ସି˚ହ ରୂପ

ଆମ ସାଧାରଣତନ୍ତ୍ରର ପ୍ରତୀକ ଚିହ୍ନ ରୂପେ ଗୃହୀତ ଅଶୋକ ସ୍ତମ୍ଭ ଉପରେ ଉପବିଷ୍ଟ ‘ଚାରି-ସି˚ହ’ଙ୍କ ଏକ ଅବିକଳ ଅଥଚ ଅତ୍ୟନ୍ତ ଅତିକାୟ ବ୍ରୋଞ୍ଜ ପ୍ରତିକୃତିର ଅନାବରଣ ଗଲା ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ସ˚ପନ୍ନ ହେବା ପରେ ଏକ ବିବାଦର ସୂତ୍ରପାତ ହୋଇଛି, ଯାହାର କେନ୍ଦ୍ରରେ ରହିଛି ୨,୩୦୦ ବର୍ଷର ପ୍ରାଚୀନ ମୂଳ ‘ସି˚ହ’ ଏବ˚ ନବନିର୍ମିତ ‘ସି˚ହ’ର ଚେହେରାରେ ରହିଥିବା କଥିତ ପାର୍ଥକ୍ୟ। ନୂତନ ସି˚ହ ପ୍ରତିକୃତିର ସମାଲୋଚକମାନେ କହିଥାଆନ୍ତି ଯେ ମୂଳ ‘ସି˚ହ’ର ଚେହେରାରେ ଏକ ଶାନ୍ତ ଦର୍ପ ପ୍ରସ୍ଫୁଟିତ ହୋଇଥିବା ବେଳେ ନୂତନ ‘ସି˚ହ’ଟି ଏକ ଧମକପୂର୍ଣ୍ଣ ମୁଦ୍ରାରେ ଗର୍ଜନ କରି ତୀକ୍ଷ୍‌ଣ ଶ୍ବାଦନ୍ତ ପ୍ରଦର୍ଶନ ପୂର୍ବକ ସତେ ଯେମିତି ଆକ୍ରମଣ କରିବା ସକାଶେ ଉଦ୍ୟତ! ସେମାନଙ୍କ ଦ୍ବିତୀୟ ଅଭିଯୋଗଟି ନୂତନ ‘ସି˚ହ’ର ତୁଳନାତ୍ମକ ଭାବେ ଅଧିକ ସ୍ଫୀତ ପେଶୀଯୁକ୍ତ ଅବୟବ, ଯାହା ଜାନ୍ତବ ଶକ୍ତିର ଉଦାହରଣ। କହିବା ଅନାବଶ୍ୟକ ଯେ ଏହା ମାଧୢମରେ ସମାଲୋଚକମାନେ ରାଷ୍ଟ୍ର-ଦର୍ଶନ ଓ ଆଭିମୁଖ୍ୟରେ ଆସିଥିବା ସାଂପ୍ରତିକ ପରିବର୍ତ୍ତନ ଆଡ଼କୁ ଇଙ୍ଗିତ କରିବାକୁ ପ୍ରୟାସ କରିଛନ୍ତି, ଯାହା ସେମାନଙ୍କ ଧାରଣାରେ କ୍ରୁଦ୍ଧ, ହି˚ସ୍ର ଏବ˚ ଆକ୍ରମଣାତ୍ମକ। ସୂଚନାଯୋଗ୍ୟ ଯେ ପ୍ରତିକୃତି ଦ୍ବୟ ମଧୢରେ ଥିବା ପ୍ରଭେଦକୁ ନିଜ ଟୁଇଟ୍‌ରେ ପ୍ରଶାନ୍ତ କିଶୋର ଗାନ୍ଧୀ ଓ ଗଡ଼ସେଙ୍କ ମଧୢରେ ଥିବା ତାରତମ୍ୟ ସହିତ ତୁଳନା କରିଛନ୍ତି। ସ୍ବାଭାବିକ ଭାବେ ସରକାରଙ୍କ ପକ୍ଷରୁ ଏଭଳି ସମାଲୋଚନାକୁ ଅଗ୍ରାହ୍ୟ କରାଯାଇଛି; କିନ୍ତୁ ଏହି ବିବାଦର ମୂଳ ଯେ ପ୍ରତିକୃତି ଦ୍ବୟରେ ଥିବା ‘ସି˚ହ’ଙ୍କ ଚେହେରାଗତ ସୂକ୍ଷ୍ମ ପ୍ରାସାଧନିକ ବା ‘କସ୍‌ମେଟିକ୍‌’ ତାରତମ୍ୟ ମାତ୍ର ନୁହେଁ, ତାହା ବୁଝିବାକୁ ହେଲେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।

