ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ସୁପ୍ରିମ୍‌ କୋର୍ଟର ବିଚାରପତି ଇନ୍ଦିରା ବାନାର୍ଜୀ, ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଏମ୍‌.ଏମ୍‌. ସୁନ୍ଦରେଶଙ୍କୁ ନେଇ ଗଠିତ ଖଣ୍ଡପୀଠ, ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ‘ତେହେଲକା’ ପତ୍ରିକାର ସଂପାଦକ ତରୁଣ ତେଜ୍‌ପାଲଙ୍କ ବିରୋଧରେ ୨୦୦୯ ମସିହାରୁ ଚାଲିଥିବା ଅଦାଲତ ଅବମାନନା ମାମଲା ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ମାମଲାର ଶୁଣାଣି ଅବସରରେ ନିଜକୁ ପକ୍ଷଭୁକ୍ତ କରିଥିବା ବରିଷ୍ଠ ଆଡଭୋକେଟ୍‌ ଶାନ୍ତି ଭୂଷଣଙ୍କ ଦ୍ୱାରା ସୁପ୍ରିମ୍‌ କୋର୍ଟରେ ଦାଖଲ ହୋଇଥିବା ଆଠ ଜଣ ଦୁର୍ନୀତିଗ୍ରସ୍ତ ବିଚାରପତିଙ୍କ ନାମ ସବୁଦିନ ସକାଶେ ଜଉମୁଦ ଲଫାଫାରେ ବନ୍ଦ ରହିଗଲା। ୨୦୦୯ ମସିହାରେ ତେହେଲ୍‌କା ପତ୍ରିକାକୁ ସାକ୍ଷାତକାର ଅବସରରେ ପ୍ରଶାନ୍ତ ଭୂଷଣ ମନ୍ତବ୍ୟ ଦେଇଥିଲେ- “ମୋ ଦୃଷ୍ଟିରେ ୧୬/୧୭ ଜଣ ପୂର୍ବତନ ମୁଖ୍ୟ ବିଚାରପତିଙ୍କ ମଧ୍ୟରୁ ଅର୍ଦ୍ଧେକ ହେଉଛନ୍ତି ଦୁର୍ନୀତିଗ୍ରସ୍ତ। ...ବିଚାରପତି ପୁଞ୍ଛି, ଆନନ୍ଦ ଏବଂ ସଭରୱାଲଙ୍କ ବିରୋଧରେ ଦୁର୍ନୀତି ଆଧାରରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇଥିଲା। ...ନ୍ୟାୟମୂର୍ତ୍ତି କାପାଡ଼ିଆ ଓଡ଼ିଶାର ନିୟମଗିରି ଖଣି ଲିଜ୍ ମାମଲାର ରାୟ ପ୍ରଦାନ କରିଥିଲେ।

Advertisment

ଏହି ମାମଲାର ଶୁଣାଣି ବେଳେ ସେ କହିଥିଲେ- ‘ବେଦାନ୍ତ କଂପାନି ନରୱେ ସରକାରଙ୍କ ଦ୍ୱାରା କଳା ତାଲିକାଭୁକ୍ତ ହୋଇଥିବାରୁ ଲିଜ୍ ପାଇବାରୁ ବଞ୍ଚିତ ହେଲା। ଏହାର ସହଯୋଗୀ ଷ୍ଟେରଲାଇଟ୍‌ ପବ୍ଲିକ ଲିଷ୍ଟେଡ୍ କଂପାନି ହୋଇଥିବାରୁ ଲିଜ୍ ପ୍ରଦାନ କରାଗଲା।’ ନ୍ୟାୟମୂର୍ତ୍ତି କାପାଡ଼ିଆ ଥିଲେ ଏହି କମ୍ପାନିର ସେୟାର୍‌ ହୋଲ୍‌ଡର। ସେହି ଦୃଷ୍ଟିରୁ ମାମଲାର ଶୁଣାଣି ପାଇଁ ସେ ନିଜ ଆଡୁ ମନା କରିପାରିଥାନ୍ତେ। ସେଥି ନିମନ୍ତେ ଆଇନ ରହିଛି। କିନ୍ତୁ ନ୍ୟାୟମୂର୍ତ୍ତି କାପାଡ଼ିଆ ଏହାକୁ ଅଣଦେଖା କରିଥିଲେ।”

