କନ୍ୟାକୁମାରୀରୁ ଯେବେଠୁ ‘ଭାରତ ଯୋଡ଼ୋ’ ଯାତ୍ରା ଆରମ୍ଭ ହେଲା, ସେବେଠୁ ଫୋନ୍‌ରେ ନାନା ପ୍ରଶ୍ନ ଶୁଣିବାକୁ ମିଳିଲା: ‘ଯାତ୍ରା କେମିତି ଚାଲିଛି?’, ‘କିଛି ପ୍ରଭାବ ପଡ଼ିଲା ଭଳି ଲାଗୁଛି କି?’, ‘ନିର୍ବାଚନରେ ଫାଇଦା ମିଳିବ କି?’, ‘କିଛି ହାସଲ କରିହେବ କି ନା?’… ଇତ୍ୟାଦି ଇତ୍ୟାଦି। ଶୁଣାଯାଉଛି, ଟିଭିରେ ବି ‘ତୁ ତୁ ମୈଁ ମୈଁ ’ ଆରମ୍ଭ ହୋଇଗଲାଣି। ଯାତ୍ରା ଦ୍ବାରା କ’ଣ ହାସଲ ହେବ, ତାହା ନିର୍ଭର କରୁଛି ତାହା ପଛରେ ଥିବା ଉଦ୍ଦେଶ୍ୟ ଉପରେ। ପଦଯାତ୍ରା ତ କେତେ ପ୍ରକାରର ହୋଇଥାଏ। କାହା ପାଇଁ ପରିଭ୍ରମଣ ତ କାହାପାଇଁ କସରତ। ଯାଯାବର ସମାଜ ପାଇଁ ଏହା ଜୀବନଶୈଳୀ ତ ଫେରିବାଲା ପାଇଁ ଜୀବିକା। କିଛି ଲୋକ କୌଣସି ଆକାଂକ୍ଷା ପାଇଁ ଚାଲୁଥା’ନ୍ତି ତ କେହି କେହି ଦର୍ଶନ କରିବାର ଅଭିଳାଷ ରଖିଥା’ନ୍ତି। କିଛି ମଧ୍ୟ ନିଜ ଭିତରେ ଥିବା ଈଶ୍ବରଙ୍କୁ ଖୋଜିବା ପାଇଁ ପଦଯାତ୍ରା କରିଥା’ନ୍ତି।

Advertisment

ଏହି କଥା ବି ରାଜନୈତିକ ପଦଯାତ୍ରା ପାଇଁ ଲାଗୁ ହୁଏ। ଏଇଠି କେହି ଭ୍ରମଣପ୍ରିୟ ତ କେହି ଦର୍ଶନ ଅଭିଳାଷୀ, କେହି ମଧ୍ୟ ଟିକେଟ୍‌ ଆଶାୟୀ। ଆମର ଏଠି ନିର୍ବାଚନୀ ପଦଯାତ୍ରାର ଇତିହାସ ବହୁତ ପୁରୁଣା। ଆମର ଏମିତି କିଛି ପଦଯାତ୍ରା ହୋଇଛି, ଯାହା ମାଧ୍ୟମରେ ଦେଶ ନିଜକୁ ନିଜେ ଚିହ୍ନିପାରିଛି ଏବଂ ନିଜର ହୃତ ଆତ୍ମବଳ ଫେରି ପାରିଛି।

ଏ କଥା ସ୍ପଷ୍ଟ ଯେ ଏ ସବୁର ଅଳ୍ପ ବହୁତ ଅଂଶ ‘ଭାରତ ଯୋଡ଼ୋ’ ଯାତ୍ରାରେ ରହିଛି। ଏ କଥା ମଧ୍ୟ ସ୍ପଷ୍ଟ ଯେ ଦେଶର ଏକ ବୃହତ୍‌ ଦଳ ଦ୍ବାରା ପ୍ରାୟୋଜିତ ଏଭଳି ଯାତ୍ରାରେ ଭ୍ରମଣପ୍ରିୟ ତ ରହିଥିବେ, ଯୋଦ୍ଧା ବି ଥିବେ, ଟିକେଟ୍‌ ଆଶାୟୀ ଓ ଦର୍ଶନାଭିଳାଷୀ ମଧ୍ୟ ରହିଥିବେ। ଏହି ଯାତ୍ରାର ସଫଳତା-ଅସଫଳତାକୁ ଏ ସବୁ ଛୋଟ ଛୋଟ ଆକାଂକ୍ଷାର ନିକିତିରେ ତଉଲାଯାଇ ପାରିବ ନାହିଁ। ରାଜନୀତି ପଣ୍ଡିତମାନେ ଏହାକୁ କଂଗ୍ରେସ ଦଳ କି ରାହୁଳ ଗାନ୍ଧୀଙ୍କ ଲାଭକ୍ଷତିର କଷଟି ପଥରରେ ମାପିବେ। ଏ କଥା ମଧ୍ୟ ସ୍ପଷ୍ଟ ଯେ, କୌଣସି ଦଳ ବା ନେତାଙ୍କ ଲାଭ କେବେ ଦେଶ ହିତର ପରିମାପକ ହୋଇପାରିବ ନାହିଁ।

