ଅତୁଟ ଗାନ୍ଧୀ

କୁମାର ପ୍ରଶାନ୍ତ

ଗାନ୍ଧୀ ସାରା ଦୁନିଆରେ ରହିଛନ୍ତି- ମୂର୍ତ୍ତି ପ୍ରତିମାରେ ମଧ୍ୟ। ଏକ ସୂଚନାନୁଯାୟୀ, ପ୍ରାୟ ୭୦ଟି ଦେଶରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ଶୋଭା ପାଉଛି। ୧୯୧୭ରେ ଗାନ୍ଧୀ ଭାରତୀୟ ରାଜନୈତିକ-ସାମାଜିକ ଜୀବନରେ ପ୍ରବେଶ କରିଥିଲେ ଏବଂ ଦୀର୍ଘ ୩୧ ବର୍ଷ କାଳ ଅବିରତ ସଂଘର୍ଷର ସେହି ଜୀବନଗାଥା ଲେଖି ଚାଲିଥିଲେ ଯେଉଁଥିରେ ହିନ୍ଦୁତ୍ବ ଧାରାର କୁଦୀକ୍ଷିତ ନାଥୁରାମ ଗୋଡସେର ତିନିଟି ଗୁଳି ବିରାମ ଟାଣିଥିଲା। ମାତ୍ର ଆଉ ଏକ ହିସାବ ବାକି ରହିଛି ଯାହା ଆମକୁ ହିଁ କରିବାକୁ ପଡ଼ିବ। କେତୋଟି ଦେଶରେ ଗାନ୍ଧୀଙ୍କ ପ୍ରତିମାକୁ ଭାଙ୍ଗିବାର ପ୍ରୟାସ ହୋଇଛି? ଏ ସଂଖ୍ୟା ବହୁତ ବଡ଼। ଚମ୍ପାରଣରେ, ମୋତିବାରୀର ଚରଖା ଉଦ୍ୟାନରେ ଦଣ୍ଡାୟମାନ ଗାନ୍ଧୀଙ୍କ ମୂର୍ତ୍ତିକୁ ବିଗତ ଦିନରେ ଖଣ୍ଡିତ କରାଯାଇଛି। ଏପରି ଚମ୍ପାରଣ ତ ଦୁନିଆ ସାରା ଭରି ରହିଛି। ଆମେରିକାରେ ଅଣଶ୍ବେତାଙ୍ଗମାନେ ବର୍ଣବୈଷମ୍ୟ ଆନ୍ଦୋଳନ ଅବସରରେ ମଧ୍ୟ ଗାନ୍ଧୀ ପ୍ରତିମାର କ୍ଷତି ଘଟାଇଛନ୍ତି। ଏପରି ଘଟଣାରେ ନାରାଜ କି ବ୍ୟଥିତ ହେବା ଦରକାର ନାହିଁ।

୧୯୬୦-୭୦ ଦଶକରେ ନକ୍ସଲ ଉନ୍ମାଦ ଜୋରସୋର ଚାଲିଥିଲା ବେଳେ ଗାନ୍ଧୀଙ୍କ ପ୍ରତିମା ବିରୋଧରେ ଏକ ଲହର ଆସିଥିଲା। ଗାନ୍ଧୀଙ୍କ ମୂର୍ତ୍ତିଗୁଡ଼ିକ ଉପରେ ଆକ୍ରମଣ କରି ସେଗୁଡ଼ିକୁ ଭାଙ୍ଗିରୁଜି ବିକୃତ କରାଯାଉଥିଲା, ଅପଶବ୍ଦ ଲେଖି ବିବର୍ଣ୍ଣ କରିବାର ଚେଷ୍ଟା ହେଉଥିଲା। ସେତେବେଳେ ଚେୟାରମ୍ୟାନ୍ ମାଓଙ୍କ ସମର୍ଥନରେ ସ୍ଲୋଗାନ୍‌ମାନ ମଧ୍ୟ ଲେଖାଯାଉଥିଲା। ମୂର୍ତ୍ତି