ଓଡ଼ିଶାର ପ୍ରଥମ ମହିଳା ମହାବିଦ୍ୟାଳୟ ୧୯୧୩ ମସିହାରେ କଟକରେ ପ୍ରତିଷ୍ଠିତ ହୋଇଥିଲା। ରେଭେନ୍‌ସା ବାଳିକା ବିଦ୍ୟାଳୟ ପରିସରରେ ସେହି ମହାବିଦ୍ୟାଳୟରେ ଆଇ.ଏ. ଶ୍ରେଣୀରେ ଶିକ୍ଷା ଦାନ ଆରମ୍ଭ ହୋଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ କନ୍ୟା ଶୈଳବାଳା ଦାସ ଓଡ଼ିଶାରେ ନାରୀ ଶିକ୍ଷାର ପ୍ରସାର ପାଇଁ ମଧୁବାବୁଙ୍କ ମିସନ ରୋଡ଼ସ୍ଥିତ ବାସଗୃହ ଓ ତତ୍‌ସଂଲଗ୍ନ ଜମି ମହିଳା କଲେଜ ପାଇଁ ୧୯୫୨ ମସିହାରେ ସରକାରଙ୍କୁ ଦାନ କରିଥିଲେ। ଫଳରେ ସେହି ବର୍ଷ ରେଭେନ୍‌ସା ବାଳିକା ବିଦ୍ୟାଳୟ ପରିସରରୁ ମହିଳା କଲେଜଟି ମଧୁବାବୁଙ୍କ ବାସଗୃହକୁ ସ୍ଥାନାନ୍ତରିତ ହେଲା ଏବଂ କାଳକ୍ରମେ ସେଠାରେ କଳା ଓ ବିଜ୍ଞାନରେ ଉଚ୍ଚତର ଶ୍ରେଣୀମାନ ଖୋଲି ଆଜି ତାହା ଓଡ଼ିଶାର ସର୍ବବୃହତ୍‌ ସ୍ନାତକୋତ୍ତର ମହିଳା ମହାବିଦ୍ୟାଳୟର ମାନ୍ୟତା ହାସଲ କରିଛି।

Advertisment

ସ୍ବର୍ଗତ ଶୈଳବାଳା ଦାସଙ୍କ ନାରୀ ଶିକ୍ଷାର ପ୍ରସାର ପାଇଁ ଆଗ୍ରହ ଓ ବଦାନ୍ୟତା ଯୋଗୁଁ ସହରର ମଝିରେ ଏତେ ବଡ଼ ଜାଗା ମହିଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ଉପଲବ୍‌ଧ ହୋଇ ପାରିଥିଲା। ରକ୍ଷଣଶୀଳ ସମାଜରେ ଝିଅମାନଙ୍କୁ ପୁଅ ପିଲା ପଢୁଥିବା ମହାବିଦ୍ୟାଳୟରେ ପଢ଼ାଇବାକୁ ବାପାମାଆମାନେ ଚାହୁଁ ନଥିଲେ। ସେହି ସମୟରେ ଏହି ମହାବିଦ୍ୟାଳୟଟି ପ୍ରତିଷ୍ଠା ହେବା ଫଳରେ ଝିଅମାନେ ମାଟ୍ରିକ ପରେ ପାଠ ଛାଡ଼ି ଦେଉଥିବା ପରମ୍ପରାରେ ପରିବର୍ତ୍ତନ ଆସିଲା। ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଝିଅମାନେ ଆସି ସେଠାରେ ଉଚ୍ଚ ଶିକ୍ଷା ଲାଭ କରିପାରିଲେ। ପରବର୍ତ୍ତୀ ସମୟରେ ସେହି ମହାବିଦ୍ୟାଳୟଟିକୁ ଶୈଳବାଳାଙ୍କ ନାମରେ ନାମିତ କରାଗଲା। ସେହି ମହାବିଦ୍ୟାଳୟର ଐତିହାସିକ ଗୁରୁତ୍ବ ବିଷୟରେ ଅଜ୍ଞ ଥିବା କିଛି ପ୍ରଶାସକ କଟକ ଚଣ୍ଡୀ ମନ୍ଦିରର ସଂପ୍ରସାରଣ ପାଇଁ ଶୈଳବାଳାଙ୍କ ପ୍ରଦତ୍ତ ଜମି, ଯାହା କି ପିଲାଙ୍କର ଖେଳ ପଡ଼ିଆ ରୂପେ ବ୍ୟବହୃତ ହେଉଛି, ତାକୁ ଦଖଲ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଏହି ଉଦ୍ୟମକୁ ପ୍ରତିହତ କରିବାର ଆଉ କୌଣସି ଉପାୟ ନ ପାଇ ଶୈଳବାଳା ମହାବିଦ୍ୟାଳୟର ପୁରାତନ ଛାତ୍ରୀମାନେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ମକଦ୍ଦମାର ବିଚାର ସମୟରେ ସରକାରୀ ଓକିଲ ଶୈଳବାଳା ମହାବିଦ୍ୟାଳୟ ଦଖଲରେ ଥିବା ଜମି ସରକାରଙ୍କର ଏବଂ ସରକାର ମନ୍ଦିର ପାଇଁ ନୁହେଁ ବରଂ ରାସ୍ତା ପ୍ରଶସ୍ତୀକରଣ ପାଇଁ ସେହି ଜମିକୁ ବ୍ୟବହାର କରିବେ ବୋଲି ଯୁକ୍ତି ଉପସ୍ଥାପନ କଲେ। ଦୀର୍ଘ କାଳ ଧରି କଲେଜ ପାଇଁ ଦାନ ସୂତ୍ରରେ ମିଳିଥିବା ଜମିକୁ କଲେଜ ନାମକୁ ହସ୍ତାନ୍ତର ନ କରି ପକାଇ ରଖିବା ଫଳରେ ସରକାରୀ ଓକିଲ ପରିସ୍ଥିତିର ଫାଇଦା ଉଠାଇ କୋର୍ଟରେ ଏକ ଅର୍ଦ୍ଧସତ୍ୟ ଉପସ୍ଥାପନ କରିବାକୁ ସମର୍ଥ ହେଲେ। ୧୯୫୨ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୭୦ ବର୍ଷ ମଧ୍ୟରେ କଲେଜ ନାମରେ ଜମି ପଞ୍ଜୀକୃତ ହୋଇପାରିଲା ନାହିଁ। ୧୯୬୨ ମସିହାରେ ବିଜ୍ଞାନ ବିଭାଗ ପାଇଁ ସରକାର ଯେଉଁ ଜମି ଅଧିଗ୍ରହଣ କରିଥିଲେ, ତାହା ଆଜି ସୁଦ୍ଧା ଜଣେ ଘରୋଇ ବ୍ୟକ୍ତଙ୍କ ନାମରେ ରହିଛି ଏବଂ ସରକାରୀ ଖାତାକୁ ଆସିନି। ଦ୍ବିତୀୟ କଥା ହେଲା, ଚଣ୍ଡୀ ମନ୍ଦିର ସମ୍ମୁଖ ରାସ୍ତା ଯେ ଯଥେଷ୍ଟ ଚଉଡ଼ା ଏବଂ ଝିଅ ପିଲାମାନଙ୍କ ଖେଳ ପଡ଼ିଆକୁ ସଂକୁଚିତ କରି ସେହି ରାସ୍ତାର ପ୍ରଶସ୍ତୀକରଣର କୌଣସି ଯୁକ୍ତିଯୁକ୍ତ କାରଣ ନାହିଁ, ଏ କଥା ମାନ୍ୟବର କୋର୍ଟଙ୍କୁ ଅବଗତ କରାଯାଇ ପାରିଲାନି।

ଅପରପକ୍ଷେ କଲେଜ ଝିଅମାନେ ଖେଳକୁଦ କରିବା ପାଇଁ ମହାନଦୀ ଭିତର ହାଡ଼ିଆ ପଠାରେ କଲେଜକୁ ଜମି ଦେବା ଭଳି ସରକାରଙ୍କ ଏକ ହାସ୍ୟାସ୍ପଦ ନିଷ୍ପତ୍ତି ସରକାରୀ ଓକିଲ ଅଦାଲତଙ୍କୁ ଜଣାଇ କଲେଜର କୌଣସି କ୍ଷତି ହେବନାହିଁ ବୋଲି ଦର୍ଶାଇଥିଲେ। ଶୈଳବାଳା ମହାବିଦ୍ୟାଳୟର ପ୍ରାୟ ୫୦୦ ଛାତ୍ରୀ କଲେଜ ପରିସର ଭିତରେ ଛାତ୍ରୀ ନିବାସରେ ରହନ୍ତି। ସେମାନଙ୍କ ପାଇଁ ନିଶ୍ୱାସ ନେବାର ଜାଗା ଏହି ଖେଳ ପଡ଼ିଆ। ସେମାନଙ୍କ ନିବାସ କଡ଼ରେ ପ୍ରସ୍ତାବିତ ରାସ୍ତାଟି ତିଆରି ହେବ। ସେମାନେ ଖେଳକୁଦ କରିବାକୁ ହାଡ଼ିଆ ପଠାକୁ ଯିବେ! ସତେ ଯେପରି ହାଡ଼ିଆ ପଠା କଲେଜ ପାଚେରିକୁ ଲାଗିଛି! ମକଦ୍ଦମାର ଫଳାଫଳ ବିଷୟରେ ଆଲୋଚନା ଅନାବଶ୍ୟକ। କିଛି ବର୍ଷ ତଳେ ଆଜି ଯେଉଁ ରାସ୍ତା ସଂପ୍ରସାରଣ ହେବ ବୋଲି କୁହାଯାଇଛି ତାହାକୁ ସଂକୁଚିତ କରି ଏକ ବିରାଟ ତୋରଣ ତିଆରି ହୋଇଛି ଏବଂ ଏଥି ପାଇଁ ମଧ୍ୟ କଲେଜର ଖଣ୍ଡେ ଜମିକୁ ଦଖଲ କରାଯାଇଛି। ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ଓ ଶିକ୍ଷିତ ସଚେତନ ନାଗରିକମାନଙ୍କର ବାସସ୍ଥଳୀ କଟକରେ କିଛି ଲୋକଙ୍କର ସ୍ବାର୍ଥ ସାଧନ ପାଇଁ କିମ୍ବା ରାଜନୈତିକ ଫାଇଦା ପାଇଁ ଐତିହ୍ୟର ଏଭଳି ଜଘନ୍ୟ ହତ୍ୟା ସଂଘଟିତ ହେଉଛି।

ଓଡ଼ିଶାର ଗର୍ବ ଓ ଗୌରବ, ସର୍ବପୁରାତନ ଶିକ୍ଷା ମନ୍ଦିର ରେଭେନ୍‌ସା ମହାବିଦ୍ୟାଳୟର ଜମି ଆଜି ବି ସରକାରଙ୍କ ନାମରେ ଅଛି। ରେଭେନ୍‌ସା ମହାବିଦ୍ୟାଳୟ ସ୍ବୟଂଶାସିତ ହେବା ଦିନ ଠାରୁ ସରକାରୀ ଖାତାରୁ କଲେଜ ନାମକୁ ଜମି ଆସିବା ପାଇଁ ଉଦ୍ୟମ ହୋଇ ଆସୁଛି; କିନ୍ତୁ ଆଜି ରେଭେନ୍‌ସା ବିଶ୍ବବିଦ୍ୟାଳୟ ହେବା ପରେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ। ବ୍ରିଟିସ୍‌ ସରକାର ଯେତେବେଳେ ରେଭେନ୍‌ସା କଲେଜ ପାଇଁ ଚକରଚାନ୍ଦ ପଡ଼ିଆରେ ନୂତନ ଅଟ୍ଟାଳିକା ନିର୍ମାଣ କଲେ, ସେତେବେଳେ ସେହି ଜମି ତତ୍କାଳୀନ ସରକାରଙ୍କର ନିର୍ମାଣ ଓ ପରିବହନ ନାମକ ଏକ ବିଭାଗର ମାଲିକାନାରେ ଥିଲା। ସ୍ବାଧୀନତା ପରେ ବନ୍ଦୋବସ୍ତ ବେଳେ ଦସ୍ତାବିଜରେ ରେଭେନ୍‌ସା ମହାବିଦ୍ୟାଳୟକୁ ଜବରଦଖଲକାରୀ ବୋଲି ଦର୍ଶାଯାଇଥିଲା। ରେଭେନ୍‌ସା ମହାବିଦ୍ୟାଳୟର ଶେଷ ଅଧ୍ୟକ୍ଷ ସ୍ବର୍ଗତ ରାମକୃଷ୍ଣ କର ଜମିକୁ କଲେଜ ନାଁରେ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ରେଭେନ୍‌ସା ମହାବିଦ୍ୟାଳୟ ୨୦୦୬ ମସିହାରେ ବିଶ୍ୱବିଦ୍ୟାଳୟରେ ପରିଣତ ହେଲା। ୨୪ ଅକ୍ଟୋବର ୨୦୦୯ ମସିହାରେ କଟକ ସଦର ତହସିଲଦାରଙ୍କ ନିଷ୍ପତ୍ତି କ୍ରମେ ରାଜସ୍ବ ପର୍ଷଦ୍ ସେହି ଜମିକୁ ଉଚ୍ଚ ଶିକ୍ଷା ବିଭାଗକୁ ହସ୍ତାନ୍ତର କରିବାକୁ ରାଜସ୍ବ ବିଭାଗ ସଚିବଙ୍କୁ ଚିଠି ଲେଖିଲେ। ବାସ୍ ରଥ ସେଇଠି ରହିଲା। ୟା ଭିତରେ କେତେ ସଚିବ ଆସିଲେଣି ଓ ଗଲେଣି।

