ଜଣେ ପ୍ରସିଦ୍ଧ ଜେନ୍ ଗୁରୁ ଥିଲେ। ତାଙ୍କ ପାଖରୁ ଗୂଢ଼ ଜ୍ଞାନ ଶିକ୍ଷା କରିବାକୁ ଜଣେ ଯୁବକ ପହଞ୍ଚିଲେ। ସେତିକି ବେଳକୁ ଗୁରୁ ବଗିଚାର ଗଛଗୁଡ଼ିକରେ ପାଣି ଦେବାର ଉପକ୍ରମ କରୁଥିଲେ। ଜଣେ ନିହାତି ଗରିବ ଓ ମଳିମୁଣ୍ତିଆ ଲୋକ ଦୁଇଟି ପାଣି ଭରା ମାଠିଆ ଆଣି ଗୁରୁଙ୍କ ପାଖରେ ରଖିଲା। ଏତିକି ବେଳେ ଯୁବକ ସେଠାରେ ପହଞ୍ଚି ଗୁରୁଙ୍କୁ ଅଭିବାଦନ କରି ନିଜ ପରିଚୟ ଦେଇ କହିଲେ- ମହାଶୟ ମୁଁ ଆପଣଙ୍କ ଠାରୁ ଗୂଢ଼ ଜ୍ଞାନ ଶିକ୍ଷା କରିବାକୁ ଆସିଛି। କେବଳ ଆପଣ ହିଁ ତାହା ଦେଇପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଁ ଜାଣେ ଆପଣ ବାଛି ବାଛି ଶିଷ୍ୟ ଗ୍ରହଣ କରନ୍ତି। ସେଥି ଲାଗି ମୁଁ ପ୍ରଥମରୁ ମୋ ନିଜ ବିଷୟରେ କିଛି କହିଦେବା ଉଚିତ ବୋଲି ଭାବୁଛି। ମୁଁ ବୁଦ୍ଧଙ୍କ ଜ୍ଞାନ ଓ ତତ୍ତ୍ବ ବାବଦରେ ବହୁତ କିଛି ପଢ଼ିଛି। ଆପଣ ମୋର ଜ୍ଞାନର ଗଭୀରତାକୁ ପରୀକ୍ଷା କରିପାରନ୍ତି।
ଗୁରୁ କିଛି ନ କହି ସେଇ ମଳିମୁଣ୍ତିଆ ଭଳି ଦିଶୁଥିବା ଲୋକକୁ କହିଲେ- ଏ ମାଠିଆର ପାଣି ସେ ମାଠିଆରେ ଢାଳ। ସେ ବ୍ୟକ୍ତି ଆଦେଶ ପାଇବା କ୍ଷଣି ତାହା କଲା ଏବ˚ ଯେଉଁ ମାଠିଆକୁ ପାଣି ଢଳାଗଲା ତାହା ଭରା ଥିବାରୁ ପାଣି ତକ ଉଛୁଳି ତଳେ ପଡ଼ିଲା। ଏହା ଦେଖି ଯୁବକ କହିଲା- ଆଜ୍ଞା, ଏ କ’ଣ କରୁଛନ୍ତି? ଏହା ଖାଲି ନ ହେଲେ ତା ଭିତରେ ଆଉ ପାଣି ପଶିବ କେମିତି?
ଜେନ୍ ଗୁରୁ କହିଲେ- ବେଶ୍, ଏହା ହେଉଛି ତୁମ ଲାଗି ମୋର ପ୍ରଥମ ଗୂଢ଼ ଜ୍ଞାନ। ପ୍ରଥମେ, ଯାଅ ତୁମ ମୁଣ୍ତରୁ ଜ୍ଞାନ ବାହାର କରି ମୁଣ୍ତକୁ ଖାଲି କରି ଆସ, ନ ହେଲେ ତୁମ ମୁଣ୍ତରେ ନୂଆ ଜ୍ଞାନ ପଶିବ ନାହିଁ।