ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ପୃଥିବୀବାସୀଙ୍କୁ ଖାଦ୍ୟ ଯୋଗାଇବାକୁ ଆଗେଇ ଆସିଛି ବୋଲି ବିଦେଶ ଭୂଇଁରେ ସଗର୍ବରେ ଘୋଷଣା କରିବା ପରେ ପରେ ପଛଘୁଞ୍ଚା ଦେଇ ଭାରତରୁ ଗହମ ରପ୍ତାନି ନିଷିଦ୍ଧ କରିଦେବା ସେତେବେଳେ ଆମ ପାଇଁ ଯେଉଁ କୂଟନୈତିକ ଅସ୍ବସ୍ତି ସୃଷ୍ଟି କରିଥିଲା, ତାହା ଏବେ ବି ଆମ ସ୍ମୃତିରେ ତାଜା ଅଛି। ପ୍ରଧାନମନ୍ତ୍ରୀଙ୍କ ଏହି ପଛଘୁଞ୍ଚା ଅବଶ୍ୟ ଏକ ସମ୍ପୂର୍ଣ୍ଣ ବାସ୍ତବବାଦୀ ପଦକ୍ଷେପ ଥିଲା, କାରଣ ଆମର ନିଜର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବା ଥିଲା ଏହାର ଲକ୍ଷ୍ୟ। ମାର୍ଚ୍ଚରେ ଉତ୍ତର ଭାରତରେ ଏକ ଅସ୍ବାଭାବିକ ତାପ ପ୍ରବାହ ଯୋଗୁଁ ଗହମ ଅମଳ ହ୍ରାସ ପାଇବା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିଲା। ଆନ୍ତର୍ଜାତିକ ବଜାରରେ ୟୁକ୍ରେନ୍ ଯୁଦ୍ଧ ଯୋଗୁଁ ଗହମ ଦର ଉଚ୍ଚା ଥିଲେ ମଧୢ ରପ୍ତାନି ନିଷେଧ ଯୋଗୁଁ ଭାରତୀୟ ଗହମଚାଷୀମାନେ ସେଥିରୁ ଲାଭ ଉଠାଇ ପାରିନଥିଲେ। ସରକାର ଅବଶ୍ୟ ସର୍ବନିମ୍ନ ସହାୟକ ଦରରେ ସ˚ଗ୍ରହ ମାଧୢମରେ କୃଷକମାନଙ୍କର କ୍ଷତି ଭରଣା ପାଇଁ ଉଦ୍ୟମ କରିଛନ୍ତି।
ବର୍ତ୍ତମାନ ମଧୢ ସେହି ପରିସ୍ଥିତିରେ କୌଣସି ଉନ୍ନତି ଘଟିବାର ସମ୍ଭାବନା ଦେଖାଯାଉନାହିଁ। ଗତବର୍ଷ ମୋଟ ଗହମ ଉତ୍ପାଦନ ୧୧୧ ନିୟୁତ ଟନ୍ ହୋଇଥିବା ବେଳେ ଏ ବର୍ଷର ଉତ୍ପାଦନ ପ୍ରାୟ ୯୫ ନିୟୁତ ଟନ୍କୁ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି। ଆମେରିକା ସରକାରଙ୍କ କୃଷି ବିଭାଗ କରିଥିବା ଏକ ସ୍ବାଧୀନ ଆକଳନ ଅନୁସାରେ ଏ ବର୍ଷ ଭାରତରେ ଗହମ ଉତ୍ପାଦନ ୯୮ ନିୟୁତ ଟନ୍ ହେବ ବୋଲି ବିଶ୍ବାସ କରାଯାଉଛି। ଦେଶରେ ଗହମର ଚାହିଦା ତୁଳନାରେ ଯୋଗାଣ ପରିସ୍ଥିତି ଯେ ସନ୍ତୋଷଜନକ ନ ହୋଇପାରେ, ତାହାର ଏକ ସୂଚନା ମିଳିଥାଏ ଗହମ ଦରରେ ଦେଖାଯାଇଥିବା ୧୦ ଶତା˚ଶରୁ ଅଧିକ ହାରରେ ବୃଦ୍ଧିରୁ। ଏହି