ଭାରତ ବ୍ରିେଟନ୍କୁ ସ୍ଥାନଚ୍ୟୁତ କରି ପୃଥିବୀର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା ସମ୍ବାଦ ଏପରି ଏକ ସମୟରେ ପ୍ରକାଶ ପାଇଛି, ଯେଉଁ ସମୟରେ କେବଳ ଅର୍ଥନୈତିକ ଦୌଡ଼ରେ ନୁହେଁ, ରାଜନୈତିକ ଦୌଡ଼ରେ ମଧ୍ୟ ଭାରତ ତା’ର ପୂର୍ବତନ ଔପନିବେଶକ ଶାସକ ଦେଶ ସହିତ ସମ୍ପର୍କକୁ ସମ୍ପୂର୍ଣ୍ଣ ଓଲଟାଇ ଦେବାର ହାତ ପାଆନ୍ତାରେ ପହଞ୍ଚିଥିବା ଏକ ସମ୍ଭାବନା ସୃଷ୍ଟି ହୋଇଥିଲା। ଯଦି ସେପ୍ଟେମ୍ବର ୫ରେ ଜାଠ ଦଳର ସଦସ୍ୟମାନେ ଲିଜ୍ ଟ୍ରସ୍ଙ୍କୁ ସେମାନଙ୍କର ନେତା ରୂପେ ସଂଖ୍ୟାଗରିଷ୍ଠ ସମର୍ଥନ ପ୍ରଦାନ ନ କରି ତାଙ୍କର ପ୍ରତିଦ୍ବନ୍ଦ୍ବୀ ଋଷି ସୁନାକ୍ଙ୍କୁ ବାଛିଥାନ୍ତେ, ତେବେ ଆଜି ଜଣେ ଭାରତୀୟ ମୂଳର ସଗର୍ବରେ ଜନ୍ମାଷ୍ଟମୀ ପାଳନକାରୀ, ଗୋ-ପୂଜନକାରୀ ହିନ୍ଦୁ ବ୍ରିଟେନ୍କୁ ପ୍ରଧାନମନ୍ତ୍ରୀ ରୂପେ ଶାସନ କରୁଥାନ୍ତେ। ତେବେ ଯେଉଁ ବୟସ୍କ ଶ୍ବେତକାୟ ଇଂରେଜ ପୁରୁଷମାନେ ମୁଖ୍ୟତଃ ଜାଠ ଦଳର ସଦସ୍ୟ ପଦ ଦଖଲରେ ଥାନ୍ତି, ସେମାନେ ବର୍ତ୍ତମାନ ପାଇଁ ଇତିହାସର ଚକକୁ ଏପରି ସମ୍ପୂର୍ଣ୍ଣ ଘୂରିବାରୁ ଅଟକାଇ ଦେଇ ନିଜ ଜାତି ଓ ଧର୍ମର ଜଣେ ଶ୍ବେତାଙ୍ଗିନୀଙ୍କୁ ସେ ପଦ ପ୍ରଦାନ କରିଛନ୍ତି।
ଏକବିଂଶ ଶତାବ୍ଦୀର ପ୍ରାୟ ଏକ-ଚତୁର୍ଥାଂଶ ପାର ହେବାକୁ ବସିଥିବା ବେଳେ ଯାଇ ଭାରତ ଭଳି ଏକ ବିଶାଳ ଦେଶର ଅର୍ଥନୀତିର ଆକାର ଯଦି ବ୍ରିଟେନ୍ ଭଳି ଏକ କ୍ଷୁଦ୍ର ଦ୍ବୀପର ଅର୍ଥନୀତିକୁ ଅତିକ୍ରମ କରିବା ପାଇଁ ସମର୍ଥ ହେଉଛି, ତାହାର କାରଣ କ’ଣ ଓ କିଏ, ଏ କଥା କାହାରିକୁ ଅଜଣା ନୁହେଁ। ଆଜିର ଇଂରେଜମାନଙ୍କ ପୂର୍ବ ପୁରୁଷମାନେ ଭାରତୀୟ ଅର୍ଥନୈତିକ ପ୍ରଗତିକୁ ଶ୍ବାସରୁଦ୍ଧ କରିବା ପାଇଁ ଅବଲମ୍ବନ କରିଥିବା ନୀତି ଯୋଗୁଁ ରୁଗ୍ଣ ହୋଇ ପଡ଼ିଥିବା ଭାରତର ଅର୍ଥନୀତିକୁ ଏଇ ସ୍ଥାନରେ ପହଞ୍ଚିବା ପାଇଁ ବ୍ରିଟିସ୍ ଶାସନରୁ ମୁକୁଳିବା ପରେ ଏକ ଶତାବ୍ଦୀର ତିନି