ଖେଳର ସଙ୍କେତ, ଖେଳର ସନ୍ଦେଶ
ଅଭିରାମ ବିଶ୍ବାଳ
ଅନ୍ୟ ଅନେକ ସର୍ବସାଧାରଣ କ୍ଷେତ୍ର ଭଳି କ୍ରୀଡ଼ା କ୍ଷେତ୍ରରୁ ଏବେ କେତେ ନା କେତେ ପ୍ରସ୍ଥାନ, ଆଗମନ, ଆବିର୍ଭାବ ଓ ଅପ୍ରତ୍ୟାଶିତ ଫଳାଫଳ ଖବର ଆସିବାରେ ଲାଗିଛି। ଅବଶ୍ୟ ଏମିତି ନୁହେଁ ଯେ ଏସବୁ ପ୍ରଥମ ଥର ଘଟୁଛି ଓ ଏଭଳି ଆଗକୁ ଆଉ କେବେ ବି ଘଟିବନି। ଏସିଆ କପ୍ ଟି-୨୦ କ୍ରିକେଟ୍ର ସଦ୍ୟତମ ସଂସ୍କରଣରେ ଶ୍ରୀଲଙ୍କା ଜିତିଲା। ଆଫଗାନିସ୍ତାନ ବେଶ୍ ଭଲ ଖେଳିଲା। ଏ ଦୁଇ ଦେଶର ଆଭ୍ୟନ୍ତରୀଣ ସ୍ଥିତି ଅତି ବିଷମ ଓ ଜଟିଳ; କିନ୍ତୁ ପରିସ୍ଥିତି ଓ ପରିବେଶକୁ ପ୍ରତିହତ କରି ବିଦେଶ ମାଟିରେ ଦୁଇ ଦଳ ନିଜ ପ୍ରଦର୍ଶନ ବଳରେ କ୍ରୀଡ଼ାନୁରାଗୀଙ୍କ ମନ ମୋହିନେଲେ ଏବଂ ପୁଣି ଥରେ ପ୍ରମାଣିତ ହେଲା ଯେ ତାରକା ଉପସ୍ଥିତି ଓ ମାନ୍ୟତାଗତ ସ୍ଥାନ ସବୁବେଳେ ସଫଳତାରେ ରୂପାନ୍ତରିତ ହୋଇ ନ ଥାଏ। ଜଣକ ହାତରୁ ଦୈବାତ୍ କ୍ୟାଚ୍ଟିଏ ଖସିଗଲା ମାନେ କ’ଣ ସିଏ ଉଗ୍ରପନ୍ଥୀ ଓ ଦେଶ ବିରୋଧୀ ହୋଇଗଲେ?
Sambad is now on WhatsApp
Join and get latest news updates delivered to you via WhatsApp
ସର୍ବକାଳୀନ ସର୍ବଶ୍ରେଷ୍ଠ ଟେନିସ୍ ଖେଳାଳିଙ୍କ ଭିତରୁ ଦୁଇ ଜଣ ୟା’ ଭିତରେ ଅବସର ନେଇସାରିଲେଣି। ସେରେନା ଉଇଲିୟମ୍ସ ଓ ରୋଜର୍ ଫେଡେରର୍। ନିଜ ଅବସର ବାବଦରେ ସେରେନା କହିଥିଲେ- ମତେ କେବେ ବି ଅବସର ବା ‘ରିଟାୟର୍ମେଣ୍ଟ’ ନାମକ ଶବ୍ଦଟି ଭଲ ଲାଗେନି; ଆଦୌ ଆଧୁନିକ ଶବ୍ଦଟିଏ ଭଳି ଲାଗେନି। ଏହା ଗୋଟିଏ କ୍ଷେତ୍ରରୁ ଅବସର ନୁହେଁ; ବରଂ ଅନ୍ୟ କ୍ଷେତ୍ର ଆଡ଼କୁ ଯିବାର ଅଭ୍ୟୁଦୟ ବା ‘ଇଭଲ୍ୟୁସନ୍’ ପ୍ରକ୍ରିୟା। ଆମେରିକାର କୃଷ୍ଣକାୟ ଉଇଲିୟମ୍ସ ଭଗିନୀ ଦ୍ବୟ – ଭେନସ୍ ଓ ସେରେନା – ଟେନିସ୍ ପ୍ରତି ଉଲ୍ଲେଖନୀୟ ଅବଦାନ ବଳରେ ରଙ୍ଗ, ଲିଙ୍ଗ ଓ ଅସ୍ମିତା ସାଙ୍ଗକୁ ଟେନିସ୍ ଖେଳର ଅର୍ଥ ତଥା ଚେହେରା ବଦଳେଇ ଦେଇପାରିଲେ।
ଫେଡେରର୍ଙ୍କ ଅବସର ସମ୍ବନ୍ଧରେ ତାଙ୍କ ଚରମ ପ୍ରତିଦ୍ବନ୍ଦ୍ବୀ ଓ ପରମ ମିତ୍ର ଆଉ ଜଣେ ଅସାଧାରଣ ଟେନିସ୍ ତାରକା ସ୍ପେନ୍ର ରାଫେଲ୍ ନାଦାଲ କହିଛନ୍ତି- ସବୁ ବେଳେ ସକଳ ଆନ୍ତରିକତାର ସହ କାମନା କରୁଥିଲି ରୋଜର୍ଙ୍କ ଜୀବନରେ ଅବସରଗ୍ରହଣ ନାମକ ଏକ ଦିନ କେବେ ବି ଆସିନଥାନ୍ତା କି?