ସୁପ୍ରିମ୍‌ କୋର୍ଟର ବରିଷ୍ଠ ଓକିଲ ହରିଶ ସାଲଭେ, ସାକ୍ଷାତକାରରେ ପ୍ରକାଶିତ ଏହି ମନ୍ତବ୍ୟ ନେଇ ସୁପ୍ରିମ୍‌ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ‘ନ୍ୟାୟମିତ୍ର’ ଭାବେ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ଅଦାଲତ ଅବମାନନା ଯାଚିକା ଦାଖଲ କରିଥିଲେ। ମାମଲାର ଶୁଣାଣି ସମୟରେ ୨୦୧୦ ମସିହା ଜୁଲାଇ ୧୪ ତାରିଖରେ ମାନ୍ୟବର ସୁପ୍ରିମ୍‌ କୋର୍ଟ ମତ ରଖିଥିଲେ- ‘ଏହା ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗ ଯାହା ଶାଖାପ୍ରଶାଖା ବିସ୍ତାର କରି ନ୍ୟାୟ-ପ୍ରଶାସନ ବ୍ୟବସ୍ଥା, ନ୍ୟାୟ-ବିତରଣ ପ୍ରଣାଳୀ ଏବଂ ସାଧାରଣ ଜନତାଙ୍କ ଦୃଷ୍ଟିରେ ଉଚ୍ଚତମ ନ୍ୟାୟାଳୟର ଭାବମୂର୍ତ୍ତିକୁ ପ୍ରଭାବିତ କରିବ।’ ନ୍ୟାୟପାଳିକାରେ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମ୍‌ କୋର୍ଟର ପୂର୍ବତନ ବିଚାରପତିମାନେ ବିଭିନ୍ନ ସମୟରେ ଯେଉଁ ଟିପ୍ପଣୀ ପ୍ରଦାନ କରିଛନ୍ତି, ଆଡଭୋକେଟ୍ ପ୍ରଶାନ୍ତ ଭୂଷଣ ତାହା ସତ୍ୟପାଠ ମାଧ୍ୟମରେ ପ୍ରଦାନ କରିବା ସହିତ ନିଜସ୍ୱ ମତ ରଖିଥିଲେ- “୧୯୬୬ ମସିହାରେ ଡକ୍ଟର ଏସ୍‌. ଦତ୍ତ ବନାମ ଉତ୍ତର ପ୍ରଦେଶ ରାଜ୍ୟ ମାମଲାର ଶୁଣାଣି ସମୟରେ ମାନ୍ୟବର ସୁପ୍ରିମ୍‌ କୋର୍ଟ ଦୁର୍ନୀତିର ଯେଉଁ ସଂଜ୍ଞା ନିରୂପଣ କରିଥିଲେ ତାହା ହେଉଛି - ‘ଏହା କେବଳ ବିତ୍ତୀୟ ଭ୍ରଷ୍ଟାଚାର କିମ୍ବା ଆର୍ଥିକ ଲାଭରେ ସୀମିତ ନୁହେଁ; ନୈତିକତା ଆଧାରରେ ଯାହା ଭ୍ରାନ୍ତ ଏବଂ ନିକୃଷ୍ଟ, ବୃହତ୍ତର ପରିପ୍ରେକ୍ଷୀରେ ତାହା ହିଁ ଦୁର୍ନୀତି’; ମୁଁ ଏହି ଅର୍ଥରେ ‘ଦୁର୍ନୀତି’ ଶବ୍ଦ ପ୍ରୟୋଗ କରିଥିଲି।’’

