ଜନଭାଗୀଦାରି ଓ ତହିଁରେ ମୋଦୀଙ୍କ ଅତୁଟ ବିଶ୍ୱାସ

ଜଗତ ପ୍ରକାଶ ନଡ୍ଡା

ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା କୁହନ୍ତି, ‘ଜନତାଙ୍କ ଶକ୍ତିରେ ଆମର ସାମର୍ଥ୍ୟ ନିହିତ ରହିଛି। ଦେଶର ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଆମର ଶକ୍ତି ସମାହିତ।’
‘ଜନଭାଗୀଦାରି’ର ଆକ୍ଷରିକ ଅର୍ଥ ହେଉଛି ଜନସାଧାରଣଙ୍କ ସହଭାଗିତା। ତେବେ ବାସ୍ତବରେ ଏହାର ଅର୍ଥ ହେଲା- ନୀତି କାର୍ଯ୍ୟକାରିତା କ୍ଷେତ୍ରରେ ମିଳିତ ପ୍ରୟାସର ଭୂମିକା। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାରର ନୀତି କାର୍ଯ୍ୟକାରିତାରେ ଜନସାଧାରଣଙ୍କ ସାମର୍ଥ୍ୟ ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇ ଆସୁଛି। ଜନସାଧାରଣଙ୍କୁ ସେମାନଙ୍କର ଦାୟିତ୍ୱ ନିର୍ବାହ ପାଇଁ ଦୃଢ଼ ଭାବେ ଅନୁପ୍ରାଣିତ କରିବା, କିଛି ତ୍ରୁଟିବିଚ୍ୟୁତି ଦେଖିଲେ ସ୍ୱର ଉତ୍ତୋଳନ କରିବା, ନୀତି ଓ ଯୋଜନାର କାର୍ଯ୍ୟାନ୍ବୟନ ସମୟରେ ସରକାରଙ୍କ ଆଗରେ ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନ କରିବା ଏବଂ ପ୍ରଶାସନରେ ସହାୟତା ପାଇଁ ଅନ୍ୟମାନଙ୍କୁ ପ୍ରେରଣା ଦେବା ଆଦି ମାଧ୍ୟମରେ ଜନଗଣଙ୍କ ଏହି ଶକ୍ତିକୁ ସଦୁପଯୋଗ କରିବାରେ ପ୍ରଧାନମନ୍ତ୍ରୀ ମୋଦୀ ସଫଳ ହୋଇଛନ୍ତି।

ଜନ ସମ୍ବାଦର ନିରନ୍ତର ପ୍ରକ୍ରିୟା ବିନା ଜନଭାଗୀଦାରି ଅସମ୍ପୂର୍ଣ୍ଣ। ଜନସାଧାରଣଙ୍କ ସହିତ ନିୟମିତ ଆଲୋଚନା କରିବା ଏବଂ ତୃଣମୂଳ ସ୍ତରରେ ଥିବା ବାସ୍ତବତାକୁ ହୃଦୟଙ୍ଗମ କରିବା ପ୍ରକ୍ରିୟାରେ ବାସ୍ତବ ସହଭାଗୀ ପ୍ରଶାସନର ମୂଳ ତତ୍ତ୍ୱ ନିହିତ ରହିଛି। ଗଭୀର ବିଶ୍ଳେଷଣ ପରେ ନୀତିଗତ ଯୋଜନା ପ୍ରସ୍ତୁତ କରିବା ଏବଂ ବିଭିନ୍ନ ପ୍ରସଙ୍ଗର ସମାଧାନ ଲାଗି ପରାମର୍ଶ ଆଧାରିତ ପଦକ୍ଷେପ ଗ୍ରହଣ କରିବା ମଧ୍ୟ ଏହି ପ୍ରକ୍ରିୟାର ଅଂଶବିଶେଷ। କୌଣସି ନୀତି ଓ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ପ୍ରଥମେ ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥାଏ। ଏହାପରେ ହିତାଧିକାରୀଙ୍କ ଠାରୁ ନିଆଯାଇଥିବା ମତାମତ ଆଧାରରେ କୌଣସି ନୀତି କାର୍ଯ୍ୟକାରୀ କରାଯାଏ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର ବିଭିନ୍ନ ମାଧ୍ୟମରେ ଜନସାଧାରଣଙ୍କୁ ସଶକ୍ତ କରିବା ଓ ସେମାନଙ୍କ ଜୀବନକୁ ସହଜ କରିବା ଲାଗି ଦେଶର ନାଗରିକ ଏବଂ ସରକାରଙ୍କ ମଧ୍ୟରେ ନିରନ୍ତର ମତବିନିମୟ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି।

