ସ୍ୱାସ୍ଥ୍ୟସେବାର ସାବତ ପୁଅଙ୍କ ଦୁଃଖ

ସତ୍ୟକାମ ମିଶ୍ର

ଏ ମଧ୍ୟରେ ଉଭୟ କେନ୍ଦ୍ର ସରକାର ଓ ଆମ ରାଜ୍ୟ ସରକାର ଲୋକମାନଙ୍କ ସ୍ୱାସ୍ଥ୍ୟରକ୍ଷା ତଥା ଚିକିତ୍ସା ପାଇଁ କେତେ ଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେସବୁର ସୁଫଳ ମଧ୍ୟ ଲୋକମାନେ ପାଇଲେଣି। ଆମ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ଉପକୃତ ବହୁ ବ୍ୟକ୍ତି ଚିକିତ୍ସିତ ହୋଇ ଆରୋଗ୍ୟଲାଭ କରି ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛନ୍ତି। ଏହା ନିଶ୍ଚୟ ଏକ ଆନନ୍ଦଦାୟକ ଅନୁଭବ ଏବଂ ସରକାରଙ୍କର ଏକ କୃତିତ୍ବ ଭାବେ ଗ୍ରହଣ କରାଯିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ୱେବ୍‌ସାଇଟ୍‌ରେ ସ୍ଥାନିତ ଟୁଇଟ୍‌ ଗୁଡ଼ିକ ଅନୁଶୀଳନ କଲେ ଜଣାଯାଉଛି ଯେ ଅଧିକାଂଶ ହିତାଧିକାରୀ ସରକାରୀ ଅପେକ୍ଷା ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଆରୋଗ୍ୟଲାଭ କରୁଛନ୍ତି। ଏଥିରୁ ଜଣାପଡୁଛି ଯେ ଘରୋଇ ଚିକିତ୍ସାଳୟ ଲୋକମାନଙ୍କର ପ୍ରଥମ ପସନ୍ଦ। ପୁରାତନ ତିନିଟି ଭେଷଜ ମହାବିଦ୍ୟାଳୟ ଓ ଭୁବନେଶ୍ବରସ୍ଥିତ ଏମ୍‌ସରେ ଉପଲବ୍‌ଧ ଚିକିତ୍ସା ବ୍ୟବସ୍ଥା ଅନ୍ୟାନ୍ୟ ସରକାରୀ ଡାକ୍ତରଖାନାରେ ମିଳେନାହିଁ। ତେଣୁ ବୃକ୍‌କ ଚିକିତ୍ସା, ବକ୍ଷ ଶଲ୍ୟ, ସ୍ନାୟୁ ଶଲ୍ୟ, କର୍କଟ ରୋଗ ଇତ୍ୟାଦି ଜଟିଳ ରୋଗର ଚିକିତ୍ସା ସକାଶେ ଲୋକେ ଏହି ଚାରିଟି ଅନୁଷ୍ଠାନ ଉପରେ ନିର୍ଭରଶୀଳ। ଏଥିପାଇଁ ସେହିସବୁ ଜାଗାରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। ଶଲ୍ୟ ଚିକିତ୍ସା ଓ ଅଲଟ୍ରାସାଉଣ୍ଡ, ଏମ୍.ଆର.ଆଇ, ସିଟି ସ୍କାନ ଭଳି ଆଧୁନିକ ନିଦାନ ସୁବିଧା ସଙ୍ଗେସଙ୍ଗେ ମିଳେନାହିଁ। ଏଥିପାଇଁ ଅପେକ୍ଷା କରିବାକୁ ପଡ଼େ। କିନ୍ତୁ ଘରୋଇ ଚିକିତ୍ସାଳୟରେ ଏହି ସବୁ ସୁବିଧା ତୁରନ୍ତ ମିଳିଥାଏ।

