ରାଜାଙ୍କ ରକ୍ଷକ

ଜଣେ ବ୍ୟକ୍ତି ଏକ କୁଳୀନ ଓ ପ୍ରତିପତ୍ତିଶାଳୀ ପରିବାରରେ ଜନ୍ମ ନେଇଥିଲେ ବି ଭାଗ୍ୟ ଓ ପରିସ୍ଥିତିର ତାଡ଼ନାରେ ଏମିତି ଦୁଃସ୍ଥିତିରେ ପଡ଼ିଲେ ଯେ ଉପାର୍ଜନ ଲାଗି ରାଜାଙ୍କ ଘୋଡ଼ା ଶାଳରେ କାମ କରିବାକୁ ବାଧୢ ହେଲେ। ଏ କଥା ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ବହୁତ ବାଧିଲା।

ଦିନେ ରାଜା ଛଦ୍ମ ବେଶରେ ବାହାରକୁ ବୁଲିବାକୁ ଯାଇଥିଲେ। ଦୈବାତ୍‌ ସେ ସେଇ ବ୍ୟକ୍ତିଙ୍କ ଘର ପାଖରେ ପହଞ୍ଚିଗଲେ। ଘର ଭିତରେ ଚାଲୁଥିବା କଥାବାର୍ତ୍ତା ରାଜାଙ୍କୁ ଶୁଣାଯାଉଥିଲା। ରାଜା ଶୁଣିଲେ ସେଇ ବ୍ୟକ୍ତିଙ୍କ ପୁଅ ମନ ଦୁଃଖରେ କହୁଛି- ବାପା, ତୁମକୁ ଆଉ କିଛି କାମ ମିଳିଲା ନାହିଁ ଯେ ତୁମେ ଶେଷରେ ଏହି କାମ କଲ?
ବ୍ୟକ୍ତିଜଣକ କହିଲେ- ପୁଅ, କୌଣସି କାମ ଛୋଟ ବା ବଡ଼ ନୁହେଁ। ବଡ଼ କଥା ହେଲା ତୁମେ ଯେଉଁ କାମ କରୁଛ ସେଇ କାମରେ ତୁମର ନିଷ୍ଠା ଓ ଶ୍ରଦ୍ଧା କେତେ! ଯେଉଁ କାମ କରୁଛ ତହିଁରେ ତୁମେ କେତେ ପାରଦର୍ଶୀ ହୋଇ ପାରୁଛ! ତେବେ, ତୁ ଏହା ମଧ୍ୟ ଜାଣି ରଖ ଯେ ତୋ ବାପା ହେଉଛନ୍ତି ରାଜାଙ୍କ ରକ୍ଷକ।
ପୁଅ କହିଲା- ରାଜାଙ୍କ ରକ୍ଷକ?
ସେ ବ୍ୟକ୍ତି କହିଲେ- ମୁଁ ସର୍ବଦା ମୋ ଅନ୍ନଦାତା ରାଜାଙ୍କ ଘୋଡ଼ାର ସର୍ବାଧିକ ତତ୍ତ୍ବ ନିଏ। ରାଜା ସେଇ ଘୋଡ଼ାରେ ସର୍ବଦା ବସନ୍ତି। ସୁତରାଂ, ରାଜା ସୁରକ୍ଷିତ ରହିବା ସେହି ଘୋଡ଼ା ଉପରେ ନିର୍ଭର କରେ।
ରାଜା ଏବେ ବୁଝି ପାରିଲେ ଯେ ସେ ଯେଉଁ ବ୍ୟକ୍ତିଙ୍କୁ ଏହି କାମ ଦେଇଛନ୍ତି, ସେ ଜଣେ ବିଚକ୍ଷଣ ବ୍ୟକ୍ତି। ପର ଦିନ ସେ ତାଙ୍କୁ ଏକ ଉପଯୁକ୍ତ କାର୍ଯ୍ୟ ପ୍ରଦାନ କଲେ।

ସମ୍ବନ୍ଧିତ ଖବର