ଚଉଠ ସମୟ ଲାଗିଯାଇଛି। ବ୍ରିଟିସ୍ ଔପନିବେଶିକ ଶାସନର ଏହି ନିଷ୍ପେଷଣକାରୀ ନୀତି ଏପରି ସୁବିଦିତ ଯେ ତାହାର ବିଶଦ ଆଲୋଚନା ଏଠାରେ ଅନାବଶ୍ୟକ। ତେବେ ତାହାର ଏକ ନମୁନା ରୂପେ ବ୍ରିଟେନ୍ ତା’ର ନିଜର ବସ୍ତ୍ରଶିଳ୍ପକୁ ସୁରକ୍ଷା ପ୍ରଦାନ ନିମିତ୍ତ କିପରି ଭାରତ-ବିରୋଧୀ ନୀତି ଅବଲମ୍ବନ କରିଥିଲା, ତା’ଉପରେ ଏକ କ୍ଷିପ୍ର ଦୃଷ୍ଟିପାତ କରାଯାଇପାରେ।
ବୋଧହୁଏ ଯେଉଁ ଏକ ପୁସ୍ତକ ବ୍ରିଟେନ୍ର ଏହି ଭାରତ-ବିରୋଧୀ ଆଚରଣ ଉପରେ ସର୍ବାଧିକ ଗବେଷଣାଭିତ୍ତିକ ଆଲୋକପାତ କରିଛି, ତାହା ହେଉଛି ପ୍ରସନ୍ନନ୍ ପାର୍ଥସାରଥୀଙ୍କ ରଚିତ, ‘ହ୍ବାଏ ଇଉରୋପ୍ ଗ୍ରିଉ ରିଚ୍ ଆଣ୍ଡ୍ ଏସିଆ ଡିଡ୍ ନଟ୍’ (‘ଇଉରୋପ କାହିଁକି ଧନୀ ହେଲା ଏବଂ ଏସିଆ ହେଲା ନାହିଁ’)। ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଭାରତୀୟ ବସ୍ତ୍ର ଓ ବିଶେଷ କରି ଛାପା ବସ୍ତ୍ର (ପ୍ରିଣ୍ଟେଡ୍ ଫ୍ୟାବ୍ରିକ୍) ଏବଂ ନୀଳ କାଲିକୋ ବସ୍ତ୍ର ଇଉରୋପୀୟମାନଙ୍କ ମଧ୍ୟରେ ପାଗଳ ପ୍ରାୟ ଲୋକପ୍ରିୟତା ଅର୍ଜନ କରିଥିଲା, ଯାହା ଇଉରୋପକୁ ଅତିକ୍ରମ କରି ସାରା ପୃଥିବୀରେ ବ୍ୟାପି ଯାଇଥିଲା। ଅଷ୍ଟାଦଶ ଶତାବ୍ଦୀର ଆରମ୍ଭ ସମୟରେ ପଶ୍ଚିମ ଆଫ୍ରିକାରେ କ୍ରୀତଦାସ କ୍ରୟ ବିକ୍ରୟରେ ବ୍ରିଟିସ୍ ବଣିକମାନେ ଯେଉଁ ବସ୍ତ୍ର କାରବାର କରୁଥିଲେ, ତାହାର ୮୦ ଶତାଂଶ ଥିଲା ଭାରତରେ ନିର୍ମିତ। ଅଟୋମାନ୍ ରିପୋର୍ଟ ଅନୁସାରେ ସେ ସମୟରେ ଭାରତରୁ ମଧ୍ୟ ପ୍ରାଚ୍ୟକୁ ଯେଉଁ ପରିମାଣର ବସ୍ତ୍ର ରପ୍ତାନି ହେଉଥିଲା, ତାହା ପଶ୍ଚିମ ଆଫ୍ରିକାକୁ ପ୍ରେରିତ ରପ୍ତାନି ଠାରୁ ମଧ୍ୟ ଅଧିକ ଥିଲା।