ଆଜିର ପ୍ରାସଙ୍ଗିକତାରେ ‘ଭାରତ ଯୋଡ଼ୋ’ ଯାତ୍ରାର ସଫଳତାର ଗୋଟିଏ ମାତ୍ର ମାପଦଣ୍ଡ ହୋଇପାରେ: ଏହି ଯାତ୍ରା କ’ଣ ଦେଶର ଭବିଷ୍ୟତ୍‌କୁ ଢାଙ୍କି ରହିଥିବା କଳାବାଦଲକୁ ଅପସାରିତ କରିବାରେ ସାହାଯ୍ୟ କରିପାରିବ? ଆମର ଲୋକତନ୍ତ୍ର, ସଂବିଧାନ, ସ୍ବତନ୍ତ୍ରତା ଆନ୍ଦୋଳନ ଏବଂ ସଭ୍ୟତାର ଐତିହ୍ୟକୁ ବଞ୍ଚାଇବାରେ ଏହା କିଭଳି ଯୋଗଦାନ କରିପାରିବ? ରାଜନୈତିକ ଶକ୍ତିର ସନ୍ତୁଳନକୁ କିଛି ମାତ୍ରାରେ ହେଉ ପଛକେ, ଦେଶକୁ ଯୋଡୁଥିବା ବ୍ୟକ୍ତିଙ୍କ ସପକ୍ଷରେ କ’ଣ ତାହା କରିପାରିବ? ମୋ’ ପରି ଲୋକ ଏପରି ଆଶାର ସହିତ ଏହି ଯାତ୍ରା ସହ ଯୋଡ଼ି ହୋଇଛନ୍ତି। ଦେଶ ଇତିହାସର ଏପରି ସଂକଟଜନକ ସମୟରେ ସଂଘଟିତ ଏହି ଯାତ୍ରାକୁ ଅନ୍ୟ କୌଣସି ଦୃଷ୍ଟିରେ ଦେଖିବା ଗଭୀର ଉଦାସୀନତା ହେବ।

ଦୀର୍ଘ ପାଞ୍ଚ ମାସ ଧରି ହେବାକୁ ଥିବା ଏହି ଯାତ୍ରାର ନିଷ୍କର୍ଷକୁ ଏହାର ପ୍ରଥମ କିଛି ଦିନର ଫଳାଫଳ ଆଧାରରେ ନିର୍ଣ୍ଣୟ କରିବା ହାସ୍ୟାସ୍ପଦ ହେବ, ମାତ୍ର ଏହି ପ୍ରଥମ ଝଲକକୁ ଭିତ୍ତି କରି କିଛି ଆଶା ପୋଷଣ କରାଯାଇପାରିବ। ପ୍ରଥମ ସପ୍ତାହରେ ଏହି ଯାତ୍ରା ତାମିଲନାଡୁର କନ୍ୟାକୁମାରୀ ଓ କେରଳର ତିରୁବନନ୍ତପୁରମ୍‌ ଜିଲ୍ଲା ଅତିକ୍ରମ କରିଛି। ଦୁଇଟି ଯାକ ଇଲାକା କଂଗ୍ରେସର ଅପେକ୍ଷାକୃତ ମଜବୁତ କ୍ଷେତ୍ର। ତେଣୁ ଯାତ୍ରାର ପ୍ରାରମ୍ଭିକ ବିଶାଳ ଜନ ସମର୍ଥନରେ ଚକିତ ହେବାର କିଛି ନାହିଁ। ମାତ୍ର ଏ କଥା ଉଲ୍ଲେଖନୀୟ ଯେ ପ୍ରାୟ ସବୁ ସମୟରେ ଏହି ଯାତ୍ରାକୁ ସ୍ବାଗତ କରିବା ଲାଗି ସଡ଼କର ଦୁଇ ପାର୍ଶ୍ବରେ ସାଧାରଣ ଜନତା ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଥିଲେ। ଏ କଥା ଅବଶ୍ୟ ସ୍ପଷ୍ଟ ଯେ ଏହି ଜନସମୂହର ସିଂହଭାଗ ଲୋକଙ୍କୁ ଦଳର କାର୍ଯ୍ୟକର୍ତ୍ତାମାନେ ଯୋଗାଡ଼ କରିଥିବେ। ଏହା ସତ୍ତ୍ବେ ଏହା ଏକ ଉପଲବ୍‌ଧି।