୨୦୧୦ ମସିହାରେ ବରିଷ୍ଠ ଆଡଭୋକେଟ୍ ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ଶାନ୍ତି ଭୂଷଣ ନିଜକୁ ପୁତ୍ର ପ୍ରଶାନ୍ତ ଭୂଷଣଙ୍କ ସହିତ ପକ୍ଷ ରଖିବା ପାଇଁ ସୁପ୍ରିମ୍‌ କୋର୍ଟରେ ଆବେଦନ କରିବା ପରେ ମାମଲାର ମୋଡ଼ ବଦଳି ଯାଇଥିଲା। ଆବେଦନ ପତ୍ର ସହିତ ବରିଷ୍ଠ ଭୂଷଣ ମହୋଦୟ ଗୋଟିଏ ଜଉମୁଦ ଲଫାପାରେ ସୁପ୍ରିମ୍‌ କୋର୍ଟର ୧୬ ଜଣ ପୂର୍ବତନ ବିଚାରପତିଙ୍କ ମଧ୍ୟରୁ ୮ ଜଣ ଦୁର୍ନୀତିଗ୍ରସ୍ତ ବିଚାରପତିଙ୍କୁ ଚିହ୍ନଟ କରି ମାନ୍ୟବର ଅଦାଲତଙ୍କୁ ସେହି ନାମ ସାର୍ବଜନୀନ କରିବା ପାଇଁ ଆହ୍ୱାନ ଦେବା ସହିତ ମତ ରଖିଥିଲେ- ‘ଏଥି ମଧ୍ୟରୁ ୮ ଜଣ ନିଶ୍ଚିତ ଭାବେ ଦୁର୍ନୀତିଗ୍ରସ୍ତ, ୬ ଜଣ ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ଏବଂ ଅନ୍ୟ ୨ ଜଣଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ମତ ପ୍ରଦାନ ସମ୍ଭବ ନୁହେଁ। ...ଯେ ପର୍ଯ୍ୟନ୍ତ ନ୍ୟାୟପାଳିକାର ଭ୍ରଷ୍ଟାଚାର ବୃତ୍ତାନ୍ତ ଅନାବୃତ ହୋଇ ସର୍ବସାଧାରଣରେ ପ୍ରକାଶ ନ ପାଇଛି, ସେ ପର୍ଯ୍ୟନ୍ତ ଦେଶରେ ନ୍ୟାୟ ବ୍ୟବସ୍ଥା କାର୍ଯ୍ୟଦକ୍ଷ ହୋଇପାରିବ ନାହିଁ। ...ବର୍ତ୍ତମାନ ଏପରି ଏକ ଧାରଣା ସୃଷ୍ଟି ହୋଇଛି, ଯେଉଁମାନେ ଏହି କ୍ଷେତ୍ରରେ ଅଗ୍ରସର ହେଉଛନ୍ତି, ନ୍ୟାୟପାଳିକା ସେମାନଙ୍କୁ ଅଦାଲତ ଅବମାନନା ଅପରାଧରେ ଦଣ୍ଡ ଦେବା ପାଇଁ ପ୍ରୟାସ କରୁଛନ୍ତି।

ନ୍ୟାୟାଧୀଶଙ୍କର ପ୍ରତିଷ୍ଠା ଓ ବିଶ୍ୱସନୀୟତା ଏପରି ସ୍ୱଚ୍ଛ ହେବା ଆବଶ୍ୟକ ଯେମିତିକି ବାହାରର ଧୂଳିମଳି ସେମାନଙ୍କୁ ସ୍ପର୍ଶ କରିପାରିବ ନାହିଁ। ତାହା ସମ୍ଭବ ହେଲେ, ଆଉ ‘ଅଦାଲତ ଅବମାନନା’ ଶକ୍ତି ପ୍ରୟୋଗର ଆବଶ୍ୟକତା ପଡ଼ିବ ନାହିଁ।’ ବରିଷ୍ଠ ଆଡଭୋକେଟ୍‌ ଶାନ୍ତି ଭୂଷଣ ଜଉମୁଦ ଲଫାପା ଖୋଲି ଦୁର୍ନୀତିଗ୍ରସ୍ତ ବିଚାରପତିଙ୍କ ନାମ ଘୋଷଣା କରିବା ସହିତ ସେମାନଙ୍କ ସଂପର୍କରେ ତଦନ୍ତ ଆରମ୍ଭ କରିବା ପାଇଁ ଯେଉଁଭଳି ଦୃଢ଼ ସ୍ୱରରେ ଆହ୍ୱାନ ଦେଇଥିଲେ ଏବଂ ଆବଶ୍ୟକ ହେଲେ ‘ଅଦାଲତ ଅବମାନନା’ ଅପରାଧରେ ଜେଲ ଯିବାକୁ ପ୍ରସ୍ତୁତ ବୋଲି ଘୋଷଣା କରିଥିଲେ, ସେଥିରେ ଅଦାଲତ ଅଡୁଆରେ ପଡ଼ିଥିବେ, ଏଥିରେ ସନ୍ଦେହ ନାହିଁ। ତେଣୁ ମାମଲାର ପ୍ରାରମ୍ଭିକ ଶୁଣାଣି ପରେ ଆଠ ବର୍ଷ ବିତିଗଲା। ୨୦୨୦ ମସିହାରେ ପ୍ରଧାନ ବିଚାପତି ଏସ. ଏ. ବୋବଡ଼େ ଏବଂ ନ୍ୟାୟପାଳିକା ସଂପର୍କରେ ଦୁଇଟି ଟୁଇଟ୍ ପାଇଁ ପ୍ରଶାନ୍ତ ଭୂଷଣ ପୁନଶ୍ଚ ଅଦାଲତ ଅବମାନନା ମାମଲାରେ ସଂପୃକ୍ତ ହେବା ପରେ ପୁରୁଣା ମାମଲାର ଶୁଣାଣି ଆରମ୍ଭ ହେଲା। ହୋଇପାରେ, ପୁରୁଣା ମାମଲାକୁ ଖୋଲିବା ପାଇଁ ଏହା ଥିଲା ତାଙ୍କର ଅଭିନବ ପ୍ରୟାସ।

୨୦୨୦ ମସିହାରେ ନ୍ୟାୟମୂୂର୍ତ୍ତି ଅରୁଣ ମିଶ୍ର, ନ୍ୟାୟମୂର୍ତ୍ତି ବି. ଆର. ଗଭାଇ ଏବଂ ନ୍ୟାୟମୂର୍ତ୍ତି କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶାନ୍ତ ଭୂଷଣଙ୍କ ନୂଆ ଏବଂ ପୁରୁଣା ଉଭୟ ମାମଲାର ଶୁଣାଣି ଆରମ୍ଭ କଲେ। ଆଶା କରାଯାଉଥିଲା, ଏହି ଖଣ୍ଡପୀଠ ୨୦୦୯ ମସିହାର ମୂଳ ପ୍ରସଙ୍ଗ ଉପରେ ବିସ୍ତୃତ ତର୍ଜମା କରିବେ। ବିଚାରପତିଙ୍କ ଭ୍ରଷ୍ଟାଚାର ସଂପର୍କରେ ଯେତେ ଯାହା ତଥ୍ୟ ରହିଛି, ବିଶେଷ କରି ପ୍ରଶାନ୍ତ ଭୂଷଣ ତିନିଟି ସତ୍ୟପାଠ ଆଧାରରେ ଯେଉଁ ପ୍ରମାଣ ଦାଖଲ କରିଛନ୍ତି ଏବଂ ଶାନ୍ତି ଭୂଷଣ ଯେଉଁ ୮ ଜଣ ଭ୍ରଷ୍ଟାଚାରୀ ମୁଖ୍ୟ ବିଚାରପତିଙ୍କ ନାମ ଜଉମୁଦ ଲଫାପାରେ ବନ୍ଦ ରଖିଛନ୍ତି, ତାହା ସାର୍ବଜନୀନ ହୋଇଯିବ। ପ୍ରଧାନ ବିଚାରପତିଙ୍କ ଉପରେ ଟୁଇଟ୍‌ ନିମନ୍ତେ ପ୍ରଶାନ୍ତ ଭୂଷଣଙ୍କୁ କୋର୍ଟ ଅବମାନନା ଅପରାଧରେ ଗୋଟିଏ ଟଙ୍କା ଜରିମାନା କରିଥିଲେ।