ତେଣୁ ସ୍ୱାଭାବିକ ଭାବେ ଗୁରୁତର ରୋଗରେ ପୀଡ଼ିତ ଲୋକେ ବାଧ୍ୟ ହୋଇ ଘରୋଇ ଚିକିତ୍ସାଳୟକୁ ଯାଇଥା’ନ୍ତି। ଏ କଥା ସମସ୍ତେ ଜାଣନ୍ତି। ସରକାର ମଧ୍ୟ ଏ ବିଷୟରେ ଅବଗତ ଥାଇ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ଘରୋଇ ଡାକ୍ତରଖାନାଗୁଡ଼ିକୁ ଅନ୍ତର୍ଭୁକ୍ତ କରିଛନ୍ତି। ଏହା ଏକ ବାସ୍ତବବାଦୀ ପଦକ୍ଷେପ। କିନ୍ତୁ, ଦୁର୍ଭାଗ୍ୟର କଥା ଏହି ଯୋଜନା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। କେବଳ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ଏହା ଉପଲବ୍ଧ। ଯେଉଁମାନେ ନିଜେ ନିଜର ପରିବାର ଭରଣପୋଷଣ କରିବାକୁ ସମର୍ଥ ସେମାନଙ୍କୁ ଦାରିଦ୍ର୍ୟ ସୀମାରେଖାର ଊର୍ଦ୍ଧ୍ବରେ ରଖି ବିଭିନ୍ନ ସରକାରୀ ଜନକଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଏ ନାହିଁ। ଏହି ବର୍ଗରେ ମଧ୍ୟମ ଆୟକାରୀ, ପେନସନଭୋଗୀ, ବିଭିନ୍ନ ବର୍ଗର ସ୍ବରୋଜଗାରୀମାନେ ଥା’ନ୍ତି ଯେଉଁମାନେ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ହେଲେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରନ୍ତି।

ନିଜର ତଥା ଆତ୍ମୀୟଙ୍କର ଚିକିତ୍ସା ପାଇଁ ଏମାନଙ୍କୁ ଘରବାଡ଼ି ବିକିବାକୁ ପଡ଼ିଥାଏ। ଘରୋଇ ଡାକ୍ତରଖାନାକୁ ଯିବା ପାଇଁ ଏମାନଙ୍କର ସମ୍ବଳ ନଥାଏ। ଜୀବନ ବଂଚାଇବା ପାଇଁ ଧାର କରଜ କରି ସର୍ବସ୍ବାନ୍ତ ହୁଅନ୍ତି। ପରିଣତ ବୟସରେ ଏହି ବର୍ଗର ଅଧିକାଂଶ ଲୋକ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଂଚିତ ହୋଇ ମୃତ୍ୟୁବରଣ କରନ୍ତି। ପରିବାରରେ କାହାକୁ ଯଦି କ୍ୟାନସର ଭଳି ବେମାର ହେଲା, ସେହି ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଏ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ମୁଖବନ୍ଧର ପ୍ରଥମ ବାକ୍ୟ ହେଲା, ‘Every life is precious.’ ଅର୍ଥାତ୍‌ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ।’ ତେଣୁ, ଯଦି ପ୍ରତ୍ୟେକ ଜୀବନ ବଂଚାଇବା ପାଇଁ ସରକାର ତତ୍ପର ଓ ପ୍ରତିଶ୍ରୁତିବଦ୍ଧ ତେବେ ନିଜର ଜରୁରୀ ସ୍ୱାସ୍ଥ୍ୟଗତ ଆବଶ୍ୟକତା ପୂରଣ କରି ନ ପାରି ମୃତ୍ୟୁବରଣ କରୁଥିବା (ଅ)ଗରିବ ଲୋକଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବାରେ ଦ୍ବିଧା କାହିଁକି? ଏମାନଙ୍କ ଜୀବନ କ’ଣ ମୂଲ୍ୟହୀନ?

