ନିରବତାର ରାଜନୀତି, ରାଜନୀତିର ନିରବତା

କୁମାର ପ୍ରଶାନ୍ତ

ବିହାର ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରରେ। ଦିଲ୍ଲୀରେ ବିହାରକୁ ଗଭୀର ସନ୍ଦେହ ନଜରରେ ଦେଖାଯାଉଛି; ଆଉ ସେହି ଦିଲ୍ଲୀରେ ଏଇ ବିହାରକୁ ସମ୍ଭାବନାର ସତର୍କ ନଜରରେ ମଧ୍ୟ ଦେଖାଯାଉଛି। ବିହାର ଯେବେ ବି ଦିଲ୍ଲୀର ଚର୍ଚ୍ଚାର କେନ୍ଦ୍ର ପାଲଟୁଛି, ବିପଦର ଏକ ଢାଞ୍ଚା ପ୍ରସ୍ତୁତ ହୋଇଯାଉଛି। ନୀତୀଶ-ତେଜସ୍ବୀଙ୍କ ସମୀକରଣ ସେହିପରି ଏକ ଢାଞ୍ଚା ଗଢ଼ି ଦେଇଛି। ଏବେ କ’ଣ ଆମ ରାଜନୀତି ନୂଆ ମୋଡ଼ ନେବାକୁ ଯାଉଛି?

ଖୋଜୁଥିବା ଲୋକ ଏହି ସମୀକରଣରେ ସବୁ ପ୍ରକାର ଅର୍ଥ ଖୋଜୁଛି, ଯାହା ସେଥିରେ ନାହିଁ। ପ୍ରକୃତରେ ଏଠାରେ କୌଣସି ଅର୍ଥ ଖୋଜିବା ହିଁ ବ୍ୟର୍ଥ। ଅର୍ଥହୀନ ରାଜନୈତିକ ପରିବେଶରେ ଅର୍ଥ ଖୋଜିବା କାମ ତ କୌଣସି ମୂର୍ଖ କରିପାରେ କିମ୍ବା ତାହା କୌଣସି ଉଦ୍ଭଟ ଜ୍ଞାନୀର କାମ। ସ୍ବାଭାବିକ ଭାବରେ ଆମେ ଏହି ଦୁଇ ଶ୍ରେଣୀରେ ଆସୁନାହୁଁ। ମାତ୍ର ଅର୍ଥବାନ ରାଜନୀତିର ପୁରୋଧା ଲୋକନାୟକ ଜୟପ୍ରକାଶ ନାରାୟଣ ଏକଦା ଏହି ରାଜନୀତି ଉଦ୍ଦେଶ୍ୟରେ କହିଥିଲେ: ଏଇ ରାଜନୀତିର ତ ପତନ ହୋଇଚାଲିଛି; ଆହୁରି ବି ପତନ ଘଟିବ; ଭାଙ୍ଗିବ-ଫାଟିବ, ଛିନ୍ନଭିନ୍ନ ହୋଇଯିବ; ଆଉ ତାହାର ଭଗ୍ନାବଶେଷରୁ ଏକ ନୂଆ ରାଜନୀତିର ଉଦୟ ହେବ, ଯାହା ପ୍ରକୃତରେ ରାଜନୀତି ନ ହୋଇ ଲୋକନୀତି ହେବ। ତା’ହେଲେ ଦିଲ୍ଲୀରୁ ପାଟନା ଯାଏ ଯେପରି ରାଜନୀତିର ରାଷ୍ଟ୍ରୀୟ ପତନ ହେଲା, ତା’ପରେ ବିହାରରେ କ’ଣ କୌଣସି ଲୋକନୀତିର ଅନ୍ବେଷଣ କରାଯାଇପାରିବ? ନା, ସେଥିରେ କୌଣସି ଲୋକନୀତିର ସମ୍ଭାବନା ନାହିଁ। ତଥାପି ତାହାକୁ ଶୁଦ୍ଧ ରାଜନୈତିକ ଚତୁରତା ବୋଲି ବୁଝିବା, ନ ବୁଝିଲା ସହିତ ସମାନ ହେବ।