ପ୍ରକାଶ ଥାଉ କି ୧୯୫୦ ମସିହା, ଜାନୁଆରି ୨୬ ତାରିଖରେ ବଦ୍ରିଉଦ୍ଦିନ ତ୍ୟାବଜୀଙ୍କ ପ୍ରସ୍ତାବକ୍ରମେ ଅଶୋକ ସ୍ତମ୍ଭର ‘ସି˚ହ’କୁ ଭାରତୀୟ ସାଧାରଣତନ୍ତ୍ରର ରାଷ୍ଟ୍ରୀୟ ଚିହ୍ନ ଭାବେ ଗ୍ରହଣ କରାଯାଇଥିଲା। ‘ଅଶୋକ ଚକ୍ର’ ବା ‘ଧର୍ମ ଚକ୍ର’ ଉପରେ ଚାରି ଦିଗକୁ ମୁହଁ କରି ଆସୀନ ‘ଚାରି ସି˚ହ’ ସମ୍ବଳିତ ଏହି ଚିହ୍ନର ବ୍ୟାଖ୍ୟା ଏହିଭଳି କରାଯାଇଥିଲା: ଶୌର୍ଯ୍ୟ, ପ୍ରତ୍ୟୟ ଏବ˚ ଶକ୍ତିର ପ୍ରତୀକ ଚାରିଟି ସିଂହ ହେଉଛନ୍ତି ଚଉ ଦିଗ ପାଳ ଭଳି, ଯେଉଁମାନଙ୍କ ସହିତ ପଥ ପ୍ରଦର୍ଶକ ଭାବେ ବିଦ୍ୟମାନ ‘ଧର୍ମ’ (ଅଶୋକ ଚକ୍ରର ଅର୍ଥ) ଏହି ସାଧାରଣତନ୍ତ୍ରର ଅସ୍ତିତ୍ବ ଓ ଶାସନକୁ ଅର୍ଥ ପ୍ରଦାନ କରିଥାଏ। ସୁତରା˚, ନୂତନ ପ୍ରତିକୃତିର ସମାଲୋଚକଙ୍କ ଅନୁସାରେ ଏକ ‘କ୍ରୁଦ୍ଧ ଏବ˚ ଆକ୍ରମଣ ଉଦ୍ୟତ ସି˚ହ’ ଆମ ରାଷ୍ଟ୍ରୀୟ ଚିହ୍ନର ମୂଳାଦର୍ଶ ସହିତ ଖାପ ଖାଇ ନ ଥାଏ। ଉଲ୍ଲେଖଯୋଗ୍ୟ ଯେ ଏହି ସ˚ଦର୍ଭରେ ୯୫୦ କିଲୋଗ୍ରାମ ଓଜନ ଏବ˚ ୬.୫ ମିଟର ଉଚ୍ଚତା ବିଶିଷ୍ଟ ଅତିକାୟ ନୂତନ ପ୍ରତିକୃତିର ମୁଖ୍ୟ ସ୍ଥପତି ସୁନୀଲ ଦେଓରା ଏଭଳି ଆରୋପକୁ ପ୍ରତ୍ୟାଖ୍ୟାନ କରି କହିଥାଆନ୍ତି ଯେ କ˚ପ୍ୟୁଟର ସହଯୋଗିତାରେ ଏକ ନିବିଷ୍ଟ ଗବେଷଣାତ୍ମକ ଅନୁଧୢାନ ପରେ ନିର୍ମିତ ଏହି ପ୍ରତିକୃତି ପ୍ରାୟ ନିଖୁଣ ଏବ˚ ‘ସି˚ହ’ ମୁଖରେ ଶ୍ବାଦନ୍ତ ବା ଆକ୍ରମଣାତ୍ମକ ଭାବ ପ୍ରା˚ଜଳ ହେବା ପଛରେ ନିହିତ କାରଣ ହେଉଛି ଏହାର ବିଶାଳତା, ଯାହା ମୂଳ ପ୍ରତିକୃତି (୧.୬ ମିଟର ଉଚ୍ଚତା) ଠାରୁ ପ୍ରାୟ ଚାରି ଗୁଣ ଅଧିକ ବଡ଼। ସେ ଆହୁରି କହିଥାଆନ୍ତି ଯେ ନୂତନ ‘ସି˚ହ’ର ପାଦଦେଶରୁ ଏବ˚ ନିକଟରୁ ଉତ୍ତୋଳନ କରାଯାଇଥିବା ଫଟୋଗୁଡ଼ିକରେ ମେଲା ମୁହଁର ଶ୍ବାଦନ୍ତ ଏବ˚ ଅବୟବରେ ମା˚ସପେଶୀ ସ୍ଫୀତ ଦିଶିବା ସ୍ବାଭାବିକ।

