ଅର୍ଥନୈତିକ ଜଗତ୍କରଣର ଏକ ମୁଖ୍ୟ ଅଂଶ ରୂପେ ପରିଗଣିତ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳ ବିଗତ ଦଶନ୍ଧିମାନଙ୍କରେ କିପରି ପ୍ରାୟ ସମ୍ପୂର୍ଣ୍ଣ ରୂପେ ଚୀନ୍ ଉପରେ ନିର୍ଭରଶୀଳ ହୋଇ ପଡ଼ିଥିଲା, ତାହା ପୃଥିବୀର ପ୍ରତ୍ୟେକ ଦେଶ ଅଙ୍ଗେ ନିଭାଇଛନ୍ତି। ପୃଥିବୀବାସୀ ବ୍ୟବହାର କରୁଥିବା ଏମିତି କୌଣସି ପଦାର୍ଥ ନାହିଁ - ମୋବାଇଲ୍ ଫୋନ୍ରୁ ମଟରଗାଡ଼ି ପର୍ଯ୍ୟନ୍ତ, ଖେଳନାରୁ କମ୍ପ୍ୟୁଟର ପର୍ଯ୍ୟନ୍ତ - ଯାହାର କୌଣସି ଯନ୍ତ୍ରାଂଶ ବା ସମ୍ପୂର୍ଣ୍ଣ ବସ୍ତୁଟି ପର୍ଯ୍ୟନ୍ତ ଚୀନ୍ରେ ଥିବା କୌଣସି କାରଖାନାରେ ନିର୍ମିତ ହୋଇ ଉପରୋକ୍ତ ଯୋଗାଣ ଶୃଙ୍ଖଳର ଅଂଶ ପାଲଟୁ ନ ଥିଲା। ସେଇ ଚୀନ୍ରୁ ଉତ୍ପନ୍ନ କୋଭିଡ୍-୧୯ ପାଣ୍ଡେମିକ୍ ସେ ଯୋଗାଣ ଶୃଙ୍ଖଳକୁ ବିପର୍ଯ୍ୟସ୍ତ କରି ବାହାର ଜଗତ୍କୁ ଯୋଗାଣ ସଂକୋଚନ ଜନିତ ହଟହଟାରେ ପକାଇ ଦେବା ପରେ ବର୍ତ୍ତମାନ ଅଧିକାଂଶ ବହୁଦେଶୀୟ କମ୍ପାନିମାନେ ସେମାନଙ୍କ ଯୋଗାଣ ଶୃଙ୍ଖଳକୁ ଚୀନ୍ରୁ ଅପସାରିତ କରିବାକୁ ଉଦ୍ୟତ ହେବାକୁ ଆରମ୍ଭ କରିଥିବା ବେଳେ ଚୀନ୍ରେ ବର୍ତ୍ତମାନ ଶୁଣାଯାଉଥିବା ରାଜନୈତିକ ଅସ୍ଥିରତାର ପଦଧ୍ବନି ନିଶ୍ଚିତ ରୂପେ ସେ ଉଦ୍ୟମକୁ ତ୍ବରାନ୍ବିତ କରିବାକୁ ଯାଉଛି।
ଏହି ପରିବର୍ତ୍ତିତ ପରିସ୍ଥିତିକୁ ଏକ ସୁଯୋଗରେ ପରିଣତ କରି ଭାରତ ଯେ ସେଇ ଅପସାରିତ ଯୋଗାଣ ଶୃଙ୍ଖଳକୁ ଏକ ନିରାପଦ ଆଶ୍ରୟ ସ୍ଥଳୀ ଯୋଗାଇବାକୁ ଲକ୍ଷ୍ୟ ରଖିଛି, ତାହା ବର୍ତ୍ତମାନ ସୁବିଦିତ (ଚୀନ୍ର ବିଶାଳ ଉତ୍ପାଦନ କେନ୍ଦ୍ରମାନ ସ୍ଥାପନ କରିଥିବା ତାଇୱାନିଜ୍ ସେମିକଣ୍ଡକ୍ଟର ଉତ୍ପାଦନକାରୀ କମ୍ପାନି ‘ଫକ୍ସକନ୍’ ଗୁଜରାଟରେ ‘ବେଦାନ୍ତ’ ସହିତ ମିଶି ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯାଉଥିବା ଖବର ହେଉଛି ଏହାର ଏକ ଉଦାହରଣ)। ତେବେ ଏହି ପରିପ୍ରେକ୍ଷୀରେ ମନେ ରଖିବା ଉଚିତ ଯେ ଏକ ଦକ୍ଷ ଯୋଗାଣ ଶୃଙ୍ଖଳର ଉପସ୍ଥିତି କେବଳ କେତେଗୁଡ଼ିଏ କାରଖାନା ବା ଉତ୍ପାଦନ କେନ୍ଦ୍ରମାନଙ୍କ ମଧ୍ୟରେ ସୀମିତ ନୁହେଁ। ସୁଦକ୍ଷ, ସାବଲୀଳ, ସମୟାନୁବର୍ତ୍ତୀ ପରିବହନ ବା ‘ଲଜିଷ୍ଟିକ୍ସ’ ବ୍ୟବସ୍ଥା ମାଧ୍ୟମରେ ଉତ୍ପାଦିତ ଦ୍ରବ୍ୟମାନ ଯାଇ ଲକ୍ଷ୍ୟ ସ୍ଥଳୀରେ ପହଞ୍ଚିବା ମଧ୍ୟ ହେଉଛି ଏକ ଉତ୍ତମ ଯୋଗାଣ ଶୃଙ୍ଖଳର ଅପରିହାର୍ଯ୍ୟ ଅଂଶ।
ଏହି ଲଜିଷ୍ଟିକ୍ସ ବ୍ୟବସ୍ଥା ଯେତେ ଦକ୍ଷ ହୋଇଥାଏ ସେ ବାବଦରେ ଖର୍ଚ୍ଚ ସେତେ ନୀଚା ହୋଇ ସମ୍ପୃକ୍ତ ପଦାର୍ଥଗୁଡ଼ିକର ମୂଲ୍ୟକୁ ସେତେ ପ୍ରତିଯୋଗିତାମୂଳକ କରିଥାଏ। କୌଣସି ଦେଶରେ ଏହି ଲଜିଷ୍ଟିକ୍ସ ବ୍ୟବସ୍ଥାର ଦକ୍ଷତା ସେଠାକାର ଭିତ୍ତିଭୂମି (ରାସ୍ତାଘାଟ, ବିମାନବନ୍ଦର, ରେଳପଥ, ପୋତାଶ୍ରୟ, ଶକ୍ତି ଯୋଗାଣ ଆଦି) ଉପରେ ଯେତିକି ନିର୍ଭର କରିଥାଏ, ବ୍ୟବସ୍ଥାର ପରିଚାଳନା-ଦକ୍ଷତା ଉପରେ ମଧ୍ୟ ସେତିକି ନିର୍ଭର କରିଥାଏ। ଏହି ପୃଷ୍ଠଭୂମିରେ ତେଣୁ ସେପ୍ଟେମ୍ବର ୧୭ରେ ଉନ୍ମୋଚିତ ହୋଇଥିବା ଆମର ‘ଜାତୀୟ ଲଜିଷ୍ଟିକ୍ସ ନୀତି’ (‘ଏନ୍ଏଲ୍ପି’) ଆମ ଦେଶର ଆଭ୍ୟନ୍ତରୀଣ ଅର୍ଥନୀତିକୁ ଗତିଶୀଳ କରିବା ପାଇଁ େଯତିକି ତାତ୍ପର୍ଯ୍ୟ ବହନ କରିଥାଏ, ଉପରୋକ୍ତ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳ ପୁନଃସ୍ଥାପନ ସୁଯୋଗର ସଦ୍ବ୍ୟବହାର କରିବାରେ ଯେ ସେତିକି ସହାୟକ ହେବ, ତାହା ନିଶ୍ଚିତ ରୂପେ ଏହି ନୀତି ନିର୍ଦ୍ଧାରଣକାରୀଙ୍କର ଅନ୍ୟତମ ଲକ୍ଷ୍ୟ ହୋଇଥିବ।