ଚାହିଦାର ଏକ ମୁଖ୍ୟ ଅ˚ଶ ହେଉଛି ‘ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା’ (‘ପିଡିଏସ୍’) ଓ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା’ (ପିଏମ୍ଜିକେଏଵାଇ’)ର ଆବଶ୍ୟକତା ମେଣ୍ଟାଇବା ପାଇଁ ସରକାରଙ୍କୁ ଯୋଗାଇବାକୁ ପଡୁଥିବା ଗହମ।
କୋଭିଡ୍ ସମୟରେ ଲୋକମାନଙ୍କର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବାରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଏହି ଦ୍ବିତୀୟ ଯୋଜନାର ଅବଧିକୁ ଷଷ୍ଠ ଥର ପାଇଁ ସମ୍ପ୍ରସାରିତ କରାଯାଇ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ତାହାକୁ ବଳବତ୍ତର ରଖାଯାଇଛି। ସେପ୍ଟେମ୍ବର ଶେଷରେ କିନ୍ତୁ ଏହାକୁ ଯେ ହଠାତ୍ ବନ୍ଦ କରିଦିଆଯିବ, ତାହା ବିଶ୍ବାସଯୋଗ୍ୟ ମନେ ହୁଏ ନାହିଁ। ଯେହେତୁ ଖାଦ୍ୟ ନିରାପତ୍ତା ଭଳି ଜନସାଧାରଣଙ୍କର ଏକ ମୌଳିକ ଅଧିକାର ଓ ଆବଶ୍ୟକତା ଏଥି ସହିତ ଜଡ଼ିତ, ମନେହୁଏ ହିତାଧିକାରୀମାନଙ୍କୁ ପ୍ରଦାନ କରାଯାଉଥିବା ଗହମ ପରିମାଣରେ କ୍ରମଶଃ ହ୍ରାସ ଘଟାଯାଇ ଧୀରେ ଧୀରେ ଏହି ଯୋଜନାର ଅନ୍ତ ଘଟାଯିବ। ତା’ହେଲେ ଏହି କାରଣରୁ ଗହମ ଚାହିଦା ଆଉ କିଛି ଦିନ ଧରି ବେଶ୍ ଉଚ୍ଚା ରହିଚାଲିବ।
ତେବେ ମନେ ରଖିବା ଉଚିତ ଯେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଖାଦ୍ୟ ନିରାପତ୍ତା ଚାହିଦା ପୂରଣ ପାଇଁ ହିଁ ସରକାର ଏଭଳି ଯୋଜନାମାନ କାର୍ଯ୍ୟକାରୀ କରିଛନ୍ତି। ନିକଟରେ ପ୍ରକାଶିତ ପୃଥିବୀର ଖାଦ୍ୟ ନିରାପତ୍ତା ସମ୍ପର୍କିତ ଏକ ରିପୋର୍ଟ, ‘ଦି ଷ୍ଟେଟ୍ ଅଫ୍ ଫୁଡ୍ ସିକ୍ୟୁରିଟି ଆଣ୍ତ୍ ନିଉଟ୍ରିସନ୍ ଇନ୍ ଦି ଵର୍ଲ୍ଡ’ ଅନୁସାରେ ୨୦୧୯-୨୧ ମଧୢରେ ଭାରତର ଲୋକସ˚ଖ୍ୟାର ୪୦.୬ ଶତା˚ଶ ଏକ ମଧୢମ ଧରଣର ବା ତୀବ୍ର ଖାଦ୍ୟ ନିରାପତ୍ତାହୀନତାର ଶିକାର ହୋଇଥିଲେ। ଚିନ୍ତାଜନକ ଭାବରେ ୨୦୧୮-୨୦ ମଧୢରେ ତୀବ୍ର ଖାଦ୍ୟ ନିରାପତ୍ତାହୀନତାର ସମ୍ମୁଖୀନ ହୋଇଥିବା ଲୋକମାନଙ୍କର ଅନୁପାତ ୨୦.