ନିକଟ ଅତୀତରେ ଭାରତର ପ୍ରମୁଖ ଉଦ୍ୟୋଗପତିମାନେ କୋଭିଡ୍-୧୯ ପାଣ୍ଡେମିକ୍ର ଆଘାତରୁ ମୁକୁଳି ଏଠାରେ ନିବେଶକମାନଙ୍କ ମଧ୍ୟରେ ‘ଆନିମଲ୍ ସ୍ପିରିଟ୍ସ’ ବା ‘ଜାନ୍ତବ ଉତ୍ସାହ’ ଫେରିବାକୁ ଆରମ୍ଭ କଲାଣି ବୋଲି ଘୋଷଣା କରିବା ଦେଖାଯାଇଛି। ଉଭୟ ପ୍ରଧାନମନ୍ତ୍ରୀ ଓ ବିତ୍ତମନ୍ତ୍ରୀ ମଧ୍ୟ ବିଭିନ୍ନ ଅବସରରେ ଉଦ୍ୟୋଗପତିମାନଙ୍କୁ ସେମାନଙ୍କର ଜାନ୍ତବ ଉତ୍ସାହ ପ୍ରଦର୍ଶନ କରିବାକୁ ଦେଇ ଆସୁଥିବା ଆହ୍ବାନ ଯେ ବୃଥା ହୋଇନାହିଁ, ଉପରୋକ୍ତ ଘୋଷଣାରୁ ଏ ଧାରଣା ସୃଷ୍ଟି ହେଉଥିଲା। ଏହି ‘ଜାନ୍ତବ ଉତ୍ସାହ’ ଧାରଣାର ମୂଳ ଉଦ୍ଭାବନ କର୍ତ୍ତା ହେଉଛନ୍ତି ବିଂଶ ଶତାବ୍ଦୀର ମହାନ୍ ଅର୍ଥନୀତିଜ୍ଞ ଜନ୍ ମେନାର୍ଡ କେନ୍ସ। ଏହି ମୁଖ୍ୟତଃ ମନସ୍ତାତ୍ତ୍ବିକ ଧାରଣା ଅନୁସାରେ ଭବିଷ୍ୟତ ହେଉଛି ଏପରି ଅନିଶ୍ଚିତ ଯେ ଯୁକ୍ତିଯୁକ୍ତ ଭାବରେ ଲାଭକ୍ଷତିର ହିସାବ କରି ନିବେଶ ପାଇଁ ନିଷ୍ପତ୍ତି ନେବା ସମ୍ଭବ ହୋଇନଥାଏ। ବଜାରରେ ଖାଉଟିମାନଙ୍କର ଚାହିଦାରେ ପରିବର୍ତ୍ତନ ସମ୍ବନ୍ଧରେ ସଠିକ୍ ପୂର୍ବାନୁମାନ କରିବା ସମ୍ଭବ ହୋଇନଥାଏ। ଏଭଳି ପରିସ୍ଥିତିରେ ନିବେଶଜନିତ ବିପଦ ବା ‘ରିସ୍କ୍’ ନେବା ପାଇଁ ସମୟ ଅନୁକୂଳ କି ନୁହେଁ, ସେ ସମ୍ବନ୍ଧରେ ନିଷ୍ପତ୍ତି ନେବା ପାଇଁ ନିବେଶକମାନେ ସେମାନଙ୍କର ଏକ ଅନ୍ତର୍ନିହିତ ଆବେଗ ଉପରେ ନିର୍ଭର କରିଥାନ୍ତି, ଯାହାକୁ କେନ୍ସ ‘ଅାନିମଲ୍ ସ୍ପିରିଟ୍ସ’ ରୂପେ ଅଭିହିତ କରିଥିଲେ। ପରବର୍ତ୍ତୀ ସମୟରେ ନୋବେଲ୍ ପୁରସ୍କାରପ୍ରାପ୍ତ ଅର୍ଥନୀତିଜ୍ଞ ଦ୍ବୟ, ଜର୍ଜ ଆକର୍ଲଫ୍ ଓ ରବର୍ଟ ସିଲର୍ ଏହି କେନ୍ସୀୟ ଧାରଣାକୁ ବିଧିବଦ୍ଧ ସ୍ବୀକୃତି ପ୍ରଦାନ ସ୍ବରୂପ ଏକ ପୁସ୍ତକ ରଚନା କରିଥିଲେ, ଯାହାର ଶୀର୍ଷକ ସେମାନେ ରଖିଥିଲେ- ‘ଆନିମଲ୍ ସ୍ପିରିଟ୍ସ’।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଅର୍ଥନୀତିରେ ଏହି ‘ଆନିମଲ୍ ସ୍ପିରିଟ୍ସ’ ଫେରିଆସୁଛି ବୋଲି ସେ ‘ସ୍ପିରିଟ୍ସ’ର ଛାମୁଆ ବାହକମାନେ ଆମକୁ ଭରସା ଦେଉଥିବାବେଳେ, ଏହା ତେଣୁ ଏକ ବିଡ଼ମ୍ବନା ଭଳି ମନେ ହୋଇଥାଏ ଯେ ନିକଟରେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ଶିଳ୍ପୋଦ୍ୟୋଗୀମାନଙ୍କର ଏକ ସମ୍ମିଳନୀରେ ଉଦ୍ବୋଧନ ଦେବା ଅବସରରେ ଆମର ଉଦ୍ୟୋଗପତି ଓ ନିବେଶକମାନେ ଯଥେଷ୍ଟ ପରିମାଣରେ ନିବେଶ କରିବା ପାଇଁ ଆଗଭର ହେଉନାହାନ୍ତି ବୋଲି ଘୋର ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟ ପ୍ରକାରେ କହିଲେ, ସେମାନେ ତୁଣ୍ଡରେ ଉତ୍ସାହ କଥା କହୁଥିଲେ ହେଁ, ସେମାନଙ୍କ ଆଚରଣରେ ତାହା ପ୍ରତିଫଳିତ ହେଉନାହିଁ ବୋଲି ବିତ୍ତମନ୍ତ୍ରୀ ଅଭିଯୋଗ କରିଥିଲେ। ବିତ୍ତମନ୍ତ୍ରୀଙ୍କୁ ଯାହା ବିଶେଷ ଭାବରେ କ୍ଷୁବ୍ଧ କରିଥିବ, ତାହା ହେଲା, ନିବେଶକ ରୂପକ ଜନ୍ତୁଠାରେ ଉତ୍ସାହ ସୃଷ୍ଟି ପାଇଁ ସେ ଇତି ମଧ୍ୟରେ ସେମାନଙ୍କ ପାଇଁ ବିଭିନ୍ନ ପ୍ରଲୋଭନର ବ୍ୟବସ୍ଥା କରିଥିଲେ ମଧ୍ୟ, ବିତ୍ତମନ୍ତ୍ରୀଙ୍କ ବିଚାରରେ ଜନ୍ତୁଟି ତା’ର ମାନ୍ଦା ସ୍ବଭାବ ପରିତ୍ୟାଗ କରୁନାହିଁ।
ଉଦାହରଣ ସ୍ବରୂପ, ୨୦୧୯ ସେପ୍ଟେମ୍ବରରେ ସରକାର କର୍ପୋରେସନ୍ ଟ୍ୟାକ୍ସ ରେଟ୍ରେ ଏକ ବିଶେଷ ହ୍ରାସ ଘଟାଇ ୩୦%ରୁ ୨୨%କୁ ଖସାଇ ଦେଇଥିଲେ ଏବଂ ନୂତନ ଉତ୍ପାଦନକାରୀ କମ୍ପାନିମାନଙ୍କ ପାଇଁ ତାହାକୁ ୧୫% ଅର୍ଥାତ୍ ଅଧା କରି ଦେଇଥିଲେ। ଏହା ବାଦ୍ ସରକାର ଉତ୍ପାଦନକାରୀମାନଙ୍କ ପାଇଁ ଏକ ଆକର୍ଷଣୀୟ ଉତ୍ପାଦନ-ସଂଯୁକ୍ତ ପ୍ରୋତ୍ସାହନ ଯୋଜନା (ପିଏଲ୍ଆଇ) ମଧ୍ୟ ପ୍ରଣୟନ କରିଛନ୍ତି। ସେମାନଙ୍କୁ ସହାୟକ ହେବା ପାଇଁ ବ୍ୟାପକ ଭିତ୍ତିଭୂମି ମଧ୍ୟ ସୃଷ୍ଟି କରାଯିବାରେ ଲାଗିଛି। କିନ୍ତୁ ଏସବୁ ସତ୍ତ୍ବେ ନିବେଶକମାନେ ପ୍ରଦର୍ଶନ କରିଥିବା ଉତ୍ସାହ ସରକାରଙ୍କ ପାଇଁ ସନ୍ତୋଷଜନକ ହୋଇନାହିଁ। ନିର୍ଭରଯୋଗ୍ୟ ସୂତ୍ରରୁ ଉପଲବ୍ଧ ପରିସଂଖ୍ୟାନ ଅନୁସାରେ ୨୦୨୧ ଜୁନ୍ ଚଉଠରେ ଘରୋଇ କ୍ଷେତ୍ରରେ ଘୋଷିତ ନୂତନ ପ୍ରୋଜେକ୍ଟମାନଙ୍କର ମୂଲ୍ୟ ୨.