ଭାରତ ହେଉଛି ଏକ ବିଶାଳ ଭୂଖଣ୍ଡ, ତେଣୁ ଏହାର ଲଜିଷ୍ଟିକ୍ସ କ୍ଷେତ୍ର ମଧ୍ୟ ହେଉଛି ସ୍ବାଭାବିକ ଭାବରେ ବିଶାଳ।
ଏକ ଉଦାହରଣ ସ୍ବରୂପ ଭାରତର ରାସ୍ତାଘାଟ ନେଟ୍ୱର୍କ ହେଉଛି ପୃଥିବୀର ଦ୍ବିତୀୟ ବୃହତ୍ତମ ଏବଂ ରେଳ ନେଟ୍ୱର୍କ ହେଉଛି ଚତୁର୍ଥ ବୃହତ୍ତମ। ଭାରତର ମୋଟ ବାର୍ଷିକ ଜାତୀୟ ଉତ୍ପାଦ (‘ଜିଡିପି’)ରେ ଲଜିଷ୍ଟିକ୍ସ କ୍ଷେତ୍ରର ଅଂଶ ହେଉଛି ୫ ଶତାଂଶ ଏବଂ ଏ କ୍ଷେତ୍ର ୨୨ ନିୟୁତ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ। ବିଶ୍ବବ୍ୟାଙ୍କ୍ ଦେଶମାନଙ୍କର ଲଜିଷ୍ଟିକ୍ସ କ୍ଷେତ୍ରର ଦକ୍ଷତାର ମୂଲ୍ୟାୟନ କରି ଏକ ମର୍ଯ୍ୟାଦା ତାଲିକା ପ୍ରସ୍ତୁତ କରିଥାଏ। ‘ଲଜିଷ୍ଟିକ୍ସ ପର୍ଫର୍ମାନ୍ସ ଇଣ୍ଡେକ୍ସ’ (‘ଏଲ୍ପିଆଇ’) ନାମକ ଏହି ତାଲିକାରେ ୨୦୧୪ରେ ଭାରତର ସ୍ଥାନ ୫୪ତମ ଥିବା ବେଳେ ୨୦୧୮ରେ ସେଥିରେ ଦଶଟି ପାହାଚ ଉନ୍ନତି ଘଟି ଭାରତ ୪୪ତମ ସ୍ଥାନରେ ପହଞ୍ଚିଥିଲା। ନିକଟ ଭବିଷ୍ୟତରେ ତାଲିକାର ପ୍ରଥମ ୨୫ଟି ସ୍ଥାନ ମଧ୍ୟରେ ପ୍ରବେଶ କରିବାକୁ ଭାରତ ଲକ୍ଷ୍ୟ ରଖିଛି। ଚୀନ୍ ସହିତ ତୁଳନା କଲେ ଦେଖାଯାଏ ଯେ ଭାରତର ଲଜିଷ୍ଟିକ୍ସ ସେବାର ଦକ୍ଷତା ଓ ମାନ ଚୀନ୍ ସହିତ ପ୍ରାୟ ତୁଳନୀୟ ହୋଇଥିବା ବେଳେ, ଲଜିଷ୍ଟିକ୍ସ ଭିତ୍ତିଭୂମି କ୍ଷେତ୍ରରେ ଭାରତ ପଛରେ ପଡ଼ିଛି।
ଏହାର ଏକ ଆଶାଜନକ ତାତ୍ପର୍ଯ୍ୟ ହେଲା ଏହା ଯେ ଭାରତ ଯଦି ଅଧିକ ଲଜିଷ୍ଟିକ୍ସ ଭିତ୍ତିଭୂମି ସୃଷ୍ଟି କରେ, ତେବେ ଭାରତୀୟ ଲଜିଷ୍ଟିକ୍ସ କ୍ଷେତ୍ର ଚୀନ୍କୁ ପଛରେ ପକାଇ ଦେଇପାରିବ। ଅବଶ୍ୟ ୨୦୧୮ରେ ‘ଏଲ୍ପିଆଇ’ ପ୍ରକାଶିତ ହେବା ପରବର୍ତ୍ତୀ ସମୟରେ ଭାରତରେ ଲଜିଷ୍ଟିକ୍ସ କ୍ଷେତ୍ରରେ ନୂତନ ଭିତ୍ତିଭୂମି ନିର୍ମାଣ ଉଲ୍ଲେଖଯୋଗ୍ୟ ହୋଇଛି। ବିଭିନ୍ନ ଅର୍ଥନୈତିକ ଜୋନ୍କୁ ବହୁମୁଖୀ ପରିବହନ ସୁଯୋଗ ଦ୍ବାରା ସଂଯୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ଗତିଶକ୍ତି ନ୍ୟାସନାଲ୍ ମାଷ୍ଟର୍ ପ୍ଲାନ୍ ଭାରତର ଲଜିଷ୍ଟିକ୍ସ ଭିତ୍ତିଭୂମି ଆବଶ୍ୟକତା ପୂରଣ ଦିଗରେ ନିଶ୍ଚିତ ରୂପେ ହେଉଛି ଏକ ବିଶେଷ ପଦକ୍ଷେପ।
କିନ୍ତୁ ଲଜିଷ୍ଟିକ୍ସ କେବଳ ପରିବହନରେ ସୀମିତ ନୁହେଁ। ଗୋଦାମ ନିର୍ମାଣ ଓ ପରିଚାଳନା, ମାଲ ସାଇତିବାରୁ ଅର୍ଡର ଅନୁଶୀଳନ କରି ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ଏକ ଲଜିଷ୍ଟିକ୍ସ ବ୍ୟବସ୍ଥାର ଦକ୍ଷତା ଉନ୍ନତିରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥାନ୍ତି। ଏହି ଦୃଷ୍ଟିରୁ ଯଦି ଉପରଲିଖିତ ଜାତୀୟ ଲଜିଷ୍ଟିକ୍ସ ନୀତି ଠିକ୍ ଭାବରେ କାର୍ଯ୍ୟକାରୀ କରାଯାଏ, ତେବେ ଏ ସମସ୍ତରେ ଉନ୍ନତି ଘଟାଇ ଭାରତର ଲଜିଷ୍ଟିକ୍ସକୁ ଆନ୍ତର୍ଜାତିକ ମାନଦଣ୍ଡ ଅନୁସାରେ ବେଶ୍ ପ୍ରତିଯୋଗିତାକ୍ଷମ କରି ତୋଳିବ। ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ ବର୍ତ୍ତମାନ ଦେଶର ‘ଜିଡିପି’ର ୧୩ ଶତାଂଶ ହୋଇ େଯଉଁ ଅତିରିକ୍ତ ଉଚ୍ଚା ରୂପେ ବିବେଚିତ ହେଉଛି, ଘୋଷିତ ନୀତି ଅନୁସାରେ ତାହାକୁ ୧୦ ଶତାଂଶ ତଳକୁ ଖସାଇ ଆଣିବା ପାଇଁ ଲକ୍ଷ୍ୟ ରଖାଯାଇଛି, ଯାହା ଭାରତୀୟ ରପ୍ତାନିକୁ ଅଧିକ ପ୍ରତିଯୋଗିତାକ୍ଷମ ହେବାରେ ସାହାଯ୍ୟ କରିବ।