ସହ ଲଢ଼ିବାର ସେହି ଉନ୍ମାଦନା ଭିତରେ ବିହାରର ଜମସେଦପୁରରେ ମଧ୍ୟ ଗାନ୍ଧୀ ମୂର୍ତ୍ତି ଭଙ୍ଗା ଯାଇଥିଲା। ସେତେବେଳେ ଜୟପ୍ରକାଶ ନାରାୟଣ ଗାନ୍ଧୀ-ସମାଜକୁ ସମ୍ବୋଧିତ କରି ଲେଖିଥିଲେ- ଏଇ ଲୋକମାନଙ୍କୁ ଗାନ୍ଧୀ ଏପରି ବିପଜ୍ଜନକ ମନେ ହେଉଛନ୍ତି ଯେ ସେମାନେ ତାଙ୍କର ମୂର୍ତ୍ତିକୁ ଭାଙ୍ଗିବାରେ ଲାଗିଛନ୍ତି। ଏହା ଆମପରି ଗାନ୍ଧୀଜନଙ୍କ ପାଇଁ ସିଧାସଳଖ ଆହ୍ବାନ ହୋଇଛି ଯେଉଁମାନେ ନିଜେ ନିଜର ସୁରକ୍ଷିତ ଦୁନିଆ ଗଢ଼ି ବଞ୍ଚି ରହିଛନ୍ତି। ଆହ୍ବାନ ନାହିଁ ତ ଗାନ୍ଧୀ ନାହାନ୍ତି- ଜୟପ୍ରକାଶ ସେତେବେଳେ ଏପରି ଭାବନା ଜାଗ୍ରତ କରିଥିଲେ ଯାହା ଧୀରେ ଧୀରେ ଏମିତି ଏକ ଲହରର ରୂପ ନେଇଥିଲା ଯାହାକୁ ଇତିହାସରେ ଜୟପ୍ରକାଶ ଆନ୍ଦୋଳନ ବା ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ କୁହାଯାଏ।
ଆଜିକାଲି ଗାନ୍ଧୀଙ୍କ ବିରୋଧରେ ଆଉ ଏକ ଧ୍ରୁବତାରା ଦେଖାଦେଇଛି ଯାହା ହିନ୍ଦୁତ୍ବ ନାମରେ କାମ କରୁଛି। ନକ୍ସଲମାନେ ଆଜି ବି ଅଛନ୍ତି। ନିଜର ଜୀର୍ଣ୍ଣୋଦ୍ଧାର ଶକ୍ତିକୁ ଏକାଠି କରି ସଂଘଟିତ ନକ୍ସଲ ଆକ୍ରମଣ ବା ହତ୍ୟାର ଖବର ଏଠୁ ସେଠୁ ଆସିଥାଏ। ମାତ୍ର ଏ କଥା ସ୍ପଷ୍ଟ କି ରାଜ୍ୟର ହିଂସା ତା’ଠୁ ଟପିଯାଇଛି। ହିଂସାର ଏହି ଦୁଶ୍ଚକ୍ର ନୂଆ ନୁହେଁ, ବରଂ ଏହାର ବିଚାରଧାରାରେ ବଡ଼ ହିଂସା ଛୋଟ ହିଂସାକୁ ଖାଇଯାଉଛି, ଆଉ ଛୋଟ ହିଂସା ବଡ଼ ହେବା ଆଶାରେ ଲଗାତାର ଆକ୍ରମଣ କରିଚାଲିଛି। ଏହି ଦୁଇ ହିଂସା ଭିତରେ ସମାଜ ଘାଣ୍ଟି ହେଉଛି।