ଏହାର ସବୁଠୁ ପ୍ରକୃଷ୍ଟ ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା। ଦୁଇଟି ବଡ଼ ଫସଲ ବୀମା ଯୋଜନାକୁ ମିଶାଇ ୨୦୧୬ରେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଶୁଭାରମ୍ଭ କରିଥିଲେ। ଦୀର୍ଘସ୍ଥାୟୀ କୃଷିକୁ ସୁନିଶ୍ଚିତ କରି ୨୦୧୯-୨୦ରେ ଏହି ଯୋଜନାକୁ ନୂଆ ରୂପରେ ପୁଣିଥରେ ଆରମ୍ଭ କରାଯାଇଥିଲା। ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ମାଧ୍ୟମରେ ଚାଷୀଙ୍କ ଠାରୁ ମତାମତ ସଂଗ୍ରହ କରାଯାଇ ଏହି ସଂଶୋଧିତ ଯୋଜନାକୁ ଅଭିନବ ଢଙ୍ଗରେ ପ୍ରସ୍ତୁତ କରାଯାଇଛି। ଏଥିରେ ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିବା ନିମନ୍ତେ ପ୍ରୟାସ କରାଯାଇଛି। ମତବିନିମୟ ମାଧ୍ୟମରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବାର ଏହି ଯୋଜନା ଏକ ଶ୍ରେଷ୍ଠ ଉଦାହରଣ।

ଅନ୍ତିମ ଦୂରତା ପର୍ଯ୍ୟନ୍ତ ଯିବା ଲାଗି ଜନସାଧାରଣଙ୍କୁ ଅନୁପ୍ରାଣିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ମୋଦୀ ନିଃସନ୍ଦେହରେ ସଫଳ ହୋଇଛନ୍ତି ବୋଲି କୁହାଯାଇପାରିବ। ଦେଶର ନାଗରିକମାନେ ଥରେ କି ଦୁଇ ଥର ନୁହେଁ ଅନେକ ଥର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନକୁ ଗ୍ରହଣ କରି କାଗଜପତ୍ରରେ ଥିବା ନୀତି ଓ ଯୋଜନାକୁ ବାସ୍ତବରେ ତୃଣମୂଳ ସ୍ତରରେ ସଫଳତା ପୂର୍ବକ କାର୍ଯ୍ୟକାରୀ କରିଛନ୍ତି। ସଂଖ୍ୟା ଆଧାରରେ ବିଶ୍ଳେଷଣ କଲେ, ଯୋଜନାଗୁଡ଼ିକର ସଫଳତା ଏକମୁଖୀ ଭାବେ ଅଗ୍ରସର ହୋଇଥିବା ଦେଖାଯାଏ। ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିକଳ୍ପନାରେ ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ ହେଉଥିବା ଏସବୁ ଯୋଜନାର ବାସ୍ତବ ସୌନ୍ଦର୍ଯ୍ୟ ଏହାର ବହୁମୁଖୀ ପ୍ରୟୋଗରେ ନିହିତ। ପ୍ରଧାନମନ୍ତ୍ରୀ ମୋଦୀ ସବୁବେଳେ ଜନସାଧାରଣଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସମ୍ମିଳିତ ବିକାଶର ଯାତ୍ରାରେ ସେ କୌଣସି ଗୋଟିଏ ଲକ୍ଷ୍ୟରେ ବି ପଛରେ ରହିନାହାନ୍ତି।

ଜଣେ ନେତା ଭାବେ, ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତଙ୍କ ନିକଟରେ ନୀତି ଓ ଯୋଜନାର ଲାଭ ପହଞ୍ଚାଇବା ନିମନ୍ତେ ସବୁ ନାଗରିକମାନଙ୍କୁ ସମ୍ପୃକ୍ତ କରିଛନ୍ତି। ତାଙ୍କର ସଂକଳ୍ପ ପ୍ରଶାସନରେ ନିରନ୍ତର ଭାବେ ପ୍ରତିଫଳିତ ହୋଇଛି। ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ପ୍ରଥମ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ ଖୋଲା ଶୌଚରୁ ମୁକ୍ତି କଥା ଉଠାଇଥିଲେ। ସେ ସବୁ ନାଗରିକମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ। ଏହି ଆହ୍ୱାନ ଏକ ଗଣଆନ୍ଦୋଳନରେ ପରିଣତ ହୋଇଥିଲା। ଦେଶର ୧ ଲକ୍ଷରୁ ଅଧିକ ଗ୍ରାମ ଏବେ ଖୋଲା ଶୌଚ ମୁକ୍ତ ହୋଇପାରିଛି। ମାତ୍ର ୬୦ ମାସ ମଧ୍ୟରେ ଦେଶରେ ୧୧ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରାଯାଇଛି। ଏହି ଉପଲବ୍ଧି ସାରା ବିଶ୍ୱକୁ ଚକିତ କରିଛି। ବାହାରୁ ଏକ ସ୍ୱଚ୍ଛତା ଅଭିଯାନ ଭଳି ଲାଗୁଥିଲେ ମଧ୍ୟ ଏହା ଲକ୍ଷ ଲକ୍ଷ ମହିଳାଙ୍କ ସୁରକ୍ଷା ଓ ସମ୍ମାନ ସୁନିଶ୍ଚିତ କରିଛି, ସଂଖ୍ୟାଧିକ ଶିଶୁଙ୍କ ଜୀବନ ବଞ୍ଚାଇଛି ଏବଂ ବହୁ ସଂଖ୍ୟକ ଝିଅଙ୍କୁ ସ୍କୁଲ ଛାଡ଼ିବାର ଆଶଙ୍କାରୁ ରକ୍ଷା କରିଛି।