କିଛି ଦେଖଣାହାରି ଚାହିଁ ରହିଥିଲେ। ମାତ୍ର ଏହି ଜନସମୁଦ୍ର ଭିତରେ ଏପରି କିଛି ସାଧାରଣ ଲୋକ ଥିଲେ, ଯେଉଁମାନେ କୌଣସି ଦଳ ସହ ଜଡ଼ିତ ନଥିଲେ। ସେମାନେ ମନକୁ ମନ ଆସିଥିଲେ, ସେମାନଙ୍କୁ ଯୋଗାଡ଼ କରାଯାଇନଥିଲା। ସେହି ଲୋକମାନଙ୍କ ଆଖିରେ ଏଭଳି ଏକ ଚମକ ରହିଥିଲା, ଯାହା ଗଭୀର ଅନ୍ଧକାର ଭିତରେ ଏକ କ୍ଷୀଣ ଆଶାର କିରଣ ସଦୃଶ ଲାଗୁଥିଲା। ସେମାନଙ୍କୁ ଏବେ ଠାରୁ କଂଗ୍ରେସର ସମର୍ଥକ କି ଭୋଟର ବୋଲି ପରିଗଣନା ନ କଲେ ନାଇଁ; ଏହି ପଦଯାତ୍ରା ପ୍ରତି ସେମାନଙ୍କର ତାହା ଆଦର ଭାବ ହୋଇପାରେ, ଯାହା ଆମ ସଂସ୍କୃତିର ଅଂଶବିଶେଷ। ଆଗାମୀ କିଛି ଦିନ ଭିତରେ ଏ କଥା ବୁଝାପଡ଼ିଯିବ; ତେବେ ଏହି ଯାତ୍ରାର ଯେ ଏକ ସକାରାତ୍ମକ ସ୍ଥିତି ରହିଛି, ତାହା ଅସ୍ବୀକାର କରାଯାଇନପାରେ। ଏହାର ନିର୍ବାଚନୀ ଫଳାଫଳ କ’ଣ ହେବ, ତାହା ଏବେ ଠାରୁ କହିହେବନାହିଁ। ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ଉପରେ ତ ଆଦୌ ନୁହେଁ। ତେବେ ଏହି ସକାରାତ୍ମକତା କୋଉଠି ନା କୋଉଠି ରାଜନୈତିକ ବିକଳ୍ପହୀନତାର ସ୍ଥିତିକୁ ଭାଙ୍ଗିବାର କ୍ଷମତା ବହନ କରୁଛି।

ଏବେ ଠାରୁ ଦେଶ ଉପରେ ଏହି ଯାତ୍ରାର ପ୍ରଭାବ ଉପରେ ଟିପ୍ପଣୀ କରିବା ଅନୁଚିତ ହେବ। ମାତ୍ର ଗୋଟିଏ କଥା ନିଶ୍ଚିତ ହୋଇଛି ଯେ କଂଗ୍ରେସ ପରି ବଡ଼ ଦଳ ଦ୍ବାରା ନିଆଯାଇଥିବା ଏପରି ପ୍ରଥମ ପଦକ୍ଷେପ ଦେଶରେ ଜାରି ରହିଥିବା ନିରବ ନିଃସଙ୍ଗବୋଧର ଅନୁଭବକୁ ଭଙ୍ଗ କରିଛି। ଏହି ଯାତ୍ରାକୁ ସମର୍ଥନ କରି ଏମିତି ଅନେକ ବ୍ୟକ୍ତି ଆସିଛନ୍ତି, ଯେଉଁମାନେ କେବେ କଂଗ୍ରେସକୁ ସମର୍ଥନ କରିନଥିଲେ ଏବଂ ସେମାନେ ରାସ୍ତା ଉପରେ କଂଗ୍ରେସ ସରକାରକୁ ବିରୋଧ କରିଥିଲେ। କନ୍ୟାକୁମାରୀ ଠାରୁ ହିଁ ଦେଶର ଜନ ଆନ୍ଦୋଳନର ଏକ ଅଂଶ ଏହି ପଦଯାତ୍ରାରେ ସାମିଲ ହୋଇଛି।

ବାହାରୁ ଏପରି ଅପ୍ରତ୍ୟାଶିତ ସମର୍ଥନ ଦ୍ବାରା କଂଗ୍ରେସ ପଦଯାତ୍ରୀମାନଙ୍କର ଉତ୍ସାହ ବହୁଗୁଣିତ ହୋଇଛି। ବିଗତ ସପ୍ତାହ ସାରା ଏହି ଯାତ୍ରାରେ ସାମିଲ ହେବାକୁ ଅଭିଳାଷ ରଖିଥିବା ଲୋକଙ୍କ ସନ୍ଦେଶ ବଢ଼ିଚାଲିଛି। ଅନ୍ତତଃ ଏକ ଛୋଟ ପରିସର ଭିତରେ ଅନୁଭବ ହେଉଛି କି ଆମେ ଏକୁଟିଆ ନୁହନ୍ତି। ଏବେ ଠାରୁ ଦେଶ ବଦଳେଇବାର ପ୍ରସଙ୍ଗ ଉଠାଇବା ତ ବହୁତ ବଡ଼ କଥା ହେବ; ତେବେ ଦେଶକୁ ଯୋଡ଼ିବାର ଆଶା ରଖିଥିବା ବ୍ୟକ୍ତିମାନଙ୍କ ଦ୍ବାରା ନିଜକୁ ବଦଳେଇବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏମିତି ତ ବଇନି ବହୁତ ଭଲ ହୋଇଛି।