ମୁଁ ହିନ୍ଦୁତ୍ବ ସମ୍ପର୍କରେ କହିବା ବେଳେ ଅନ୍ଧ-ସଂକୀର୍ଣ୍ଣତାକୁ ଲକ୍ଷ୍ୟ କରି ତାହା କହୁଛି। ସେଇ ସଂକୀର୍ଣ୍ଣତା ବି ଦୁନିଆ ସାରା ବ୍ୟାପିଯାଇଛି, ବଢ଼ି ଚାଲିଛି। ଇଂଲାଣ୍ଡରେ ଋଷି ସୁନକ୍‌ଙ୍କ ସ୍ଥାନରେ ଲିଜ୍‌ ଟ୍ରସ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ଏପରି ସଂକୀର୍ଣ୍ଣତାର ତାଜା ଉଦାହରଣ। କଞ୍ଜରଭେଟିଭ୍‌ ଦଳର ସଦସ୍ୟମାନେ ଶ୍ବେତ ଚମଡ଼ା ତଥା ବ୍ରିଟିସ୍‌ ମୂଳର ବିଚାର ସହ ଲାଖି ରହିଛନ୍ତି, ଯେତେବେଳେ କି ବ୍ରିଟିସ ଜନତା ଅଧିକ ଉଦାରତାର ସହ ଭାବୁଛନ୍ତି। ସମସ୍ତେ ଜାଣନ୍ତି, ଆଜି ଯଦି ବ୍ରିଟେନ୍‌ରେ ନିର୍ବାଚନ ହୁଏ ତେବେ ସୁନକ୍‌ ହିଁ ଜିଣିବେ। ସୁନକ୍‌ କି ଟ୍ରସ୍‌ ଉତ୍ତମ ପ୍ରଧାନମନ୍ତ୍ରୀ ହେବେ, ପ୍ରଶ୍ନ ତାହା ନୁହେଁ। ପ୍ରଶ୍ନ ହେଉଛି ସଂକୀର୍ଣ୍ଣତା ନା ଉଦାରତା ବ୍ୟାପୁଛି? ଲାଗୁଛି ଯେମିତି ସାରା ଦୁନିଆରେ ସମସ୍ତେ ସଂକୀର୍ଣ୍ଣତାକୁ ମୁଣ୍ଡରେ ବସାଇ ଘୂରିବୁଲୁଛନ୍ତି। ସେହି ସଂକୀର୍ଣ୍ଣତା, ଶାସନ କ୍ଷମତାର ଶକ୍ତି ହାସଲ କରି ଅଧିକ ଆକ୍ରାମକ ତଥା ଧ୍ବଂସକାରୀ ହୋଇଚାଲିଛି। ସେଇ ହିଁ ତ ଗାନ୍ଧୀଙ୍କୁ ଗୁଳି ମାରିଥିଲା! ଗୁଳିରେ ଗାନ୍ଧୀ ମରିଲେ ନାହିଁ; ବହୁତ ବ୍ୟାପକ ହୋଇଗଲେ। ତାଙ୍କର ସାଂସ୍କୃତିକ ତଥା ସାମାଜିକ-ରାଜନୈତିକ ସ୍ମୃତି ଭାରତୀୟଙ୍କ ମନରେ ଜମାଟ ବାନ୍ଧି ରହିଗଲା। ସଂକୀର୍ଣ୍ଣ ସାମ୍ପ୍ରଦାୟିକତା କେବେ ଏପରି ପରିଣାମ ଆଶା କରି ନ ଥିଲା। ସେଥିପାଇଁ ଏବେ ସତ୍ତାପ୍ରେରିତ ସଂକୀର୍ଣ୍ଣତା ସେହିସବୁ ସ୍ମୃତିଗୁଡ଼ିକୁ ଲୁଚାଇଦେବାକୁ ଚାହୁଁଛି ଯାହା ଦ୍ବାରା ତାହାର ତ୍ରୁଟି-ବିଚ୍ୟୁତି ସାମନାକୁ ଆସିଥାଏ। ସେତେବେଳେ ଗାନ୍ଧୀଙ୍କ ବିରୋଧରେ ବାମପନ୍ଥୀମାନେ ଚେୟାରମ୍ୟାନ୍ ମାଓଙ୍କ ପ୍ରତୀକ ଛିଡ଼ା କରାଉଥିଲେ, ଏବେ ହିନ୍ଦୁତ୍ବବାଦୀମାନେ ନାଥୁରାମ ଗଡ୍‌ସେଙ୍କ ପ୍ରତୀକ ଛିଡ଼ା କରାଇବାରେ ଲାଗିଛନ୍ତି। ମନେ ରଖିବା ଦରକାର ଯେ ସେ ସମସ୍ତଙ୍କର ନିଜ ନିଜର ଗଡ୍‌ସେ ଅଛନ୍ତି। ସମସ୍ତେ ନିଜର ପ୍ରତୀକକୁ ଛିଡ଼ା କରି ଚାଲିଛନ୍ତି, ମାତ୍ର ଯିଏ ଛିଡ଼ା ହୋଇପାରୁନାହିଁ କି ଯାହାକୁ ଛିଡ଼ା କରାଇବାରେ କାହାର ଆଗ୍ରହ ନାହିଁ, ସେ ହେଉଛି ଲୋକତନ୍ତ୍ରର ସାଧାରଣ ଜନତା। ଗାନ୍ଧୀ ଆଜୀବନ ସେମାନଙ୍କୁ ପ୍ରତିଷ୍ଠିତ ଓ ଅଗ୍ରସର କରିବାରେ ଲାଗି ରହିଥିଲେ।

ଗାନ୍ଧୀ ଯଦି ଥାଆନ୍ତେ, ସେ ୧୬୩ ବର୍ଷର ହୋଇଥା’ନ୍ତେ। ମଣିଷ କ’ଣ ଏତେ ବର୍ଷ ବଞ୍ଚେ! ମାତ୍ର ଗାନ୍ଧୀଜୀ ବଞ୍ଚି ରହିଛନ୍ତି, ସେଥିପାଇଁ ଆମେ କେବଳ ତାଙ୍କ ସହ ସହମତ-ଅସହମତ ହେଉନାହୁଁ, ତାଙ୍କ ମୂର୍ତ୍ତି ଉପରେ ଆକ୍ରମଣ କରି ନିଜର କ୍ରୋଧ ବା ଅସହମତି ମଧ୍ୟ ବ୍ୟକ୍ତ କରୁଛୁ। ଗାନ୍ଧୀ ନା କେବେ ସତ୍ତାଧାରୀ ଥିଲେ ନା ବେପାର-ବଣିଜ ଦୁନିଆ ବା ଶୋଷଣ-ଅନ୍ୟାୟ ସହ ତାଙ୍କର ସମ୍ପର୍କ ଥିଲା, ନା କାହାର ଉତ୍ପୀଡ଼ନ ସପକ୍ଷରେ ସେ ଓକିଲାତି କରିଥିଲେ, ନା କ୍ରୀତଦାସ ବେପାର କରିଥିଲେ, ନା ଧର୍ମ-ରଙ୍ଗ-ଜାତି-ଲିଙ୍ଗ ବୈଷମ୍ୟ ପରି ଚିନ୍ତାଧାରାକୁ ସମର୍ଥନ କରିଥିଲେ! ସେ ସର୍ବଦା ନିଜ ଆଚରଣ ଓ ଉଚ୍ଚାରଣରେ ସେସବୁକୁ ବିରୋଧ କରିଆସିଥିଲେ। ସେ କଥା ଓ କାମରେ ଏତିକି ମାତ୍ର ବ୍ୟକ୍ତ କରୁଥିଲେ ଯେ ଆମର ବିରୋଧ କରିବାର ପନ୍ଥା ହିଂସାତ୍ମକ ନହେବା ଦରକାର। ତାଙ୍କର ଯୁକ୍ତି ଅତ୍ୟନ୍ତ ସିଧାସଳଖ ଥିଲା ଏବଂ ଆଜି ବି ତାହା ଅନୁରୂପ ଭାବେ ସିଧାସଳଖ ରହିଛି- ଯେତେ ସବୁ ଶୋଷଣ, ଭେଦଭାବ, ଅସମାନତା, ଅତ୍ୟାଚାର ହେଉଛି, ହୋଇଆସିଛି ଏବଂ ଆଗକୁ ବି ହୋଇପାରେ, ସେ ସବୁର ମୂଳପିଣ୍ଡ ହେଉଛି ହିଂସା।

ହିଂସାର ଅର୍ଥ ହେଉଛି ମନୁଷ୍ୟକୁ ଦମନ କରିବା ଲାଗି ହତିଆର, ଧନଦୌଲତ, ଶାସନକ୍ଷମତା, ସଂଖ୍ୟାଗରିଷ୍ଠତା ବା ଉନ୍ମାଦନା ପରି ମନୁଷ୍ୟଠୁ ବଡ଼ ଶକ୍ତିର ବ୍ୟବହାର କରିବା। ତେବେ ମନୁଷ୍ୟ ବିରୋଧରେ ସେପରି କୌଣସି ଅସ୍ତ୍ର ଗାନ୍ଧୀଜୀ କେବେ ବ୍ୟବହାର କରିବାକୁ ପ୍ରସ୍ତୁତ ନଥିଲେ। କାରଣ ସେ ଭାବୁଥିଲେ ଏହାଦ୍ବାରା ମନୁଷ୍ୟ ଓ ମାନବିକତାର ପତନ ହେବ ଏବଂ ଆମେ ଯାହା ବିରୋଧରେ ଯାଉଛେ ତାହା ପୂର୍ବାପେକ୍ଷା ଅଧିକ ନିଷ୍ଠୁର ଓ ଘାତକ ହୋଇପଡ଼ିବ।

ଅହିଂସ ରାସ୍ତାରେ ମନୁଷ୍ୟ ଓ ମାନବ ସମାଜ କିପରି ନିଜର ଦୁର୍ବଳତା ଓ ପ୍ରତିକୂଳତା ସହ ସଂଘର୍ଷ କରିଆସିଛି ଏବଂ କିପରି ନିଜର ଅସ୍ଥିତ୍ବ ବଜାୟ ରଖିପାରିଛି, ତାହାର କୌଣସି ଇତିହାସ ନାହିଁ। ଯାହା ଯୋଉଠି ଯେତିକି ରହିଛି, ସବୁ ଗାନ୍ଧୀ ହିଁ ତିଆରି କରିଛନ୍ତି। ତେଣୁ ଗାନ୍ଧୀ ହେଉଛନ୍ତି ଏକ ସମ୍ଭାବନାର ନାମ। ଏମିତି କିଛି ଲୋକ ରହିଛନ୍ତି, ଯେଉଁମାନେ ଗାନ୍ଧୀଙ୍କ ପରେ ମଧ୍ୟ ସେଇ ସମ୍ଭାବନାକୁ ତନଖି ତାହାକୁ ପ୍ରମାଣିତ କରିବାରେ ଲାଗିଛନ୍ତି। ସେଥିପାଇଁ ତ ଆମେ ଗାନ୍ଧୀ-ବିନୋବା-ଜୟପ୍ରକାଶଙ୍କ ତ୍ରିକୋଣ ତିଆରି କରୁଛେ, କାରଣ ଅହିଂସା ଗବେଷଣା ଦିଗରେ ଇତିହାସ ପାଖରେ ଆଉ କୌଣସି ଚତୁର୍ଥ ନାମ ନାହିଁ। ଆମେ କହିପାରିବା କି ପ୍ରତ୍ୟେକ ମନୁଷ୍ୟ ଓ ମାନବୀୟ ପ୍ରୟାସ ପରି ଏଇ ତିନିଜଣଙ୍କର ମଧ୍ୟ ନିଜର ପ୍ରତିଷ୍ଠା ଓ ଦୁର୍ବଳତା ରହିଥିଲା। ତେବେ ଗାନ୍ଧୀ ଏବଂ ତାଙ୍କ ଦିଗଦର୍ଶନରେ କରାଯାଉଥିବା ଉଦ୍ୟମକୁ ଏପରି ବିରୋଧ କାହିଁକି? ଗାନ୍ଧୀଙ୍କ ପ୍ରତି କଠୋର ବାମପନ୍ଥୀ ଓ କଠୋର ଦକ୍ଷିଣପନ୍ଥୀଙ୍କର ଏ ପ୍ରକାର ସମାନ ଦ୍ବେଷ କାହିଁକି? ଏହି ଦ୍ବେଷ ଆଜିର ନୁହେଁ, ବରଂ ତାହା ଜନ୍ମଜାତ। ନିଜ ଜୀବନର ପ୍ରାରମ୍ଭରୁ ତିନିଟି ଗୁଳିରେ ଟଳିପଡ଼ିଲା ଯାଏ ଗାନ୍ଧୀଜୀଙ୍କୁ କାହିଁକି ଏପରି ଘାତ-ପ୍ରତିଘାତ ସହିବାକୁ ପଡ଼ିଲା?

ଏଇ ଅର୍ଥରେ ଗାନ୍ଧୀଜୀ ଅତ୍ୟନ୍ତ ବିପଜ୍ଜନକ ଯେ ସେ କୌଣସି ପ୍ରକାର ଅସମାନତା, କୌଣସି ସ୍ତରର ଭେଦଭାବ ଏବଂ କୌଣସି ଯୁକ୍ତିରେ ଶୋଷଣ-ଦମନକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନଥିଲେ। ଏପରିକି ସେଗୁଡ଼ିକର ବିରୋଧ କରିବା ଲାଗି ସେ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ଅପରପକ୍ଷେ, ସେଇ ଗାନ୍ଧୀ କେବେ କୌଣସି ପ୍ରତିଶୋଧ କି ପ୍ରତିହିଂସାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ପ୍ରତିଦ୍ବନ୍ଦ୍ବୀକୁ ମୁକାବିଲା କରିବା ଲାଗି ମାନବ ଜାତି ଯେଉଁ ପନ୍ଥା ଜାଣିଛି ଏବଂ ନିରନ୍ତର ପ୍ରୟୋଗ କରିଛି, ତାହା ହିଂସା-ପ୍ରତିହିଂସା-ପ୍ରତିଶୋଧ ବଳ ଉପରେ ଆଧାରିତ। କହିବାକୁ ଗଲେ, ଆମ ସଭ୍ୟତାର ସାରା ଇତିହାସ ଏଇ ତିନି ବଳର ପ୍ରମାଣପତ୍ର। ଏଇ ଦୁଶ୍ଚକ୍ରରୁ ମନୁଷ୍ୟକୁ ବଞ୍ଚାଇବା ପାଇଁ ଆଉ ଏକ ବଳ ବି ସମ୍ଭବ ହୋଇପାରେ। ଏହାର ଅବିଚଳ ପ୍ରମାଣ ଓ ସେ ଦିଗରେ ଲଗାତାର ସାହସିକ ପ୍ରୟାସ ଗାନ୍ଧୀଙ୍କ ଠାରେ ହିଁ ମିଳିଥାଏ। ଗାନ୍ଧୀଙ୍କ ପ୍ରତି ଦ୍ବେଷଭାବର କାରଣ ହେଲା, ଗାନ୍ଧୀ ସବୁଠି ଏସବୁର ଚେର କାଟିଦିଅନ୍ତି।