ପନ୍ଦର ହଜାରଟି ମ୍ୟାଚ୍ରେ ଭାଗ ନେଇ ୨୦ଟି ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ଜିଣିବା ଭିତରେ ୨୪ ବର୍ଷ ଧରି ଖେଳିଥିବା ଫେଡେରର୍ ନିଜ କ୍ରୀଡ଼ା ଜୀବନର ସ୍ମୃତି ରୋମନ୍ଥନ କରି କହନ୍ତି- ଲାଗୁଛି ଏ ୨୪ ବର୍ଷ ସତେ ଯେମିତି ୨୪ ଘଣ୍ଟାରେ ସରିଗଲା। ଟେନିସ୍ କୋର୍ଟରେ ପବନସମ ଗତି, କମନୀୟ ଶୈଳୀ, ସୁଶୀଳ ସ୍ବଭାବ, ଅସୀମ ଧୈର୍ଯ୍ୟ, ସଟ୍ ମାରିବାର ଅସାଧାରଣ ଦକ୍ଷତା, ଅତୁଳନୀୟ ସର୍ଭ୍ ଏବଂ କେବେ ବି ରାକେଟ୍ ଫୋପାଡୁ ନ ଥିବା କିମ୍ବା ଏପରି କି ହାରିଗଲେ ବି ଚିଲ୍ଲାଉ ନ ଥିବା ଗୁଣମାନଙ୍କ ପାଇଁ ଫେଡେରର୍ଙ୍କୁ ‘ଗୋଟ୍’ (ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍) – ସର୍ବକାଳୀନ ସର୍ବଶ୍ରେଷ୍ଠ – ବୋଲି ଅନେକ ବିବେଚନା କରନ୍ତି। ଟେନିସ୍ ଜଗତ୍ର ଆଉ ଜଣେ ମହାନ୍ ଖେଳାଳି ଆମେରିକାର ଜିମ୍ମି କନର୍ସଙ୍କ ମତରେ ଏ ସ୍ପେସାଲିଷ୍ଟ ଯୁଗରେ ଜଣେ ‘ଗ୍ରାସ୍’ କୋର୍ଟର କିମ୍ବା ‘କ୍ଲେ’ କୋର୍ଟର ନୋହିଲେ ‘ହାର୍ଡ୍’ କୋର୍ଟର ମହାପାରଙ୍ଗମ ହୋଇ ଥାଇପାରେ। ହେଲେ ଏ ତିନିଟି ଛଡ଼ା ଜଣକୁ ରୋଜର୍ ଫେଡେରର୍ ହେବା ଲୋଡ଼ା ପଡ଼େ। କାହିଁକି ନା ସିଏ ତିନି ପ୍ରକାରର ପ୍ରମୁଖ ପୃଷ୍ଠଭୂମି ଉପରେ ନିର୍ମିତ କୋର୍ଟ – ଘାସ, ମାଟି ଓ ସିମେଣ୍ଟ – ରେ ଅଦ୍ଭୁତ ଖେଳ ପ୍ରଦର୍ଶନ କରିଥିଲେ।
ହ୍ରଦ, ସୁନା, ଘଡ଼ି, ବରଫ, ସ୍ବାସ୍ଥ୍ୟାନୁକୂଳ ଅତି ଉତ୍ତମ ଜଳବାୟୁ, ନିରାପଦ ଓ ଗୋପନୀୟ ବ୍ୟାଙ୍କ୍, କୂଟନୈତିକ ତଟସ୍ଥତା ଓ ପ୍ରତ୍ୟକ୍ଷ ଗଣତନ୍ତ୍ରାଦି ପାଇଁ ଜଣାଶୁଣା ସୁଇଜର୍ଲ୍ୟାଣ୍ଡ ରୋଜର୍ ଫେଡେରର୍ଙ୍କ ପାଇଁ ମଧ୍ୟ ସର୍ବତ୍ର ବେଶ୍ ପରିଚିତ। ଚଳିତ ଶତାବ୍ଦୀରେ ଫେଡେରର୍ଙ୍କ ସହ ନାଦାଲ୍ ଓ ସର୍ବିଆର ନୋଭାକ୍ ଜୋକୋଭିକ୍ ନିଜ ନିଜର ଚମତ୍କାର କ୍ରୀଡ଼ା ନୈପୁଣ୍ୟ ବଳରେ ବିଶ୍ବ ପୁରୁଷ ଟେନିସ୍କୁ ଦଖଲରେ ରଖିପାରିଥିଲେ। ତିନିହେଁ ୟୁରୋପୀୟ। ଏ ତିନି ଜଣଙ୍କୁ ଛାଡ଼ିଦେଲେ ଆଉ କେତେ ଜଣ ଅତି ମହାନ ବିଶ୍ବସ୍ତରୀୟ ପୁରୁଷ ଟେନିସ୍ ଖେଳାଳି ହେଲେ ପିଟ୍ ସାଂପ୍ରସ୍, ରଡ୍ ଲେଭର୍, ଇଭାନ୍ ଲେଣ୍ଡଲ୍, ଜନ୍ ମାକ୍ନେରୋ, ଷ୍ଟିଫେନ୍ ଏଡବର୍ଗ, ଆନ୍ଦ୍ରେ ଆଗାସୀ, ବୋରିସ୍ ବେକର୍, ଜିମ୍ମି କର୍ନର୍ସ, ଆଣ୍ଡି ମରେ, ଗୋରାନ୍ ଇଭାନିସେଭିକ୍ ଓ ଆଣ୍ଡି ରଡିକ୍। େସହିଭଳି ଦୁଇ ଉଇଲିୟମ୍ସ ଭଉଣୀଙ୍କ ସାଙ୍ଗକୁ ଅନ୍ୟ େକତେ ଜଣ ସର୍ବକାଳୀନ ଶ୍ରେଷ୍ଠ ବିଶ୍ବସ୍ତରୀୟ ମହିଳା ଟେନିସ୍ ଖେଳାଳି ହେଲେ େଷ୍ଟଫି ଗ୍ରାଫ୍, ମାର୍ଟିନା ନାଭ୍ରାତିଲୋଭା, ବିଲି ଜାଁ କିଙ୍ଗ୍, କ୍ରିସ୍ ଏଭଟ୍ ଲଏଡ୍, ମାର୍ଟିନା ହିଙ୍ଗିସ୍, ମୋନିକା ସେଲେସ୍, ମାର୍ଗାରେଟ୍ କୋର୍ଟ, ଜଷ୍ଟିନ୍ ଲେନିନ୍, ମାରିଆ ସାରାପୋଭା, ଗାବ୍ରିଏଲା ସାବାଟିନି, ଜେନିଫର୍ କାପ୍ରିଆଟି, ଲିଣ୍ଡ୍ସେ ଡାଉନ୍ପୋର୍ଟ ଓ ମେରୀ ପିୟର୍ସ।
ଅତି ପ୍ରଭାବଶାଳୀ ଓ ଅସାଧାରଣ ଖେଳ ସହିତ ବର୍ଣ୍ଣାଢ଼୍ୟ ପୋଷାକ ଓ ସାଂସ୍କୃତିକ ବିବିଧତା ଭରା ଐତିହ୍ୟ ସଂପନ୍ନ ରଣଝଣ ହେଉଥିବା ସୁଦୃଶ୍ୟ ମାଳା-ଗଣ୍ଠିମୟ କେଶ ବିନ୍ୟାସ ସକାଶେ ସେରେନା ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ; ଚର୍ଚ୍ଚାର ମଧ୍ୟ। କଳା ଏମିତି ଏକ ପ୍ରାଥମିକ, ମୌଳିକ ରଙ୍ଗ ଯାହା ସାଙ୍ଗରେ ସବୁ ମାନେ- ଧଳା, ନାଲି, ନେଳି, ହଳଦିଆ, ସବୁଜ, କମଳା ଓ ବାଇଗଣି; ସବୁ କିଛି। ସେ ରଙ୍ଗ ଅନ୍ୟ କୌଣସି ରଙ୍ଗକୁ ପ୍ରତ୍ୟାଖ୍ୟାନ କରେନି। ହେଲେ ସେଇ ରଙ୍ଗ ବିରୋଧରେ ଓ ରଙ୍ଗକୁ ମିଶେଇ ବ୍ୟକ୍ତିସତ୍ତା ବିରୋଧରେ ଅନେକ ଆଦିମ ତଥା ଅସଭ୍ୟ ଆକ୍ଷେପ କରାଯାଏ- ଯେ ନାକ ଏମିତିଆ, ଓଠ ସେମିତିଆ ଓ ଭାବଭଙ୍ଗୀ ମର୍କଟସମ! ଏସବୁ ସଂପୂର୍ଣ୍ଣ ଆପତ୍ତିଜନକ ଓ ଅଗ୍ରହଣୀୟ। ପୃଥିବୀରେ ଓ ଏପରିକି ଆମେରିକାରେ ଆଫ୍ରିକୀୟ ଉତ୍ପତ୍ତି ବିଶିଷ୍ଟ କୃଷ୍ଣକାୟଙ୍କ, ବିଶେଷ କରି କୃଷ୍ଣକାୟ ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀରେ ଆଶାନୁରୂପ ପରିବର୍ତ୍ତନ ଆସିପାରିଛି ତ?
ବିଶାରଦଙ୍କ ବିଚାରରେ ଅତି ଉତ୍କୃଷ୍ଟ ଓ ଅସମ୍ଭବ ମନେ ହେଉଥିବା କଳା କୌଶଳମୟ ଟେନିସ୍ କହିଲେ ଫେଡେରର୍ ଓ ସେରେନାଙ୍କ ଟେନିସ୍କୁ ବୁଝାଏ।
ପ୍ରତିଭା ଦୃଷ୍ଟିରୁ ଜୋକୋଭିକ୍ ଅତି ଭଲ; ହେଲେ ସିଏ ଏତେ ମନୁଆ ଓ ଆବେଗ- ଉଦ୍ବେଗ ପ୍ରବଣ ଯେ ତାଙ୍କୁ ମଝିରେ କରୋନା କାଳରେ କେହି କେହି ନୋଭାକ୍ସ (ଭାକ୍ସିନ ନେଇ ନ ଥିବା) ଜୋକୋଭିଡ୍ କହୁଥିଲେ, ଯାହା ନିଶ୍ଚୟ ଏକ ଅନୁଚିତ ସମ୍ବୋଧନ। ଫେଡେରର୍ଙ୍କ ସହ ତୁଳନା କଲେ ନାଦାଲ୍ କିଛି କମ୍ ନୁହଁନ୍ତି। ହେଲେ ନାଦାଲ୍ କେମିତି କେଜାଣି ଅଧିକ ସ୍ଥୂଳ ଓ ଯାନ୍ତ୍ରିକ ଲାଗନ୍ତି! ଅପର ପକ୍ଷେ ଫେଡେରର୍ଙ୍କ ଖେଳ ଏମିତି ଯେ ତାହା ଦେଖିବା ମାନେ ‘ଫେଡେରର୍ ମୁହୂର୍ତ୍ତ’ରେ ସାମିଲ ହୋଇ ଏକ ପ୍ରକାରର ଧାର୍ମିକ ଅନୁଭବ ଓ ଆଧ୍ୟାତ୍ମିକ ଉପଲବ୍ଧି ହାସଲ କରିବା। ତାଙ୍କ ଖେଳର ଆଉ ଦୁଇ ବଡ଼ ଭୂଷଣ ହେଲା ଶୃଙ୍ଖଳାର ଛନ୍ଦମୟ ସୌନ୍ଦର୍ଯ୍ୟ ଓ ସୌନ୍ଦର୍ଯ୍ୟର ମୂର୍ତ୍ତିମନ୍ତ ଗତିଶୀଳତା। ବେଳେବେଳେ ସିଏ ସଟ୍ ମାରିଲା ବେଳେ ପ୍ରଖ୍ୟାତ ବାସ୍କେଟ୍ ବଲ୍ ଖେଳାଳିଙ୍କ ଭଳି ଉପରକୁ ଡେଇଁ ପଡ଼ି ଶୂନ୍ୟରେ ଝୁଲି ରହନ୍ତି କିଛି କ୍ଷଣ। ତାଙ୍କ ସହ କୋର୍ଟ, ନେଟ୍, ରାକେଟ୍ ଓ ବଲ୍ ଏବଂ ପ୍ରତିଦ୍ବନ୍ଦ୍ବୀ ଖେଳାଳି ବି ଲାଗନ୍ତି ଏକ ଉତ୍ତୀର୍ଣ୍ଣ ପରିସର ବିନ୍ଦୁରେ ଅବସ୍ଥାନ କରୁଥାନ୍ତି ଯାହା ଧରିତ୍ରୀ ଓ ଗଗନ ମଝିରେ ଅବସ୍ଥିତ।