ଘରୋଇ ଡାକ୍ତରଖାନାରେ ଚିକିତ୍ସା ବ୍ୟୟ ଉପରେ କୌଣସି ଲଗାମ ନଥାଏ। ସେମାନେ ଆଧୁନିକ ଚିକିତ୍ସା ପାଇଁ ଯେଉଁ ବ୍ୟୟବହୁଳ ଭିତ୍ତିଭୂମି ଗଢ଼ିଥା’ନ୍ତି ତାହାକୁ ଭରଣା କରିବାପାଇଁ ବିଭିନ୍ନ ଚିକିତ୍ସା ସେବା ଅତ୍ୟଧିକ ଉଚ୍ଚ ମୂଲ୍ୟରେ ଯୋଗାଇଥା’ନ୍ତି। ପରିବେଶ ପ୍ରଦୂଷଣ, ଦ୍ରୁତ ସହରୀକରଣ, ଆଧୁନିକ ଜୀବନଶୈଳୀ, କର୍ମକ୍ଷେତ୍ରରେ ଅତ୍ୟଧିକ ଦାୟିତ୍ବର ବୋଝ ଜନିତ ଚିନ୍ତା ଓ ମାନସିକ ଚାପର ଫଳସ୍ବରୂପ ପ୍ରତିଦିନ କର୍କଟ, ଫୁସ୍‌ଫୁସ୍ ସଂକ୍ରମଣ, ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦ୍‌ଘାତ ଭଳି ବ୍ୟାଧି ବୃଦ୍ଧି ପାଇବାରେ ଲାଗିଛି। ଆଇ.ଟି. କମ୍ପାନିରେ କାମ କରୁଥିବା ପିଲାମାନେ ଦିନକୁ ୯/୧୦ ଘଣ୍ଟା ବସି କାମ କରନ୍ତି। ଫଳରେ ସେମାନେ ନାନାପ୍ରକାର ବ୍ୟାଧିରେ ଆକ୍ରାନ୍ତ ହେଉଛନ୍ତି।

ବୟସ ଟିକିଏ ଅଧିକ ହେଲେ ସେମାନଙ୍କର ସମସ୍ୟା ଆରମ୍ଭ ହୋଇଯାଉଛି। ଅନ୍ତର୍ଜାତୀୟ ଡାଇବେଟିସ ଫେଡେରେସନର ହିସାବ ଅନୁଯାୟୀ ୨୦୨୫ ମସିହାରେ ପ୍ରତ୍ୟେକ ଦଶ ଜଣ ଭାରତୀୟ ସାବାଳକଙ୍କ ମଧ୍ୟରେ ଜଣେ ମଧୁମେହ ରୋଗରେ ପୀଡ଼ିତ ହେବେ। ପ୍ରତ୍ୟେକ ବର୍ଷ ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗରେ ସବୁଠାରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି। ବିଶ୍ବର ଷାଠିଏ ଭାଗ ହୃଦରୋଗୀ ହେଉଛନ୍ତି ଭାରତୀୟ। ଆମ ଦେଶରେ ଏହା ଏକ ନିରବ ମହାମାରୀରେ ପରିଣତ ହୋଇଛି। ହୃଦ୍‌ରୋଗର ନିରୂପଣ ଓ ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ। ହୃଦ୍‌ଘାତ ହେଲେ କିମ୍ବା ଏଥିରୁ ରକ୍ଷାପାଇବା ପାଇଁ ଧମନୀରେ ସୃଷ୍ଟି ହେଉଥିବା ପ୍ରତିବନ୍ଧକୁ ଦୂର କରିବା ସକାଶେ ଆନ୍‌ଜିଓଗ୍ରାଫି ମାଧ୍ୟମରେ ଷ୍ଟେଣ୍ଟ ଲଗାଇବା ଏକ ସାଧାରଣ ଚିକିତ୍ସା ପ୍ରଣାଳୀ ରୂପେ ଆଦୃତି ଲାଭ କରିଛି। ଯୁବକ ଯୁବତୀଙ୍କ ଠାରୁ ଆରମ୍ଭ କରି ପରିଣତ ବୟସର ଲୋକଙ୍କୁ ବହୁସଂଖ୍ୟାରେ ଏହି ଚିକିତ୍ସା କରିବାକୁ ପଡୁଛି। ଏହାଦ୍ବାରା ବହୁ ଅମୂଲ୍ୟ ଜୀବନ ରକ୍ଷା ପାଇଯାଉଛି। କିନ୍ତୁ ଜଣେ ମଧ୍ୟବିତ୍ତ ବ୍ୟକ୍ତି ପକ୍ଷରେ କୌଣସି ଭଲ ଘରୋଇ ଚିକିତ୍ସାଳୟରେ ଏହି ଚିକିତ୍ସା ସୁବିଧା ଲାଭ କରିବା କଷ୍ଟକର।

