ଏକ ଅର୍ଥନୀତିରେ ଶ୍ରମଶକ୍ତିର ମାଲିକ ତା’ର ଶ୍ରମଦାନ ବଦଳରେ ମଜୁରି ପାଇଥିବା ଭଳି, ପୁଞ୍ଜିମାଲିକ ତା’ର ପୁଞ୍ଜିର ବ୍ୟବହାର ବଦଳରେ ସୁଧ ପାଇଥିବା ଭଳି, ଭୂମି ମାଲିକ ତା’ର ଭୂମିର ବ୍ୟବହାର ବଦଳରେ ଭଡ଼ା ପାଇଥିବା ଭଳି ଜଣେ ଉଦ୍ୟୋଗୀ ତା’ର ଉଦ୍‌ଯୋଗର ପ୍ରୟୋଗ ବଦଳରେ ଲାଭ ପାଇବାକୁ ହକ୍‌ଦାର ହୋଇଥାଏ। ଯଦିବା ଗଳ୍ପ ଉପନ୍ୟାସ ମାଧୢମରେ ଜନମାନସରେ ଲାଭକୁ ଶୋଷଣ ସହିତ ସ˚ଯୁକ୍ତ କରାଯାଇଥାଏ (ଏକଦା ଜଵାହରଲାଲ୍‌ ନେହରୁଙ୍କ ଭଳି ଜଣେ ପଣ୍ତିତ ପୁରୁଷ ମଧୢ ଜେଆର‌୍‌ଡି ଟାଟାଙ୍କୁ ଏ ସମ୍ବନ୍ଧରେ ପ୍ରଦାନ କରିଥିବା ଏକ ମନ୍ତବ୍ୟ କି˚ବଦନ୍ତିରେ ପରିଣତ ହୋଇଛି: ‘ପ୍ରଫିଟ୍‌ ଇଜ୍‌ ଏ ଡାର୍ଟି ଵର୍ଡ’- ‘ଲାଭ ହେଉଛି ଏକ ମଇଳା ଶବ୍ଦ’, ଅର୍ଥନୀତିର ଛାତ୍ରମାନେ କିନ୍ତୁ ଲାଭକୁ ଜଣେ ଉଦ୍ୟୋଗୀ ତା’ର ଉଦ୍‌ଯୋଗ ବା ଉଦ୍ୟମ ପାଇଁ ପାଉଥିବା ନ୍ୟାୟୋଚିତ ପାଉଣା ରୂପେ ବିଚାର କରିଥାନ୍ତି।

Advertisment

ଆୟକର ପ୍ରଚଳିତ ଥିବା ଦେଶମାନଙ୍କରେ ଅନ୍ୟ ତିନି କିସମର ଆୟ ଅର୍ଜନକାରୀମାନେ ନିୟମ ଅନୁସାରେ ନିଜ ଆୟର ଏକ ଅ˚ଶକୁ କର ଆକାରରେ ରାଷ୍ଟ୍ରର ପ୍ରୟୋଜନରେ ଲାଗିବା ପାଇଁ ସରକାରଙ୍କୁ ହସ୍ତାନ୍ତରିତ କରିବା ଭଳି ଲାଭ ଅର୍ଜନକାରୀମାନେ ମଧୢ ଲାଭର ଏକ ଅ˚ଶକୁ କର ରୂପେ ପଇଠ କରିଥାନ୍ତି। ସାଧାରଣତଃ ଏହି କର ହାର ଏପରି ହୋଇଥାଏ, ଯେପରି ଉପରୋକ୍ତ ସମ୍ବଳର ମାଲିକମାନେ ସେମାନଙ୍କର ସମ୍ବଳ ସବୁକୁ ଉତ୍ପାଦନ ଅର୍ଥାତ୍‌ ଜାତୀୟ ଆୟ ସୃଷ୍ଟିରେ ନିୟୋଜିତ କରିବାକୁ ନିରୁତ୍ସାହିତ ହେବେ ନାହିଁ। କିନ୍ତୁ ବେଳେ ବେଳେ ଏପରି କିଛି ବାହ୍ୟ ଘଟଣା ଘଟିପାରେ ଯାହାର ପ୍ରଭାବରେ ଏକ ଉଦ୍ୟୋଗର ଲାଭରେ ଏକ ଅସ୍ବାଭାବିକ ଭାବେ ତୀକ୍ଷ୍‌ଣ ଓ ବିଶାଳ ବୃଦ୍ଧି ଘଟିପାରେ ଯାହାର ସମ୍ପୃକ୍ତ ଉଦ୍ୟୋଗର ଉଦ୍‌ଯୋଗ ବା ଉଦ୍ୟମ ସହିତ କୌଣସି ସମ୍ପର୍କ ନ ଥାଏ।