ରେଭେନ୍‌ସା ତରଫରୁ ମଧ୍ୟ କେତେ ଥର ଅନୁରୋଧ କରାଗଲାଣି, କିନ୍ତୁ ରାଜସ୍ବ ବିଭାଗ ନିର୍ବିକାର। ବର୍ତ୍ତମାନ ତେର ବର୍ଷ ପରେ ସେ ଚିଠିର ପତ୍ତା ମିଳୁନାହିଁ ବୋଲି କୁହାଯାଉଛି। ଏହି ପରିସ୍ଥିତିର ସୁଯୋଗ ନେଇ କଟକ ଜିଲ୍ଲା ପ୍ରଶାସନ ରେଭେନ୍‌ସାର ପ୍ରାୟ ଛଅ ଏକର ଜମି ଉପରେ ଥିବା ଅଧ୍ୟାପକମାନଙ୍କ ପାଇଁ ନିର୍ମିତ ଛଅଟି ବାସଗୃହକୁ ଧୂଳିସାତ୍‌ କରି ସେହି ଜାଗାରେ ପରିବା ବଜାର ନିର୍ମାଣ କରିଛନ୍ତି। କାଲି ହୁଏତ ରେଭେନ୍‌ସା ଖେଳପଡ଼ିଆକୁ ମାଲଗୋଦାମରେ ପରିଣତ କରାଯାଇପାରେ। ମାତ୍ର ୫୦୦ ପିଲାଙ୍କ ପାଇଁ ବ୍ରିଟିସ୍ ସରକାର ରେଭେନ୍‌ସା ପାଇଁ ୮୭ ଏକର ଜମି ଦେଇଥିଲେ। ୨୦୦୬ ମସିହାରେ ବିଶ୍ବବିଦ୍ୟାଳୟ ହେବା ପରେ ଛାତ୍ର ସଂଖ୍ୟା ଓ ଭବିଷ୍ୟତ୍‌ ସଂପ୍ରସାରଣକୁ ଦୃଷ୍ଟିରେ ରଖି ମାନନୀୟ ମୁଖ୍ୟମନ୍ତ୍ରୀ ନରାଜ ଠାରେ ଥିବା ୧୩୪ ଏକର ଜମିକୁ ବିନା ମୂଲ୍ୟରେ ରେଭେନ୍‌ସାକୁ ଦେବା ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ୨୦୦୭ ମସିହାରେ ତାଙ୍କ କାର୍ଯ୍ୟାଳୟରେ ଏକ ସଭା ହୋଇ ତୁରନ୍ତ ଏହା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ବିଶ୍ବବିଦ୍ୟାଳୟର କୁଳସଚିବ ଆଠଗଡ଼ ତହସିଲଦାରଙ୍କ ଠାରୁ ସେ ଜମି ଗ୍ରହଣ କରିଥିଲେ। କିନ୍ତୁ ୨୦୧୨ ମସିହାରେ ସେହି ଜମିକୁ ବିଶ୍ବବିଦ୍ୟାଳୟକୁ ଲିଜ୍ ଦେଇ ବର୍ଷକୁ ଭୂମି ଭଡ଼ା ଓ ସେସ୍‌ ବାବଦକୁ ବାର୍ଷିକ ପନ୍ଦର ଲକ୍ଷ ନଅଶହ ଆଠ ଟଙ୍କା ଦେୟ ବିଶ୍ବବିଦ୍ୟାଳୟ ଠାରୁ ଆଦାୟ କରିବା ପାଇଁ ରାଜସ୍ବ ବିଭାଗ ଆଦେଶ ଦେଲା। ରେଭେନ୍‌ସା ବିଶ୍ବବିଦ୍ୟାଳୟ ଏହି ଦେୟକୁ ଛାଡ଼ କରିବା ପାଇଁ ଅନୁରୋଧ କଲାରୁ ଉତ୍ତର ଆସିଲା- ‘ଛାଡ଼ ହେବ ନାହିଁ। ଉଚ୍ଚ ଶିକ୍ଷା ବିଭାଗକୁ ପଇସା ପାଇଁ ଲେଖ।’