୨୦୨୨ ମସିହାରେ ମଧ୍ୟ ଅସଲ ପ୍ରସଙ୍ଗ ସଂପର୍କରେ ନିରବ ରହି କେବଳ ପ୍ରଶାନ୍ତ ଭୂଷଣଙ୍କ ସ୍ପଷ୍ଟୀକରଣ ଏବଂ ‘ତେହେଲକା’ ପତ୍ରିକାର ସଂପାଦକ ତରୁଣ ତେଜ୍‌ପାଲଙ୍କ କ୍ଷମା ପ୍ରାର୍ଥନା ଆଧାରରେ ମାମଲା ପ୍ରତ୍ୟାହାର କରି ନିଆଗଲା ଏବଂ ବିଚାରପତିଙ୍କ ଦୁର୍ନୀତି ପ୍ରସଙ୍ଗ ଯେମିତି ଥିଲା ସେଇମିତି ରହିଗଲା। ୨୦୨୦ ମସିହା ଅଗଷ୍ଟ ମାସରେ ମାମଲାର ଶୁଣାଣି ସମୟରେ ନ୍ୟାୟମୂର୍ତ୍ତି ଅରୁଣ ମିଶ୍ର, ଦେଶର ଆଟର୍ଣ୍ଣି ଜେନେରାଲ କେ. କେ. ବେଣୁଗୋପାଳଙ୍କ ମତ ଲୋଡ଼ିଥିଲେ। ସେହି ପରିପ୍ରେକ୍ଷୀରେ ଆଟର୍ଣ୍ଣି ଜେନେରାଲ ଯେଉଁ ଉକ୍ତି ରଖିଥିଲେ, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ- ‘ସୁପ୍ରିମ୍‌ କୋର୍ଟର ନଅ ଜଣ ବିଚାରପତି ଉଚ୍ଚତମ ନ୍ୟାୟାଳୟର ଦୁର୍ନୀତି ସଂପର୍କରେ ସ୍ପଷ୍ଟ ମତ ରଖିଛନ୍ତି ଏବଂ ସେ ସମସ୍ତ ତଥ୍ୟ ମୋ ନିକଟରେ ମହଜୁଦ ରହିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଚାକିରି କାଳରେ ମତ ଦେଇଥିବା ବେଳେ, ଅନ୍ୟ ସାତ ଜଣ ଅବସର ପରେ ଏ ସୂଚନା ପ୍ରଦାନ କରିଛନ୍ତି।’ କିନ୍ତୁ ଖଣ୍ଡପୀଠ ଏହା ଶୁଣିବା ପାଇଁ ପ୍ରସ୍ତୁତ ନ ଥିବାରୁ ତାଙ୍କୁ ଅଧାରୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଚ୍ଚତମ ନ୍ୟାୟାଳୟରେ ଆଟର୍ଣ୍ଣି ଜେନେରାଲଙ୍କ ଏହି ଘୋଷଣା, ଦୁର୍ନୀତିଗ୍ରସ୍ତ ବିଚାରପତିଙ୍କ ସଂପର୍କରେ ପ୍ରମାଣ ଭାବେ ଗ୍ରହଣ କରାଯାଇପାରେ।

ନ୍ୟାୟାଧୀଶ ଅରୁଣ ମିଶ୍ର ୨୦୨୦ ମସିହା ସେପ୍ଟେମ୍ବର ୨ ତାରିଖରେ ସୁପ୍ରିମ୍‌ କୋର୍ଟରୁ ଅବସର ନେଲେ। ଜଷ୍ଟିସ୍‌ ମିଶ୍ର ଅଗଷ୍ଟ ମାସରେ ଅଦାଲତ ଅବମାନନା ମାମଲା ଶୁଣାଣି ସମୟରେ ପ୍ରଶାନ୍ତ ଭୂଷଣଙ୍କ ଉଦ୍ଦେଶ୍ୟରେ ତିନିଟି ପ୍ରଶ୍ନ ରଖିଥିଲେ- ‘କେହି ବ୍ୟକ୍ତି ନ୍ୟାୟାଧୀଶ କିମ୍ବା ନ୍ୟାୟପାଳିକା ଭ୍ରଷ୍ଟାଚାର ସଂପର୍କରେ ବିବୃତି ପ୍ରଦାନ କରିପାରିବେ କି? ଯଦି ହଁ: କେଉଁ ପରିସ୍ଥିତିରେ ତାହା କରିପାରିବେ ଏବଂ ତାହାର ବିଧିବ୍ୟବସ୍ଥା କ’ଣ ରହିବା ସମୀଚୀନ ହେବ?’ ଆଗାମୀ ତାରିଖରେ ଏହା ଉପରେ ଶୁଣାଣି ହେବ ବୋଲି ସେ ସୂଚନା ଦେଇଥିଲେ।

