ବାଟର ଦୋଷ

ଓଡ଼ିଆରେ ଏକ ଢଗ ଅଛି: ‘ଚାଲି ନ ଜାଣି ବାଟର ଦୋଷ’ (ଅନ୍ୟାନ୍ୟ ଅନେକ ଭାଷାରେ ଏହାର ଅନୁରୂପ ସଂସ୍କରଣ ମାନ ପ୍ରଚଳିତ ଅଛି)। ଅଳ୍ପ ଦିନ ତଳେ ଏକ କାର୍‌ ଦୁର୍ଘଟଣାରେ ଅନ୍ୟତମ ପ୍ରମୁଖ ଉଦ୍ୟୋଗପତି ସାଇରସ୍‌ ମିସ୍ତ୍ରୀଙ୍କର ଅକାଳ ବିୟୋଗ ଘଟିବା ପରେ ଯାହା ଦେଶବ୍ୟାପୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି, ତାହା ହେଲା- ସାଇରସ୍‌ ମିସ୍ତ୍ରୀ ସିଟ୍‌ବେଲ୍‌ଟ ନ ବାନ୍ଧି ଗାଡ଼ିର ପଛ ସିଟ୍‌ରେ ବସି ଥିବାରୁ ଏଭଳି ମରଣାନ୍ତକ ଦୁର୍ଦ୍ଦଶାର ଶିକାର ହେଲେ। ଅର୍ଥାତ୍‌ ଜଣେ ଚାଲି ନ ଜାଣିବା ଭଳି ସେ ଗାଡ଼ିରେ ବସି ନ ଜାଣିଥିବାରୁ ତାଙ୍କ ପାଇଁ ଅନ୍ତିମ ପରିଣତି ଏଭଳି ହେଲା।

ଭାରତରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ସଂଖ୍ୟକ ଲୋକ ମଟର ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଥାନ୍ତି, ଯାହା ହେଉଛି ପୃଥିବୀରେ ସର୍ବାଧିକ। ସେମାନଙ୍କ ମଧ୍ୟରୁ ନିଶ୍ଚିତ ରୂପେ ଅନେକ ମିସ୍ତ୍ରୀଙ୍କ ପରି ବେଲ୍‌ଟ ନ ବାନ୍ଧି ଗାଡ଼ିର ପଛ ସିଟ୍‌ରେ ବସିଥିବେ। କିନ୍ତୁ ମିସ୍ତ୍ରୀଙ୍କ ଖ୍ୟାତି ଯୋଗୁଁ ଏହା ଉଭୟ ସରକାର ଓ ଜନସାଧାରଣଙ୍କ ଠାରେ ଯେଉଁଭଳି ମାନସିକ ଧକ୍‌କା ସୃଷ୍ଟି କରିଛି, ତାହା ପୂର୍ବରୁ କେବେ ଦେଖାଯାଇନଥିଲା। ଏହାର ଏକ ପ୍ରତିକ୍ରିୟା ସ୍ବରୂପ ସରକାର ଏଣିକି କାର୍‌ ପଛ ସିଟ୍‌ର ଯାତ୍ରୀମାନଙ୍କ ପାଇଁ ସିଟ୍‌ବେଲ୍‌ଟ ବାନ୍ଧିବା ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ସାଇରସ୍‌ ମିସ୍ତ୍ରୀଙ୍କ ଗାଡ଼ିଟି ଦୁର୍ଘଟଣା ଘଟାଇବାର କାରଣ ଅବଶ୍ୟ ସିଟ୍‌ବେଲ୍‌ଟ ନୁହେଁ। ଗାଡ଼ିର ଚାଳିକା‌ ଡାକ୍ତର ଅନାହିତା ପାଣ୍ଡୋଲେ ଅତି ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଇଥିଲେ ବୋଲି ବିଶ୍ବାସ କରାଯାଉଛି। ଏହା ମଧ୍ୟ ଚାଲି ନ ଜାଣିବା ସଦୃଶ। ଦୁର୍ଘଟଣାରେ ସାଇରସ୍‌ ଓ ତାଙ୍କର ପଛ ସିଟ୍‌ରେ ବେଲ୍‌ଟ ନ ବାନ୍ଧି ବସିଥିବା ଆଉ ଜଣେ ବନ୍ଧୁ ପ୍ରାଣ ହରାଇଥିଲେ ଏବଂ ଆଗ ସିଟ୍‌ରେ ବେଲ୍‌ଟ ବାନ୍ଧି ଗାଡ଼ି ଚଳାଉଥିବା ଅନାହିତା ଗୁରୁତର ଆହତ ହୋଇଥିଲେ ଓ ବେଲ୍‌ଟ ବାନ୍ଧି ବସିଥିବା ତାଙ୍କର ସ୍ବାମୀ ମଧ୍ୟ ଆହତ ହୋଇଥିଲେ।