ଆଉ ଏକ ଉଦାହରଣ ହେଲା ଜଳ ଜୀବନ ମିଶନ, ଯାହାକି ଏବେ ସୁଦ୍ଧା ଦେଶର ଗ୍ରାମାଞ୍ଚଳରେ ୧୦ କୋଟିରୁ ଅଧିକ ଟ୍ୟାପ୍‌ ଜଳ ସଂଯୋଗ ଯୋଗାଇ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ଉକ୍ତିରେ, ‘‘ଜଳ ଜୀବନ ମିଶନର ସଫଳତା ଜନସାଧାରଣଙ୍କ ସହଭାଗିତା, ସବୁ ଅଂଶୀଦାରମାନଙ୍କ ସହିତ ଭାଗୀଦାରି, ରାଜନୈତିକ ଇଚ୍ଛାଶକ୍ତି ଏବଂ ସମ୍ବଳର ସର୍ବୋତ୍ତମ ଉପଯୋଗରେ ନିହିତ ରହିଛି।’’ ଜନସାଧାରଣଙ୍କ ଜୀବନରେ ଏଭଳି ଏକ ମୌଳିକ ଆବଶ୍ୟକତା ପହଞ୍ଚାଇବା ଏବେ ଏକ ବାସ୍ତବତାରେ ପରିଣତ ହୋଇଛି। ଜଳ ସଂଗ୍ରହ ପାଇଁ ମହିଳାମାନଙ୍କୁ ଆଉ ଅନେକ ଦୂର ଯିବାକୁ ପଡୁନାହିଁ, ଦୂଷିତ ପାଣି ଯୋଗୁଁ ବ୍ୟାପୁଥିବା ରୋଗର ନିରାକରଣ ହୋଇପାରିଛି ଏବଂ ଗ୍ରାମୀଣ ପରିବାରର ଜୀବନ ଧାରଣ ସହଜ ହୋଇଛି।