ପ୍ରଶାନ୍ତ ଭୂଷଣ ମଧ୍ୟ ତାଙ୍କ ଓକିଲ କାମିନୀ ଜୈସୱାଲଙ୍କ ମାଧ୍ୟମରେ ଅଦାଲତଙ୍କ ଉଦ୍ଦେଶ୍ୟରେ ଦଶଟି ପ୍ରଶ୍ନ ରଖିଥିଲେ ଏବଂ ସମ୍ବିଧାନିକ ପୀଠରେ ଏହାର ତର୍ଜମା ପାଇଁ ଆବେଦନ କରିଥିଲେ। ସେଥିରୁ ପ୍ରମୁଖ ଦୁଇଟି ହେଉଛି- ‘ନ୍ୟାୟପାଳିକାର କୌଣସି କ୍ଷେତ୍ରରେ ଭ୍ରଷ୍ଟାଚାର ସଂପର୍କରେ ପ୍ରାମାଣିକ ତଥ୍ୟର ଅଭିବ୍ୟକ୍ତି, ଅଦାଲତ ଅବମାନନା ଅପରାଧ ଭାବେ ଗ୍ରହଣ କରାଯିବ କି? ଯଦି ଉତ୍ତର ସକାରାତ୍ମକ ରହେ, ତେବେ ସେହି ବ୍ୟକ୍ତି ତାହା ପ୍ରମାଣ କରିବା ପାଇଁ ବାଧ୍ୟ ହେବେ କି?’ ଏଥି ସହିତ ଆହୁରି ଅନେକ ପ୍ରଶ୍ନ ମନକୁ ଆନ୍ଦୋଳିତ କରେ। କିନ୍ତୁ ମାମଲା ପ୍ରତ୍ୟାହାର ହେବା ପରେ ସବୁ ପ୍ରଶ୍ନ ଅସମାହିତ ରହିଗଲା।

୧୯୯୧ ମସିହା ବୀରାସ୍ୱାମୀ ମାମଲାରେ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି- ‘ମୁଖ୍ୟ ବିଚାରପତିଙ୍କ ବିନା ଅନୁମୋଦନରେ ହାଇକୋର୍ଟର ବିଚାରପତି, ମୁଖ୍ୟ ବିଚାରପତି ଏବଂ ସୁପ୍ରିମ୍‌ କୋର୍ଟର ବିଚାରପତିଙ୍କ ବିରୋଧରେ ପୁଲିସ କିମ୍ବା କୌଣସି ତଦନ୍ତକାରୀ ସଂସ୍ଥା ଅପରାଧିକ ମାମଲା ପଞ୍ଜୀକରଣ କରିପାରିବେ ନାହିଁ। ଯଦି ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତିଙ୍କ ନାମରେ କୌଣସି ଅପରାଧିକ ଅଭିଯୋଗ ଥାଏ, ତେବେ ସୁପ୍ରିମ୍‌ କୋର୍ଟର ବରିଷ୍ଠ ନ୍ୟାୟାଧୀଶଙ୍କ ଅନୁମୋଦନ ଆବଶ୍ୟକ।’ ଶକ୍ତିଶାଳୀ ରାଜନେତା, ପ୍ରଭାବଶାଳୀ ପ୍ରଶାସକ ଏବଂ ବିତ୍ତଶାଳୀ ବ୍ୟବସାୟୀଙ୍କ ଚାପରୁ ବିଚାରପତିଙ୍କୁ ମୁକ୍ତ ରଖିବା ପାଇଁ ଏହି ରାୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ଆଜି ମଧ୍ୟ ବିଚାରପତିଙ୍କ ସୁରକ୍ଷା କବଚ ଭାବେ କାର୍ଯ୍ୟ କରୁଛି।