ଇଉରୋପରେ ବଣିକମାନଙ୍କୁ ଏହା ହୃଦୟଙ୍ଗମ କରିବାକୁ ଡେରି ହେଲା ନାହିଁ େଯ ସେମାନେ ଯଦି ଭାରତୀୟ ବସ୍ତ୍ର ବିରୋଧରେ ଏକ ଜନ ପ୍ରତିିବାଦ ସୃଷ୍ଟି କରାଇପାରନ୍ତି ଏବଂ ଭାରତୀୟ ବସ୍ତ୍ର ନିର୍ମାଣ କୌଶଳ ହାତେଇ ପାରନ୍ତି, ତାହେଲେ ସେମାନେ ଏକ ଅତ୍ୟନ୍ତ ଲାଭଜନକ ଆନ୍ତଃମହାଦେଶୀୟ ବାଣିଜ୍ୟ କାରବାର ପ୍ରତିଷ୍ଠା କରିପାରିବେ। ବ୍ରିଟିସ୍ ପାର୍ଲିଆମେଣ୍ଟ ୧୬୮୫ରେ ଭାରତୀୟ ରଙ୍ଗିନ ଓ ଛାପାବସ୍ତ୍ର ଉପରେ ପ୍ରଥମେ ୨୦ ଶତାଂଶ ହାରରେ ଆମଦାନି ଶୁଳ୍କ ବସାଇବା ପରେ, ୧୬୯୦ରେ ତାହାକୁ ୩୦ ଶତାଂଶକୁ ବୃଦ୍ଧି କରିଦେଲା ଓ ୧୭୦୦ ସାଲ୍ରେ ଆମଦାନିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିଦେଲା। ତା’ ପର ଠାରୁ ଭାରତରୁ କେବଳ ସାଧା ବସ୍ତ୍ର ବ୍ରିଟେନ୍କୁ ଆମଦାନି କରାଯାଇପାରିଲା ଓ ବ୍ରିଟିସ୍ ବସ୍ତ୍ର ପ୍ରସ୍ତୁତକାରୀମାନେ ତାହାକୁ ରଙ୍ଗୀନ୍ ଓ ଛାପା ବସ୍ତ୍ରରେ ପରିବର୍ତ୍ତିତ କରି ବଜାରକୁ ଛାଡ଼ିଲେ। ଏହା ସେମାନଙ୍କ ପାଇଁ ଲାଭଜନକ ହେବା ସଙ୍ଗେ ସଙ୍ଗେ ସେଠାରେ ଏକ ରଙ୍ଗ ଓ ଛାପା ଶିଳ୍ପ ପାଇଁ ଦୃଢ଼ ଭିତ୍ତି ଯୋଗାଇଲା। ଏହି ଧାରାକୁ ଆହୁରି ଆଗେଇ ନେଇ ବ୍ରିଟିସ୍ ପାର୍ଲିଆମେଣ୍ଟ ୧୭୮୭ରେ ସମସ୍ତ ପ୍ରକାର ଭାରତୀୟ ବସ୍ତ୍ର-ରଙ୍ଗୀନ୍ ଓ ସାଧା-ଉପରେ ୧୦୦ ପ୍ରତିଶତ ହାରରେ ଆମଦାନି ଶୁଳ୍କ ଲାଗୁ କରିଦେଲା।
ଏଇଭଳି କୃତ୍ରିମ ଉପାୟରେ ଭାରତୀୟ ପ୍ରତିଯୋଗିତା ଠାରୁ ସୁରକ୍ଷିତ ରହିବା ପରେ ବ୍ରିଟିସ୍ ବସ୍ତ୍ର ଶିଳ୍ପର ଦକ୍ଷତାରେ ଉତ୍ତେରାତ୍ତର ଉନ୍ନତି ଘଟିବା ସମ୍ଭବ ହେଲା। ସେ ସମୟରେ ଲିଭ୍ରପୁଲର କ୍ରୀତଦାସ ବ୍ୟବସାୟୀମାନେ ପଶ୍ଚିମ ଆଫ୍ରିକାରୁ ନିଗ୍ରୋମାନଙ୍କୁ କ୍ରୟ କରିବା ପାଇଁ ସୁନାରୁପା ବଦଳରେ ଲୁଗାପଟା ବ୍ୟବହାର କରିବା ଅଧିକ ଲାଭଜନକ ହେବ ବୋଲି ହୃଦୟଙ୍ଗମ କରି ବସ୍ତ୍ର ଶିଳ୍ପ ପାଇଁ ଯେଉଁ ବିଶାଳ ଚାହିଦା ସୃଷ୍ଟି କଲେ, ତାହା ମଧ୍ୟ ବ୍ରିଟିସ୍ ବସ୍ତ୍ର ଶିଳ୍ପ ପାଇଁ ଏକ ନିଶ୍ଚିତ ବଜାର ଯୋଗାଇ ଦେଲା। (ଏହା ଏକ ବିଡ଼ମ୍ବନା ନୁହେଁ କି, ସେଇ କ୍ରୀତଦାସ ବ୍ୟବସାୟୀମାନଙ୍କର ଉତ୍ତର ପିଢ଼ି ବର୍ତ୍ତମାନ ପୃଥିବୀର ଛାମୁଆ ମାନବାଧିକାର ପ୍ରବକ୍ତା ସାଜିଛନ୍ତି?)