ଏ ମଧ୍ୟରେ ଛାତ୍ର ସଂଖ୍ୟା ଆହୁରି ବୃଦ୍ଧି ପାଇଛି, ଛାତ୍ରାବାସ ଓ କର୍ମଚାରୀଙ୍କ ପାଇଁ କଲେଜ ପରିସରରେ ଅଧିକ ଜମିର ଆବଶ୍ୟକତା ଥିବାବେଳେ କଲେଜର ଜମିକୁ ପରିବା ହାଟ କରାଯାଉଛି। ଅଭିଯୋଗ ହୁଏ ଯେ ରେଭେନ୍‌ସା ବିଶ୍ବବିଦ୍ୟାଳୟରେ ନିୟମିତ କୁଳପତି ଓ କୁଳସଚିବଙ୍କ ଅନୁପସ୍ଥିତିରେ ବିଶ୍ବବିଦ୍ୟାଳୟର ବିତ୍ତ ଅଧିକାରୀ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ଗ୍ରହଣ କରି ବାସଗୃହଗୁଡ଼ିକୁ ଖାଲି କରାଇ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ହାତରେ ଟେକି ଦେଲେ। କୁଳାଧିପତିଙ୍କ ବିନା ଅନୁମତିରେ ଏହା ସମ୍ଭବ ହେଲା କିପରି?

ଏହା ଯେ କେବଳ ରେଭେନ୍‌ସା କିମ୍ବା ଶୈଳବାଳା ମହାବିଦ୍ୟାଳୟ କ୍ଷେତ୍ରରେ ଘଟିଛି ତାହା ନୁହେଁ। କଟକର ଆଉ ଏକ ଐତିହାସିକ ଶିକ୍ଷାନୁଷ୍ଠାନ ହେଉଛି ରେଭେନ୍‌ସା କଲିଜିଏଟ ସ୍କୁଲ୍। ଏହି ବିଦ୍ୟାଳୟ ଓଡ଼ିଶାରେ ଜନ୍ମିତ ସମସ୍ତ ପ୍ରଥିତଯଶା ବ୍ୟକ୍ତିଙ୍କର ଶିକ୍ଷା ମାତୃକା। ଏହାର କିଛି ଜମି କୋର୍ଟ ଓ ସରକାରୀ ଅଫିସ୍ କବଳରେ ଅଛି। ପ୍ରଧାନ ଶିକ୍ଷକଙ୍କ ପାଇଁ ଉଦ୍ଦିଷ୍ଟ ବାସଗୃହକୁ ଅନ୍ୟ ସଂସ୍ଥାକୁ ହସ୍ତାନ୍ତର କରାଯାଉଛି। ସ୍କୁଲ ନାମରେ ଆଜି ସୁଦ୍ଧା ସ୍କୁଲର ଜମିର ପଟ୍ଟା ମିଳିନି। ସ୍କୁଲ ନାମରେ ଜମି ପଟ୍ଟା ଦେବା ପାଇଁ ସରକାରଙ୍କ ନିର୍ଦ୍ଦେଶକୁ କଟକ ତହସିଲ କାର୍ଯ୍ୟାଳୟ ଶୁଣୁ ନାହିଁ ବୋଲି ଅଭିଯୋଗ ହୋଇଥାଏ। ସ୍କୁଲର କ୍ରୀଡ଼ାଙ୍ଗନ ସନ୍‌ସାଇନ୍‌ ପଡ଼ିଆ ଅସାମାଜିକ ବ୍ୟକ୍ତିଙ୍କ କବଳରେ। ଅତୀତରେ ରାସ୍ତା ସଂପ୍ରସାରଣ କରାଯାଇ ସନ୍‌ସାଇନ୍‌ ପଡ଼ିଆକୁ କଟକ ଜିଲ୍ଲା ପ୍ରଶାସନ କବଳିତ କରିବାକୁ ଉଦ୍ୟମ କରିଥିଲା, କିନ୍ତୁ ପୁରାତନ ଛାତ୍ରମାନଙ୍କ ଦୃଢ଼ ପ୍ରତିବାଦ ଫଳରେ ସେ ଉଦ୍ୟମ ଫସର ଫାଟି ଯାଇଥିଲା। ସ୍କୁଲର ପୁରାତନ ଛାତ୍ରାବାସ, ଯାହାର ଦିନେ ଅନ୍ତେବାସୀ ଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ସେ ଜମି ଉପରେ ମଧ୍ୟ ଲୋକଙ୍କର ଲୋଲୁପ ଦୃଷ୍ଟି ପଡ଼ିଲାଣି। ରାଧାନାଥ ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟର ଛାତ୍ରାବାସ ପରିସରରେ ସରକାରୀ ଓକିଲଖାନା ତିଆରି ହୋଇଛି।