ଗାନ୍ଧୀଙ୍କ ପ୍ରତି ବାମପନ୍ଥୀଙ୍କ ବିରୋଧ ବା ଦ୍ବେଷଭାବ କିଛି ମାତ୍ରାରେ କମିଯାଇଛି। ରାଜନୈତିକ ଛକାପଞ୍ଝାରେ ଦଳିତ ଦଳଗୁଡ଼ିକ ଦଳିତଙ୍କ ଠାରୁ ସହାନୁଭୂତି ଆଶାରେ ଗାନ୍ଧୀଙ୍କ ବିରୋଧରେ ବିଷ ବୁଣିବା କମ୍ କରିଦେଇଛନ୍ତି। ମାତ୍ର ଏସବୁ ପଛରେ ରାଜନୈତିକ ବାଧ୍ୟବାଧକତା କେତେ ଅଛି ଓ ମନୋଭାବରେ କେତେ ପରିବର୍ତ୍ତନ ଆସିଛି, ତାହା ଦେଖିବାକୁ ବାକି ରହିଲା। କାରଣ ଗାନ୍ଧୀଙ୍କ ଅପମାନ କି ତାଙ୍କ ମୂର୍ତ୍ତିଭଙ୍ଗା ଘଟଣାରେ ସେମାନଙ୍କ ପକ୍ଷରୁ ଆଜିକାଲି ସେଭଳି କୌଣସି ଖାସ ପ୍ରତିବାଦ ପରିଲକ୍ଷିତ ହେଉନାହିଁ।

ପ୍ରତିବାଦର ଯେଉଁ ସ୍ବର ଉଠୁଛି, ସେଥିରେ ଅଧିକ ଅସନ୍ତୋଷ ରହୁଛି। ଏ କଥା ସତ ଯେ ଏ ଭଳି ଘଟଣା ପଛରେ କିଛି ବିପଥଗାମୀ ସାମାଜିକ ଉପଦ୍ରବୀ, ମଦ୍ୟପ-ଅପରାଧୀଙ୍କ ହାତ ରହୁଛି। ତେବେ ଏକଥା ମଧ୍ୟ ସତ ଯେ ସେଥିରେ ଗାନ୍ଧୀ ବିରୋଧୀ ଚିନ୍ତାଧାରାର ରାଜନୈତିକ-ସାମାଜିକ ଶକ୍ତିର ବି ଭୂମିକା ରହୁଛି। ଯଥାସ୍ଥିତି ବଜାୟ ରଖିବାକୁ ଚାହୁଁଥିବା ଦକ୍ଷିଣପନ୍ଥୀ ଏବଂ ହିଂସା-ଦ୍ବେଷର ଲହରି ସୃଷ୍ଟି କରି ସେମାନଙ୍କ ସ୍ଥାନ ନେବାକୁ ଚାହୁଁଥିବା ବାମପନ୍ଥୀ ଶକ୍ତିର ଏହା ହେଉଛି ଖେଳ ଯେଉଁଥିରେ ପ୍ରତି ପାହୁଣ୍ଡରେ ସେମାନଙ୍କୁ ଗାନ୍ଧୀଙ୍କ ପ୍ରତ୍ୟାଖ୍ୟାନର ସାମନା କରିବାକୁ ପଡ଼ିଥାଏ। ଗାନ୍ଧୀଙ୍କ ପ୍ରତ୍ୟାଖ୍ୟାନ ଏତେ ଶକ୍ତିଶାଳୀ, ତାର୍କିକ ତଥା ସିଧାସଳଖ ଯେ ୭୦ରୁ ଅଧିକ ବର୍ଷ ହେଲା ଅନୁପସ୍ଥିତ ରହିବା ସତ୍ତ୍ବେ ଗାନ୍ଧୀଙ୍କ ଉପରେ କେବଳ କ୍ରୋଧ ଦେଖାଇବା ଛଡ଼ା ତାଙ୍କର କୌଣସି ସାର୍ଥକ ଖଣ୍ଡନ କେହି ଖୋଜି ପାଇନାହାନ୍ତି। ସତ୍ୟ ଉପରେ ଏହା ହେଉଛି ଅସତ୍ୟର ପ୍ରହାର।