କେବଳ ବସ୍ତ୍ର ଶିଳ୍ପ ନୁହେଁ, ଭାରତୀୟ ଜାହାଜ ନିର୍ମାଣ ଶିଳ୍ପ ମଧ୍ୟ ଅନୁରୂପ ବ୍ରିଟିସ୍ ନୀତିଯୋଗୁଁ କ୍ରମେ ମଉଳି ଯାଇଥିଲା। ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ଭାରତୀୟ ଜାହାଜ ଶିଳ୍ପ ବେଶ୍ ବିକଶିତ ହୋଇଥିବା ଦେଖା ଯାଇଥିଲା। ବ୍ରିଟିସ୍ ପାର୍ଲିଆମେଣ୍ଟ ୧୭୧୫ରେ ଭାରତ ନିର୍ମିତ ଜାହାଜରେ ଆମଦାନି କରାଯାଉଥିବା ସମସ୍ତ ପ୍ରକାର ଦ୍ରବ୍ୟମାନଙ୍କ ଉପରେ ୧୫ ପ୍ରତିଶତ ହାରରେ ଏକ ବିଶେଷ ଶୁଳ୍କ ବସାଇ ଦେଲା। ଏହାପରେ ଆଉ ପାଦେ ଆଗକୁ ଯାଇ ବ୍ରିଟିସ୍ ପାର୍ଲିଆମେଣ୍ଟ ଏକ ଆଇନ ପ୍ରଣୟନ କଲା ଯେ ଆଫ୍ରିକାର ଉତ୍ତମାଶା ଅନ୍ତରୀପର ପୂର୍ବ ଦିଗସ୍ଥ ଅଞ୍ଚଳରୁ ଅର୍ଥାତ୍ ସମଗ୍ର ଏସିଆ ମହାଦେଶରୁ ବ୍ରିଟେନ୍କୁ ଆମଦାନି କରାଯାଉଥିବା ସମସ୍ତ ପ୍ରକାର ଦ୍ରବ୍ୟ କେବଳ ବ୍ରିଟେନ୍ରେ ନିର୍ମିତ ଜାହାଜମାନଙ୍କରେ ହିଁ ପରିବହନ କରାଯାଇପାରିବ। ସାଗର ବକ୍ଷରେ ପଇଁତରା ମାରୁଥିବା ବ୍ରିଟିସ୍ କମାଣବାହୀ ପୋତମାନ ବ୍ରିଟେନ୍ ଲାଗୁ କରିଥିବା ଏଭଳି ନିଷେଧାଦେଶକୁ କାର୍ଯ୍ୟକାରୀ କରିବାରେ ସହାୟକ ହେଉଥିଲେ।
ଏସବୁ ନୀତିର ଅନିବାର୍ଯ୍ୟ ପରିଣାମ ସ୍ବରୂପ ବର୍ତ୍ତମାନ ଅର୍ଥନୈତିକ ଐତିହାସିକମାନେ କରିଥିବା ଆକଳନ ଅନୁସାରେ ୧୮୦୦ ସାଲ୍ରେ ପୃଥିବୀର ମୋଟ ଶିଳ୍ପ ଉତ୍ପାଦନରେ ଭାରତ ଓ ଚୀନ୍ର ମିଳିତ ଅଂଶ ତଥାପି ୫୩ ଶତାଂଶ ଥିବା ବେଳେ ତାହାର ଗୋଟିଏ ଶତାବ୍ଦୀ ପରେ ୧୯୦୦ ସାଲ୍ରେ ତାହା ହ୍ରାସ ପାଇ ହୋଇଯାଇଥିଲା ମାତ୍ର ପ୍ରାୟ ୫ ଶତାଂଶ। ତେଣୁ ଏହା ବର୍ତ୍ତମାନ ଏକ ଐତିହାସିକ ରେକର୍ଡ ସଂଶୋଧନ ଭଳି ମନେହୁଏ ଯେ ଚୀନ୍ ଏବେ ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତିର ଆସନ ଦଖଲ କରିଛି ଓ ଭାରତ ମଧ୍ୟ ପଞ୍ଚମ ବୃହତ୍ତମ ସ୍ଥାନରେ ପହଞ୍ଚି ଯାଇଛି।