ପ୍ରତ୍ୟେକ କ୍ଷମତାଧାରୀର ମୁଖ୍ୟ ପ୍ରେରଣା ନିଜ କ୍ଷମତାର ସଂରକ୍ଷଣ ହିଁ ହୋଇଥାଏ ଏବଂ ପ୍ରତ୍ୟେକ ରାଜନୀତିଜ୍ଞ ନିଜ ଠାରୁ ଉପରେ ଥିବା ପଦବିର ଆକାଂକ୍ଷୀ ହୋଇଥାଏ। ଆପଣଙ୍କ ଠାରେ ଏହି ଦୁଇଟି ଯାକ ପ୍ରବୃତ୍ତି ନଥିଲେ, ଏହି ଖେଳରେ ଆପଣ ରହିବା ଉଚିତ ନୁହେଁ। ତେଣୁ ନୀତୀଶ କୁମାର ନିଜ ଆସନ ବଞ୍ଚାଇବା ପାଇଁ ଏପରି କଲେ କିମ୍ବା ସେ ରାଷ୍ଟ୍ରୀୟ ମହତ୍ତ୍ବାକାଂକ୍ଷା ରଖିଥିବାର ରହସ୍ୟ ଖୋଲିଦେଲେ ବୋଲି ଯେଉଁମାନେ ଆରୋପ ଲଗାଉଛନ୍ତି, ସେମାନେ ଫଟା ଢୋଲ ପିଟିବାର ବ୍ୟର୍ଥ ଚେଷ୍ଟା କରୁଛନ୍ତି। ସେମାନେ କ’ଣ ଏକଥା କହିବାକୁ ଚାହୁଛନ୍ତି କି ନୀତୀଶଙ୍କୁ କ୍ଷମତା ରାଜନୀତିରେ ଉଦ୍ଧବ ଠାକରେ ହୋଇ ରହିବାର ଥିଲା କି ଯିଏ ଗାଦିରେ ବସି ରହି ତାଙ୍କ ସାରା କ୍ଷେତକୁ ଆଉ କିଏ ଚରିଯାଉଥିବା ଦେଖୁଥିଲେ? ସେ କଥା ଯଦି ନୁହେଁ, ନୀତୀଶଙ୍କୁ ଶ୍ରେୟ ଦେବାର ଅଛି ଯେ ଅଳ୍ପମତରେ ନିଜେ ସରକାର ଚଳାଇ ସେ ଏପରି ସଜାଗ ଥିଲେ କି ତାଙ୍କ କ୍ଷେତରେ ଆଉ କିଏ ଚରିବାର ପ୍ରୟାସ କରିବା ପୂର୍ବରୁ ସେ ଫସଲ କାଟି ପକାଇଲେ। ଭାରତୀୟ ଜନତା ପାର୍ଟିର ଦୁଃଖ ଏଇଆ ଯେ ସେମାନେ କାଟିବା ଆଗରୁ ନୀତୀଶ କେମିତି ଫସଲ କାଟିନେଲେ? ନିଜର ଯାବତୀୟ ରାଜନୈତିକ ଅନୈତିକତା ଓ ବେଇମାନିକୁ ସଫଳ ରଣନୀତି ବୋଲି ଘୋଷିତ କରୁଥିବା ଦଳ ଏବେ ଭୀଷଣ ମର୍ମାହତ କି ତାଙ୍କରି ଏହି ଖେଳରେ ଅନ୍ୟ କିଏ କେମିତି ବାଜି ମାରିନେଲେ।

