ଐତିହ୍ୟର ସ୍ବରୂପ ଓ ଆଲୋଚନା

ସାଧାରଣ ଭାବରେ କହିବାକୁ ଗଲେ, ଐତିହ୍ୟ ହେଉଛି ଗୋଟିଏ ଗୋଷ୍ଠୀ ବା ସମାଜର ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତରାଧିକାର ସୂତ୍ରରେ ଗଡ଼ିଆସୁଥିବା ପ୍ରଥା, ବସ୍ତୁ, ମନ୍ଦିର ଓ ସୌଧ ଭଳି କୀର୍ତ୍ତିରାଜିର ଏକ ସାମଗ୍ରିକ ପରିସର। ଏହା ସତ୍ୟ ଯେ ପ୍ରତ୍ନତାତ୍ତ୍ୱିକ ଉତ୍‌ଖନନ, ପ୍ରଦର୍ଶନ ଓ ସଂରକ୍ଷଣ ସହ ଐତିହ୍ୟ ଓତପ୍ରୋତ ଭାବେ ଜଡ଼ିତ। କିନ୍ତୁ ଏହା ଏତିକିରେ ସୀମାବଦ୍ଧ ନୁହେଁ। ଐତିହ୍ୟକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଯଥା: ସ୍ପର୍ଶନୀୟ ବା ଯାହାକୁ ସ୍ପର୍ଶ କରାଯାଇପାରେ (tangible) ଏବଂ ଯାହାକୁ ସ୍ପର୍ଶ କରାଯାଇନପାରେ (intangible)। ପ୍ରତ୍ନତତ୍ତ୍ୱ ଓ ସଂଗ୍ରହାଳୟ ତତ୍ତ୍ୱ ଉପରେ ଆଧାରିତ ଐତିହ୍ୟ ମୁଖ୍ୟତଃ ସ୍ପର୍ଶନୀୟ। ସେହିପରି ସଂଗୀତ, ନୃତ୍ୟ ଓ ପାରମ୍ପରିକ ଜ୍ଞାନ ହେଉଛି ଅସ୍ପର୍ଶନୀୟ ଐତିହ୍ୟ। କିନ୍ତୁ ଏହି ବିଭାଜନ ମଧ୍ୟରେ ଏକ ସଂପର୍କ ଅଛି। କାରଣ ସ୍ପର୍ଶନୀୟ ଐତିହ୍ୟର ଅସ୍ପର୍ଶନୀୟ ଦିଗ ରହିଛି ଏବଂ ଅସ୍ପର୍ଶନୀୟ ଐତିହ୍ୟର ସ୍ପର୍ଶନୀୟ ପରିପ୍ରକାଶ ଥାଇପାରେ। ଅନ୍ୟ ଏକ ଦୃଷ୍ଟିକୋଣରୁ ଐତିହ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ- ସାଂସ୍କୃତିକ ଓ ପ୍ରାକୃତିକ। ତେବେ ଐତିହ୍ୟ ସାଂସ୍କୃତିକ ହେଉ ବା ପ୍ରାକୃତିକ ହେଉ, ସ୍ପର୍ଶନୀୟ ହେଉ ବା ଅସ୍ପର୍ଶନୀୟ ହେଉ, ଏହା କହିବା ଉଚିତ ହେବ ଯେ ଐତିହ୍ୟ ହେଉଛି ଏକ ସମାଜ ବା ଗୋଷ୍ଠୀର ସାମୂହିକ ସ୍ମୃତିର ଏକ ବଳିଷ୍ଠ ନିଦର୍ଶନ।

