ଆମ ମଧ୍ୟରେ ସିଦ୍ଧାର୍ଥ

ହେତୁ ଜ୍ଞାନ - ଗଙ୍ଗାଧର ସାହୁ

ସିଦ୍ଧାର୍ଥ ବା ଗୌତମ ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ପିତା ଶୁଦ୍ଧୋଦନ ସିଦ୍ଧାର୍ଥଙ୍କୁ ରାଜ ଉତ୍ତରାଧିକାରୀ ଭାବେ ପାଇ ବହୁତ ଖୁସି ଥିଲେ। ମାତା ମାୟାଦେବୀ ରାଜକୁମାରଙ୍କୁ ନେଇ ସ୍ୱପ୍ନର ରାଇଜରେ ଭ୍ରମଣ କରିବାକୁ ଲାଗିଥିଲେ। କିନ୍ତୁ କିଛି ଦିନ ପରେ କିଛି ପଣ୍ଡିତ ରାଜପ୍ରସାଦକୁ ଆସି ରାଜକୁମାରଙ୍କ ଭବିଷ୍ୟବାଣୀ ଶୁଣାଇ କହିଲେ- ମହାରାଜ ଆପଣଙ୍କ ପୁତ୍ର ରାଜକୁମାର ସିଦ୍ଧାର୍ଥ ରାଜ କାର୍ଯ୍ୟ କରିବେ ନାହିଁ। ଭୋଗୀ ନ ହୋଇ ଯୋଗୀ ହେବେ।

ରାଜା ନ ହୋଇ ସନ୍ନ୍ୟାସୀ ହେବେ। ରାଜା ଏହାକୁ ଭୁଲ୍‌ ପ୍ରମାଣିତ କରିବାକୁ ସିଦ୍ଧାର୍ଥଙ୍କୁ ଷୋହଳ ବର୍ଷରେ ସୁନ୍ଦରୀ ଯଶୋଧାରାଙ୍କ ସହିତ ବିବାହ କରାଇ ସଂସାର, ମୋହ, ମାୟା, ପ୍ରେମ ଭିତରେ ବାନ୍ଧି ଦେବାକୁ ଚେଷ୍ଟା କଲେ। ପୁଣି ରାଜକୁମାର ଓ ରାଜକୁମାରୀ କିପରି ଆଳସ୍ୟ ଓ ବିଳାସବ୍ୟସନରେ ଜୀବନ ବିତାଇବେ, ସେଥିପାଇଁ ତିନି ଋତୁକୁ ଆଖିରେ ରଖି ତିନି ରାଜପ୍ରାସାଦ ନିର୍ମାଣ କଲେ ଓ ବାହ୍ୟ ଦୁନିଆର କୌଣସି ପ୍ରଭାବ ଯେମିତି ନ ପଡ଼ିବ, ସେ ପ୍ରକାର ବ୍ୟବସ୍ଥା କଲେ। କିନ୍ତୁ, ସିଦ୍ଧାର୍ଥ ବାହାରକୁ ଯିବାକୁ ଛଟପଟ ହେଲେ। ରାଜପ୍ରାସାଦରୁ ବାହାରି ସେ ଯାହା ଦେଖିଲେ, ତାହା ଥିଲା ଏକ ଓଲଟା ଜୀବନ: ଭିତରେ ବିଳାସ ବାହାରେ ବେଦନା, ଭିତରେ ପ୍ରାଚୁର୍ଯ୍ୟ ବାହାରେ ଦାରିଦ୍ର୍ୟ, ଭିତରେ ଉନ୍ମାଦନା ବାହାରେ ବିଷାଦ, ଭିତରେ ରାହୁଳର ଶିଶୁ ସୁଲଭ ହସ ଖେଳ ବାହାରେ ବୃଦ୍ଧ ଲୋକର କରୁଣ ସ୍ୱର। ସିଦ୍ଧାର୍ଥ ବାହାରେ ଚାରି ଥର ଭ୍ରମଣ କରି ଚାରି ଘଟଣାର ସାମନା କଲେ। ବ୍ୟାଧି, ବାର୍ଦ୍ଧକ୍ୟ, ବୈରାଗ୍ୟ ଓ ମୃତ୍ୟୁ। ଏହି ଚାରି ଘଟଣାରେ ସେ ଦୁଃଖର କାରଣ ଓ ନିରାକରଣର ମାର୍ଗ ଅନ୍ୱେଷଣ କଲେ।

ତା’ପରେ ସେ ଦୁଃଖର କାରଣ ଓ ନିରାକରଣ ପାଇଁ ରାଜପ୍ରାସାଦ, ରାଜକୁମାରୀ, ରାଜମାତା ଓ ରାଜପୁତ୍ରଙ୍କୁ ତ୍ୟାଗ କରି ହେଲେ ଭିକ୍ଷୁକ। ଅନ୍ୱେଷଣ, ସାଧନା, ଜ୍ଞାନ ପ୍ରାପ୍ତି ଓ ବୁଦ୍ଧତ୍ବ ଲାଭର ଯାତ୍ରା ଥିଲା ବଡ଼ ଦୀର୍ଘ। ବୁଦ୍ଧତ୍ବ ପ୍ରାପ୍ତି ପରେ ସେ ସମାଜକୁ ଜ୍ଞାନ ବିତରଣ କଲେ। ଦୁଃଖର କାରଣ ଓ ନିରାକରଣର ମାର୍ଗ ବିଷୟରେ କହିଲେ।