ବିଫଳତାର ନାନୁତପ୍ତ କ୍ରୋଧରେ ଏହା ବି କୁହାଯାଇପାରେ କି ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାର ଆକାଂକ୍ଷା ରଖିଛନ୍ତି; ଏପରିକି ସିଏ ତ ଉପରାଷ୍ଟ୍ରପତି ହେବାକୁ ଚାହୁଥିଲେ ବୋଲି ସୁଶୀଲ (ସାନ) ମୋଦୀ କଟାକ୍ଷ କରିଥିଲେ। ତେବେ କ’ଣ ସାନ ମୋଦୀ ରାଷ୍ଟ୍ରୀୟ ମହତ୍ତ୍ବାକାଂକ୍ଷା ବିନା ପାଟନାରୁ ଦିଲ୍ଲୀ ଯାତ୍ରା କରିଥିଲେ? ମହତ୍ତ୍ବାକାଂକ୍ଷା ପୂରଣ ହେଲା କି ନ ହେଲା ତାହା ଅଲଗା କଥା, ତେବେ ସେଥିପାଇଁ ତାଙ୍କର ବି ତ ସେହି ସମାନ ଦୌଡ଼! ମନେ ପକେଇଲେ ଏକଥା ମଧ୍ୟ ମନେ ପଡ଼ିବ ଯେ ବଡ଼ ମୋଦୀ ତ ଗୁଜରାଟର ମୁଖ୍ୟମନ୍ତ୍ରୀ ରହି ଗାନ୍ଧୀନଗରରେ ଏକ ନକଲି ଲାଲକିଲ୍ଲା ବନାଇଥିଲେ ଏବଂ ସ୍ବତନ୍ତ୍ରତା ଦିବସରେ ସେହି ନକଲି ଲାଲକିଲ୍ଲାର ନକଲି ପ୍ରାଚୀରରୁ ରାଜ୍ୟକୁ ଓ ରାଷ୍ଟ୍ରକୁ ନକଲି ପ୍ରଧାନମନ୍ତ୍ରୀ ରୂପରେ ସମ୍ବୋଧିତ କରି ନିଜର ବ୍ୟର୍ଥତା ଓ ମହତ୍ତ୍ବାକାଂକ୍ଷାର ଘୋଷଣା କରିଥିଲେ। ସେତେବେଳେ ଭାରତୀୟ ଜନତା ପାର୍ଟିରେ ଭର୍ତ୍ସନାର କୌଣସି ଶବ୍ଦ ଉଠିନଥିଲା, ବରଂ ପରେ ସାରା ଦଳ ନକଲି ପ୍ରଧାନମନ୍ତ୍ରୀଙ୍କ ପାଖରେ ନତମସ୍ତକ ହୋଇଯିବାଟା ଆମେ ଦେଖିଛୁ- ଯେଉଁମାନଙ୍କର କେବେ ମଥାନତ ହୋଇନଥିଲା, ସେମାନେ ବି ଭୂଲୁଣ୍ଠିତ ଦେଖାଯାଉଥିଲେ। ନୀତୀଶ କୁମାର ଲଗାତାର କହି ଚାଲିଛନ୍ତି, ତାଙ୍କର କିଛି ହେବାର ମହତ୍ତ୍ବାକାଂକ୍ଷା ନାହିଁ। ଆମେ ମଧ୍ୟ ଇଚ୍ଛା କଲେ କହିପାରିବା କି ସେ ତାଙ୍କ ମହତ୍ତ୍ବାକାଂକ୍ଷାକୁ ଲୁଚାଇ ରଖିଛନ୍ତି, ମାତ୍ର ଏପରି ମହତ୍ତ୍ବାକାଂକ୍ଷା ରଖିବାଟା ଅନୈତିକ ବୋଲି କିଏ କ’ଣ କହିପାରିବ? ମହତ୍ତ୍ବାକାଂକ୍ଷାର ଏପରି ଇନ୍ଧନରେ ତ ରାଜନୀତି ଚାଲିଛି।