ଓଡ଼ିଶାର ପ୍ରାୟ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକ ଭୂମିହୀନ। ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଜମି ରାଜସ୍ବ ଦସ୍ତାବିଜରେ ସେମାନଙ୍କ ନାମରେ ପଞ୍ଜୀକୃତ ହୋଇନାହିଁ। ସରକାର ଏ ବିଷୟରେ ସଚେତନ ଅଛନ୍ତି ଏବଂ ଶିକ୍ଷାନୁଷ୍ଠାନକୁ ଜମିର ମାଲିକାନା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ, ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ବର୍ତ୍ତମାନ ଆମ ଶିକ୍ଷା ବ୍ୟବସ୍ଥାରେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁରୁତ୍ବ ହ୍ରାସ ପାଉଛି। ସମାଜର ପ୍ରତିଷ୍ଠିତ ଲୋକଙ୍କ ପିଲାମାନେ ସେଠାରେ ପଢୁ ନାହାନ୍ତି। ସେଥିପାଇଁ ପ୍ରଶାସନ ଏହି ଅନୁଷ୍ଠାନଗୁଡ଼ିକ ଅଦରକାରୀ ବୋଲି ଭାବୁଛନ୍ତି। କିନ୍ତୁ ସେମାନେ ମନେ ରଖିବା ଉଚିତ ଯେ ସମାଜର ଆର୍ଥିକ ଦୁର୍ବଳ ବର୍ଗର ପିଲାମାନେ ଶିକ୍ଷା ଲାଭ କରିବା ପାଇଁ ଏହି ଅନୁଷ୍ଠାନଗୁଡ଼ିକ ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରନ୍ତି। ସେମାନଙ୍କର ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ ଶିକ୍ଷା ଅପରିହାର୍ଯ୍ୟ। ଶିକ୍ଷା ଦେଶରୁ ଦାରିଦ୍ର୍ୟ ଦୂର କରିବାର ଏକ ବଳିଷ୍ଠ ମାଧ୍ୟମ। ଆମେ ଯଦି ଏକଥା ବୁଝି ପାରନ୍ତେ ତାହେଲେ ଶିକ୍ଷାନୁଷ୍ଠାନ ଜମିରେ ତୋରଣ ତିଆରି କରନ୍ତେ ନାହିଁ। ଜଳାଶୟ ଓ ଚାଷ ଜମିର ସୁରକ୍ଷା ପାଇଁ ଯେପରି ନିୟମ କରାଯାଇଛି, ଶିକ୍ଷାନୁଷ୍ଠାନ ଜମି ପାଇଁ ଏହିପରି କଟକଣା କରାଯିବା ଆବଶ୍ୟକ। ଏହା ସତ ନୁହେଁ କି ଯେ ବେସରକାରୀ ଶିକ୍ଷାନୁଷ୍ଠାନର ଜମି ଦଖଲ କରିବା ସହଜସାଧ୍ୟ ନୁହେଁ? ଏହି ପରିପ୍ରେକ୍ଷୀରେ ଯେଉଁମାନେ ସରକାରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁ ନାହାନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ। ତାହା ନ ହେଲେ ଭବିଷ୍ୟତରେ ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକର ଉନ୍ନତୀକରଣ ଏବଂ ସଂପ୍ରସାରଣ ବାଧାପ୍ରାପ୍ତ ହେବ, ଯାହା ସେଠାରେ ଶିକ୍ଷା ଲାଭ କରୁଥିବା ସମାଜର ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ଭବିଷ୍ୟତ୍‌କୁ ଆକ୍ରାନ୍ତ କରିବ।
ମୋ: ୯୪୩୭୨୭୭୩୧୩