ଏଥିପାଇଁ ଗାନ୍ଧୀବାଦୀଙ୍କ ମନରେ କ୍ରୋଧ ବା ଗ୍ଳାନିର ଭାବ ସୃଷ୍ଟି ହେବା ଅନୁଚିତ।

ମୂର୍ତ୍ତିର ଏଇ ପ୍ରତୀକ-ସଂସାର ସମଗ୍ର ବିଶ୍ବରେ ଅତ୍ୟନ୍ତ ନିର୍ଜୀବ, ଅର୍ଥହୀନ ଏବଂ ବୃଥା ଉତ୍ତେଜନା ସୃଷ୍ଟିକାରୀ ହୋଇପଡ଼ିଛି। ଆମର ଅବସ୍ଥା ଏମିତି ଯେ ବୁଦ୍ଧଙ୍କ ପରି ମୂର୍ତ୍ତିପୂଜା ନିଷେଧକଙ୍କ ମୂର୍ତ୍ତି ଆମକୁ ବିଭାଜିତ କରିଦେଇଛି। ତେଣୁ ଆମେ ଗାନ୍ଧୀବାଦୀମାନେ ଗାନ୍ଧୀଙ୍କ ମୂର୍ତ୍ତି ନ ଗଢ଼ି ତାଙ୍କୁ ମନମନ୍ଦିରରେ ବସାଇବା ଭଲ ହେବ। ତାଙ୍କ ମୂଲ୍ୟବୋଧର ସ୍ଥାପନା ପାଇଁ କାମ କରିବାକୁ ହେବ। ଗାନ୍ଧୀ ଯେ ପ୍ରାସଙ୍ଗିକ, ଏ କଥାକୁ ଆମେ କେବଳ ସ୍ଲୋଗାନ-ଗୀତ-ମୂର୍ତ୍ତି-ସମାରୋହ-ଉତ୍ସବରେ ସୀମିତ ନ ରଖି ସମସ୍ୟାର ସମାଧାନରେ ମଧ୍ୟ ପ୍ରମାଣିତ କରିବାକୁ ହେବ। ଯିଏ ଗାନ୍ଧୀଙ୍କୁ ଭଲପାଆନ୍ତି ଓ ମାନନ୍ତି, ସେମାନଙ୍କ ପାଇଁ ଗାନ୍ଧୀ ଗୋଟିଏ ରାସ୍ତା ବତାଇ ଦେଇ ଯାଇଛନ୍ତି: ଯଥାସମ୍ଭବ ତତ୍ପରତା ଓ ସଚ୍ଚୋଟତାର ସହ ଗାନ୍ଧୀ ମୂଲ୍ୟବୋଧର ସିଦ୍ଧି ପାଇଁ କାମ କରିଚାଲ। ତାହା ଦ୍ବାରା ନିର୍ମିତ ତାଙ୍କର ପ୍ରତିମୂର୍ତ୍ତିକୁ କେହି ଚାହିଁଲେ ବି ଭାଙ୍ଗିପାରିବେ ନାହିଁ। ଆମକୁ ଜୟପ୍ରକାଶଙ୍କର ସେଇ ଚେତାବନୀକୁ ମନେ ରଖିବାକୁ ହେବ: “ଗାନ୍ଧୀଙ୍କ ପୂଜା ଏପରି ଏକ ବିପଜ୍ଜନକ କାମ, ଯେଉଁଥିରୁ କେବଳ ବିଫଳତା ହିଁ ମିଳିବ।’’ ସେଥିପାଇଁ ଗାନ୍ଧୀଙ୍କର ପ୍ରତିଟି ବିଖଣ୍ଡିତ ପ୍ରତିମୂର୍ତ୍ତି ବାସ୍ତବରେ ଆମକୁ ବିଖଣ୍ଡିତ କରୁଛି ଏବଂ ଆମକୁ ଆହ୍ବାନ ବି ଦେଉଛି।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ

ସମ୍ବନ୍ଧିତ ଖବର