ପଦଯାତ୍ରାର ଜନକ ଗାନ୍ଧୀଜୀ

ଗାନ୍ଧୀ ଦୃଷ୍ଟି - ଗୌରାଙ୍ଗ ଚରଣ ପରିଡ଼ା

ଏହା ନିଃସନ୍ଦେହ ଯେ ଆଧୁନିକ ରାଜନୈତିକ ପଦଯାତ୍ରାର ଜନକ ହେଉଛନ୍ତି ମୋହନଦାସ କରମଚାନ୍ଦ ଗାନ୍ଧୀ। ଗାନ୍ଧୀ ସତ୍ୟାଗ୍ରହରେ ପଦଯାତ୍ରା ଥିଲା ଆନ୍ଦୋଳନର ଏକ ଅହିଂସ ଉପାୟ। କୌଣସି ଲୋକବିରୋଧୀ ସରକାରୀ ନିଷ୍ପତ୍ତିର ପରିବର୍ତ୍ତନ ଏବଂ ଜନସଚେତନତା ପାଇଁ ଗାନ୍ଧୀ ତାଙ୍କ ସତ୍ୟାଗ୍ରହ ପ୍ରକ୍ରିୟାରେ ଶାନ୍ତିପୂର୍ଣ୍ଣ ପଦଯାତ୍ରାର ପ୍ରୟୋଗ କରୁଥିଲେ।

ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ସମସ୍ୟା ନେଇ ୧୯୦୬ ମସିହାରେ ଗାନ୍ଧୀଜୀ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ସମୟ ସମୟରେ ସେଠି ସେ ପଦଯାତ୍ରା କରୁଥିଲେ। ପଦଯାତ୍ରାରେ କିଛି ସ୍ଲୋଗାନ୍‌ ଦିଆଯାଉ ନଥିଲା। ହୋ ହାଲ୍ଲା କିଛି ନଥିଲା। ନିରବ ପଦଯାତ୍ରାର ସନ୍ଦେଶ କିନ୍ତୁ ଖୁବ୍ ବିସ୍ଫୋରକ ଥିଲା।

ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଙ୍କର ଶେଷ ପଦଯାତ୍ରା ଥିଲା ୧୯୧୩ ମସିହା ଅକ୍ଟୋବର ୨୫ ତାରିଖରେ। ଏ ଯାତ୍ରା ଥିଲା ଦର୍ବାନରୁ ଜୋହାନ୍‌ସବର୍ଗର ଟଲଷ୍ଟୟ ଫାର୍ମ ପର୍ଯ୍ୟନ୍ତ। ତିନି ଶହ ମାଇଲ ଦୂରତାର ଏ ଦୀର୍ଘ ଯାତ୍ରା। ଯାତ୍ରା ମଝିରେ ଗାନ୍ଧୀଙ୍କୁ ଗିରଫ କରାଯାଇଥିଲେ ବି ଅହିଂସ ପଦଯାତ୍ରାରେ ଗାନ୍ଧୀଙ୍କର ସେମିତି କିଛି ଅପରାଧ ନାହିଁ କହି ବିଚାରପତି ଗାନ୍ଧୀଙ୍କୁ ଛାଡ଼ି ଦେଇଥିଲେ। ଦକ୍ଷିଣ ଆଫ୍ରିକାରେ ରହୁଥିବା ଭାରତୀୟଙ୍କ କାମ କରିବାର ଅଧିକାର ଏବଂ ସ୍ଥାୟୀ ଘର କରି ରହିବାର ଅଧିକାର ଦାବି ନେଇ ଗାନ୍ଧୀଙ୍କର ଏ ପଦଯାତ୍ରା ଥିଲା।

ଗାନ୍ଧୀଙ୍କ ୧୯୧୩ ମସିହା ପଦଯାତ୍ରା ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଥିଲା। ପଦଯାତ୍ରା ଶେଷରେ ଦକ୍ଷିଣ ଆଫ୍ରିକାର ଶାସକ ଜେନେରାଲ ସ୍ମଟସ୍ ଗାନ୍ଧୀଙ୍କର ସବୁ ଦାବି ଦକ୍ଷିଣ ଆଫ୍ରିକୀୟ ସରକାର ମାନିନେଲେ ବୋଲି ଘୋଷଣା କରିଥିଲେ।

୧୯୧୫ ମସିହା ଜାନୁଆରି ୯ ତାରିଖରେ ଗାନ୍ଧୀଜୀ ଭାରତକୁ ସବୁଦିନ ପାଇଁ ଫେରି ଆସିବା ପରେ ଗାନ୍ଧୀ ସତ୍ୟାଗ୍ରହରେ ପଦଯାତ୍ରା ଏକ ଅବିଚ୍ଛେଦ୍ୟ ଅଂଶ ହୋଇଯାଇଥିଲା। ଲୋକଙ୍କ ସମସ୍ୟା ସହ ତୃଣମୂଳରେ ପରିଚିତ ହେବାକୁ ପଦଯାତ୍ରା ଥିଲା ଏକ ମାଧ୍ୟମ।

ଭାରତରେ ଗାନ୍ଧୀଜୀ ତାଙ୍କ ତେତିଶ ବର୍ଷର ସ୍ୱାଧୀନତା ସଂଗ୍ରାମ ଭିତରେ ଅନେକ ପଦଯାତ୍ରା କରିଥିଲେ। ସେଥିରେ ତିନିଟି ବୃହତ୍ ଐତିହାସିକ ପଦଯାତ୍ରା ଥିଲା- ୧୯୩୦ ମସିହାର ଦାଣ୍ଡି ଯାତ୍ରା, ୧୯୩୪ର ହରିଜନ ପଦଯାତ୍ରା ଏବଂ ୧୯୪୭ ମସିହାର ନୂଆଖାଲି ପଦଯାତ୍ରା।

ଗାନ୍ଧୀଜୀଙ୍କ ଦାଣ୍ଡି ଯାତ୍ରା ଥିଲା ସାବରମତୀରୁ ଦାଣ୍ଡି ପର୍ଯ୍ୟନ୍ତ ଦୁଇଶହ ଏକଚାଳିଶ ମାଇଲର ଏକ ଦୀର୍ଘ ପଦଯାତ୍ରା। ଦାଣ୍ଡି ସମୁଦ୍ରକୂଳରେ ପହଞ୍ଚି ଇଂରେଜ ସରକାରଙ୍କ ଲୁଣ ଆଇନ ଭାଙ୍ଗିବା ଥିଲା ଏ ଯାତ୍ରାର ଉଦ୍ଦେଶ୍ୟ। ୧୯୩୦ ମାର୍ଚ୍ଚ ୧୨ ତାରିଖରେ ଏକଷଠୀ ବର୍ଷୀୟ ଗାନ୍ଧୀଜୀ ୭୮ ଜଣ ପଦଯାତ୍ରୀଙ୍କୁ ନେଇ ସାବରମତୀ ଆଶ୍ରମରୁ ପଦଯାତ୍ରା ଆରମ୍ଭ କରିଥିଲେ। ପ୍ରତିଦିନ ଗାନ୍ଧୀଜୀ ଆଠରୁ ଦଶ ମାଇଲ ଚାଲୁଥିଲେ। ସନ୍ଧ୍ୟାରେ ରାସ୍ତା ପାଖ ଗାଁରେ ବିଶ୍ରାମ ନେଇ ଲୋକମାନଙ୍କୁ ନିଶା ନିବାରଣ, ଅସ୍ପୃଶ୍ୟତା ଦୂରୀକରଣ, ଖଦି ପ୍ରସାର ଏବଂ ସ୍ୱଚ୍ଛତା ସମ୍ପର୍କରେ ବୁଝାଉଥିଲେ। ପଚିଶ ଦିନର ଦୀର୍ଘ ପଦଯାତ୍ରା ଶେଷରେ ଏପ୍ରିଲ ୬ ତାରିଖରେ ଗାନ୍ଧୀଜୀ ଦାଣ୍ଡି ସମୁଦ୍ର କୂଳରେ ସମୁଦ୍ର ପାଣିରୁ ଲୁଣ ମାରିଥିଲେ।

୧୯୩୪ ମସିହା ମେ ୯ ତାରିଖ ଖରାରେ ଓଡ଼ିଶାର ପୁରୀରୁ ଗାନ୍ଧୀ ଆରମ୍ଭ କରିଥିବା ‘ହରିଜନ ପଦଯାତ୍ରା’ ଥିଲା ଅନନ୍ୟ। ଏ ଯାତ୍ରା ଥିଲା ଗାନ୍ଧୀଜୀଙ୍କ ପାଇଁ ଏକ ଧାର୍ମିକ ତୀର୍ଥଯାତ୍ରା ପରି ପବିତ୍ର। ଅସ୍ପୃଶତା ଦୂରୀକରଣ, ଦଳିତଙ୍କ ମନ୍ଦିର ପ୍ରବେଶ, ହିନ୍ଦୁ ଧର୍ମରେ ସଂସ୍କାର ଆଦି ପ୍ରସଙ୍ଗ ନେଇ ଥିଲା ଏ ପଦଯାତ୍ରା।
ଓଡ଼ିଶାରେ ପଦଯାତ୍ରା ପାଇଁ ଗାନ୍ଧୀଜୀ ପୁରୀରେ ପହଞ୍ଚି ଯାଇଥିଲେ ୧୯୩୪ ମେ ୭ ତାରିଖ ସନ୍ଧ୍ୟାରେ। ସମୁଦ୍ରକୂଳ ଭାଗଲପୁର କୋଠିରେ ରହୁଥିଲେ। ମେ ୮ ତାରିଖରେ ସିଂହଦ୍ୱାର ନିକଟରେ ସ୍ବର୍ଗତ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ଥିଲା ଗାନ୍ଧୀଙ୍କର।