ଐତିହ୍ୟ, ବିଶେଷକରି ସାଂସ୍କୃତିକ ଐତିହ୍ୟ ଗୋଟିଏ ସମାଜ, ଗୋଷ୍ଠୀ ବା ଅଞ୍ଚଳର ଅସ୍ମିତାକୁ ବଜାୟ ରଖେ। ଏହା ସେହି ସମାଜ ବା ଗୋଷ୍ଠୀର ଅଧିବାସୀମାନଙ୍କୁ ସେମାନଙ୍କର ଅତୀତ ଓ ପୂର୍ବପୁରୁଷମାନଙ୍କ ସମ୍ବନ୍ଧରେ ସମ୍ୟକ୍ ଜ୍ଞାନ ଆହରଣ କରିବାରେ ସହାୟକ ହୁଏ। ପ୍ରବାହମାନ ଐତିହ୍ୟ ଗୋଟିଏ ସମାଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଏକ ସୂତ୍ର ହିସାବରେ କାମ କରେ। ଜଗତ୍‌କରଣ ଯୁଗରେ ଏହା ସାଂସ୍କୃତିକ ବିବିଧତାକୁ ସ୍ମରଣ କରାଏ ଏବଂ ବିଭିନ୍ନ ଗୋଷ୍ଠୀମାନଙ୍କ ମଧ୍ୟରେ ଥିବା ଅଂଶଭାଗିତା ଉପରେ ଗୁରୁତ୍ୱ ଆରୋପ କରେ। ସାଧାରଣତଃ ଐତିହ୍ୟ ଓ ଉନ୍ନୟନ- ଏ ଦୁଇଟି ପରସ୍ପରର ବିପରୀତ ବୋଲି କୁହାଯାଏ। କିନ୍ତୁ ଏମାନଙ୍କ ମଧ୍ୟରେ ସଂଯୋଗର ସୂତ୍ର ବାହାର କରିବା ଅନ୍ୟ ଏକ ମୂଳ ଆହ୍ୱାନ।

ଐତିହ୍ୟ ବର୍ତ୍ତମାନର ସମସ୍ୟାକୁ ସମାଧାନ କରିନପାରେ। କିନ୍ତୁ ବର୍ତ୍ତମାନର ଜଟିଳତାକୁ ବୁଝିବାକୁ ଏହା ଏକ ପୃଷ୍ଠଭୂମି ଭାବରେ କାମ କରେ। ଅନ୍ୟ ଏକ ଦୃଷ୍ଟିକୋଣରୁ ଐତିହ୍ୟ, ବିଶେଷତଃ ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ଆଶାବାଦର ଏକ ଉତ୍ସ। ଯେହେତୁ ମଣିଷର ଅତୀତର ସବୁଠାରୁ ଲମ୍ବା ସମୟ ପ୍ରତ୍ନତତ୍ତ୍ୱ ବିଷୟର ଅଂଶବିଶେଷ, ଏହା ମାନବ ସମାଜରେ ଆଶା ସଂଚାର କରେ ଯେ ମାନବ ସତ୍ତା ଓ ସଂସ୍କୃତି କାଲି ଥିଲା, ଆଜି ଅଛି ଏବଂ ଭବିଷ୍ୟତରେ ରହିବ; ଯଦିଓ ମଝିରେ ମଝିରେ କିଛି ସମସ୍ୟା ବା ଆଶଙ୍କା ଉପୁଜିପାରେ।

ଆଗରୁ ଦର୍ଶାଯାଇଛି ଯେ ଐତିହ୍ୟ ଗୋଟିଏ ଅଞ୍ଚଳ ବା ଦେଶର ଅସ୍ମିତାକୁ ବଜାୟ ରଖେ। ଆଉ କେତେବେଳେ ଏହା ବିଶ୍ୱ ଐତିହ୍ୟ (World Heritage) ବା ଅଂଶଭାଗୀ ଐତିହ୍ୟ (Shared Heritage)କୁ ବୁଝାଏ। ଆଉ କେତେବେଳେ ଐତିହ୍ୟ ଏକ ପ୍ରତିଯୋଗିତାମୟ ଭୂଭାଗ (Contested Terrain)ର ଅଂଶବିଶେଷ ହୋଇଯାଏ। ଏହି ପ୍ରସଙ୍ଗରେ ଲଣ୍ଡନର ବ୍ରିଟିସ୍‌ ମ୍ୟୁଜିୟମ୍‌ରେ ଥିବା ଏଲ୍‌ଗି ମାର୍ବଲ୍ କଥା ମନେପଡ଼େ। ତାହା ବ୍ରିଟିସ୍‌ ମ୍ୟୁଜିୟମ୍‌ରେ ଥିବାବେଳେ ଗ୍ରୀକ୍ ନାଗରିକମାନେ ବାରମ୍ବାର ସେ ମାର୍ବଲକୁ ଗ୍ରୀସ୍‌କୁ ଫେରାଇଦେବାକୁ ଦାବି କରନ୍ତି। ସେହିଭଳି ଅଷ୍ଟ୍ରେଲିଆର ଆଦିମ ଅଧିବାସୀମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କର କଙ୍କାଳଗୁଡ଼ିକ ଇଉରୋପର ବିଭିନ୍ନ ସଂଗ୍ରହାଳୟରୁ ଫେରାଇ ଆଣିବାର ଦାବି କରି ଅନେକ କ୍ଷେତ୍ରରେ ସଫଳ ହୋଇଥାନ୍ତି। ବାମିଆନ୍ ବୁଦ୍ଧଙ୍କୁ ତାଲିବାନମାନେ ଆଫଗାନିସ୍ତାନରେ ଧ୍ୱଂସ କରିଦେଇ ଆଫଗାନିସ୍ତାନର ପ୍ରାକ୍-ମୁସଲିମ୍ ଇତିହାସକୁ ଜନସ୍ମୃତିରୁ ହଜାଇଦେବାପାଇଁ ମଧ୍ୟ ପ୍ରଚେଷ୍ଟା କରିଛନ୍ତି। ଏଇଠି ମୋର ପ୍ରଶ୍ନ- କୋଣାର୍କ ମନ୍ଦିର ନଥିବା ଓଡ଼ିଶା, ଅଜନ୍ତା-ଏଲୋରା ନଥିବା ଭାରତ ଓ ବୋରୋବୁଦୁର ନଥିବା ଇଣ୍ଡୋନେସିଆର ବିଶ୍ୱକୁ ଆପଣ ଭବିଷ୍ୟତରେ କିଭଳି ଦେଖିବେ? ତେଣୁ ଅତୀତକୁ ଭବିଷ୍ୟତରୁ ବଞ୍ଚାଇ ରଖିବାକୁ ପଡ଼ିବ ଏବଂ ଅତୀତକୁ ଭବିଷ୍ୟତ ପାଇଁ ବଞ୍ଚାଇ ରଖିବାକୁ ପଡ଼ିବ।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ଐତିହ୍ୟର ଅତୀତ ସମ୍ପର୍କରେ ଆଲୋଚନା କରାଯାଇପାରେ। ଆମେ ମୁଖ୍ୟତଃ ଊନବିଂଶ ଶତାବ୍ଦୀରେ ଗବେଷଣା କରାଯାଇଥିବା ପ୍ରତ୍ନତାତ୍ତ୍ୱିକ ଐତିହ୍ୟ ବିଷୟରେ ଆଲୋଚନା କରିବା। ଆଣ୍ଡ୍ରୁ ଷ୍ଟର୍ଲିଂ ୧୮୨୫ ମସିହାରେ ଲିଖିତ ତାଙ୍କ ବିବରଣୀରେ ଓଡ଼ିଶାର ପ୍ରତ୍ନତତ୍ତ୍ୱରାଜିର ବେଶ୍ ପ୍ରଶଂସା କରିଛନ୍ତି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଆକାର, ଉଚ୍ଚତା