ଯଦି ଦୁର୍ଘଟଣାରେ ମୃତାହତମାନଙ୍କର ଏହି ଦଶା ପାଇଁ କେବଳ ଉପରୋକ୍ତ ଦୁଇଟି କାରଣକୁ ଦାୟୀ କରାଯାଏ- ସିଟ୍‌ବେଲ୍‌ଟ ବ୍ୟବହାର ନ କରିବା ଓ ଦ୍ରୁତ ବେଗରେ ଗାଡ଼ି ଚଳାଇବା- ତେବେ ବସ୍ତୁତଃ ଏହା ହେବ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ କେବଳ ସେଇମାନଙ୍କୁ ଦାୟୀ କରିବା ଭଳି, ଯେଉଁମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏଭଳି ଆଭିମୁଖ୍ୟକୁ କୁହାଯାଇଥାଏ ପୀଡ଼ିତଙ୍କ ଉପରେ ଦୋଷ ଲଦିବା ଆଭିମୁଖ୍ୟ। ଏକ ଉଦାହରଣ ସ୍ବରୂପ, ଯଦି ସହରର ଏକ ନିଛାଟିଆ ରାସ୍ତାରେ ଯିବା ବେଳେ ‌ଜଣେ ବ୍ୟକ୍ତି ଡକାୟତିର ଶିକାର ହୁଅନ୍ତି ଏବଂ ପୁଲିସ୍‌ ଏଥିପାଇଁ ତାଙ୍କୁ ହିଁ ଦାୟୀ କରେ, କାରଣ ସେ ନିଛାଟିଆ ରାସ୍ତାରେ ଯିବା ଉଚିତ ନ ଥିଲା, ତାହା ପୁଲିସ୍‌ ନିଜର ଅବହେଳା ବା ଅପାରଗତା ଘୋଡ଼ାଇବାକୁ ଯାଇ ପୀଡ଼ିତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଏକ ଉଦ୍ୟମ ନୁହେଁ କି?

ହୁଏତ ପାଲ୍‌ଘର୍‌ ଠାରେ ଘଟିଥିବା ଉପରୋକ୍ତ ଦୁର୍ଘଟଣାରେ ଚାଲି ନ ଜାଣିବା ପରି ଦୁଇ ଜଣ ମୃତକ ଗାଡ଼ିରେ ଠିକ୍‌ ଭାବରେ ବସି ଜାଣି ନ ଥି‌େଲ ଓ ଗୁରୁତର ଆହତ ଚାଳିକା ଜଣକ ଠିକ୍‌ ଭାବରେ ଗାଡ଼ି ଚଳାଇ ଜାଣିନଥିଲେ; କିନ୍ତୁ ଏହି ଟ୍ରାଜେଡ଼ିରେ ଘନିଷ୍ଠ ଭାବରେ ସମ୍ପୃକ୍ତ ଥିବା ତୃତୀୟ ଚରିତ୍ର କ’ଣ ସମ୍ପୂର୍ଣ୍ଣ ରୂପେ ନିର୍ଦ୍ଦୋଷ? ଏ ଚରିତ୍ରଟି ଅବଶ୍ୟ ହେଉଛି ଉପରୋକ୍ତ ଢଗର- ‘ବାଟ’। ଏଠାରେ ଯୁକ୍ତିଯୁକ୍ତ ଭାବରେ ଯେଉଁ ପ୍ରଶ୍ନ ମୁଣ୍ଡ ଟେକୁଛି, ତାହା ହେଲା- ଯେଉଁ ବାଟ ବା ରାସ୍ତା ବା ରାଜପଥରେ ଅନାହିତାଙ୍କ ଗାଡ଼ି ଗଡୁଥିଲା, ଦୁର୍ଘଟଣା ଓ କ୍ଷୟକ୍ଷତି ଘଟିବାରେ ସେ ରାସ୍ତାର ମଧ୍ୟ କିଛି ଭୂମିକା ରହିଛି କି?