ଶକ୍ତିଶାଳୀ ସର୍ଭ ଓ ଗତିମୟ ସଟ୍ ସମେତ ଆକ୍ରମଣାତ୍ମକ ବେସ୍ଲାଇନ୍ ଖେଳ ପାଇଁ ପ୍ରଚଣ୍ଡ ଖ୍ୟାତି ଅର୍ଜନ କରିଥିବା ଏବଂ ଫେଡେରର୍ଙ୍କ ଠାରୁ ୩ଟି ଅଧିକ ଅର୍ଥାତ୍ ୨୩ଟି ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ଜିଣିଥିବା ସେରେନାଙ୍କ ସମ୍ବନ୍ଧରେ ଫେଡେରର୍ ଏକଦା କହିଥିଲେ- ସେରେନା ହିଁ ପ୍ରକୃତ ‘ଗୋଟ୍’। ଡହଡହ ଶକ୍ତି ଓ ଜିଣିବାର ଦୁର୍ବାର ଅଭିଳାଷ ଫୁଟି ବାହାରୁଥାଏ ସେରେନାଙ୍କ ଖେଳରୁ। ‘କୃଷ୍ଣକାୟଙ୍କ ଜୀବନର ବି ମୂଲ୍ୟ ଅଛି’ ଆନ୍ଦୋଳନର ଜଣେ ବଡ଼ ସମର୍ଥକ ସେରେନା। ତାଙ୍କ ଦୃଷ୍ଟିେର ଜୀବନର ପରିପକ୍ବତାର ମାନେ ନିଜ ଭୁଲ୍ ବୁଝି, ତାକୁ ମାନି ନେଇ ସେଥିପାଇଁ କ୍ଷମା ପ୍ରାର୍ଥନା କରିବା। ଦୁଇ ଉଇଲିୟମ୍ସ ଭଉଣୀଙ୍କ କ୍ରୀଡ଼ାଗତ ଉତ୍କର୍ଷ ଟେନିସ୍ରେ ନାରୀ ଶକ୍ତି ଓ କୃଷ୍ଣକାୟଙ୍କ ମହାପ୍ରତିଭାର ବାସ୍ତବ ପ୍ରତୀକ।
ଧର୍ମ, ରାଜନୀତି, ଚଳଚ୍ଚିତ୍ର, ବିଜ୍ଞାନ, ସଂଗୀତ ଓ ପ୍ରକୃତି ଭଳି କ୍ରୀଡ଼ା ଭଳିକି ଭଳି ସଂକେତ ଆଉ ସନ୍ଦେଶ ବହନ କରି ଦର୍ଶକ ଓ ହିତାଧିକାରୀଙ୍କ ପାଖରେ ପହଞ୍ଚେ। ଫେଡେରର୍ ଓ ସେରେନାଙ୍କ ଖେଳ ଆମକୁ ଦୈନନ୍ଦିନ ଜୀବନର ମାମୁଲିପଣିଆର କ୍ଳାନ୍ତି ତଥା ଗ୍ଳାନିରୁ ରକ୍ଷା କରିବା ସହିତ କହିଦିଏ ଯେ ମଣିଷ ବି ଅନ୍ତିମ ଉତ୍କର୍ଷ ଓ ସଂପୂର୍ଣ୍ଣ ସିଦ୍ଧି ହାସଲ କରିପାରେ। ଏ ଦୁହିଁଙ୍କ ଭିତରେ ବଡ଼ କିଏ- ଫେଡେରର୍ ନା ସେନେରା? କାହାକୁ ନ୍ୟୂନ ନ କରି କହିହେବ- ଟେନିସ୍ ବଡ଼। ଆଉ େଟନିସ୍ ଖେଳାଳି ଓ ଟେନିସ୍ ଠାରୁ ବଡ଼ ଖେଳ। କାରଣ ଖେଳ ଖାଲି ଖେଳ ନୁହେଁ।
ମୋ: ୯୪୩୭୩୦୭୦୭୯