କାରଣ ଗୋଟିଏ ଷ୍ଟେଣ୍ଟ ଲଗାଇବା ପାଇଁ ଦୁଇ ଦିନର ରହଣିରେ ଔଷଧପତ୍ର ସହ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଛି। ଉଚ୍ଚମାନର ଷ୍ଟେଣ୍ଟ ଓ ତାହାର ଅନୁଷଙ୍ଗିକ ଉପକରଣର ମୂଲ୍ୟ ୫୦ରୁ ୬୦ ହଜାର ଟଙ୍କା ଓ ଔଷଧପତ୍ରର ଦାମ ହାରାହାରି ୫ରୁ ୭ ହଜାର ହୋଇଥିଲା ବେଳେ ଓ.ଟି. ଓ ଅନ୍ୟାନ୍ୟ ଖର୍ଚ୍ଚ ଦର୍ଶାଇ ଘରୋଇ ଡାକ୍ତରଖାନାଗୁଡ଼ିକ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି। ସରକାରଙ୍କର ବିନା ସହାୟତାରେ କେତେ ଜଣ ବ୍ୟକ୍ତି ଏହି ଚିକିତ୍ସା ସୁଯୋଗ ଲାଭ କରିପାରିବେ? ପୁନଶ୍ଚ ଜଣେ ବ୍ୟକ୍ତିଙ୍କୁ ଜୀବନ କାଳ ମଧ୍ୟରେ ଏକାଧିକ ବାର ଷ୍ଟେଣ୍ଟ ଲଗାଇବା ଦରକାର ହେଉଛି କିମ୍ବା ବାଇପାସ ଅସ୍ତ୍ରପୋଚାର କରିବାକୁ ପଡୁଛି। ସେ କ୍ଷେତ୍ରରେ ସେମାନଙ୍କର ଦୁର୍ଦ୍ଦଶାର ଅନ୍ତ ନାହିଁ। ବିଭିନ୍ନ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଣୟନ କଲାବେଳେ ସରକାର ଏହି ବିଷୟକୁ ବିଚାର କରିବା ଆବଶ୍ୟକ। ଘରୋଇ ଚିକିତ୍ସାଳୟରେ କୌଣସି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ରୋଗୀଙ୍କଠାରୁ ଯେଉଁ ଅର୍ଥ ଆଦାୟ କରାଯାଉଛି ତାହାକୁ ନିୟନ୍ତ୍ରଣ କରିବା ପାଇଁ କ’ଣ କିଛି ଉପାୟ ନାହିଁ?

କେନ୍ଦ୍ର ସରକାରଙ୍କର କର୍ମଚାରୀ ତଥା ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଲବ୍‌ଧ। “କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ଯୋଜନା (CGHS)” ମାଧ୍ୟମରେ ସରକାରଙ୍କ ଦ୍ବାରା ମନୋନୀତ ସରକାରୀ ଓ ବେସରକାରୀ ଚିକିତ୍ସାଳୟ ଗୁଡ଼ିକରେ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଓ ତାଙ୍କ ଉପରେ ନିର୍ଭରଶୀଳ ଆତ୍ମୀୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ବାବଦ ଖର୍ଚ୍ଚ ଭରଣା କରାଯାଏ। ସେମାନେ ଅବସର ନେବା ସମୟରେ ସେହି ଯୋଜନାରେ ଯୋଗ ଦେଇଥା’ନ୍ତି। ସେଥିପାଇଁ ସେମାନଙ୍କୁ ଥରେ କିଛି ଅର୍ଥ ଦେବାକୁ ପଡ଼ିଥାଏ ଓ ସାରା ଜୀବନ ସେମାନେ ଏହି ସୁବିଧା ପାଆନ୍ତି। ଏହା ଏକ ଅତି ଉପାଦେୟ ଜନକଲ୍ୟାଣ ଯୋଜନା।