୩ ଶତା˚ଶ ଥିବା ବେଳେ, ୨୦୧୯-୨୧ରେ ତାହା ୨ ଶତା˚ଶ ବୃଦ୍ଧି ପାଇ ହୋଇଥିଲା ୨୨.୩ ଶତା˚ଶ। ସାରା ପୃଥିବୀ ପାଇଁ ହାରାହାରି ଅନୁପାତ ୧୦.୭ ଶତା˚ଶର ଏହା ହେଉଛି ଦୁଇ ଗୁଣରୁ ଅଧିକ। ପୃଥିବୀର ମୋଟ ବୁଭୁକ୍ଷୁ ଓ ପୁଷ୍ଟିହୀନ ମାନଙ୍କ ମଧୢରୁ ପ୍ରାୟ ଏକ-ତୃତୀୟା˚ଶରୁ ଅଧିକ ଭାରତରେ ଅଛନ୍ତି ବୋଲି ଏହି ରିପୋର୍ଟରୁ ଉପଲବ୍ଧ ସୂଚନା ଏ କ୍ଷେତ୍ରରେ କୌଣସି ଶିଥିଳତା ପ୍ରଦର୍ଶନ ପାଇଁ ସୁଯୋଗ ରଖିନଥାଏ। ଏହି ବର୍ଗର ଭାରତୀୟମାନଙ୍କ କ୍ଷୁଧା ନିବାରଣ କରିବା ହେଉଛି ସରକାରଙ୍କର ଏକ ମୌଳିକ ଦାୟିତ୍ବ।
ନିମ୍ନ ଆୟ ବର୍ଗର ଭାରତୀୟମାନଙ୍କର ଖାଦ୍ୟ ଚାହିଦା ଯଦି ଏଇଭଳି ଏକ ରୂପ ନେଇଥାଏ, ଅପେକ୍ଷାକୃତ ସ୍ବଚ୍ଛଳ ବର୍ଗର ଭାରତୀୟମାନେ ଏକ ଭିନ୍ନ କିସମର ଖାଦ୍ୟ ଚାହିଦା ପ୍ରଦର୍ଶନ କରିବା ଦେଖାଯାଉଛି। ସେମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବା ସଙ୍ଗେ ସଙ୍ଗେ ସେମାନେ ଯଅ, ବାଜରା, ମାଣ୍ତିଆ ଭଳି ସ୍ଥୂଳ ବା ନିକୃଷ୍ଟ ଶସ୍ୟ ବ୍ୟବହାର ପରିତ୍ୟାଗ କରି ଚାଉଳ, ଗହମ ଭଳି ସୂକ୍ଷ୍ମ ବା ଉତ୍କୃଷ୍ଟ ଶସ୍ୟ ଆହାର ଦିଗରେ ନିଜର ପସନ୍ଦକୁ ବଦଳାଇ ଦେଇଥାନ୍ତି (ଅର୍ଥଶାସ୍ତ୍ରର ଛାତ୍ରମାନେ ଏହାକୁ ‘ଗିଫେନ୍ଙ୍କ ବିଡ଼ମ୍ବନା’ ରୂପେ ଜାଣନ୍ତି)। ଆୟ ବୃଦ୍ଧି ସହିତ ତାଳ ଦେଇ ଦେଶରେ ମା˚ସ, ଅଣ୍ତା, ଦୁଧ, ଛେନା ଆଦି ଖାଦ୍ୟ ଦ୍ରବ୍ୟର ବ୍ୟବହାରରେ ମଧୢ ବୃଦ୍ଧି ଦେଖା ଦେବାରେ ଲାଗିଛି। ଏହା ହେଉଛି ଖାଦ୍ୟ ଶସ୍ୟର ପରୋକ୍ଷ ବ୍ୟବହାର; କାରଣ ଗାଈ, କୁକୁଡ଼ା ଆଦି ପ୍ରାଣୀମାନେ ଦାନା ଆବଶ୍ୟକ କରିଥାନ୍ତି, ଯାହା ଶସ୍ୟଭିତ୍ତିକ ହୋଇଥାଏ। ଗହମ, ମକା, ସୋୟାବିନ୍ ଆଦି ଏହି ଦାନା ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ ଏବ˚ ପ୍ରତ୍ୟକ୍ଷ ଆହାର ରୂପେ ବ୍ୟବହାର ପାଇଁ ଯେତିକି ପରିମାଣର ଶସ୍ୟ ଆବଶ୍ୟକ ହୋଇଥାଏ, ଏହି