ସାମ୍ପ୍ରତିକ ସଡ଼କ ନିରାପତ୍ତା ବିଶେଷଜ୍ଞମାନଙ୍କ ମତ ଅନୁସାରେ ସଡ଼କ ବ୍ୟବହାରକାରୀମାନଙ୍କ ନିରାପତ୍ତା ସେମାନଙ୍କ ଆଚରଣ ଉପରେ ନିର୍ଭର କରେ ବୋଲି ଧରି ନ ନେଇ ନିର୍ମିତ ସଡ଼କ ଏମିତି ଉଚ୍ଚ ମାନର ହୋଇଥିବା ଦରକାର ଯେମିତି ‌ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହେବାର ସମ୍ଭାବନା ନ୍ୟୂନତମ ହେବ ତଥା ଯଦି ବି ଦୁର୍ଘଟଣାଗ୍ରସ୍ତ ହୁଏ, ତେବେ ଆ‌େରାହୀମାନଙ୍କର କ୍ଷୟକ୍ଷତି ସର୍ବନିମ୍ନ ସମ୍ଭବ ହେବ। ଏଭଳି ରାସ୍ତାକୁ ‘କ୍ଷମାଶୀଳ’ ରାସ୍ତା ରୂପେ ଅଭିହିତ କରାଯାଉଛି। ଏ ରାସ୍ତା ତା’ର ବ୍ୟବହାରକାରୀମାନଙ୍କର ଆଚରଣରେ କୌଣସି ତ୍ରୁଟିବିଚ୍ୟୁତି (ଯେମିତି ସିଟ୍‌ ବେଲ୍‌ଟ ନ ବାନ୍ଧିବା କିମ୍ବା ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଇତ୍ୟାଦି) ଘଟିଲେ, ସେଥିପାଇଁ ସେମାନଙ୍କୁ ଦଣ୍ଡ ‌ନ ଦେଇ (ଯେମିତି ସାଇରସ୍‌ ବା ଅନାହିତା ଦଣ୍ଡ ପାଇଛନ୍ତି), ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିଥାଏ।

ଏକ ଉଦାହରଣ ସ୍ବରୂପ ମନେ କରାଯାଉ ଏକ ଚଉଡ଼ା ରାସ୍ତା ଗୋଟିଏ ଅଂଶରେ ଅଣଓସାରିଆ ହୋଇଯାଇଛି ଓ ସେଇ ଅଣଓସାରିଆ ରାସ୍ତାର ଦୁଇ ଲେନ୍‌ ମଝିରେ ଡିଭାଇଡର୍‌ ଲମ୍ବି ଯାଇଛି, ଯାହା କଂକ୍ରିଟ୍‌ରେ ନିର୍ମିତ। ତାହା କଂକ୍ରିଟ୍‌ରେ ନିର୍ମିତ ହେବାର କାରଣ ହେଲା ଏପରି ଏକ କଠିନ ଓ ମଜଭୁତ ପ୍ରତିବନ୍ଧ ଛିଡ଼ା କରାଇବା, ଯେପରି ତାହାକୁ ଅତିକ୍ରମ କରି ଗୋଟିଏ ଲେନ୍‌ର ଗାଡ଼ି ଅନ୍ୟ ଲେନ୍‌ରେ ପ୍ରବେଶ କରିପାରିବ ନାହିଁ। ଯେଉଁ ଚାଳକ କୌଣସି କାରଣରୁ ନିୟନ୍ତ୍ରଣ ହରାଇ ଏଭଳି ଡିଭାଇଡର୍‌ରେ ଧକ୍‌କା କରନ୍ତି, କଠିନ ଡିଭାଇଡର୍‌ ସେଥିପାଇଁ ତାଙ୍କୁ କ୍ଷମା ନ କରି ଦଣ୍ଡ ଦେଇଥାଏ, ଯାହାର ଚରମ ପରିପ୍ରକାଶ ମିସ୍ତ୍ରୀ ବା ପାଣ୍ଡୋଲେ ଭୋଗିଥିବା ଦଣ୍ଡର ରୂପ ପରିଗ୍ରହଣ କରିଥାଏ। ଯଦି ଏହି ଡିଭାଇଡର୍‌ ରବର୍‌ ଭଳି କୌଣସି ନରମ ପଦାର୍ଥରେ ନିର୍ମିତ ହୋଇଥାଏ, ତେବେ ତାହା ଗାଡ଼ି ଚାଳକମାନଙ୍କୁ ନିଜ ଲେନ୍‌ ମଧ୍ୟରେ ରହିବା ପାଇଁ ସଂଯତ କରିବ, କିନ୍ତୁ ଚଉଡ଼ା ରାସ୍ତାଟି ହଠାତ୍‌ ଏକ ଅଣଓସାରିଆ ରାସ୍ତାରେ ପରିବର୍ତ୍ତିତ ହେବା ଯୋଗୁଁ ବିଭ୍ରାନ୍ତିର ଶିକାର ହୋଇ ଯେଉଁ ଗାଡ଼ିଚାଳକମାନେ ଡିଭାଇଡର୍‌ରେ ପିଟି ହୋଇଯିବେ, ନରମ ଡିଭାଇଡର୍‌ ସେମାନଙ୍କୁ କ୍ଷମା କରିଦେଇ ସେମାନଙ୍କର ସର୍ବନିମ୍ନ ସମ୍ଭବ କ୍ଷତି ଘଟାଇବାକୁ ଚେଷ୍ଟା କରିବ।