ଏକ ଟେଲିଭିଜନ ଚ୍ୟାନେଲକୁ ପ୍ରଦତ୍ତ ସାକ୍ଷାତକାରରେ ସେ ଏହା ମଧୢ ସ୍ପଷ୍ଟ କରିଥିଲେ ଯେ ଏହାର ନିର୍ମାଣ କାଳରେ ତାଙ୍କୁ ପ୍ରଭାବିତ କରିବା ଲାଗି କୌଣସି ଉଦ୍ୟମ ହୋଇ ନ ଥିଲା।
କହିବା ଅନାବଶ୍ୟକ ଯେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ପ୍ରଶ˚ସକମାନେ ଏହି ପରିପ୍ରେକ୍ଷୀରେ ପ୍ରତିକୃତିକୁ ସମର୍ଥନ ଜ୍ଞାପନ କରି କହିଥାଆନ୍ତି ଯେ ନୂତନ ‘ସି˚ହ’ ସହିତ ତୁଳନା କରିବା ଲାଗି ବିରୋଧୀମାନଙ୍କ ପକ୍ଷରୁ ଯେଉଁ ପ୍ରତିକୃତିର ଫଟୋଚିତ୍ର ପ୍ରଦାନ କରାଯାଇଛି ଓ ଯାହା ଗଣମାଧୢମରେ ବହୁଳ ଭାବେ ପ୍ରସାରିତ ହେଉଛି, ତାହା ପ୍ରକୃତରେ ମୂଳ ପ୍ରତିକୃତି ଅର୍ଥାତ୍‌ ସାରନାଥରେ ଅଶୋକ ସ୍ତମ୍ଭ ଉପରେ ଉପବିଷ୍ଟ ‘ସି˚ହ-ଚତ୍ବର’ଙ୍କ ନୁହେଁ; ବର˚ ତାହା ହେଉଛି ବେଙ୍ଗାଲୁରୁ ବିଧାନସଭା ଉପରେ ସ୍ଥାପିତ ଏକ ପ୍ରତିକୃତି, ଯାହା ମୂଳ ପ୍ରତିକୃତି ଠାରୁ ଭିନ୍ନ। ଏହି ପ୍ରସଙ୍ଗରେ ସେମାନେ ଭାରତୀୟ ସ˚ବିଧାନର ପ୍ରଥମ ପୃଷ୍ଠାରେ ଛପା ଯାଇଥିବା ଦୀନାନାଥ ଭାର୍ଗବଙ୍କ ଦ୍ବାରା ଅଙ୍କିତ ଏହି ରାଷ୍ଟ୍ରୀୟ ଚିହ୍ନର ଅବିକଳ ଚିତ୍ରରୂପର ଅବତାରଣା କରନ୍ତି, ଯହିଁରେ ସି˚ହଗୁଡ଼ିକର ଚକ୍ଷୁ ଏବ˚ ଏବ˚ ନାସିକାମାନ ବିସ୍ଫାରିତ ଏବ˚ ଶ୍ବାଦନ୍ତ ଦୃଶ୍ୟମାନ, ଯାହା ମଧୢ କ୍ରୋଧର ପରିପ୍ରକାଶ। କେବଳ ସେତିକି ନୁହେଁ ବିରୋଧୀମାନଙ୍କୁ ତଥାକଥିତ ‘ଉଦାରବାଦୀ’ ରୂପେ ସ˚ବୋଧନ କରି ସେମାନେ ପ୍ରଶ୍ନ କରିଥାଆନ୍ତି ଯେ ମୁଖ ବ୍ୟାଦାନ କରିଥିବା ଏକ ପାକୁଆ ସି˚ହ ପୃଥିବୀର କେଉଁଠାରେ ସମ୍ଭବ କି?