୨ ଲକ୍ଷ କୋଟି ଟଙ୍କା ଥିବା ବେଳେ, ୨୦୨୨ ମାର୍ଚ୍ଚ ଚଉଠରେ ତାହା ୨.୮ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। କିନ୍ତୁ ସୀତାରମଣଙ୍କୁ ନିଶ୍ଚିତ ରୂପେ ଯାହା ହତାଶ କରିଥିବ, ତାହା ହେଲା ୨୦୨୨ ଜୁନ୍ ଚଉଠରେ ସେଥିରେ ଏକ ତୀକ୍ଷ୍ଣ ସ୍ଖଳନ ଘଟି ତାହା ହୋଇଯାଇଥିଲା ମାତ୍ର ୦.୩ ଲକ୍ଷ କୋଟି ଟଙ୍କା। ପୁଣି, କୋଭିଡ୍ ନିଶ୍ଚିତ ରୂପେ ଅର୍ଥନୀତିକୁ ପ୍ରଭାବିତ କରିଛି ସତ, କିନ୍ତୁ ତା’ ପୂର୍ବରୁ ୨୦୧୮ ଓ ୨୦୧୯ ବର୍ଷମାନଙ୍କରେ ମାତ୍ର କେତେକ ଚଉଠକୁ ଛାଡ଼ିଦେଲେ, ବାକି ସମୟରେ ନିବେଶ ଚିତ୍ର ବେଶ୍ ମାନ୍ଦା ଥିବା ଦେଖାଯାଇଥିଲା।
ତେବେ ଚିତ୍ରଟିକୁ ସମ୍ପୂର୍ଣ୍ଣ ବିଷାଦଜନକ ବୋଲି ଅବଶ୍ୟ କୁହାଯାଇପାରିବ ନାହିଁ। ଇତି ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ନୂତନ ଉତ୍ପାଦନ କ୍ଷମତା ସୃଷ୍ଟି ହେବା ମଧ୍ୟ ଦେଖାଯାଇଛି, ଯେମିତି, ଅକ୍ଷୟ ଶକ୍ତି, ଇସ୍ପାତ, ବିଦ୍ୟୁତ୍ଚାଳିତ ଯାନ ଓ ଟେଲିକମ୍। କମ୍ପାନିମାନେ ମଧ୍ୟ ମିଶ୍ରଣ ମାଧ୍ୟମରେ ତଥା ଦେବାଳିଆ ବ୍ୟବସାୟକୁ କ୍ରୟ କରିବା ମାଧ୍ୟମରେ ଉପସ୍ଥିତ ବ୍ୟବସାୟମାନଙ୍କୁ ନିଜ ଅଧିକାରକୁ ଆଣି ନିଜର ଆକାର ବୃଦ୍ଧି କରିବା ଦେଖାଯାଇଛି। ସେମାନେ କିନ୍ତୁ ସମ୍ପୂର୍ଣ୍ଣ ନୂତନ ଉତ୍ପାଦନ କ୍ଷମତା (‘ଗ୍ରିନ୍ଫିଲ୍ଡ କାପାସିଟି’) ସୃଷ୍ଟି କରିବାରେ କୁଣ୍ଠା ପ୍ରଦର୍ଶନ କରିବା ପରିଲକ୍ଷିତ ହୋଇଛି।
ଏହା ବିସ୍ମୟଜନକ ମନେହୁଏ, କାରଣ, ଅଧିକାଂଶ କମ୍ପାନିମାନଙ୍କର ଲାଭକ୍ଷତି ହିସାବ ଫର୍ଦ୍ଦ ବେଶ୍ ଅନୁକୂଳ ରହିଥିବା ଦେଖାଯାଇଥାଏ। ଦେଶର ମୋଟ ବାର୍ଷିକ ଜାତୀୟ ଆୟ ବା ‘ଜିଡିପି’ର ଅନୁପାତ ଅନୁଯାୟୀ କମ୍ପାନିମାନଙ୍କର ଋଣ ଭାର ଅତୀତ ତୁଳନାରେ ବର୍ତ୍ତମାନ ବେଶ୍ ନୀଚା ଥିବା ମଧ୍ୟ ଦେଖାଯାଏ। ଉଦାହରଣ ସ୍ବରୂପ ୨୦୧୫େର ଏହି ଅନୁପାତ ଏକ ଉଚ୍ଚା ୬୨% ଥିବା