ତିନି ସାଧୁ

କଥାଟିଏ - ଯାଯାବର

ଜଣେ ବୃଦ୍ଧ ଏବଂ ତାଙ୍କର ଯୁବ ପୁତ୍ର ଏବଂ ପୁତ୍ରବଧୂଙ୍କୁ ନେଇ ପରିବାରଟିଏ ଥିଲା। ଦିନେ ସେମାନଙ୍କ ଘର ଆଗରେ ତିନି ଜଣ ସାଧୁ ବସିଥିବା ଦେଖାଗଲା। ପୁତ୍ରବଧୂ ଜଣକ ଆତିଥ୍ୟ ପ୍ରଦାନ ଲାଗି ସେମାନଙ୍କୁ ଘରକୁ ଡାକିଲେ। ସେମାନଙ୍କ ଭିତରୁ ଜଣେ କହିଲେ ଯେ ଆମେ ତିନି ଜଣ ହେଉଛୁ ଯଥାକ୍ରମେ ସଂପଦ, ସଫଳତା ଓ ଶ୍ରଦ୍ଧା। ଆମେ ତିନି ଜଣ ଯାକ ଏକାଠି କାହା ଘରକୁ ପ୍ରାୟତଃ ଯାଉନା। ତେଣୁ ତୁମେ ନିଷ୍ପତ୍ତି ନିଅ କାହାକୁ ଡାକିବ। ଆମେ ବାହାରେ ଅପେକ୍ଷା କରିଛୁ।

ପୁତ୍ରବଧୂ ଜଣକ ତାଙ୍କ ସ୍ବାମୀଙ୍କୁ ପଚାରିଲେ। ସ୍ବାମୀ କହିଲେ- ସଂପଦଙ୍କୁ ଡାକ। ସେ ଆସିଲେ ଘର ଧନଧାନ୍ୟ ହୋଇଯିବ। ସମସ୍ୟା କିଛି ରହିବ ନାହିଁ। କିନ୍ତୁ ପତ୍ନୀ କହିଲେ- ନା, ସଫଳତାଙ୍କୁ ଡାକିବା। ସଫଳ ହେଲେ ସଂପଦ ଛାଏଁ ଆସିବା ନିଶ୍ଚିତ।

ଏହି କଥାରୁ ମତାନ୍ତର ଏବଂ ଶେଷରେ ଝଗଡ଼ା ହେଲା। ରୋଷେଇବାସ ବନ୍ଦ ରହିଲା। ବାହାରେ ତିନି ସାଧୁ ଅପେକ୍ଷା କରି ରହି‌େଲ।
ଏବେ ବୃଦ୍ଧ ପିତା ଆସି କଥା କ’ଣ ବୁଝିଲା ପରେ କହିଲେ- ତୁମେ ଶ୍ରଦ୍ଧାଙ୍କୁ ଡାକ। ତାହା ଠିକ୍‌ ହେବ। ଦେଖ ତୁମେ ଦୁହେଁ ପାରସ୍ପରିକ ଶ୍ରଦ୍ଧା ହରାଇଥିବାରୁ କି ଦଶା ହେଲାଣି। ତିନି ସାଧୁ ବାହାରେ ଅପେକ୍ଷା କରି ରହିଛନ୍ତି। ଶ୍ରଦ୍ଧା ନ ରହିଲେ ସଂପଦ ଓ ସମ୍ମାନ ତୁଚ୍ଛ ହୋଇଯିବ।

କଥାଟା ମନକୁ ପାଇଲା। ପୁତ୍ରବଧୂ ଯାଇ ଶ୍ରଦ୍ଧାଙ୍କୁ ଡାକିଲେ। ଶ୍ରଦ୍ଧା ଘରକୁ ପ୍ରବେଶ କଲା ପରେ ଜଣ ଜଣ ହୋଇ ସଂପଦ ଓ ସଫଳତା ମଧ୍ୟ ଘରକୁ ପଶିଲେ।
ପୁତ୍ରବଧୂ ପଚାରିଲେ- ଆପଣ ତିନି ଜଣ ଏକାଠି ପରା କେଉଁଠାକୁ ଯାଆନ୍ତି ନାହିଁ?
ସେମା‌ନେ ହସି କହିଲେ- ସତ କଥା ଯେ, ଶ୍ରଦ୍ଧା ଯୁଆଡ଼େ ଯାଆନ୍ତି, ଆମେ ଦୁହେଁ ସେଠାକୁ ଯାଉ। ତୁମେ ଯଦି ଆଉ କାହାକୁ ବାଛିଥାଆନ୍ତ, ତେବେ ସେ କେବଳ ଏକାକୀ ଯାଇ ଥାଆନ୍ତେ।

ସମ୍ବନ୍ଧିତ ଖବର