କହିବାରେ ଦ୍ବିଧା ନାହିଁ ଯେ ଏଭଳି ଏକ ପ୍ରସଙ୍ଗର ଆଲୋଚନା ବେଳେ ପ୍ୟାରିସର ଲୁଭ୍ର ମ୍ୟୁଜିଅମରେ ସ୍ଥାନିତ ଲିଓନାର୍ଡୋ ଦା ଭିନ୍‌ସିଙ୍କ ଅଙ୍କିତ ପୃଥିବୀ ପ୍ରସିଦ୍ଧ କଳାକୃତି ମୋନାଲିସା କଥା ସ୍ମରଣକୁ ଆସେ; କାରଣ ସେହି ଚିତ୍ରରେ ମୋନାଲିସାଙ୍କ ଓଠର ବକ୍ରତା ତାଙ୍କ ମୁହଁରେ ଏକ ମୃଦୁ ହସ ଫୁଟାଇଛି ସିନା, ତାହା ଆନନ୍ଦରୁ ଜାତ ନା ହତାଶାରୁ ଅଥବା ତାହା ବିଦ୍ରୂପର ପରିପ୍ରକାଶ ନା ସ୍ବୀକୃତିର; ଏ ସବୁକୁ ନେଇ ଚର୍ଚ୍ଚା ଏ ପର୍ଯ୍ୟନ୍ତ ବଳବତ୍ତର ରହି ତାକୁ ପୃଥିବୀର ସର୍ବାଧିକ ପ୍ରହେଳିକାମୟ ହସରେ ପରିଣତ କରିଛି। ତେଣୁ, ଏହି ବିବାଦ ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଅଶୋକ ସ୍ତମ୍ଭର ସି˚ହଗୁଡ଼ିକଙ୍କ ଆଭିମୁଖ୍ୟ ସେହିଭଳି ପ୍ରହେଳିକାମୟ ହୋଇଉଠି ଅନ୍ତହୀନ ଅନୁମାନର ଧାରା ସୃଷ୍ଟି କରିବ ନାହିଁ ତ?

ମନୋବିଜ୍ଞାନୀମାନେ ଏକମତ ଯେ କୌଣସି ବ୍ୟକ୍ତିଙ୍କ ମନରେ ଥିବା ଧାରଣା ବା ପୂର୍ବାଗ୍ରହ ଅନେକ ସମୟରେ ତାଙ୍କ ଇନ୍ଦ୍ରିୟାନୁଭୂତିକୁ ପ୍ରଭାବିତ କରିଥାଏ। ଏହା ଏକ ବାସ୍ତବତା ଯେ ଧାରଣା ବଦ୍ଧମୂଳ ହେଲେ ତାହା ଚେତନାରେ ପରିବର୍ତ୍ତନ ସୃଷ୍ଟି କରିଥାଏ। ଏଭଳି ସ୍ଥଳେ ଚକ୍ଷୁ ଯୁଗଳ ମଧୢ ଯଥାର୍ଥ ସାବ୍ୟସ୍ତ ହୋଇ ନ ପାରନ୍ତି; ଯେପରି ଜଣେ ପ୍ରେମିକଙ୍କ ଦୃଷ୍ଟିରେ ସର୍ବାଧିକ ସୁନ୍ଦରୀ ହୋଇଥାନ୍ତି ତାଙ୍କ ପ୍ରେମିକା, ଯିଏ ଅନ୍ୟମାନଙ୍କ ବିଚାରରେ ଆଦୌ ସେ ଭଳି ହୋଇ ନ ପାରନ୍ତି। ଏହି ଆଲୋକରେ ଦେଖିଲେ ପ୍ରଶ୍ନ ଉଠେ ଯେ ବର୍ତ୍ତମାନ ସୃଷ୍ଟ ବିବାଦରେ ପୂର୍ବାଗ୍ରହ ବା ଧାରଣାର କିଛି ଭୂମିକା ରହିଛି କି? କହିବା ବାହୁଲ୍ୟ ଯେ ଉଭୟ ନରେନ୍ଦ୍ର ମୋଦୀଙ୍କ ବିରୋଧୀ ଏବ˚ ସମର୍ଥକମାନେ ନିଜ ନିଜ ପୂର୍ବାଗ୍ରହ ବା ବଦ୍ଧମୂଳ ଧାରଣା ଦ୍ବାରା ବଶୀଭୂତ, ଯାହା ଉଭୟ ପକ୍ଷଙ୍କୁ ଏକ ନିର୍ମଳ ଦୃଷ୍ଟି ପ୍ରଦାନ କରି ନ ଥାଏ।