ଆମ ରାଜ୍ୟର ସରକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ କିନ୍ତୁ ଏହି ସୁବିଧା ଉପଲବ୍‌ଧ ନାହିଁ। ଏ ବିଷୟରେ ସରକାର ବିଚାର କରିବା ଆବଶ୍ୟକ। ଅଧିକାଂଶ କ୍ଷେତ୍ରରେ ଚାକିରିରୁ ଅବସର ନେବା ପରେ ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୁଏ। ଚାକିରି ସମୟର ଜୀବନଶୈଳୀ ଯୋଗୁଁ ଏମାନଙ୍କ ଶରୀରରେ ଉଚ୍ଚ ରକ୍ତଚାପ, ହୃଦ୍‌ରୋଗ, ମଧୁମେହ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଶ୍ବାସ, କର୍କଟ ପ୍ରଭୃତି ଭୟାନକ ସଂକ୍ରମଣହୀନ ରୋଗ କାୟା ବିସ୍ତାର କରୁଥାଏ। ଅଧିକାଂଶ ଏ ବିଷୟରେ ସଚେତନ ନଥା’ନ୍ତି। ଅବସର ପରେ ଗୋଟିଏ ପରେ ଗୋଟିଏ ରୋଗର ଆବିର୍ଭାବ ହୁଏ। ସ୍ୱାଭାବିକ ଜୀବନଯାପନ କରିବା ପାଇଁ ମିଳୁଥିବା ପେନସନ ରାଶି ଯେକୌଣସି ଦୀର୍ଘକାଳୀନ ରୋଗର ଚିକିତ୍ସା ପାଇଁ ଯଥେଷ୍ଟ ହୁଏ ନାହିଁ। ଯଦି ପରିବାରରେ ଆର୍ଥିକ ସାହାଯ୍ୟ କଲା ଭଳି ସନ୍ତାନ ନଥା’ନ୍ତି ତେବେ ସେମାନଙ୍କର ବଂଚିବା କଷ୍ଟକର ହୋଇଯାଏ।

ଚିକିତ୍ସା ତ ଦୂରର କଥା, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମଧ୍ୟ ସମ୍ବଳର ଅଭାବ ହୁଏ। ଯେତେ ଅଧିକ ପେନସନ ପାଉଥିଲେ ବି କର୍କଟ କିମ୍ବା ଯକୃତ ତଥା ମୂତ୍ର ରୋଗ ଭଳି ଗୋଟିଏ ବ୍ୟାଧି ଅଥବା ଆକସ୍ମିକ ଦୁର୍ଘଟଣାର ମୁକାବିଲା କରିବାକୁ ତାହା ସମୁଦ୍ରକୁ ଶଙ୍ଖେ ଭଳି। ତେଣୁ ଅବସର ପରେ ସ୍ୱାସ୍ଥ୍ୟ ସହାୟତାରୁ ବଂଚିତ ପେନସନଭୋଗୀ କର୍ମଚାରୀ ମର୍ଯ୍ୟାଦା ସହ ବଂଚିବା ସମ୍ଭବପର ନୁହେଁ। ଓଡ଼ିଶା ସରକାର ବହୁ ସଂଖ୍ୟାରେ ଜନହିତକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ତାଙ୍କରି ପୂର୍ବତନ କର୍ମଚାରୀମାନଙ୍କ ଦୁର୍ଦ୍ଦଶାକୁ ବିଚାରକୁ ନେଇ ସେମାନଙ୍କ ପାଇଁ ଅବସରପ୍ରାପ୍ତ କେନ୍ଦ୍ର ସରକାରୀ କର୍ମଚାରୀ ପାଉଥିବା ଅନୁରୂପ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରିବା ନିଶ୍ଚିତ ଭାବେ ସରକାରଙ୍କର ଏକ ନୈତିକ ଦାୟିତ୍ବ। ଏଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଆବଶ୍ୟକ।

ଦିନକୁ ଦିନ ଜନସଂଖ୍ୟାରେ ବୟସ୍କ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସଂପ୍ରସାରଣ ଆବଶ୍ୟକ। ଆମ ରାଜ୍ୟରେ ନିକଟ ଅତୀତରେ କେତେଗୁଡ଼ିଏ ନୂଆ ଭେଷଜ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଏହା ସ୍ବାଗତଯୋଗ୍ୟ। କିନ୍ତୁ, ଜନମଙ୍ଗଳ ରାଷ୍ଟ୍ରରେ ଜନସଂଖ୍ୟାର ଏକ ସ୍ବଳ୍ପ ଅଂଶ ସରକାର ଦେଉଥିବା ସ୍ୱାସ୍ଥ୍ୟ ସହାୟତାରୁ ବଂଚିତ ହେବା ଏକ ବ୍ୟତିକ୍ରମ। ଆଶା ଓ ବିଶ୍ୱାସ ଓଡ଼ିଶାର ଜନପ୍ରିୟ ସରକାର ଏ ଦିଗରେ ଦୃଷ୍ଟିଦେବେ।
ମୋ: ୯୪୩୭୨୭୭୩୧୩

ସମ୍ବନ୍ଧିତ ଖବର