ଏହି ସାମର୍ଥ୍ୟର ଆଉ ଏକ ଉଦାହରଣ ହେଉଛି ୨୦୦ କୋଟି ଡୋଜ୍‌ କୋଭିଡ-୧୯ ଟିକାକରଣର ରେକର୍ଡ। ମାତ୍ର ୧୮ ମାସରେ ଏହି ଲକ୍ଷ୍ୟ ହାସଲ କରିବା ଅସମ୍ଭବ ଲାଗୁଥିଲେ ମଧ୍ୟ ଆମେ ତାହା ସମ୍ଭବ କରିପାରିଛୁ। ଅନେକଙ୍କ ମିଳିତ ପ୍ରୟାସ ଯୋଗୁଁ ଏହି ଉପଲବ୍ଧି ହାସଲ କରାଯାଇଥିଲେ ମଧ୍ୟ ଅସମ୍ଭବକୁ ସମ୍ଭବ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଏବଂ ନାଗରିକଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସ କାରଣରୁ ଦେଶ ଏଭଳି ନଭଶ୍ଚୁମ୍ଭୀ ସଫଳତା ପାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନରେ ଦେଶରେ ଆହୁରି ଅନେକ ଅଭିଯାନ ଜନ ଆନ୍ଦୋଳନର ରୂପ ନେଇଛି। ମହାମାରୀ ସମୟରେ କର୍ଫ୍ୟୁକୁ ସମ୍ମାନ ଜଣାଇବା, ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିବା, ସମ୍ମୁଖରେ ରହି ମହାମାରୀର ମୁକାବିଲା କରୁଥିବା ଲୋକମାନଙ୍କ ସମ୍ମାନରେ ଦୀପ ଜଳାଇବା ପାଇଁ ତାଙ୍କର ଆହ୍ୱାନକୁ ଦେଶବାସୀଙ୍କ ଅଭୂତପୂର୍ବ ସମର୍ଥନ ମିଳିଥିବା ଆମେ ସମସ୍ତେ ଦେଖିଛୁ। ନାଗରିକଙ୍କୁ ଟିକା ନେବା ପାଇଁ ସରକାର କୌଣସି ବାଧ୍ୟବାଧକତା ନିର୍ଦ୍ଧାରଣ କରିନଥିଲେ, ତଥାପି ଲୋକମାନେ ସ୍ୱତଃପ୍ରବୃତ୍ତ ଭାବେ ଶ୍ରେଷ୍ଠ ବିକଳ୍ପକୁ ଗ୍ରହଣ କରି ଟିକା ନେଇଛନ୍ତି। ବାସ୍ତବରେ କୌଣସି ସବ୍‌ସିଡି ଉଚ୍ଛେଦ କରାଯାଇନଥିଲେ ମଧ୍ୟ ଯେଉଁ ଲୋକମାନେ ସମର୍ଥ ସେମାନେ ନିଜ ଏଲପିଜି ସବ୍‌ସିଡି ଏବଂ ରେଳ ଟିକେଟ୍‌ ଉପରେ ରିହାତିକୁ ତ୍ୟାଗ କରିଛନ୍ତି। ଦେଶର ନାଗରିକ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରି ଏହିସବୁ ଯୋଗଦାନ ଦେଇଛନ୍ତି। ଏଗୁଡ଼ିକ ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଜନଭାଗୀଦାରିର ଉଦାହରଣ ନୁହେଁ, ତା’ହେଲେ କ’ଣ?

‘ମନ କୀ ବାତ୍‌’ କାର୍ଯ୍ୟକ୍ରମର ବିପୁଳ ସଫଳତା ଯୋଗୁଁ ଏହାକୁ ଏକ ସାମାଜିକ ଆନ୍ଦୋଳନର ଆଖ୍ୟା (ଯଥୋଚିତ ଭାବେ) ଦିଆଯାଇଛି। ଏହାର ଆଧାର ମଧ୍ୟ ଜନଭାଗୀଦାରିରେ ନିହିତ। ପ୍ରତି ମାସରେ ଆସୁଥିବା ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅତୁଟ ବିଶ୍ୱାସକୁ ପ୍ରତିଫଳିତ କରିଥାଏ। ‘ଭୋକାଲ ଫର୍‌ ଲୋକାଲ’ ବା ସ୍ଥାନୀୟ ଉତ୍ପାଦର ପ୍ରୋତ୍ସାହନ ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଆହ୍ୱାନ ଏକ ସଫଳ ଜନଆନ୍ଦୋଳନରେ ପରିଣତ ହୋଇଛି। ଏହା ସ୍ୱଦେଶୀ ବାଣିଜ୍ୟ ଏବଂ ସ୍ଥାନୀୟ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଉଦ୍ୟମିତା ବଢ଼ାଇବା ଦିଗରେ ବିଶେଷ ସଫଳ ହୋଇଛି। ଆଜି ଏହି ଗଣଆନ୍ଦୋଳନ ସଂଖ୍ୟାଧିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ସଶକ୍ତ କରିଛି। ଦେଶର ଉପାନ୍ତ ଅଞ୍ଚଳରେ ‘ଷ୍ଟାର୍ଟଅପ୍’ ବିକାଶ ଏବଂ ପାରମ୍ପରିକ ହସ୍ତଶିଳ୍ପର ପୁନରୁଦ୍ଧାର ଦିଗରେ ସହାୟକ ହୋଇଛି। ଏକ ଅଭିନବ ପ୍ରୟାସ କ୍ରମେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖେଳନା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ହାସଲ ନିମନ୍ତେ ସ୍ଥାନୀୟ ଖେଳନାକୁ ପ୍ରୋତ୍ସାହନ ପାଇଁ ଆହ୍ୱାନ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଏ ବର୍ଷ ସ୍ୱାଧୀନତା ଦିବସ ଭାଷଣରେ କହିଥିଲେ, ‘୫ରୁ ୭ ବର୍ଷ ବୟସର ଛୋଟ ପିଲାମାନଙ୍କୁ ମୁଁ ଅଭିବାଦନ ଜଣାଉଛି। ଦେଶର ଚେତନା ଜାଗ୍ରତ ହୋଇଛି। ମୁଁ ଅଗଣିତ ପରିବାର ଠାରୁ ଏକଥା ଶୁଣିଛି ଯେ ୫-୭ ବର୍ଷର ପିଲାମାନେ ସେମାନଙ୍କ ମାତାପିତାଙ୍କୁ କହିଛନ୍ତି ଯେ ସେମାନେ ଆଉ ବିଦେଶୀ ଖେଳନାରେ ଖେଳିବାକୁ ଚାହୁଁନାହାନ୍ତି। ଯେତେବେଳେ ଜଣେ ୫ ବର୍ଷର ପିଲା ଏଭଳି ସଂକଳ୍ପ ନେଉଛି, ତା’ ଭିତରେ ଆତ୍ମନିର୍ଭର ଭାରତର ଭାବନା ପ୍ରତିଫଳିତ ହୋଇଛି।’