ପରୋକ୍ଷ ବ୍ୟବହାର ପାଇଁ ତା’ଠାରୁ ବହୁ ଗୁଣ ଅଧିକ ପରିମାଣର ଶସ୍ୟ ଆବଶ୍ୟକ ହୋଇଥାଏ। ଏଥିସହିତ ତାଳ ଦେଇ ଦେଶର ସହରାଞ୍ଚଳରେ ବାସିନ୍ଦାମାନଙ୍କର ବଜାର ଖାଦ୍ୟ ଖାଇବା ଅଭ୍ୟାସରେ ବିସ୍ଫୋରକ ବୃଦ୍ଧି ଘଟିବା ପରିଲକ୍ଷିତ ହୋଇଥାଏ, ଯାହା ଖାଦ୍ୟ ଚାହିଦା ପାର୍ଶ୍ବରେ ଏକ ନୂତନ ଚାପ ସୃଷ୍ଟି କରୁଛି।
ବର୍ତ୍ତମାନର ଏହି ସାମଗ୍ରିକ ଚିତ୍ର ଉପରେ ଯଦି ଏକ ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ଯାହା ଦୃଷ୍ଟିଗୋଚର ହୁଏ ତାହା ହେଲା ଦେଶରେ ଖାଦ୍ୟ ନିରାପତ୍ତାଜନିତ ଚାହିଦାରୁ ଆରମ୍ଭ କରି, ଖାଦ୍ୟାଭ୍ୟାସରେ ପରିବର୍ତ୍ତନଜନିତ ଚାହିଦା, ତଥା ସମୃଦ୍ଧି ସହିତ ସମ୍ପୃକ୍ତ ନୂତନ ଚାହିଦା ଆଦିର ମିଳିତ ପ୍ରଭାବରେ ଏବେ ଆମ ଦେଶର ଘରୋଇ ଖାଦ୍ୟଶସ୍ୟ ଚାହିଦାରେ ଯେଉଁ ବୃଦ୍ଧି ଘଟିବା ଅନିବାର୍ଯ୍ୟ, ସମ୍ପ୍ରତି ଘରୋଇ ଉତ୍ପାଦନ ଦ୍ବାରା ତାହା ବୋଧହୁଏ ପୂରଣ ହୋଇପାରିବ ନାହିଁ। ସବୁଜ ବିପ୍ଳବ ପରେ ଭାରତ ଖାଦ୍ୟଶସ୍ୟ ଉତ୍ପାଦନରେ ସ୍ବାବଲମ୍ବୀ ହୋଇ ଏତେ ଦିନ ଧରି ଯେଉଁ ନିଶ୍ଚିନ୍ତ ହୋଇଯାଇଥିଲା, ବୋଧହୁଏ ସାମୟିକ ଭାବରେ ସେଥିରେ ଏକ ବିରତି ଦେଖା ଦେବାକୁ ଯାଉଛି।
ଇତି ମଧୢରେ ଅବଶ୍ୟ ଭାରତର ଅର୍ଥନୈତିକ ଶକ୍ତିରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ତେଣୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଯଦି ଆବଶ୍ୟକ ହୁଏ, ଭାରତ ପାଖରେ ବିଦେଶରୁ ଖାଦ୍ୟଶସ୍ୟ ଆମଦାନି କରିବା ପାଇଁ ଯଥେଷ୍ଟ ସମ୍ବଳ ଉପଲବ୍ଧ ଅଛି। ଅବଶ୍ୟ ଗତ କାଲି ପୃଥିବୀକୁ ଖାଦ୍ୟ ଯୋଗାଇ ଅନ୍ନଦାତା ସାଜିବାକୁ ବସିଥିବା ଭାରତ ଆଜି ଖାଦ୍ୟଶସ୍ୟ ଆମଦାନି କରି ଅନ୍ନ ଗ୍ରହୀତାରେ ପରିଣତ ହେବା ଏକ ନିଷ୍ଠୁର ବିଡ଼ମ୍ବନା ପରି ବୋଧ ହୋଇପାରେ, କିନ୍ତୁ ସାମୟିକ ଆମଦାନି ଦ୍ବାରା ଦେଶର ଖାଦ୍ୟ ନିରାପତ୍ତା ସୁଦୃଢ଼ କରିବାରେ ବିବ୍ରତ ହେବାର କିିମ୍ବା ଲଜ୍ଜିତ ହେବାର କିଛି ନାହିଁ।