ଓ ନିର୍ମାଣ ଶୈଳୀର ସେ ଗୁଣଗାନ କରିଛନ୍ତି। ସେହିପରି ଅସଂପୂର୍ଣ୍ଣ ତଥା ଜରାଜୀର୍ଣ୍ଣ ରୂପରେ ସୁଦ୍ଧା କୋଣାର୍କ ମନ୍ଦିର ପ୍ରାଚୀନ ହିନ୍ଦୁ ମନ୍ଦିର ସ୍ଥାପତ୍ୟର ଅତ୍ୟନ୍ତ କୌତୂହଳପ୍ରଦ ଓ ସୁନ୍ଦର ନିଦର୍ଶନ ବୋଲି ସେ ଲେଖିଛନ୍ତି। ଏହା ବ୍ୟତୀତ ସେ ଯାଜପୁର, ଭୁବନେଶ୍ୱର, ପୁରୀ ଓ କୋଣାର୍କରେ ଅବସ୍ଥିତ ଚାରିଟି କ୍ଷେତ୍ର ସଂପର୍କରେ ମଧ୍ୟ ଆଲୋଚନା କରିଛନ୍ତି।

ଜେମ୍‌ସ ଫର୍ଗୁସନଙ୍କ ମତରେ ପଶ୍ଚିମରେ ଧାରୱାଡ୍‌ ଓ ପୂର୍ବରେ ଓଡ଼ିଶା- ଏହି ଦୁଇଟି ଅଞ୍ଚଳର ଭାରତୀୟ ଆର୍ଯ୍ୟଶୈଳୀକୁ ଭଲଭାବରେ ଅଧ୍ୟୟନ କରାଯାଇପାରେ। କିନ୍ତୁ ଧାରୱାଡ଼୍‌ରେ ସ୍ଥାପତ୍ୟ ଦ୍ରାବିଡ଼ୀୟ ଶୈଳୀ ସହ ମିଶି ରହିଛି, କିନ୍ତୁ ଓଡ଼ିଶାରେ ଏହାର ଖାଣ୍ଟି ସ୍ୱରୂପ ଦେଖିବାକୁ ମିଳେ। ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ଅଧ୍ୟୟନ ପାଇଁ ଫର୍ଗୁସନଙ୍କର ଦୁଇଟି ମୁଖ୍ୟ ଅବଦାନ ରହିଛି। ପ୍ରଥମତଃ, ସେ ଓଡ଼ିଶାର ମନ୍ଦିରଗୁଡ଼ିକର ବୈଶିଷ୍ଟ୍ୟ କଥା କହିଥିଲେ। ସେଗୁଡ଼ିକ ହେଲା, ବିମାନ, ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପ। ଦ୍ୱିତୀୟତଃ, ଓଡ଼ିଶାରେ ପ୍ରଥମଥର ପାଇଁ ଐତିହାସିକ ପଦ୍ଧତି ମାଧ୍ୟମରେ ସେ ଓଡ଼ିଶାର ମନ୍ଦିରଗୁଡ଼ିକରେ କାଳ ନିରୂପଣ କରିଥିଲେ। ଏଗୁଡ଼ିକୁ ସେ ୫ଟି ସମୟ ଭାଗରେ ବିଭକ୍ତ କରିଥିଲେ। ଯଥା ୬୫୦-୯୦୦, ୯୦୦-୧୦୦୦, ଏକାଦଶ ଶତାବ୍ଦୀ, ଦ୍ୱାଦଶ ଶତାବ୍ଦୀ ଓ ତ୍ରୟୋଦଶ ଶତାବ୍ଦୀ। ପରଶୁରାମେଶ୍ୱର ମନ୍ଦିର ପ୍ରଥମ ଭାଗରେ ଥିଲା। ମୁକ୍ତେଶ୍ୱର ମନ୍ଦିରକୁ ସେ ‘ଓଡ଼ିଶାର ସ୍ଥାପତ୍ୟର ମଣି’ ବୋଲି କହୁଥିଲେ। ଲିଙ୍ଗରାଜ ମନ୍ଦିର ସମ୍ବନ୍ଧରେ ସେ କହିଥିଲେ, “ସମ୍ଭବତଃ ଏହା ଭାରତରେ ଖାଣ୍ଟି ମନ୍ଦିରର ଉଦାହରଣ।”

