ଜଣେ ଜେନ୍ ସାଧୁ ଥିଲେ। ସେ ଲୋକମାନଙ୍କୁ ଧ୍ୟାନ ଶିକ୍ଷା ଦେଉଥିଲେ। ତାଙ୍କର ବହୁତ ନାମ ଡାକ ଥିଲା। ସେଥି ଲାଗି ତାଙ୍କ ମନରେ ଗର୍ବ ସୃଷ୍ଟି ହୋଇଥିଲା। ଧ୍ୟାନ ବିଷୟରେ ଜାଣି ନ ଥିବା ଲୋକଙ୍କୁ ସେ ହେୟ ମଣୁଥିଲେ।
ଦିନେ ସେ ତାଙ୍କ ଶିଷ୍ୟମାନଙ୍କ ସହିତ ସାଂଧ୍ୟ ଭ୍ରମଣରେ ଯାଉଥିବା ବେଳେ ବାଟରେ ଆଉ ଜଣେ ଜେନ୍ ସାଧୁଙ୍କ ସହିତ ଦେଖା ହେଲା, ଯିଏ ଅତି ନିରାଡ଼ମ୍ବର ଜୀବନ କାଟୁଥିଲେ ଏବଂ କୌଣସି ସମସ୍ୟାର ସମାଧାନ ଲାଗି ତାଙ୍କ ଧାଡ଼ିକିଆ ଉତ୍ତର ତାଙ୍କୁ ପ୍ରସିଦ୍ଧ କରିଥିଲା। କିନ୍ତୁ ଧ୍ୟାନ-ମନସ୍କ ସାଧୁ ତାଙ୍କୁ ଜଣେ ବିଚକ୍ଷଣ ଗୁରୁ ବୋଲି ଗଣୁ ନ ଥିଲେ।
କଥାବାର୍ତ୍ତା ଚାଲିଥିବା ବେଳେ ଧ୍ୟାନପ୍ରେମୀ ଗୁରୁଙ୍କ ଠାରୁ ଅନେକ ବାହପିଆ କଥା ଶୁଣିବା ପରେ ଅନ୍ୟ ଜେନ ଗୁରୁ ଜଣକ କହିଲେ- ସବୁ ଠିକ୍ ଯେ କିନ୍ତୁ ଧ୍ୟାନ ବେଳେ ମନରେ ମାଙ୍କଡ଼କୁ ପୂରାଇବ ନାହିଁ।
ଏହା ଶୁଣି ଧ୍ୟାନ-ପ୍ରେମୀ ଗୁରୁ ବିରକ୍ତ ହୋଇ ଫାଲତୁ କଥା କୁହ ନାହିଁ ବୋଲି କହି ବାଟ କାଟି ଚାଲି ଆସିଲେ।
ସେ ଦିନ ସଂଧ୍ୟାରେ ସେ ଓ ତାଙ୍କ ସହିତ ଥିବା ଶିଷ୍ୟମାନେ ଯେତେବେଳେ ଧ୍ୟାନରେ ବସିଲେ, ସେହି ଜେନ୍ ଗୁରୁଙ୍କ କଥା ମନେ ପଡ଼ି ସମସ୍ତଙ୍କ ମନ ଭିତରେ ମାଙ୍କଡ଼ର ଚିତ୍ର ଉକୁଟି ଉଠିଲା। ଯେତେ ମନମୁନ ଲଗାଇଲେ ବି ମାଙ୍କଡ଼ ଠାରୁ ମୁକ୍ତି ମିଳିଲା ନାହିଁ। କେତେବେଳେ ନା କେତେବେଳେ ସୁଯୋଗ ଉଣ୍ଡି ମାଙ୍କଡ଼ ପଶି ଆସିଲା। ଧ୍ୟାନ-ପ୍ରେମୀ ଗୁରୁ ନିଜ ମନରୁ ମାଙ୍କଡ଼କୁ ତଡ଼ିବା ଲାଗି ଆଉ ଉପାୟ ନ ପାଇ କେବଳ ବିଚଳିତ ହେଲେ ସିନା କିଛି ଲାଭ ହେଲା ନାହିଁ।