍ତି। ସେହିପରି ରେଳବାଇ ନିଯୁକ୍ତି ଦୁର୍ନୀତି ପ୍ରସଙ୍ଗରେ ଯୁବପିଢ଼ିଙ୍କ ପ୍ରତିବାଦ ଓ ଅଗ୍ନିପଥ ଯୋଜନାର ନକାରାତ୍ମକ ଦିଗ ଆଦି ସାରା ବିହାରରେ ଚର୍ଚ୍ଚିତ ହେବା ସହ ପ୍ରତିକ୍ରିୟା ଉଗ୍ରରୂପ ନେଇଛି।

ଦ୍ବିତୀୟତଃ, ବିଜେପିର ସ୍ବଜାତି ଭକ୍ଷଣ ପ୍ରକୃତି ପାଇଁ ରାଜ୍ୟରେ ଦଳର କେହି ସହଯୋଗୀ ନାହାନ୍ତି। ପୂର୍ବରୁ ସହଯୋଗୀ ଥିବା ଜେଡି-ୟୁ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀମାନଙ୍କ ପାଇଁ ୨୦୧୪ ଅପେକ୍ଷା ଯଥେଷ୍ଟ ଅଧିକ ଭୋଟ ଯୋଗାଡ଼ କରିଥିଲା। ଏଥି ସହିତ ବିକାଶଶୀଳ ଇନ୍‌ସାନ୍‌ ପାର୍ଟି (ଭିଆଇପି) ବିଜେପିଠୁ ଦୂରେଇ ଯାଇଛି, କାରଣ ତାହାର ତିନିଟି ବିଧାୟକଙ୍କୁ ବିଜେପି ଉଦରସ୍ଥ କରିଦେଇଛି।

ତୃତୀୟରେ ଜାତୀୟ ସ୍ତରରେ ବିଜେପି ବିରୋଧରେ ଏକ ସଂଯୁକ୍ତ ସାମ୍ମୁଖ୍ୟ ଛିଡ଼ା କରିବା ପାଇଁ ବିରୋଧୀ ଦଳମାନେ ବିକଳ୍ପ ପନ୍ଥା ଖୋଜୁଛନ୍ତି। ଯଦି ସଂଯୁକ୍ତ ବିରୋଧୀ ମେଣ୍ଟକୁ ଜଣେ ଦୃଢ଼, ଦୂରଦର୍ଶୀ ତଥା ବିଶ୍ବସନୀୟ ନେତା ମିଳିଯାଆନ୍ତି, ତେବେ ଅନ୍ୟ କୌଣସି ବିକଳ୍ପ ନ ପାଇ ମୋଦୀଙ୍କୁ ଦୁଇ ଦୁଇ ଥର ବାଛିଥିବା ବିହାରୀମାନଙ୍କ ପସନ୍ଦରେ ଏଥର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପାଇଁ ବିଭାଜନ ଘଟିପାରେ। ଅପର ପକ୍ଷେ, ନୀତୀଶ କୁମାରଙ୍କ ବିରୋଧରେ ଅନେକ ପ୍ରତିବନ୍ଧ ଥିବା ସତ୍ତ୍ବେ ସେ ମୋଦୀଙ୍କ ବିକଳ୍ପ ଭାବେ ଉଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏପରିକି ତାହା ନ ଘଟିଲେ ମଧ୍ୟ ବିରୋଧୀ ମେଣ୍ଟରେ ନୀତୀଶ ଜଣେ ଟାଣୁଆ ଗୁରୁତ୍ବପୂର୍ଣ୍ଣ ନେତାର ଭୂମିକା ନିର୍ବାହ କରିବେ। ତାହା ନିଶ୍ଚିତ ଭାବରେ ବିହାରର ସାଧାରଣ ମତଦାତାଙ୍କୁ ବିଜେପି ଠାରୁ ଦୂରେଇ ନେଇ ବିରୋଧୀ ମେଣ୍ଟ ପ୍ରତି ଆକର୍ଷିତ କରିବ।
[email protected]