ବର୍ତ୍ତମାନ ଲଜିଷ୍ଟିକ୍ସ କ୍ଷେତ୍ରର ଶାସନ ସହିତ ପ୍ରାୟ ୨୦ଟି ବିଭିନ୍ନ ସରକାରୀ ଏଜେନ୍ସି ସମ୍ପୃକ୍ତ ଅଛନ୍ତି ଏବଂ ଏହି କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ ପାଇଁ ଆବଶ୍ୟକ ହେଉଥିବା ପ୍ରମାଣପତ୍ରମାନଙ୍କର ସଂଖ୍ୟା ହେଉଛି ମୋଟ ପ୍ରାୟ ପାଞ୍ଚ ଶହ। ଏମାନେ ସମସ୍ତେ ନିଜ ନିଜର ଦୁର୍ଗ ଭିତରେ ରହି କାର୍ଯ୍ୟ କରୁଥିବାରୁ ଅନିବାର୍ଯ୍ୟ ଭାବରେ ସେବା ପ୍ରଦାନରେ ତାଳମେଳ ରହିନଥାଏ ଓ ବିଳମ୍ବ ଘଟିଥାଏ। ‘ଜାତୀୟ ଲଜିଷ୍ଟିକ୍ସ ନୀତି’ରେ ଏକ ‘ୟୁନିଫାଏଡ୍ ଲଜିଷ୍ଟିକ୍ସ ଇଣ୍ଟର୍ଫେସ୍ ପ୍ଲାଟ୍ଫର୍ମ’ (‘ୟୁଲିପ୍’) ଗଠନ ପାଇଁ ଯେଉଁ ପ୍ରସ୍ତାବ ରଖାଯାଇଛି, ତାହା ମାଧ୍ୟମରେ ଏହି ସମସ୍ୟାର ଆଶୁ ସମାଧାନ ସମ୍ଭବ ହୋଇପାରେ। ବିଭିନ୍ନ ମନ୍ତ୍ରଣାଳୟରେ ୩୦ଟି ଲଜିଷ୍ଟିକ୍ସ ଡିଜିଟାଲ୍ ସିଷ୍ଟମ୍ ସୃଷ୍ଟି କରାଯାଇ ସେଗୁଡ଼ିକୁ ଏହି ପ୍ଲାଟଫର୍ମ ସହିତ ସଂଯୁକ୍ତ କରାଯିବ, ଯାହାଦ୍ବାରା ସେବା ପ୍ରଦାନରେ ଅଯଥା ବିଳମ୍ବକୁ ଏଡ଼ାଇ ଦିଆଯିବ। ସେହିପରି ସମସ୍ୟାର ପଞ୍ଜୀକରଣ, ସମନ୍ବୟୀକରଣ ଏବଂ ତଦାରଖକୁ ତ୍ବରାନ୍ବିତ କରି ତତ୍କ୍ଷଣାତ ସମାଧାନ ସମ୍ଭବ କରିବା ନିମିତ୍ତ ‘ଇଜ୍ ଅଫ୍ ଲଜିଷ୍ଟିକ୍ସ’ (‘ଇ-ଲଗ୍ସ’) ନାମକ ଯେଉଁ ଡିଜିଟାଲ୍ ଡ୍ୟାସ୍ବୋର୍ଡର ପରିକଳ୍ପନା କରାଯାଇଛି, ତାହା କାର୍ଯ୍ୟକାରୀ ହେଲେ ଲଜିଷ୍ଟିକ୍ସ ଦକ୍ଷତାରେ ଚମକପ୍ରଦ ଉନ୍ନତି ଘଟିବ। ଲଜିଷ୍ଟିକ୍ସ ଭିତ୍ତିଭୂମିର ମାନ ଯେପରି ଆନ୍ତର୍ଜାତିକ ସ୍ତରର ହୁଏ, ତାହା ନିଶ୍ଚିତ କରିବା ପାଇଁ ଏକ ନିର୍ଦ୍ଦେଶାବଳୀ ମଧ୍ୟ ପ୍ରସ୍ତୁତ କରାଯାଇ ସାରିଛି। ଯଦି କାଳ ବିଳମ୍ବ ନକରି ଏହି ନୂତନ ନୀତି କାର୍ଯ୍ୟକାରୀ କରାଯାଏ, ତେବେ ଆଗାମୀ ସମୟରେ ଆନ୍ତର୍ଜାତିକ ଯୋଗାଣ ଶୃଙ୍ଖଳରେ ଚୀନ୍ର ସ୍ଥାନ ଭାରତ ଦଖଲ କରିବା ଲକ୍ଷ୍ୟ ପୂରଣରେ ତାହା ନିଶ୍ଚିତ ରୂପେ ବିଶେଷ ସହାୟକ ହେବ।