ତେବେ, ରାଷ୍ଟ୍ରୀୟ ଚିହ୍ନକୁ ନେଇ ସୃଷ୍ଟ ବିବାଦରେ ପ୍ରତିକୃତି ଦ୍ବୟ ମଧୢରେ ଥିବା ବା ନ ଥିବା ତାରତମ୍ୟ ଯେତିିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ତା’ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ସା˚ପ୍ରତିକ ଧ୍ରୁବୀକୃତ ରାଜନୈତିକ ବାତାବରଣରେ ଦୁଇ ତୀବ୍ର ବିରୋଧୀ ଧାରଣାର ଆବିର୍ଭାବ ଏବ˚ ତଦ୍ଦ୍ବାରା ଭିନ୍ନ ମତବାଦୀ ଗୋଷ୍ଠୀ ସ˚ପୂର୍ଣ୍ଣ ବଶୀଭୂତ ହୋଇ ଯାଇଥିବାର ଦୃଶ୍ୟ। ଶ˚ସିତ ବିବାଦ ପରିପ୍ରେକ୍ଷୀରେ ଯାହା କୌତୂହଳପ୍ରଦ, ତାହା ହେଲା ମୋଦୀ ସମର୍ଥକମାନଙ୍କ ଦ୍ବାରା ‘ଉଦାରବାଦୀ’ ରୂପେ ସ˚ବୋଧିତ ଗୋଷ୍ଠୀଙ୍କ ଦ୍ବାରା ଘୋର ରକ୍ଷଣଶୀଳତାର ପରିପ୍ରକାଶ। ଏହା ସତ ଯେ ନୂତନ ସ˚ସଦ ଗୃହ ପ୍ରକଳ୍ପ ବା ‘ସେଣ୍ଟ୍ରାଲ ଭିଷ୍ଟା’ର ନିର୍ମାଣ ନେଇ ବିଗତ ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ବିବାଦର ଏକ ଅ˚ଶ ହେଉଛି ଏହି ନୂତନ ବିବାଦ। ସଂପ୍ରତି ଏକ ଧାରଣା ସୃଷ୍ଟି ହୋଇଛି ଯେ ବର୍ତ୍ତମାନର ସରକାର ଇତିହାସ ଠାରୁ ପ୍ରାରମ୍ଭ କରି ଜାତୀୟ ଅସ୍ତିତ୍ବର ପ୍ରତୀକାତ୍ମକ ଚିହ୍ନ ସବୁକୁ ନିଶ୍ଚିହ୍ନ କରିବା ବା ତହିଁରେ ପରିବର୍ତ୍ତନ ଘଟାଇବା ଲାଗି ଉଦ୍‌ଗ୍ରୀବ। ସେହି ପରିପ୍ରେକ୍ଷୀରେ ରାଷ୍ଟ୍ରୀୟ ଚିହ୍ନରେ ସୂକ୍ଷ୍ମ ପ୍ରଭେଦ ଥିବାର ଅବବୋଧ ସମାଲୋଚକମାନଙ୍କୁ ଉଦ୍‌ବିଗ୍ନ କରିଥାଇପାରେ। କିନ୍ତୁ ଏକ ବିଡ଼ମ୍ବିତ ସତ୍ୟ ହେଲା କୌଣସି ବଦ୍ଧମୂଳ ଧାରଣା ବା ପୂର୍ବାଗ୍ରହର ପ୍ରଚକ୍ଷୁ ମଧୢ ଦେଇ ଦେଖିଲେ ବିଚାର ବିଭ୍ରମ ଘଟିବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି, ଯାହା ଧ୍ରୁବୀକରଣଜନିତ ବିଭାଜନକୁ ଅଯଥା ଉତ୍କଟ କରି ଏଭଳି ବାତାବରଣ ସୃଷ୍ଟି କରିପାରେ, ଯହିଁରେ ଆମ ସାଧାରଣତନ୍ତ୍ର ଅନେକ ଦୁର୍ବୋଧୢ କୋଳାହଳରେ ଭରି ଉଠିବ।

ସମ୍ବନ୍ଧିତ ଖବର