ଥରେ ଜଣେ ସଂଗୀତଜ୍ଞ ବିଦେଶ ଯାଇ ସେଠାକାର ରାଜ ଦରବାରରେ ପହଞ୍ଚିଲେ। ତାଙ୍କର ଉଚ୍ଚକୋଟୀର ଗାୟନ ରାଜାଙ୍କୁ ମନ୍ତ୍ରମୁଗ୍‌ଧ କରି ଦେଲା। ରାଜା ତେଣୁ ତାଙ୍କୁ ଆତିଥ୍ୟ ପ୍ରଦାନ କରି କିଛି ଦିନ ରହିଯିବା ଲାଗି ଅନୁରୋଧ କଲେ। ସଂଗୀତଜ୍ଞ ଏଭଳି ହୃଦୟବତ୍ତା‌ ଦେଖି ମନା କରି ନ ପାରି ରହିଲେ।

Advertisment

କିନ୍ତୁ ଦେଖାଗଲା ରାଜା ସଂଗୀତଜ୍ଞଙ୍କ ଦ୍ବାରା ଏତେ ପ୍ରଭାବିତ ହୋଇଛନ୍ତି ଯେ ତାଙ୍କର ଭଲ ମନ୍ଦ ସବୁ ବୁଝୁଛନ୍ତି। ଏପରିକି ସଂଗୀତଜ୍ଞ ଉଦ୍ୟାନରେ ବୁଲୁଥିବା ବେଳେ ରାଜା ତାଙ୍କ ସହିତ ଚାଲୁଥିବା ବେଳେ ତାଙ୍କ ଉପରେ ଛତା ଟେକି ଧରୁଛନ୍ତି।

କିଛି ଦିନ ପରେ ସଂଗୀତଜ୍ଞ ନିଜ ରାଜ୍ୟକୁ ଫେରିଲେ। ରାଜା ତାଙ୍କୁ ଅନେକ ଉପହାର ଦେଇ ଅତି ଦୁଃଖର ସହିତ ମେଲାଣି ଦେଲେ।
ସଂଗୀତଜ୍ଞ ଥିଲେ ନିଜ ରାଜ୍ୟରେ ରାଜ ସଂଗୀତଜ୍ଞ। ସେ ଯେତେବେଳେ ନିଜ ଦେଶର ରାଜାଙ୍କୁ ଏ ସଂପର୍କରେ କହିଲେ, ରାଜା ମୃଦୁ ହସି ଉତ୍ତର ଦେଲେ- ଆରେ ଏହା ତ ଭଲ କଥା। ସେ ଜାଣନ୍ତୁ ଆମ ରାଜ୍ୟରେ କି କି ମହାନ କଳାକାର ଅଛନ୍ତି।

ସଂଗୀତଜ୍ଞ କହିଲେ- କିନ୍ତୁ ତାହା ବଡ଼ କଥା ନୁହେଁ। ମୁଁ କେତେ ମହାନ କଳାକାର ତାହା ଆଦୌ ଗୁରୁତ୍ବପୂର୍ଣ୍ଣ ନୁହେଁ। ସେ ଗୋଟିଏ ରାଜ୍ୟର ରାଜା। ତାଙ୍କର ମୋ ପ୍ରତି ବ୍ୟବହାର ଓ ସମ୍ମାନବୋଧ ଦେଖାଇ ଦେଲା ସେ ନିଜେ କେତେ ମହାନ। ତାଙ୍କ ମହାନତା ଆଗରେ ସବୁ କିଛି ମଳିନ ପଡ଼ିଯାଏ।