ଊନବିଂଶ ଶତାବ୍ଦୀରେ ରାଜେନ୍ଦ୍ରଲାଲ ମିତ୍ର ଜଣେ ମହାନ୍ ପ୍ରତିଭାବାନ ବ୍ୟକ୍ତି ଥିଲେ। ତାଙ୍କ ରଚିତ “ଅଣ୍ଟିକ୍ବିଟିଜ୍‌ ଅଫ୍‌ ଓଡ଼ିଶା ପ୍ରଥମ ଖଣ୍ଡ (୧୮୭୫) ଓ ଦ୍ବିତୀୟ ଖଣ୍ଡ (୧୮୮୦)” ବେଶ୍ ଜଣାଶୁଣା। ଏହି ଦୁଇ ପୁସ୍ତକ ମଧ୍ୟ ଓଡ଼ିଶାର ମନ୍ଦିର ସ୍ଥାପତ୍ୟର ବୈଶିଷ୍ଟ୍ୟ ବିଷୟରେ ସୂଚନା ଦିଏ। ଓଡ଼ିଶାର ସାମାଜିକ ଇତିହାସ ପାଇଁ ମଧ୍ୟ ଏହା ସହାୟକ ହେଲା। ଓଡ଼ିଶାର ମନ୍ଦିରରାଜିକୁ ରାଜେନ୍ଦ୍ରଲାଲ ମିତ୍ର ତାଙ୍କର ଭାରତୀୟ ଜାତୀୟତାବାଦୀ ଇତିହାସ ହିସାବରେ ବ୍ୟବହାର କଲେ। ରାଣୀଗୁମ୍ଫାଠାରେ ଥିବା ଗୋଟିଏ ମୂର୍ତ୍ତି ବୁଟ୍ ପିନ୍ଧିଥିବାର ଉଦାହରଣ ଦେଇ ଭାରତୀୟ-ଆର୍ଯ୍ୟମାନେ ବୁଟ୍ ପିନ୍ଧୁଥିଲେ ବୋଲି ସେ ମତବ୍ୟକ୍ତ କରିଥିଲେ।

ଊନବିଂଶ ଶତାବ୍ଦୀରେ ହୋଇଥିବା ଓଡ଼ିଶାର ଐତିହ୍ୟ ଗବେଷଣା ସଂପର୍କରେ କିଛି ବିବାଦ ଉଲ୍ଲେଖଯୋଗ୍ୟ। ପ୍ରଥମତଃ, ବ୍ରିଟିସ୍‌ ଶାସକ-ଲେଖକ ଷ୍ଟାର୍ଲିଂ ଓଡ଼ିଶାର ପ୍ରତ୍ନରାଜିକୁ ପ୍ରଶଂସା କରିଥିଲେ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କୁ ସେ ଘୃଣା ଦୃଷ୍ଟିରେ ଦେଖୁଥିଲେ। ଅର୍ଥାତ୍ ଔପନିବେଶିକ ଇତିହାସ ଢାଞ୍ଚାରେ ସେ ଓଡ଼ିଆମାନେ ପୌରୁଷହୀନ ବୋଲି ମନେ କରୁଥିଲେ।
ଔପନିବେଶିକ ପ୍ରବଚନ ଜନିତ ବିଦେଶୀ ଶାସକମାନଙ୍କର ଏପରି କଟୂକ୍ତିକୁ ଜଣେ ଐତିହାସିକ ଦୁଇଟି ସ୍ତରରେ ଅନୁଧ୍ୟାନ କରିପାରନ୍ତି। ପ୍ରଥମତଃ- ଉଗ୍ର ଜାତୀୟତାବାଦ ପରାୟଣ ହୋଇ ଏହି ଅବାଞ୍ଛନୀୟ କଟୂକ୍ତିକୁ ପରାହତ କରିବାପାଇଁ ଆମ ଅତୀତର ଗୌରବୋଜ୍ଜ୍ୱଳ ଅଧ୍ୟାୟ ଉପରେ ଅଧିକ ଗୁରୁତ୍ୱ ଆରୋପ କରିବା ଏକ ଉପାୟ। ଉଦାହରଣ ସ୍ୱରୂପ, ଓଡ଼ିଆମାନଙ୍କର ହୀନମନ୍ୟତା, ଦୁର୍ବଳତା ବଦଳରେ ଓଡ଼ିଆ ଜାତି ଯେ ଏକ ବୀରପୁଙ୍ଗବମାନଙ୍କର ସମଷ୍ଟି, ଏହାର ସାମ୍ରାଜ୍ୟ ଯେ ଦିନେ ଆଗଙ୍ଗାଗୋଦାବରୀ ବିସ୍ତୃତ ଥିଲା ଏବଂ ଖାରବେଳ ଓ କପିଳେନ୍ଦ୍ରଦେବ ଆଦି ଯେ ଏ ଜାତିର ପ୍ରକୃତ ପ୍ରତୀକ- ଏହାରି ଉପରେ ଦୃଷ୍ଟିର ଅବତାରଣା ଉଗ୍ର ଜାତୀୟତାବାଦୀ ଐତିହାସିକମାନଙ୍କର ଏକ ପ୍ରଧାନ ଆୟୁଧ। କିନ୍ତୁ ଏକ ବିବରଣୀକୁ ଜଣେ ଐତିହାସିକ ଅନ୍ୟ ଏକ ସ୍ତରରେ ମଧ୍ୟ ଆଲୋଚନା କରିପାରନ୍ତି।

ଏହା ଏକ ବୌଦ୍ଧିକ ସ୍ତର ଯାହାଦ୍ୱାରା କି ଗୋଟିଏ ବିବରଣୀ ପ୍ରସଙ୍ଗର ଐତିହାସିକୀକରଣ କରାଯାଇପାରେ। ପ୍ରସିଦ୍ଧ ଐତିହ୍ୟ-ଗବେଷକ ଓ ପ୍ରତ୍ନତତ୍ତ୍ୱବିତ୍ ପରମାନନ୍ଦ ଆଚାର୍ଯ୍ୟ ଏହିପରି ଐତିହାସିକୀକରଣ କରିଥିଲେ। ତାଙ୍କ ମତରେ- “ଓଡ଼ିଆମାନେ ଦୀର୍ଘ ୨୦ ବର୍ଷ ମୋଗଲ ସେନାପତିମାନଙ୍କୁ ଯେଉଁ ପରାଭବ ଦେଇଥିଲେ, ତାହା ଲାଗି ଯେ ମୋଗଲ ସମ୍ରାଟ ଆକବରଙ୍କ କୃପାପ୍ରାର୍ଥୀ ମୋଗଲ ସେନାପତିମାନେ ସ୍ୱାଧୀନତାପ୍ରେମୀ ଓଡ଼ିଆମାନଙ୍କୁ ଦାୟୀ କରି ସେମାନଙ୍କର ଚରିତ୍ର ସଂପର୍କରେ ଅବାନ୍ତର କଥା ଲେଖିଥିଲେ, ଏହାର ପ୍ରମାଣ ଆଇନ-ଇ-ଆକବରୀ ଗ୍ରନ୍ଥରେ ହିଁ ରହିଛି। ଠିକ୍ ସେହିପରି ବ୍ରିଟିସ୍‌ ଅଧିକାରର ୧୫ ବର୍ଷ ପରେ ଖୋର୍ଦ୍ଧାରେ ପାଇକ ବିଦ୍ରୋହ ଓ ଓଡ଼ିଶାର ରାଜସ୍ୱ ସଂକ୍ରାନ୍ତ ବନ୍ଦୋବସ୍ତରେ ଲିପ୍ତଥିବା ଷ୍ଟାର୍ଲିଂ ସାହେବ ଓଡ଼ିଆ ଚରିତ୍ର ସଂପର୍କରେ ଯେଉଁ ଧାରଣା କରିଥିଲେ, ତାହାର ସମର୍ଥନ ସେ ଆଇନ-ଇ-ଆକବରୀ ଗ୍ରନ୍ଥରେ ପାଇବାରୁ ଓଡ଼ିଆ ଚରିତ୍ରକୁ ସେ ଅତି ହୀନଚକ୍ଷୁରେ ଦେଖିଥିଲେ ବୋଲି କହିଲେ କିଛି ଅନ୍ୟାୟ ହେବ ନାହିଁ।” (ଓଡ଼ିଶାର ପ୍ରତ୍ନତତ୍ତ୍ୱ ଓ ଅନ୍ୟାନ୍ୟ ପ୍ରବନ୍ଧ, ପୃ. ୩୬୩)