ଏଠାରେ ଏକ ପ୍ରଶ୍ନ ଉଠିଥାଏ, ଏଭଳି ଅପ୍ରତ୍ୟାଶିତ ବାହ୍ୟ ପରିସ୍ଥିତି ସୃଷ୍ଟ ଆୟ (ଯାହାକୁ ଅର୍ଥନୀତିଜ୍ଞମାନେ ‘ଵିଣ୍ତ୍‌ଫଲ୍‌ ଗେନ୍‌’ ବା ଉଡ଼ି ଆସି ଆକାଶରୁ ଖସିଥିବା ଲାଭ ରୂପେ ବର୍ଣ୍ଣନା କରିଥାନ୍ତି) ପ୍ରତି ଲାଗୁ ହେଉଥିବା କର ହାର ବିଧିବଦ୍ଧ ଲାଭ ଉପରେ ଲାଗୁ ହେଉଥିବା କର ହାର ସହିତ ସମାନ ହେବା ଉଚିତ କି? ଅର୍ଥନୀତିଜ୍ଞମାନେ ଏକମତ ହୋଇଥାନ୍ତି ଯେ ଏହି ଆକାଶ ଖସା ଲାଭ ଉପରେ ଏକ ଅତିରିକ୍ତ କର ଲାଗୁ କରାଗଲେ ରାଷ୍ଟ୍ରର ସମ୍ବଳ ସ˚ଗ୍ରହରେ ବୃଦ୍ଧି ଘଟିବ ଏବ˚ ଏଥିଯୋଗୁଁ ସମ୍ପୃକ୍ତ ଉଦ୍ୟୋଗର ଉତ୍ସାହ ବାଧାପ୍ରାପ୍ତ ହେବ ନାହିଁ।

ଏହି ପୃଷ୍ଠଭୂମିରେ ଦେଖିଲେ, ଇନ୍ଧନ ରପ୍ତାନି ଉପରେ କେନ୍ଦ୍ର ସରକାର ଏବେ ଟିକସ ଲାଗୁ କରିବାକୁ ନେଇଥିବା ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି କହିଲେ ଭୁଲ୍‌ ହେବ ନାହିଁ। ୟୁକ୍ରେନ୍‌ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତିକ ତୈଳଦରରେ କିପରି ଅସ୍ବାଭାବିକ ବୃଦ୍ଧି ଘଟିଛି, ଆମେ ସମସ୍ତେ ତାହାର ଭୁକ୍ତଭୋଗୀ। ପାଶ୍ଚାତ୍ୟ ଦେଶମାନେ ଆମେରିକାର ନେତୃତ୍ବରେ ରୁଷିଆରୁ ତୈଳ ଆମଦାନି ଉପରେ ବାସନ୍ଦ ଲାଗୁ କରିବା ସତ୍ତ୍ବେ ଭାରତ ଏକ ବିଶେଷ ରିହାତି ଦରରେ ରୁଷିଆରୁ ଅଶୋଧିତ ତୈଳ ଆମଦାନି କରି ଚାଲିବାରେ ସଫଳ ହୋଇଛି। ଭାରତରେ ଥିବା କେତେକ ତୈଳ ବିଶୋଧନାଗାରମାନେ ଏହି ନୀଚା ଦରରେ ଆମଦାନି କରାଯାଉଥିବା ଅଶୋଧିତ ରୁଷୀୟ ତୈଳର ବିଶୋଧନ କଲା ପରେ ବିଶୋଧିତ ତୈଳକୁ ରପ୍ତାନି କରି ବିଦେଶ ବଜାରରେ ବଳବତ୍ତର ଥିବା ଉଚ୍ଚା ଦରରେ ବିକ୍ରି କରି ବିପୁଳ ଲାଭ ଅର୍ଜନ କରିବାରେ ଲାଗିଛନ୍ତି।