୧୯୯୭ ମାର୍ଚ୍ଚ ମାସରେ ନ୍ୟାୟମୂର୍ତ୍ତି ଜଗଦୀଶ ଶରଣ ବର୍ମା ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ଗ୍ରହଣ କରିବା ପରେ ମେ ୭ ତାରିଖରେ, ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ଅବସରରେ, ପୂର୍ଣ୍ଣ ନ୍ୟାୟାଳୟ ବୈଠକ (ଫୁଲ୍ କୋର୍ଟ ମିଟିଂ) ଆହ୍ୱାନ କରିଥିଲେ, ଯେଉଁଥିରେ ନ୍ୟାୟାଳୟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ। କେବଳ ସ୍ୱତନ୍ତ୍ର ପରିସ୍ଥିତିରେ ଏଭଳି ଆହ୍ୱାନ କରାଯାଇଥାଏ। ଏହି ଅଧିବେଶନରେ, ଦାୟିତ୍ୱରେ ଅବହେଳାଜନିତ ତ୍ରୁଟିବିଚ୍ୟୁତି କାରଣରୁ ଯେଉଁ ବିଚାରପତିମାନେ ବୃତ୍ତିଗତ ଜୀବନରେ ସ୍ୱୀକୃତ ନ୍ୟାୟିକ ମୂଲ୍ୟବୋଧ ପାଳନ କରୁନାହାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏକ ଆଭ୍ୟନ୍ତରୀଣ ବିଧିବ୍ୟବସ୍ଥା ପ୍ରତିଷ୍ଠା ଦାୟିତ୍ୱ ମୁଖ୍ୟ ବିଚାରପତିଙ୍କ ଉପରେ ନ୍ୟସ୍ତ ରହିଲା।

ନ୍ୟାୟାଳୟ ଦ୍ୱାରା ପ୍ରତିପାଦିତ ନ୍ୟାୟିକ ମୂଲ୍ୟବୋଧ ହିଁ ସ୍ୱାଧୀନ, ଶକ୍ତିଶାଳୀ ଏବଂ ସମ୍ମାନିତ ନ୍ୟାୟପାଳିକା ନିମନ୍ତେ ଅପରିହାର୍ଯ୍ୟ ଏବଂ ତାହା ହିଁ ବିଚାରପତିଙ୍କୁ ମାର୍ଗଦର୍ଶନ କରିବ ବୋଲି ସ୍ଥିରୀକୃତ ହେଲା। କେତେକ ପ୍ରମୁଖ ମାର୍ଗଦର୍ଶନ ହେଲା- ପ୍ରତ୍ୟେକ ବିଚାରପତି ନିଜ ନାମରେ ଅଥବା ପତି/ପତ୍ନୀଙ୍କ ନାମରେ ଥିବା ସ୍ଥାବର/ଅସ୍ଥାବର ସଂପତ୍ତି ତାଲିକା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ମୁଖ୍ୟ ବିଚାରପତିଙ୍କୁ ପ୍ରଦାନ କରିବେ; ଆତ୍ମୀୟ, ସଂପର୍କୀୟ ଅଥବା ଘନିଷ୍ଠ ବନ୍ଧୁଙ୍କ ବ୍ୟତିରେକେ ଅନ୍ୟ କାହାରି ଠାରୁ ଉପହାର ଗ୍ରହଣ କରିବେ ନାହିଁ ଇତ୍ୟାଦି। ଏହି ମାର୍ଗଦର୍ଶନ ତାଲିକାକୁ ବୃତ୍ତିଗତ ଉତ୍କର୍ଷର ମାନଦଣ୍ଡ ଭାବେ ଗ୍ରହଣ କରାଗଲା। କିନ୍ତୁ ସମୟକ୍ରମେ କିଛି ବିଚାରପତି ଏହି ସଂକଳ୍ପକୁ ପାସୋରି ଗଲେ।
ମୋ- ୯୪୩୭୧୯୧୩୫୦