ପ୍ରତିମୂର୍ତ୍ତି ଲୋକାର୍ପଣ ପରେ ପୁରୀ ବଡ଼ଦାଣ୍ଡରେ ସମବେତ ଜନତାଙ୍କୁ ଗାନ୍ଧୀ ଯେଉଁ ଭାଷଣ ଦେଇଥିଲେ ତା’ ଥିଲା ବେଶ୍ ଆବେଗପୂର୍ଣ୍ଣ। ଗାନ୍ଧୀଙ୍କର ସେ ଐତିହାସିକ ବକ୍ତବ୍ୟ ଥିଲା, ‘ମୁଁ ‘ଜଗନ୍ନାଥପୁରୀ’ରୁ ମୋ ପଦଯାତ୍ରା ଆରମ୍ଭ କରି ଖୁବ୍ ଖୁସି। ବିଶ୍ୱ ଠାକୁର ଶ୍ରୀ ଜଗନ୍ନାଥଙ୍କ ଧାମ ହେଉଛି ପୁରୀ, ଯେଉଁଠି ଜାତି, ଶ୍ରେଣୀ ନିର୍ବିଶେଷରେ ଲୋକେ ଭଗବାନଙ୍କ ପ୍ରସାଦ ସେବନ କରନ୍ତି; ଛୁଆଁ ଅଛୁଆଁ ଭେଦଭାବ ଏଠି ନଥାଏ। ଅତ୍ୟନ୍ତ ଗଭୀର ଭାବେ ସମାଜକୁ ଗ୍ରାସ କରିଥିବା ଅସ୍ପୃଶ୍ୟତାର ଦୂରୀକରଣ ପାଇଁ ତପସ୍ୟା ଦରକାର। ପୁରୀ-କଟକ ରାସ୍ତାରେ ସେ ତପସ୍ୟା ପଦଯାତ୍ରାରେ ମୁଁ ଅଛି। ଗାଁ ଲୋକ ଚାହିଁଲେ ମୋ ସହ ଯାତ୍ରା କରିପାରିବେ। ମୋ ପାଦ କିନ୍ତୁ ଛୁଇଁବେ ନାହିଁ। ଗହଳି କରିବେନି। ମୋ ସହ ଶାନ୍ତି ରକ୍ଷା କରି ଚାଲିବେ।’

୧୯୩୪ ମସିହା ମେ ୯ ତାରିଖ ସକାଳେ ଗାନ୍ଧୀଜୀ ପୁରୀ ବଡ଼ଦାଣ୍ଡରୁ ପାଦଯାତ୍ରା ଆରମ୍ଭ କଲାବେଳେ ଦାଣ୍ଡର ଦୁଇ ପାଖେ ଶହ ଶହ ଲୋକ ଛିଡ଼ା ହୋଇ ଯାଇଥିଲେ। ଗାନ୍ଧୀ ଆଗରେ ଚାଲୁଥିଲେ। ପଛରେ ମହିଳା ପଦଯାତ୍ରୀ ଥିଲେ। ମହିଳା ପଦଯାତ୍ରୀଙ୍କ ଭିତରେ ଓଡ଼ିଶାରୁ ଥିଲେ ସୁନାମଣୀ ଦେବୀ ଓ ମା’ ରମାଦେବୀ।

ଗାନ୍ଧୀଙ୍କର ସମସ୍ତ ପଦଯାତ୍ରା ଯେତିକି ରାଜନୈତିକ ଥିଲା ତା’ ଠାରୁ ବେଶୀ ଆଧ୍ୟାତ୍ମିକ ଥିଲା। ଅସଲ କଥା ହେଲା ୧୯୪୮ ମସିହା ପ୍ରଥମାର୍ଦ୍ଧରେ ଭାରତ ଓ ପାକିସ୍ତାନର ପୁନଃମିଶ୍ରଣ ଏବଂ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ଗାନ୍ଧୀଜୀ ପାକିସ୍ତାନରେ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା ନିମନ୍ତେ ଯୋଜନା କରିଥିଲେ। ୧୯୪୮ ଫେବ୍ରୁଆରିରେ ଗାନ୍ଧୀଜୀ କିଛିଦିନ ବିଶ୍ରାମ ନେଲା ପରେ ପାକିସ୍ତାନ ଯାଇ ପାକିସ୍ତାନର ସିନ୍ଧ, କରାଚି, ଲାହୋରରେ ଏଇ ପଦଯାତ୍ରା ଆରମ୍ଭ କରିଥାଆନ୍ତେ। ଗାନ୍ଧୀଜୀ ପାକିସ୍ତାନ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଥିଲେ। ଦୁର୍ଭାଗ୍ୟ ଯେ ଜାନୁଆରି ୩୦ ତାରିଖରେ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା।
ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ଗାନ୍ଧୀଙ୍କ ପଦଯାତ୍ରାର ଧାରା ଆଜି ସମଗ୍ର ବିଶ୍ୱରେ ଦ୍ୱନ୍ଦ୍ୱ ସମାଧାନର ଏକ ଅହିଂସ ତଥା ପ୍ରଭାବଶାଳୀ ପ୍ରକ୍ରିୟା ହୋଇଯାଇଛି। ଏହା ଗାନ୍ଧୀ ବିସ୍ମୟ।
ମୋ: ୯୮୬୧୪୬୯୩୨୮

ସମ୍ବନ୍ଧିତ ଖବର