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେମାନେ ଅର୍ଜନ କରିବାକୁ ସମର୍ଥ ହୋଇଥିବା ଏହି ଅଚାନକ ଲାଭର ସେମାନଙ୍କର ଔଦ୍ୟୋଗିକ ସାମର୍ଥ୍ୟ ସହିତ କୌଣସି ସମ୍ପର୍କ ନାହିଁ। ଏହି ଉପରୋକ୍ତ ‘ଵିଣ୍ତ୍‌ଫଲ୍‌ ଗେନ୍‌’ ବା ଚାଳରୁ ଗଳି ପଡ଼ିଥିବା ଲାଭର ସ˚ଜ୍ଞା ସହିତ ସମ୍ପୂର୍ଣ୍ଣ ରୂପେ ଖାପ ଖାଇଥାଏ।

ତେବେ ଏକ ‘ଵିଣ୍ତ୍‌ଫଲ୍‌ ଟ୍ୟାକ୍‌ସ’ ସଦୃଶ ରପ୍ତାନି ଟିକସ ମାଧୢମରେ ରାଜକୋଷର କଳେବର ବୃଦ୍ଧି କରିବା ଏହି ପଦକ୍ଷେପ ପଛରେ ନିହିତ ଥିବା ସରକାରଙ୍କର ଏକମାତ୍ର ଉଦ୍ଦେଶ୍ୟ ନୁହେଁ। ଏଥିସହିତ ସନ୍ନିହିତ ଥିବା ସରକାରଙ୍କ ଅନ୍ୟ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ଦେଶ ଭିତରେ ପେଟ୍ରୋଲ, ଡିଜେଲ ଆଦି ଜୀବାଶ୍ମ ଇନ୍ଧନର ଯୋଗାଣ ନିଶ୍ଚିତ କରିବା ଓ ସେସବୁର ଖାଉଟି ଦରକୁ ନିୟନ୍ତ୍ରଣ ମଧୢରେ ରଖିବା। ଦେଶରେ ଦେଖା ଦେଇଥିବା ଦରଦାମ ବୃଦ୍ଧି ବା ମୁଦ୍ରାସ୍ଫୀତି ପରିସ୍ଥିତିର ଏକ ମୁଖ୍ୟ ପରିପ୍ରକାଶ ହେଉଛି ଏହି ଇନ୍ଧନ ସବୁର ଦରରେ ଘଟିଥିବା ତୀକ୍ଷ୍‌ଣ ବୃଦ୍ଧି। ତେଣୁ ଇନ୍ଧନ ଦରକୁ ନିୟନ୍ତ୍ରଣ ବାହାରକୁ ଯିବାକୁ ନ ଦେବା ପାଇଁ ସରକାର ଚେଷ୍ଟା କରିବା ହେଉଛି ସମ୍ପୂର୍ଣ୍ଣ ସ୍ବାଭାବିକ।

ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ ଦେଶ ଭିତରେ ଇନ୍ଧନ ବିକ୍ରୟ କେନ୍ଦ୍ରମାନଙ୍କରେ ହଠାତ୍‌ ଯେଉଁ ନିଅଣ୍ଟ ପରିସ୍ଥିତି ଦେଖା ଦେଇଥିଲା, ତାହା ଉପରୋକ୍ତ ବିଶୋଧିତ ତୈଳ ରପ୍ତାନିରେ ଦେଖାଯାଇଥିବା ଅହେତୁକ ବୃଦ୍ଧି ଯୋଗୁଁ ହିଁ ଘଟିଥିଲା ବୋଲି ବିଶ୍ବାସ କରାଯାଉଛି। ବିଦେଶ ବଜାରରେ ଉପଲବ୍‌ଧ ଅତିରିକ୍ତ ଲାଭ ଏହି ତୈଳ ଯୋଗାଣକାରୀମାନଙ୍କୁ ରପ୍ତାନି କରିବା ପାଇଁ ଯେତିକି ପ୍ରୋତ୍ସାହିତ କରିଥିଲା, ଘରୋଇ ବଜାରରେ ସେ ତୁଳନାରେ ଉପଲବ୍‌ଧ ନୀଚା ଦର ମଧୢ ସେମାନଙ୍କୁ ଆଭ୍ୟନ୍ତରୀଣ ଯୋଗାଣ ଅବ୍ୟାହତ ରଖିବାରୁ ସେତିକି ନିରୁତ୍ସାହିତ କରିଥିଲା। ଏହା ମଧୢ ଉଲ୍ଲେଖଯୋଗ୍ୟ ଯେ ଟଙ୍କାର ଆନ୍ତର୍ଜାତିକ ବିନିମୟ ମୂଲ୍ୟରେ ଘଟିଥିବା ସ୍ଖଳନ ମଧୢ ସେମାନଙ୍କ ଆଚରଣକୁ ପ୍ରଭାବିତ କରିଛି।

ବିତ୍ତମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସେଇଥି ପାଇଁ ସ୍ପଷ୍ଟ କରିବାକୁ ଉଚିତ୍‌ ମନେ କରିଛନ୍ତି ଯେ ଘରୋଇ ଖାଉଟି ଇନ୍ଧନ ବଜାରରେ ଦେଖା ଦେଇଥିବା ଅସାଧାରଣ ପରିସ୍ଥିତି ତାଙ୍କୁ ଇନ୍ଧନ ରପ୍ତାନି ଉପରେ ଉଚ୍ଚା ଟିକସ ଲାଗୁ କରିବାକୁ ମୁଖ୍ୟତଃ ବାଧୢ କରିଛି; କେବଳ ରପ୍ତାନିଜନିତ ‘ଵିଣ୍ତ୍‌ଫଲ୍‌’ ଲାଭ ପ୍ରତି ବିରୋଧ ଭାବ କିମ୍ବା ତାହା ଉପରେ ଟିକସ ଲାଗୁ କରି ରାଜସ୍ବ ବୃଦ୍ଧି କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ନୁହେଁ। ଏଠାରେ ମନେ ପକାଇ ଦିଆଯାଇପାରେ ଯେ ଅଳ୍ପ ଦିନ ତଳେ ଠିକ୍‌ ଏଇଭଳି ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ଦେଶରୁ ଗହମ ରପ୍ତାନି ଉପରେ ସରକାର ନିଷେଧାଦେଶ ଲାଗୁ କରି ଆନ୍ତର୍ଜାତିକ ସ୍ତରରେ ବିରୋଧାତ୍ମକ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଥିଲେ। ସୂଚନାଯୋଗ୍ୟ ଏହାର ଠିକ୍‌ ପୂର୍ବରୁ ପ୍ରଧାନମନ୍ତ୍ରୀ ବିଦେଶ ଭୂଇଁରେ ଭାରତ ପୃଥିବୀକୁ ଖାଦ୍ୟ ଯୋଗାଉଛି ବୋଲି ସଗର୍ବରେ ଘୋଷଣା କରିଥିଲେ ମଧୢ ଦେଶର ଖାଦ୍ୟ ନିରାପତ୍ତା ନିଶ୍ଚିତ କରିବାକୁ ଏଭଳି ବିପରୀତ ପଦକ୍ଷେପ ସରକାରଙ୍କୁ ନେବାକୁ ପଡ଼ିଥିଲା।

ବର୍ତ୍ତମାନ ସରକାର ଇନ୍ଧନ ରପ୍ତାନିକୁ ସ˚କୁଚିତ କରିବା ପାଇଁ ତାହା ଉପରେ ଟିକସ ବସାଇବା ସହିତ ଦେଶକୁ ସୁନା ଆମଦାନି ସ˚କୁଚିତ କରିବା ଉଦ୍ଦେଶ୍ୟରେ ଏହି ପୀତ ଧାତୁ ଉପରେ ଲାଗୁ ହେଉଥିବା ଆମଦାନି ଶୁଳ୍‌କରେ ମଧୢ ବୃଦ୍ଧି ଘଟାଇଛନ୍ତି। ସୁନା ପ୍ରତି ଭାରତୀୟମାନଙ୍କର ପାରମ୍ପରିକ ମୋହ ଜଣାଶୁଣା, ଯାହା ଭାରତକୁ ଏକ ପ୍ରମୁଖ ସୁନା ଆମଦାନିକାରୀ ଦେଶରେ ପରିଣତ କରିଛି। ଦେଶର ବୈଦେଶିକ ବାଣିଜ୍ୟ କ୍ଷେତ୍ରରେ ଚଳନ୍ତି ହିସାବରେ ବୃଦ୍ଧି ପାଇ ଚାଲିଥିବା ନିଅଣ୍ଟ ଆକାର (ଆମଦାନି ଜନିତ ବ୍ୟୟ ଓ ରପ୍ତାନି ଜନିତ ଆୟ ମଧୢରେ ଥିବା ତଫାତ୍‌)କୁ ସୀମା ମଧୢରେ ରଖିବାକୁ ହେଉଥିବା ଉଦ୍ୟମରେ ଏହି ପଦକ୍ଷେପ ସହାୟକ ହେବ। ତେବେ ଏ ଉଭୟ ପଦକ୍ଷେପ ଯେ ସ୍ଥାୟୀ ନୁହଁନ୍ତି, ସାମୟିକ- ଏ କଥା ସରକାର ପୁଞ୍ଜି ବଜାରରେ ନିବେଶକମାନଙ୍କର ହୃଦ୍‌ବୋଧ କରାଇବା ଆବଶ୍ୟକ। ପରିସ୍ଥିତି ସ୍ବାଭାବିକ ହେବା ପରେ ପୂର୍ବାବସ୍ଥାକୁ ଫେରିଯିବା ସରକାରଙ୍କର ଲକ୍ଷ୍ୟ ବୋଲି ସ୍ପଷ୍ଟ କରି ଦିଆଯିବା ଉଚିତ। ଆନ୍ତର୍ଜାତିକ ତୈଳ ଦର ବ୍ୟାରେଲ ପିଛା ୪୦ ଡଲାର‌୍‌ ଖସିଲେ ‘ଵିଣ୍ତ୍‌ଫଲ୍‌ ଟ୍ୟାକ୍‌ସ’ ଉଠାଇ ଦିଆଯିବ ବୋଲି ସୋମବାର ଦିନ କେନ୍ଦ୍ର ସରକାର ପ୍ରଦାନ କରିଥିବା ସୂଚନା ଓ ପ୍ରତି ୧୫ ଦିନରେ ପରିସ୍ଥିତିର ସମୀକ୍ଷା କରାଯିବ ବୋଲି କରିଥିବା ଘୋଷଣା ସେ ଦୃଷ୍ଟିରୁ ସ୍ବାଗତଯୋଗ୍ୟ।