ଭାରତୀୟ ଐତିହ୍ୟକୁ ନେଇ ଫର୍ଗୁସନ ଓ ରାଜେନ୍ଦ୍ରଲାଲ ମିତ୍ରଙ୍କ ମଧ୍ୟରେ ବିବାଦ ରହିଥିଲା। ଫର୍ଗୁସନ୍‌ଙ୍କ ମତରେ ଭାରତୀୟମାନେ ପଥର ଖମ୍ବର ନିର୍ମାଣ ବାକ୍ଟରିଆନ୍ ଗ୍ରୀକ୍‌ମାନଙ୍କ ପାଖରୁ ଶିଖିଥିଲେ। କିନ୍ତୁ ରାଜେନ୍ଦ୍ରଲାଲ ମିତ୍ର ଏହାକୁ ଖଣ୍ଡନ କରିଥିଲେ। ଫର୍ଗୁସନ୍‌ଙ୍କର ରାଜେନ୍ଦ୍ର ଲାଲଙ୍କ ପ୍ରତି ଏତେ ବିଦ୍ୱେଷ ଥିଲା, ଯେ ସେ ୧୮୮୪ ମସିହାରେ ଏକ ପୁସ୍ତକ ରଚନା କରିଥିଲେ ତାହାର ଶିରୋନାମ ଥିଲା, “ଆର୍କିଓଲୋଜି ଅଫ୍‌ ଇଣ୍ଡିଆ ଵିଥ୍‌ ସ୍ପେସାଲ୍ ରିଫରେନ୍‌ସ ଟୁ ବାବୁ ରାଜେନ୍ଦ୍ରଲାଲ ମିତ୍ର”। ଏହି ପୁସ୍ତକରେ ଫର୍ଗୁସନ୍ ରାଜେନ୍ଦ୍ରଲାଲଙ୍କ ସମ୍ପର୍କରେ ଯେଉଁଭଳି ବିଷୋଦ୍‌ଗାର କରିଥିଲେ ଔପନିବେଶିକ ଇତିହାସ ତତ୍ତ୍ୱରେ ସେଭଳି ଉଦାହରଣ ଖୁବ୍ ବିରଳ। ଏଣେ, ରାଜେନ୍ଦ୍ରଲାଲ ମିତ୍ର ଜଣେ ଭାରତୀୟ ଜାତୀୟତାବାଦୀ ପ୍ରତ୍ନତତ୍ତ୍ୱବିତ୍ ଥିଲେ। ସେଇଥିପାଇଁ ଓଡ଼ିଶାର ମନ୍ଦିର ସ୍ଥାପତ୍ୟକୁ ସେ ଖାଣ୍ଟି ଭାରତୀୟ-ଆର୍ଯ୍ୟ ଶୈଳୀର ପ୍ରତୀକ ବୋଲି କହୁଥିଲେ। ଫର୍ଗୁସନ୍‌ ଉପନିବେଶବାଦୀ ହେଲେ, ରାଜେନ୍ଦ୍ରଲାଲ ମିତ୍ର ଥିଲେ ଜଣେ ଉପନିବେଶୀ। ଜଣେ ବହିରାଗତ ଏବଂ ଅନ୍ୟ ଜଣକ ଭୂମି ଓ ସଂସ୍କୃତିର ସନ୍ତାନ। ତେଣୁ ଏଭଳି ମତ ପାର୍ଥକ୍ୟ ସ୍ବାଭାବିକ ଥିଲା, ଯାହା ପୃଥିବୀର ପ୍ରାୟ ସମସ୍ତ ଉପନିବେଶରେ ଐତିହ୍ୟ ଓ ସଂସ୍କୃତିକୁ ନେଇ ହୋଇଥିବା ଗବେଷଣାଭିତ୍ତିକ ଆଲୋଚନାମାନରେ ଦେଖିବାକୁ ମିଳିଥାଏ।
(‘ଆମ ଓଡ଼ିଶା ବକ୍ତୃତାମାଳା’ କ୍ରମରେ ପ୍ରଦତ୍ତ ଅଭିଭାଷଣର ସମ୍ପାଦିତ ଅଂଶର ପ୍ରଥମ ଭାଗ)
ଲେଖକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି
ମୋ: ୮୮୯୫୬୧୫୬୩୬

ସମ୍ବନ୍ଧିତ ଖବର