୨୦୨୦ ପରଠାରୁ, ପ୍ରଧାନମନ୍ତ୍ରୀ ମୋଦୀ ଭାରତକୁ ‘ବିଶ୍ୱ ଖେଳନା ଶିଳ୍ପ’ର ଏକ କେନ୍ଦ୍ରରେ ପରିଣତ କରିବା ଏବଂ ଦେଶରେ ଖେଳନା କ୍ଲଷ୍ଟର୍‌ ପ୍ରତିଷ୍ଠା କରିବାର ଲକ୍ଷ୍ୟ ହାସଲ ନିମନ୍ତେ ‘ଷ୍ଟାର୍ଟଅପ୍‌’ଗୁଡ଼ିକୁ ଆହ୍ୱାନ କରିଆସୁଛନ୍ତି। ୨୦୨୨ ସୁଦ୍ଧା ଦେଶରେ ବହୁସଂଖ୍ୟକ ଖେଳନା କ୍ଲଷ୍ଟର ପ୍ରତିଷ୍ଠା ହୋଇଛି। ‘ଟୟକାଥନ୍‌’ ଭଳି କାର୍ଯ୍ୟକ୍ରମ ଆରମ୍ଭ କରିବା ଠାରୁ ଆରମ୍ଭ କରି ଭାରତୀୟ ସଂସ୍କୃତି ଓ ପରମ୍ପରା ଉପରେ ଆଧାରିତ ଖେଳନା ବିକଶିତ କରିବା ଲାଗି ଅଭିନବ ଉପାୟକୁ ପ୍ରୋତ୍ସାହନ ଦେବା ଆଦି ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ସବୁ ଖେଳନା ଉତ୍ପାଦନକାରୀଙ୍କ ପାଇଁ ବିଆଇଏସ୍‌ (ବ୍ୟୁରୋ ଅଫ୍‌ ଇଣ୍ଡିଆ ସାର୍ଟିଫିକେସନ୍‌)ବାଧ୍ୟତାମୂଳକ କରାଯାଇଛି। ଏସବୁ କମ୍ପାନିମାନେ ଅନେକ ଚୀନ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ପଛରେ ପକାଇ ଦେଇଛନ୍ତି।

ମୋଦୀଙ୍କର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଉକ୍ତି ହେଉଛି- ‘ଗଣତନ୍ତ୍ରର ଅର୍ଥ ନୁହେଁ, ଗୋଟିଏ ସରକାର ସହିତ ପାଞ୍ଚ ବର୍ଷ ପାଇଁ ଚୁକ୍ତି କରିବା। ବାସ୍ତବରେ ଗଣତନ୍ତ୍ର ହେଉଛି ଜନଭାଗୀଦାରି।’ ନାଗରିକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅତୁଟ ବିଶ୍ୱାସ ଯୋଗୁଁ ଦେଶ ବାରମ୍ବାର ଅକଳ୍ପନୀୟ ସକାରାତ୍ମକ ପରିଣାମ ହାସଲ କରୁଛି। ଧାଡ଼ି ଶେଷରେ ଛିଡ଼ା ହୋଇଥିବା ବ୍ୟକ୍ତି ପାଖରେ ନୀତି ଓ ଯୋଜନାର ଲାଭ ପହଞ୍ଚିଲେ ବାସ୍ତବରେ ଗଣତନ୍ତ୍ର ସଫଳ ହୋଇଥାଏ। ତେଣୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନର ମୂଳତତ୍ତ୍ୱ ହେଉଛି: ସଭିଙ୍କ ଭାଗୀଦାରି ବଳରେ ସମସ୍ତଙ୍କ ସମୃଦ୍ଧି।
ରାଷ୍ଟ୍ରୀୟ ସଭାପତି, ଭାରତୀୟ ଜନତା ପାର୍ଟି

ସମ୍ବନ୍ଧିତ ଖବର