ନୀତୀଶ-ତେଜସ୍ବୀ ଯାହା କଲେ, ତାହାର ଏକ ସୁପରିଣାମ ରହିଛି। ତାହା ହେବା ଦରକାର ଏବଂ ସମ୍ଭବତଃ ହେବ ମଧ୍ୟ। ଏହାଦ୍ବାରା ସାମ୍ପ୍ରତିକ ରାଜନୀତିର ନିରବତା ଭଙ୍ଗ ହେବ। ନରେନ୍ଦ୍ର ମୋଦୀଙ୍କ ରାଜନୀତି ହେଉଛି ଲଗାତାର ନିରବତା ସୃଷ୍ଟି କରିବାର ରାଜନୀତି ଏବଂ ନିରବତା ଆଢୁଆଳରେ ମନମାନି କରିବାର ରାଜନୀତି। ସେଥିପାଇଁ ତାଙ୍କୁ ବିରୋଧୀ ପସନ୍ଦ ଆସନ୍ତି ନାହିଁ, ଅସହମତିକୁ ମଧ୍ୟ ସେ ଶୁଣନ୍ତି ନାହିଁ। ତାଙ୍କର ଘୋଷଣା ହେଉଛି, ସେ ବିରୋଧୀମୁକ୍ତ ଭାରତ ଗଢ଼ିବେ। ତାଙ୍କର ପଦାତିକ ବାହିନୀ ଦେଶ ସାରା ଘୂରି ଘୂରି ଏହି କଥା ଶୁଣାଇ ଚାଲିଛନ୍ତି। ବିହାରରେ ପହଞ୍ଚି ନଡ୍ଡା ସାହେବ ଏହି ବାର୍ତ୍ତାକୁ ଏପରି ଶୁଣାଇଲେ ଯେ କଥା ବିଗିଡ଼ିଗଲା ଏବଂ ବିହାର ପରିବର୍ତ୍ତନ ଛିଡ଼ା କରିଦେଲା। ନଡ୍ଡା ସାହେବ ଯୋଉଠି ଅସଫଳ ହେଲେ, ନୀତୀଶ-ତେଜସ୍ବୀ ସେଇଠି ଅବ୍ୟର୍ଥ ହୋଇ ବାହାରିଲେ।

ଏବେ ବିହାର ସଫା ସଫା ଦୁଇଟି କଥା କହୁଛି। ପ୍ରଥମ କଥା ହେଲା, ନୀତୀଶ-ତେଜସ୍ବୀ ମେଣ୍ଟ ରାତାରାତି ଗଢ଼ାହୋଇନି। ତାହାର ଲମ୍ବା ତଥା କମନୀୟ ପ୍ରକ୍ରିୟା ଚାଲୁ ରହିଥିଲା ଏବଂ ସବୁ କିଛି ଚୂଡ଼ାନ୍ତ ହେଲା ପରେ ବିଜେପିର ପାଦ ତଳୁ ମାଟି ଖସିବାକୁ ଲାଗିଲା। ଉଦ୍ଦେଶ୍ୟ ସ୍ପଷ୍ଟ ଯେ ଏହି ମେଣ୍ଟ ଯେତେବେଳ ଯାଏ ଜାରି ରହିଥିବ, ବିଜେପି ପାଇଁ ଶସ୍ତାସୁନ୍ଦର ତଥା ଦୀର୍ଘସ୍ଥାୟୀ ମେଣ୍ଟ କରିବା କଷ୍ଟକର ହେବ। ଦ୍ବିତୀୟ କଥାଟି ନୀତୀଶ କୁମାର କହିଛନ୍ତି ଯାହା ଭବିଷ୍ୟତର ଚିତ୍ର ଦେଖାଇଛି: ‘ଯିଏ ୨୦୧୪ରେ ଆସିଥିଲା, ସେ ୨୦୨୪ରେ ରହିପାରିବ କି?’ଏହି ସ୍ବର ପ୍ରଥମ ଥର ଉଠିଛି। ୨୦୧୪ରେ ଦିଲ୍ଲୀ ପହଞ୍ଚିବା ପରେ ‘ଆମେ ତ ଏଇଠୁ ଯିବୁ ହିଁ ନାହିଁ’, ‘ଆମେ ତ ଆଗାମୀ ୨୦-୩୦ ବର୍ଷ ଯାଏ ଶାସନ କରିବୁ’ ସନ୍ଦେଶର ଏମିତି ଧୂଳି ଉଡ଼ିଲା ଯେ ବିରୋଧୀମାନେ ସେମାନଙ୍କ ଯିବା କଥା କହିବାକୁ ଭୁଲିଯାଇଥିଲେ। ନୀତୀଶ ସେହି କଥାକୁ ପୁଣି ଥରେ ଜୀବନ୍ତ କରିଦେଇଛନ୍ତି।