ସେଇଭଳି ରାସ୍ତାଟି ଅଣଓସାରିଆ ହେବାକୁ ଆରମ୍ଭ କରିବାର ଯଥେଷ୍ଟ ପୂର୍ବରୁ ରାସ୍ତା ବକ୍ଷରେ ଯଦି ଏକ ନିର୍ଦ୍ଦିଷ୍ଟ ପ୍ରକାର ଜ୍ୟାମିତି ଅଙ୍କନ କରାଯାଇଥାଏ, ତାହା ଗାଡ଼ି ଚାଳକଙ୍କ ମନରେ ସେ ପ୍ରକୃତ ବେଗଠାରୁ ଅଧିକ ବେଗରେ ଗତି କରୁଥିବାର ଭ୍ରମ ସୃଷ୍ଟି କରି ତାଙ୍କୁ ବେଗ ହ୍ରାସ କରି ନିରାପଦ ବେଗରେ ସଂକୀର୍ଣ୍ଣ ରାସ୍ତାରେ ପ୍ରବେଶ କରିବା ପାଇଁ ପ୍ରଭାବିତ କରିପାରେ। ଏହି ଜ୍ୟାମିତିକ କୌଶଳ ହେଲା ରାସ୍ତା ସମ୍ପୃକ୍ତ ଅଂଶରେ ଏମିତି ମାଳେ ହେବ ଭୂ-ସମାନ୍ତର ସରଳରେଖା ଟାଣି ଦିଆଯିବ, ଯେମିତି ପର ପର ରେଖାମାନଙ୍କ ମଧ୍ୟରେ ଦୂରତା କ୍ରମଶଃ ହ୍ରାସ ପାଇ ଚାଲିଥାଏ। ପ୍ରକାଶିତ ରିପୋର୍ଟମାନ ଅନୁସାରେ ଅନାହିତାଙ୍କୁ ହଠାତ୍‌ ସେଇ ଅଣଓସାରିଆ ପୋଲରେ ପ୍ରବେଶ କରିବାକୁ ପଡ଼ିବାରୁ ସେ ଯଥେଷ୍ଟ ପୂର୍ବରୁ ଗାଡ଼ିର ବେଗ କମାଇ ପାରିନଥିଲେ ଓ ପୋଲର କଠିନ ଡିଭାଇଡର୍‌ରେ ତାଙ୍କ ଗାଡ଼ି ପିଟି ହୋଇ ଯାଇଥିଲା। ଆମର ନିର୍ଦ୍ଦୟ ରାସ୍ତା ଏଥିପାଇଁ ତାଙ୍କୁ କ୍ଷମା ଦେଇନଥିଲା।

କିନ୍ତୁ ସେଇ ଦୁର୍ଘଟଣା ଓ ଭାରତର ସଡ଼କମାନଙ୍କରେ ଘଟୁଥିବା ଅଧିକାଂଶ ଦୁର୍ଘଟଣାମାନଙ୍କ ପାଇଁ ଦୋଷଯୁକ୍ତ ରାସ୍ତା ନିର୍ମାଣ ଯେ ବହୁଳାଂଶରେ ଦାୟୀ, ତାହା ଏହି ଦୁର୍ଘଟଣା ପରେ ଖୋଦ୍‌ ପରିବହନ ମନ୍ତ୍ରୀ ନିତିନ୍‌ ଗଡ଼କାରି ସ୍ବୀକାର କରିଛନ୍ତି। ନିରାପଦ, କ୍ଷମାଶୀଳ ରାସ୍ତା ନିର୍ମାଣ ବର୍ତ୍ତମାନ ଏକ ବିଧିବଦ୍ଧ ବିଜ୍ଞାନ ସମ୍ମତ ନିର୍ମାଣ କୌଶଳରେ ପରିଣତ ହେଲାଣି। ଆଶ‌ା, ଜଣେ ସୁଦକ୍ଷ ମନ୍ତ୍ରୀ ରୂପେ ବ‌ିବେଚିତ ଗଡ଼କାରି ବାଟର ଦୋଷ ସ୍ବୀକାର କଲା ପରେ ଏବେ ଦୋଷମୁକ୍ତ ବାଟ ନିଶ୍ଚିତ କରିବା ପାଇଁ ବିହିତ ପଦକ୍ଷେପ ନେବେ।

ସମ୍ବନ୍ଧିତ ଖବର