ବେଳେ ବର୍ତ୍ତମାନ ତାହା ହେଉଛି ଏକ ଅପେକ୍ଷାକୃତ ନୀଚା ୪୫%। ଜୁନ୍ ଚଉଠରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଅଧିକାଂଶ ପ୍ରମୁଖ କମ୍ପାନିମାନଙ୍କର ଆୟରେ ଘଟିଥିବା ବୃଦ୍ଧି ହାର ହେବ ପ୍ରାୟ ଏକ ଉଚ୍ଚା ୪୪%। ବ୍ୟାଙ୍କ୍ମାନେ ବର୍ତ୍ତମାନ ନିବେଶକମାନଙ୍କୁ ଋଣ ପ୍ରଦାନ କରିବା ପାଇଁ ଯେଉଁଭଳି ପ୍ରସ୍ତୁତ ହୋଇ ରହିଛନ୍ତି, ନିକଟ ଅତୀତରେ ସେପରି ନ ଥିଲେ। କମ୍ପାନିମାନଙ୍କର ଉତ୍ପାଦନ କ୍ଷମତାର ମଧ୍ୟ ଏକ ଉଚ୍ଚା ୭୫% ଉପଯୋଗ ହେବା ଦେଖାଯାଉଛି।
ତଥାପି କମ୍ପାନି ଓ ନିବେଶକମାନେ କାହିଁକି ନୂତନ ଉତ୍ପାଦନ କ୍ଷମତା ସୃଷ୍ଟି କରିବା ପାଇଁ ଉତ୍ସାହ ପ୍ରଦର୍ଶନ କରୁ ନାହାନ୍ତି? ବୋଧହୁଏ କୋଭିଡ୍ ଆଘାତରୁ ମୁକୁଳିବାକୁ ଆରମ୍ଭ କରିଥିବା ଦେଶର ଆଭ୍ୟନ୍ତରୀଣ ବଜାରରେ ଚାହିଦା ଦୀର୍ଘ କାଳ ଧରି ବୃଦ୍ଧି ପାଇ ଚାଲିବ ବୋଲି ସେମାନଙ୍କ ଭରସା ପାଉନାହିଁ। ଏହାର ଅନ୍ୟତମ କାରଣ ହେଉଛି ଦେଶରେ ଲାଗି ରହିଥିବା ମୁଦ୍ରାସ୍ଫୀତି, ଯାହା ଖାଉଟି ମାନଙ୍କର ଚାହିଦାକୁ ସ୍ବାଭାବିକ ଭାବରେ ସଂକୁଚିତ କରିଥାଏ। ୨୦୨୪ ବିତ୍ତ ବର୍ଷରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ଶିଥିଳତା ଦେଖାଦେବ ବୋଲି ଯେଉଁ ପୂର୍ବାନୁମାନ ହେଉଛି, ତାହା ମଧ୍ୟ ନିବେଶକମାନଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରୁଥିବ। ଆନ୍ତର୍ଜାତିକ ବଜାରରେ ଶିଥିଳତା ମଧ୍ୟ ନିବେଶକମାନଙ୍କୁ ନିରୁତ୍ସାହିତ କରୁଥିବ। ଏହା ସେଇ ଅଭିବ୍ୟକ୍ତିକୁ ସତ୍ୟ ପ୍ରମାଣିତ କରିବା ଭଳି ମନେ ହୋଇଥାଏ- ଘୋଡ଼ାକୁ ପାଣି ପାଖକୁ ଘୋଷାରି ନେଇ ହେବ, କିନ୍ତୁ ଘୋଡ଼ାର ଶୋଷ ନ ଥିଲେ ତାକୁ ପିଆଇ ହେବ ନାହିଁ। ତେବେ ଯେତେବେଳେ ଘୋଡ଼ାକୁ ଶୋଷ ଲାଗିବ, ସେତେବେଳେ ତା’ ପାଖରେ ପାଣି ରହିଥିବା ଦରକାର। ଆଶ୍ବାସନାର କଥା, ଘୋଡ଼ା ପାଇଁ ବର୍ତ୍ତମାନ ପାଣିର ଅଭାବ ନାହିଁ।