ରାହୁଲ ଗାନ୍ଧୀଙ୍କ ସମେତ ଅଶୋକ ଗେହଲଟ ଓ ଭୂପେଶ ବଘେଲ ବି କହିଆସିଛନ୍ତି, ମାତ୍ର ସେମାନଙ୍କ ସ୍ବରରେ ଏ ପ୍ରକାର ଧ୍ବନି ନଥିଲା ଯାହା ଏବେ ବିହାରରେ ଜନ୍ମ ନେଇଛି; ଏବଂ ଯାହାର ପ୍ରତିଧ୍ବନି ସାରା ଦେଶରେ ଶୁଣିବାକୁ ମିଳିଛି। ଏହି ଧ୍ବନି ମୋଦୀ-ଶାହଙ୍କ ବାଜିରେ ସେମାନଙ୍କୁ ହିଁ ପରାସ୍ତ କରିବାର ଗୁଞ୍ଜରଣ ମାତ୍ର ନୁହେଁ, ବରଂ ତାହା ହେଉଛି ଦୀର୍ଘ ନିରବତା ଭାଙ୍ଗିବାର ଧ୍ବନି। ନୀତୀଶ ଯେବେ ବିଜେପି ସହିତ ଥିଲେ, ତେଜସ୍ବୀ ଏବେ ସେହି ସମୟଖଣ୍ଡ କଥା କହୁନାହାନ୍ତି। ୨୦୧୪ ପୂର୍ବର ଭାରତକୁ ମୋଦୀ ଯେପରି ନିଶ୍ଚିହ୍ନ କରି କେବଳ ନିଜ କଥା ହିଁ କହିଚାଲିଛନ୍ତି, ଅନୁରୂପ ଭାବେ ବିହାରରେ ସେହି କାଳଖଣ୍ଡକୁ ଆଲୋଚନାରୁ ନିଶ୍ଚିହ୍ନ କରାଯାଉଛି।

ଏହା ବିହାର ପାଇଁ ଏବଂ ଦେଶର ବିରୋଧୀ ରାଜନୀତି ପାଇଁ ମଧ୍ୟ ଖୁବ୍‌ ଜରୁରୀ। ନିରବତାର ରାଜନୀତି ସେତେବେଳେ ଭାଙ୍ଗିଯିବ, ଯେତେବେଳେ ରଚନାତ୍ମକ ସ୍ବର ଜନ୍ମ ନେବ। ରକ୍ଷାତ୍ମକ ତଥା ବେସୁରା ହୋଇପଡ଼ିଥିବା ବିରୋଧୀ କେବେ ଭାରତୀୟ ଜନତା ପାର୍ଟିର କ୍ଷମତାଜନିତ ଶକ୍ତି ଓ ଧନବଳ ଆଗରେ ଛିଡ଼ା ହୋଇପାରିବ ନାହିଁ। ତା’ଠାରୁ ବୃହତ୍ତର ସଂଗଠନ, ଖାପଖାଇଲା ପରି ରଣନୀତି ଏବଂ ସଶସ୍ତ୍ର ନେତୃତ୍ବର ତ୍ରିଭୁଜ ଛିଡ଼ା କରାଇବାକୁ ହେବ। ତାହା ବଳରେ ହିଁ ରାଜନୀତିର ନିରବତା ଭଙ୍ଗ ହେବ। ବିହାରରେ ନୀତୀଶ-ତେଜସ୍ବୀ ହେଉଛନ୍ତି ଏହି ଶୁଭାରମ୍ଭର ପ୍ରତୀକ। ସେଥିପାଇଁ ଦେଶ ଏହି ପରିବର୍ତ୍ତନକୁ ସ୍ବାଗତ କରୁଛି, ମାତ୍ର ନୀତୀଶ-ତେଜସ୍ବୀ ଏକଥା କେବେ ଭୁଲିବା ଉଚିତ ନୁହେଁ ଯେ ଦେଶ ତେଜହୀନ ପ୍ରତୀକମାନଙ୍କ ପଛରେ ନୁହେଁ, ଜୀବନ୍ତ ତଥା ପ୍ରଖର ପ୍ରତୀକମାନଙ୍କ ପଛରେ ଚାଲିଥାଏ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସମ୍ବନ୍ଧିତ ଖବର