ଏବେ କଥା ହେଲା ଆମେ ଏ ସବୁ ଜାଣି ମଧ୍ୟ କିଛି ଶିଖିଛେ କି? ଆମେମାନେ ସୁଖୀ କି? ଯଦି କିଛି ଶିଖିଥାନ୍ତେ, ତା ହେଲେ ଆମକୁ ପୁଣି ସେହି ପଥରେ ଯାଇ ପରୀକ୍ଷାନିରୀକ୍ଷା କରିବାର ଆବଶ୍ୟକତା ନ ଥାଆନ୍ତା। କିନ୍ତୁ ବାସ୍ତବତା ଏବେ ବି ସେମିତି ଅଛି। ଏବେ ବି ଆମେ ସମସ୍ତେ ଦୁଃଖୀ। ଏବେ ତା’ ହେଲେ କ’ଣ କରିବା? ଆସନ୍ତୁ, ଥରେ ଗୌତମ ବୁଦ୍ଧ ହେବା। ଏହାର ଅର୍ଥ ସିଦ୍ଧାର୍ଥଙ୍କର ଦର୍ଶନର ଅଂଶକୁ ବ୍ୟବହାରକୁ ଆଣିବା। କେତେଗୁଡ଼ିଏ ବିକଳ୍ପ ମାର୍ଗ ସୃଷ୍ଟି କରିବା।

ଆମ ଜୀବନଟି ବ୍ୟସ୍ତତାବହୁଳ। କିନ୍ତୁ ତା’ ମଧ୍ୟରେ କିଛି ସମୟ ଏକାନ୍ତରେ କାଟି ପାରିବା କି? ସୁଯୋଗ ପାଇଲେ ଥରେ ସମୁଦ୍ର କୂଳରେ ଯାଇ ଏକୁଟିଆ ବସନ୍ତୁ। ଦେଖିବେ, ସମୁଦ୍ରର ବିଶାଳତା, ଉଦାରତା ସମ୍ମୁଖରେ ଆପଣ କେତେ କ୍ଷୁଦ୍ର ଓ ଅକିଂଚନ ସେ ଭାବ ଆପଣଙ୍କ ମନରେ ଉଦୟ ହେବ। ବେଳେ ବେଳେ ଏକୁଟିଆ ଅନ୍ଧକାର ରାତ୍ରିର ଆକାଶକୁ ଦେଖନ୍ତୁ; ଜହ୍ନ ଓ ତାରାର ରୋଶଣିରେ ଆକାଶର ବିସ୍ତୀର୍ଣ୍ଣତାକୁ ଦେଖି ପ୍ରଶ୍ନ କରନ୍ତୁ ଏଭଳି ଅପରିମେୟ ଆକାଶ ଓ ମହାଶୂନ୍ୟ ସମ୍ମୁଖରେ ମୁଁ କିଏ?

ଘଞ୍ଚ ଜଙ୍ଗଲର ନିରବତା ମାପନ୍ତୁ ବା କୌଣସି ବିଶାଳ ପର୍ବତର ପାଦ ଦେଶରେ ଛିଡ଼ା ହୋଇ ନିଜର ଉଚ୍ଚତା କେତେ ତାହା ହେଜନ୍ତୁ; ଦେଖିବେ ଏଭଳି ଉତ୍ତର ଆସିବ ଯାହା ଆପଣଙ୍କ ବ୍ୟସ୍ତତାବହୁଳ ଜୀବନରେ କେଉଁ ସୂତ୍ରରୁ କେବେ ହେଲେ ଆସି ନ ଥିଲା।

ଆମ ଜୀବନର ଅନେକ କ୍ରୂର ବାସ୍ତବ ନାଟକ ଅଭିନୀତ ହୋଇଥାଏ ଡାକ୍ତରଖାନାରେ ଅବା ଜରାଶ୍ରମରେ ଅବା ଶ୍ମଶାନରେ। କେବେ କେବେ ଦରକାର ନ ଥିଲେ ମଧ୍ୟ ସେଭଳି ସ୍ଥାନକୁ ଯାଆନ୍ତୁ। ଡାକ୍ତରଖାନାରେ ରୋଗୀ ଓ ରୋଗୀଙ୍କ ସଂପର୍କୀୟମାନଙ୍କ ଅସହାୟତା ବା ଜରାଶ୍ରମରେ ବୟୋବୃଦ୍ଧମାନଙ୍କ ଚକ୍ଷୁରେ ଜୀବନର ଅର୍ଥହୀନତା ବା ଶ୍ମଶାନରେ ଜୀବନର କ୍ଷଣ ଭଙ୍ଗୁରତା ବିଷୟରେ ସଚେତନ ହୁଅନ୍ତୁ। ହୋଇପାରେ ଆପଣଙ୍କ ଚିନ୍ତା କରିବାର ଶୈଳୀ ଏବଂ ଜୀବନକୁ ଦେଖିବାର ଦୃଷ୍ଟି ବଦଳିଯିବ।

ସତ କଥା ହେଲା ଆମ ପ୍ରତ୍ୟେକଙ୍କ ମଧ୍ୟରେ ସୁପ୍ତ ଭାବେ ଅଛନ୍ତି ସିଦ୍ଧାର୍ଥ ବା ଗୌତମ। ମଞ୍ଜିରୁ ଅଙ୍କୁର ବିକଶିତ ହେବା ପରି ସେ ମଧ୍ୟ ଆମ ସମସ୍ତଙ୍କ ମଧ୍ୟରେ ଜାଗ୍ରତ ହୋଇ ପାରନ୍ତି। ବୁଦ୍ଧତ୍ବ ଲାଭର ସୁଯୋଗ କେବଳ ମନୁଷ୍ୟ ପାଖରେ ହିଁ ବିଦ୍ୟମାନ। ତାହା ହିଁ ମନୁଷ୍ୟ ଅସ୍ତିତ୍ବର ଅଲୌକିକତା।
ମୋ: ୯୪୩୮୪୨୩୫୮୫

ସମ୍ବନ୍ଧିତ ଖବର