କେବଳ ଭଲ ପାଅ

କଥାଟିଏ - ଯାଯାବର

ସୁଫି ସନ୍ଥ ଫିରୋଜଙ୍କୁ ଜଣେ ଯୁବକ କହିଲା- ମୁଁ ଆପଣଙ୍କ ସହିତ ରହିବାକୁ ଚାହେଁ। ମୁଁ ଶୁଣିଛି ଯେ ଆପଣ ଭଗବାନଙ୍କ ସାନ୍ନିଧୢ ପାଉଛନ୍ତି। ମୁଁ ବି ଭଗବାନଙ୍କ ପାଖାପାଖି ହେବାକୁ ଚାହେଁ।
ଫିରୋଜ ତାର ଖାଇବା ପିଇବାର ବ୍ୟବସ୍ଥା କଲେ। ଯୁବକ ଫିରୋଜଙ୍କ ପାଖରେ ରହିଲା। ଫିରୋଜ ଯାହା କରନ୍ତି ତାକୁ ଅନୁକରଣ କରିବାକୁ ଚେଷ୍ଟା କଲା। ବେଳେ ବେଳେ ସେ ଫିରୋଜଙ୍କୁ ପଚାରେ- ଭଗବାନଙ୍କ ପାଖାପାଖି ହେବାର ବାଗ ମୋତେ ଖାଲି ଦୁଇ ପଦରେ କହିଦିଅନ୍ତୁ।

ଫିରୋଜ ଦିନେ କହିଲେ- ବାଗ କିଛି ନାହିଁ। ସମସ୍ତକୁ ଭଲ ପାଅ। ଦେଖିବ ଈଶ୍ବରଙ୍କ ପାଖାପାଖି ହୋଇପାରିବ।

ତେବେ ଦିନେ ଫିରୋଜଙ୍କ ଦୁଆର ମୁହଁରେ ଜଣେ ଯୁବତୀ ତାର ଛୋଟ ପୁଅକୁ ସାଙ୍ଗରେ ଧରି ପହଞ୍ଚିଲା। ଫିରୋଜ ଜାଣିଲେ ଯେ ସେ ସ୍ତ୍ରୀ ଲୋକଟି ହେଉଛି ଯୁବକର ପତ୍ନୀ ଏବ˚ ଶିଶୁଟି ତାର ସନ୍ତାନ। ଦୁହେଁ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଥିଲେ। ଫିରୋଜ ସେ ଦୁଇ ଜଣଙ୍କୁ ଭିତରକୁ ପଠାଇ ଦେଲେ, ଯେଉଁଠି ଯୁବକଟି ଥିଲା। କିନ୍ତୁ ସେମାନେ ଭିତରକୁ ପଶିବା ମାତ୍ରକେ ଯୁବକ ବାହାରକୁ ଚାଲିଆସି ଫିରୋଜଙ୍କୁ ବିଚଳିତ ହୋଇ କହିଲା- ମୁଁ ଏମାନଙ୍କୁ ତ୍ୟାଗ କରି ଆପଣଙ୍କ ପାଖକୁ ଆସିଥିଲି ଈଶ୍ବରଙ୍କୁ ପାଇବାକୁ। ଆପଣ ପୁଣି ସେମାନଙ୍କୁ ମୋ ଗଳାରେ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି?

ଫିରୋଜ ଧୀର କଣ୍ଠରେ କହିଲେ- ଏମାନଙ୍କୁ ତୁମେ ଯେମିତି କନ୍ଦାଇଛ ସେଥିରୁ ବୁଝି ପାରୁଛି ଯେ ତୁମେ ଜଣେ ସୈତାନ। ତେଣୁ ତୁମେ ଈଶ୍ବରଙ୍କ ଭେଟ ପାଇବା ଅସମ୍ଭବ। ଈଶ୍ବରଙ୍କୁ ପାଇବାକୁ ହେଲେ କେବଳ ଭଲ ପାଇବାକୁ ହୁଏ। ଆଉ କିଛି କରିବା ଦରକାର ନାହିଁ। ଘର ଦ୍ବାର ବା ପରିବାର ଛାଡ଼ିବା ଦରକାର ନାହିଁ। ମୋ କଥା ମାନ ଈଶ୍ବରଙ୍କ ଭେଟ ପାଇବ।

ସମ୍ବନ୍ଧିତ ଖବର